Unknown

 

 

 

 

 

 

 

 

 

 

ଦଗ୍ଧ ଦିଗନ୍ତ

ପଦ୍ମଚରଣ ମହାପାତ୍ର

 

 

 

 

 

 

 

 

ଉପହାର

 

‘‘ନନା’’ଙ୍କୁ

ଭକ୍ତିର ଅର୍ଘ୍ୟସ୍ୱରୂପ

ପ୍ରଣତ

ପଦ୍ମ

 

ଉଦୟାଚଳରୁ ସକାଳର ସୂର୍ଯ୍ୟ ମଥା ଟେକିଲେଣି । ଧୀରେ ଧୀରେ ରଶ୍ମି ରାଗରେ ରଞ୍ଜିତ ହୋଇ ଉଠିଲାଣି ଦୁଇ ପାର୍ଶ୍ୱରୁ ବିକ୍ଷୁବ୍ଧ ଗିରିମାଳା ।

ବୈଶାଖ ମାସର ଉତ୍ତପ୍ତ ଅନ୍ତରାତ୍ମା ପ୍ରତ୍ୟୁଷର ଏଇ ଶୀତଳ ଅରୁଣ ରାଗରେ ଅବଗାହନ କରି ଶୀତଳତା ଭଜିବ ଯେମିତି ।

ଖୁବ୍‌ ଧୀରେ ଧୀରେ ଦିନର ସୂଚନା ଜଣେଇ ପାହାଡ଼ର ମିଥାନ ଉପରୁ ମୁଣ୍ଡ ଟେକି ଟେକି ଉପରକୁ ଉଠିଲେଣି ।

ଦୁଇପାଖେ ଦୁଇଧାଡ଼ି ପାହାଡ଼ । ଦେହରେ କେତେ ଜାତିର ନୀରସ ଦ୍ରୁମଲତା ମଝିରେ ଗଳିପଶି ଲମ୍ୱିଯାଇଛି ଅମାନିଆ ରାଜପଥ-। ଏଇ ଅଙ୍କାବଙ୍କା ଢେଉଢେଉକା ପାହାଡ଼ମାଳା ଭିତରେ ଲଙ୍ଗଳା ସଡ଼କଟି ହିଁ ସଚେତନ ଓ ସ୍ୱାଗତଶୀଳ ମନେ ହେଉଛି ।

ଲମ୍ୱିଯାଇଛି ତାଲିପକାବପୁ ବିସ୍ତାର କରି ରାଜପଥ—ବୈଶାଖ ତାତିଖିଆ ଗଛ ଦେହରୁ ପତ୍ର ଝଡ଼ି ଥୁଣ୍ଟା ଥୁଣ୍ଟା ଦିଶୁଛି ଗଛସବୁ । ଠାଏଁ ଠାଏଁ ପତ୍ରଝଡ଼ା ବାଉଁଶ ବୁଦା । ଆମ୍ୱପଣସ ତୋଟା ମହୁଲ, ବାହାଡ଼ା, ବର, ଓସ୍ତ ଏମିତି କେତେଜାତିର ଗଛମାନ । ଠାଏ ଠାଏ ତାଳବଣ ପାଖେ ପାଖେ କିଆବୁଦା । ଥାନେ ଥାନେ ବନ ଝରଣାର କଳ ନିନାଦ । ସତେଅବା ସୃଜନୀଶୀଳ ଜଗତର ବୀଣା ଝଙ୍କାର । ପାହାଡ଼ର ନିଥର ଆଖି ଦୁଇଟିରେ ଛଳ ଛଳ ବିକଳ ଚାହାଣୀ—ହଜେଇଥିବା ବସନ୍ତକୁ ଖୋଜି ଖୋଜି ନପାଇବା ମନର ଢଳ ଢଳ ଆତୁର ନୀରବତା—ବୈଶାଖ ତାତିରେ ଛଟପଟ ମନ ଭିତରେ ଅଳ୍ପ କେତେଦିନ ତଳେ ଅଙ୍ଗେ ନିଭେଇଥିବା ଚଇତାଳି ରାତିର ଜୋଛନା-ଧୂଆ ଆକାଶଚୁମ୍ୱନର ମଧୁସପନ । ପାହାଡ଼ର ମାନସରେ ସ୍ମୃତି ଚେତନାର ଅବଲୀଳା ।

ଲମ୍ୱିଯାଇଛି ଦୁଇପାଖେ ଦୁଇଧାଡ଼ି ଗିରିମାଳା । କେତେ ଦୂରକୁ—ଆଖି ପାଏନା ।

ଆଗରେ ଦିଶୁଛି ଅଳ୍ପଦୂରରେ ଲଗାଲଗି ହୋଇ ନାଁ—ନଜଣା ଖରାଦିନିଆ ଫସଲ କିଆରୀ ।

ପବନରେ ଭାସିଆସୁଛି ଅଜଣା ବନ ଫୁଲର ମଧୁର ବାସନା ।

ପାହାଡ଼ର ଛତିରେ ନିସର୍ଗର ବୈଶାଖୀ ଆତ୍ମା କାୟା ବିସ୍ତାର କରିଛି ।

ବସନ୍ତ ଯାଇଛି ।

ଚୁମ୍ୱନ ହଜିଛି ।

କ୍ଷତ ରହି ଯାଇଛି ।

ବୈଶାଖ ଆସିଛି ।

ଆଉ ଏଇ ବୈଶାଖୀ ଗିରିକନ୍ଦର ଭିତରେ, ଜନମାନବଶୂନ୍ୟ ବଙ୍କିମ ରାଜପଥର ଅପ୍ରଶସ୍ଥ ବପୁ ଉପରେ ଗତିଶୀସଂ ଓ ଓ.ଆର୍‌.ଟି କମ୍ପାନୀର ଯାତ୍ରିବାହୀ ବସ୍‌ ଖଣ୍ଡିକ । ଯାନ୍ତ୍ରିକ ଶବ୍ଦରେ ନିର୍ଜନ ବନର ଅନ୍ତସ୍ଥଳୀ ଫାଟି ପଡ଼ୁଛି ସତେ ଯେମିତି ଏଇ ଯାନ୍ତ୍ରିକ ଶବ୍ଦର କଠୋର ରୁକ୍ଷତାକୁ ବିଦୀର୍ଣ୍ଣ କରି ବେଳେ ବେଳେ ନା-ନଜଣା ବନପକ୍ଷୀର କଳ କୂଜନ କାନରେ ପଶୁଛି ।

ବୈଶାଖୀ ବନର ଜଳିଲା ମନତଳେ ଶୀକର ସେଚନ କରିଯାଉଛି ବନ ବିହଗର ମଧୁ ଗୁଞ୍ଜନ ।

ନୀରବ ବନାନୀ ।

ନୀରବ ରାଜପଥ ।

କେଉଁଠି କେମିତି ଅଚାନକ ଆଖିରେ ପଡ଼ୁଛନ୍ତି ଅଧାନଙ୍ଗଳା ନରନାରୀ । ବନର ଅଧିବାସୀ, ସେମାନେ ଲେଙ୍ଗୁଟି ମାରି, କାନ୍ଧରେ ଟାଙ୍ଗିଆ ଝୁଲେଇ ଦଳଦଳ ହୋଇ ଗୀତ ଗାଇଗାଇ ଚାଲିଛନ୍ତି । ବସ୍‌ର ପ୍ରଚଣ୍ଡ ଶବ୍ଦ ସହ୍ୟନକରିପାରି ନିଜକୁ ଲୁଚେଇ ଦେଉଛନ୍ତି ସଡ଼କ ପାଖ ବୁଦାତଳେ ।

ଠାଏ ଠାଏ କିଆରୀ ଫସଲର ହରିତ ମାଦକତା । ବିଜନ ବନ ଭୁମିର ନିର୍ଜନ ସାରଲ୍ୟ-। ଢେଉଢେଉକା ପାହାଡ଼ମାଳାର ଉଦାର-ଗମ୍ଭୀର ମୌନତା—ମୌନମୟୀ ପ୍ରକୃତିର ବୈଶାଖୀ ରୂପ ସମ୍ଭାର—ରୁକ୍ଷ ଅଥଚ ପ୍ରଶାନ୍ତ—ତପ୍ତ ହୁଏତ ଉଦାର ଗମ୍ଭୀର—ଜ୍ୱାଳାମୟ ମାତ୍ର ହୃଦୟଗ୍ରାହୀ-

ସର୍ପିଳ ରାସ୍ତା । ସର୍ପିଳ ବନପଥ । ସର୍ପିଳ ବନଝରଣାର ଅର୍ଦ୍ଧଶୁଷ୍କ ଉରସ ଉପରେ ନଗ୍ନ ଉପଳ ଖଣ୍ଡର କରୁଣ ବିଳାପଧ୍ୱନି—ଶୁଷ୍କ ବଂଶ କୁଞ୍ଜରେ ବୈଶାଖୀ ପକ୍ଷୀର ସଙ୍ଗୀତମୂର୍ଚ୍ଛନା—ନିଦାଘ ପ୍ରକୃତିର ରୁକ୍ଷ—ପ୍ରଶାନ୍ତ ବ୍ୟାପକତା—ମୋନମୟୀ ଗିରିମାଳାର ଅଧର ଯୁଗଳରେ ପ୍ରାତଃସୂର୍ଯ୍ୟର ଶାନ୍ତ ରକ୍ତିମ ଆଭା ।

ୟା’ରି ଭିତରେ ଯାତ୍ରୀବାହୀ ବସ୍‌ର ଘର୍ଘର ଧ୍ୱନି ପ୍ରକୃତି ଛାତିରେ କୁଠାରଘାତ କରି ଦର୍ପିତ ଭଙ୍ଗୀରେ ଆଗକୁ ଆଗକୁ ମାଡ଼ି ଚାଲିଛି । ପଥପାର୍ଶ୍ୱର ବୃକ୍ଷଲତା ଯାନ ସହିତ ସଂଘର୍ଷରେ ପରାଜିତ ସୈନିକପରି ବିପରୀତ ଦିଗକୁ ଦୌଡ଼ିବାରେ ଲାଗିଛନ୍ତି ।

 

ଦିଗ୍‌ବଳୟର ଶିଖର ଦେଶକୁ—ଯେଉଁଠି ଆକାଶ ସହିତ ଦୂର ପାହାଡ଼ର ମଥା ମିଶିଛି–ସେଇଠୁ ସକାଳର ସୂର୍ଯ୍ୟ ମଥା ଟେକି ସାରିଲେଣି ।

 

ଫସଲ କିଆରି ସବୁ ସୁନା କିରଣରେ ହିରଣ୍ମୟ ହୋଇ ଉଠିଲାଣି ।

 

ବୈଶାଖୀ ପ୍ରକୃତିର ଚେତନା ଏଇ ସର୍ପିଳ ରାଜପଥ ଧାରେ ଧାରେ, ନୀରସ ତରୁଲତାର ଶୁଷ୍କ ଦେହରେ, ଅର୍ଦ୍ଧଶୁଷ୍କ ଧରଣୀର ସ୍ୱର ଲହରୀରେ ଘୂରି ବୁଲୁଥିଲାପରି ମନେ କରୁଥିଲେ ସେ ।

 

ଜଣେ ନିଃସଙ୍ଗ ଯାତ୍ରୀ ଭାବରେ ଶିବ ପ୍ରସାଦ ଅନାଇଁ ରହିଥିଲେ ଏଇ ବୈଶାଖୀ ପ୍ରକୃତିର ବିକ୍ଷୁବ୍ଧ ଅନ୍ତରାତ୍ମାକୁ ।

 

ଅବଚେତନ ମାନସରେ ଭାବନାର ପ୍ରବାହ ତାଙ୍କୁ ଗିରିଗାତ୍ରର କେଉଁ ଅନ୍ଧାରି ଗହ୍ୱର ଭିତରକୁ ଟାଣି ନେଇଥିଲା । ସେ ହଜି ଯାଇଥିଲେ ନିଜ ଭିତରେ ଯେମିତି, ହଜିଯାଇଛି ଏଇ ସଡ଼କ ପାଖର ଛୋଟ ଝରଣାଟି କେଉଁ ଅଜଣା ଅଦେଖା ପଥର ସନ୍ଧିରେ ।

 

ଯାତ୍ରୀବାହୀ ବସ୍‌ଟି ଗତିଶୀଳ ଥିଲା । ଗତିଶୀଳ ଥିଲା ତାଙ୍କ ଭାବନାର ମନ ମଣିଷଟି । ପକେଟରୁ ଫଟୋଟି କାଢ଼ିଲେ ସେ ।

 

ଚାହିଁଲେ, ବେଶ୍‌ ନିରେଖିଲେ ।

 

ଫଟୋଟି ଜୀବନ୍ତ ହୋଇ ଉଠିଲା ।

 

ସରଳ ମୁହଁଟିଏ ।

 

ଢଳ ଢଳ ସଜଳ ଆଖି ଦୁଇଟି ।

 

ଲମ୍ୱ ବେଣୀଟିଏ କାନ୍ଧ ପାର ହୋଇ ଛାତିରେ ଦୋଳୁଛି ।

 

ମଧୁ ମଖା ହସ ହସ ଅଧର ଦିଓଟିରେ ସନାତନ ସତ୍ୟର ଝରଣାଟିଏ ଝରି ଯାଉଛି ।

 

କେଡ଼େ ସୁନ୍ଦର !

 

ତା ସହିତ ଏତିକି ପରିଚୟ । ଫଟୋଟି ଜଣାଶୁଣା । ଫଟୋଟି ପକେଟରେ ରଖିଥିଲେ ସେ ।

 

ଆଖିରେ ବୁଣି ହୋଇଗଲା ଆଞ୍ଜୁଳା ଆଞ୍ଜୁଳା ଜୀବନର ସପନ ।

 

ହଁ—

 

ଘରେ ଚାହିଁ ବସିଥିବ ବୋଉ । ଫେରନ୍ତା ବାଟକୁ ଅନେଇ ରହି ଦିନ ଗଣୁଥିବ ସେ । ବୟସ ହୋଇଗଲାଣି । କାମଦାମକୁ ପାରୁନି । ବଡ଼ ହୋଇ ଚାକିରି କଲେଣି ସେ । ଏଣିକି ତାଙ୍କର ଘର ସଂସାର ଦରକାର । ବସାଟିଏ ବାନ୍ଧିଦେଲେ ବୋଉ ଖୁସି । ବୋହୂଟିଏ ଘରକୁ ଆସିବ । ପାଣି ଟିକିଏ ଗଡ଼େଇ ଦେବ ହାତକୁ । ଭାତ ମୁଠେ ରାନ୍ଧି ବାଢ଼ିଦେବ । ଗୋଡ଼ ହାତ ଦିହ ପା’କୁ ପାଖରେ ଥିବ—ବେଶ୍‌ ବୋଉର ଏତିକିରେ ଖୁସି । ମନ ଭିତରେ ସହସ୍ର ସୂର୍ଯ୍ୟର ଶିଖା ଭଳି ଉଜ୍ଜଳି ଉଠିଲା ସେଇ ବୋଉ ମୂର୍ତ୍ତିଟି

 

ବୋଉ—

 

କେତେ ଯୁଗର ସନାତନ ଅମୃତ ଧାରା ବୋଳି ହୋଇ ରହିଛି ଏଇ ଶବ୍ଦଟିରେ ।

 

କେତେ ମନର ଅଜଣା ଭାବନାର, ଅଜଣା ବ୍ୟଥା ବେଦନାର ଅଭିବ୍ୟକ୍ତି ଲୁଚକାଳି ଖେଳୁଛି ଏଇ ଅକ୍ଷର ଦୁଇଟିର ଅନ୍ତରାତ୍ମାରେ ।

 

ବୋଉ—

 

କାନରେ ପ୍ରତିଧ୍ୱନିତ ହୋଇ ଉଠିଲା ଶଙ୍କରଚାର୍ଯ୍ୟଙ୍କର ପଦଟିଏ—

 

‘କୁପୁତ୍ର ଜାୟତେ କ୍ୱଚିଦପି କୁମାତା ନ ଭବତି’’ ।

 

ଆଖି ଲୁହ ଛଳ ଛଳ । ପ୍ରାଣ ବେଦନା ସିକ୍ତ । ସ୍ନାୟୁ ଗ୍ରନ୍ଥିରେ ସେଇ ଗୋଟିଏ ମମତା-ମଧୁର ଚିର ସୁନ୍ଦର ଶବ୍ଦର ଝଙ୍କାର ।

 

ବୋଉ—

 

ବୋଉ ??

 

କିଏ କାହାର ବୋଉ ?

 

ସିଏ ତ ତାଙ୍କର ବୋଉ ନୁହେଁ ।

 

ଅପରାଧୀପରି ନିଜକୁ ମନେ କଲେ ସେ । ବଳେ ବଳେ ଆଖିପତା ମୁଦି ହୋଇ ଆସିଲା । ମନ ଭିତରୁ ସ୍ୱତଃ ନିକ୍ୱଣିତ ହୋଇ ଉଠିଲା—

 

ବୋଉ—

 

ହଁ ।

 

ସେ ତାଙ୍କରି ବୋଉ । ଜନ୍ମ ନକଲେ କଣ ହେଲ—ଛାତିର ରକତ ଦେଇ, ଆଖିର ନୀର ଝରେଇ, କୋଳେଇ କାଖେଇ ସେ ତାଙ୍କୁ ମଣିଷ କରିଛି ।

 

ସପନ ପରି ଆଖିରେ ନାଚି ଉଠିଲା ଶୋଲରୀ ପାହାଡ଼ତଳେ ମାଇଲିଏ ଦେଢ଼ମାଇଲ ଦୂରରେ ଛୋଟ ଗାଁଟି—ଆପଣାର । ଆଉ ଗାଁ ଭିତରେ ଛୋଟ ଚାଳ ଛପର ଘରଟିଏ । ବଖରାଏ ବୋଲି ଘର ଦାଣ୍ଡ ପଟେ । ଭିତରେ ଅଗଣା । ବାରିପାଖେ କାନ୍ଥ । ତା ତଳେ ଛୋଟ ବାରଣ୍ଡା ତିନିହାତେ । ସେଇ ବଖରାକ ଘରର ଚଳନ୍ତି ପ୍ରାଣୀ ହିସାବରେ ମାତ୍ର ଦୁଇ ଜଣ, ସେ ଓ ବୋଉ ।

 

ଅଗଣାରେ କେତେ ଜାତିର ଗଛ । ଅମୃତଭଣ୍ଡା, ସଜନା, ପିଜୁଳି, ଡାଳିମ୍ବ, ଇଟଳା, ଅଏଁଳା, ମଲ୍ଲୀ, ଅନ୍ନପୂର୍ଣ୍ଣା, ଲଙ୍କା, ବାଇଗଣ, ପାଖକେ ତୁଳସୀ ଚଉରା, ପାଖକେ ଶାଗ ପଟାଳି । ବାଡ଼ିରେ ଦୁଇଧାଡ଼ି ନଡ଼ିଆ ଗଛ ।

 

ତଳମୁଣ୍ଡକୁ କୁଅ । କୁଅ ମୂଳକୁ ଲାଗି ଛୋଟ କଲମି ଆମ୍ୱଗଛଟିଏ । ତା ପଛକୁ ବାଉଁଶ ବୁଦା । ତା’ପରେ ଚୂଆ । ଚୂଆ ଆରପାଖେ ତାଳଗଛ ।

 

ଦୁଇ ଯୁଗ ପଛକୁ ଫେରି ଯାଇଥିଲେ ସେ । ଲୁହ ଢଳ ଢଳ ଆଖିପତା ଭେଦକରି ପ୍ରତୀୟମାନ ହେଉଥିଲା ସେଇ ସ୍ନିଗ୍ଧ ସରସ ଲାବଣ୍ୟମୟୀ ମୁଖମଣ୍ଡଳଟି ।

 

ସେ ବୋଉ ।

 

ପିଲାଦିନୁ ସେ ତାଙ୍କୁ ବୋଉ ବୋଲି ଡାକି ଆସିଛନ୍ତି ।

 

ପାହାଡ଼ର ବୁକୁ ଫଟେଇ ଗତି କରୁଛି ଯାତ୍ରୀବାହୀ ବସ୍‌ଟି । ଆଉ ତା ସହିତ ସମତାଳରେ ଗତିଶୀଳ ତାଙ୍କ ମନ-ଭାବନାର ଗଙ୍ଗା ଯମୁନା ।

 

ସୂର୍ଯ୍ୟ ଆସ୍ତେ ଆସ୍ତେ ଉପରକୁ ଉଠିଲେଣି । କ୍ଷେତ କିଆରୀରେ ବୁଣି ହୋଇ ପଡ଼ିଲାଣି କେରି କେରି ସୁନା କିରଣ । କେଡ଼େ ସୁନ୍ଦର ଦିଶୁଛି ପାହାଡ଼ ମାଳା । ଉପରେ ତପନ, ତଳେ ବିଚିତ୍ର କ୍ଷେତ କିଆରୀ । ଆଖି ଲାଖି ରହୁଛି ।

 

ବସ ଚାଲିଛି ।

 

ପାହାଡ଼ ଅଳ୍ପ ପଛକୁ ରହିଲାଣି । ଆଗକୁ ଅଳ୍ପ ବାଟରେ ବସ ଅଟକିବ । ସେଇଠି ଜଳଖିଆ ଖାଇବାକୁ ହେବ । ଦିଘଡ଼ି ରାତି ଥିଲା ବସରେ ଚଢ଼ିଛନ୍ତି ସେ । ଆଖିପତା ପଡ଼ି ପଡ଼ି ଆସୁଛି ।

 

ଉଦ୍‌ବିଗ୍ନ ଉଚ୍ଛଳ ହେଉଛି ଦେହ ମନ ।

 

ବୋଉ ପଥ ଚାହିଁ ବସିଥିବ ।

 

ବୋହୂଟିଏ ଘରକୁ ଆଣିବା ପାଇଁ ଦିନ ଗଣୁଥିବ ସେ ।

 

ହସିଲେ ସେ । ତାଙ୍କ ସହିତ ହସିଉଠିଲେ ସତେ ଯେମିତି ସମବେଦନଶୀଳ ଗିରିମାଳାର ଶୁଷ୍କ ତରୁଲତା ।

 

ବୋହୂଟିଏ ଘରକୁ ଆଣିବା ପାଇଁ କେଡ଼େ ବ୍ୟାକୁଳ ସେ ନହୁଏ । ଏବେ ବର୍ଷେ ହେଲା ବୋହୂ ଆଣିବା ଘୋଷା ହୋଇ ଯାଇଛି ତାର । ଯେବେ ସେ ଛୁଟିରେ ଘରକୁ ଯାଆନ୍ତି ବୋଉଠାରୁ ସେଇ ଗୋଟିଏ କଥା ଶୁଣିବାକୁ ମିଳେ, ଆଉ କେତେଦିନ ପୁଅ ଅପେକ୍ଷା କରିବି ? ମୁଁ କଣ ସବୁଦିନକୁ ବଞ୍ଚିଥିବି ? ପାଠ ସରିଲା, ଚାକିରି କଲୁ ଏଣିକି ବସା ବାନ୍ଧିଲେ ଦାଣ୍ଡ ସୁନ୍ଦର । ବୋହୂଟିଏ ଘରକୁ ଘେନି ଆଣିଲେ ମୋ ଦାୟିତ୍ୱ ତୁଟିଲା । ତାପରେ ମୋର ବା ଆଉ କେତେ ଦିନ-

 

ମନ ଭିତରଟା ଚହଲି ଉଠିଲା । ଆଖି କୋଣ ତରଳି ଆସିଲା ।

 

ସତେ ସେ କେତେ ବ୍ୟାକୁଳ ନହୁଏ ବୋହୂଟିଏ ଦେଖିବା ପାଇଁ !

 

ଯେତେ ହେଲେ ସେ ମାଆ । ପେଟ ଫଟେଇ ଜନ୍ମ ନକଲେ କଣ ହେଲା ଜୀବନର ପଳ ପଳ ମାଉଁସ କାଟି, ରୁଧିର ନିଗାଡ଼ି ସେ ତାଙ୍କୁ ମଣିଷ କରିଛି । ତାର ସନ୍ୟାସିନୀ ଜୀବନର ସମସ୍ତ ବେଦନା ତାଙ୍କରି ମୁହଁକୁ ଚାହିଁ ସେ ପାଶୋରି ପକାଇଛି । କେତେ ସଞ୍ଜ ସକାଳେ, ନୀରବ ରାତିର ନିଶୂନତା ଭିତରେ ସେ ତାଙ୍କୁ କୋଳରେ ବସେଇ ଜୀବନର କାହାଣୀ ଶୁଣେଇଛି ।

 

କଣ ପାଇଁ ?

 

କଣ ସେ ପାଇଛି ଜୀବନରେ ?

 

ବାଲ୍ୟକାଳରୁ ମଥାରୁ ସିନ୍ଦୂର ଲିଭେଇ ସେ ତାର ଏଇ ବିରାଟ ବିଶ୍ୱରେ ପାଦ ଚଳେଇଛି-। ତାଙ୍କୋଇ ମାଗିଆଣି, କୋଳରେ ଧରି ଏଡ଼େରୁ ଏଡ଼େଟିଏ କରିଛି ସେ । ତାଙ୍କରି ମୁହଁକୁ ଚାହିଁ ଭୁଲି ଯାଇଛି ସେ ଜୀବନରେ କେତେ ଟାହିଟାପରା, ନାକଟେକା ଛି ଛାକରା ।

 

ସାତ ହୀନିମାନ ଜୀବନରେ ସେ ତା’ରି ଏକମାତ୍ର ଆନନ୍ଦର ଆଧାର । ଅନ୍ଧାର ରାତିର ଜହ୍ନ ଆଲୁଅ ।

 

ବୟସ ହୋଇ ଗଲାଣି ବୋଉକୁ ।

 

ତାର ଏକମାତ୍ର ଅଳି ବୋହୂଟିଏ ଆସିବ କୂଳକୁ ।

 

କୁଳ ଲକ୍ଷ୍ମୀଟିଏ ଦେଖି ଦେଲେ ତାର ଜଳିଲା ପ୍ରାଣ ଶୀତଳ ହେବ । ମନ ସାନ୍ତ୍ୱନା ପାଇବ ।

 

କାନରେ ବାଜିଲା ସେଇ ଦରଦୀ କଣ୍ଠର ଅମୃତ ମିଶା ମଧୁର କଥା—

 

: ତୋ ମନଲାଖି ଝିଅଟିଏ ତୁ କୂଳକୁ ଆଣେ । ମୋର କିଛି ଆପତ୍ତି ନାହିଁ । ଝିଅଟି ଗୁଣର ହେଲେ ହେଲା । ଚାକିରି କାଳ ତିନି ବରଷ ହେଲା । ଆଉ କେତେଦିନ ଏମିତି କାଳ ଗଡ଼େଇବୁ । ମୋର ଶୁଖିଲା ଦେହ । କେତେ ବେଳେ କଣ ହେବ ଠିକଣା ଅଛି ! କୂଳରେ ରୋପିଥିଲି । ଫଳିଲେ କୁଳ ରହିଲା ଜାଣିବି । ବୋହୂ ମୋର ସେବା କରିବ ଏଇୟା ମୋ ମନରେ ନାହିଁ । ସେ ତୋ’ରି ପାଖରେ ଛାଇପରି ରହିବ ତୋ’ରି ସେବା କରିବ । ତୋ’ର ଯତ୍ନ ନେବ । କେତେଦିନ ଆଉ ହୋଟଲରେ ଖାଇ ଦିନ କଟେଇବୁ ? ’

 

ଛାତି ଭିତରଟା ଥର ଥର ହୋଇ ଆସିଲା ।

 

କେତେ ସ୍ନେହ ବୋଳା ବୋଉର ଏ ଭାଷା !

 

ଆଖିରେ ନାଚି ଉଠିଲା ବୋଉର ରୋଗ ପାଣ୍ଡୁର ମୁହଁଟି ।

 

ଅଗଣାଭିତରେ ତୁଳସୀ ଚଉରା ମୂଳେ ସଞ୍ଜ ଦୀପର କ୍ଷୀଣ ଆଲୋକ ରେଖାପରି ଜୀବନ । କେତେବେଳେ ଲିଭିଯିବ ଜାଣି ହେବ ନାହିଁ । ବୟସ ଆସି ସତୁରୀ ଟପିଲାଣି ।

 

ବର୍ଷେ ହେଲା ବୋଉକୁ ରୋଗଧରିଛି । କେତେ ଔଷଧ ମଷୁଧି ସରିଲାଣି । କମୁଛି ବଢ଼ୁଛି ଲାଗିରହିଛି । ଦେହ ରୋଗ ସିନା ଔଷଧରେ କମେ । ମନରୋଗକୁ କଣ ଔଷଧ କାଟୁକରେ-? ବୋଉର ଏକା ଜିଦ୍‌ । ଆସନ୍ତା ତିଥିରେ ବୋହୂଟିଏ ଆଣିବ ଘରକୁ ।

 

ସତରେ ଆସନ୍ତା ତିଥିରେ ବୋହୂ ଆସିବ ।

 

ଶିବ ପ୍ରସାଦଙ୍କ ଛଳ ଛଳ ଆଖି-ଜଳ ତଳକୁ ଖସିଲା ।

 

ପକେଟରୁ ରୁମାଲ କାଢ଼ି ପୋଛିଲେ ସେ ।

 

ଦୁଇମାସ ତଳେ ଘରକୁ ଯାଇଥିଲେ । ବର୍ଷେକାଳ ରୋଗରେ ପଡ଼ି ବୋଉ କେତେ କ୍ଷୀଣ ହୋଇ ଯାଇଥିଲା । କ୍ଷୀଣ ହୋଇ ଆସିଥିଲା ହାତ ଗୋଡ଼ । ଔଷଧ ଦେଇ ଆସିଥିଲେ ।

 

ଫେରିବାବେଳେ ବୋଉ କହିଥିଲା—ଶିବୁରେ, ଛୁଟି ହେଲେ ଶୀଘ୍ର ଚାଲିଆସିବୁ । ମୋ ଅବସ୍ଥା ତ ଦେଖୁଛୁ । କେତେବେଳେ କ’ଣ ହେବ ଠିକଣା ନାହିଁ । ଶେଷ କାଳକୁ ପାଣି ପାତ୍ରିଏ ପାଟିରେ ଦେଲେ ପାଇବି । ସୁବିଧାରେ ଯିବୁ । ଗାଡ଼ି ମଟର କଥା । ଦେହପାକୁ ଜଗି ଚଳିବୁ । ଚିଠି ଦେଉଥିବୁ । ଏକୁଟିଆ ଲୋକ । ଦୂର ଯାଗା । ଯିବୁ ଯେ ପୁଅ ଆଖି ଯୋଡ଼ିକ ତୋରି ପାଖରେ ରହିବ । ହଁ ଏଇଥର ବାୟାକୁ କହିବି ଯେଉଁଠି ହେଲେ ଠିକଣା କରିବ । ମନା କରିବୁ ନାହିଁତ ? ନାଇଁ ଯଦି ତୋର କେଉଁଠି ପସନ୍ଦ ଅଛି କହ ଯେ ବାୟାକୁ କହିବି ସେଇଠି ଠିକଣା କରିବ । ତୋର ଖୁସିରେ ପୁଅ ମୋର ଖୁସି ।

 

ବୋଉର ଏଇ କଥା କେଇ ପଦରେ ମନ ଦୋହଲି ଉଠିଥିଲା ତାଙ୍କର । କହିଥିଲେ—ନନାଙ୍କୁ କହିବୁ ତାଙ୍କର ଯେଉଁଠି ପସନ୍ଦ ହେବ ସେଇଠି କରିବେ । ତୁ ଖୁସିହେଲେ ମୋର ଖୁସି ।

 

ବୋଉ ହସିଲା । କେତେ ଯୁଗର ଅକୁହା ଭାଷା ତା ହସ ଦିହରେ ଗୋଳେଇ ହୋଇଥିଲା ତାହା କଳନା କରି ହୋଇ ନଥିଲା । ରୋଗଶୀର୍ଣ୍ଣ ମୁଖମଣ୍ଡଳରେ ଏଇ ପ୍ରଶାନ୍ତ ହସ ଟିକକ ଗୌରୀଶଙ୍କରର ତୁଷାରବୃତ୍ତ ଶିଖରଦେଶର ସ୍ଫଟିକ ଶୁଭ୍ର ଉଦାରତା ପରିପୂର୍ଣ୍ଣ ପରି ମନେ ହୋଇଥିଲା ।

 

ସତରେ ସେଦିନ ସେ କେତେ ଖୁସି ହୋଇ ନଥିଲା ! ପୁଅ ରାଜି ହୋଇଛି, ସେ ତାର ମନ ଲାଖି ବୋହୂ ଆଣିବ ଘରକୁ । ସତୁରି ବର୍ଷର ତପସ୍ୟାର ଫଳମିଳିବ ତାକୁ । ବୋହୂ ଆସିବ ଘରକୁ । କେତେ ଭାର ଥୁର, ବାଜା ବାଜେଣା, ଶଙ୍ଖମହୁରୀ ହୁଳହୁଳି । ଗାଁ ଉଛୁଳି ଉଠିବ । ହସିଉଠିବେ ସେ ପୁରରୁ ଇହକାଳ ପରକାଳର ଦେବତା ।

 

‘ସେ...... ??

 

ସେ ବୋଉର ସ୍ୱପ୍ନ । ବୋଉର ଅବୁଝା ମନର ପ୍ରତିମା । ତିନିକୋଡ଼ିରୁ ବେଶୀ ବର୍ଷର ପୁରୁଣା କଥା । ତଥାପି ବୋଉର ଆଜି ଯାଏ ମନରୁ ଯାଇନି । ଏଗାର ବର୍ଷ ବେଳେ ମଥାରେ ସିନ୍ଦୂର ଲଗେଇ, ହାତରେ ସୁନାକାଚ ଗଳେଇ, ଗୋଡ଼ରେ ରୂପାର ପାଉଁଜି ପିନ୍ଧି ବଧୂ ବେଶରେ ବେଦୀରେ ବସି ହାତ ଧରିଥିଲା ସେ ହରିପୁର ଜମିଦାରଙ୍କ ପୁଅ ବେଣୁପାଣିଙ୍କର । ହାତେ ଲମ୍ୱର ଓଢ଼ଣା ତଳେ ଲୁଚି ଲୁଚି ଆଖି ଟେକି ବେଦୀରେ ବସିବାବେଳେ ଯେତିକି ସେ ଅନୁମାନ କରିଥିଲା ତାଙ୍କରି ରୂପ ସେତିକି । ତା’ପରେ ବର୍ଷ ଦୁଇଟାରେ ବେଣୁପାଣି ମହାମାରୀରେ ପଡ଼ି ଚାଲିଗଲେ ସେ ପୁରକୁ । ବୋଉର ଜୀବନରେ ମାଡ଼ିଆସିଲା ମହାକାଳର ମହାତମସା । ହାତରୁ କାଚକଢ଼ାହେଲା ମଥାରୁ ଲିଭାହେଲା ସିନ୍ଦୂର ଦାଗ । ଦେହର ବସନରେ ପରିବର୍ତ୍ତନ ହେଲା । ଓଷା, ଉପବାସ, ବ୍ରତ, ଏକାଦଶୀ, କାର୍ତ୍ତିକ, ମାଘ, ବୈଶାଖ ହବିଷ ହେଲା ଜୀବନର ଏକାନ୍ତ ସହଚର ।

ଶିବପ୍ରସାଦ ଝୁଙ୍କି ପଡ଼ିଲେ ।

ଭାବନାର ଖିଅ ଛିଣ୍ଡିଲା ।

ସଡନ୍‌ ବ୍ରେକ୍‌ ମାରିଛି ଡ୍ରାଇଭର ।

ସାମନାରେ ଅଧାନଙ୍ଗଳା ବୁଢ଼ୀଟିଏ କଚାଡ଼ି ହୋଇ ପଡ଼ିଛି ।

ରାସ୍ତା ପାର ହେଉଥିଲା । ବସ୍‌ ଦେଖିନାହିଁ ।

ଯାତ୍ରୀଙ୍କ ଗହଳିରେ ଭାବନା—ବୁଢ଼ିଆଣୀ ଜାଲର ତନ୍ତୁ ସବୁ ଛିଣ୍ଡିଗଲା ଯେମିତି । ତଥାପି ଦୁଇମାସ ତଳେ ଦେଖିଥିବା ବୋଉର ରୋଗ ପାଣ୍ଡୁର ମୁଖ ମଣ୍ଡଳରେ ସେ ବାହା ହେବାପାଇଁ ସମ୍ମତି ଜଣେଇ ଥିବାରୁ ଯେଉଁ ଆନନ୍ଦର ଲହରୀ ଖେଳିଥିଲା ତାହା ତାଙ୍କ ମନରୁ ଛିଣ୍ଡି ନଥିଲା । ତା କରୁଣ ଜୀବନର ଆଶା ଆନନ୍ଦର ଦୀପାଳିଟି ତାଙ୍କ ଆଖି ଆଗରେ ଶିଖା ମେଳେଇ ଜଳୁଥିଲା ।

ବୁଢ଼ୀଟିକୁ ରାସ୍ତାପାର କରେଇ ଯାତ୍ରୀମାନେ ବସରେ ଚଢ଼ିଲେ । ଟିକିଏ ଅଟକି ବସ୍‌ ଚାଲିଲା ।

ପୁଣିଥରେ ଏହି ପାହାଡ଼ର ଶୂନ୍ୟତା ବସ୍‌ର ଘର୍ଘର ଧ୍ୱନି ଭିତରେ ମିଳେଇ ଗଲା ।

ସୂର୍ଯ୍ୟ ଉପରକୁ ଉପରକୁ ଉଠିଲେଣି । ଖରାଧୁଆ ବୈଶାଖୀ ବନର ଅନ୍ତର ତଳେ ଉତ୍ତାପ ବୁଣି ହୋଇଗଲାଣି । ଏକ ପାଖରେ ଆକାଶଚୁମୀ ଗିରିମାଳା । ଶାଳ ପିଆଶାଳ ବାଉଁଶ ବୁଦା । ଆରପାଖେ ବୁଦୁ ବୁଦୁକିଆ ବନ ପାର ହେଲେ ଖଣ୍ଡେଦୂରେ ପଣସ ତୋଟା, ନିର୍ଜନ, ନିଶୂନ୍‌-। କାଁ ଭାଁ ଠାଏ ଠାଏ ଅଧାନଙ୍ଗଳା, ଲେଙ୍ଗୁଟିମରା ପାହାଡ଼ ମଣିଷ । ମଝିରେ ମଝିରେ ପୋଲତଳେ ଝରଣା ଗୀତ ଗାଇ ଗାଇ ବହିଚାଲିଛି । ଦୂରକୁ ଦିଶୁଛି ପାହାଡ଼ ପାଦତଳେ ଆଦିବାସୀ ଗାଁଟିଏ-

ବସ୍‌ ଚାଲିଛି ।

ତାଭିତରେ ଚାଲିଛନ୍ତି ଶିବପ୍ରସାଦ ।

ଆଜି ଘରେ ପହଞ୍ଚି ହେବ ନାହିଁ । ରାତିଟି ବାଟରେ ଅଟକିବାକୁ ପଡ଼ିବ । କାଲି ଯାଇ ଘରେ ପହଞ୍ଚୁ ପହଞ୍ଚୁ ଦିପହର । ବାହାଘର ମାତ୍ର ଆଉ ଚଉଦଟି ଦିନ ରହିଲା । ମନରେ ବୁଣି ହୋଇ ଯାଉଛି କେତେ ସପନ । କେତେ ଭାବନା । କେତେ ପାରିଜାତ ।

ବସରେ ଖୁନ୍ଦାଖୁନ୍ଦି ହୋଇ ବସଟେ ଲୋକ । କିଏ ଚାହିଁଛି କିଏ ଘୁମୋଉଛି । କିଏ କା ସହିତ କଥାବାର୍ତ୍ତା କରୁଛି, ସାମନାକୁ ଚାହିଁ ଡ୍ରାଇଭର ଷ୍ଟିୟରିଂଙ୍ଗ ଧରିଛି । ସକାଳର ଶୀତଳ ପବନ ହାବୁକା ହାବୁକା ହୋଇ ଦେହରେ ବାଡ଼େଇ ହେଉଛି । ଜଙ୍ଗଲ ଭିତରେ ଷ୍ଟପେଜ ଖୁବ୍‌ କମ୍‌ । ସହଜେ ଏକ୍‌ସପ୍ରେସ ବସ୍‌ । ଦ୍ରୁତ ଗତିରେ ମାଡ଼ି ଚାଲିଛି ।

 

ଶିବପ୍ରସାଦ ହାତ ଘଡ଼ିକି ଚାହିଁଲେ ।

 

ଆଠଟା ବାଜି ଗଲାଣି । ଖରା ଟାଣ ହୋଇ ଆସୁଛି । କେରି କେରି ଖରା ବୁଣି ହୋଇ ପଡ଼ିଛି ପାହାଡ଼ର ଛାତି ଉପରେ । ରାସ୍ତାର କଡ଼େ କଡ଼େ ଧାଡ଼ି ଧାଡ଼ି ଆମ୍ୱ, ବର, ଓସ୍ତ ଗଛ । ଶୁଖିଲା ବରପତ୍ର ସବୁ ପବନରେ ଏପାଖ ସେପାଖ ଉଡ଼ି ବୁଲୁଛି । ସବୁକୁ ପଛରେ ପକେଇ ବସ୍‌ ଚାଲିଛି ଆଗକୁ ଆଗକୁ ।

 

ମନ ଭିତରେ କେତେ ଅଛିଣ୍ଡା ଭାବନା ଢେଉ ମେଲୋଉଛି । ମଣିଷ ଜୀବନ ଏଇ ଶୁଖିଲା ବରପତ୍ରପରି । ଝଡ଼ି ପଡ଼ିବ । ଉଡ଼ିଯିବ ମହାକାଳର ମହାପ୍ରବାହରେ କେଉଁ ଅଜ୍ଞାତ ଅଶ୍ରୁତ ଅବିଦିତ ସେପାରିକୁ । କିନ୍ତୁ ଆତ୍ମା ? ଅଜର, ଅମର, ମରେ ନାହିଁ । ମରିବ ନାହିଁ । ସେ ଥିଲା, ଅଛି ଓ ରହିଥିବ । ସେ ଜଳିନାହିଁ କି ଜଳିବ ନାହିଁ । ସରିନାହିଁ କି ସରିବ ନାହିଁ ।

 

ଗୋଳେଇ ଘାଣ୍ଟି ହେଉଛି ଛାତି ଭିତରଟା । ବୋଉର ଅବସ୍ଥା କଣ ଯେ ହୋଇଥିବ ଅନୁମାନ କରି ହେଉନାହିଁ । ଦୁଇମାସ ତଳେ ଦେଖି ଆସିଥିଲି । ରୋଗଶୀର୍ଣ୍ଣ ଶରୀର ତାର ଦୁର୍ବଳ ହୋଇ ଆସୁଥିଲା । ଏ ଭିତରେ କ’ଣ ହେଲା କ’ଣ ନାଇଁ ସେ କିଛି ଜାଣିଲେ ନାହିଁ । ଅବଶ୍ୟ ନିୟମିତ ଭାବରେ ନାନା ଚିଠି ପଠେଇଛନ୍ତି । ସବୁ ଚିଠିରେ ବୋଉର ଅବସ୍ଥା ଜଣେଇଛନ୍ତି—ବ୍ୟସ୍ତ ହେବୁ ନାହିଁ । ଔଷଧ ଦିଆ ହେଉଛି । ଦେହ ଭଲ ଆଡ଼କୁ ଗତି କରୁଛି । ସେବା ଶୁଶ୍ରୂଷାର ହେଳା ନାହିଁ । ଛୁଟି ହେଲେ ସଙ୍ଗେ ସଙ୍ଗେ ଚାଲିଆସିବୁ । ନାନୀ ତେତେ ଦେଖିବାକୁ ବିକଳ ହେଉଛି ।

 

ଚାରିଦିନ ତଳେ ଚିଠି ଦେଇଥିଲେ । ଲେଖିଥିଲେ ପୁରୀରୁ ଚୈତ୍ର ପୂର୍ଣ୍ଣମୀ ତିଥିରେ ସଙ୍ଖୋଳା ଆସିଛି । ବୋଉର ମନ ଭାରି ଖୁସି । ତା କଥାନୁସାରେ ଭାରଜିନିଷ ନଡ଼ିଆ, କଦଳୀ, ମିଠେଇ ଗାଁ ସାର ଘର ଘର ବଣ୍ଟା ହେଲା । ସଙ୍ଖୋଳା ମୁଦିଟା ତା ମନକୁ ପସନ୍ଦ ହୋଇଛି । ଘରତୋଳା କାମ ଚାଲିଛି । ବିଭାଘର ପୂର୍ବରୁ କାମ ଶେଷ କରିବାର ଚେଷ୍ଟା ଚଳେଇଛି । ଉପର ଘର କାନ୍ଥ ଉଠି ଗଲାଣି । ବାକି ଚାଳ ପକେଇ ଦେଲେ ହେଲା ।

 

ଚାରି ଦିନ ତଳେ ନନା ଚିଠି ଦେଇଥିଲେ । ଚୁମ୍ୱକେ ଚୁମ୍ୱକେ ସବୁ କଥା ସୂଚେଇ ଦେଇଥିଲେ । ବୈଶାଖ ଶୁକ୍ଳ ନବମୀରେ ବାହାଘର । ଆଉ ମାତ୍ର ଚଉଦଟି ଦିନ । ମାଟିଘର ଖଣ୍ଡିକ ବଦଳରେ ଦାଣ୍ଡ ସାଲାରେ ଇଟା ସିମେଣ୍ଟର ଘର ତୋଳା ହେଉଛି । ବର୍ଷକତଳୁ ତଳ ସାଲାରେ ଦୁଇବଖରା ଇଟା ସିମେଣ୍ଟ ଘର ତୋଳା ସରିଛି । ପର ଘରର ଝିଅଟିଏ ଆସିବ ଘରକୁ । ବଖରାଏ ମାଟିଘରେ ସେ ବା ଚଳିବ କିପରି । ସେ ସିନା ଚଳିଯାଇଛନ୍ତି ଆଜିଯାଏ ।

 

ବଖରାଏ ମାଟିଘର ତାଙ୍କ ପିଲାଦିନର ସାଥୀ । ଜୀବନର ସତେଇଶିଟି ବୈଶାଖ ସେଇ ଘରେ କଟିଛି । ସେଇ ବଖରାଏ ମାଟିଘରେ ଲୁଚିଛପି ରହିଛି ବୋଉର କରୁଣ ଜୀବନର କେତେ ଅଲିଭାସ୍ମୃତି, କେତେ ଛଳ ଛଳ ଆଖିର ନୀରବ ଲୁହଜଳ । ତାଙ୍କୁ କୋଳରେ ଧରି ନିଶୂନ୍‌ ରାତିରେ ଜହ୍ନ ଆଲୁଅ ଭିଜା ଅଗଣାରେ ବସି ବୋଉ କେତେବାର ତାଙ୍କୁ ଜୀବନର କାହାଣୀ ଶୁଣେଇଛି—

 

ଭୁଲି ହେଉ ନାହିଁ ।

 

ଭୁଲି ହୁଏ ନାହିଁ ।

 

ବଖରାଏ ଚାଳଛପର ମାଟି ଘରେ ଚଳପ୍ରଚଳ ଦୁଇଟି ପ୍ରାଣୀ ଦୁଇଟି ମଣିଷ । ସେ ଓ ବୋଉ ।

 

ପିଲାଦିନୁ ସେ ତାକୁ ବୋଉ ବୋଲି ଡାକି ଆସିଛନ୍ତି । ପେଟରୁ ଦାନାକାଟି ଦୁଃଖ କଷ୍ଟ ସହି ବୋଉ ତାଙ୍କୁ ମଣିଷ କରିଛି । ଚାକିରି କରିଛନ୍ତି ସେ । ରୋଜଗାର କ୍ଷମ ହୋଇଛନ୍ତି ସେ । ଏଣିକି ସେ ବୋଉର ଦୁଃଖ ନେବେ ।

 

କେତେଥର ବୋଉ ତାଙ୍କୁ କହିଛି—ପୁଅ, ଚାକିରି କଲେ ଚାଳଘର ଖଣ୍ଡକ ଭାଙ୍ଗି ସିମେଣ୍ଟ ଘର କରିବୁ । ଆମେ ସିନା ଚାଳଘରେ ଚଳିଯାଉଛେ । ପରଘର ଝିଅଟିଏ ଆସିବ ଯେତେବେଳେ ସେ ତ ଆଉ ଝାଟି ମାଟି ଘରେ ଚଳିବ ନାହିଁ । କେତେ ଅଲିଅଳରେ ତା ବାପା ମାଆ କୋଳରେ ବଢ଼ିଥିବ । ତା ପାଇଁ ଆଗ ଘର ଦି ବଖରା ଭଲ କରି ତୋଳିଦେବୁ । ଆଉ ମୋର ଜୀବନଟାତ ମାଟି ବାରଣ୍ଡାରେ ବିତିଲା । ସିମେଣ୍ଟ ପିଣ୍ଡାରେ ଦେହ ଗଡ଼େଇ ଦେଲେ ଦୁଃଖ ଯିବ ।

 

ଏଇକଥା ବୋଉ ତାଙ୍କୁ ବହୁଥର କହିଛି । କଲେଜରେ ପାଠ ପଢ଼ିବାଦିନୁ ଯେତେଥର ଛୁଟିରେ ସେ ଘରକୁ ଆସନ୍ତି ବୋଉ ସବୁଥର ତାଙ୍କୁ ଏଇ କଥାହିଁ କୁହେ ।

 

ବୋଉ— !

 

ଅତୀତରେ ହରିପୁର ଜମିଦାରଙ୍କ କୁଳ ବଧୂ ।

 

କେତେ ଧନ ସମ୍ପତ୍ତି, ମାନ ମର୍ଯ୍ୟାଦାର ଅଧିକାରିଣୀ ।

 

ଗୋଡ଼ରେ ଆଡ଼େଇ ଦେଇଛି ସବୁ ତାଙ୍କରି ପାଇଁ । ତାଙ୍କରି ମମତା ତାକୁ ଟାଣି ଧରିଛି ଟାଣିଧରେ ଯେମିତି ଲୁହାଖଣ୍ଡକୁ ଚୁମ୍ୱକ ଖଣ୍ଡ । ବାପଘରୁ ଗୋଡ଼ କାଢ଼ି ଯାଇନାହିଁ ସେ ଶାଶୁଘରକୁ-। ଜୀବନରେ କେତେ ଦୁଃଖ କଷ୍ଟ ସେ ତାଙ୍କରି ପାଇଁ ପଥରପରି ଛାତିରେ ସହିଛି ।

 

ସେ ଦିନର କଥା ମନେ ପଡ଼ିଲା ।

 

ଅଗଣାରେ ଇଟଳା ଗଛ ଆଗରେ ନାଲି ହଳଦିଆ ଇଟଳା ଫୁଲ ଛାତିରେ ଜହ୍ନର ଆଲୁଅ ଲେସି ହୋଇଥାଏ । ଅଗଣାରେ ଭରି ଯାଇଥାଏ ସଜନା ଗଛର ନୁଆଁଣିଆ ଛାଇ । ବାରିପାଖେ ନଡ଼ିଆ ବାହାଙ୍ଗା ଉପରେ ଝରି ପଡ଼ିଥାଏ ଚେନା ଚେନା ଆକାଶର ଜୋଛନା । ଆକାଶ ଛାତିରେ ତାରାମେଳିର ନୀରବ ଗୁଞ୍ଜନ ତୋଳି ଜହ୍ନ ହସୁଥାଏ । ଚାରିଆଡ଼ ଶୂନ୍‌ ଶାନ୍‌ । ଚଇତାଳି ଜହ୍ନ ଆଲୁଅରେ ଗାଁଟି ସାରା ଗାଧୋଇ ପକେଇ ଥାଏ । ତାଙ୍କୁ ପାଖରେ ବସେଇ ଅଗଣାରେ ବୋଉ ଚାଞ୍ଚ ବୁଣିବାରେ ବ୍ୟସ୍ତ । ରାତି ପାଇଲେ ଚୈତ୍ର ପୂର୍ଣ୍ଣମୀ ।

 

ଚାଞ୍ଚ ବୁଣୁ ବୁଣୁ ହୋଇ କହିଲା—ଶିବୁରେ, କାଲି ହରିପୁରରେ ବଡ଼ ଯାତରା । ହରିପୁର ଠାକୁରାଣୀ ଚାଚେରୀ ଖାଇ ବାହାରିବେ । ପ୍ରଥମେ ଜମିଦାରଙ୍କ ଦୁଆରେ ଚାଚେରୀ ଭୋଗହେବ । ତା ପରେ ଗାଁର ଆଉ କାହା ଦୁଆରେ ।

 

କହୁ କହୁ ଦୀର୍ଘ ନିଃଶ୍ୱାସ ପକେଇଲା ବୋଉ । ବୋଉର ଏଇ ପଦିକ କଥାରେ କେତେ ଗଭୀର ମର୍ମ ବେଦନା ଭରି ରହିଥିଲା ତାହା ସେ ଉପଲବ୍‌ଧି କରିପାରି ନଥିଲେ । ସେତେବେଳେ ବୟସର ଅବଧାରଣା ଶକ୍ତି ଥିଲା କମ୍ । ବୋଉ ମୁହଁରୁ ହରିପୁର ଜମିଦାରଙ୍କ କାହାଣୀ ଶୁଣିବାକୁ ତାଙ୍କୁ ଭଲ ଲାଗୁଥିଲା ।

 

ହରିପୁର ଜମିଦାର ଦେବ ଦୁର୍ଲଭ ମହାପାତ୍ର । ଅଚଳାଚଳ ସମ୍ପତ୍ତିର ଅଧିକାରୀ । ଧର୍ମପ୍ରାଣ ଲୋକ । ଦୁଃଖୀରଙ୍କୀଙ୍କଠାରେ ତାଙ୍କର ଦୟା ଅପାର । ଚଉଦ କୋଶରେ ନାଁ ଡାକ । ହରିପୁର ମହାପାତ୍ରେ କହିଲେ ସେ ଅଞ୍ଚଳରେ କିଏ ନ ବୁଝିବ ନାହିଁ । ପାଖଆଖ ଗାଁର ଲୋକମାନେ ଊଣା ଅଧିକେ ତାଙ୍କର ସାହାଯ୍ୟ ପାଇଛନ୍ତି । କେତେ ଜାଗାରେ ମହାପାତ୍ରେ ପୋଖରୀ ଖୋଳେଇଛନ୍ତି । ଧର୍ମକାର୍ଯ୍ୟ କରେଇଛନ୍ତି । ଯାଗଯଜ୍ଞରେ ଅକାତର ଦାନ ଦେଇଛନ୍ତି । ତେଣୁ ଆଖପାଖ ଗାଁର ଲୋକମାନଙ୍କର ତାଙ୍କଠାରେ ଭକ୍ତି ।

 

ଲୋକେ କହନ୍ତି ମହାପାତ୍ରଙ୍କ ସମ୍ପତ୍ତି ଠାକୁରାଣୀଙ୍କ କୃପାରୁ । ମହାପାତ୍ରେ ପରମ ଦେବୀଭକ୍ତ । ହରିପୁର ଗାଁ ପୂର୍ବ ମୁଣ୍ଡେ ଦକ୍ଷିଣେଶ୍ୱରୀଙ୍କ ଦେଉଳ । ମହାପାତ୍ରଙ୍କ ପୂର୍ବ ପୁରୁଷର କୀର୍ତ୍ତି । ଜନ ପ୍ରବାଦ ଅଛି ମହାପାତ୍ରଙ୍କର ପୂର୍ବ ପୁରୁଷର କେହି ଜଣେ ପରମ ଦେବୀସାଧକ ଥିଲେ-। ମୃତ୍ୟୁ ପୂର୍ବରୁ ସେ ଠାକୁରାଣୀଙ୍କ ସ୍ୱପ୍ନାନୁଯାୟୀ ଗାଁ ପୂର୍ବମୁଣ୍ଡରେ ଗୋଟିଏ ଦେଉଳ ତୋଳେଇ ତାରିଭିତରେ ଠାକୁରାଣୀଙ୍କ ଥାପନା କରିଯାଇଥିଲେ । ଦେଉଳ ପାଖକୁ ଲାଗି ଗୋଟିଏ ପୋଖରୀ ଖୋଳେଇ ଥିଲେ ମଧ୍ୟ । କାଳ ପ୍ରବାହର ଘାତ ପ୍ରତିଘାତ ଭିତରେ ମନ୍ଦିରଟି ଜରାଜୀର୍ଣ୍ଣ ହୋଇ ଆସିଥିଲା । ମନ୍ଦିର ପାଖ ପୋଖରୀଟି ମଧ୍ୟ ପଙ୍କ ପରିପୂର୍ଣ୍ଣ ହୋଇଯାଇଥିଲା । କେତେ ପୁରଷଧରି ମହାପାତ୍ରଙ୍କ ବଂଶରେ କେହି ଏ କଥାକୁ କାନକୁ ନେଇ ନଥିଲେ । ମହାପାତ୍ରେ ତାଙ୍କ ଜୀବନକାଳ ମଧ୍ୟରେ ଭାଙ୍ଗି ଆସୁଥିବା ଦେଉଳଟି ପୁଣିଥର ମରାମତି କରେଇଛନ୍ତି ଓ ପୋଖରୀଟି ପଙ୍କୋଦ୍ଧାର କରେଇଛନ୍ତି । ଠାକୁରାଣୀଙ୍କ ଭୋଗରାଗ ପାଇଁ ବିଧିବଦ୍ଧ ଭାବରେ ଖଞ୍ଜା ଲଗେଇଛନ୍ତି-

 

ପୂର୍ବ ପ୍ରଥା ଅନୁସାରେ ପ୍ରତିବର୍ଷ ଚୈତ୍ରପୂର୍ଣ୍ଣମୀ ଦିନ ଠାକୁରାଣୀଙ୍କ ବିଜେ ପ୍ରତିମା ଦେଉଳରୁ ଚଉ ଦୋଳରେ ଥାଟ, ପଟଆରରେ ନିଆହୁଅନ୍ତି ମହାପାତ୍ରଙ୍କ ଦୁଆରକୁ । ଘଣ୍ଟା କାହାଳୀ ମର୍ଦ୍ଦଳ ବାଜେ । ବାରିକ ମଶାଲ ଜାଳେ । ଛତିଆ ଛତି ତ୍ରାସ କରେ । ଠାକୁରାଣୀଙ୍କ ବିମାନ ଆଗେ ଆଗେ ପଟାଆଖଡ଼ା ଦଳ ଖେଳ ଦେଖାନ୍ତି । ଗାଁସାରା କମ୍ପି ଉଠେ । ଆକାଶ ଦୁଲୁକେ । ଠାକୁରାଣୀ ପ୍ରଥମେ ମହାପାତ୍ରଙ୍କ ଦୁଆରେ ଷୋଡ଼ଶ ଉପଚାରରେ ପୂଜାପାଆନ୍ତି । ତାପରେ ଗାଁ ସାରା ସବୁରିଙ୍କ ଦୁଆରେ ଚାଚେରୀ ଭୋଗ ହୁଏ । ମହାପାତ୍ରଙ୍କ ଦୁଆରେ ଏ ଦିନଟି କେତେ ମାଗଣା କାଙ୍ଗାଳ ପତ୍ର ପକାନ୍ତି । ହରିପୁରରେ ଏ ଦିନଟି ବଡ଼ ଆନନ୍ଦ ଉତ୍ସବର ଦିନ ।

 

ଚାଞ୍ଚ ବୁଣୁ ବୁଣୁ ହୋଇ କହିଲା—ଶିବୁରେ କାଲି ଚୈତ୍ରପୂର୍ଣ୍ଣମୀ । ଦକ୍ଷିଣେଶ୍ୱରୀ ଚାଚେରୀଖାଇ ବାହାରିବେ । ମାତ୍ର ମହାପାତ୍ରଙ୍କ ଦୁଆରେ ତାଙ୍କ ବେଳରେ ସେ ନୀତି ନାହିଁକି ବିଭବ ନାହିଁ । ନଟିଆ ତ ସବୁ ଗିଳିଲା । ଭଲା, ଠାକୁରାଣୀଙ୍କି ଟିକିଏ ଚିହ୍ନନ୍ତା ତରି ଯାଆନ୍ତା ।

 

ନଟିଆ—

 

ନଟବର ମହାପାତ୍ରେ । ଶଶ୍ୱୁରଙ୍କ ସାନପୁଅ । କେଉଁ ପାପମୁହୂର୍ତ୍ତରେ ଜନ୍ମ ନେଇଥିଲା କେଜାଣି ବଂଶର ମାନମହତ ସବୁ ପଦାରେ ପକାଇଲା । ପିଲାଦିନୁ ପାଠ ଶାଠ କିଛି ପଢ଼ିଲା ନାହିଁ-। ବାର ଛତରା ଛୋଟ ଲୋକଙ୍କ ସହିତ ମେଳି । ମଉଜ ମଜଲିସ ତାସ ଖେଳରେ ଦିନକାଟିଲା । କାହା କଥାକୁ ଖାତିର ନାହିଁ । ବାପ ସିନା କହିବେ, ତିଆରିବେ, ଗୋଡ଼େ ଗୋଡ଼େ ଜଗିବାକୁ ତାଙ୍କୁ ବେଳ କାହିଁ ? ତାଙ୍କର ତ ଠାକୁରାଣୀଙ୍କ ପୂଜା ଅର୍ଚ୍ଚନା କରି ଦେଉଳରୁ ଫେରୁ ଫେରୁ ଦିପହର । ଗଣ୍ଡେ ଖାଇ ଟିକିଏ ବିଶ୍ରାମ ନେଇ ଉଠିଲେ ଓପରବେଳା ଗୁମାସ୍ତାଙ୍କ ସହ ଜମିଦାରୀ କଥା ନେଇ ଆଲୋଚନା । ତାଙ୍କୁ ବେଳ କେଉଁଠି ମିଳେ ଏଇଟାକୁ ଜଗିବାକୁ, ଭାଙ୍ଗ ଗଞ୍ଜେଇ ନିଶାରେ ଭୋଳ ହୋଇ ସିଏ ତାର ଦିନ କାଟିଲା । ବୟସ ବଢ଼ିବା ବେଳକୁ କୁସଙ୍ଗ ଏତେ ବଢ଼ି ଯାଇଥିଲା ଯେ ଆଉ ପଛକୁ ଫେରିବାର ବାଟ ନ ଥିଲା । ଇଏ ସିନା ଥିଲେ ବୁଝିଥାନ୍ତେ । ସମ୍ପତ୍ତି ହେପାଜତ କରିଥାନ୍ତେ....ଦୀର୍ଘନିଶ୍ୱାସ ପକେଇଲା ବୋଉ । ଲୁଗା କାନିରେ ଆଖି ପୋଛିଲା-। ପୁଣିଥରା ତଳକୁ ଅନେଇ ଚାଞ୍ଚ ବୁଣାରେ ମନ ଦେଲା ।

 

ଇଏ’.... ?

 

ବେଣୁପାଣି । ଦେବ ଦୁର୍ଲଭଙ୍କ ପ୍ରଥମ ପୁତ୍ର । ନଟବର ସାନ, ମହାପାତ୍ରଙ୍କ ସଂସାର ବୋଇଲେ ଏଇ ଦୁଇଟି । ବେଣୁପାଣି ଧୀର, ଶାନ୍ତ, ଦି ଅକ୍ଷର ପଢ଼ିଥିଲେ । ଲୋକଙ୍କଠାରେ ବାପପରି ଦୟା ଥିଲା । ହୃଦୟ ଥିଲା ।

 

ଉଚ୍ଚକୁଳ ଦେଖି ମହାପାତ୍ରେ ‘‘ରଥପୁର’’ ମିଶ୍ରଙ୍କ ଘରେ ବନ୍ଧୁ ବାନ୍ଧିଥିଲେ । ଷୋଳ ବର୍ଷ ବୟସରେ ବେଣୁପାଣିଙ୍କର ବାହାଘର କରେଇଥିଲେ ।

 

ପୂର୍ବ ଜନ୍ମର କର୍ମଫଳରୁ ହେଉ ବା ଭାଗ୍ୟ ଦୋଷରୁ ହେଉ ବାହାଘରର ଦୁଇବର୍ଷ ପରେ ବେଣୁପାଣି ଅକାଳ ମହାମାରୀରେ ପଡ଼ି ସ୍ୱର୍ଗକୁ ଗଲେ । ଶାଶୁଘର ଦୁଆର ନ ମାଡ଼ୁଣୁ ବୋଉ ହେଲା ତେର ବର୍ଷ ଦିନୁ ବିଧବା । ତାର କିଛିଦିନ ଅନ୍ତେ ମହାପାତ୍ରେ ନିଜେ ଚାଲିଗଲେ ।

 

କାଳ ପ୍ରବାହରେ ମହାପାତ୍ର ବଂଶର ସୁନାମ ତଳକୁ ଖସିଲା । ଦିନକୁ ଦିନ ନଟବର ଉପଯୁକ୍ତ ଅଭିଭାବକ ଅଭାବରୁ ଉତ୍‌ଶୃଙ୍ଖଳ ହୋଇ ଉଠିଲେ । ଭାଙ୍ଗ ଗଞ୍ଜେଇ ନିଶାରେ ଚବିଶ ଘଣ୍ଟା ମତ୍ତ ରହି ତୋଷାମଦପ୍ରିୟ ହେବାରୁ କୁବୁଦ୍ଧି ସମ୍ପନ୍ନ ଲୋକମାନେ ତାଙ୍କ ଦୁର୍ବଳତାର ସୁଯୋଗ ନେଲେ । ନାଁ ସେ ଦକ୍ଷିଣେଶ୍ୱରୀଙ୍କ ସେବା ପୂଜା ବିଧିବଦ୍ଧ ଭାବରେ କଲେ । ନାଁ ଜମିଦାରୀର ହାଲହଇକତ ବୁଝାସୁଝା କଲେ । ଫଳତଃ ସମ୍ପତ୍ତି ଆସ୍ତେ ଆସ୍ତେ ଶେଷ ହେବାକୁ ଲାଗିଲା । ମହାପାତ୍ରଙ୍କ ମୃତ୍ୟୁର ବର୍ଷ କେଇଟାରେ ଗାଁର ଜାଣିବା ମୁରବି ସ୍ଥାନୀୟ ଲୋକେ ତାଙ୍କ ଘୃଣା କରିବାକୁ ଆରମ୍ଭ କଲେ । କ୍ରମେ କ୍ରମେ ନଟବରଙ୍କ ଚରିତ୍ରଗତ ଦୋଷ ଆରମ୍ଭ ହେଲା । ଗୋଟେ ଦୁଇଟା ଥାନରେ ସେ ବି ଅପମାନିତ ହେଲେ । ତଥାପି ତାଙ୍କର ଚେତା ପଶିଲା ନାହିଁ ।

 

ବର୍ଷ ପାଞ୍ଚଟାରେ ଦେଉଳ ପାଖ ପୋଖରୀ ତୁଠରେ ଗାଁ ମାଇପେ କୁହାକୁହି ହେଲେ—ଯେଉଁ ଦକ୍ଷିଣେଶ୍ୱରୀ ଦେଇଥିଲେ ସେଇ ଦକ୍ଷିଣେଶ୍ୱରୀ ନେଲେ । ଏଇଟା ଏଡ଼େ ପୋଡ଼ପାଡ଼ ବୁଦ୍ଧି ଧଇଲା ଯେ ଠାକୁରାଣୀ କଣ ତାକୁ ସମ୍ଭାଳନ୍ତେ । ଏତେ ପାଦରେ ଧର୍ମ ସହନ୍ତା !

 

ନଟବର ତଳି ତଳାନ୍ତ ହେଲେ । ସାଧାରଣ ଚଳଣିକି ଚାହିଁ କେତେମାଣ ଜମି ତୋଟା ଖଣ୍ଡେ ଦିଖଣ୍ଡ ତାଙ୍କ ସ୍ତ୍ରୀଙ୍କ ଯୋଗୁ ବଳିପଡ଼ିଲା ସିନା, ବାକିତକ ଭାଙ୍ଗ ଗଞ୍ଜେଇ ଓ ପର ନାରୀ ଖାଇଲେ ।

 

ଇଏ ଥିଲେ ସିନା ସଜାଡ଼ିଥାନ୍ତେ—

 

ଦୀର୍ଘ ନିଶ୍ୱାସ ପକାଇଲା ବୋଉ । ଚାଞ୍ଚ ବୁଣୁ ବୁଣ ଆଖିରୁ ଝରି ଆସୁଥିଲା ତାର ଶିଶିର ବିନ୍ଦୁ ପରି ଲୋତକ । ଆକାଶର ଜହ୍ନ ଆଲୁଅରେ ସଜନା ଗଛର ଛାଇ ଅଗଣାରେ ପହଁରୁଥିଲା । ନାଲି ହଳଦିଆ ଇଟଳା ଫୁଲ ଜୋଛନା ସହିତ ଆଖି ଠରାଠରି ହେଉଥିଲେ । ବାରିଆଡ଼ ନଡ଼ିଆ ଗଛର ବାହୁଙ୍ଗାରେ ଚଇତ୍ର ଶେଷର ପବନ ଘଷି ହୋଇ ବହିଯାଉଥିଲା ।

 

କାନରେ ବାଜୁଥିଲା ବୋଉର ଅନ୍ତର ଭିତରୁ ଫୁଟି ବାହାରୁଥିବା ସେଇ ପଦିକ କଥା—ଇଏ ଥିଲେ ସିନା ସଜାଡ଼ିଥାନ୍ତେ । ଆସନ୍ତାକାଲି ଚୈତ୍ର ପୂର୍ଣ୍ଣମୀ ହରିପୁରରେ ବଡ଼ଯାତ । ମହାପାତ୍ର ବଂଶର ସିନା ସେ ପୂର୍ବର ବଡ଼ ପଣିଆ ନାହିଁ ତେବେ ଦକ୍ଷିଣେଶ୍ୱରୀଙ୍କ ଯାତ ବନ୍ଦ ହୋଇନାହିଁ । ଗାଁ ବାଲା ମିଳି ମିଶି ଚଳେଇଛନ୍ତି ।

 

ବୋଉ ମନରୁ ସେ ଗୋଟିକ ସ୍ମୃତି—ଏ ଯାଏଁ ଲିଭିନାହିଁ ଲିଭିବ ବା କେମିତି ?

 

ଶଙ୍ଖ ହୁଳହୁଳି ମଙ୍ଗଳ ବାଦ୍ୟ ପୁରୋହିତଙ୍କ ମନ୍ତ୍ରଧ୍ୱନିର ଟ୍‌ଙ୍କାର ଭିତରେ ଯେଉଁ ହାତ ଉପରେ ହାତ ଥୋଇ ସେ ନାରୀ ଜୀବନର ସାର୍ଥକ ସ୍ୱପ୍ନ ଦେଖିଥିଲା ତାହା କ’ଣ ଏଡ଼େ ସହଜରେ ମନ ଗଗନରୁ ଉଭେଇ ଯାଏ ! ସେ ଗଗନରେ କେତେ ଅନ୍ଧାର ଆସିଛି, କେତେ ଝଡ଼ ବିଦ୍ୟୁତ ବାରିଦର ମହାଲୀଳାରେ କମ୍ପିଉଠିଛି ଶିରା ପ୍ରଶିରା । କେତେ ଶ୍ରାବଣ ଘନର ବଜ୍ରନିନାଦ ଛାତି କମ୍ପେଇଛି, କେତେ ନିଦାଘର ପ୍ରଚଣ୍ଡ ଧୂଳିଝଡ଼ ଭୀମ ତାଣ୍ଡବ ସୃଷ୍ଟି କରିଛି । କେତେ ବା ଶରତ ଜହ୍ନର ଶୀତଳତାରେ ଉଇଁଉଠିଛି ପ୍ରାଣମନ ପଞ୍ଚଆତ୍ମା । ସେ ଗଗନରେ କେତେଥର ଅସୁମାର ପ୍ରହେଳିକା ସୃଷ୍ଟି ହୋଇଛି । ସୃଷ୍ଟି ହୋଇଛି କେତେ ଶୀତ ସକାଳର ହିମ କାକର କୁହୁଡ଼ି । ତଥାପି ସବୁ ବାଧା ଭିତରେ ସୂର୍ଯ୍ୟ ଉଇଁଛି । ସୂର୍ଯ୍ୟ ନଇଁଛି ପଶ୍ଚିମ ଦିଗନ୍ତରେ । ସନାତନ ସତ୍ୟର ସଙ୍ଗୀତ ଶୁଣେଇ ।

 

ବୋଉ ମନ ଗଗନରୁ ସେ ଦିନର ସେଇ ସୁନାରଙ୍ଗର ସପନ ସୂର୍ଯ୍ୟଟି ଏ ଯାଏଁ ନିଭିନାହିଁ । ସେଇ ସ୍ମୃତିଟି ତାକୁ ବାର ବାର ଗୋଳେଇ ଘାଣ୍ଟେଇ ବାନ୍ଧି ଧରିଛି ।

 

କେତେଥର ସେ ମନର ଭାଷା କଥାରେ ନକହି ଭାବରେ ପ୍ରକାଶ କରୁଛି । ତାଙ୍କ ପାଖରେ ତାଙ୍କ ଛଡ଼ା ତାର ଆଉ ସାହା ଭରସା ସଂସାରରେ କେହିନାହିଁ । ସେ ହିଁ ତା ପାଖରେ ନିରାଟ ସତ୍ୟ । ସେ ହିଁ ତା ପାଖରେ ବାସ୍ତବ । ସେ ହିଁ ତା ପାଖରେ ଅତୀତ, ବର୍ତ୍ତମାନ ଓ ଭବିଷ୍ୟତର ସବୁକିଛି ।

 

ମନ ହଜି ଯାଇଛି କେତେ ବର୍ଷ ପଛକୁ ।

 

ଚଳନ୍ତା ବସର ଘର୍ଘର ଧ୍ୱନି ଆଉ କାନରେ ପଶୁନାହିଁ ।

 

ଆଖିକି ଦିଶୁନାହିଁ ଦୁଇ ପାଖର ପାହାଡ଼ ପାଦଦେଶରେ ଖୁନ୍ଦାଖୁନ୍ଦି ଆମ୍ୱ ତୋଟାର ପଟୁଆର ।

 

ମନ ହଜି ଯାଇଛି; ହଜିଯାଏ ଯେମିତି ଜହ୍ନ ଆଲୁଅ ମେଘର ଅନ୍ତରାଳରେ ।

 

ମଣିଷ ଯେତେବେଳେ ଚେତନା ଜଗତରୁ ନିଜକୁ ଭିଡ଼ିନେଇ ଅବଚେତନ ରାଇଜରେ ପଶେ ସେତେବେଳେ ବାସ୍ତବ ଦୁନିଆରେ କଅଣ ବର୍ତ୍ତମାନ ତାହା ସେ ଉପଲବ୍‌ଧି କରିପାରେ ନାହିଁ । ସେ ଘୂରିବୁଲେ ଅବଚେତନ ଜଗତରେ ଯେଉଁଠି ଯାହା ଯେଭଳି ଖୋଜିଲେ ସେଭଳି ମିଳେ-। ସେ ସେଇଠି ଖୋଜିବୁଲେ କେତେ ହଜିଲା ଦିନର ଅଲିଭା କାହାଣୀ, କେତେ ଅଙ୍ଗେନିଭେଇବା କଥା, କେତେ ଅଲିଭା ସ୍ମୃତିର ଟିକି ଟିକି ତାରାମାନ, କେତେ ଅପାଶୋରା ମୁହୂର୍ତ୍ତର ଲୁହଝରା ଆନନ୍ଦ ।

 

କେତେ ଓଲଟ ପାଲଟ ଜୀବନର କୁନି କୁନି କଳ ଝରଣା ।

 

ଶିବ ପ୍ରସାଦ ହଜିଯାଇଥିଲେ । ହଜିଯାଇଥିଲେ ବୋଉର ସ୍ମୃତି ଗଗନର ଚୈତ୍ର ଶୁକ୍ଳ ଚତୁର୍ଦ୍ଦଶୀ ଜହ୍ନର ଜୋଛନା ଭିତରେ ।

 

କେରି କେରି ଜୋଛନା ବିଛେଇ ହୋଇ ପଡ଼ିଛି ଅଗଣା ସାରା । ଅଗଣାର ସଜନା ଗଛରେ ଗଛେ ସଜନାଛୁଇଁ ଜୋଛନାରେ ପହଁରୁଛନ୍ତି । ଅଧା ଆଲୁଅ ଅଧା ଛାଇ ବିଛେଇ ହୋଇ ପଡ଼ିଛି ଅଗଣାରେ । ଧୋବ ଫର୍‌ଫର୍‌ ଜହ୍ନ ଆଲୁଅରେ ମଥା ଗୁଞ୍ଜି ହସୁଛନ୍ତି ଅଗଣାରେ ଫୁଟିଥିବା ଲେନ୍ଥି ଲେନ୍ଥି ନାଲି, ହଳଦିଆ ଇଟଳା ଫୁଲ । ଚାଳରେ କଇଁ ଫୁଲିଆ ଜହ୍ନର ରୋଷଣୀ । ବାରିପଟୁ ନଡ଼ିଆ ଗଛର ଅଧା ଆକାଶ ଛୁଆଁ ମଥା ଦିଶୁଛି । ମନେ ହେଉଛି ଜହ୍ନର ପେଟ ଫଟେଇ ଆହୁରି ଉପରକୁ ଉଠିଯିବ ସେ ।

 

ଶିରିଶିରି ପବନ ବହୁଛି ।

 

ବାରିପଟୁ, ଚୁଆ ମୁଣ୍ଡ ବାଉଁଶ ବୁଦା ସେ ପାଖରୁ, କେଉଁ ନାଁ ନଜଣା ପକ୍ଷୀର ସୁର କାନରେ ବାଜୁଛି ।

 

ରାତି ବେଶୀ ହୋଇ ନାହିଁ ।

 

ମଫସଲ ଗାଁ । ବେଳ ବୁଡ଼ୁବୁଡ଼ୁ ତାଟି କବାଟ ବନ୍ଦ । ସଞ୍ଜ ଘଡ଼ିକି ଗହଳି ଚହଳି । ଗାଁ ମୁଣ୍ଡ ଗୋପିନାଥଙ୍କ ଆଳତି ବେଳେ ଯାହା ଘଡ଼ିଏ ପିଲାଏ ମଣ୍ଡପପାଖରେ ଗହଳି କରନ୍ତି । ତା ପରେ ଗାଁ ଦାଣ୍ଡ ଶୂନ୍‌ଶାନ୍‌ ହୁଏ । କେବେ କେମିତି ଆରସାଇ ରଥଙ୍କ ଦୁଆରେ ପୁରାଣ ଲାଗେ । ରାମାୟଣ ନତୁବା ମହାଭାରତ । ବେଳେ ବେଳେ ବିଶେଷ କରି ଶୀତଦିନ ରାତିରେ ଦାଣ୍ଡ ଦୁଆରେ ବସି କେଳେଇ ରଥେ ଉଚ୍ଚ କଣ୍ଠରେ ଶ୍ଳୋକ ଛାଡ଼ନ୍ତି । ଦେହ ଦୋହଲା ଶୀତ ରାତିରେ ନଡ଼ିଆ ଗଛ ଘେରା ରଥପୁର ଗାଁର ଦେହ ଭିତରଟା ତାଙ୍କ ଗମ୍ଭୀର କଣ୍ଠ ଲହରୀରେ ଉଷୁମ ହୋଇ ଉଠେ ।

 

ଖରାଦିନେ ବେଶି ରାତିଯାଏ ଗାଁ ଗହଳି ରହେ । ଗାଁ ମୁଣ୍ଡ ଗୋପିନାଥଙ୍କ ବେଢ଼ାଭିତରେ ଗାଁ ଟୋକାମାନେ ମିଳି ଡ୍ରାମା ରିହରସଲ୍‌ କରନ୍ତି । ଖରାଦିନେ ଚନ୍ଦନଯାତ ବେଳକୁ ଗାଁ ଦାଣ୍ଡରେ ଡ୍ରାମା ଠିଆ ନ କରେଇଲେ ଗାଁ ଟୋକାଙ୍କ ମନର ଉରମାନ ମେଣ୍ଟେନାହିଁ । ଅଧରାତି ଯାଏ ରିହର୍‌ସଲକରି ଦେଉଳ ଚାନ୍ଦନୀରେ ସମସ୍ତେ ଗଡ଼ି ପଡ଼ନ୍ତି ।

 

ଆଉ ସବୁଦିନେ ସଞ୍ଜ ଘଡ଼ିକ ପରେ ଗାଁ ଦାଣ୍ଡ ଶୂନ୍‌ଶାନ୍‌ । ବିଶେଷରେ ଶାସନ ଗାଁ । ସେ କାଳର ଶାସନ ଖାନ୍‌ଦାନୀ ତ ନାହିଁ । ସମସ୍ତେ ପ୍ରାୟ ଗରୀବ ଶ୍ରେଣୀର ଲୋକ । ଯଜମାନୀ, ପୁରୋହିତ କଳେ ଚଳିବେ । ଦିନଯାକ ଯେ ଯାହାର ଜଜମାନ ଗାଁ ମାନଙ୍କୁ ପୁରୋହିତ କରି ଯାଆନ୍ତି, ବେଳବୁଡ଼କୁ କ୍ଳାନ୍ତ ହୋଇ ଫେରି ଘରେ ପଶନ୍ତି । ଦିନଯାକର ପଥଶ୍ରମର କ୍ଳାନ୍ତି ଆଉ ଦାଣ୍ଡ ବାରଣ୍ଡାକୁ ଗୋଡ଼ କଢ଼ାଇ ଦିଏ ନାହିଁ ।

 

ରଥପୁର ।

 

ସାନ ଶାସନ ଗାଁ ଟିଏ ।

 

ଗଜପତି ମହାରାଜା କେଉଁ ପୂର୍ବକାଳରେ ରଥ ସାଆନ୍ତଙ୍କୁ ଏଇ ଗାଁ ଖଣ୍ଡିକ ଦାନ ସୂତ୍ରରେ ଦେଇଥିଲେ । ପ୍ରବାଦ ଅଛି—ରଥ ସାଆନ୍ତେ କୁଆଡ଼େ ଏତେ ନୈଷ୍ଠିକ ସାଧକ ଥିଲେ ଯେ ମନ୍ତ୍ରବଳରେ ଅଗ୍ନିଙ୍କି ଅକ୍ତିଆର କରି ପାରୁଥିଲେ । ଗଜପତିଙ୍କ ପାଖରେ ଥରେ ତାଙ୍କ ନିଷ୍ଠାର ପରୀକ୍ଷାହୋଇଥିଲା । ମନ୍ତ୍ରପାଠକରି ସେ ଜଳନ୍ତା ଅଗ୍ନିକି ହାତରେ ଧରି ପାରିବାରୁ ରାଜା ପ୍ରୀତି ହୋଇ ଏଇ ଗାଁ ଭୂମିଖଣ୍ଡିକ ରଥେ ଆପଣଙ୍କୁ ଦାନ ଦେଇଥିଲେ । ରଥଙ୍କ ସାଙ୍ଗିଆ ଅନୁସାରେ ଏ ଗାଁର ନାଁ ହୋଇଛି ରଥପୁର । ଶାସନ ଗାଁ ଖଣ୍ଡିଏ । ଏ ମହାପୁରୁଷ ରଥ ମହାଶୟ କିଏ ତାହା ଇତିହାସ କହିବ । କିନ୍ତୁ ପୁରୁଷାନୁକ୍ରମିକ ଭାବରେ ଏ ଗାଁରେ ସାଆନ୍ତମାନେ ବସବାସ କରି ଆସୁଛନ୍ତି ।

 

ରଥଙ୍କ ନାମାନୁସାରେ ରଥପୁର । ଉତ୍ତର ଦକ୍ଷିଣ ହୋଇ ଦୁଇସାଇ ପାଖାପାଖି ଚାଳିଶଘର ହେବ । ଦାଣ୍ଡ ଦୁଆରକୁ ଲାଗି ବେଦୀ । ବେଦୀକି ଲାଗି ଦୁଇ ସାଇରେ ପୂର୍ବ ପଶ୍ଚିମ ହୋଇ ସମାନ୍ତରାଳ ଭାବେ ମୁଣ୍ଡଟେକିଛି ଦୁଇ ଧାଡ଼ି ନଡ଼ିଆ ଗଛ । ତା ତଳକୁ ଅଣ୍ଟେଗହୀରରେ ଗାଁ ଦାଣ୍ଡ । ଏଇ ସାଇଚାଳରୁ ସେ ସାଇ ଚାଳ ଭିତରେ ବ୍ୟବଧାନ ଶହେ ହାତରୁ ଊଣା ନୁହେଁ ।

 

ଗାଁ ପଶ୍ଚିମପଟେ ଏ ଗାର ଇଷ୍ଟ ଠାକୁର ଗୋପୀନାଥଙ୍କ ଦେଉଳ । ପୂର୍ବମୁଖା ଦେଉଳ ସାମନାକୁ ମଣ୍ଡପ । ମଣ୍ଡପର ବାଁ କଡ଼େ ଦେଉଳ ବେଢ଼ା ପାଚେରୀକି ଲାଗି କୂଅ । କୁଅକୁ ପନ୍ଦରହାତ ଛାଡ଼ି ବେଢ଼ା ପାଚେରୀମୂଳେ ଚମ୍ପାଗଛ । ବେଢ଼ା ଭିତରେ ଫୁଲ ବଗିଚା । କନିଅର, ଟଗର, ତରାଟ, ମଲ୍ଲୀ, ଈଟଳା, ତୁଳସୀ ଏମିତି କେତେ ଜାତିର । ପଛ ପାଖେ ଆମ୍ୱ, ପଣସ, ସପୁରୀ, ନଡ଼ିଆ ଗଛ । ଆଉ ଟିକିଏ ପଛକୁ ପାଖାପାଖି ପାଞ୍ଚଶ ଗଜ ଦୂରରେ ବଂଶବତୀ ନଦୀର ନିର୍ମଳ ବାଲୁକା ଶଯ୍ୟା ।

 

ଗୋପୀନାଥଙ୍କ ଦେଉଳରେ ଚାରିମୂର୍ତ୍ତି । କଳା ମୁଗୁନି ପଥରର କମନୀୟ ଶ୍ୟାମସୁନ୍ଦର ନଟବର ମୋହନ ବଂଶୀହସ୍ତ କୃଷ୍ଣମୂର୍ତ୍ତି । ତାଙ୍କ ବାଁ ପାଖେ ପିତ୍ତଳର ରାଧାମୂର୍ତ୍ତି । ଡାହାଣପାଖେ ମହିଷାମର୍ଦ୍ଦିନୀ ଦୁର୍ଗା । ତାଙ୍କ ପାଖେ ମଙ୍ଗଳମୟ ସଦାଶିବ ନୀଳକଣ୍ଠେଶ୍ୱରଙ୍କ ବିଜେ ପ୍ରତିମା । ଗୋପୀନାଥେ ଇଷ୍ଟ, ମୁଖ୍ୟ ।

 

ଗାଁ ପୂର୍ବମୂଣ୍ଡେ ଠାକୁରାଣୀଙ୍କ ଦେଉଳ । ପଶ୍ଚିମମୁଖୀ ଠାକୁରାଣୀ ବୁଢ଼ିମା ଏ ଗାଁର ଇଷ୍ଟ ଦେବୀ ।

 

ଦକ୍ଷିଣପଟେ ଦକ୍ଷିଣ ସାଇ ବାରିପଟ ଗଡ଼ିଆ ପାର ହେଲେ କଣେଇ କରି ଛୋଟ ଆମ୍ୱତୋଟା । ଆମ୍ୱତୋଟା ଆରପାଖେ ନୀଳକଣ୍ଠେଶ୍ୱରଙ୍କ ମନ୍ଦିର । ମନ୍ଦିର ଚାନ୍ଦିନୀ ତଳେ ପାହାଚ-। ପାହାଚକୁ ଲାଗି ବଡ଼ ପୋଖରୀ । ପୋଖରୀ ମଝିରେ ଦୀପଦାଣ୍ଡି । ପୋଖରୀ ଚାରିକଡ଼େ ଓସାରିଆ ବନ୍ଧ । ବନ୍ଧ ଉପରେ ଠାଏ ଠାଏ ବରଓସ୍ତ ଓ ତାଳଗଛ । ଦକ୍ଷିଣପାଖ ବନ୍ଧ ତଳେ ଅଳ୍ପ ଦୂରରେ ହରିଜନ ବସ୍ତି ।

 

ଏପାଖେ, ଗୋପୀନାଥଙ୍କ ଦେଉଳ ପାଚେରୀ ପାରହେଲେ ସେବେଇତ ସାହି । ଏ ସାଇରେ କେବଳ ଗୋପୀନାଥଙ୍କ ସେବେଇତ ଭଣ୍ଡାରୀ, ମାଳି, କାହାଳିଆ, ଛାତିଆଙ୍କ ଘର । ତା ପାଖକୁ ନଡ଼ିଆ ବାଡ଼ି । ନଡ଼ିଆ ବାଡ଼ି ଆରପାଖେ ହାଟୁଆ ସାହି ପଧାନ ସାଇ, କୁମ୍ଭାର ସାହି ଓ କରଣ ସାହି ।

 

ଏଣେ ନୀଳକଣ୍ଠେଶ୍ୱରଙ୍କ ସାମନା ବଡ଼ ପୋଖରୀ ଉତ୍ତରପାଖ ବନ୍ଧ ଆରପଟୁ ଲମ୍ୱିଯାଇଛି କିଆ ଗୋହିରୀ । କିଆ ଗୋହିରୀ ପାରହେଲେ ମଶାଣିଦଣ୍ଡାର ଘାସ ପଡ଼ିଆ । ମଶାଣିଦାଣ୍ଡର ମଝିରେ କେତେକାଳର ପୁରୁଣା ବରଓସ୍ତ ଦ୍ରୁମ ଦୁଇଟି । ଏ ଦୁଇଟି ରଥପୁର ଶାଶନର ଅତି ପରିଚିତ । ଚିହ୍ନଜଣା । ରଥପୁର ଶାସନର ବାଡ଼ି ବସନ୍ତ, ମିଳିମିଳା, ହାଡ଼ଫୁଟି ବେଳ ଅବେଳ ମରଣର ଇତିହାସ ପୋଥି ।

 

ମଶାଣିଦଣ୍ଡା ପାର ହେଲେ ଚାଷଜମି ଲମ୍ୱିଯାଇଛି ଦୁଇ ତିନି ମାଇଲ । ନିଛାଟିଆ ନିରୋଳା ଗହୀର ମାଳା । ଠାଏ ଠାଏ ମୁଣ୍ଡ ଟେକିଛି ଝଙ୍କାଳିଆ ଆମ୍ୱ, ବର ବା ନିମ୍ୱଗଛ । ଯୁଆଡ଼େ ଆଖଇ ବୁଲେଇଲେ ଖାଲି ଚାଷ ଜମି । ଏ ଗହୀର ମାଳର ନାଁ ରଥ ଗହୀର । ତେବେ ରଥ ଗଡ଼ି ବୋଲି ସମସ୍ତେ କହନ୍ତି । ରଥ ଗଡ଼ିର ବାଁ କଡ଼େ କଡ଼େ ଖଣ୍ଡେ ଦୂର ପାରହେଲେ ବହିଯାଇଛି ବଂଶବତୀ । ବଂଶବତୀ ଆରପାଖେ ଛୋଟ ଗହୀର । ବ୍ରାହ୍ମଣ ଗଡ଼ି । ବ୍ରାହ୍ମଣ ଗଡ଼ି ଯେଉଁଠି ସରିଛି ସେଇଠୁ ଆରମ୍ଭ ଶୋଲରୀର ପାଦଦେଶ, ରଥ ଗହୀରରୁ ଚାହିଁଲେ ଖଣ୍ଡେଦୂର ନୀଳ ଶୋଲରୀର ହସିଲା ହସିଲା ଚାହାଣୀ ଆଖିରେ ପଡ଼େ । ରଥଗହୀର ପାରହେଲେ ଦକ୍ଷିଣପୂର୍ବ ରେଳବାଇର ରେଲ ଲାଇନ । ତା ଆରପାଖେ ଲଗାଲଗି ଦୁଇଟି ଲଣ୍ଡା ପାହାଡ଼ । ତାପରେ ଚିଲିକାର ନୀଳ ଲହରୀ । ରୁଦ୍ଧିମନ୍ତ ।

 

ଚିଲିକା, ତା ପରେ ରେଲ ଲାଇନ । ରେଲଲାଇନ ପାରହେଲେ ରଥ ଗଡ଼ି । ତା ପରେ ମଶାଣିଦଣ୍ଡା, କିଆ ଗୋହିରୀ । କିଆ ଗୋହିରୀ ସେ ମୁଣ୍ଡ ବନ୍ଧତଳେ ବଡ଼ ପୋଖରୀ । ତା ପରେ କଣେଇ କରି ଆମ୍ୱତୋଟା ଆଉ ତା ପରେ ନଡ଼ିଆ ଗଛ ସନ୍ଧି ଭିତରେ ରଥପୁର ଶାସନ । ଏଇ ଶାସନ ଗାଁର ଉତ୍ତର ସାଇରେ ତାଙ୍କର ଘର । ଘର ବୋଇଲେ ଦାଣ୍ଡପଟେ ବଖରାଏ । ବାଡ଼ିପାଖେ ମାଟି ପାଚେରୀ ।

 

ଅଗଣା ଭିତରେ ଅଜାଡ଼ି ହୋଇ ପଡ଼ିଛି ଧୋବ ଫର୍‌ ଫର୍‌ କନ କନ ଜହ୍ନ ଆଲୁଅ ।

 

ରାତି ବେଶୀ ହୋଇ ନାହିଁ ।

 

ସଜନା ଗଛ ଜହ୍ନ ଆଲୁଅରେ ମୁହଁ ଧୋଉଛି ।

 

ଅଗଣାରେ କେତେ ଜାତିର ଫୁଲ ଫଳ ଗଛ । ଶାଗ ପଟାଳି । ତାଙ୍କ ଜୀବନର କେତେ ଆପଣାର ।

 

ଚୋରା ଚଇତର ଶେଷ ପରଶ ଅଜାଡ଼ି ଯାଉଛି ଜୋଛନା । ନିଶୂନ ନୀରବ ଆକାଶର ତାରାମେଳର ଜହ୍ନ ଯେମିତି ସ୍ଥିର ଅବିଚଳିତ ଭାବେ ଅନାଇଁ ରହିଛି ଧରିତ୍ରୀକି ।

 

ଉପର ପଟ ବାରଣ୍ଡାରେ ଡିବିରି ଜଳୁଛି ମିଞ୍ଜି ମିଞ୍ଜି ।

 

ଚଉରା ସାମନାରେ ଗୋବରଲିପା ଅଗଣାରେ ବସି ଚାଞ୍ଚ ବୁଣୁ ବୁଣୁ ବୋଉ କହିଲା—ଶିବୁରେ ! କାଲି ଚଇତ ପୁନେଇ । ହରିପୁର ଗାଁରେ ବଡ଼ ଯାତ ।

 

ଛଳ ଛଳ ଆଖିପତା ବୋଉର ଓଦା ହୋଇ ଆସିଲା ।

 

ଲୁଚେଇ କରି ସେ ଲୁଗା କାନିରେ ଆଖି ପୋଛିଲା ।

 

ଯେତେ ଚେଷ୍ଟା କଲେ ମଧ୍ୟ ଏଇ ଚୈତ୍ର ଶୁକ୍ଳ ଚତୁର୍ଦ୍ଦଶୀ ରାତିରେ ସେ ନିଜକୁ ବୋଧେଇ ପାରେନା । ଅଲକ୍ଷ୍ୟରେ ଅଜଣାରେ ତା ଆଖିରୁ ଲୁହ ଗଡ଼ିଯାଏ । ଶୂନ୍ୟ ଆକାଶର ନୀରବତାକୁ ଚାହିଁ ସେ ସେହି କଥା ହିଁ ମନେ ପକାଏ ।

 

କେତେ ଯୁଗ ଯୁଗାନ୍ତରର ମାୟାମମତା ସେନେହ ସୋହାଗ ବୋଳା ତା ପ୍ରାଣର ନୀରବ ଭାଷା ତାହା ସେ ଚେଷ୍ଟାକରି ମଧ୍ୟ ବୁଝିପାରି ନାହାନ୍ତି ।

 

କଅଁଳିଆ ଜହ୍ନ ଆଲୁଅରେ ଚାଞ୍ଚ ବୁଣିବା ବେଳେ ବୋଉ ପାଖରେ ବସିବାକୁ ତାଙ୍କୁ ଭଲଲାଗେ । ପାଠ ପଢ଼ି ପଢ଼ି ବିରକ୍ତି ଆସିଲେ ସେ ବହି ଛାଡ଼ି ବୋଉ ପାଖରେ ଯାଇ ବସନ୍ତି ।

 

ବୋଉ ପାଖରେ ଯାଇ ବସି ଏଣୁ ତେଣୁ ପଚାରିଲେ ବୋଉ ବିରକ୍ତ ହୁଏ । ତାର କେବଳ ଗୋଟିଏ କଥା—ଯାଉନୁ ପଢ଼ିବୁ । ପରୀକ୍ଷାପରା ଆଉ ପନ୍ଦର ଦିନ ରହିଲା । ଡିବିରିରେ କିରୋସିନି ସରି ଗଲାଣି ଯଦି ଆଉ ଟିକିଏ ବୋତଲରୁ ଭର୍ତ୍ତିକରି ଦେ । ପୁଅ, ପାଠ ନ ପଢ଼ିଲେ ମଣିଷ ହେବୁ କେମିତି କହିଲୁ ? ଏ ଥର ସବୁଥର ପରି ଫାଷ୍ଟ ହେବୁଟି ? ମନ ତାଙ୍କର ଚହଲି ଯାଏ । ବୋଉର ଏଇ କଥା ପଦକରେ ତାଙ୍କୁ ଯଥେଷ୍ଟ ପ୍ରେରଣା ମିଳେ । ସେ ଉଠିଯାଇ ଡିବିରିରେ କିରୋସିନି ଭର୍ତ୍ତି କରନ୍ତି, ପଢ଼ନ୍ତି । ମନେ ମନେ ଭାବନ୍ତି—ସତରେ ତାଙ୍କୁ ମଣିଷ କରିବା ପାଇଁ ବୋଉ କେତେ ତପସ୍ୟା ନ କରେ । ସେ ବସି ପାଠପଢ଼ିବା ବେଳେ ଉଜାଗର ରହି ତାଙ୍କ ପାଖେ ବସିରହେ । ନ ହେଲେ ଚାଞ୍ଚ ବୁଣେ । ନତୁବା ତୁଳସୀ ଗୁନ୍ଥି ମାଳା ତିଆରି କରେ । ଇଷ୍ଟଦେବତା ଗୋପୀନାଥଙ୍କୁ ଦିଆହେବ ।

 

ସତରେ ତାଙ୍କପାଇଁ ସେ ଗୋପୀନାଥଙ୍କ ପାଦତଳେ ନିଇତି ତୁଳସୀ ଦିଏ ।

 

ଭାବନାର ଖିଅ ଛିଣ୍ଡେଇ ବୋଉର ସେଇ ପୁରୁଣା କଥା କାନରେ ବାଜିଲା—ଶିବୁରେ, କାଲି ଚୈତ୍ର ପୁନିଅଁ ।

 

ଆଖିକୋଣ ଭିଜି ଭିଜି ଆସିଲା ତାଙ୍କର ।

 

ମନରୁ ପୋଛି ପାରୁ ନାହିଁ ବୋଉ ! !

 

ମହାପାତ୍ର ଘରର କୁଳବଧୁ !

 

କେତେ ମାନ ସମ୍ଭ୍ରମ ଆଭିଜାତ୍ୟର ଅଧିକାରିଣୀ !

 

ସବୁ ମାଟିରେ ମିଶିଛି ।

 

ଏଗାର ବର୍ଷ ବୟସରେ ହାତରେ କାଚ ପିନ୍ଧ, ବେକରେ ହରଡ଼ ଫାଳିଆ ମାଳ ଲମ୍ୱେଇ, ସୂନ୍ଥାରେ ସିନ୍ଥି ଝୁଲେଇ, ଗୋଡ଼ରେ ଅଳତା ନାଇ ବେଦୀରେ ବସିଥିଲା ସେ !

 

ମହାପାତ୍ର ବଂଶର ବୋହୂହେବ ପରା !

 

ରଥପୁର ଦାଣ୍ଡ ସେ ଦିନ ଉଛୁଳି ଥିଲା ।

 

ହରିପୁର ମହାପାତ୍ରଙ୍କ ପୁଅ ବେଣୁପାଣି ବାହା ହେଉଛନ୍ତି ରଥପୁର ସଚ୍ଚିଦାନନ୍ଦ ରଥଙ୍କ ନାତୁଣୀ ମୃତ୍ୟୁଞ୍ଜୟ ମିଶ୍ରଙ୍କ କନ୍ୟା ହାରା ଦେବୀଙ୍କୁ, ବାଜା ବଜନ୍ତ୍ରୀ ପଟୁଆର କହିଲେ ନ ସରେ ।

 

ଆଗେ ଆଗେ ଢୋଲ ବାଜା, ମହୁରୀ, ଯୋଡ଼ିନାଗେରା ତା ପଛକୁ କେତେ କିସମରି ବାଣର ଢୋ ଢୋ ଶବ୍ଦ । ତା ପଛରେ ବରଯାତ୍ରୀ ତା ପଛରେ ପାଲିଙ୍କିରେ ବର ବେଶରେ ବେଣୁପାଣି । କନ୍ଦର୍ପ ପରି ରୂପ ଗୋରା ତକତକ । କୁଞ୍ଚୁକୁଞ୍ଚିଆ କଳା ବାଳ ଆଉ ପାଲିଙ୍କି ପଛେ ପଛେ ଦେବ ଦୁର୍ଲଭ ମହାପାତ୍ରେ ବରପିତା । ତମ୍ୱାକାଠି ପରି ଦେହ । ଉଚ୍ଚା ମଣିଷ ପରିଧେୟ ଧୋତି, କାନ୍ଧରେ ଦୋସଡ଼ା । ଆଙ୍ଗୁଠିରେ ଦୁଇ ଦୁଇଟା ଚାରିଟା ମୁଦି ପାଦରେ କଠଉ ।

 

ରଥପୁର ଗାଁ ଦାଣ୍ଡ ଉଛୁଳୁଛି ।

 

ଗାଁ ଏ ମୁଣ୍ଡୁ ସେ ମୁଣ୍ଡ ଯାଏଁ ନଡ଼ିଆ ବାହୁଙ୍ଗା ପକା ଛାମୁଣ୍ଡିଆ ।

 

ମିଶ୍ରଙ୍କ ଗୋଡ଼ ଆଜି ତଳେ ଲାଗୁନାହିଁ । କେତେ ଖୋଜି ଖୋଜି ଭଲ ପାତ୍ରଟି ପାଇଛନ୍ତି-। ଗୋଟିଏ ବୋଲି ଝିଅ । ବେଦୀରେ ବସି କନ୍ୟାଦାନ ଦେଲେ କୋଟିଏ ଜନ୍ମର ପୁଣ୍ୟ । ପୁରାଣରେ ଅଛି—ଶୃଗାଳ କନ୍ୟାଦାନ କରି ସଶରୀରେ ସ୍ୱର୍ଗକୁ ଯାଇଥିଲା । ସେ ପଛକେ ସ୍ୱଦେହରେ ସ୍ୱର୍ଗକ ନ ଯାଆନ୍ତୁ କନ୍ୟା ଦାନର ପୁଣ୍ୟ ଆରଜନ୍ମରେ ଭୋଗ କରିବେ ତ । ଜନ୍ମ ଯେତେବେଳେ ଅଛି ପୁନର୍ଜନ୍ମ ତ ଥୁଆ ।

 

ମିଶ୍ରେ ଥିଲାବାଲା ଲୋକ । ସଂସାର ବୋଇଲେ ସେ ତାଙ୍କ ସ୍ତ୍ରୀ ଓ ନୟନ ପିତୁଳା ହାରା-। କେତେ ଗେଲବସରରେ ତାକୁ ବଢ଼େଇଛନ୍ତି ସେ । ହାରାବୋଉ ପୁଆଣିହୋଇ ଆସିବାର ବାରବର୍ଷ ଯାଏଁ ବାଞ୍ଝ । କେତେ ଦିଅଁ ଦେବତାଙ୍କୁ ଡାକି, ଗୋପୀନାଥଙ୍କୁ ସେବାକରି ହାରାକୁ ସେ ପାଇଛନ୍ତି । ହାରାକ ବାହା କରେଇଦେଲେ ଜୀବନର କାମ ତୁଟିଲା, ତାପରେ ଦିନଟା ପେଟ । କଣ ଅଭାବ ରହିଯିବ । ସାନଭାଇ ଦୀନରୁ ତ ତିନିଖଣ୍ଡ ପୁଅ ଅଛନ୍ତି । ଜନ୍ମ ହେବାର ଛମାସ ଦିନୁ ହାରାବୋଉ ଦୀନୁର ସାନ ପୁଅଟିକୁ ଆଣି କୋଳରେ ଧରିଛନ୍ତି । ଆଉ ଚିନ୍ତା କଣ । ଦୀନୁର ସାନପୁଅଟାକୁ ମଣିଷ କରିଦେଲେ ହେଲା ।

 

ମିଶ୍ରଙ୍କ ଆନନ୍ଦ କହିଲେ ନ ସରେ ।

 

ବାଜା ବାଜେଣାର ଗାଁ କମ୍ପୁଛି ।

 

ବର ବରଯାତ୍ରୀ ସେବେଇତ ସାଇ ପାର ହୋଇ ଗୋପୀନାଥଙ୍କ ଦେଉଳ ପାଖ ଦେଇ ପୂର୍ବ ମୁଖା ହୋଇ ତାଙ୍କ ଦୁଆର ଆଡ଼କୁ ଆସୁଛନ୍ତି । ଗାଁ ଦାଣ୍ଡରେ ଲୋକ ଗହଳି ।

 

ସବୁ ସାଇର ଲୋକମାନେ ଉଠି ଆସିଛନ୍ତି ବର ଦେଖିବାପାଇଁ ।

 

ଲୋକେ କୁହାକୁହି ହେଉଛନ୍ତି—ଯାହା ହେଉ ମିଶ୍ରେ ‘ଆପଣେ ଭଲ ବନ୍ଧୁଟିଏ ବାନ୍ଧିଲେ-। ବରପାତ୍ରଟି ଯେମିତି ସମୁଦି ଖଣ୍ଡିଏ ପାଇଲେ ସେମିତି । ହଇହେ, ପୂର୍ବ ଜନ୍ମର ତପସ୍ୟା ନଥିଲେ ଏମିତି ଘର, ଏମିତି ବର ଆଉ ଏ ସମୁଦି ମିଳନ୍ତା ! ଦେଖୁନ, ମହାପାତ୍ର ଆପଣଙ୍କୁ । ଆପଣଙ୍କ ରୂପ ଯେମିତି, ଗୁଣ ସେମିତି । ସାକ୍ଷାତ ତ ଦେବତା । ଏସବୁ ଗୋପୀନାଥଙ୍କ କୃପାର ଫଳ ବୋଲି ଜାଣ । ତାଙ୍କରି ଦୟାରୁ ଝିଅ । ତାଙ୍କରି ଦୟାରୁ ଏମିତି ବନ୍ଧୁ । ଭାଗ୍ୟରେ ଥିଲେ ମିଳେ-

 

ବର ପାଲିଙ୍କି ଯେତିକି ମିଶ୍ରଙ୍କ ଦୁଆର ପାଖକୁ ଆସୁଛି, ଲୋକ ଭିଡ଼ ସେତିକି ସେତିକି ବଢ଼ି ଚାଲିଛି । ବାଜା, ମହୁରୀ, ବାଣଫୁଟା ସାଙ୍ଗକୁ ବରଜାତିଆଙ୍କର ମନ୍ତ୍ର ପାଠ ରଥପୁର ଶାସନର କାନ ଫଟେଇ ପକୋଉଛି । ତହିଁଙ୍କି ପୁଣି ମିଶ୍ରଙ୍କ ଦାଣ୍ଡ ଦୁଆରେ ଗାଁ ମାଈପିଙ୍କର ହୁଳହୁଳି ଧ୍ୱନି । ସବୁମିଶି ଏକ ପବିତ୍ର ପରିବେଶ ସୃଷ୍ଟି କରିଛି । ହିନ୍ଦୁ ବିଭାଘରର ଏ ମହନୀୟ, ପରିବେଶର ଯେଉଁ ରୁଦ୍ଧିମନ୍ତ ପବିତ୍ରତା ତାହାଠାରୁ ବଳି ଆଉ କିଛି କ’ଣ ଅଛି ?

 

ମିଶ୍ରଙ୍କ ଦୁଆରେ ଭିଡ଼ । ଗାଁ ମାଇପେ ବର ଦେଖିବାକୁ ଠେଲା ପେଲା ।

 

ଆଉ ଘର ଭିତରେ—

 

ହାରା ପାଖରେ ବେଢ଼ି ଯାଇଛନ୍ତି ସାଥି, ସଙ୍ଗାତ, ବଉଳ, ମିତ, ଅଭଡ଼ା ଆମ୍ୱକଷି ଏମିତି କେତେ ସମବୟସୀ । ବଧୁବେଶରେ ସଜେଇ ଦେଇଛନ୍ତି ସେମାନେ ହାରାକୁ । ମୁଣ୍ଡଠୁ ଗୋଡ଼ଯାଏ ଗହଣା, ସୁନା ଯେତିକି ରୂପା ସେତିକି । ମିଶ୍ରେ ଯାହା ସଞ୍ଚୟ କରିଥିଲେ ହାରା ବାହାଘରେ ସବୁ ଖର୍ଚ୍ଚ କରିଦେବାକୁ ମନସ୍ତ କରିଛନ୍ତି । ଗୋଟିଏ ବୋଲି ଝିଅ ପୁଣି ଏଡ଼େ ବଡ଼ ଘରର ବୋହୂ ହେବ । ଗହଣା ଦିଖଣ୍ଡ ଦେହରେ ନ ଥିଲେ ଦେଖିଲା ଲୋକ କଣ ଭାବିବେ ? ବାହାଘର ସରିଲେ ଆରଦିନ ସକାଳୁ ବରଜାତିଆ ଆଗ ବୋହୂ ଦେଖିଯିବେ କଣ କହିଦେ !

 

ମିଶ୍ରଙ୍କର ସମ୍ପତ୍ତି ତୁଳନାରେ ମନଟା ଖୁବ୍‌ ବଡ଼ । ଏମିତି ବାହାଘର ଆୟୋଜନ କରିଛନ୍ତି ସେ ଗାଁର ବୁଢ଼ା ବୁଢ଼ୀମାନେ କୁହା କୋହି ହେଉଛନ୍ତି—ଆମ ଦିହକରୁ ଆମେ ଏମିତି ପଟୁଆର, ଏମିତି ଆଡ଼ମ୍ୱର ଏମିତି ଛାମୁଣ୍ଡିଆ ଦେଖି ନ ଥିଲୁ ।

 

ମିଶ୍ରଙ୍କ ମନଟା ଆଜି ଯେମିତି ଏ ଗାଆଁର ନଡ଼ିଆ ଗଛ ଟପି ଆକାଶକୁ ଲାଗି ଯାଇଛି । ଗାଁର ସମସ୍ତେ ତାଙ୍କୁ ସାହାଯ୍ୟ କରୁଛନ୍ତି । ଅଳ୍ପ କେଇଜଣ ବରଯାତ୍ରୀ ତାଙ୍କ କାମ ତୁଲେଇବାକୁ ତ ଏକା ଶଶ୍ୱୁର ସଚ୍ଚି ରଥଙ୍କୁ ନିଅଣ୍ଟ । ତହିଁକି ପୁଣି ଗାଁର ଭେଣ୍ଡାମାନେ ଅଣ୍ଟାଭିଡ଼ି ଆଗତୁରା ହୋଇ ସବୁକାମ କରେଇ ନେଉଛନ୍ତି । ଚିନ୍ତା କଣ !

 

ବାଟ ବରଣ ସରିଲା ।

 

ବେଣୁପାଣିଙ୍କର ହାତଧରି ମିଶ୍ରେ ବେଦୀ ଉପରକୁ ନେଲେ । ପୁରୋହିତଙ୍କ ମନ୍ତ୍ରଧ୍ୱନି, ଭୁଆସୁଣୀଙ୍କର ହୁଳହୁଳି, ଶଙ୍ଖ, ମହୁରୀ ମଙ୍ଗଳ ଧ୍ୱନି ଭିତରେ ମଥାରେ ଓଢ଼ଣା ଦେଇ ହାରା ଆସିଲା ବେଦୀକୁ ।

 

ଏଗାର ବର୍ଷର ହାରା,

 

ସୁନାକାଠି ଖଣ୍ଡିଏ,

 

ଡଉଲ ଡାଉଲ ।

 

ପୁରୋହିତେ ବେଦମନ୍ତ୍ର ପାଠକରି କୁଶରେ ହାତଗଣ୍ଠି ପକାଇଲେ ।

 

ହୁଳହୁଳି ଶଙ୍ଖଧ୍ୱନିରେ ମୁଖରିତ ହୋଇ ଉଠିଲା ରଥପୁରର ଭିଟାମାଟି ।

 

ବେଦୀ ପାଖେ ବରଯାତ୍ରୀ ଗଳ ଆଳାପରେ ବ୍ୟସ୍ତ ।

 

ବେଦୀମୁଣ୍ଡେ ଠିଆ ହୋଇ ହାତ ଗଣ୍ଠି ପଡ଼ିଲାବେଳେ ମିଶ୍ରେ ଆଖିରୁ ଲୁହ ପୋଛୁଥାନ୍ତି । ହାରା ଏଣିକି ଆଉ ତାଙ୍କର ନୁହେଁ ! ହାତଗଣ୍ଠି ପଡ଼ିବା ମୁହୂର୍ତ୍ତରୁ ସେ ହରିପୁର ମହାପାତ୍ରଙ୍କ କୁଳବଧୁ ।

 

କେତେ ଅଲିଅଳରେ ସେ ତାକୁ ବଢ଼େଇଥିଲେ ।

 

ପରଘରକୁ ଯିବ । ସୁଖ ପାଇବ କି ଦୁଃଖ ପାଇବ ସେ କ’ଣ ଆଉ ଦେଖିବେ ? ଘରେ ଥିଲେ ସିନା ଅଳି ଅର୍ଦ୍ଦଳି ସହୁଥିଲେ । ଏଣିକି ଶାଶୁ ଶଶ୍ୱୁର ଘର ସହି ସମ୍ଭାଳି ରହିବାକୁ ପଡ଼ିବ । ସେଇଥି ପାଇଁତ ସେ କେତେ ଖୋଜି ଖୋଜି ନିଗହଳିଆ ଘର ଦେଖି ମହାପାତ୍ରଙ୍କ ଘରେ ବନ୍ଧୁ ବାନ୍ଧିଲେ ।

 

ମିଶ୍ରଙ୍କ ଆଖିରୁ ଅମାନିଆ ଲୁହ ଗଳି ପଡ଼ିଲା ।

 

ଯେତେହେଲେ ସେ ପିତା, ଜନ୍ମଦାତା, ରକତ ଦେଇ ଏଡ଼େରୁ ଏଡ଼େ କରିଛନ୍ତି ।

 

ବେଦୀମୁଣ୍ଡେ ହାତଗଣ୍ଠି ପଡ଼ିବା ବେଳେ ଛଳ ଛଳ ଆଖି ବୁଜି ମିଶ୍ରେ ଆରାଧ୍ୟ ଦେବତା ଗୋପୀନାଥଙ୍କ ଉଦ୍ଦେଶ୍ୟରେ ହାତ ଯୋଡ଼ିଲେ—ପ୍ରଭୁ, ? ଦୁହିଁଙ୍କୁ କଲ୍ୟାଣ କର । ସୁଖରେ ସଂସାର କରନ୍ତୁ ।

 

ଛଳ ଛଳ ଓଦାଳିଆ ଆଖିପତା ଅଲକ୍ଷ୍ୟରେ ପୋଛି ପକେଇଲେ ସେ ।

 

ଛି—

 

ଲୋକେ ଦେଖିଲେ କଣ ଭାବିବେ !

 

କେଡ଼େ ଦମ୍ଭିକାର ମଣିଷ ସେ ।

 

ଗାଁରେ ଲୋକଙ୍କର ତାଙ୍କ ପ୍ରତି ଛାତିଦମ୍ଭ ଲୋକ ବୋଲି ଖାତିରି ଅଛି । ଏ ଗାଁରେ କେତେ କେତେ ବାହାଘର ନିଜେ ମୁରବି ସେ ତୁଲେଇଛନ୍ତି । କେତେ ପିତାଙ୍କ ସେ ନିଜେ ଆଶ୍ୱାସନା ଦେଇଛନ୍ତି—

 

ଝିଅ ଜନମ ପର ଘରକୁ । ଏତେ ଅଧୀର ହେଲେ ଚଳିବ ।

 

ଝିଅ ଜନ୍ମ ହେଲେ ତ ନିଶ୍ଚେ ଦିନେ ନା ଦିନେ ଏଇୟା ଦେଖିବାକୁ ହେବ ସମସ୍ତ ବନ୍ଧନ ତୁଟେଇ ତାକୁ ପର ହାତରେ ଟେକି ଦେବାକୁ ହେବ । ତା ହେଲେ ଯାଇ କନ୍ୟା ଦାନର ପୁଣ୍ୟ । ଦାନ ଦେଇ ଦ୍ରବ୍ୟରେ ଆଶା ରଖିଲେ ପୁଣ୍ୟ ଆଉ କେଉଁଠି ? ପୁଅ ସିନା ପୁତ ନାମକ ନରକରୁ ଉଦ୍ଧାର କରିବ । ଝିଅପରା ବାକି ତେଷଠି ନରକରୁ ମୁକ୍ତି କରେଇବ । ଝିଅଟିକୁ ଉପଯୁକ୍ତ ବରପାତ୍ର ହାତରେ ଟେକି ଦେଲେ ତୁମେ ତୁମର ଦାୟିତ୍ୱ ସୂଚାରୁ ରୂପେ ତୁଲେଇଲ ବୋଲି ଜାଣିବ ।

 

ତଥାପି ମିତ୍ରଙ୍କ ଦମ୍ଭିଲା ଛାତି ଭିତରଟା ଆଜି ତେମିତି ତରଳି ଯାଇଛି । ହୃଦୟର ତରଳା ସ୍ନେହ ମମତା, ଆନନ୍ଦ ଆଶୀର୍ବାଦ ସବୁ ଏକାକାର ହୋଇ ଆଖି କୋଣରୁ ଗଳି ଆସୁଛି । ଏ ତରଳାଲୁହକୁ ରୋଧ କରବାର ଶକ୍ତି କାହାର ଅଛି !

 

ମିଶ୍ରେ ଆଖି ପୋଛି ପୋଛି ଗାମୁଛା କାନିରୁ ଅଧେ ଭିଜେଇ ସାରିଲେଣି ।

 

ତାଙ୍କର ପିତୃ ହୃଦୟ ଆଜି ଗଭୀର ଆନନ୍ଦ ଓ ଅପାର ପୁଲକରେ ତରଳିଛି ତରଳି ଥିଲା ଯେମିତି ଶକୁନ୍ତଳାଙ୍କ ବିଦାୟରେ କଣ୍ୱ ମୁନିଙ୍କ ଋଷି ପ୍ରାଣର ଗୋରୀ ଶଙ୍କର ।

 

ପଛଆଡ଼ୁ ପିଠିରେ ହାତ ମାରି ଶଶ୍ୱୁରେ ସଚିରଥେ କହିଲେ—ପୁଅ, ଏମିତି ଅଧୈର୍ଯ୍ୟ ହେଲେ ଚଳିବ । ଏଇତ ସଂସାରର ନିୟମ । ସମସ୍ତଙ୍କୁ ଲାଗିଛି । ଖୁସି ହେବାର କଥା । ଆଜିପରା ଦିନେ କାନ୍ଦିଲେ ହେବ ।

 

କନ୍ୟା ବରୟତେ ରୂପ, ମାତା ବିଭ, ପିତା ସୁଖ

 

ବାନ୍ଧବା କୁଳ ମିଛନ୍ତି....

 

ଏଥିରୁ କେଉଁଟି କମ୍‌ ହୋଇଛି ସେ ଏତେ ମନ ଊଣା କରୁଛ । କନ୍ଦର୍ପ ପରି ବର । ଦେବତା ପରି ଶଶ୍ୱୁର, ଅଚଳ ଚଳ ସମ୍ପତ୍ତି ମିଳିଛି ହାରାକୁ । ବେଦୀମୁଣ୍ଡେ ଠିଆ ହୋଇ ପିଲାଙ୍କ ପରି କାନ୍ଦିଲେ ଲୋକ କଣ ଭାବିବେ—

 

ମିଶ୍ରେ ମନକୁ ମନ ବୁଝେଇଲେ । ଷାଠିଏ ବର୍ଷର ଶଶ୍ୱୁର ବୁଢ଼ା । ରଥ ଆପଣେ ଆନନ୍ଦର ଅବତାର । କେତେ ଆନନ୍ଦ । ଗୋଡ଼ ତାଙ୍କ ତଳେ ଲାଗୁନି । ନାତୁଣୀ ବାହା ହେଉଛି ପରା—

 

ସୁରୁଖୁରୁରେ ବାହାଘର ଶେଷହେଲା ।

 

ତା ପରେ ଫୁଲସଭାର ଆସର ବଢ଼ିଲା ଯେ ନ କହ । ସଞ୍ଜ ଆରମ୍ଭରୁ ଫୁଲ ସଭା ବସିଲା ଯେ ରାତି ପହରେ ହେଲା ଶାସନ ଗାଁ । ଆଶୀର୍ବାଦ ଶ୍ଳୋକ, ବେଦପାଠ, ସ୍ତୁତିମନ୍ତ୍ର ଇତ୍ୟାଦି ବୋଲା ନହେଲେ ଫୁଲ ସଭା ନହୁଏ । ବର ପକ୍ଷରୁ ବରଜାତିଆଙ୍କ ଆଡ଼ୁ କିଛି ବୋଲା ହେଲା ବେଳକୁ କନ୍ୟାବକ୍ଷବାଲାଙ୍କ ଆଡ଼ୁ କିଛି କିଛି ଆଶୀର୍ବାଦ ଶ୍ଳୋକ ପଢ଼ା ଶେଷ ହେଲା, ବରକନ୍ୟାଙ୍କ ଉପରେ ପୁରୋହିତେ ଆଶୀର୍ବାଦ ଚାଉଳ ପକେଇଲେ । ତାପରେ ଫୁଲ ସଭା ମଉକିଲା । ଏଥର ଆରମ୍ଭ ହେଲା ସଂଖୁଡ଼ି ସଭା ।

 

ବରଜାତିଆଙ୍କୁ ଛାଡ଼ି ଆଖପାଖ ଗାଁ ମାନଙ୍କରୁ ଭଦ୍ରଲୋକେ ଆସିଛନ୍ତି । ସେମାନଙ୍କର ଚର୍ଚ୍ଚା କରିବାକୁ ହେବ । ବିଶେଷ କରି ବରଯାତ୍ରୀମାନଙ୍କ ପାଇଁ ସ୍ୱତନ୍ତ୍ର ବ୍ୟବସ୍ଥା । ସେମାନେ ଦିନିକିଆ କୁଣିଆ । ଚର୍ଚ୍ଚାରେ ଟିକିଏ ତ୍ରୁଟି ରହିଲେ ସବୁ ଦିନକୁ ନିନ୍ଦା । ମିଶ୍ରେ ବେଶ୍‌ ହୁସିଆର ଲୋକ । ଚାରିଆଡ଼କୁ ନଜର ଦେଇ ସବୁ ଠିକଣା ମୁତାବକ ବ୍ୟବସ୍ଥା କରିଛନ୍ତି । କୌଣସିଥିରେ ଅବହେଳା ନାହିଁ କି ଅଭାବ ନାହିଁ । ଗାଁର ଯୁବକମାନେ ସାଧ୍ୟମତେ ସାହାଯ୍ୟ କରିଛନ୍ତି । ମିଶ୍ରଙ୍କ ଝିଅ ବାହାଘର ତା ନୁହେଁ, ଏ ଗାଁଯାକର ସମସ୍ତିଙ୍କର ଝିଅ ବାହଘର ଯେମିତି । ସଭିଏ କାମରେ ଲାଗିପଡ଼ିଛନ୍ତି ।

 

ବରଯାତ୍ରୀମାନଙ୍କ ପାଇଁ ସ୍ୱତନ୍ତ୍ର ଥାନରେ ଖିଆପିଆ ବ୍ୟବସ୍ଥା ଶୃଙ୍ଖଳାରେ ହୋଇଗଲା । ପାଖଆଖ ଗାଁର ଯିଏ ଯେମିତି ଆସିଥିଲେ ବେଶ ତୃପ୍ତିରେ ଖାଇପିଇ ଗଲେ । ସମସ୍ତଙ୍କ ମୁହଁରେ ମିଶ୍ରଙ୍କ ପ୍ରଶଂସା ସିନା, ନିନ୍ଦାନାହିଁ । କାମ ସରୁ ସରୁ ଅଧ ରାତିକି ବଳିଗଲା ।

 

ବାହାର ଗାଁରେ ଲୋକମାନେ ଖାଇପିଇ ଯେ ଯାହାର ଗାଁକୁ ଫେରିଗଲେ । ବରଯାତ୍ରୀମାନେ ସେମାନଙ୍କ ପାଇଁ ବନ୍ଦୋବସ୍ତ ହୋଇଥିବା ସ୍ଥାନରେ ବିଶ୍ରାମ କଲେ । ଘରର ବନ୍ଧୁ ବାନ୍ଧବ ଜ୍ଞାତି କୁଟୁମ୍ୱ ଯେ ଯେଉଁଠି ପାଇଲେ ଶୋଇଗଲେ ।

 

ସମସ୍ତେ ଶୋଇଲେ, ଗାଁ ଶୂନ୍‍ଶାନ୍‌ ହେଲା । ମାତ୍ର ମିଶ୍ରଙ୍କ ଆଖିକି ନିଦ ନାହିଁ । ବେଦୀମୂଳେ ଏପାଖ ସେପାଖ ହେଉ ହେଉ ରାତି ବଳି ବଳି ଆସିଲା । ପନ୍ଦର ଦିନ ହେଲା ବିଭାଘର ଚିନ୍ତାରେ ମିଶ୍ରଙ୍କୁ ନିଦ ଆସୁନଥିଲା । ସବୁକାମ ଶେଷ ହେବାପରେ ତାଙ୍କ ମୁଣ୍ଡରୁ ସତେ ଯେମିତି ବୋଝ ଓହ୍ଲେଇଲା । କ୍ଳାନ୍ତ ହୋଇ ସେ ବେଦୀମୂଳେ ଖଣ୍ଡେ ଲମ୍ୱ ବେଞ୍ଚ ଉପରେ ଶୋଇ ପଡ଼ିଲେ ।

 

କେଡ଼େ ବେଗି ସକାଳ ହୋଇଗଲା ।

 

ନଡ଼ିଆ ଗଛ ଉପରେ କୁଆ ରାବଦେଲା—କାଆ—କାଆ—କାଆ । ଧଡ଼ିକିନି ବେଞ୍ଚଉପରୁ ମିଶ୍ରେ ଉଠି ପଡ଼ିଲେ ।

 

ମୁହଁ ହାତ ଧୋଇନେଇ ସଅଳ ସଅଳ ନିତ୍ୟ କର୍ମ ତୁଟେଇଲେ ।

 

ବେଳ ଘଡ଼ିକି ବରଯାତ୍ରୀମାନେ ଆସିଯିବେ । କନ୍ୟା ଦେଖିଦେଲେ ସେମାନେ ଫେରିବେ ।

 

ସତକୁ ସତ ଘଡ଼ିଏ ଦିଘଡ଼ି ବେଳକୁ ବରଯାତ୍ରୀମାନେ ନୀଳକଣ୍ଠେଶ୍ୱରଙ୍କ ମନ୍ଦିର ସାମନା ବଡ଼ ପୋଖରୀରେ ସ୍ନାନାଦି ସମାପନକରି ଚନ୍ଦନଟିପା ମାରି ଆଡ଼ି ଦୋସଡ଼ା କାନ୍ଧରେ ପକେଇ କନ୍ୟା ଦେଖିବା ପାଇଁ ପ୍ରସ୍ତୁତ ।

 

ବାରିକ ଆସି ଖବର ଦେଇଗଲା ।

 

ମିଶ୍ରେ ଯାଇ ବରଯାତ୍ରୀଙ୍କୁ ପାଛୋଟି ଆଣିଲେ । ପାଛୋଟି ଆଣିଲେ ସମୁଦି ମହାପାତ୍ରଙ୍କୁ । ମିଶ୍ରଙ୍କ ପାଖେ ପାଖେ ତାଙ୍କ ଶଶ୍ୱୁର ସଚ୍ଚି ରଥେ । ଆଳାପ ଆଲୋଚନାରେ ଘଡ଼ିଏ ବିତିଲା ।

 

ତାପରେ ମିଶ୍ରେ ବରଯାତ୍ରୀଙ୍କ ପାଇଁ ଜଳଯୋଗର ବନ୍ଦୋବସ୍ଥ କଲେ ।

 

ଜଳଯୋଗ ଶେଷ ହେଲା ।

 

ଏଥର କନ୍ୟା ଦେଖା ।

 

ବରାଯାତ୍ରୀଏ କନ୍ୟା ଦେଖିଲେ ।

 

ଏଗାର ବର୍ଷର ଝିଅ ହାରା । ଚମ୍ପାଫୁଲ ପରି ବର୍ଣ୍ଣ । ଦେହର ଗଢ଼ଣ ଖୁଣିବାର ନୁହେଁ । ସରୁ ସରୁ ଆଖିକି ନାକ ଠେଙ୍ଗା । ପିନ୍ଧିଛି ବନାରସୀ ପାଟ, ଦାଣ୍ଡଘରେ ମୁଣ୍ଡରେ ହାତେ ଲମ୍ୱର ଓଢ଼ଣା ପକାଇ ହାରା ଠିଆ ହୋଇଛି । ଲାଜରେ ତଳକୁ ନୋଇଁ ଆସିଛି ମଥା ।

 

ଅଜା ସଚ୍ଚି ରଥେ ହାରାର ମଥାରୁ ଓଢ଼ଣା ଖସେଇଲେ ।

 

ବରଯାତ୍ରୀଏ କନ୍ୟା ଦେଖିଲେ ।

 

ଦେହ ସାରା ଛାଇ ହୋଇଛି ଗହଣା । ମଥାରେ ସିନ୍ଥି, କାନରେ କାନଫୁଲ, ନାକରେ ନାକଫୁଲ, ବେକରେ ହରଡ଼ଫାଳିଆ ମାଳ ଆଉ ତା ସାଥିକି ସୋରିଷିଆ ମାଳ, ହାତରେ ସୁନାଚୁଡ଼ି, ହାତ ଆଙ୍ଗୁଠିରେ ମୁଦି, ଗୋଡ଼ରେ ପାଉଁଜି । ଗୋଡ଼ ଆଙ୍ଗୁଠିରେ ରୂପା ମୁଦି ।

 

ମଥାରେ ଦାଉ ଦାଉ ଜଳୁଛି ସିନ୍ଦୂର ଗାର ।

 

ମନେ ହେଉଛି ସତେ ଅବା ସ୍ୱର୍ଗର ଅପ୍‌ସରୀ ।

 

ବରଯାତ୍ରୀଙ୍କ କନ୍ୟା ଦେଖା ସରିଲା । ହାରା ଭିତର ଘରକୁ ଗଲା । ହରିପୁର ମହାପାତ୍ରେ ମିଶ୍ର ଆପଣଙ୍କୁ, ତାଙ୍କ ଶଶ୍ୱୁର ସଚ୍ଚି ରଥଙ୍କୁ ଯଥାମାନ୍ୟ ଜଣେଇ ବର ବରଯାତ୍ରୀ ସହ ଫେରିଗଲେ ।

 

ବରଯାତ୍ରୀ ଫେରିଗଲେ ।

 

ବିବାହ ଦିବସର ମହୋତ୍ସବ ଶେଷ ହୋଇଗଲା ।

 

ବନ୍ଧୁ ବାନ୍ଧବ ସାତମଙ୍ଗଳା ପରେ ଯେ ଯାହାର ଫେରିଗଲେ ।

 

ଏସବୁ ଭିତରେ ବୋଉ ମନରେ ରହିଗଲା ଗୋଟିଏ ପବିତ୍ର ପରଶର କୋମଳ ସ୍ମୃତି ।

 

ବରବୋଲି ସେ ଯାହାର ହାତି ଧରିଲା ତାଙ୍କୁ ସେ ଦେଖିନାହିଁ । ବରର ଯେଉଁ ବ୍ୟାପକ ଅର୍ଥ ତାହା ସେ ବୁଝିନାହିଁ । କେବଳ ଏତିକି ଜାଣେ—ସେ ଜଣକର ହାତ ଧଇଲା । ଆଉ ଯାହାର ସେ ହାତ ଧଇଲା ସେ ତାର ଇହକାଳ ପରକାଳର ସାଥି । ତା ଜୀବନର ଜୀବନ ଶଙ୍ଖ-ମହୁରୀ ମଙ୍ଗଳ ହୁଳହୁଳି ଭିତରେ ଗୋଟିଏ ହାତର ଟିକିଏ ସ୍ପର୍ଶ ସେ ପାଇଛି । ଆଉ ସେଇ ହାତର ସ୍ପର୍ଶହିଁ ତା ଜନ୍ମ ଜନ୍ମାନ୍ତର ସ୍ମୃତି ।

 

ଏଗାର ବରଷର ସେ । କଣ ବା ଜାଣେ । ସଂସାର ବୋଇଲେ ସେ ଜାଣେ ନନା, ବୋଉ ଓ ତା କକେଇ ପୁଅ ଭାଇ ବାୟା । ବାୟା ସାଥିରେ ଖେଳେ ବୁଲେ ତା ସହିତ କଳି ତକରାଳ ରାଗରୁଷା । ଆଉ ଜାଣେ ସେ ତା ସମବୟସ୍କା ସଙ୍ଗୀ ସହଚରୀ ବଉଳ ମିତ ଆମ୍ୱକଷିମାନଙ୍କୁ ।

 

ମୃତ୍ୟୁଞ୍ଜୟଙ୍କର ଅତି ଗେଲବସରର ଝିଅ ସେ । ଏଗାର ବରଷରେ ମଥାରେ ସିନ୍ଦୂର ଲଗେଇ ବେଦୀରେ ବସି ହରିପୁର ମହାପାତ୍ରଙ୍କ କୁଳବଧୂ ହୋଇଛି ସେ । ବିବାହ ତା ପାଇଁ ପିଲାଖେଳ ଯେମିତି । ତଥାପି ତା ମନର ଗୋପନତମ ପ୍ରଦେଶରେ ଗୋଟିଏ ସ୍ମୃତିର ଝଙ୍କାର ଉଠିଛି । ସେ କୁଳବଧୂ । ସେ ଆଉ କୁମାରୀ ନୁହେଁ । ସେ ଜଣକର ହାତର ସ୍ପର୍ଶ ପାଇଛି । ତାଙ୍କରି ହାତ ସହିତ ତା ହାତ ଛନ୍ଦା ହୋଇଛି । ସେ ହାତର ସ୍ପର୍ଶ ଟିକକ ତା ଜୀବନର ମହାତୀର୍ଥ ।

 

ତାଇକୁ ସେ ଭୁଲି ପାରୁନାହିଁ ।

 

ତାକୁଇ ସମ୍ପାଦି ରଖିଛି ସେ ତା ମନର ଗୋପନ ପ୍ରଦେଶରେ ।

 

ତାକୁଇ ପୂଜାକରୁଛି ସେ ନିତିଦିନ ।

 

ସେ ହିଁ ତା ମହାଜୀବନର କଳାନାଦିନୀ ସ୍ରୋତସ୍ୱିନୀ !

 

ସେ ହିଁ ତା ପାଖରେ ମହାସତ୍ୟ ।

 

ମନରୁ ପୋଛିପାରୁ ନାହିଁ ବୋଉ ।

 

ସତରେ ଭୁଲି ହୁଏ କାହିଁ ।

 

ବିବାହ ଶେଷ ହୋଇଛି ।

 

ବରଯାତ୍ରୀ ଫେରି ଯାଇଛନ୍ତି ।

 

ଦିନ ଗଡ଼ି ଯାଇଛି ।

 

ଭାରଥୁର ଦିଆନିଆ ଯିବାଆସିବାରେ ହରିପୁର ମହାପାତ୍ର ଓ ରଥପୁର ମିଶ୍ରଙ୍କ ଘରର ସମ୍ପର୍କ ନିବିଡ଼ରୁ ନିବିଡ଼ତର ହୋଇ ଉଠିଛି ।

 

ମହାପାତ୍ରେ ନିଜେ ଥରେ ଦିଥର ରଥପୁର ଆସିଛନ୍ତି ।

 

ମିଶ୍ରଙ୍କ ଚର୍ଚ୍ଚାର ସୀମା ନାହିଁ । ସମୁଦି ପରି ସମୁଦି ସେ ପାଇଛନ୍ତି । ମହାପାତ୍ରେ ଆସିଲେ ତାଙ୍କ ପାଦ ଆଉ ଭୂଇଁରେ ନ ଲାଗେ ।

 

ମହାପାତ୍ରେ—

 

ଦେବତା ତୁଲ୍ୟ ମଣିଷ ।

 

ଦେହଟା ଯେମିତି ତୋଫା ମନଟା ଠିକ୍‌ ସେପରି ନିର୍ମଳ ।

 

କଥାବାର୍ତ୍ତାରେ କୂଟ କପଟ ନାହିଁ । ଭାରି ସ୍ନେହୀ । ଭାରି ମିଳାପୀ ।

 

ରଥପୁର ଆସିଲେ ପିଲା ବୁଢ଼ା ସବୁରିଙ୍କ ସହ ତାଙ୍କର ଆଳାପ ।

 

ମିଶ୍ରଙ୍କ ଘରେ ବନ୍ଧୁ ବାନ୍ଧି ସେ ବି ନିଜେ ଗର୍ବିତ ।

 

ମୃତ୍ୟୁଞ୍ଜୟଙ୍କ ପରି ସମୁଦି ପାଇ ସେ ଖୁବ୍‌ ଆନନ୍ଦିତ ।

 

ମୃତ୍ୟୁଞ୍ଜୟ ଓଜନଦାର ମଣିଷ । ପାଞ୍ଚଟାରେ କଥା କହିଲା ବାଲା । ଜମିବାଡ଼ି ଚଳଣି ଭଲ । ଦାଣ୍ଡ ସୁନ୍ଦର ଦିଆନିଆ । ଦୁଃଖୀରଙ୍କୀଙ୍କ ପେଟ ପାଟଣା ବୁଝିବା ବାଲା ମିଶ୍ରେ ।

 

ତହିଁକି ତାଙ୍କ ସ୍ତ୍ରୀ ଶକୁନ୍ତଳା । ସାକ୍ଷାତେ ଲକ୍ଷ୍ମୀ । ସାଇ ପଡ଼ିଶାରେ ବେଳ ଅବେଳରେ ଯାହାର ଯାହା ଦରକାର ପାଟି ଫିଟେଇଲେ ଦେବେ । ନାହିଁ ପଦ ପାଟିରୁ ବାହାରିବ ନାହିଁ । ରାତି ଅଧିଆ କାହାର ବିପତ୍ତି ଆପତ୍ତି ପଡ଼ିଲେ ଶକୁନ୍ତଳା ଆଗଯାଇ ଅଣ୍ଟାଭିଡ଼ି ହାଜର । ବିଶେଷ କରି ପୋଖତି ମାଇକିନିଆ କଷ୍ଟ ପାଉଛିତ ହାରା ବୋଉ ନଗଲେ ନ ହୁଏ । ସାତଟା ନର୍ସ ବି ତା ପାସଙ୍ଗରେ ପଡ଼ିବେ ନାହିଁ । ସାନ ପିଲାଙ୍କ ରୋଗ ବଇରାଗକୁ ହାରା ବୋଉର ଓଷଦ କାଟେ । ସେ ଲାଗି ଗାଁରେ ହାରାବୋଉର ଖୁବ୍‌ ଖାତିରି । ତହିଁକି ପୁଣି ଶକୁନ୍ତଳା ସେଇ ଗାଁର ଝିଅ । ଉତ୍ତର ସାଇ ରଥ ସାଆନ୍ତ ଝିଅ ସେ । ତେଣୁ ଏ ଗାଁରେ ତାର କାହାକୁ ଲୁଚିବା ଦରକାର ପଡ଼େନାହିଁ । ସବୁରିଙ୍କ ଘରେ ସେ ଗାଁ ଝିଅ ।

 

ମିଶ୍ରେ ଚଳନ୍ତି ପକ୍ଷ ବାଲା ।

 

ବଂଶବତୀନଈ ଆରପାଖେ ବ୍ରାହ୍ମଣ ଗଡ଼ି । ସମସ୍ତେ ତାଙ୍କୁ ନଈ ସେ ପାରି ଗଡ଼ି ବୋଲି କହନ୍ତି । ଗଡ଼ି ପାରହେଲେ ଶୋଲରୀ । ଗଡ଼ି ଉପରକୁ ଶୋଲରୀ ପାଖାପାଖି ମିଶ୍ରଙ୍କର ବାର୍ଷିକ ଚଳିଲା ପରି ଚାଷଜମି । ନିଜେ ହଳଲଙ୍ଗଳକରି ଚାଷବାସ ଦେଖିବା ମିଶ୍ରଙ୍କ ପକ୍ଷେ ସମ୍ଭବ ନୁହେଁ । ଭାଗଚାଷକୁ ଜମି ଲଗାହୋଇଛି । ଯାହା ଭାଗ ଧାନ ମୁଗ ମିଳେ ତାହା ତାଙ୍କର ନାହିଁ । ସାନଭାଇ ଦୀନବନ୍ଧୁ ରଇତ କଥା ବୁଝେ । ଦୀନୁ ଭିନେ ହୋଇଥିଲେ ମଧ୍ୟ ତାଙ୍କୁ ମାନେ । ତାଙ୍କ କଥା ବୁଝେ ।

 

ବାଡ଼ିଆଡ଼େ ନଡ଼ିଆ ଗଛ । ଢେର ନଡ଼ିଆ ଆମଦାନୀ ହୁଏ । ସେଇଥିରୁ ଯାହା ପଇସା ମିଳେ ତାହା ଘର ଖର୍ଚ୍ଚକୁ ଯଥେଷ୍ଟ । ତା ଛଡ଼ା, ବାହାରୁ ପାଞ୍ଚପଇସା ମିଶ୍ରଙ୍କ ହାତକୁ ଆସେ ।

 

ଆଖିକି ଦିଶିଯାଉଛି ଶୋଲରୀର ଶ୍ୟାମ ସମ୍ଭାର ।

 

କେତେ ସ୍ମୃତି ବିଜଡ଼ିତ ମୁହୂର୍ତ୍ତମାନଙ୍କର ସପନ ଖେଳିବୁଲୁଛି ମନଭିତରେ ।

 

ଶୋଲରୀ ପାଦତଳେ ନଈ ସେପାରି ଗଡ଼ି—

 

ଗଡ଼ି ମଝିରେ ହିଡ଼ ଉପରେ ପାଦ ଚାଳି ଚାଳି ବୋଉ ଯେମିତି ଚାଲିଯାଉଛି ।

 

ମନ ଭିତରେ ଅସରନ୍ତି ଭାବନାର ବୁଢ଼ିଆଣୀ ଜାଲ ।

 

ସେଥିରୁ ମୁକୁଳିବା କଣ ସହଜ !

 

ପାହାଡ଼ରୁ ପାହାଡ଼ କାଟି ଘର୍ଘର ଶବ୍ଦକରି ବସ ଚାଲିଛି ।

 

ବାହାରେ ମୁକୁଳା ରାସ୍ତାର ଛାତିରେ ହାବୁକା ହାବୁକା ଉତ୍ତାପ ଧକ୍‌କାମାରି ଚାଲିଛି । ତା ସହିତ ମିଶି ମନ ମନ୍ଦିରରେ ବୋଉ ଜୀବନର ସ୍ମୃତି ବିଜଡ଼ିତ ଆରତୀ ଘଣ୍ଟା ବାଜି ଉଠୁଛି ।

 

ବିବାହର ଦୁଇବର୍ଷ ବିତିଯାଇଛି ।

 

ମହାପାତ୍ରଙ୍କ ଘରୁ ପୁନିଅଁ ପର୍ବ ଉପଲକ୍ଷରେ ଭାରଥୁର ଆସିଛି ମିଶ୍ରଙ୍କ ଘରକୁ ।

 

ଏଇ ଗଲା ସାବିତ୍ରୀ ଅମାବାସ୍ୟାକୁ ଭାର ଆସିଥିଲା ଯେ ଗାଁ ଗୋଟାକ ଯାକ ବାଣ୍ଟି ବାଣ୍ଟି ସରିଲାନି । ଆମ୍ୱ, ପଣସ, ନଡ଼ିଆ, ସପୁରୀ, ଶାଢ଼ୀ, ଚୁଡ଼ି କେତେ କଣ । ଚାରିଜଣ ବାରିକ କାନ୍ଧେଇ କାନ୍ଧେଇ ହରିପୁରରୁ ରଥପୁରକୁ ଆଣିଲାବେଳକୁ ନୟାନ୍ତ ହୋଇ ଯାଇଥିଲେ । ମିଶ୍ରଙ୍କ ଘରେ ବୋହୂଟିଏ କରିଛନ୍ତି ବୋଲି ପନ୍ଦର ଦିନକୁ ପନ୍ଦର ଦିନ ମହାପାତ୍ରେ ଗୁମାସ୍ତା ପଠେଇ ବୋହୂର ଭଲ ମନ୍ଦ ଖବର ନିଅନ୍ତି ।

 

ବିବାହର ଦୁଇ ବର୍ଷ ଭିତରେ କେତେ ଯିବା ଆସିବା ଭାର ଥୁର ଦିଆ ନିଆ । ଏଇ ଦୁଇବର୍ଷ ଭିତରେ ହାରା ମନରେ କେତେ କେତେ ନୂଆ ସପନ ଜାଗିଲାଣି । ବାହାଘର ବେଳକୁ ସିନା ସେ ବାହାଘର କଣ ଜାଣିପାରୁ ନଥିଲା—ଏବେ ଏବେ ସାଙ୍ଗ, ମିତଣି, ଆମ୍ୱକଷି, ବଉଳଠାରୁ ସ୍ୱାମୀ କଣ ମନରେ ଅବଧାରଣା କଲାଣି । ଚେତନା ଭିତରେ ସେ କଳ୍ପନା କରି ଶିଖିଲାଣି ସ୍ୱାମୀଙ୍କ ରୂପ । ଦେଖି ନଥାଉ ପଛେ—ସପନ ତ ମନକୁ ଆସୁଛି—କଳ୍ପନା ଟାଣି ନେଉଛି ମନକୁ ତାଙ୍କ ପାଖକୁ ।

 

ସ୍ୱାମୀ ! ହିନ୍ଦୁ ନାରୀର ମନ ମନ୍ଦିରର ବଡ଼ ଠାକୁର । ଏକାଳ ସେକାଳ ସବୁକାଳର ଅତି ଆପଣାର ଅତି ପାଖର । ସ୍ତ୍ରୀ ପାଖରେ ତା ସ୍ୱାମୀ ହିଁ ସବୁ । ଭଲ ସେଇ ମନ୍ଦ ସେଇ । ରୁଧିରରେ ରୁଧିର ମିଶା ଆପଣାର ମଣିଷ ।

 

ବେଳେ ବେଳେ ହାରା ମନମଧ୍ୟରେ ବେଣୁପାଣିଙ୍କି ଖୋଜେ ।

 

ସଞ୍ଜବେଳେ ସଙ୍ଗୀ ମେଳରେ ଯେତେବେଳେ ସଞ୍ଜ ବଳିତା ଧରି ଗାଁ ଠାକୁର ଗୋପୀନାଥଙ୍କ ଦେଉଳକୁ ସେ ଯାଏ ସେତେବେଳେ ଗୋପୀନାଥଙ୍କ ନଟବର ବେଶ ଭିତରେ ବେଣୁପାଣିଙ୍କି ଭାବେ । ତାଙ୍କରିପାଇଁ ମୁଣ୍ଡରେ ଓଢ଼ଣା ଟାଣି ଆଣ୍ଠୁମାଡ଼ି ଠାକୁରଙ୍କୁ ପ୍ରଣାମ କରେ । ସେ ଭଲରେ ଥାନ୍ତୁ । ତାଙ୍କୁ ପ୍ରଭୁ ଘଣ୍ଟ ଘୋଡ଼େଇ ରଖନ୍ତୁ—ମନରେ ତାର ଏଇ ଭାବନା ଆସେ ।

 

ଅବଚେତନ ମନରେ ବସା ମେଲେଇଛନ୍ତି ତାର ବେଣୁପାଣି ।

 

ତାଙ୍କରି ଚିନ୍ତା ତାକୁ ଅକୁହା ଆନନ୍ଦର ଉଚ୍ଛନ୍ନ ସାଗରରେ ଭସେଇ ନିଏ । ସେ ତାଙ୍କର ମୂର୍ତ୍ତି କଳ୍ପନା କରି ଅସରନ୍ତି ଆନନ୍ଦ ପାଏ । ତାଙ୍କରି ରୂପ କଳ୍ପନାରେ ଯେଉଁ ଆନନ୍ଦ ତାର କଣ ଶେଷ ଅଛି ? ଦେଖିନାହିଁ—ଦେଖିବି ଦେଖିବି ବୋଲି ମନରୁ ଯେଉଁ କାମନା, ଯେଉଁ ଛଳ ଛଳ ଛାତି ଭିତରର ଢଳ ଢଳ ସ୍ନେହଲହରୀ—ସପନ ମନରେ ମନମଣିଷର ଯେଉଁ ମୂର୍ତ୍ତି ଦର୍ଶନ—ତାହାହିଁ ହାରାକୁ ସନାତନ ପ୍ରେମର ଅପୂର୍ବ ଆନନ୍ଦ ରସରେ ଡୁବେଇ ଦିଏ । ସେ ଖୁସିହୁଏ । ସେ ଆହ୍ଲାଦିତା ହୁଏ ।

 

ଦୁଇବର୍ଷ ଭିତରେ ହାରା କେତେକଥା ବୁଝିଗଲାଣି ସତରେ ।

 

ଖାରଦିନେ ଚନ୍ଦନଯାତ୍ରା ହୁଏ । ନୀଳ କଣ୍ଠେଶ୍ୱରଙ୍କ ଦେଉଲ ସାମନା ବଡ଼ ପୋଖରୀରେ ଚାପ ବନ୍ଧାହୁଏ । ଗୋପୀନାଥଙ୍କ ବିଜେ ପ୍ରତିମା ଚାପ ଖେଳନ୍ତି । ଯାତରା ହୁଏ । କେତେ କିସମର ପସରା ଜମେ । ଲୋକେ ଜମନ୍ତି, ଗହଳି ଲାଗେ । ସଙ୍ଗୀତ ହୁଏ । ଘଣ୍ଟା କାହାଳୀ ବାଜେ । ଠାକୁରେ ଚାପରେ ବସନ୍ତି ।

 

ବଉଳ ସାଥିରେ ହାରାଯାଏ ଦିଆଙ୍କ ଚାପ ଦେଖି ।

 

ଚାପ ଦେଖୁ ଦେଖୁ ହାରାଭାବେ—ଏମିତି ଚାପଖେଳ ହେଉଥାନ୍ତା । ଏମିତି ଆଲୁଅ ଭିତରେ ତାଙ୍କ ସହିତ ଠିଆ ହୋଇ ସେ ଠାକୁରଙ୍କ ଚାପଖେଳ ଦେଖୁଥାନ୍ତା—ଘଣ୍ଟ କାହାଳୀ ବାଦ୍ୟରେ ଯେମିତି ଉଛୁଳି ଉଠୁଛି ବଡ଼ ପୋଖରୀ ସେମିତି ଉଛୁଳି ଉଠନ୍ତା ତାର ଅନ୍ତରାତ୍ମା ।

 

କେଡ଼େ ମଜା ହୁଅନ୍ତା ସତରେ !

 

କେଡ଼େ ଖୁସି ନ ହୁଅନ୍ତେ ସେ !

 

ସେ—

 

ସେ ତା ମନର ମଣିଷ । ହୃଦୟର ଦେବତା । ଆତ୍ମାର ଆତ୍ମା । ତାଙ୍କରିପାଇଁ ଦରଦ । ତାଙ୍କରି ପାଇଁ ଚିନ୍ତା, ତାଙ୍କରି ପାଇଁ ନିଶି ଦିବସ ଭାବନା ।

 

ତାଙ୍କରିପାଇଁ ଆଖିରେ ଢଳ ଢଳ ଆନନ୍ଦର ଲୁହ ।

 

ସୁଖ ପରେ ଦୁଃଖ ।

 

ସକାଳ ପରେ ସଞ୍ଜ ।

 

ଦିନ ପରେ ରାତି ।

 

ଏ ମହା ସୃଷ୍ଟିର ଏ ଯେଉଁ ମହାନିୟମ ମଣିଷ ତାର ପାଦତଳର ଦାସ । ତାକୁଇ ଲଙ୍ଘନ କରିବାର ଶକ୍ତି କାହିଁ ମଣିଷର !

 

ମଣିଷ ନିମିତ୍ତମାତ୍ର !

 

ମଣିଷ କେଉଁ ଏକ ଅଗମ୍ୟ ଅଦୃଶ୍ୟ ମହା ଶକ୍ତିମାନ୍‌ ପୁରୁଷଙ୍କ ଇଚ୍ଛାର କ୍ରୀଡ଼ନକ ।

 

ମହାକାଳର ମହା ପ୍ରବାହଭିତରେ ମଣିଷ କୁଟାଖିଏ ମାତ୍ର । ଏ ଚିର ପ୍ରବହମାନ ସମୟର ସ୍ରୋତ ମୁଖରେ ନିମ୍ନକୁ ଭାସିଯିବା ମଣିଷର ଧର୍ମ ।

 

ସେ ମିଶିଯିବ କାଳ ଜଳଧିର ଅନ୍ତ ସ୍ଥଳରେ ଯେଉଁଠି ମଣିଷ ତା ନିଜର ସ୍ଥିତି ଜାଣେ ନାହିଁ, ଯେଉଁଠି ତା ରୂପର ସତ୍ତା ନାହିଁ । ସେଠି ସବୁ ଅରୂପ । ସବୁ ଏକାକାର ।

 

କାଳ ଆଜି ଭୀମ ବେଶରେ ପ୍ରବେଶ କରିଛି ମିଶ୍ରଙ୍କ ଘରେ ।

 

ବେଳ ଘଡ଼ିଏକୁ ମିଶ୍ରଙ୍କ ଘରେ ବଜ୍ରପାତ ।

 

ମୁଣ୍ଡରେ ହାତ ଦେଇ ମିଶ୍ରେ ଦାଣ୍ଡଦୁଆରେ ବସିଛନ୍ତି । ଭଣ୍ଡାରୀ ଯେଉଁ ଚିଟୋଉ ଆଣି ଦେଇଗଲା ତାକୁ ଟିକିଟିକି କରି ପବନରେ ଉଡ଼େଇ ଦେଇଛନ୍ତି । ପାଖେ ପାଖେ ସଚ୍ଚିଦାନନ୍ଦ । ଶଶ୍ୱୁର ବୁଢ଼ା ।

 

କାନ୍ଦି କାନ୍ଦି ଆଖି କଳା ପଡ଼ି ଯାଇଛି ।

 

ଏ ଅକାଳ ବଜ୍ରପାତ କିଏ ବା ଚିନ୍ତା କରିଥିଲା ।

 

ଘରେ ହାରାବୋଉର ଚେତାନାହିଁ । ସାଇ ମାଈପିଏ ତାକୁ ଛିଞ୍ଚାବିଞ୍ଚା କରିବାରେ ଲାଗିଛନ୍ତି ।

 

ପିଲାଟା ବାୟା । ସମସ୍ତେ କାନ୍ଦୁଥିବାରୁ ସେ ମଧ୍ୟ କାନ୍ଦୁଛି ।

 

ଦାଣ୍ଡଦୁଆରେ ଗାଁ ସାରା ରୁଣ୍ଡ ।

 

ଯେତେ ବୁଝାଇଲେ ମଧ୍ୟ ମିଶ୍ରଙ୍କ ମନ କଣ ବୁଝେ ।

 

କେତେ ଦିଅଁ ଦେବତାଙ୍କୁ ଡାକି ହାରାକୁ ପାଇଥିଲେ ସେ । ତା କପାଳରେ ଏଇୟା ଥିଲା-

 

ଭଣ୍ଡାରୀ ଚିଟୋଉ ଦେଇଗଲା—ଗତ ରାତିରେ ମହାମାରୀରେ ବଣୁପାଣି ଅକାଳ ସ୍ୱର୍ଗାରୋହଣ କଲେ—ଏ ଖବର ପାଇବାକ୍ଷଣି ମିଶ୍ରେ ପ୍ରଥମେ କିଛି ସମୟ ପଥର ପାଲଟିଗଲେ । ତାପରେ ପଥର ଫାଟି ଝରିଲା କେବଳ ରକ୍ତର ସୁଅ । ତାକୁ ରୋଧକରିବାର ଶକ୍ତି କାହାର !

 

ହାରାବୋଉ କାନରେ ଏ ଖବର ପହଞ୍ଚୁ ପହଞ୍ଚୁ ସେ ଅଚେତା ।

 

ଗାଁରେ ଏକଥାଟା ପ୍ରଘଟ ହୋଇ ଯିବାପରେ କେହି କେହି ପ୍ରଥମେ ବିଶ୍ୱାସ କଲେନାହିଁ-। ମାତ୍ର ଦୁଇ ବର୍ଷତଳେ ଏଇ ଗାଁରେ କେତେ ଆଡ଼ମ୍ୱରରେ ବିଭାଘର ହୋଇଥିଲା । ହାରା ଭାଗ୍ୟରେ ଶେଷରେ ଏଇୟା ଲେଖିଥିଲା ବିଧାତା ।

 

ଗାଁର ଆବାଳବୃଦ୍ଧବନିତା ମିଶ୍ରଙ୍କ ଘରେ ରୁଣ୍ଡ ହୋଇ ତାଙ୍କୁ ଯଥେଷ୍ଟ ସାନ୍ତ୍ୱନା ଦେଲେ ।

 

ହେଲେ ସେ ଯେଉଁ ଛାତିଫଟା କରୁଣ କ୍ରନ୍ଦନ ତାକୁ ରୋଧ କରିବାର ଶକ୍ତି କାହାର ଅଛି-!

 

ମାୟା ବନ୍ଧନ ରକ୍ତର ଆକର୍ଷଣ ଏତେ ଦୃଢ଼ ଯେ ସେଥିରୁ ମୁକୁଳତା ମଣିଷ ପକ୍ଷେ ସହଜ ନୁହେଁ । ରକ୍ତମାଂସର ପାର୍ଥିବ ଶରୀର ଧରି ଏଭଳି ବଜ୍ରପାତ ଧୈର୍ଯ୍ୟ ଧରି ସହିବା ସଂସାରୀ କିଏ ଅଛି !

 

ହାରାକୁ ଏ ଘଟଣାଟି କେହି ଜଣେଇବା ଦରକାର ହେଲା ନାହିଁ । ଘରର ପରିସ୍ଥିତିରୁ, ଲୁହଭିଜା କାନ୍ଦଣା ଭିତରୁ ସେ ଜାଣିପାରିଲା ଯେ ତା ମନର ମନ୍ଦିର ଗୋଟି ମାଟିରେ ମିଶିଛି । ତା ସପନର ଦୁର୍ଗଟି ଭୁଷୁଡ଼ି ପଡ଼ିଛି । ତା’ ହୃଦୟର ସ୍ୱର୍ଗପୁରୀରେ ନରକର ପ୍ରଳୟ ମାଡ଼ିଯାଇଛି । ସେ କାହାରିକୁ କିଛି ନ କହି ତଳ ଘର ବାରଣ୍ଡାର ମଝିଖୁଣ୍ଟିକି ଆଉଜି ବସିପଡ଼ିଲା କିଛିକ୍ଷଣ ।

 

କାନ୍ଦିବାକୁ ଚେଷ୍ଟା କଲେ ବି ଆଖିରୁ ତାର ଲୁହ ଝରିଲା ନାହିଁ । ଦୁଃଖ ବେଦନା ଓ ବିଷାଦରେ ସେ ଏତେ ଅଧୀରା ହୋଇ ପଡ଼ିଥିଲା ଯେ ତା ଆଖିରୁ ଜଳଧାରା ସାହାରାର ମରୁପରି ଶୁଷ୍କ ହୋଇଯାଇଥିଲା । ଘଡ଼ିଏ କାଳ ଖୁଣ୍ଟିକି ଆଉଜି ଶୂନ୍ୟ ଆକାଶକୁ ଚାହିଁବା ପରେ ତା ଆଖିରୁ ଅମାନିଆ ଲୁହର ଝରଣା ବଳେ ବଳେ ବହିଆସିଲା ଅବିରାମ ଗତିରେ । ଚେତନାହୀନ, ପ୍ରାଣହୀନ ପ୍ରାଣୀଟିଏ ପରି ଆଉଜି ବସି ହାରା ଭୁଲିଯାଇଥିଲା ସମଗ୍ର ବିଶ୍ୱ ଜଗତକୁ । ସେ ଜାଣି ପାରୁନଥିଲା ତାର ସ୍ଥିତି କେଉଁଠି । ସେ ଜାଣି ପାରୁନଥିଲା ତା ଶିରା ପ୍ରଶିରାରେ ରକ୍ତ ସୁଅ ଛୁଟୁଛି କି ନା; ସେ କେବଳ ନିର୍ନିମେଷ ନୟନରେ ଅନେଇଁ ରହିଥିଲା ଶୂନ୍ୟ ଆକାଶକୁ—ଏଇ ଶୂନ୍ୟତା ହିଁ ଯେମିତି ତା’ଜୀବନର ବାକି ଅଂଶ । ପାଖରେ ବସି ରହିଥିଲେ ସଙ୍ଗୀମାନେ । ସାନ୍ତ୍ୱନା ଦେବାର ଶକ୍ତି ଯେମିତି ସେମାନେ ହରେଇ ବସିଥିଲେ ।

 

ନିଜେ ନିଜର ହାତରୁ କାଚ କାଢ଼ି, ମଥାରୁ ସିନ୍ଦୂର ନିଭେଇ ସେ ତାର ଆଖିରୁ ଲୁହର ନଈ ବୁହାଉଥିଲା ।

 

ଆହା ! କେତେ ସ୍ୱପ୍ନ, କେତେ କଳ୍ପନା, କେତେ ଭାବନା କ୍ଷଣକରେ କୁଆଡ଼େ ଉଭେଇଗଲା ।

 

ହାରାର ଛାତି ଭିତରଟା କରତି ହୋଇ ଯାଉଥିଲା ।

 

କେତେ ଦିଅଁ ଦେବତାଙ୍କୁ ସେ ନ ଡାକିଛି—ପ୍ରଭୁ ! ତୁମେ ତାଙ୍କୁ ଭଲରେ ରଖ, ଘଣ୍ଟ ଘୋଡ଼େଇ ଥାଅ ।

 

ମିଥ୍ୟା,

 

ସବୁ ଅଳିକ ।

 

ସବୁ ପ୍ରହେଳିକା ।

 

ସବୁ ଅସତ୍ୟ । ସୂର୍ଯ୍ୟ, ଚନ୍ଦ୍ର, ନଦନଦୀ, ପୃଥିବୀ, ସାଗର ସରିତ, ଗ୍ରହ, ନକ୍ଷତ୍ର ପୂଜା ଅର୍ଚ୍ଚନା, ଭକ୍ତି ସ୍ନେହ ସୋହାଗ । ସବୁ ଅସତ୍ୟ ।

 

ସବୁ ବୃଥା ।

 

ହାରାର ମନେ ହେଲା—ସେ ଏଇଲେ ଧାଇଁଯାଇ ଗୋପୀନାଥଙ୍କ ବିଗ୍ରହକୁ ଭାଙ୍ଗି ଖଣ୍ଡ ଖଣ୍ଡ କରିଦେବ । ନୀଳକଣ୍ଠେଶ୍ୱରଙ୍କ ମନ୍ଦିରଟାକୁ ପୋଖରୀରେ ଡୁବେଇ ଦେବ । ଧ୍ୱଂସ କରିଦେବ ଏ ବିଶ୍ୱ ଜଗତର ଯେତେ ଦିଅଁ ଦେବତା ଠାକୁରେ ଅଛନ୍ତି । ମନ ଭିତରେ ଜାଗରୁକ ହେଉଥିଲା କଳାପାହାଡ଼ର ନିର୍ମମ ନିଷ୍ଠୁରତା ।

 

ଠାକୁର ତା ପାଖରେ ପଥର ଖଣ୍ଡେ । ଜଗତ ତା ଆଖିର ମାୟାର କୁହେଳି । ପୃଥିବୀ ତା ନିକଟରେ ଅବାଞ୍ଚିତ ମାଟି ପିଣ୍ଡୁଳାଟାଏ ।

 

କେତେ ସପନ ସେ ଦେଖି ନ ଥିଲା ସତେ ।

 

ସେ ମନେକଲା—ଏଇ ମୁହୂର୍ତ୍ତରେ ସମସ୍ତେ ଯଦି ଧ୍ୱଂସ ହୋଇ ଯାଅନ୍ତେ ତାହାହେଲେ ତାକୁ ଶାନ୍ତି ମିଳନ୍ତା ।

 

ଶାନ୍ତି !

 

ତାର ଆଉ ଶାନ୍ତି କ’ଣ ବା ଦରକାର ।

 

ବରଂ ସାରାଜୀବନ ଅଶାନ୍ତି ହିଁ ତାକୁ ଶାନ୍ତି ଦେବ । ତାଙ୍କରି ଚିନ୍ତାରେ ଯେତେ ଅଶାନ୍ତି ଆସିବ ସେତିକି ତାର ଜଳିଲା ପ୍ରାଣ ଶାନ୍ତି ପାଇବ ।

 

ଯେତେ ବୁଝେଇଲେ ଅବୁଝା ମନଟା ବୁଝୁ ନାହିଁ ।

 

ଥରେ ହେଲେ ସେ ତାଙ୍କୁ ଦେଖି ନାହିଁ । କେବଳ ହାତରେ ହାତରଖା ଟିକିଏ ସ୍ପର୍ଶ ଛଡ଼ା ଆଉ ସେ କିଛି ହେଲେ ପାଇ ନାହିଁ । ସେ ଟିକିକ ସ୍ପର୍ଶ ଏତେ ନିବିଡ଼ ଯେ, ତାକୁ ସହଜରେ କଣ ଭୁଲିହେବ ।

 

ଧାର ଧାର ଲୁହର ଝରଣାରେ ହାରା ମନରେ କେତେ ଅଛିଣ୍ଡା ସ୍ମୃତିର ଝଲକ ।

 

ବାରଣ୍ଡା ଖୁଣ୍ଟିକୁ ଆଉଜି କରି ବସି ସେ ନିଜକୁ ନିଜେ ଘୃଣା କରିବାକୁ ଲାଗିଛି ।

 

କଣ ସେ ଥିଲା କାଲି । କଣ ସେ ହେଲା ଆଜି ! କାଲି ଯେଉଁ ଦିହରେ ଶଙ୍ଖା ସିନ୍ଦୂର ଦାଉ ଦାଉ ହେଉଥିଲା ଆଜି ସେଇ ଦିହଟା—କେଡ଼େ ନଙ୍ଗଳା ବିରୂପା ।

 

ନାରୀ ଜୀବନ ଆହା କି ବିଚିତ୍ର !

 

ଶୂନ୍ୟ ଆକାଶକୁ ଅନେଇଲେ ମନର ମଣିଷଟି ଥରକୁ ଥର ମନ ଭିତରେ ନାଚି ଉଠୁଛି-। ଲିଭି ଯାଏ ନାହିଁ ସହଜରେ ତା ଆତ୍ମା ଭିତରୁ ।

 

ସଙ୍ଗୀମାନେ ଯେତେ ବୁଝେଇଲେ ସେ କଣ ଆଉ ଫେରିବେ !

 

ଯିଏ ଥରେ ବାହୁଡ଼ିଲା ସେ ବାହୁଡ଼ିଲା । ଯିଏ ପଛରେ ରହିଲେ ତାଙ୍କରି କାନ୍ଦଣା ତାଙ୍କରି ମର୍ମଫଟା ଚିତ୍‌କାର । ତାଙ୍କରି ବୁକୁଥରା ବାହୁନା ।

 

ଲୁହର ତର୍ପଣ ।

 

ସ୍ମୃତିର ସେ ପାରି ଆଉ ଏ ପାରି ଭିତରେ ସତରେ କେତେ ଦୂରତା ।

 

ମାପିହୁଏ ନାହିଁ । ମପେଇ ହୁଏ ନାହିଁ ।

 

ମଣିଷ ବାହୁନେ । ଲୁହ ଢାଳେ, ମନେ ପକାଏ ।

 

ସିଏ କିନ୍ତୁ ଫେରେନା !

 

କାନ୍ଦି କାନ୍ଦି ଆଖି ଫୁଲିଲା ।

 

ନୀରବ ରାତିର ନିଶୂନ ଛାତି ଭିତରେ ମନର ଦୀର୍ଘ ନିଃଶ୍ୱାସ କୁଆଡ଼ିକି ମିଳେଇ ଗଲା । ତାହା କେହି ଜାଣିଲେ ନାହିଁ ।

 

ବେଣୁପାଣି ଚାଲିଗଲେ ।

 

ହାରା ରହିଗଲା ।

 

ଦିନେ ଗଲା ।

 

ଦୁଇ ଦିନ ଗଲା ।

 

ତିନି ଦିନ ଗଲା ।

 

ମାସ ଗଲା ।

 

ସମୟ ତାର ହିସାବ କିତାବ କରି ମାଡ଼ି ଚାଲିଲା ଆଗକୁ ଆଗକୁ ।

 

ମନ ବାହୁନିଲା ।

 

ପଛକୁ ଚାହିଁଲା ।

 

ପଛ ପଛ ହୋଇ ରହିଲା ।

 

ମାସ କେଇଟାରେ ବେଣୁପାଣିଙ୍କ ବିୟୋଗ ଦୁଃଖ ଜର୍ଜରିତ ବୃଦ୍ଧ ମହାପାତ୍ରେ ଆଖି ବୁଜିଲେ ।

 

ଖବର ଆସିଲା ମିଶ୍ରଙ୍କ ପାଖକୁ ।

 

ସେ ଖବର କିନ୍ତୁ କିଛି ଆଲୋଡ଼ନ ସୃଷ୍ଟି କଲା ନାହିଁ ମିଶ୍ରଙ୍କ ମନରେ ।

 

ମହାପାତ୍ରେ ଚାଲିଗଲେ ତାଙ୍କର ଯାଏ କେତେ ଆସେ କେତେ ।

 

ସେ ତ ଶୁଖିଲା ବରଡ଼ା ପତର, ଖସିବାର ଥିଲା ଖସିଗଲା ।

 

ସେଥିପାଇଁ ତାଙ୍କର ଭାବନା କ’ଣ !

 

ଯାହାପାଇଁ ସେ ରଥପୁର ଦାଣ୍ଡରେ ଗର୍ବିତ ପାଦ ଚଳୋଉଥିଲେ ସେତ ଅଦିନରେ ମଶାଣିର ପାଉଁଶ ହେଲା ।

 

ବେଣୁପାଣି ! ରୂପଗୁଣ କେଉଁଥିରେ ଶୁଣିବାର ନୁହେଁ ।

 

ଆଉ ହାରା—

 

କି ବେଳାରେ ଜନ୍ମିଥିଲା କେଜାଣି—ସୁଖ କଣ ସେ ଜାଣିଲା ନାହିଁ । ଏଡ଼େ ବଡ଼ ଜୀବନବୈଧବ୍ୟ କଷଣ ସହିବ ବା କିପରି !

 

ସେ ଆଜି ଅଛନ୍ତି, କାଲିକି ଚାଲିଯିବେ ।

 

ସିଏ ଭଲା ଆଗ ପଳେଇ ଯାଇଥାନ୍ତେ । ଯଦି ତାଙ୍କ ବଦଳରେ ବେଣୁପାଣି ରହିଯାଇଥାନ୍ତା ତାହାହେଲେ ସେ କେତେ ଖୁସି ହୋଇ ନ ଥାନ୍ତେ !

 

ବୁଦ୍‌ ବୁଦ୍‌ ଏ ମଣିଷର ଭାବନା ।

 

ସିଏ ଚାଲିଯିବେ ତ ହାରାର ବିଧବା ରୂପକୁ ଦେଖି କିଏ ଆଉ ଲୁହ ଗଡ଼େଇବ ? ହାରାବୋଉର ବିକଳ କାନ୍ଦଣା ଶୁଣି କାହାର କାନ ଦୁଇଟା ଆଉ ବଧିର ହେବ ? ଏକାଦଶୀ ତିଥିରେ ବାଳମୁକୁଳା କରି ଧୋବ ଲୁଗା ପିନ୍ଧି ଅଗଣା ପାଖ ବାରଣ୍ଡାର ବସି ଶୂନ୍ୟ ଆକାଶକୁ ଅନେଇ ହାରା ଯେତେବେଳେ ଆଖିରୁ ଲୁହ ଗଡ଼ାଏ ସେ ଲୁହର କଷଣ କିଏ ଛାତିରେ ସହ୍ୟ କରିବ ?

 

ନିଜପ୍ରତି ନିଜର ମମତା ହଜିଗଲାଣି ତାଙ୍କର ।

 

ମାସ କେତେଟାରେ ସେ ଯେମିତି ବୁଢ଼ା ହୋଇ ଗଲେଣି ।

 

ଚିତା ସିନା ପାର୍ଥିବ ଶରୀରଟାକୁ ଜାଳିପୋଡ଼ି ପାଉଁଶ କରିଦିଏ । ଚିନ୍ତା କିନ୍ତୁ ଜୀଅନ୍ତା ମଣିଷକୁ ପଳ ପଳ ଜଳାଏ । ଜାଳିଦିଏ ଦୁଃଖ, ବେଦନା, ବିଷାଦ ଓ ନୈରାଶ୍ୟରେ ହୃଦୟର ଶିରାପ୍ରଶିରା ସ୍ନାୟୁ କେନ୍ଦ୍ରକୁ ।

 

ତିକ୍ତ ଭାବନାରେ ସେ ଭାଙ୍ଗି ପଡ଼ିଲେଣି । ତେଣୁ ଦେବ ଦୁର୍ଲଭଙ୍କ ମୃତ୍ୟୁ ଖବର ତାଙ୍କୁ ବ୍ୟସ୍ତ କରି ନାହିଁ । ମାତ୍ର ମୃତ୍ୟୁ ଖବର ପାଇଲେ ସେ ଏକ ଅନାହୁତ ଭୟରେ ଏତେ ଭୟଭୀତ ହୋଇ ପଡ଼ନ୍ତି ଯେ ବେଳେ ବେଳେ ସେ ମୂର୍ଚ୍ଛା ହୋଇ ପଡ଼ନ୍ତି । ବେଳେ ବେଳେ ଆଖି ଆଗରେ ଜାଗ୍ରତ ହୁଏ ସେ ଦିନର ସେଇ କରୁଣ ସ୍ମୃତିଟି ।

 

କେତେ ଉଚ୍ଚାଶା, କେତେ ଭବିଷ୍ୟତର କଳ୍ପନା ନେଇ ସେ ହରିପୁର ମହାପାତ୍ରଙ୍କ ଘରେ ବନ୍ଧୁ ବାନ୍ଧିଥିଲେ । କିନ୍ତୁ କାଳ କଣ ନ କଲା । କି ପୋଡ଼ା କପାଳ ତାଙ୍କର କେଜାଣି ? ଏତେ ଦିଅଁ ଦେବତାଙ୍କୁ ଡାକି ଗୋଟିଏ ବୋଲି ଝିଅ ପାଇଥିଲେ ଯେ ତା କପାଳରେ ବିଧବା ଯୋଗ । ଦୁଃଖ ଛଡ଼ା ସୁଖ ସେ ସାରାଜୀବନ ଜାଣିବ ନାହିଁ ।

 

ବେଣୁପାଣିଙ୍କ ମୃତ୍ୟୁ ଖବର ପାଇଲା ଦିନରୁ ମିଶ୍ରେ ଯେପରି ସଂସାର ପ୍ରତି ବିତସ୍ପୃହ ହୋଇ ପଡ଼ିଛନ୍ତି । ଅକାଳ ବାର୍ଦ୍ଧକ୍ୟ ମାଡ଼ି ଆସିଛି ତାଙ୍କ ଜୀବନରେ । ସଂସାର ଆଉ ତାଙ୍କୁ ଭଲ ଲାଗୁ ନାହିଁ । ପିଲା ଦିନରୁ ଯେଉଁ ସୁକୁମାରିଆ ହୋଇ ଚଳି ଆସିଥିଲେ ତାହା ଆପେ ଆପେ କମିଗଲାଣି । ଆଗରୁ ଚାରିଠା ପାଞ୍ଚଠା ନ ହେଲେ ମିଶ୍ରଙ୍କୁ ଭାତ ରୁଚୁ ନ ଥିଲା । ଏବେ ଯାହା ହେଲେ ଚଳି ଯାଉଛି । ଅଭ୍ୟାସ ମଧ୍ୟ କ୍ରମେ କ୍ରମେ ବଦଳି ଗଲାଣି । ଆଗରୁ ଦି ପହରେ ଦାଣ୍ଡ ଦୁଆରେ ପଶାପାଲି ନ ପଡ଼ିଲେ ତାଙ୍କର ଭାତ ହଜମ ହୁଏ ନାହିଁ । ଏବେ ଗହଳି ଚହଳି ଦେଖିଲେ ଚିଡ଼ି ମାଡ଼ୁଛି, ବିଷ ପିତା ପରି ଲାଗୁଛି ପଶା ଖେଳ ।

 

ଆଗରୁ ଗୋପୀନାଥଙ୍କ ଦେଉଳର ଯାନିଯାତ ପୁଣ୍ୟପର୍ବରେ ମିଶ୍ରେ ମାମଲତକାର ହେଉଥିଲେ । ତାଙ୍କ ହାତରେ ଖମାରଚାବି ରହୁଥିଲା । ମିଶ୍ରେ ନ ଗଲେ ଦେଉଳରେ ଯନ୍ତାଳ ନ ହୁଏ । ଏବେ ଗୋପୀନାଥଙ୍କ ଦେଉଳ ମଣ୍ଡପ ପର୍ଯ୍ୟନ୍ତ ସେ ଉଠୁ ନାହାଁନ୍ତି । ଖମାରଚାବି ମଧ୍ୟ ଦେଇ ଦେଇଛନ୍ତି ।

 

ସବୁଥିରେ ମିଶ୍ରଙ୍କର ଏଣିକି ଅନାଗ୍ରହ । ଆଗରୁ ଭଲମନ୍ଦରେ ପାଞ୍ଚଲୋକ ତାଙ୍କଠୁ ପାଞ୍ଚକଥା ଉପଦେଶ ନେଉଥିଲେ । ଏବେ ଆଉ ତା’ବି ନାହିଁ । ସବୁବେଳେ ଉଦାସ । ମୁହଁରେ ତାଙ୍କର ଆଉ ପୂର୍ବଭଳି ହସ ନାହିଁ । ପୂର୍ବରୁ ଗାମ୍ଭୀର୍ଯ୍ୟ ନାହିଁ ଚାହାଣୀରେ ।

 

ମାସ କେଇଟାରେ ମିଶ୍ରେ ଯେମିତି ବୃଦ୍ଧ ହୋଇଯାଇଛନ୍ତି । ତା ସହିତ ହଜେଇ ବସିଛନ୍ତି ନିଜର ଦମ୍ଭ, ଦର୍ପ, ଅଭିମାନ ।

 

ଆଉ ହାରାବୋଉ—

 

ସାଇର ସବୁଠୁ ମିଳାପୀ, ସବୁଠୁ ମିଶାଣ ମାଈପି । ଏକଦମ୍‌ ପଥର ହୋଇ ଯାଇଛି । ଆଉ ଆଜିକାଲି ସେ ବେଶିବେଳ ପଦାକୁ ବାହାରେ ନାହିଁ । ହାରାର ଶୁଖିଲା ମୁହଁ ଚାହିଁ ଚାହିଁ ତାର ଦିନଯାଏ । ଘରେ ଦିଅର ଦୀନବନ୍ଧୁଙ୍କ ପୁଅ ବାୟା । ଚଗଲାଟା, ହେଲେ ଭାରି ବୁଦ୍ଧିଆ । ତା’ରି ମୁହଁକୁ ଚାହିଁ ଦିନ କାଟିବା କଥା, ବାୟା ମଣିଷ ହେବ, ତାଙ୍କ କୁଳ ଉଦ୍ଧାରିବ—ଇଏ ଖାଲି ମନକଥା ସିନା, ସତ କି ମିଛ ଠାକୁରେ ଜାଣନ୍ତି ।

 

ହାରା କଥା ଭାବି ଭାବି ହାରାବୋଉ କଣ୍ଟା ପାଲଟି ଗଲାଣି । ଏଡ଼େ ଜୋରଦାର ମାଈପି ଶୁଖି କଳାକାଠ ପଡ଼ିଗଲାଣି । ଗଛପରି ଭେଣ୍ଡା ଜୋଇଁ ଚାଲିଗଲା । ସିଏତ କାଲିକି କାଲି ଚାଲିଯିବେ । ତାପରେ ହାରା ଜୀବନରେ କଣ ଘଟିବ ଏଇୟା ତାଙ୍କର ନିତି ଭାବନା ।

 

ବାୟାଟାକୁ କୋଳେଇଛନ୍ତି ସେ, ତାକୋଇ ସଂସାରର ଦାୟିତ୍ୱ ଦେଇଯିବେ, ସେ କଣ ହାରାକୁ ସମ୍ଭାଳିବ ? କେତେ ଗେଲବସରର ଝିଅ ହାରା । ପଦେ କଥାରେ ଅଭିମାନ କରି ବସେ । ତା କଥା ତା ମନ ସାରାଜୀବନ ବାୟା କଣ ବୁଝିବ ?

 

ହାରାବୋଉ ଏଇ ଚିନ୍ତାରେ ଝଡ଼ି ଗଲାଣି ।

 

ଏଇଥିପାଇଁ ସେ ଗୋପୀନାଥଙ୍କ ପାଦତଳେ ଦୀପ ବସାଏ । ତାଙ୍କୁ ଗୁହାରି କରେ ପ୍ରଭୁ-! ହାରା ତୁମକୁ ଲାଗିଲା । ମାଗି ଆଣିଛି ବାୟାକୁ । ଦୁହିଁଙ୍କି ତୁମେ ଦୟା କରିବ । ଆମର ଆଉ କେତେଦିନ । ତୁମରି ଭରସାରେ ପିଲା ଦୁଇଟିଙ୍କି ଛାଡ଼ିଦେଇ ଆମେ ବୁଢ଼ାବୁଢ଼ୀ ଆଖିବୁଜିବୁ ।

 

ସେ ଦିନ ସଞ୍ଜବେଳେ ଦାଣ୍ଡ ଦୁଆର ନଡ଼ିଆଗଛ ମୂଳେ ଦେଉଳ ଆଡ଼କୁ ଚାହିଁ ଠାକୁରଙ୍କୁ ହାତ ଯୋଡ଼ିଲାବେଳେ ଯମୁନାବୋଉ ସେ ବାଟ ଦେଇ ଯାଉଥିଲା । ହାରାବୋଉକୁ ଦେଖି ପାଖକୁ ଆସି ଦେଖେତ ହାରାବୋଉ ଲୁଗାକାନିରେ ଲୁହ ପୋଛୁଛି ।

 

ଯମୁନାବୋଉ ହାରାବୋଉକୁ କୁଣ୍ଢେଇ ପକେଇ ଦେହ ଆଉଁଷି ଦେଇ କହିଲା—ନାନୀମ, ତୁମେ ସତରେ କେତେ ଝଡ଼ିଗଲଣି । ତୁମକୁ ଦେଖିଲେ ଆଦୌ ଚିହ୍ନି ହେବନି ।

 

ହାରାବୋଉ ଶୁଖିଲା ହସ ହସି କହିଲା—ମୋର ଆଉ କେତେଦିନ କହିଲୁ । ଦେଖିଲୁ ତ ଦଇବ ଦଣ୍ଡ । କି ଦୋଷ ମୁଁ ସୁଁକାର କରିଥିଲି ଯେ ଦଇବ ମୋତେ ଏ ଦଣ୍ଡ ଦେଲା । ଆଉ ଏ ଦେହଟାରେ ଲୋଭ ନାଇଁମ । ଖାଲି ହାରା ଚିନ୍ତା । କଣ କରିବି କିଛି ଥିର କରିପାରୁନି । ଆଜି କାଲିକା କଥାତ ଜାଣୁ । ଆଉ କଣ ହାରା ବେଦୀରେ ବସିବ ଯେ ମନରେ ସୁଖ ଆସିବ । ତାଙ୍କ କଥାତ ଜାଣୁ, ଏଡ଼େ ଦମ୍ଭିଲା ମଣିଷ । ଗୋଟା ପଣେ ଶୁଖି ବରଡ଼ା ପତର ପରି ହୋଇ ଗଲେଣି । ମନରେ ହରଷ ନାହିଁ । ସବୁ କଥାକୁ ଉଦାସିଆ । ଶୁଖିଲା ହେଉ, ପଖାଳ ହେଉ, ଥାଉ ନ ଥାଉ, ସବୁଥିରେ ଚଳୁଛି । ଯେଉଁଠି ବସୁଛନ୍ତି ବସୁଛନ୍ତି । ବେଶି କଥାବାର୍ତ୍ତା କଲେ ଚିଡ଼ୁଛନ୍ତି । ଘଡ଼ିଏ ରାତି ହେଲେ ଯାହା ଦେଲେ ମୁଠେ ଖାଇ ଦେଇ ଦାଣ୍ଡ ଦୁଆରେ ଶୋଇ ପଡ଼ୁଛନ୍ତି । ବାୟାଟା ଯାଇ ପାଖରେ ଶୋଇବାକୁ ଲାଳେଇ ପାଳେଇ ହବ ଯେ ତାକୁ କହିବେ ଯା, ବୋଉ ପାଖରେ ଶୋଇ ପଡ଼ିବୁ । କିମିତି ଏ ପିଣ୍ଡରୁ ପ୍ରାଣ ଯିବ ସେଇ ଭାବନା ।

 

ଏ କଥାକୁ ଯମୁନା ବୋଉର ଉତ୍ତର ନାହିଁ । ହାରାବୋଉପରି ବୁଝିଲା ମାଈପିକି ସେ ବା କଣ ବୁଝେଇବ । ଦିପଦ ବୁଝେଇ ଯମୁନାବୋଉ କହିଲା—ନାନୀଲୋ, ଯାହା ହବାକୁ ଥିଲା ତା ହେଲା । ସେଥିକି କାହାର ହାତ ଅଛି କହିଲୁ ? ମଣିଷ କଥା କଥେ, ଦଇବ କଥା ଆଉ କଥେ । ମଣିଷ ଜୀବନ ପାଣି ଫୋଟକା । କେତେବେଳେ କଣ ହେବ ତାହା କାହାକୁ ଜଣା ? କପାଳରେ ଯାହାଲେଖା ହୋଇଛି ତାକୁଇ ଆମେ ଭୋଗ କରିବା । ମନ ଦୁଃଖ କର ନାହିଁ ମ ନାନୀ, କାଲିପରି ବାୟା ପାରିଯିବ । କୂଳରେ ଯେତେବେଳେ ରୋପିଛୁ ସେ ତ ନିଶ୍ଚେ ଛାଇ କରିବ । ହାରାକଥା ଭାବି ଆଉ ଲାଭ କଣ କହିଲୁ ? ତା କଥା ବାୟା ବୁଝିବନି । ଭଗବାନେ ତ ଅଚଳ କରି ନାହାନ୍ତି । ବର୍ଷକ ଗଣ୍ଡାକ ଚଳୁଛି । ବାୟା ପାଖରେ ହାରା ତା ଜୀବନ କଟେଇ ଦେବନି । ଯେତେହେଲେ ତ ରକ୍ତର । ତୁ କାନ୍ଦନି ଲୋ ନାନୀ । ଏଇ ଦେହରେ ତ ସବୁ ସହିବା । ମଣିଷ ଜନମ ପାଇଛେ ଯେତେବେଳେ ଯାହା ଯେତେବେଳେ ଆସିବ ତାକୁ ଭୋଗ କରିବା । ହଁ, ମୁଁ ଯାଉଛି ନାନୀ, ପିଲାଗୁଡ଼ାକ ତେଣେ କେଁ କାଁ କରିବେଣି । ଦିଅଁଙ୍କ ପାଖରେ ଦୀପଟିଏ ବସେଇ ଦେବାକୁ ମଧ୍ୟ ତର ମିଳୁନି ।

 

ଯମୁନାବୋଉ ଚାଲିଗଲା ।

 

ନଡ଼ିଆ ଗଛମୂଳେ ଠିଆ ହୋଇ ହାରାବୋଉ ତା ଯିବାବାଟକୁ ଅନେଇଲେ ।

 

ଯମୁନା ବୋଉ—ପିଲେଇତି ମାଇକିନା । ପୁଅ ଝିଅ ହୋଇ ଦଶଟା, ଯମୁନା ହାରାର ସାଙ୍ଗ । ଯମୁନା ଉପରେ ତିନୋଟି ବାହାହୋଇ ସଂସାର କଲେଣି । ଆଠଦିନ ତଳେ ଯମୁନାର ନିର୍ବନ୍ଧ ହେଲା । ସେମିତି ଚଳନ୍ତି ପକ୍ଷ ନ ହେଲେ ମଧ୍ୟ ଯମୁନାବୋଉର ଭାଳେଣି ନାହିଁ । ଭଗବାନ ତାକୁ ଚଳେଇ ନେଉଛନ୍ତି । ଭାରି ଧୀର ମାଈପିଟିଏ । କାହା ଭଲ ମନ୍ଦରେ ନ ଥାଏ । ତା ପିଲେ ଭଲ ତ ସିଏ ଭଲ । ଯମୁନାବୋଉ ଡଗଡଗ ହୋଇ ଚାଲି ଗଲାଣି ।

 

ହାରାବୋଉ ଦୀର୍ଘନିଃଶ୍ୱାସ ପକାଇ ଘର ଭିତରକୁ ପଶିଲେ ।

 

ରାତି ଦୁଇଘଡ଼ି ହୋଇ ଗଲାଣି ।

 

ଡିବିରି ଲଗେଇ ମିଶ୍ରେ କଣ ହିସାବ କିତାବ କରୁଛନ୍ତି । ରୋଷେଇ ଘରେ ଚୁଲି ମୁଣ୍ଡରେ ବସି ହାରା ଚୁଲି ଜାଳୁଛି । ତା ପାଖରେ ବାୟା । ତାଠୁ ବୟସରେ ତିନିବର୍ଷ ସାନ । ଦିକ୍‌ଦିକ୍‌ ହୋଇ ଚୁଲି ଜଳୁଛି । ହାଣ୍ଡିରେ ତରକାରୀ ଫୁଟୁଛି ।

ଚୁଲିରେ କାଠ ମୁହାଉଁ ମୁହାଉଁ ହାରା ପଚାରିଲା—ବାୟା ତୁ ପାଠ ପଢ଼ିବୁଟିରେ— ?

ବାୟା ଭାରି ଚାଲାକ । କହିଲା—ବୁଝିଲ ନାନୀ—ମୋର ବେଶିଗୁଡ଼ାଏ ପାଠ ପଢ଼ିବାକୁ ଇଚ୍ଛା ନାଇଁମ । ତାଛଡ଼ା ପାଖରେ ତ ସ୍କୁଲ ନାହିଁ । ତେବେ ସଂସ୍କୃତ କିଛି ପଢ଼ିବି । ନ ପଢ଼ିଲେ ଘରକାମ ଚଳିବ କିପରି କହିଲୁ । ତୁ ମନ ଦୁଃଖ କରନା ଲୋ ନାନୀ, ତୁତ ମୋ ପାଖରେ ସବୁଦିନ ରହିବୁ । ନନା ପରା ସେ ଦିନ ବୋଉକୁ କହୁଥିଲେ ତୋର ମୋର ଏକାଠି ରହିବା । ନନା ବୋଉକୁ ଚୁପ୍‌ ଚୁପ୍‌ କହିଲାବେଳେ ମୋ କାନରେ ପରା ପଡ଼ିଗଲା ।

ଚୁଲି ମୁହାଉଁ ମୁହାଉଁ ହାରା ଆଖି ପୋଛିଲା । ଦଶ ବରଷର ବାୟା । ତଥାପି ସବୁ ଦୁଃଖ ସେ ବୁଝିପାରିଛି । ତା ସରଳ ହୃଦୟରେ ତା ପ୍ରତି ମମତା ଅଛି । ଭଉଣୀ ସ୍ନେହର ଆକର୍ଷଣ ଅଛି । ଯାହା ତା ମନକୁ ଆସୁଛି ତା ସେ ବ୍ୟକ୍ତ କରୁଛି । ତା ପାଖରେ ।

ବାୟାର ପିଠି ଆଉଁଷି ହାରା କହିଲା—ତୁ ପାଠ ପଢ଼ରେ ଚଗଲା । ନନାଙ୍କର ଯେତେକ ପୋଥି ଅଛି ସେତକ ପଢ଼ିଲେ ତୁ ପଣ୍ଡିତ ହୋଇଯିବୁ ।

ଏତିକି ବେଳକୁ ହାରାବୋଉ ଆସି କହିଲା—ହାରା, ତୁ ଦାଣ୍ଡ ଘରକୁ ନନାଙ୍କ ପାଖକୁ ଯା, ମୁଁ ତରକାରୀ ଦେଖୁଛି । ହାରା ଉଠି ଦାଣ୍ଡ ଘରକୁ ଗଲା ।

ତା ପଛେ ପଛେ ବାୟା ମଧ୍ୟ ଗଲା ।

ଅଣକ ପୂରେଇ ତରକାରୀ ଘାଣ୍ଟୁ ଘାଣ୍ଟୁ ହାରାବୋଉ କେତେ କଣ ଭାବିବାକୁ ଲାଗିଲେ-

ରାତି ବିତିଲା ।

ସକାଳ ହେଲା ।

ସଞ୍ଜ ହେଲା ।

ପୁଣି ରାତି ଆସିଲା ।

ପୁଣି ଦିନ ହେଲା ।

ଦିନ ଗଲା । ମାସ ଗଲା । ଗ୍ରୀଷ୍ମ, ବର୍ଷା, ଶୀତ ଗଲା ।

ବର୍ଷଗଲା ।

ବର୍ଷ ବର୍ଷ ହୋଇ କେତେ ବର୍ଷ ଗଲା ।

କାଳ ପ୍ରବାହରେ କେତେ ଘଟଣା ଘଟିଗଲା ।

ରଥପୁରରୁ କେତେ ଗଲେ । କେତେ ନୂଆ ଅତିଥି ରଥପୁର ମଣ୍ଡନ କଲେ ।

ନୀଳକଣ୍ଠେଶ୍ୱରଙ୍କ ଦେଉଳ ସାମନା ବଡ଼ ପୋଖରୀ ଉତ୍ତର ପାଖ ହୁଡ଼ା ଆର ପାଖେ, କିଆଗୋହିରୀ ସେମୁଣ୍ଡେ, ମଶାଣି ଦାଣ୍ଡର ପାଉଁଶ ଭିତରେ ରଥପୁରର କେତେ ଯେ ରଥୀ ମହାରଥୀ ହଜିଗଲେ ତାର ଠିକଣା ରହିଲା ନାହିଁ । ରଥପୁରକୁ ବଧାଇ ସେମାନେ ସବୁ ବିଦାୟ ନେଲେ ।

ଦିନେ—

ସେମାନଙ୍କ ସହିତ ମିଶିଗଲେ ମୃତ୍ୟୁଞ୍ଜୟଙ୍କ ଶଶ୍ୱୁର ରଥ ଆପଣେ ।

ରଥ ଆପଣେ ଯେଉଁଦିନ ଗଲେ ସେ ଦିନ ରଥପୁରର ଗଛଲତା, ପାଣି ପବନ ସମସ୍ତେ କାନ୍ଦିଉଠିଲେ । ରଥପୁରର ଲକ୍ଷ୍ମୀ ଚାଲିଗଲେ ସତେ ଯେମିତି ରଥଙ୍କ ସହିତ । ସେ ଚାଲିଯିବା ଦିନ ରଥପୁର ଗାଁ ଦାଣ୍ଡରେ ଯେଉଁ ଅବୋଧ୍ୟ ଶୂନ୍ୟତା ଓ ଅସ୍ପଷ୍ଟ ବିଳାପ ଧ୍ୱନି ଭରିଗଲା ତାହା ଅନୁଭବୀ ଛଡ଼ା ଅନ୍ୟ କେହି ଅବଗତ ହେବା ସହଜ ନୁହେଁ ।

ଦୟା, ଧର୍ମ ଓ ନିରଳସତାର ଅବତାର ରଥ ଆପଣେ ଚାଲିଗଲେ । ତାଙ୍କ ସହିତ ଚାଲିଗଲା ଛନ୍ଦ ଲାଳିତ୍ୟ ନୈଷଧର ସୁଲଳିତ ଗାନ ।

ରଥେ ନୈଷଧର ଶ୍ଳୋକ ଗାନ କରିବାରେ ପାରଙ୍ଗମ ଥିଲେ ।

ସେ ଚାଲିଗଲେ । ତାଙ୍କ ସହିତ ଚାଲିଗଲା ରଥପୁରର ଏକ ବଳିଷ୍ଟ ମଣିଷ ପଣିଆ ।

କେତେ ତ ଏମିତି ଯାଆନ୍ତି । ମାତ୍ର ରଥଙ୍କ ପରି ସବୁରିଙ୍କର ସ୍ନେହ ଶ୍ରଦ୍ଧା ଭକ୍ତି ଓ ଭୟର ପାତ୍ର ମଣିଷ ଜଣେ ଜଣେ ଚାଲିଗଲେ ସବୁରିଙ୍କି ବାଧେ ।

ରଥଙ୍କ ଚାଲିଯିବାଟା ମିଶ୍ରଙ୍କୁ ଯେତେ ବାଧିଛି ତାଠାରୁ ଶତ ଗୁଣେ ବାଧିଛି ତାଙ୍କ ଧର୍ମପତ୍ନୀ ଶକୁନ୍ତଳାଙ୍କୁ । ବାପ ଘର ବୋଲି ହାରା ବୋଉର କେଡ଼େ ଦମ୍ଭ । ମିଶ୍ରେ ଯେଉଁଦିନ ରାଗରେ ଦିପଦ ଗରଗର ହୋଇ କହିଛନ୍ତି ହାରାବୋଉ ବାରିପାଖେ ତୁନିହୋଇ ବାପଘରକୁ ଚାଲିଯାଏ । ବାପଘର ବୋଇଲେତ ଆଉ କେହି ନାହିଁ । କେବଳ ରଥ ଆପଣେ । ତାଙ୍କ ପାଖରେ ବସି ହାରାବୋଉ ଅସରାଏ କାନ୍ଦି ଦେଲେ ତାର ଅଭିମାନ ତୁଟିଯାଏ । ରଥେ ଆପଣ ପୁରାଣ ଶାସ୍ତ୍ରରୁ ଉଦାହରଣ ଦେଇ ଶ୍ଳୋକ କେତୋଟି ବୋଲି ବୁଝେଇ ଦେଲେ ମନ ବୁଝିଯାଏ । ମିଶ୍ରଙ୍କ ଉପରେ ଯେଉଁ ରାଗ ତାହା ବଳେ ବଳେ କମିଯାଏ । ହାରାବୋଉ ସୁନା ପିଲା ପରି ଘରକୁ ଫେରିଆସି କାମରେ ଲାଗେ ।

ରଥେ ଚାଲିଗଲେ । ହାରା ବୋଉର ବାପଘର ବୋଲି ଯେଉଁ ଅହଙ୍କାର ଟିକକ ଥିଲା ତାହା ମଧ୍ୟ ତାଙ୍କ ସହିତ ଚାଲିଗଲା ।

ଗାଁ ମାନଙ୍କରେ ଏପରି ଜଣେ ଜଣେ ମହାନ୍‌ ପୁରୁଷ ଜନ୍ମ ଗ୍ରହଣ କରିଥାନ୍ତି, ଯାହାଙ୍କ ପ୍ରତିଭା ଓ ଆଦର୍ଶ ଯୋଗୁଁ ଗାଁର ସୁନାମ ବଢ଼େ । ଏଇ ବ୍ୟକ୍ତି ବିଶେଷଙ୍କ ବଳିଷ୍ଠ ବ୍ୟକ୍ତିତ୍ୱରେ ଗାଁର ବ୍ୟକ୍ତିତ୍ୱ ଫୁଟେ । ଗାଁରେ ଶାନ୍ତି ଶୃଙ୍ଖଳା ରହେ । ଉତ୍ତର ପୁରୁଷମାନେ ସେମାନଙ୍କର ଆଦର୍ଶରେ ଅନୁପ୍ରାଣିତ ହୋଇ ଗାଁର ଐକ୍ୟ ଓ ସଂହତି ରକ୍ଷା କରନ୍ତି । ଗାଁ ମାନଙ୍କରେ ଖେଳି ବୁଲେ ଶାନ୍ତି ଆନନ୍ଦ ସ୍ନେହ ଶ୍ରଦ୍ଧାର ସମୀରଣ । ସେମାନଙ୍କର ଉନ୍ନତ ଚିନ୍ତାଧାରା ଓ ବଳିଷ୍ଠ ନେତୃତ୍ୱରେ ଗାଁର ସର୍ବବିଧ ବିକାଶ ଘଟେ । ଗାଁର ଧନୀ ଦରିଦ୍ର ସବୁ ଶ୍ରେଣୀର ଲୋକ ପରସ୍ପର ଭାତୃତ୍ୱର ବନ୍ଧନରେ ବାନ୍ଧିହୋଇ ସୁଖରେ ରହନ୍ତି ।

ଏଇଭଳି ଏକ ବ୍ୟକ୍ତିତ୍ୱ ରଥ ଆପଣେ କାଳ ପ୍ରବାହର କରାଳ ସୁଅ ମୁହାଁଣରେ ଭାସିଗଲେ । ତାଙ୍କ ପଛରେ ରହିଲା ଏକ ବିରାଟ ଶୂନ୍ୟତା । ତାଙ୍କ ଥାନ ଆଉ ପୂରଣ କରିବାକୁ ରଥପୁରରେ ରଥୀ କାହାନ୍ତି ?

ରଥଆପଣେ ଗଲାଦିନଠୁ ହାରାର କେମିତି ଏକ ପରିବର୍ତ୍ତନ ଘଟିଲା ପରି ଜଣାପଡ଼େ । ବାହାଘରର ଦୁଇବର୍ଷ ପରେ ସେ ମରଣର ସମ୍ୱାଦ ଶୁଣିଥିଲା । କିନ୍ତୁ ମୃତ୍ୟୁ କଣ ସେ ବୁଝି ପାରିନଥିଲା । ମରଣର ଖବର ପାଇ ସେ କେବଳ ଅନୁଭବ କରିଥିଲା ତାର ମନର କପୋତଟି କେଉଁ ଅଜ୍ଞାତ ଅଶ୍ରୁତ ଜନମାନବ ଅବିଦିତ ନିର୍ଜନ ସ୍ଥାନକୁ ଉଡ଼ିଯାଇଛି । ସେ ସେତେବେଳେ ହୃଦବୋଧ କରିପାରି ନଥିଲା ମୃତ୍ୟୁର ବିଶାଳ ବେଦନାସିକ୍ତ ଦାରୁଣ ରୂପଟିକୁ ।

ମୃତ୍ୟୁ ଯେ ଏତେ ନିଷ୍ଠୁର, ଏତେ ଭୟଙ୍କର, ଏତେ ମର୍ମସ୍ପର୍ଶୀ ତାହା ସେ ଅଙ୍ଗେ ଅଙ୍ଗେ ଅନୁଭବ କଲା ଯେଉଁଦିନ ଅଜାଙ୍କ ପାଖରେ ବସିବାବେଳେ ଅଜା ତାର ପ୍ରାଣ ଛାଡ଼ିଲେ ।

ଜୀବନ ଓ ମୃତ୍ୟୁ ! ଏ ମହାସୃଷ୍ଟିର ମହାସତ୍ୟର ଏକ ମହାମିଳନ ସ୍ଥଳ । କ୍ଷଣକ ପୂର୍ବରୁ ସେ ଯେ ଚଳଶୀଳ ଜୀବନ କ୍ଷଣକ ପରେ ସେ ନିଶ୍ଚଳ ମୃତ୍ୟୁ । ଜୀବନ ଓ ମୃତ୍ୟୁର ସୀମାରେଖାଟି ନିର୍ଦ୍ଧାରଣ କରିବା ସତରେ କେତେ କଠିନ !

ହାରାମନରେ ରଥ ଆପଣଙ୍କ ମୃତ୍ୟୁ ଯଥେଷ୍ଟ ପ୍ରଭାବ ପକେଇଛି । ଅଠର ବର୍ଷର ହାରା-। ଦେହରେ ଫୁଟନ୍ତା କୁସୁମର ବାସଭରା ଚହଟ । ମୁଖରେ ପ୍ରାଣପୂରନ୍ତା ଜୀବନର ଢେଉ । ଦେହରେ ବୈଧବ୍ୟର ନିରାଡ଼ମ୍ୱର ନିର୍ମଳ ଶାନ୍ତ ସୌମ୍ୟ ଦିବ୍ୟ ଉଦାରତା । ଆଉ ମନ ଭିତରେ ବେଦନାର ଅସରନ୍ତି ସୁଅ ।

ଅଜା ମରିବା ଦିନଠୁ ମୃତ୍ୟୁର ଭୟାବହତା ତାର ଅଙ୍ଗ ଥରେଇଛି । ବିଗତ ଚାରି ପାଞ୍ଚ ବର୍ଷଭିତରେ ରଥପୁରରେ କେତେ ମରିଛନ୍ତି । କେତେ ଲୋକଙ୍କ ଚିତାଗ୍ନିର ଧୂମ୍ରପଟଳ ମଶାଣି ଦଣ୍ଡାର କିଆ ଗୋହିରୀକି ସ୍ତମ୍ଭୀଭୂତ କରିଛି । ସେ ଦେଖିଛି । ସେ ଶୁଣିଛି । କେତେ ବିଧବାଙ୍କର କରୁଣ ବିଳାପଧ୍ୱନି ତାର କାନରେ ବାଜିଛି । ସେଇ କରୁଣ କ୍ରନ୍ଦନ ଧ୍ୱନି ଭିତରେ ସେପାରିରୁ ବେଣୁପାଣିଙ୍କର ପ୍ରାଣର ଚିତ୍‌କାର ତାର ବଅଚେତନ ମନରେ ଆଲୋଡ଼ନ ସୃଷ୍ଟି କରିଛି । ସେ କାନ୍ଦିଛି । ସେ ଆଖିରୁ ଲୁହ ଗଡ଼େଇଛି । ଗାଁର ବୃଦ୍ଧା ବିଧବାମାନଙ୍କର ରାତିଅଧିଆ ବାହୁନାପକା କାନ୍ଦଣା ତାର ମନଗହନକୁ ବହୁବାର ଆନ୍ଦୋଳିତ କରିଛି । କିନ୍ତୁ ମୃତ୍ୟୁର ପାଖେ ପାଖେ ରହି ମୃତ୍ୟୁର ଦାରୁଣ ନିର୍ମମତାକୁ ସେ କେବେହେଲେ ମାପିନାହିଁ, ଯେମିତି ସେ ମାପିଛି ତା ଅଜାଙ୍କ ମୃତ୍ୟୁଶଯ୍ୟାର ପାଖେ ପାଖେ ରହି ।

ବେଳେ ବେଳେ ସେ ଦୃଶ୍ୟଟି ସ୍ମରଣକଲେ ହାରାର ଦେହମୁଣ୍ଡ ଶୀତେଇ ଉଠେ ।

ଆହା—ମୃତ୍ୟୁବେଳକୁ ମଣିଷର ଜୀବନ ପ୍ରତି କି ଅଭିନବ ମମତା ଜାଗରୁକ ହୁଏ । ସତେ ଯେମିତି ଠିକ୍‌ ମରଣ ମୁହୂର୍ତ୍ତରେ ମଣିଷ ନିଜକୁ ନିଜେ ଭଲପାଇ ଶିଖେ ।

ଆଖିରେ ନାଚୁଛି ଅଜାଙ୍କର ଛଳ ଛଳ ଆଖି ଦୁଇଟିରେ ମମତା ମଧୁର ଶାନ୍ତ ପ୍ରସନ୍ନତା-। ସେ ବିଧୂରଆଖି ଦୁଇଟିରେ ଯେଉଁ ମହାଜୀବନର ସ୍ନେହ ଅମୃତ ମଖା ହୋଇଥିଲା ତାହା ସହଜରେ ଭୁଲି ହେଉନାହିଁ ।

 

ଠିକ୍‌ ମୃତ୍ୟୁର କେତୋଟି ମୁହୂର୍ତ୍ତ ପୂର୍ବରୁ ପାଖରେ ବସେଇ ଅଜା ତା ମୁଣ୍ଡରେ ହାତ ଆଉଁଷି ଥରଥର କଣ୍ଠରେ କହିଥିଲେ ମା, ତୋପାଇଁ ଗୋପୀନାଥେ ଅଛନ୍ତି । ସିଏ ଏ ଗାଁର ଇଷ୍ଟଦେବତା ଜନ୍ମମରଣ ମୁକ୍ତିର ସାଥି । ତାଙ୍କୋଇ ସେବା କରିବୁ । ତାଙ୍କରି ପାଦତଳେ ଧ୍ୟାନ ଦେବୁ । ସେ ତୋତେ ଜୀବନର ପଥ ଦେଖେଇବେ ଅନ୍ଧାରରେ ଆଲୁଅ ଦେବେ । ତମସାରେ ଜ୍ୟୋତି ଭରିବେ । ସେ ଇଚ୍ଛାମୟ । ସେ ଲୀଳାମୟ । ତାଙ୍କରି ଇଚ୍ଛା ତାଙ୍କରି ଲୀଳା ତୋ ଜୀବନରେ ରୂପ ନେବ—

 

ଅଜା ଆଉ କହିପାରିଲେ ନାହିଁ । ମୁଣ୍ଡରେ ହାତ ଆଉଁଷି ଆଣିଲେ ତାର । ଏ ଆଉଁଷାରେ ତାଙ୍କ ଅନ୍ତିମସ୍ନେହ ମମତା ଆଶୀର୍ବାଦ ଓ ଜୀବନର ମହାସତ୍ୟ ଗୋଳି ହୋଇଥିଲା ।

 

ଗାଁ ସାରା ରୁଣ୍ଡ ହୋଇଥିଲେ ଘରଭିତରେ । ପାଦତଳେ ବୋଉ, ପାଖରେ ନନା, ପାଖରେ ବାୟା । ପାଟିରେ ଗଙ୍ଗାଜଳ ଦେଉ ଦେଉ ଅଜା ପ୍ରାଣ ଛାଡ଼ିଲେ ।

 

ତା ପରେ ସବୁ ଶୂନ୍‌ଶାନ୍‌

 

ଡୋଳା ସ୍ଥିର ।

 

ମୁଖର ଦୀପ୍ତି ମଳିନ ।

 

ହାତ ପାଦ ଶୀତଳ ।

 

ମୃତ୍ୟୁ ।

 

ତାପରେ ସମସ୍ତଙ୍କର ବିକଳ କ୍ରନ୍ଦନ ।

 

ହାରାର ଛାତିରେ ସତେ ଯେମିତି ଶୋଲରୀଟା ଲଦା ହୋଇଗଲା । ଆଖିର ଲୁହଭିତରେ ପାଞ୍ଚ ବରଷ ପଛର ମୃତ୍ୟୁଟି ରୂପ ନେଲା—ସେତ ଏମିତି ପ୍ରାଣ ଛାଡ଼ିଥିବେ ! ସେତ ଏମିତି ଆପଣାର ଲୋକକୁ ଖୋଜିଥିବେ ! ମନକଣ ଚାହିଁ ନଥିବ ମୋତେ ଟିକିଏ ପାଖରେ ଦେଖିବାକୁ । ମନକଣ ବାହୁନି ଉଠି ନଥିବ ମୋ ହାତର ପରଶାଟିକିଏ ପାଇବାକୁ । କେତେ ବିକଳ ହୋଇ, କେତେ ଅପୂର୍ଣ୍ଣ ଆଶା ଆକାଂକ୍ଷା ମମତା ମାୟାକୁ ଅବ୍ୟକ୍ତ ରଖି ସେ ପ୍ରାଣ ଛାଡ଼ି ନ ଥିବେ !

 

ଆହା—କି ପାପଫଳରୁ ସେ ଏଦଣ୍ଡ ଭୋଗିଲା ? କଣ ବା ସେ କା’ର କରିଥିଲା ?

 

ହଁ—ସେ ଚାଲିଯାଇଛନ୍ତି । ଅଜା ଚାଲିଗଲେ । ସମସ୍ତେ ଏମିତି ଚାଲିଯିବେ । ଆସିବା ଓ ଯିବା ଏଦୁଇଟି ହିଁ ଜଗତର ମହାସତ୍ୟ । ଆଉ ସବୁ ମାୟା ଆଉ ସବୁ ଅଭିନୟ । ମଣିଷ ସମୟର ଦାସ । ମଣିଷ ଏ ସୃଷ୍ଟିରେ ଘଟିଯାଉଥିବା ଘଟଣା ପ୍ରବାହର ନିମିତ୍ତ ମାତ୍ର । ଜାତସ୍ୟ ହି ଧ୍ରୁବ ମୃତ୍ୟୁ ଧ୍ରୁବ ଜନ୍ମ ମୃତ୍ୟୁ ସ୍ୟଚ । ମୃତ୍ୟୁ ଅନିବାର୍ଯ୍ୟ । ମୃତ୍ୟୁ ସୃଷ୍ଟିର ସନାତନ ସତ୍ୟ । ସମସ୍ତିଙ୍କି ମରିବାକୁ ହେବ ଆଜି କାଲି ବା ପରଦିନ । ତେବେ ମୃତ୍ୟୁରେ ଏତେ କାନ୍ଦଣା—ଏତେ—ନିରାଶ-? ଏତେ ବେଦନା ବୁଝି ହୁଏ ନାହିଁ । ବୁଝେଇ ହୁଏ ନାହିଁ ।

 

ଜାଣିହୁଏ ନାହିଁ । ଜଣେଇ ହୁଏ ନାହିଁ ।

 

ଅଜା ମରିବା ଦିନଠୁ ହାରାର ମନଟା ଏକାବେଳକେ ମରିଯାଇଛି । ଅଜାଥିଲେ ବୋଲି ସିନା କେତେ ଶାସ୍ତ୍ର ପୁରାଣରୁ କାହାଣୀ କହି, ଉପଦେଶ ଦେଇ ତା ଜଳିଲା ମନଟାକୁ ଶୀତଳ କରୋଉଥିଲେ । ଆଉ ଏବେ କିଏ ଅଛି ଯେ ତା ଭଙ୍ଗା ମନର ଯନ୍ତ୍ରଣା ଉପଶମ କରେଇବ !

 

ଯମୁନା—ବଉଳ ।

 

ବଡ଼ ହେଲାଣି । ଦେହରେ ମହକ ଚହଟିଲାଣି । ସେ ଏଣିକି ତା ସଂସାର କରିବାକୁ ଚାଲିଯିବ । ସେ ବା ଆଉ କେତେ କାଳ ତା ମଉଳା ପ୍ରାଣର ଉପବନରେ ବାସନାର ରସ ଭରିଯିବ-

 

ଆଉ ସବିତା ? —ମକର ।

 

ସେ ତାର ଶାଶୁଘରେ ବସା ବାନ୍ଧିଲାଣି । ମଝିରେ ମଝିରେ ବୁଝେଇ ସୁଝେଇ ଚିଠି ଖଣ୍ଡେ ଲେଖାଁ ଲେଖିଦିଏ—ମକର ଲୋ, ମନ ଦୁଃଖ କରିବୁ ନାହିଁ । ସଂସାରରେ କାହା କପାଳରେ କଣ ଅଛି କାହାକୁ ଜଣା । ଆମେ ସମସ୍ତେ ଅନ୍ଧାର କନ୍ଦିରେ ଦରାଣ୍ଡି ହେଉଛେ, ଆଲୁଅ କେଉଁଠି କାହାକୁ ଜଣା ? ଶାଶୁ ଘରକୁ ଆସିଲି ଯେ ମରିବାକୁ ତରନାହିଁ । ଶାଶୁ ଶଶ୍ୱୁରଙ୍କ କଥା ବୁଝୁ ବୁଝୁ ଦିନ ଯାଉଛି । ସକାଳୁ ଗୁହାଳ ପୋଛାଠୁ ଆରମ୍ଭକରି ପାଣିଅଣା ଭାତରନ୍ଧା ଯାହା ଯେମିତି ଘରର କାମ ସବୁ କରି ନିଶ୍ୱାସ ମାରିବାକୁ ବେଳ ମିଳୁନାହିଁ । ତହିଁକି ପୁଣି ଶାଶୁଙ୍କର ଗୋଡ଼ମୋଡ଼ା । କହନା ଲୋ ମକର, ଦିନେ ଗୋଡ଼ ନ ମୋଡ଼ିଲେ ଶାଶୁଙ୍କର ଏଡ଼େ ମୁହଁ । ଗାଁରେ କେଡ଼େ ମଜାରେ ବେଳ ଯାଉଥିଲା । ବଡ଼ ପୋଖରୀରେ ପହଁରା, ଆମ୍ୱତୋଟା ବୁଲା । ଦିପହରେ କାଞ୍ଜିଗାତ ଖେଳ, ପଞ୍ଚୁଦୋଳ ବୁଲା । ସବୁ ମନେ ପଡ଼ୁଛି । ମନମାରି ରହୁଛି ସିନା କାହାରିକୁ କହିବାକୁ ନାହିଁ । ସେଥିକି ପୁଣି ଖଣ୍ଡେ ନଣନ୍ଦ ଜୁଟିଛି ମୋ କପାଳରେ । ଖଣ୍ଡିଆ ଭୂତ ତ ! ଜିରାରୁ ସିରା ବାଛି ଟାଉଁ ଟାଉଁ ରାଉଁ ରାଉଁ ହେବାକୁ ଆଗ । ଆଲୋ, କଣ ଲେଖିବି, ଘରେତ ଗେଲବସରରେ ବଢ଼ିଥିଲି । ହାଣ୍ଡିଚୁଲୀ କଥା ଜମାରୁ ଜଣା ନଥିଲା । ଏଇଠିଆସି ଟିକେ ଟିକେ କରୁକରୁ କରୁଛି । ଯଦି ତିଅଣ ଲୁଣି ହେଲା କି ଅଲଣା ହେଲା ଆମ ନଣନ୍ଦ ସାଆନ୍ତାଣିଙ୍କ କଥା କହନା । ତିଆରି କରି ଏମିତି କଥା କହିବେ ଯେ ଦେହରେ କରତ ଚାଲିଯିବ । ଖାଲି ବରବୋଲି ଯାର ହାତଧରିଛି ସେଇ ହେଉଛନ୍ତି ସମ୍ଭାଳିବା ମଣିଷ । ତଙ୍କର କୌଣସି କଥାରେ ଖୁଣା ନାହିଁ କି ଉଲୁଗୁଣା ନାହିଁ । ତାଙ୍କ ସ୍କୁଲ ଭଲ ତ ସିଏ ଭଲ । ତାଙ୍କ ସହିତ ଯାଇ ରାତିରେ ଦେଖା । ଦିନବେଳେ ଚାହିଁ ଦେଲେ ଶାଶୁ ହାଣ୍ଡିପରି ମୁହଁ କରିବେ । ନଣନ୍ଦଙ୍କ ଆଖିରେ ପଡ଼ିଗଲେ କହିବେ ଭାଉଜ ଆମର ଫରଓ୍ୱାଡ଼୍‌ ।

 

ଏଇତ ଶାଶୁଘର ଜୀବନ । ତୁ ଚିନ୍ତା କରିବୁନି ମ ମକର । ଆସନ୍ତା ଚୈତ୍ରପୂର୍ଣ୍ଣମୀକି ଗଲେ ଦେଖାହବ ।

 

ମକରର ଚିଠିରେ ଚୈତ୍ରପୂର୍ଣ୍ଣମୀ କଥାଟି ପଡ଼ିଲେ ମନ ଗୋଳେଇ ଘାଣ୍ଟି ହୁଏ । ଏଇ ଚୈତ୍ରପୂର୍ଣ୍ଣମୀର ତା ଶାଶୁଘରେ କେଡ଼େବଡ଼ ପର୍ବ ହେଉଥିଲା । ହରିପୁର ଗାଁ ଦାଣ୍ଡ ଲୋକ ଗହଳିରେ ଫାଟି ପଡ଼ୁଥିଲା । କେତେ ଦୋକାନ, ବଜାର, ପସରା ମେଲୁଥିଲା ଗାଁ ଦାଣ୍ଡରେ । ଠାକୁରାଣୀ ଭୋଗଖାଇ ବାହାରୁଥିଲେ । ଆଗ ତା ଶାଶୁଘର ଦୁଆରେ ଭୋଗ ହେଲେ ଯାଇ ଆଉ କାହା ଦୁଆରେ ଭୋଗ । ଆଖିରେତ ଦେଖିନାହିଁ, ଶୁଣିଛି ।

 

ଶଶୁରେତ ଚାଲି ଯାଇଛନ୍ତି । ଆଉ ସେ ବିଧିବିଧାନ କାହିଁ ? ଇଏଥିଲେ ସିନା ଦେଖାରଖା କରିଥାନ୍ତେ ! ଦିଅର ନଟବର କରୁଛନ୍ତି । ତେବେ ଆଗର ଆଡ଼ମ୍ୱର ନାହିଁ କି ଆଗ୍ରହ ନାହିଁ ।

 

ମନ ବିକଳେଇ ଉଠେ ।

 

ଏଡ଼େ ନାଁ ଥିବା ଘରର ବୋହୂ ସେ । କଣ ଅଛି ଆଉ ଜୀବନରେ ? ଶାଶୁ ନଣନ୍ଦଙ୍କ ମେଳରେ ମକର ଅଛି । ବରଟି ତା ମନକୁ ପାଇଛି । ସ୍କୁଲ ମାଷ୍ଟର ହେଲେ କଣ ହେଲା ତାକୁ ସେ ଭଲପାଏ । ତା ମନକଥା ବୁଝେ । ଆଦର କରେ ।

 

ମକର ତା ବର ପାଖରେ ସୁଖରେ ଅଛି ।

 

ସୁଖରେ ରହୁ । ଗୋପୀନାଥେ ତାକୁ ଭଲ ଆଖିରେ ଚାହିଁ ଥାଆନ୍ତୁ ।

 

ଏକୁଟିଆ ବସିଲେ ହାରା ମନରେ କେତେ ଭାବନା ପକ୍ଷ ମେଲାନ୍ତି । ମକର, ବଉଳ, ସହ ସଙ୍ଗାତମାନଙ୍କ କଥା ମନେ ପଡ଼େ ।

 

ମନେ ପଡ଼େ ଅଜାଙ୍କ କଥା ।

 

ମନ ବୁଝେ ନାହିଁ ।

 

ସେ କାନ୍ଦି ପକାଏ ।

 

ଦର୍ପଣ ସାମନାରେ ଠିଆହୋଇ ହାରା ନିଜକୁ ଚାହେଁ । ନିଜ ରୂପର ପ୍ରତିବିମ୍ୱ ଦେଖି ଖୁସିହୁଏ ଯେତିକି ଦୁଃଖକରେ ସେତିକି ।

 

ଏ ରୂପଲାବଣ୍ୟ କାହାପାଇଁ ?

 

ଏ ପୋଡ଼ା ପ୍ରାଣର ଆଉକି ସ୍ୱାଦ ?

 

ନିଜକୁ ନିଜେ ସେ ଚିହ୍ନି ପାରେନାହିଁ । ଏଗାର ବର୍ଷବେଳେ ଦିନେ ସେ ବଧୂ ବେଶରେ ଦର୍ପଣ ସାମନାରେ ନିଜକୁ ନିଜେ ଦେଖିଥିଲା । ସେତେବେଳେ ଦେହରେ ଶାଢ଼ୀ, ହାତରେ ଚୁଡ଼ି, କାନରେ କାନଫୁଲ, ସୂନ୍ଥାରେ ସିନ୍ଥି ଓ ସୀମନ୍ତରେ ସିନ୍ଦୂର ଆଖିରେ ପ୍ରୀତିର ମାବକଭରା ଚାହାଣୀ-

 

ଆଉ ଆଜି—

 

ସେ ଦିନର ସେ ବଧୂବେଶ ନାହିଁ । ମଥାରେ ସିନ୍ଥି ନାହିଁ କି ସୀମନ୍ତରେ ସିନ୍ଦୂର ନୁହେଁ । ହାତ ଫୁଙ୍ଗୁଳା, ଦେହରେ ଧୋତି । ମୁଣ୍ଡର କଳା କଳା ଲମ୍ୱ ବାଳତକ ବେଶୀଟିଏ ହେବାକୁ ପ୍ରାର୍ଥନା କରୁଥିଲେ ମଧ୍ୟ ଗୁଡ଼ାହୋଇ ଗଣ୍ଠି ହେବାକୁ ବାଧ୍ୟ । ସେଦିନ ଓ ଏଦିନ ରୂପରେ କେତେ ଫରକ ।

 

ଦର୍ପଣ ସାମନାରେ ଠିଆହୋଇ ହାରା ନିଜର ପ୍ରତିବିମ୍ୱକୁ ଯେତିକି ଯେତିକି ଚାହେଁ ସେତିକି ସେତିକି ସେ ନିଜକୁ ଦୁଃଖ ବିଷାଦର ଘନ ତମସାରେ ମିଶେଇ ଦିଏ । ନିଜର ପ୍ରତିବିମ୍ୱ ତାକୁ ବେଦନାର ଅତଳ ସାଗରକୁ ଟାଣିନିଏ । ସେ ନିଜକୁ ନିଜେ ତିରସ୍କାର କରେ । ନିଜକୁ ନିଜେ ଘୃଣା କରେ । ଭର୍ତ୍ସନା କରେ । ଜୀବନ ପ୍ରତି ତାର ମମତା ତୁଟେ, ମାୟା ତୁଟେ । ପ୍ରାଣ ତାର ବୋବାଳି ଛାଡ଼େ । ନିଜକୁ ସେ ଅସହାୟା ମନେକରେ । ମନେକରେ ସେ ଯେମିତି ମଶାଣି ଭୂଇଁର ପତରଝଡ଼ା ଥୁଣ୍ଟା ବରଗଛଟିଏ—ପ୍ରାଣନାହିଁ, ଜୀବନ ନାହିଁ । ରସନାହିଁ । ହସ ନାହିଁ, ଆନନ୍ଦ ନାହିଁ-। କେବଳ ଅଛି ମାଂସର ଶରୀରଟିଏ, ଆଉ ଏଇ ମାଂସର ଆବରଣ ତଳେ ରୁଧିର ନ ବୋହି ବୋହୂଛି ଲୁହର ତଟିନୀଟିଏ ।

 

ସେ କାନ୍ଦୁଛି । ସେ ତୃଷାତୁରା ହରିଣୀପରି ଜଳାଶୟର ସନ୍ଧାନରେ ବନେ ବନେ ଘୂରି ବୁଲୁଛି ।

 

କିନ୍ତୁ ଜଳାଶୟ କାହିଁ ? ଜଳ କାହିଁ ?

 

ମରୀଚିକା ପଛେ ପଛେ ଦୌଡ଼ି ଦୌଡ଼ି ମରୂପଥିକ ଦଗ୍‌ଧ ହେଲାପରି ସେ ଛଟପଟ ହେଉଛି । ତା ପାଇଁ ମରୁଝରଣା ବି ଶୁଖି ଯାଇଛି । ତାପାଇଁ ଜଳନାହିଁ । ଜୀବନ ନାହିଁ । ଅଛି ହାହୁତାଶ ହତାଶାର ତୀବ୍ର ଜ୍ୱଳନ ।

 

ଦର୍ପଣ ପାଖରେ ଠିଆ ହୋଇ ଆଉ ନିଜକୁ ନିଜେ ଦେଖିବାର ଧୈର୍ଯ୍ୟ ତାର ଆଜିନାହିଁ-। ଭାଙ୍ଗି ଦେବାକୁ ମନ ହେଉଛି ଏଇ ଦର୍ପଣ ଖଣ୍ଡକ ।

 

ଜୀବନ ପ୍ରତି ବିତୃଷ୍ଣା ଆସୁଛି । ମାତ୍ର ବିତୃଷ୍ଣାକୁ ଦଳି ପକୋଉଛି ଜୀବନର ମାୟା । ଜୀବନ ପ୍ରତି ମାୟା ଅଛି । ମୋହ ଅଛି, ଆକର୍ଷଣ ଅଛି ।

 

ଜୀବନ କେଡ଼େ ସୁଦୀର୍ଘ ।

 

ଯାହା ହେବାର ହୋଇଛି । ଆଉ ଜୀବନରେ କେତେ କଣ ଅଛି ଆସୁ !

 

ଜିଜ୍ଞାସା ।

 

ଜିଜୀବୀଷା ।

 

ଅବଚେତନ ମନର ମନ୍ଥନ ।

 

ଜୀଇ ରହିବାକୁ ହେବ । ଯେତେ ଦିନଯାଏଁ ପିଣ୍ଡରେ ପ୍ରାଣଅଛି ସେତେଦିନ ସଂସାରର କାମ କରିଯିବାକୁ ହେବ । ଦୁଃଖ ଆସୁ ସୁଖ ଆସୁ—ତାକୁ ଦେହରେ ଦେହରେ ଚଳେଇ ନେବାକୁ ହେବ । ଗୀତାରେ ଭଗବାନ ଶ୍ରୀକୃଷ୍ଣ କହିଛନ୍ତି—ସୁଖେ ଦୁଃଖେ ସମେକୃତ୍ୱା ଲାଭାଲାଭ ଜୟାଜୟୋ— । ମଣିଷ ଜୀବନ ଦୁର୍ଲଭ । ମଣିଷ ଈଶ୍ୱରଙ୍କର ଶ୍ରେଷ୍ଠତମ ସୃଷ୍ଟି । ମଣିଷ ସୃଷ୍ଟିର ଶ୍ରେଷ୍ଠତମ ପ୍ରାଣୀ ।

 

ଏତେ ଚିନ୍ତା, ଏତେ ଭାବନା, ବ୍ୟଥା ବେଦନା କାହିଁକି ?

 

ସିଏ ସିନା ଚାଲିଗଲେ, ସେ ତ ଅଛି ?

 

ତାଙ୍କ ପାଇଁ ସେ ବଞ୍ଚି ରହିବ । ତାଙ୍କର ସେଇ ହାତରେ ହାତମିଶା ସ୍ପର୍ଶଟିକକର ସ୍ମୃତି ପାଇଁ ସେ ନିଜକୁ ବଞ୍ଚେଇ ରଖିବ । ଶାଶୁଘର ଦୁଆରସିନା ମାଡ଼ିବ ନାହିଁ । ତଥାପି ସେ ମହାପାତ୍ର ବଂଶର କୁଳବଧୂ । ବେଣୁପାଣିଙ୍କ ଧର୍ମପତ୍ନୀ ।

 

ମନରେ ଜାଗିଉଠୁଛି ଅଦମ୍ୟ ପ୍ରତିଜ୍ଞା ।

 

ସେ ଏଇଠି ରହିବ । ଏଇ ବାପଘର ଭିଟାମାଟିରେ ତାଙ୍କର ସ୍ମୃତିକି ଛାତିରେ ବୁଜୁଳା ବାନ୍ଧି ସେ ବଂଚି ରହିବ । କାଲିପରି ସମୟର ନଈ ବହିଯିବ । ଗଡ଼ିଯିବ ଘଟଣା ପ୍ରବାହର ରଥଚକ୍ର-। ବାୟା ବଡ଼ ହେବ । ସଂସାର କରିବ । ତାରିଠୋଉଁ ପିଲା ବକଟେ ନେଇ ପାଳିଲେ କଣ ତାକୁ ପାଣି ପାତ୍ରୀଏ ମିଳିବ ନାହିଁ ?

 

ମନେପଡ଼ିଲା ସେ ଦିନର ଘଟଣା—ନିଜେ ଦିଅର ନଟବର ଆସିଥିଲେ । କେତେ ବୁଝେଇ ସୁଝେଇ ତାକୁ କହିଥିଲେ—ଭାଉଜ, ଭାଇନା ସିନା ଚାଲିଗଲେ । ତୁମେ ତ ଚାଲି ଯାଇନାହଁ । ତୁମେ ସେ ଘରର ବୋହୂ । ସେ ଘର, ଜମିବାଡ଼ି, ତୋଟା ବଗାଏତ ସବୁ ତୁମର । ବାପଘରେ ରହି କାହିଁକି ତୁମେ ନିଜକୁ ନିଜେ କଷ୍ଟ ଦେଉଛ । ନନା ଓ ଭାଇନାଙ୍କ ଅନ୍ତେ ତୁମେ ସେ ଘରର ମୁରବୀ । ତୁମେ ଆସ, ତୁମଘର ଦାୟିତ୍ୱ ତୁମେ ମୁଣ୍ଡାଅ ।

 

ସେ ଛାତିକି ପଥର କରି ସବୁ ଶୁଣିଛି । ଦୀର୍ଘ ନିଶ୍ୱାସ ପକେଇ କହିଛି—ନଟବର, ତୁମେ ଫେରିଯାଅ । ଆଉ ସେ ପୁରୁଣା କଥା ଉଖାର ନାହିଁ । ବୁଲି ଆସି ଦେଖି ଯାଉଥିବ । କୋଉ ମୁହଁରେ ମୁଁ ସେ ଘରର ଏରୁଣ୍ଡିବନ୍ଧ ଡେଇଁବି ? ଥରେ ଭଲା ଯାଇଥାନ୍ତି । ଗାଁ ଲୋକ କଣ କହିବେ-? କହିବେ—ଅଲକ୍ଷଣୀ ବୋହୂଟିଏ । ବାହା ହେଉ ହେଉ ସ୍ୱାମୀକି ଖାଇଲା । ଶଶ୍ୱୁରକୁ ଖାଇଲା । ଏଇଠି ରହିଲେ ବରଂ ମୁଁ ଶାନ୍ତି ପାଇବି । ବାପଘରେ ଝିଅ ବୁଢ଼ୀ ହେଲେ ମଧ୍ୟ ଗେଲବସର । ମୁଁ ଏଠାରେ ବେଶ୍‌ ଭଲ ଅଛି । ନନା ଅଛନ୍ତି । ବୋଉ ଅଛି । ବାୟା ଅଛି । ମୋର ଦିନ କଟି ଯାଉଛି । ତୁମେ ଭାବନା କରନାହିଁ । ଯାଅ, ଯମିବାଡ଼ି, ତୋଟା ବଗାଏତ ବୁଝାସୁଝା କର-। ସୁଖରେ ଚଳ । ଏଇଠି ରହି ମୁଁ ମୋର ଜୀବନଟା ବିତେଇ ଦିଏ । ଆଉ ମନେ ରଖିଥିବ ଶଶ୍ୱୁରଙ୍କ ମାନମହତ ତୁମ ଉପରେ । ସେଥିରେ କଳଙ୍କ ବୋଳିବ ନାହିଁ । ଦକ୍ଷିଣେଶ୍ୱରୀଙ୍କ ଯାନିଯାତ ଠିକଣାମତେ ପାଳୁଥିବ । ତାଙ୍କରି କୃପାରୁ ଶଶ୍ୱୁରଙ୍କର ନାଁ ଥିଲା । ତାଙ୍କୁ ଅବହେଳା କରିବ ନାହିଁ । ସେ କୃପା କଟାକ୍ଷରେ ଅନେଇଲେ ତୁମର ଉତ୍ତରୋତ୍ତର ଶ୍ରୀବୃଦ୍ଧିହେବ । ଶଶ୍ୱୁରେ କେଡ଼େ ଭଲ ଲୋକ । ତାଙ୍କ ନାଁ ଯେମିତି ତଳକୁ ନଖସେ । ତୁମେ ତ ସବୁ ଜାଣ । ହଁ ଶୁଣିବାକୁ ପାଉଛି ତୁମ ଗାଁର କେହି କେହି ତୁମର ଶ୍ରୀ ଦେଖିପାରୁ ନାହାନ୍ତି । ସେମାନଙ୍କୁ ସାବଧାନ ରହୁଥିବ । ସଂସାର ବଡ଼ କୁଟିଳ । ମଣିଷ ଚିହ୍ନିବା ବଡ଼ କଠିନ । ଆଗତ ଭବିଷ୍ୟତକୁ ଦେଖି ଚାହିଁ ଚଳୁଥିବ । ଏମିତି ଆଚରଣ କରିବ, ଯେଉଁଥିରେ ମହାପାତ୍ର ବଂଶର ବାନା ଉପରକୁ ଉଡ଼ିବ ସିନା ତଳକୁ ଖସିବ ନାହିଁ-। ମୋ କଥା ଚିନ୍ତାକରିବ ନାହିଁ । ପୋଡ଼ପାଡ଼ ଜୀବନ ମୋର । ଏଇଠି ଚଳୁଛି ।

 

ବାଧ୍ୟ ଶିଶୁପରି ସେଦିନ ନଟବର ଫେରି ଯାଇଥିଲେ ଭାଉଜର କଥାକୁ ଉତ୍ତର ନଥିଲା ତାଙ୍କର ।

 

ତା ପରେ ଆହୁରି କେତେଥର ଏ ପ୍ରସଙ୍ଗ ଉଠିଛି । ସାଇପଡ଼ିଶା ମାଈପିଏ କେତେ ବୁଝେଇ ସୁଝେଇ ତାକୁ କହିଛନ୍ତି । କୋଉଥିରେ ତାର ମନ ଟଳି ନାହିଁ । ତା କଥାରେ ସେ ଅଟଳ । ତା କଥାରେ ସେ ଦୃଢ଼ । ସେ ଏଇଠି ରହିବ । ସେ ଏଇଠି ଜୀବନଟା ବିତେଇ ଦେବ । ଏଇ ଗାଁର ମଶାଣି ଦଣ୍ଡାରେ ମିଶିଗଲେ ତା ପ୍ରାଣ ଶାନ୍ତି ପାଇବ ।

 

ସେ ଚମକି ପଡ଼ିଲା ।

 

ଦର୍ପଣ ଭିତରୁ ତା ନିଜର ଆଖି ଦୁଇଟାରୁ ସତେ ଯେମିତି ସ୍ଫୁଲିଙ୍ଗ ଝୁରୁଛି । ଆଉ ଏଇ ରକ୍ତଲାଲ ସ୍ଫୁଲିଙ୍ଗ ଭିତରେ କଳ୍ପନା ପ୍ରସୂତ ସୌମ୍ୟ ମୂର୍ତ୍ତିଟିଏ—କେଡ଼େ ରୁଚିର ।

 

ସେ ବେଣୁପାଣି । ସେ ତା ମନର ଆରାଧ୍ୟ ଦେବତା ତା ଶିରୀଧମନୀର ରକ୍ତ କଣିକା ।

 

ନିଜ ଅବୟବକୁ ଚାହିଁଲା ସେ ।

 

ସେ ଅବୟବରେ ପ୍ରତୀକ୍ଷମାଣ ଯୌବନର ଜୁଆର ଉଠିଛି । ସେ ଅଙ୍ଗଲତାରେ ରଙ୍ଗର ସୁବାସ ଛୁଟିଛି, ମମତାର ଫୁଲ ଫୁଟିଛି । ସେ ଦେହ ଅପେକ୍ଷା କରି ବସିଛି, ଆଉ ଜଣକର ଦେହକୁ-। ସେ ଯୌବନ ଆଉ ଜଣକର ଯୌବନରେ ଲତାପରି ଲଟେଇ ଯିବାକୁ ବ୍ୟାକୁଳ । ସେ ଅମାନିଆ-। ସେ ଅବିରତ । ସେ ଉଦ୍ଦାମ ।

 

ଶିହରୀ ଉଠିଲା ସେ ।

 

କଣ ସବୁ ଭାବନା ଗ୍ରାସୁଛି ମନକୁ ?

 

ଛି, ଛି ।

 

ଅପରାଧୀ ପରି ନିଜକୁ ନିଜେ ତିରସ୍କାର କଲା ସିଏ ।

 

ସେ ବିଧବା । ତାର ସମସ୍ତ ଜୀବନ ସ୍ୱାମୀ ଚିନ୍ତାରେ ଉତ୍ସର୍ଗୀକୃତ । ଶଙ୍ଖ, ହୁଳହୁଳି, ମଙ୍ଗଳ ମହୁରୀ ମଧ୍ୟରେ ତାଙ୍କରି ହାତର ପ୍ରଥମ ସ୍ପର୍ଶ ସେ ପାଇଛି । ସେ ସ୍ପର୍ଶର ସ୍ମୃତିହିଁ ତାର ଜୀବନ । ଏ ମନ ତାଙ୍କର ଏ ଜୀବନ ତାଙ୍କ ପାଇଁ । ସେ ପୁରରୁ ହୁଏତ ସେ ତାକୁ ଚାହୁଁଥିବେ । ତା ପ୍ରତିଟିକାର୍ଯ୍ୟକୁ ନିରୀକ୍ଷଣ କରୁଥିବେ ।

 

ସେ ଥରି ଉଠିଲା ।

 

ସତରେ ସେ ବିଧବା । ଯୌବନ ତା ପାଖରେ ତୁଚ୍ଛ । ଯୌବନର ସଂଭୋଗ ବିଳାସ ତା ପାଖରେ ହଳାହଳ । ତ୍ୟାଗହିଁ ତାର ସର୍ବସ୍ୱ । ସେ ତାଙ୍କପାଇଁ ଭୋଗଲାଳସା ତ୍ୟାଗ କରିବ । ତାଙ୍କରି ଚିନ୍ତା, ତାଙ୍କରି ଭାବନାରେ ଜୀବନର ପ୍ରତ୍ୟେକଟି କାର୍ଯ୍ୟ ସେ କରିଯିବ । ବ୍ରତ ଉପବାସ କାର୍ତ୍ତିକ ହବିଷରେ ତା ନାରୀ ଜୀବନ ସାର୍ଥକ ହେବ ।

 

ଏ ଦେହ ଭୋଗ ପାଇଁ ନୁହେଁ । ଏ ଦେହ ଲାଳସାଲିପ୍ତ ନୁହେଁ । ଏ ଯୌବନ କ୍ଷୁଧିତ ପ୍ରାଣର ବାସନା ଚରିତାର୍ଥ କରିବାର ସାମଗ୍ରୀ ନୁହେଁ । ଏ ଯୌବନ ଅଗ୍ନିଶିଖା ପରି ପବିତ୍ର ଓ ମହାନ୍‌ । ଏ ରକ୍ତର ଉଦ୍ଦାମ ଶ୍ରୀହରଣ ଶକ୍ତି ଉତ୍ସର ଉଦ୍‌ଗୀରଣ ମାତ୍ର । ନିଜର ସମସ୍ତ ଶକ୍ତିକୁ ଠୁଳକରି ସେ ତାଙ୍କୋଇ ଅନୁଚିନ୍ତା କରିବ । ଏ ଜନ୍ମରେ ନ ହେଲା ଆର ଜନ୍ମରେ ତ ମିଳନ ହେବ । ଆର ଜନ୍ମର ମିଳନର ଆଶାରେ ଏ ଜନ୍ମରେ ତାଙ୍କପାଇଁ ସେ ତ୍ୟାଗ ଯଜ୍ଞରେ ଝାସ ଦେବ । ବିଧବା ଜୀବନ ତ୍ୟାଗପୂତ ଯଜ୍ଞପୀଠ ।

 

ଦର୍ପଣର ପ୍ରତିବିମ୍ୱଟାକୁ ଆଉ ଚାହିଁ ହେଲା ନାହିଁ ।

 

ଓଲଟାଇ ରଖିଦେଲା ଦର୍ପଣକୁ ସେ ।

 

ନିଜର ପ୍ରତିବିମ୍ୱ ହଜିଗଲା ।

 

ଥିର ହେଲା ଏଥର ଚହଲା ମନଟା ।

 

କେଡ଼େ ଉସୁଆସିଆ ଲାଗିଲା ଭାବନା ଭାରାକ୍ରାନ୍ତ ମୁଣ୍ଡ ଭିତରଟା ।

 

ଶୋଇବାକୁ ନିଦ ଆସୁନାହିଁ ଆଖିକି ।

 

ଘରେ ସମସ୍ତେ ଶୋଇଛନ୍ତି । କେବଳ ତାରି ଆଖି ଦୁଇଟାରେ ନିଦନାହିଁ । ବୟସ ବଢ଼ିବା ସଙ୍ଗେ ସଙ୍ଗେ ମନଟା ଛଟ ପଟେଇ ଉଠୁଛି । ସକାଳ ବେଳାଟା ବାସି ଆଡ଼ତି ରୋଷେଇ ବାସରେ ବିତିଯାଉଛି । ଓପର ବେଳା ଘରଓଳିଆ, ପାଣିବୁହା ଡିବିରି ଲଣ୍ଠନ ପୋଛା ପୋଛି । ତା’ ପରେ ସଞ୍ଜ । ରନ୍ଧା ବଢ଼ାରେ ମନଦେଲେ ରାତି । ରାତିହେଲେ ବାୟା ବସି ପାଠ ପଢ଼େ । ସଂସ୍କୃତ ଶ୍ଳୋକ ଗାଏ ।

 

ବାୟାର ପଢ଼ା ସରିଲେ ଖିଆ ପିଆ । ନନା ଆଉ ବାୟା ଖାଇ ସାରିବା ପରେ ତାଙ୍କରି ଅଇଁଠାରେ ବୋଉ ବସେ । ସେ ଅଲଗା ଖାଏ । ଖାଅ ପିଅ ସଇଲେ ବାସନ ଗୋଟେଇ ସକାଳକୁ ରଖିଦିଏ ସେ ।

 

ତା ପରେ ସମସ୍ତେ ଶୁଅନ୍ତି । ସେ ବୋଉ ପାଖରେ ମଝିଘରେ ଶୁଏ । ବାୟା ବେଳେ ବେଳେ ଦାଣ୍ଡପିଣ୍ଡାରେ ନନାଙ୍କ ପାଖରେ ଶୁଏ । ନତୁବା ଦାଣ୍ଡଘର ଖଟଉପରେ ଶୁଏ ।

 

ବୋଉ ଚିନ୍ତାରେ ଚିନ୍ତାରେ ବର୍ଷ କେଇଟାରେ ଝଡ଼ି କଣ୍ଟା ହୋଇଗଲାଣି । ନନାଙ୍କୁ ଅକାଳ ବାର୍ଦ୍ଧକ୍ୟ ଛୁଇଁଛି । କାହାପାଇଁ ସେ କଣ କରିପାରିବ ସ୍ଥିର କରିପାରୁନାହିଁ ।

 

ବୋଉ ଶୋଇଗଲାଣି ହଲେଇଲେ ଉଁ ଚୁଁ କରୁନାହିଁ । ନିଘୋଡ଼ ନିଦ ମାଡ଼ି ବସିଛି ତାକୁ-

 

ତା ଆଖିକି ନିଦ ନାହିଁ । ଛଟପଟ ମନଟା ଅସ୍ଥିର, ଚଞ୍ଚଳ ହେଉଛି । ଦେହର ଅପୂର୍ବ ଶୀହରଣ ଜାଗି ଉଠୁଛି ।

 

ସେ ଚୁପ୍‌ ଚାପ୍ ଶେଯରୁ ଉଠି ଅଗଣାକୁ ଆସିଲା ।

 

କଇଁ ଫୁଲିଆ ବହଳ ଜହ୍ନରାତି ।

 

ଅଗଣାରେ ଅଗଣାଏ ଜହ୍ନ ଆଲୁଅ ।

 

ମୁଣ୍ଡଉପରୁ ଟିକିଏ ତଳକୁ ଜହ୍ନଟା ସ୍ଥିର ହୋଇ ରହିଛି ଯେମିତି ।

 

ବିଶ୍ୱଜଗତ ଶୋଇଛି ।

 

ଅଗଣାରେ ଏକାଟିଆ ଠିଆ ହୋଇ ସେ ନିଥର ଆକାଶର ଜହ୍ନକୁ ଚାହିଁଲା ।

 

ଏ ଚେନା ଚେନା ଜହ୍ନ ଆଲୁଅ ତା ଦିହରେ ପିଚ୍‌ ପିଚ୍‌ ଗଳିଯାଉଛି । ମନ ଉଦବେଳିତ ହୋଇ ଉଠୁଛି । ଦେହ ଚହଲି ଉଠୁଛି । ଲୋମ ଶୀହରି ଯାଉଛି । ଛାତି ଭିତରେ ଏକ ଅଜ୍ଞାତ ସ୍ପନ୍ଦନର ଝଙ୍କାର ସୃଷ୍ଟି ହେଉଛି ।

 

ଛଟ ପଟେଇ ଉଠୁଛି ମନଟା ।

 

ଯୌବନର ତରଙ୍ଗ ମାଳାରେ ସତେ ଯେମିତ ସେ କେଉଁ ଦୂର ରାଇଜକୁ ଭାସିଯାଉଛି ।

 

ତା ଦେହରେ ଯୌବନ ଲୁଚକାଳି ଖେଳୁଛି । ତା ଦେହର ପ୍ରତିଟି ଲୋମ କୂପରେ ସ୍ନେହ ଅନୁରାଗର ମୂର୍ଚ୍ଛନା ସୃଷ୍ଟି ହୋଇଛି । ତା ଆତ୍ମା ଭିତରେ ପ୍ରଣୟର ମାଙ୍ଗଳିକ ସଂଗୀତ ସୁର ତୋଳୁଛି । ତା ହୃଦୟର ବୀଣା ଥରିଉଠୁଛି । ସେ ଖୋଜୁଛି ।

 

ସେ ଚାହୁଁଛି ।

 

ସେ ପ୍ରତିକ୍ଷା କରୁଛି ।

 

ସେ ଉଚ୍ଛଳି ଉଠୁଛି ।

 

ତା ଦେହରେ ଖୁନ୍ଦି ହୋଇ ଯାଉଛି ଅଜଣା ଆଗ୍ରହ ଆନନ୍ଦ ଆମନ୍ତ୍ରଣର ପୁଲକ ।

 

ତାର ନିଶ୍ୱାସରେ ଉତ୍ତପ୍ତ ପବନ ବହୁଛି ।

 

ତା ଦେହ ମନରେ ତାତି ଭରି ଯାଉଛି ।

 

ସହିପାରୁ ନାହିଁ ସେ ପୂରନ୍ତା ଦେହର ତାତି ।

 

ସେ ଜଳି ଯିବାକୁ ଚାହେଁ ।

 

ସେ ଗୋଳେଇ ପୋଳେଇ ହୋଇ କାହା ଦେହରେ ଲଟେଇ ଯିବାକୁ ଚାହେଁ ।

 

ନିଜର ଛାଇକି ନିଜେ ଚାହିଁଲା ସେ ।

 

ଛାଇଟା ବେଶ୍‌ ସୁନ୍ଦର ଦିଶୁଛି । ଛାଇଟା ବେଶ୍‌ ମାଂସଳ ମନେ ହେଉଛି । ଏ ଅଯତ୍ନ ଦେହର ଅଙ୍ଗପ୍ରତ୍ୟଙ୍ଗ ଛାଇରେ ଫୁଟି ଉଠିଛି । ସେ ହଲିଲେ ତା ଛାଇ ହଲୁଛି । ସେ ବୁଲିଲେ ତା ଛାଇ ବୁଲୁଛି ।

 

ତା ସହିତ ତା ଛାଇର କି ନିବିଡ଼ ବନ୍ଧନ !

 

ମନେ ହେଉଛି ଛାଇଟାକୁ ସେ ଛାତିରେ ଭିଡ଼ି ଧରନ୍ତା । ଏ ନିର୍ଜନ ପରିବେଶ ଭିତରେ ତା ଛାଇ ଛଡ଼ା ତା ପାଖରେ ଆଉ କେହିନାହିଁ । ଆକାଶରେ ଚନ୍ଦ୍ରର ଚଟୁଳ ଚାହାଣୀ । ଚାଟୁଭରା ପ୍ରୀତିର ଜୋଛନା । ଅଗଣାରେ ସେ ଓ ତା ଛାଇ ।

 

ଛାଇଟାକୁ ଛାତିକି ଆଉଜାଇ ଆଣି ଚୁମା ଦେବାକୁ ମନ ବିକଳେଇ ଉଠୁଛି ।

 

ଦେହର ତାତି ବଢ଼ି ବଢ଼ି ଯାଉଛି ।

 

ଯୌବନ ବୋବାଳି ଛାଡ଼ୁଛି ।

 

Unknown

ସେ ଆଉ ସମ୍ଭାଳି ପାରୁନାହିଁ ପୂରନ୍ତା ଦେହର କମ୍ପନ । ସମ୍ଭାଳି ପାରୁନାହିଁ ଅବାଧ୍ୟ ମନର ହାଇଁ ପାଇଁ ।

 

ସେ ଖୋଜୁଛି ।

 

ସେ ଭାବୁଛି—ଏଇ ନିଶୂନ୍‌ ନିଥର ରାତିରେ ସେ ଯଦି ଆକାଶରୁ ଓହ୍ଲେଇ ଆସନ୍ତେ ସେ କେତେ ଖୁସି ନ ହୁଅନ୍ତା । ଥରେ ଯଦି ପାଖକୁ ଆସନ୍ତେ ତାଙ୍କୁ ସେ ନିବିଡ଼ ଆଶ୍ଳେଷରେ ବକ୍ଷରେ ଭିଡ଼ି ଧରନ୍ତା । ଦେହରେ ଦେହ ମିଶେଇ ଦେଇ ସେ ଏକାକାର ହୁଅନ୍ତା । ତାଙ୍କରି ସାଥିରେ ଏଇ ଜ୍ୟୋତ୍ସ୍ନା ଚକିତ ନିର୍ଜନ ମୁହୂର୍ତ୍ତ କେତୋଟି ବିତେଇ ଦେଲେ ତାର ଜୀବନ ସାର୍ଥକ ହୁଅନ୍ତା । ସ୍ୱପ୍ନ ତାର ପ୍ରାଣ ପାଆନ୍ତା ।

 

ସତରେ ସେ କେଡ଼େ ଖୁସି ନ ହୁଅନ୍ତା ।

 

ସେ ଆସନ୍ତେ । ତା ପାଖରେ ବସନ୍ତେ ତାଙ୍କ ବାହୁବନ୍ଧନ ଭିତରେ ରହି ସେ ଅନନ୍ତ ଆନନ୍ଦର ଅମୃତ ପାଆନ୍ତା । ତାଙ୍କର ହାତରେ ଯୌବନର ସମ୍ଭାର ସମର୍ପି ଦେଲେ ତା ଦେହର କମ୍ପନ ଶମନ୍ତା । ଏ ଯୌବନ ତାଙ୍କର । ଏ ଦେହ ତାଙ୍କର । ଏ ଅସମ୍ଭାଳ ଉଦ୍ଦା ମାଂସର ଶୀହରଣ ତାଙ୍କରି ଲାଗି ।

 

ଭାବନା ହଜି ହଜି ଯାଉଛି ।

 

ଲମ୍ୱି ଲମ୍ୱି ଆସୁଛି ନିଜର ଛାଇଟା ଅଗଣାରେ ।

 

ଜହ୍ନ ଦୂରେଇ ଦୂରେଇ ଯାଉଛି ସତେ ଯେମିତି ।

 

ଦେହର ତାତି ଖସୁଛି ।

 

ବାଡ଼ିଆଡ଼େ କେଊଁ ନାଁ-ନଜଣା ଚଢ଼େଇଟି ରାବିଲାଣି ।

 

ଦେହରେ ବାଜିଲାଣି ଥଣ୍ଡା ପବନ ।

 

ରାତି ବଳେଇ ଆସୁଛି ।

 

ମନଟା ଅଥିର ଅବାଧ୍ୟ ହୋଇଉଠୁଛି ।

 

ବୟସ ଚିତ୍‌କାର କରୁଛି । ବୟସ ଦେହରେ ଝଡ଼ ସୃଷ୍ଟି ହୋଇଛି ।

 

ସେ ନିଃସଙ୍ଗୀ ।

 

ସେ ବିରହାତୁର କ୍ରୋଞ୍ଚୀ ।

 

ଆଖିକି ନିଦ ଆସୁନାହିଁ ।

 

ମୁକୁଳା ଆକାଶଟା ଫାଙ୍କା ଫାଙ୍କା ଜଣାପଡ଼ିଲାଣି ।

 

ରାତି ବଳେଇ ଆସିଲାଣି ।

 

ବୋଉର ନିଦ ଚହଲି ଯିବଣି ? ସେ ହୁଏତ ଉଠି ପଡ଼ିବ ।

 

ଅଗଣାରେ ଆଉ ଠିଆ ହୋଇ ରହିବାକୁ ଡରମାଡ଼ୁଛି । ଛାଇଟା ତାର ଗୋଡ଼େଇଲା ପରି ମନେ କରୁଛି ସେ । ତଥାପି ତା ଛାଇପ୍ରତି ତାର ଦରଦର ଆସୁଛି । ସତେ ଅବା ତା ଛାଇଟା ତା ଆତ୍ମୀୟ ।

 

ବେଶିବେଳ ଠିଆହୋଇ ଆକାଶକୁ ଅନେଇବାକୁ ଆଉ ଦମ୍ଭ ନାହିଁ ।

 

ଏ ଚାହିଁବାରେ ବା କଣ ଅଛି ?

 

ଏଥିରେ କି ତୃପ୍ତି ମିଳିବ ?

 

ନାହିଁ ନାହିଁ କରୁଛି ପେଟଭିତରୁ କିଏ ଜଣେ । ସେ ଆଉ ଠିଆ ହୋଇ ପାରିଲା ନାହିଁ ।

 

ଦୌଡ଼ି ଆସି ବୋଉ ପାଖରେ ଶୋଇ ପଡ଼ିଲା ।

 

ଏମିତି କେତେ ରାତିରେ ସେ ଅଗଣାରେ ଠିଆ ହୋଇ ଶୂନ୍ୟ ଆକାଶକୁ ଅନେଇଁଛି । ନିର୍ଜନ ନିଥର ରାତିର ଛାଇ ଭିତରେ ତା ହୃଦୟର ଦୀର୍ଘଶ୍ୱାସ କେଉଁ ଆଡ଼େ ମିଳେଇ ଯାଇଛି କେହି ଜାଣିନାହିଁ । କେହି ଦେଖିନାହିଁ ତା ଆଖି ତଳେ ତଳେ ଝରି ଆସୁଥିବା ଦୁଃଖ ବେଦନା ବିଷାଦର ଲୁହଜଳ । କେହି କେବେ ଶୁଣି ନାହିଁ ତା ମନଭିତରର କରୁଣ ବିଳାପଧ୍ୱନି, ମର୍ମଫଟା ଆର୍ତ୍ତନାଦ । ସମସ୍ତ ଦୁଃଖକୁ ସେ ଛାତିରେ ବାନ୍ଧିରଖିଛି । ଯୌବନର ସାମୟିକ ଉନ୍ମାଦନାକୁ ସେ ନିଜର ଶିରା ପ୍ରଶିରାରେ ଶୀତଳେଇ ଦେଇଛି । ନିଜକୁ ନିଜେ ବିଶ୍ୱାସ କରିବାକୁ ଚେଷ୍ଟା କରିଛି ସେ । ନିଜ ଉପରେ ତାର ପ୍ରଗାଢ଼ ମମତା ଜନ୍ମିଛି ।

 

ସେ ବଞ୍ଚିବାକୁ ଚାହେ । ସେ ଜୀଇ ରହିବାକୁ ଚାହେ । ଛାତି ଭିତରେ ସପନର ମଣିଷ ପ୍ରତି ମମତା ସାଇତି ସେ ବିରାଟ ବିଶ୍ୱରେ ପାଦ ଚଳେଇବାକୁ ଚାହେଁ ।

 

ସମୟ ଯେତିକି ଯେତିକି ଗଡ଼ି ଯାଉଛି ତାର ତ ନିଜପ୍ରତି ସେତିକି ସେତିକି ଆତ୍ମବିଶ୍ୱାସ ଆସୁଛି ।

 

ବୋଉ ବୁଢ଼ୀ ହୋଇଗଲାଣି । ନନା ବୁଢ଼ା ହୋଇଗଲେଣି । ବାୟା ବଡ଼ ହୋଇଗଲାଣି । ନନା ଆଉ କାମଦାମକୁ ପାରୁନାହାନ୍ତି । ବାୟା ଏଣିକି ବିଲବାଡ଼ି ଜଇଜେଜମାନ କାମ ଦେଖିଲାଣି । ଶ୍ରାଦ୍ଧ ମଉଳା ବାହାବ୍ରତ ତାକୁ ବେଶ୍‌ ଆସି ଗଲାଣି । ବ୍ରାହ୍ମଣ ଘରର ପିଲା । ଏ ଗୁଡ଼ାକ କଣ କଷ୍ଟ କଥା-! ଥାନେ ଥାନେ ହୋମ ଯଜ୍ଞରେ ବାୟା ବସିଲାଣି । ସେ ଘର ଚଳେଇବାକୁ ସକ୍ଷମ ହେଲାଣି-

 

ତାର ଆଉ ଚିନ୍ତା କଣ ? ତା ସ୍ୱପ୍ନ କଣ ରୂପ ନେବ ନାହିଁ ?

 

ବାୟାର ବ୍ରତଘର କେବେଠୁ ଶେଷ ହୋଇଛି । କାଲିପରି ତାର ବାହାଘର ହେବ । ସେ ସଂସାର କରିବ । ତାରି ଠୋଉଁ ପିଲାବକଟେ ନେଇ ତା ଗୋତ୍ରରେ ପଇତା ଖିଏ ପକେଇ ଦେଲେ ହେଲା ।

ଭାବନାରେ ସେ ଆନନ୍ଦ ପାଏ । ଭାବନାହିଁ ତାକୁ ବଞ୍ଚି ରହିବାର ପାଥେୟ ଯୋଗାଏ ।

ଅତୀତଟାକୁ କ୍ରମେ କ୍ରମେ ସେ ଭୁଲିଯିବାକୁ ଚେଷ୍ଟାକରେ । ସମୟ ଯେତେ ଯେତେ ଆଗକୁ ମାଡ଼େ ଅତୀତ ସେତେ ସେତେ ପଛକୁ ରହେ । ନିଜକୁ କାମଧନ୍ଦାରେ ବୁଡ଼େଇ ରଖି ସେ ପୁରୁଣା କାହାଣୀକୁ ପାଶୋରିବାକୁ ଚେଷ୍ଟାକରେ ।

ଏଇ କେତେଟା ବର୍ଷ ଭିତରେ ଦିଅର ନଟବର ଘୋର ପରିବର୍ତ୍ତନ ହେବାର ସେ ଶୁଣିଲାଣି । ତାରିଯୋଗୁ ମହାପାତ୍ର ବଂଶର ଗାରିମାରେ କାଳି ଲେପା ହେଲାଣି ।

ଦେବ ଦୁର୍ଲଭ ମହାପାତ୍ରେ ! କେଡ଼େ ନାଁ ଥିବା ଲୋକ । ତାଙ୍କ ସାନପୁଅ ନଟବର । ସେ ଏମିତି ହେଲା ? ବୁଝିପାରେ ନାହିଁ ସେ ।

ବାର ଖଳ ଲୋକଙ୍କ ସହ ମିଶି ନିଜର ମାନମହତ ପଦାରେ ପକେଇଲା । ମହାପାତ୍ରେ ଯାହା ସମ୍ପତ୍ତି କରି ଯାଇଥିଲେ । ତା ସାଇତି ସମ୍ପାଦି ରଖିବା ଦୂରେଥାଉ କ୍ରମେ କ୍ରମେ ଖଣ୍ଡିଏ ଖଣ୍ଡିଏ ବିକ୍ରୀ ଆରମ୍ଭ ହେଲାଣି ।

ବସି ଖାଇଲେ ନଈବାଲି ସରେ । ପାଠ ଶାଠ ତ ପଢ଼ିଲା ନାହିଁ । ସମ୍ପତ୍ତି ଦେଖା ରଖା କରିବା ଦୂରେ ଥାଉ ନିଜକୁ ନିଜେ ଦେଖାରଖା କରିବା ତା ପକ୍ଷରେ ସମ୍ଭବ ହେଲାନାହିଁ । ଖାଲି ବିଳାସ ବ୍ୟସନ । ମଉଜ ମଜଲିସ । ଦଳେ ସାଙ୍ଗକୁ ସାଥିରେ ଧରି ଆଜି ଏଠିତ କାଲି ସେଠି ଭୋଜି ଭାତ ନବରଙ୍ଗ । ଏଥିରେ କଣ ସମ୍ପତ୍ତି ରହେ ?

ଏବେ ଖବର ଆସିଥିଲା ଦକ୍ଷିଣେଶ୍ୱରୀଙ୍କ ଆମ୍ୱତୋଟା କୁଆଡ଼େ ବନ୍ଧା ପକେଇ ନଟବର ଜୁଆ ଖେଳିବାରେ ଲାଗିଛି !

ଲାଗୁ ।

ସେ ମାଟିପ୍ରତି ଆଉ ମମତା ନାହିଁ ।

ସେ ଘର ପ୍ରତି ଆଉ ଅନୁରକ୍ତି ନାହିଁ ।

ଖାଲି ତାଙ୍କର ପାଇଁ ନିନ୍ଦା କାଟୁଛି । ମନ ମରି ଯାଉଛି ।

ନଟବର; ଦିଅର । ତା ପିତୃ ଅର୍ଜିତ ସମ୍ପତ୍ତି ସେ ଉଡ଼ୋଉ ବୁଡ଼ୋଉ । ତାର ଯାଏ ଆସେ କେତେ । କେବଳ ତାଙ୍କରି ଲାଗି ବାଧୁଛି । ବାଧୁଛି ମହାପାତ୍ର ବଂଶର ନାଁଟା ତଳିତଳାନ୍ତ ହେଉଛି ବୋଲି ।

ନଟବର ନିଜକୁ ନିଜେ ତଳିତଳାନ୍ତ କରି ଦେଲାଣି ।

ମଉଜ ମଜଲିସରେ ଅର୍ଥବ୍ୟୟ କରି ମନ ସନ୍ତୁଷ୍ଟ ହେଲା ନାହିଁଯେ ସେ ଜୁଆର ଆଶ୍ରା ନେଇଛି ।

ଛି, ଛି ।

କେଡ଼େବଡ଼ ଘରର ପିଲା, କଣ ହେଲାଣି ଏବେ ?

ଜୁଆ ଆଡ଼୍‌ଡ଼ାର ଧରା ହୋଇ ଥରେ ଦିଥର ଅପଦସ୍ତ ହେଲାଣି । ତଥାପି ଚେତା ପଶୁନି-। ଯୋଉକଥାକୁ ସେଇକଥା ।

 

ନିଲଠିଆଟିଏ ତ ।

 

ଶଶ୍ୱୁର ଥିଲାବେଳେ ଯେଉଁଘରେ ଲକ୍ଷ୍ମୀ ବସା ବାନ୍ଧିଥିଲେ ତାଙ୍କ ଅନ୍ତେ ସେ ଘରଟା ଯେ ଏମିତି ଭୁଷୁଡ଼ି ପଡ଼ିବ ସେ କଥା କିଏ କଣ ଆଶା କରିଥିଲା ।

 

ସେ ସେଇ ଘରର ବୋହୂ । ତେଣୁ ମନକୁ ବାଧୁଛି ।

 

କିନ୍ତୁ ସେ ନିରୂପାୟ । ତା ହାତରେ ବା କଣ ଅଛି !

 

ହରିପୁରରୁ ବନ୍ଧୁବାନ୍ଧବ କୁଣିଆ ମଇତ୍ର ଯେବେ ରଥପୁରକୁ ଆସନ୍ତି ତାଙ୍କରିଠାରୁ ନଟବର କଥା ତା କାନରେ ପଡ଼େ ।

 

ମହାପାତ୍ରଙ୍କ ପୁଅ । ସଂସ୍କୃତ, ବ୍ୟାକରଣ, କାବ୍ୟଶାସ୍ତ୍ର, ଧର୍ମନୀତି ଚର୍ଚ୍ଚା କୁଆଡ଼େ ଗଲା ଦିନରାତି ଚବିଶଘଣ୍ଟା ଜୁଆ ଖେଳରେ ନାଁ ପକୋଉଛି । ହେଇ ସାବିତ୍ରୀ ନାନୀର ମାଉସୀ ହରିପୁରରୁ ଆସିଥିଲା ଯେ ସେ କହୁଥିଲା—ନଟବର କୁଆଡ଼େ କେଉଟ ସାହିର କୋଉ ମାଇକିନିଆ ସାଥିରେ ମାତିଛି ।

 

କି ଲାଜକଥା ! କୁଳର ଇଜତ ବୁଡ଼େଇଲା !

 

ରାତି ଅଧିଆ ଯାଇ କେଉଟ ସାଇରେ ପଶିଥିଲା ଯେ ଧରାପଡ଼ିଲା । କେଉଟ ସାଇରେ ନ୍ୟାୟ ହେଲା । ନଟବର ଦାନ୍ତରେ କୁଟାଧରି ମୁଣ୍ଡିଆ ମାରିଲା । ଜୋରିମାନା ଦେଲା । ବହଳ ମୁହଁ ଧରି ଘରକୁ ଫେରିଲା ।

 

ଶୁଣିଲାବେଳେ ମନଟା ପୋଡ଼ିଗଲା ଯେମିତି ତାର ।

 

ତାକୋଇ ଦେଖେଇ ଦେଖେଇ କରି ସାବିତ୍ରୀ ନାନୀର ମାଉସୀ ଏକଥା କହିଗଲା । କହିଗଲା—ଆଉ ସେକାଳେ ମହାପାତ୍ର ଘର ନାହିଁମ । ସବୁତ ଗଲାଣି । ଆଉ ଯାହାଅଛି ତାକୁ ନଟିଆ ସାରିବ । ଦକ୍ଷିଣେଶ୍ୱରୀ କଣ ରଖେଇଦେବେ ? ମହାପାତ୍ରେ ଗଲାଦିନ ସବୁ ଗଲାଣି । କେଜାଣି ଲୋ ମା, ବେଣୁ ଥିଲା ଅବା ରଖି ଥାଆନ୍ତା ! ତାକୁ କଣ କାଳ ସହିଲା ? କେଡ଼େ ଧୀର ପିଲାଟିଏ ମ । ଭଲ ଯାକୁତ ଆଗ ଯମ ନିଏ । କି ବେଳାରେ ବାହା ହେଲା କେଜାଣି ବାହା ତାକୁ ସହିଲା ନାହିଁ ।

 

ହାରା ଶୁଣିଲା ।

 

ସାବିତ୍ରୀ ନାନୀ ମାଉସୀର କଥା ଗୁଡ଼ାକ ତା ଦେହର ପ୍ରତିଟି ଲୋମ କୂପରେ ମୁନିଆଁ ଚୁଞ୍ଚିପରି ଭେଦିଗଲା ।

 

ବାହାତାକୁ ସହିଲା ନାହିଁ—ସେଥିରେ ତାର ଦୋଷ କଣ ? ସେ ତ ତା ମନକୁ ମନ ବର ବାଛି ନ ଥିଲା । ନନା କରିଥିଲେ । ନନା ବାଛିଥିଲେ । ତେଣିକି ତା ଭାଗ୍ୟରେ ନ ଫଳିଲା । ସେଥିପାଇଁ ତାର ଦୋଷ କଣ ? ଯିଏ ଯେତେବେଳେ ଆସିବେ ଏମିତି ପଦେ ଅଧେ ଦେହରେ ଗଳିଲା କଥା ଦେଖେଇ ଦେଖେଇ କହିଯିବେ ଆଉ ସେ ଉତ୍ତର ଦେଇ ନପାରି ମନେ ମନେ ଜଳି ମରିବ !

ନଟବର ଜୂଆ ଖେଳିଲା । ବାରନାରୀ କଲା । ସେଥିରେ ତାର ଯାଏ କେତେ ଆସେ କେତେ ? ସେ ଯଦି ସେ ଘରକୁ ବୋହୂ ହୋଇ ଯାଇଥାନ୍ତା, ଦେଖିଥାନ୍ତା ନଟବର କେମିତି ଏ କାଣ୍ଡ କରିଥାନ୍ତା ।

ସବୁ ତା କପାଳର ଦୋଷ । ସବୁ ତା ଅଦୃଷ୍ଟର ଲେଖା । ସେଥିପାଇଁ ସେ ଏତେ ଚିନ୍ତା କରିବ କାହିଁକି ? ନନା ତ ଭଲ ଘର ଭଲ ବର ଦେଖି ଦେଇଥିଲେ ! ତା କପାଳରେ ସିନ୍ଦୂର ଟୋପା ନାହିଁ । ତା ଭାଗ୍ୟରେ ସ୍ୱାମୀ ସୋହାଗ ନାହିଁ—ନଥାଉ । ତା’ପରି ତ କେତେ ଏମିତି ସଂସାରରେ ଅଛନ୍ତି !

ସବୁ ସେ ଛାତି ଭିତରର ଅତଳ ଗହୀର ଭିତରେ ମିଳେଇ ଦେବ । ତେବେ ଯାଇ ତାର ସ୍ୱପ୍ନ ସାର୍ଥକ ହେବ । ତେବେ ଯାଇ ସେ ପୁରରୁ ସେ ଶାନ୍ତି ପାଇବେ !

ମନ ଗୋଳେଇ ଘାଣ୍ଟି ହୁଏ ।

ନଟବର ଯୋଗୁଁ ମହାପାତ୍ର ଘରର ମାନମହତ ତଳକୁ ଗଲା । ନଟବର କଣକଲା କଣନାଇଁ ସେଥିପାଇଁ ସେ କେତେ କଥା ନ ଶୁଣେ ।

ମନ ବୁଝେନାହିଁ । ମନକୁ ବୁଝେଇବାପାଇଁ ସେ ଚେଷ୍ଟା କରେ । ଅତୀତଟାକୁ ଭୁଲିଯିବାକୁ ସେ ଘର କାମରେ ନିଜକୁ ମଜେଇ ରଖେ । ବେଳେ ବେଳେ ବାୟା ସହିତ ଜମିବାଡ଼ି ଦେଖିବାକୁ ବୁଲିଯାଏ । ବଂଶବତୀ ପାରହୋଇ ନଈ ସେପାରି ଗଡ଼ିରେ ନିଜର ଚାଷଜମି ଦେଖିଗଲେ ସେ ଆନନ୍ଦ ପାଏ ।

ନଈ ସେପାରି ଗଡ଼ି—ଲୋକେ କହନ୍ତି ବ୍ରାହ୍ମଣଗଡ଼ି । ରଥପୁର ମୌଜାର ବ୍ରାହ୍ମଣମାନଙ୍କ ଚାଷଜମି ବେଶି ସେଇ ଗଡ଼ିରେ । ତେଣୁ ତା ନାଁ ବ୍ରାହ୍ମଣଗଡ଼ି ।

ବ୍ରାହ୍ମଣଗଡ଼ି ଶେଷମୁଣ୍ଡକୁ ଶୋଲରୀର ପାଦଦେଶରେ ବ୍ରାହ୍ମଣଦେଈ ଠାକୁରାଣୀ । ଖରା ବରଷା ଶୀତ କାକରଖିଆ ଠାକୁରାଣୀ । ଲଗାଲଗି ହୋଇ ଦୁଇଟି ଗଛ । ତାରି ତଳେ ଠାକୁରାଣୀ । ସତେ ଯେମିତି ବ୍ରାହ୍ମଣ ଗଡ଼ିରେ ପହରା ଦେବାକୁ ସେ ଜଗି ବସିଛନ୍ତି । ଠାକୁରାଣୀଙ୍କ ପାଖକୁ ଛୋଟ ନାଳ । ପାଖକୁ ଶୋଲରୀ । କେଡ଼େ ସୁନ୍ଦର, କେଡ଼େ ମଞ୍ଜୁଳ ! ଶୋଲରୀରୁ କଡ଼େଇକରି ଦେଖିଲେ ଦିଶିଯାଏ ଚିଲିକା, ଉତ୍କଳ କମଳା ବିଳାସ ଦୀର୍ଘିକା—ମରାଳ ମାଳିନୀ ନୀଳାମ୍ୱୁ ଚିଲିକା-। ଚାହିଁଦେଲେ ମନ ଲାଖିଯାଏ । ହଜିଲା ମନ ବୁଝିଯାଏ । ତାର ଢଳଢ଼ଳ ଊର୍ମିମାଳାର ବଳୟିତ ବିଳାସ ମଣିଷ ମନରେ ଢାଳିଯାଏ ଶାନ୍ତି ଆନନ୍ଦର ମକରନ୍ଦ ।

ବ୍ରାହ୍ମଣ ଗଡ଼ିରେ ଠିଆ ହୋଇ ଚାହିଁଲେ ପାଖକୁ ଦିଶେ ଶୋଲରୀ—ଦୂରରେ ଚିଲିକା । ଶୋଲରୀର ନୀଳସୁନ୍ଦର ରୂପଟିକୁ ଦେଖିଲେ ପୋଡ଼ାଜଳା ସଂସାରର ସମସ୍ତ ଦୁଃଖ ପାଶୋରିଯାଏ-। ପାଶୋରିଯାଏ ମନଗହନରୁ ଅତୀତର ସେଇ କେତୋଟି ଦୁର୍ବହ ଘଟଣା-

ତାକୁ ଭଲଲାଗେ । ଭଲଲାଗେ ଦେଖିବାକୁ ପାହାଡ଼ ତଳେ ଲଗାଲଗି ହୋଇ ଯେଉଁ ଦୁଇଟି ତାଳଗଛ ରୁଖାପରି ଆକାଶକୁ ମଥାଟେକି ଠିଆ ହୋଇଛି । ଦୂରରେ ଦେଖିଲେ ଦୁଇଟିଯାକ ଗଛ ଏକା ଉଚ୍ଚତାରେ ଦେଖାଯାଏ । ମନେହୁଏ ଦୁଇଟି ସୈନିକ ଯେମିତି ପାହାଡ଼ର ସୌନ୍ଦର୍ଯ୍ୟର ଜଗୁଆଳ ପରି ଠିଆ ହୋଇଛନ୍ତି ।

ଖୁବ୍‌ ଭଲଲାଗେ ତାକୁ ନୀଳଶୋଲରୀର ପାଦଦେଶରୁ ବଂଶବତୀ ଯାଏଁ ପ୍ରସରି ଯାଇଥିବା ବ୍ରାହ୍ମଣଗଡ଼ି । ଏଇଠି ତାଙ୍କର ଚାଷଜମି । ଏଇଠି ତାଙ୍କର ଭାତହାଣ୍ଡି ।

ବ୍ରାହ୍ମଣ ଗଡ଼ିର ଆରକଡ଼େ ଖଣ୍ଡିଏ ଛୋଟ ମୁଣ୍ଡିଆ । ଲୋକେ କହନ୍ତି ଲଣ୍ଡା ମୁଣ୍ଡିଆ । ମୁଣ୍ଡିଆରେ ଗଛଲତା କମ୍‌ । ଢିମା ଢିମା ପଥର ପରିପୂର୍ଣ୍ଣ । ତେଣୁ ନାଁ ଲଣ୍ଡାମୁଣ୍ଡିଆ । ତା ତଳେ ସାନ ବସ୍ତିଟିଏ । ନାଁ ବରଡ଼ି । ଗାଁଟି ଯାକ ଚାଷୀ । କୃଷି ହିଁ ସେମାନଙ୍କର ଜୀବନ । ଗାଁଟିରେ ଗାଁଟିଏ ସାଧାସିଧା ସରଳ କଳା କଳା ମାଟିର ମଣିଷ । ସମସ୍ତେ ଥିବାବାଲା ବା ଚଳନ୍ତିପକ୍ଷ ନୁହଁନ୍ତି-। ଲାଗିବେ । ଖାଇବେ । ଗାଁରେ ମୁଖିଆ ମହାନ୍ତିଏ ଥିଲାବାଲା ।

ବରଡ଼ି ତାର ଚିହ୍ନାଜଣା ଗାଁ । ସେ ଗାଁର ପ୍ରଧାନଘର ତାଙ୍କର ରଇତ । ତାଙ୍କ ଜମିତକ ସେ ଚାଷକରେ । କଳେଇ ଯାକ ତାଙ୍କ ବାଡ଼ିକି ଆସେ । ସେ ବେଙ୍ଗଳା ପକାଏ ତାଙ୍କ ଖଳାରେ । ଅମଳରୁ ଅଧେ ଦିଏ । ଅଧେ ନିଏ । ପଧାନ ଘର ସୂତ୍ରରେ ସେ ଗାଁ ସହିତ ତାର ପରିଚୟ ।

ସେ ଗାଁଟି ତାକୁ ଭଲ ଲାଗେ । ଯେତେବେଳେ ତାକୁ ସମୟ ମିଳେ, ସେ ବାୟା ସହିତ ବିଲଆଡ଼େ ବୁଲିଯାଏ । ବିଲମାଳରେ ଥରେ ବୁଲି ଆସିଲେ ତାର ସମସ୍ତ ଦୁଃଖ ଭୁଲିଯାଏ ।

ତା ଯିବାକୁ ମିଶ୍ରେ ଅପସନ୍ଦ କରନ୍ତି ନାହିଁ । ହରିପୁରର ସେ ସିନା ବୋହୂ, ଏ ଗାଁର ସେ ଝିଅ । ଗାଁ ଝିଅ, ଗାଁ ଆକାଶର ମୁକ୍ତ ବିହଙ୍ଗୀ, ଲାଜ କଣ ? ସରମ କଣ ? ଯୁଆଡ଼େ ଇଚ୍ଛା ସିଆଡ଼େ ବୁଲିଲେ ଯାଏ ଆସେ ନାହିଁ । ଗାଁରେ ସମସ୍ତେ ଚିହ୍ନା । ସମସ୍ତେ ପିଲାଦିନରୁ ଜଣାଶୁଣା । ତା ଛଡ଼ା ମିଶ୍ରେ ଭାବନ୍ତି—ଜମିବାଡ଼ି ଆଡ଼େ ବୁଲାବୁଲି କଲେ ତା ମନ ପ୍ରସନ୍ନ ରହୁଛି । ତା ହେଲେ ସେ ଯାଉ । ବାୟା ତ ସାଥିରେ ଅଛି । ଭୟ କଣ ? ନିଜର କ୍ଷେତ କିଆରୀ ନିଜର ଭାତହାଣ୍ଡି । ତାକୁ ଯଦି ସେ ଦେଖା ରଖା କଲା, ଆନନ୍ଦର କଥା ।

ହାରାବୋଉ ମିଶ୍ରଙ୍କ କଥାରେ ପାଟି ଫିଟାନ୍ତି ନାହିଁ । ତାଙ୍କର ଏଣିକି ନିଜର ଯିବା ଚିନ୍ତା-। ହାରାର ଏଇ ରୂପଲାବଣ୍ୟଭରା ଯୌବନ ଦେଖିଲେ ସେ ବିକଳ ହୁଅନ୍ତି । ସାକ୍ଷାତ ଦେବୀପ୍ରତିମା ପରି ଦିଶେ ହାରା । ଯିଏ ହେଲେ ଦେଖିଲେ ମନେ କରିବ—ହାରା ଯେମିତି ବିଧବା ହୋଇଛି ବୋଲି ଦକନାହିଁ ମନରେ । ଭୁଆସୁଣୀ ବେଳ । ଏ ବୟସରେ ଭୁଆସୁଣୀଏ ନିଜକୁ କେତେ ପ୍ରକାର ସଜେଇ ସାଜେଇ ଗର୍ବ କରନ୍ତି । ଅସୁନ୍ଦରୀଏ ଦିଶନ୍ତି ସ୍ୱର୍ଗ ଅପସରୀ ପରି । ବେଶଭୂଷା ପରିପାଟିରେ ସଜେଇ ଯୁବକକୁ ଦମ୍ଭଚ୍ୟୁତ କରିବାକୁ କେତେ ପ୍ରତିଯୋଗିତା ନ କରନ୍ତି ଯୁବତୀମାନେ ଏଇ ବୟସରେ ।

ମନେ ପଡ଼େ ତାଙ୍କରି ବୟସ ବେଳ କଥା । ସେ ଯେତେବେଳେ ଏଇ ବୟସର, ସେତେବେଳେ କେତେ ଅଳଙ୍କାର ପିନ୍ଧି ବେଣୀ ଦୋହଲେଇ ଦାଣ୍ଡ ପିଣ୍ଡାରେ ଠିଆ ହେଉଥିଲେ ଖାଲି ମିଶ୍ରଙ୍କ ଆଖିରେ ପଡ଼ିବାକୁ ।

ଲାଜେଇ ଯାଆନ୍ତି ସେ । ସେବେଳ ତାଙ୍କରି ଯାଇଛି । ସବୁ ଯୁବତୀଙ୍କ ଜୀବନରେ ଏଇ ବୟସ ଆସେ । ସବୁ ଯୁବତୀଙ୍କ ମନପବନରେ ଏଇ ବୟସରେ କେତେ କୁସୁମ ଫୁଟେ, ବାସ, ଚହଟେ, ମନ ଦୋହଲେ, ରୂପ ଅଧୀର ହୁଏ, ପ୍ରାଣ ଡହଳ ବିକଳ ହୁଏ ।

ସେ ଚିଡ଼ିଉଠନ୍ତି ।

 

ସେ ବେଳ ତାଙ୍କର ଯାଇଛି । ତାଙ୍କରି ରକ୍ତରୁ ଯେଉଁ ରକତ ବିନ୍ଦୁଟି ବାହାରିଛି, ତାକୁଇ ଦେଖି ସେ ନିଜ ଜୀବନକୁ ଛି ମଣିଛନ୍ତି । ଶାଶୁଘରେ ବର ପାଖରେ ହସ କଉତୁକରେ ବେଳ କଟାଉଥାନ୍ତା ହାରା । କଣ ଲେଖାଥିଲା ତା କପାଳରେ ! କେଡ଼େ ସୁନ୍ଦର ହାରା ମୋର । ଦେଖୁଥିଲେ ଦେଖୁଥିବ । ଶେଷରେ ଏଇଆ ଥିଲା ତା କପାଳରେ !

 

ଦୀର୍ଘ ନିଃଶ୍ୱାସ ପକାଇ ହାରା ବୋଉ ତୁନି ରହନ୍ତି । ବାୟା ସହିତ ଜମିବାଡ଼ି ଆଡ଼େ ବୁଲି ଗଲେ ସେ ବାଧା ଦିଅନ୍ତି ନାହିଁ ।

 

ସେ ଯାଏ ।

 

ଘେରାଟେ ବୁଲି ଆସିଲେ ତା ମୁହଁରେ ହସ ଉକୁଟିଲା ପରି ଜଣାଯାଏ ।

 

ମିଶ୍ରେ ପ୍ରତିବାଦ କରନ୍ତି ନାହିଁ ।

 

ହାରାବୋଉ ପ୍ରତିବାଦ କରେ ନାହିଁ ।

 

ଗହୀର ମାଳରେ ବୁଲି ବୁଲି ପାଦ ଥକିଗଲେ ମଧ୍ୟ ହାରାର ଫେରିବାକୁ ଇଚ୍ଛା ହୁଏନାହିଁ-। ବାୟାକୁ କେତେ କଥା କହେ । ବାୟା ଶୁଣେ, ବୋଧେ କହେ—ନାନୀ ଲୋ, ତୁ ତୋ କଥା ଜମା ଚିନ୍ତା କରେ ନାହିଁ । ହରିପୁର ଆଶା ଛାଡ଼େ । ନଟବର ମହାପାତ୍ରେ ଆଉ ମଣିଷ ହୋଇ ଅଛନ୍ତି ! ତାଙ୍କ ନାଁ ଧଇଲେ ପାପ ଛୁଇଁବ । ତାଙ୍କ ବାପେ ଅର୍ଜିଥିଲେ, ସେ ଉଡ଼େଇଲେ । ଆମର ସେଥିରେ ଯାଏ ଆସେ କଣ ? ଆଉ ବେଶିଦିନ ନୁହେଁ ଯେ—ଦେଖିବୁନି ସେ ଯଦି ଦାଣ୍ଡରେ ଥାଳ ଧରି ନ ବୁଲିଛି ! ସବୁଦିନ କଣ ସମାନ ଥାଏ । ବସି ଖାଇଲେ ନଈବାଲି ସରେ । ଏମିତି ଭୋଗବିଳାସରେ କେତେଦିନ ଚଳିବ ? ସେଠିକା ଆଶା ଛାଡ଼େ । ମୁଁ ତ ପାରିଗଲିଣି । ନନା ବୋଉଙ୍କର ଆଉ କେତେଦିନ କହିଲୁ ? ଦେଖିଲୁ ତ ନନାଙ୍କ ସାଙ୍ଗର ମଧୁ କକେଇ, ଭଗବାନ ଦଦେଇ, ନିଧି ମିଶ୍ରେ, କୃଷ୍ଣ ନନ୍ଦେ ସବୁ କେମିତି ଡକାଡକି ହୋଇ ବର୍ଷ ଗୋଟାକରେ ଚାଲିଗଲେ । କିଏ ଆଉ ଏଠି ତମ୍ୱାରେ ମୁଣ୍ଡବାନ୍ଧି ରହିବ କହିଲୁ ? ସମସ୍ତେ ଯିବେ । ଦେଖିଲୁନି ସେବେଇତ ସାଇର ଲୋକି ଭଣ୍ଡାରି ବାପ ଅଗାଧୁ ଭଣ୍ଡାରି ନନାଙ୍କର କେଡ଼େ ଆପଣାର ଲୋକ—ଗୋଟେ ପୋଖରୀରେ ଖତମ । ନନା କେତେ ମନ ଦୁଃଖ କଲେ ସେଦିନ ତୁ ତ ନିଜେ ଦେଖିଛୁ । ଜାତିରେ ଭଣ୍ଡାରି ହେଲେ କଣ ହେଲା, ନନାଙ୍କର ସତେ ଯେମିତି ପ୍ରାଣରୁ ଅଧେ । ସମସ୍ତେ ତ ତାରି ପରି ମଶାଣି ଦାଣ୍ଡକୁ ଚାଲିଯିବା । ତାକେଇ ଭାବି ଏତେ ମନଦୁଃଖ କରି ଲାଭ କଣ ? ଯେତେ ଦିନ ବଞ୍ଚିବା, ଯେନତେନ ପ୍ରକାରେଣ ନିଜକୁ ଚଳେଇ ନେଲେ ହେଲା । ଜୀବନ ତ ଏଇଲେ ଅଛି, ଆଉଟିକକୁ ନାହିଁ ।

 

ହାରା ଶୁଣେ, ବାୟାର ଏମିତି ବୋଧେଇଲା କଥା ତାକୁ ଭଲଲାଗେ । ଗହୀର ମାଳରେ ହିଡ଼ ଗଡ଼ି ଦେଇ ପାଚିଲା ମୁଗ କିଆରୀ ପାରହୋଇ ଚାଲିଗଲା ବେଳେ ବାୟାର ବୋଧେଇବା କଥା ତା କାନକୁ ଆକର୍ଷି ଧରେ । ସେ ଖୁସିହୁଏ । ମୁଗ କିଆରୀରେ ମୁଗ ଓପାଡ଼ିବାରେ ଚାଷୀମାନେ ଲାଗିଥାଆନ୍ତି । ଠାଏ ଠାଏ ମୁଗ ବେଙ୍ଗଳା ପଡ଼ୁଥାଏ । ଦୂରରୁ ଦିଶେ ଶୋଲରୀର ପାଦ ଦେଶରେ ଦଣ୍ଡାୟମାନ ଲଗାଲଗି ଦୁଇଟି ତାଳଗଛ । ପଛକୁ ଶୋଲରୀ । ସେପାଖେ ଲଣ୍ଡାମୁଣ୍ଡିଆ ତଳେ ତେନ୍ତୁଳି ଆଉ କଇଥ ଗଛ ସନ୍ଧିରେ ବରଜି ଗାଁର ଚାଳ ଦିଶେ । ପଶ୍ଚିମ ପଟେ ଦିନର ଆଲୋକ ହଜେଇ ସୂର୍ଯ୍ୟ ନଇଁ ଆସନ୍ତି । ସମାପ୍ତ ସୂର୍ଯ୍ୟର ରକ୍ତିମା ଶୋଲରୀର ଛାତିରେ ପଲାଶ ଗଛରେ ଫୁଟିଥିବା ପଲାଶ ଫୁଲ ଦେହରେ ମିଶି ଏକ ଅଭିନବ ସୌନ୍ଦର୍ଯ୍ୟ ସୃଷ୍ଟି କରେ । ପାଖରେ ନାଲି ଟହ ଟହ ପଲାଶ, ଆରପାଖେ ଠିକ ଠ ବର୍ତ୍ତୁଳ ଡୁବିଲା ସୂର୍ଯ୍ୟର ସୁଷମା—ଗହୀର ମାଳରେ ଆତଯାତ କଳା କଳା ମାଟିର ମଣିଷମାନଙ୍କ ପ୍ରାଣପୂରନ୍ତା ଆଳାପ ଆଲୋଚନା—ପବନରେ ଭାସି ଆସୁଥିବା କେଉଁ ଏକ ଅଜଣା ବନଫୁଲର ମନମତାଣିଆ ମହକ—ଆଉ ଏଇ ପରିବେଶ ଭିତରେ କଥା ବାର୍ତ୍ତାରେ ମଜି ଘରବାହୁଡ଼ା ଦୁଇଜଣ ସେ ଓ ବାୟା । ଭାଇ ଓ ଭଉଣୀ ।

 

ହାରାର ପ୍ରାଣ ପୂରିଯାଏ । ସେ ସବୁ ଭୁଲିଯାଏ । ସେ ମଜ୍ଜିଯାଏ । ଭାବେ—ସେ ଯେମିତି ଏଇ ମୁକ୍ତ ଧରିତ୍ରୀର ପ୍ରସାରିତ ବକ୍ଷ ଉପରେ ଉଡ଼୍‌ଡ଼ୀୟମାନ କେଉଁ ଅମରପୁରର ବଳାକା-। ଚିନ୍ତା ନାହିଁ, ଦକ ନାହିଁ । ଭୟ ନାହିଁ । ସେ ଆତ୍ମହରା ହୁଏ । ସେ ନିଜକୁ ନିଜେ ହଜେଇଦିଏ-। ଗହୀରମାଳର ଚୋରା ପବନ ମନ ଶିହରାଏ । ଶୋଲରୀର ନୀଳ ତନୁରେ ନିଜକୁ ମିଶେଇ ଦେଇ ସେ ପୃଥିବୀକୁ ନୀଳିମ କରିବାକୁ ମନକରେ ।

 

ଦୂରରେ—

 

ଶୋଲରୀର ସେ ପାରିରୁ ଡାକ ଗାଡ଼ି ଭୀମ ଗର୍ଜନ କରି ଗୋଧୂଳି ବେଳାର ଉତ୍‌ଫୁଲ୍ଲ ମାଦକତାରେ ପ୍ରାଣ ଚହଲାଇ ଦିଏ ।

 

ଆଖିକି ଦିଶେ କଡ଼େ ଲମ୍ୱ ଡାକ ଗାଡ଼ିର ଭୀମକ୍ଷିପ୍ର ଗତି ।

 

ଗାଡ଼ି ଚାଲିଯାଏ । ବୋହିନିଏ କେତେ ଦୂରଦୂରାନ୍ତରୁ କେତେ ଯାତ୍ରୀଙ୍କୁ କେଉଁ ଆଡ଼େ ଜାଣି ହୁଏ ନାହିଁ ।

 

ସେ ଖୁସିହୁଏ । ଅତୀତ ତା ଆଖି ଆଗରୁ ଦୂରେଇ ଯାଏ । ଭବିଷ୍ୟତର ସୁନେଲି ସ୍ୱପ୍ନ ତା ମନ ଗୋଧୂଳିକୁ ରୂପାୟିତ କରେ ।

 

ଆହା—ସତେ କି ଆନନ୍ଦ ମିଳେ ଏ ମାଟିର ପ୍ରାଣଭିତରୁ । ଏଇଠି ସେ ତା ଜୀବନ ବିତେଇ ଦେବ । ଏଇଠି ହଜେଇ ଦେବ ତା ଅଭିଶପ୍ତ ଜୀବନର କାହାଣୀ ।

 

ବେଳ ବୁଡ଼ି ବୁଡ଼ି ଯାଏ ।

 

ବାୟା ସହିତ ମଜା ଗପରେ ମଜି ସେ ଘରକୁ ଫେରେ ।

 

ଦୂରକୁ ରହେ ଶୋଲରୀର ପ୍ରାଣପୂରନ୍ତା ରୂପମାଧୁରୀ ।

 

ରଥପୁର ନିକଟ ଏ ।

 

ଗୋପୀନାଥଙ୍କ ଦେଉଳରେ ସଞ୍ଜ ଆଳତୀ ଘଣ୍ଟା କାହାଳୀ ବାଜେ ।

 

ଗାଁ ମୁଣ୍ଡ ଠାକୁରାଣୀଙ୍କ ଦେଉଳରେ କାହାଳିଆ କାହାଳୀ ଫୁଙ୍କେ ।

 

ଆକାଶରେ ଡକାହକା ହୋଇ ଗୋଟି ଗୋଟି ତାରା ହସିଉଠନ୍ତି ।

 

ସେ ଗୋପୀନାଥଙ୍କ ପାଦତଳେ ହାତଯୋଡ଼ି ପ୍ରଣାମ ଜଣାଏ ।

 

ଏବେ କେତେଦିନ ହେଲା ମହାମାରୀ ଗ୍ରାସ କରିଛି ରଥପୁରକୁ । ଗାଁ ସାରା କୋକୁଆ ଭୟ । ସଞ୍ଜ ହେଉ ହେଉ ତାଟି କବାଟ ବନ୍ଦ । ବାହାରକୁ ବାହାରିବାରେ ପ୍ରାଣର ଡର । କାଳେ କଣ ହୋଇ ଯିବ କି ? ବାହାର ପବନ ଦେହରେ ବାଜିଲେ ମହାମାରୀ ବିଜେକରି ଯିବେ କି ଦେହରେ ?

 

ରାତି ନାହିଁ, ଦିନ ନାହିଁ, ସକାଳ ନାହିଁ, ସଞ୍ଜ ନାହିଁ ମଶାଣିକୁ ମୁର୍ଦାର ବୁହା ଚାଲିଛି ।

 

ବୁଢ଼ା ପିଲା ଭେଣ୍ଡା ଭୁଆଶୁଣୀ କେତେ ଯେ ଗଲେଣି, ହିସାବ ନାହିଁ । ଘରେ ଘରେ ବିକଳ ଆର୍ତ୍ତନାଦ । ମର୍ମଫଟା କରୁଣ କାନ୍ଦଣା । ଗାଁ ସାରା କାୟା ବିସ୍ତାର କରିଛି ଏକ ବୀଭତ୍ସ ଶୂନ୍ୟତା ।

 

ହେଇ, ପାଞ୍ଚଦିନ ତଳେ ଯମୁନା ବୋଉଟା ଯାଉ ଯାଉ ରହିଗଲା ।

 

ତା ଭାଗ୍ୟ ଟାଣ ।

 

ତା ପିଲାଙ୍କ ନିଶ୍ୱାସରୁ ସେ ବର୍ତ୍ତିଗଲା ।

 

ପାଞ୍ଚକୋଶ ଦୂରରେ ଡାକ୍ତରଖାନା । ଡାକ୍ତରଙ୍କୁ ଖବର ଦେଲେ ମଧ୍ୟ ସେ ଥରେ ଅଧେ ଆସି ଆଉ ଆସିବା ପାଇଁ ଡରିଲେ । ଜୀବନକୁ ଭୟ ନାହିଁ କାହାର ? ଦେହୀ ମାତ୍ରେ ଦେହକୁ ଡର-। ଜୀବନ ଥରେ ଗଲେ ଆଉ କଣ ଫେରିବ !

 

ଗାଁରେ ରାତି ବିକାଳି ଦେହପାକୁ ହନୁମାନ ନନ୍ଦେ ଅଛନ୍ତି । କବିରାଜି ଚେରମୂଳିରେ ତାଙ୍କର କାରବାର । ଇଞ୍ଜେକ୍‌ସନ ସାଲାଇନରେ ତାଙ୍କର ବିଶ୍ୱାସ ନାହିଁ । ଗାଁର ରୋଗବାଗକୁ ସେ ହିଁ ସାହା ଭରସା । ତାଙ୍କର ଦମ୍ଭ ଟଳିଗଲାଣି । କାହାକୁ ବା ଆଉ କେତେ ବଟିକା ଦେବେ । ତାଙ୍କର ବୁଦ୍ଧି ବୃତ୍ତି ଏ ମହାମାରୀକି ଆଉ ଖାପ ଖାଉନି ।

 

ପାଞ୍ଚ ବର୍ଷ ତଳେ ଏ ଗାଁ ଦିଅଙ୍କ କୋପଦୃଷ୍ଟି ଏମିତି ପଡ଼ିଥିଲା । ସେଥର ଆଉ ମଶାଣି ଦାଣ୍ଡରେ ମଡ଼ା ପୋଡ଼ା ହୋଇ ପାରିଲା ନାହିଁ । ଯିଏ ପାରିଲା ସେ ଗଡ଼େଇ ଦେଇ ଆସିଲା । ଗାଁରୁ ସେଥର ଅଧେ ମଣିଷ ଶେଷ ହୋଇ ଯାଇଥିଲେ । ଗାଁ ପୂରାପୂରି ପାତଳ ହୋଇ ଯାଇଥିଲା ।

 

ଠିକ୍‌ ସେଇ ଦଶା ଏଥର ମାଡ଼ିଆସିଛି । ନୀଳକଣ୍ଠେଶ୍ୱରଙ୍କ ସାମନା ବଡ଼ପୋଖରୀ ଦକ୍ଷିଣ ପାଖ ହୁଡ଼ା ତଳେ ଯେଉଁ ହରିଜନ ବସ୍ତି, ସେଥିରେ ଆଉ ସଞ୍ଜହେଲେ ଡିବିରି ଆଲୁଅର କ୍ଷୀଣରେଖା ଦେଖା ଯାଉନାହିଁ ।

 

ଏକ ପୈଶାଚିକ ନିଷ୍ଠୁରତା ରାଜୁତି କରୁଛି ରଥପୁରରେ । ପୋକମାଛିପରି ମଣିଷ ଟଳିପଡ଼ୁଛନ୍ତି ।

 

ଥରେ ଦିଥର ବାନ୍ତି—ଗୋଟେ ଦିଇଟା ତରଳା ପାଇଖାନା—ତା ପରେ ଗୋଡ଼ ହାତରୁ ପାଣି ଶୁଖି ନାଡ଼ି ଛାଡ଼ୁଛି—ତାପରେ ଶେଷ ।

 

ଶାସନକୁ ଏ ରାହୁ ମାଡ଼ିଆସିଛି । ଯୁଆନ ଯୁଆଡ଼ ଭେଣ୍ଡାମାନେ ଶ୍ମଶାନକୁ ମଡ଼ା ବୋହି ବୋହି ବିରକ୍ତ ବୋଧ କଲେଣି ।

 

ବାୟାଟାକୁ ଯେତେ ମନାକଲେ ଶୁଣୁନାହିଁ । ମଡ଼ା ନ ଉଠେଇଲେ ତା ମନ ଥିର ହେଉନାହିଁ । ହେଇ ଦିନ ପାଞ୍ଚଟାରେ ଡକାଡ଼କି ହୋଇ ତା’ରି ସାଙ୍ଗର ଗଣେଣ, ମାଧବ, କେଦାର ଚାଲିଗଲେ । ଆଉ ଚାଲିଗଲେ ନିତିଆ ବୋଉ, ସଦାଶିବ ଭାରିଯା, ଆଉ ହନୁମାନ ନନ୍ଦଙ୍କ ଝିଅ ସୁମତି ।

 

ବାୟାକୁ ହାରା କେତେ ବୁଝେଇ କହିଛି—ରାଣ ନିୟମ ପକେଇଛି—ତୋତେ ମୋ ରାଣଟି ବାୟା, ତୁ ଆଉ ଦାଣ୍ଡକୁ ଅଣ୍ଟା ଭିଡ଼ି ବାହାରନା । ଦେଖୁଛୁ କାଳ କଣ, ବେଳ କଣ । କେତେ ଦମ୍ଭିଲା ପୁରୁଷଙ୍କ ଦମ୍ଭ ଟଳିଯାଉଛି । ତୁ ଆଉ ସେ ମଡ଼ାସାଙ୍ଗିଆଙ୍କ ସାଥିରେ ମିଶନା—ଏମିତି ଗୁଣ୍ଡାହୁଣ୍ଡାଙ୍କ ପରି ବାହାରେ ବୁଲୁନା—

 

ବାୟା ବୁଝୁନାହିଁ । ନନା କେତେ ବୁଝେଇଛନ୍ତି । ବୋଉ ବୁଝେଇଛି । କାହିଁରେ ସେ ବୁଝିନାହିଁ । ସାଙ୍ଗ ସାଥୀଙ୍କ ସହ ମିଶି ଗାଁରୁ ମଡ଼ା ବୋହି ନେବାରେ ସେ ବ୍ୟସ୍ତ । ଚାଳକୁ ଚାଳ ବାନ୍ଧି ଗାଁରେ ଏକାଠି ରହିଛେ ଯେତେବେଳେ ଅନ୍ୟର ବିପତ୍ତି ବେଳେ ପାଖରେ ଠିଆ ନହେଲେ ମଣିଷପଣିଆ ରହିଲା କେଉଁଠି !

 

ଡାକ୍ତର ବାବୁ ଆସୁ ନାହାଁନ୍ତି । ଔଷଧ ନାହିଁ । ମଫସଲ ଗାଁ । ମହାମାରୀକି ସାହା ଭରସା ଗାଁ ଠାକୁରାଣୀ ବୁଢ଼ୀମା, ଆଉ ଇଷ୍ଟଦେବ ପ୍ରଭୁ ଗୋପୀନାଥେ ।

 

ଲୋକେ ସଞ୍ଜ ହେଲେ ପଣାହାଣ୍ଡିରେ ମନ୍ଦାର ଫୁଲ ପକେଇ ଠାକୁରାଣୀଙ୍କ ପଛପାଖ ଶଗଡ଼ ଦଣ୍ଡାରେ ଅଣବାଟିଆ କରି ଥୋଇ ଆସୁଛନ୍ତି । ସେବେଇତ ସାଇବାଲା ସଞ୍ଜ ପହରେ ସଂକୀର୍ତ୍ତନ କରୁଛନ୍ତି । ଧୂପ ବୁଲେଇ ସାଇ ସାଇ ବୁଲୁଛନ୍ତି । ବ୍ରାହ୍ମଣମାନେ ଗୋପୀନାଥଙ୍କ ପାଖରେ ତୁଳସୀ ଚଢ଼ୋଉଛନ୍ତି ।

 

ଏ ସବୁ ସତ୍ତ୍ୱେ ଫଳ କିଛି ନାହିଁ । ଏ ନିପଟ ମଫସଲ ଗାଁରେ ଥରେ ହଇଜା ପଶିଲେ ସେ ନିଜେ ନିଜେ ନଗଲା ଯାଏ ତାକୁ ସହଜରେ ନବାବାଲା କେହି ନାହିଁ ।

 

ହନୁମାନ ନନ୍ଦଙ୍କ ବୈଦ୍ୟଶାସ୍ତ୍ର କାଟୁ କରୁନାହିଁ । ନିଜ ଝିଅକୁ ମଧ୍ୟ ସେ ରଖି ପାରିଲେ ନାହିଁ ।

 

କେବଳ ହରି ଭରସା । ସମସ୍ତଙ୍କ ବୁଦ୍ଧି ବଣା ହେଲାଣି ।

 

ଦଶଦିନ ହୋଇଗଲାଣି । ଏଥର ମହାମାରୀର ପ୍ରକୋପ ସାମାନ୍ୟ କମି ଆସିଲାପରି ବୋଧ ହେଉଛି । ମୃତ୍ୟୁ ହାର କମିଛି । ହରିଜନ ବସ୍ତିରୁ ଲୋକେ ଭାଙ୍ଗି ଯାଇଛନ୍ତି । ସେବେଇତ ସାଇରେ କୋକୁଆ ଭୟ । ହାଟୁଆ ସାହି । ପଧାନ ସାହି କୁମ୍ଭାର ସାହିରେ ମହାମାରୀ ବିଶେଷ କୋପଦୃଷ୍ଟି ପକେଇ ନଥିଲେ ମଧ୍ୟ ସେ ସାହିମାନଙ୍କରେ ଭୟ କମିନି । ପୁରାଣ ପାରାୟଣ ହେଉଛି-। ଏତେ ଦିନର ଶୂନ୍ୟତା ଭିତରେ ସାମାନ୍ୟ ଗହଳି ଚହଳି ଲାଗିଛି ।

 

ଦଶ ଦିନ ହେଲା ସାଙ୍ଗମାନଙ୍କ ସହ ମିଶି ମଡ଼ା ବୋହି ବୋହି ବାୟାର କାନ୍ଧ ବିଣ୍ଡି ପଡ଼ି ଯାଇଛି । ଯେତେ ମନାକଲେ ମଧ୍ୟ ସେ ମନା ମାନୁନାହିଁ । ମନରେ ତା’ର ଅଦମ୍ୟ ସେବାର ଦମ୍ଭ ଓ ସାହସ । ସେ ଶାସ୍ତ୍ର ପୁରାଣ ଗୀତା ଭାଗବତରେ ପଡ଼ିଛି—

 

ଅଶୋଚ୍ୟାନନ୍ୱ ଶୋଚସ୍ତ୍ୱଂ ପ୍ରଜ୍ଞାବାଦାଂଶ୍ଚ ଭାଷସେ

ଗତାସୂନ ଗତାସୂଂଶ୍ଚ ନାନୁ ଶୋଚନ୍ତି ପଣ୍ଡିତାଃ ।

 

ପଣ୍ଡିତମାନେ ମୃତ ବା ଜୀବିତମାନଙ୍କ ପାଇଁ ଶୋକ କରନ୍ତିନାହିଁ । ପ୍ରାଣୀ ମରିବ ହିଁ ମରିବ । ଅହନି ଅହନି ଭୂତାନି ଗଚ୍ଛନ୍ତି ଯମ ମନ୍ଦିରଂ । ମୃତ୍ୟୁକୁ କେହି ରୋଧ କରିପାରିବେ ନାହିଁ । ଜୀବନର ଅପର ପାର୍ଶ୍ୱ ହିଁ ମୃତ୍ୟୁ । ମୃତ୍ୟୁ ସୃଷ୍ଟିର ଚିରନ୍ତନ ସତ୍ୟ । ତାର ସମୟ ଆସିଲେ ସେ ଅନିମନ୍ତ୍ରିତ ହୋଇ ଆସେ । କେହି ତାକୁ ବାଧା ଦେଇ ଅଟକେଇ ପାରିବେ ନାହିଁ । ସେ ସମୟର ଦାସ ନୁହେଁ । ସେ ମହାକାଳ । ସେ ଆସିଲେ ଆସିଲା । ଗଲେ ଗଲା । ତେଣୁ ତାକୁ ଡରି ଘରେ କବାଟ ସନ୍ଧିରେ ଲୁଚିଲେ କଣ ଲୁଚି ହେବ ?

 

ହେଇ ସେଦିନ ଯମୁନା ବୋଉ—ନାଡ଼ି ଛାଡ଼ି ଛାଡ଼ି ଆସୁଥିଲା । ଗୋଡ଼ ହାତରୁ ପାଣି ବୋହୁଥିଲା । ଆଖିଡ଼ୋଳା ଲେଉଟୁ ନଥିଲା । କଣ ହେଲା ? କାଳ କଣ ତାକୁ ନେଇ ପାରିଲା ? ନେବ କିମିତ ? ତାର ପରା ସମୟ ହେଇନି । ମୃତ୍ୟୁ ଫେରିଗଲା । ସେ ବଞ୍ଚିଗଲା । ସମସ୍ତେ କହିଲେ ତା ପିଲାଙ୍କ ନିଶ୍ୱାସରୁ ବଞ୍ଚିଲା । ହୋଇଥାଇ ପାରେ । ତାକୁ ସିଏ ଯେଉଁ ପ୍ରକାରେ ବୁଝୁ ବା ଅର୍ଥକରୁ ତା ଭିତରେ ଗୋଟିଏ ମାତ୍ର ସତ୍ୟ ନିହିତ ଅଛି—କାଳ ନ ପୂରିଲେ କାଳ ନେବ ନାହିଁ ।

 

ତାର ତେବେ ଏତେ ଭାବନା କଣ ପାଇଁ । ଅଜା କହିଥିଲେ ଜୀବନ୍ତରେ ସେ ଶହେଆଠ ମଡ଼ା ଶ୍ମଶାନରେ ଜାଳିବ ସେ ଅଶ୍ୱମେଧ ଯଜ୍ଞର ଫଳ ପାଇବ । ସେ ତ ପରୋପକାର କରୁଛି । ସେ ଆଗଭର ହୋଇ ବାହାରିବାରୁ ଗାଁର ଅନ୍ୟ ଲୋକମାନେ ବାହାରୁଛନ୍ତି । ମଶାଣି ଭୂଇଁରେ ଗହଳ ଜମୁଛି । ଗାଁର ଶୂନ୍ୟତା କମୁଛି ।

 

ଏବେ ଦିନକ ତଳେ ଗାଁର ପୁରାଣ ପଢ଼ାଳି ବାଞ୍ଛାନିଧି ଦଦେଇ ଚାଲିଗଲେ । ତାଙ୍କପରି ପୁରାଣଗାୟକ ଆଉ ଏ ଗାଁରେ ଜନ୍ମିବେ ନାହିଁ । ବୁଢ଼ା ହେଲେ କଣ ହେଲା, କଣ୍ଠ ଯଦି ଲମ୍ୱେଇ ଦେବେ ନା ପାଞ୍ଚ କୋଶ କମ୍ପିଉଠିବ । ତାଙ୍କ ଯୋଗୁ ଗାଁରେ ଅଧରାତି ଯାଏ ଗହଳି ଜମୁଥିଲା । ସରସ୍ୱତୀଙ୍କ କୃପାରୁ କଣ୍ଠ ଖଣ୍ଡିଏ ପାଇଥିଲେ । ତାଙ୍କ ଲଳିତ ମଧୁର ହୃଦୟସ୍ପର୍ଶୀ କଣ୍ଠସ୍ୱର ଶୁଣିଲେ ସାପ ମଧ୍ୟ ଫଣା ଟେକି ରହିବ ।

 

ଶାସନ ଗାଁର ନାଁ ନଥିବା ପୁରୁଣା ଗାୟକ ବାଞ୍ଛାନିଧି ଦଦେଇ ଦିନକ ତଳେ ଚାଲିଗଲେ-। ତାଙ୍କ ସହିତ ଚାଲିଗଲା ଏ ଗାଁର ଅଷ୍ଟାଦଶ ପୁରାଣ ପାଠ । ଆଉ ତାଙ୍କ ସ୍ଥାନ କିଏ ପୂରଣ କରିବ-?

 

ତାଙ୍କ ପୁଅ ରଘୁ ? କଣ୍ଠ ଅଛି । ଳହର ଅଛି । ମଧୁରତା ଅଛି । ତଥାପି ତାଙ୍କ ସମକକ୍ଷ ହେବନାହିଁ । କେଜାଣି ଭବିଷ୍ୟତରେ ଅବା ହୋଇପାରେ !

 

ସେମାନେ ଯେତେବେଳେ ବାଞ୍ଛା ଦଦେଇଙ୍କି କୋକେଇରେ ବୋହି ନେଲେ ସେତେବେଳେ ଗାଁ ସାର ସବୁରିଙ୍କ ନୟନରୁ ଲୁହର ଝରିଲା । ସତେ ଯେମିତି ଗାଁର ଗଛଲତା ବି କାନ୍ଦିଉଠିଲେ । ରାମନାମ ସତ୍ୟ ହୈ ଶବ୍ଦରେ ରଥପୁର ଶାସନର ଅନ୍ତରାତ୍ମା ଦୋହଲି ଉଠିଲା ।

 

ବାଞ୍ଛାନିଧି ଦଦେଇଙ୍କ ପରି କେତେ ଗୁଣୀମାନି ଚାଲିଗଲେ । ଚାଲିଗଲେ ତାଙ୍କ ସହିତ ଗରିବ ମଳିମୁଣ୍ଡିଆ ଖଟିଖିଆ କେତେ ଲୋକ ।

 

ଦଶବାରଦିନ ପରେ ମହାମାରୀର ପ୍ରକୋପ ଟିକିଏ କମିଗଲା ବୋଲି ଲୋକେ କୁହାକୋହି ହେଲେ । ସାଇ ସାଇରେ ସଞ୍ଜପହରେ ମଣିଷ ଗହଳି ସାମାନ୍ୟ ଶୁଣାଗଲା । ରଥପୁରର ନିଷ୍ଠୁର ନୀରବତା ଆଉ ଅବୋଧ୍ୟ ଶୂନ୍ୟତାର ଦାରୁଣ ରୂପ କ୍ରମେ କ୍ରମେ ଅପସରି ଗଲାପରି ଅନୁଭବ କଲେ ଲୋକମାନେ । ହଇଜାର ପ୍ରକୋପ କମି କମି ଆସିଲା ।

 

ଦୀପଶିଖା ଲିଭିଯିବା ପୂର୍ବରୁ ଯେପରି ହଠାତ୍ ଶିଖାମେଲି ପ୍ରଜ୍ୱଳି ଉଠେ, ମହାମାରୀ ରଥପୁରରୁ ମେଲାଣି ନେବା ପୂର୍ବରୁ ଠିକ୍‌ ସେମିତି ମିଶ୍ରଙ୍କ ଘରେ । ଜଳିଉଠିଲା ।

 

ସେଦିନ ସଞ୍ଜବେଳେ ମିଶ୍ରଙ୍କ ଘରେ କାନ୍ଦ ବୋବାଳି । ବେଳ ବୁଡ଼ୁ ନ ବୁଡ଼ୁଣୁ ହାରାବୋଉକୁ ହଇଜା ଧଇଲା ଯେ ଘଡ଼ିଏ ରାତିକି ସେ ସଫା ।

 

କାନ୍ଦବୋବା ମୁଣ୍ଡପିଟା କଣ ବା ଶୁଣିବ ! ହାରାର ଯେଉଁ ବିକଳ କାନ୍ଦ, ପଥର ହେଲେ ତରଳିଯିବ । ସତେଅବା ସମଗ୍ର ଆକାଶଟା ତା ମୁଣ୍ଡ ଉପରେ ଛିଡ଼ି ପଡ଼ିଲା । ବାୟାର ଆଖିରେ ଅସରନ୍ତି ଲୁହ । ହତାଶା ଓ ବିଷାଦରେ ମିଶ୍ରଙ୍କ ଅଣ୍ଟା ଭାଜିଗଲା । ସାଇ ପଡ଼ିଶାଙ୍କ ମନରେ ଗଭୀର ଦୁଃଖର ଛାୟା ।

 

ମିଶ୍ରେ ଭାଜିପଡ଼ିଲେ । ଜୀବନରୁ ଅଧେ ଚାଲିଗଲା । ହାରା ବିଧବା ହେବା ଦିନଠାରୁ ସେ ଦୁଃଖରେ ପଥର ପାଲଟି ଯାଇଥିଲେ । ହାରାବୋଉର ମରଣ ତାଙ୍କ ଉପରେ ପାହାଡ଼ ପରି ଲଦି ହୋଇଗଲା ।

 

ହାରାବୋଉର ଶବାଧାର ଆଗରେ ଲିଆ କଉଡ଼ି ଫିଙ୍ଗି ଫିଙ୍ଗି ଗଲାବେଳେ ସେ ମନେକରୁଥିଲେ ତାଙ୍କ ଦେହରୁ ଯେମିତି ରକତ ଶୁଖିଯାଇଛି । ରୁଧିରଯାକ ପାଣିଫାଟି ଆଖିବାଟେ ବାହାରି ଆସୁଛି । ଫାଙ୍କା ଫାଙ୍କା ଲାଗୁଛି ଜୀବନଟା ।

 

ଶବାଧାରର ଗୋଟିଏ ପାଖ କାନ୍ଧେଇଛି ବାୟା—ତାଙ୍କ ସାନଭାଇ ଦୀନବନ୍ଧୁର ପୁଅ । ଦୀନବନ୍ଧୁ ଅନେକ ଦିନ ହେଲା ଚାଲିଯାଇଛି । ତା ପଛେ ପଛେ ନେଇ ଯାଇଛି ତା ସ୍ତ୍ରୀକୁ । ବାୟାକୁ ଛାଡ଼ିଯାଇଛି ତାଙ୍କ ପାଖରେ । ଦୁଇକୂଳକୁ ପାଣିଦେବ ବାୟା । ଏଣିକି ତାଙ୍କର ବୋଇଲେ ବାୟା ଓ ହାରା । ସେ ଦୁହିଁଙ୍କ ସାମନାରେ ଜୀବନଟା ଚାଲିଗଲେ ଗଲା । ଆଉ ଏ ପୋଡ଼ା ପିଣ୍ଡରେ କି ଲାଭ-!

 

ମିଶ୍ରଙ୍କ ଆଖିରେ ଲୁହର ସୁଅ ଛୁଟିଛି ।

 

ହାରାର ଆଖି ଦୁଇଟି ଫୁଲି ନାଲି ଦିଶୁଛି । ସାଇ ମାଈପିଙ୍କ ବୁଝାସୁଝାରେ ସେ ଭୋଭୋ ହୋଇ କାନ୍ଦି ଉଠୁଛି ସିନା ରୋଧକରି ପାରୁନାହିଁ ବିକଳ କାନ୍ଦଣା ।

 

ବୋଉକୁ ଯେତେବେଳେ ଘରୁ ଉଠେଇଳେ ସେ ଚିତ୍‌କାର କରି ଉଠିଲା—ବୋଉ ଲୋ, ତୁ ମତେ ସତରେ ଛାଡ଼ିଗଲୁ ! ମୋ କଥା ଟିକିଏ ମନେ ପକେଇଲୁ ନାହିଁ । ମୋତେ ଆଉ ଥରେ ହେଲେ ଅନେଇଁବୁ ନାହିଁ । ମତେ ଜଲ୍‌ଦି ତୋ ପାଖକୁ ନେଇଯିବୁ ଲୋ ବୋଉ—କାହାପାଇଁ ଆଉ ଏ ଜୀବନ ଧରି ବଞ୍ଚିରହିବି !

 

ହାରାବୋଉ ଚାଲିଗଲା । ସଧବାଶାଢ଼ୀ ପିନ୍ଧି, ବେକରେ ଫୁଲମାଳ ଲମ୍ୱେଇ, ଗୋଡ଼ରେ ଅଳତା ହାତରେ ନୂଆଚୁଡ଼ି ପିନ୍ଧି ରାମନାମ ସତ୍ୟ ହୈ, ହରିରାମ ସତ୍ୟ ହୈ ଭିତରେ ସେ କେଉଁ ଅଦୃଶ୍ୟ ଅଗମ୍ୟ ରାଜ୍ୟକୁ ଚାଲିଗଲା ।

 

ନିଶାର୍ଦ୍ଧକୁ ଶବ ସତ୍‌କାର କରି ଶବବାହକମାନେ ନୀଳକଣ୍ଠେଶ୍ୱରଙ୍କ ବେଢ଼ା ଭିତରେ ରାତି କଟେଇଲେ । ରାତିରେ ଶବ ସଙ୍ଗରେ ଗଲେ ରାତିରେ ଘରକୁ ଫେରିବା ନିଷେଧ । ସକାଳ ହେଲେ ସୂର୍ଯ୍ୟଙ୍କୁ ଦେଖି ଫେରିବାକୁ ହେବ ।

 

ମିଶ୍ରେ କିନ୍ତୁ ଘରକୁ ଫେରିଆସିଲେ । ତାଙ୍କ ସହିତ ଫେରି ଆସିଲା ବାୟା । ଦୁହେଁ ଘର ଭିତରେ ନପଶି ଦାଣ୍ଡ ଦୁଆର ବେଦୀରେ ଗଡ଼ିପଡ଼ିଲେ ।

 

ଘରେ ଏକାକିନୀ ହାରା ।

 

ପାହାନ୍ତା ପହର ହେଲାଣି । ଖାଁ ଖାଁ ଜଣା ପଡ଼ୁଛି ଘର ଭିତରଟା ।

 

ଦାଣ୍ଡ ଦୁଆର ବେଦିରେ ନନା ଓ ବାୟା ଗଡ଼ପଡ଼ ହେଉଛନ୍ତି ।

 

ଶାସନ ଗାଁ ଦାଣ୍ଡରେ ରାଜୁତି କରିଛି କରୁଣ ମୌନତା ।

 

ଭୟ, ଦୁଃଖ, ବିଷାଦ, ହତାଶା ଭିତରେ ଉବୁଟୁବୁ ହେଉଛି ସେ । ଆଖିରେ ନିଦନାହିଁ ।

 

ଘର ଭିତରେ କିଏ ଯେମିତି ତା ପଛେ ପଛେ ଗୋଡ଼େଇଲାପରି ବୋଧ କରୁଛି ସେ ।

 

ଅନ୍ଧାର ରାତି ।

 

ଦାଣ୍ଡଘର ଏରୁଣ୍ଡି ବନ୍ଧ ଉପରେ ଡିବିରିଟି ମିଞ୍ଜି ମିଞ୍ଜି ହୋଇ ଜଳୁଛି । ଭୟରେ ଛାତି କମ୍ପି ଉଠୁଛି । କାନ୍ଦି କାନ୍ଦି ଆଖି କନ୍ଦା ପଡ଼ିଯାଇଛି ।

 

ଏକୁଟିଆ ଦାଣ୍ଡଘରକୁ ଆସିଲା ସେ ।

 

ସାଇମାଇପେ ଚାଲିଯାଇଛନ୍ତି । ରାଧାନାନୀ କହିଯାଇଥିଲା ଆସିବ ବୋଲି, ଆସିଲା ନାହିଁ ।

 

ନିଶବ୍ଦ ନିଥର ରାତିରେ ଦେହ ଥରିଉଠୁଛି ।

 

ଘର ଭିତରକୁ ଚାହିଁଲେ ମନେ ହେଉଛି—ବୋଉ ଯେମିତି ତଳଘର ବାରଣ୍ଡା ଚୁଲିମୁଣ୍ଡରେ ବସିଛି । ସେମିତି ମୁହଁ, ସେମିତି ଦିହ, ସେମିତି ଚାହାଣୀ—ତା କାନରେ ବାଜୁଛି—ହାରାଲୋ, ତୋତେ ଛାଡ଼ି ମୁଁ ଯାଇଛି ମା, ସହିସମ୍ଭାଳି ଚଳିବୁ । ମୋର ତ ବେଳ ସରିଗଲା । ଆଉ କେତେ ଦିନ ରହନ୍ତି । ବାୟା କଥା ବୁଝୁଥିବୁ । ନନାଙ୍କ ଦେହ ପାର ଯତ୍ନ ନେଉଥିବୁ । ଆଉ କିଏ ଅଛି ଯେ ତାଙ୍କର କରିବ ।

 

ସେ ଚମକିଉଠିଲା ।

 

ଦୌଡ଼ିଯାଇ ଦାଣ୍ଡ ଦୁଆରେ ଠିଆ ହେଲା ।

 

ମିଶ୍ରଙ୍କ ଆଖିରେ ନିଦ ନ ଥିଲା । ସେ ଦୌଡ଼ିଯାଇ ହାରାକୁ ଧରି ପକେଇଲେ, କେତେ ବୁଝେଇଲେ । ବାୟା ମଧ୍ୟ ବୁଝେଇଲା—ନାନୀ ତୁ ଏମିତି ହେଲେ କିମିତି ଚଳିବା କହିଲୁ ! ଏ ଗାଁରୁ କେତେତ ଗଲେ । ସମସ୍ତଙ୍କ ଘରେ କାନ୍ଦବୋବା । ଯିଏ ଗଲେ ସିଏ ଗଲେ । ଆମେ ତ ପୁଣି ବଞ୍ଚିରହିବା, ବୋଉର ବେଳ ସରିଗଲା । ସେ ଗଲା, ତୁ ଏମିତି ହେଲେ ଏ ଘର ସମ୍ଭାଳିବ କିଏ କହିଲୁ ?

 

ବାୟା ଆଖିରେ ଲୁହ ଢଳଢ଼ଳ । ବୋଉ କଥା ତାର ବିଶେଷ ମନେ ପଡ଼ୁଛି ଆଜି । ଥିଲାବେଳେ ଯେତେ ଆକଟ କଲେ ମଧ୍ୟ ସେ ବୋଉ କଥାକୁ କାନ ଦେଉ ନ ଥିଲା ସିନା; ଆଜି କିନ୍ତୁ ତା ମନ ଭିତରଟା ଖୁବ୍‌ ଛଟପଟ ହେଉଥିଲା । ବୋଉ ତାକୁ କେଡ଼େ ଆଦର ଯତ୍ନରେ ପାଳିଥିଲା । ବୋଉ କଥାକୁ ସେ ତିଳେମାତ୍ର ଖାତିରି କରୁନଥାଏ । ମାତ୍ର ସେ ନ ଖାଇଲେ ବୋଉକୁ ଭାତ ରୁଚେନି । ତା ପାଇଁ ବୋଉ ସତରେ କେତେ କଷ୍ଟ ନ ସହିଛି । ପିଲାଦିନର କେତେ କଥା ଗୋଳେଇ ଘାଣ୍ଟି ହୋଇ ମନକୁ ଛୁଇଁଲା ।

 

ସେଥର ସାଙ୍ଗମାନଙ୍କ ମେଳରେ ଆମ୍ୱତୋଟାରେ ଆମ୍ୱଗଛରେ ଚଢ଼ି ଆମ୍ୱ ତୋଳୁ ତୋଳୁ ଗଛରୁ ଖସିପଡ଼ି ହାତ ଖଣ୍ଡିଆ ଗୋଡ଼ ଖଣ୍ଡିଆ ହୋଇ କି କଷ୍ଟ ସେ ପାଇ ନ ଥିଲା । ମୁଣ୍ଡ ଫାଟିଯାଇଥିଲା ଯେ ମାସେକାଳ ଲାଗିଲା ଶୁଖିବାକୁ । ମାସେକାଳ ବୋଉ ତାର କେତେ ସେବା ନ କରିଥିଲା । କୋଳରେ ପୂରେଇ ଶୋଇବା, ରାତିରେ ପଚିଶଥର ଉଠି ଦେହ ଆଉଁଷିବା, ଔଷଧ ଖାଇବାକୁ ଦେବା, କେତେ ସେବା କେତେ ଯତ୍ନ, କେତେ ଆଦର !

 

ଆଉ ସେ ଆଦର କାହାଠୁ ମିଳିବ ?

 

ଗୋଟି ଗୋଟି ହୋଇ ତା ଆଖିରେ ନାଚି ଉଠିଲା ସବୁ ।

 

ମରଣର ସୁଅ ମୁହଁରେ ବୋଉ ତାର ସବୁ ଦିନକୁ ଭାସିଯାଇଛି । ଚାଲିଯାଇଛି ଏ ଘରର ମାୟାମମତା ଶିରୀ ସମ୍ପଦ ପଛରେ ପକେଇ ।

 

ସଂସାର କହିଲେ ନନା ଓ ନାନୀ ।

 

ଛାତିରେ ଅସହ୍ୟ ବେଦନା ଠୁଳ ହୋଇ ଯାଇଥିଲା ତାର ।

 

ନାନୀକି ପାଖରେ ବସେଇ ସେ କେତେ ବୁଝାଇଲା—ତୁ କଣ ଚମକି ପଡ଼ିଲୁ କି ନାନୀ-? ବୋଉ ଆମକୁ କେତେ ଭଲପାଏ ଜାଣୁ ? ସେ କେବେ ହେଲେ ଆମର ଅନିଷ୍ଟ କରିବ ନାହିଁ-। ଅନ୍ଧାର ଘରଟା ନା ତୋତେ କିଏ ଠିଆ ହେଲାପରି ଲାଗିଲା । ଖାଲି ମନରେ ବିକଳ୍ପ ଭାବନା-

 

ଆମର ପୂରନ୍ତା ଘର । ତୁ ଆଦୌ ଡରେ ନାହିଁ—

 

ରାତି ପାହାନ୍ତା ହୋଇ ଆସୁଥିଲା ।

 

ବହଳ ଅନ୍ଧାର ପାତଳ ହୋଇ ଆସୁଥିଲା ।

 

ନଡ଼ିଆ ବାହୁଙ୍ଗାରେ ପବନ ବାଜି ଏକ କରୁଣ ଧ୍ୱନି ସୃଷ୍ଟି କରୁଥିଲା ।

 

ନିଛାଟିଆ ଗାଁ ଦାଣ୍ଡର ଧୂଳି ମାଡ଼ି ମାଡ଼ି ପଡ଼ୁଥିଲା ଯେମିତି ।

 

ମିଶ୍ରେ ଥକାହୋଇ ଦାଣ୍ଡବାରଣ୍ଡା ପାହାଚ ତଳେ ମୁଣ୍ଡରେ ହାତ ଦେଇ ବସିଥିଲେ । ବାରଣ୍ଡାରେ ହାରା ପାଖରେ ବାୟା ।

 

ଦାଣ୍ଡଘରେ ଏରୁଣ୍ଡିବନ୍ଧ ଆରପାଖେ ଡିବିରି ମିଞ୍ଜି ମିଞ୍ଜି ଜଳୁଥିଲା । ଗାଁ ସାରା ରାଜୁତି କରୁଥିଲା ପୈଶାଚିକ ଭୟ ଓ କରୁଣ ବ୍ୟାକୁଳତା ।

 

ଠାକୁରଙ୍କ କୃପାରୁ ହଇଜା କମିଯାଇଛି । ହଇଜା କମିଯାଇଛି ସିନା ଗାଁର ଶ୍ରୀ ସମ୍ପଦ ଲୁଣ୍ଠନ କରି ନେଇ ଯାଇଛି ସାଥିରେ । କେଡ଼େ ସୁନ୍ଦର ପ୍ରାଣ ପୂରନ୍ତା ଗାଁ ରଥପୁର ! କଣ ହୋଇଗଲା ଦିନ କେତେଟାରେ ।

 

ସେବେଇତ ସାଇର ପୁରୁଖା ଲୋକେ ଚାଲିଯାଇଛନ୍ତି, ହରିଜନ ବସ୍ତିର ଆଉ ଜଣେହେଲେ ନାହାନ୍ତି । ବସ୍ତିଛାଡ଼ି ପ୍ରାଣ ବିକଳରେ କେ କୁଆଡ଼େ ଛତ୍ରଭଙ୍ଗ ଦେଇଛନ୍ତି । ପାଖଆଖ ଦଶକୋଶ ଲଗାଏତ ଗାଁର ଲୋକେ ଏଗାଁକୁ ଭୟରେ ଆସୁନାହାନ୍ତି । ବନ୍ଧୁବାନ୍ଧବ ଚିହ୍ନାଜଣା ଲୋକେ ସଙ୍ଖୋଳି ଆସିବାକୁ ଡରୁଛନ୍ତି । ଯିଏ ଏ ଗାଁରେ ପଶିବ ତା ଦେହରେ ମହାମାରୀ ବିଜେ କରିଯିବ—ମଫସଲ ଗାଁମାନଙ୍କ ମନରେ ଏଇ ଧାରଣା ।

 

ସମଗ୍ର ଜଗତରୁ ବିଚ୍ଛିନ୍ନ ହୋଇପଡ଼ିଛି ଦିନ କେତେଟାରେ ରଥପୁର ।

 

ପାଞ୍ଚବର୍ଷ ତଳେ ଥରେ ଏମିତି ଦୁର୍ଦ୍ଦଶା ଘୋଟିଥିଲା ରଥପୁରକୁ । ଏଥର ପୁନରାବୃତ୍ତି ହେଲା ସେଇ ଦୁର୍ଦ୍ଦଶା ।

 

ଲକ୍ଷ୍ମୀଛଡ଼ା ହୋଇଗଲା ସତେ ଅବା ଏ ଗାଁଆଟି ।

 

ମଶାଣି ଦଣ୍ଡାରେ ପାଉଁଶ କୁଢ଼ କୁଢ଼ । ସେ ପାଉଁଶ ଗଦା ଭିତରେ କେତେ ଯେ ପବିତ୍ର ଉଦାର ମହାନ୍‌ ମଣିଷଙ୍କର ଜୀବାତ୍ମା ଲୁଚି ଛପି ରହିଛି, ତାହା କଳନା କରିବା ସହଜ ନୁହେଁ । ମଶାଣି ଛାତିରେ ବର ଓସ୍ତ ଦୁଇଟି ଗଛ । କେତେ ଯୁଗର । କିଆ ଗୋହୀରୀ ସେ ମୁଣ୍ଡେ ମଶାଣି ଦଣ୍ଡାର ମୁକୁଳା ଛାତି ଉପରେ ଏଇ ଦିନ କେତେଟା ଭିତରେ ଯେ କେତେ ମଣିଷଙ୍କର ଶେଷ ଚିତାଗ୍ନି ଶିଖା ଟେକି ଜଳିଉଠିଲା, ତାର ନୀରବ ସାକ୍ଷୀରୂପେ ଦଣ୍ଡାୟମାନ ବର ଓସ୍ତ ଦୁଇଟି । ଖରା-ବର୍ଷା ହିମ-କାକର ଖିଆ ଦୁଇଟି ଦ୍ରୁମ । ପୁରାତନ । ରଥପୁର ଶ୍ମଶାନ ଭୂଇଁର ଇତିହାସ ପୋଥି । କେତେଗଲେ କେତେ ରହିଲେ ତାର ହିସାବ ହୁଏତ ଏଇ ଦୁଇଟି ଗଛରେ ଲେଖା ହୋଇ ରହିଛି ।

 

ହଇଜା ପ୍ରାୟ ଛାଡ଼ି ଆସିଛି ।

 

ହାରାବୋଉର ଶୁଦ୍ଧିକ୍ରିୟା ଯଥାରୀତି ସମ୍ପାଦିତ ହୋଇଛି ।

 

କ୍ରିୟା ଧରିଥିଲା ବାୟା ।

 

କ୍ରିୟା ଧଇଲେ ଯେ କି କଷ୍ଟ, ତାହା ସେ ଏଥର ଅନୁଭୂତିରେ ଆଣିଲା । ବାରଦିନ କାଳ ଯମଯନ୍ତ୍ରଣା । ବଡ଼ପୋଖରୀ କୂଳରେ ଅଣତୋଠିଆ ହୁଡ଼ା ଉପରେ ବସି ଦିପହର ଖରାରେ ଚୁଲି ଜଳେଇ ଖପରାରେ ରାନ୍ଧି ପ୍ରେତକର୍ମ କରିବା ଖୁବ୍‌ କଷ୍ଟକର ବ୍ୟାପାର । ତଥାପି ସେ କଷ୍ଟ ସହି ନିଷ୍ଠାରେ ସବୁ କରିଛି । ହିନ୍ଦୁଧର୍ମର ବିଶ୍ୱାସ, କଷ୍ଟସହି ପ୍ରେତକର୍ମ ସମାପନ କଲେ ମୃତ ମଣିଷର ମୁକ୍ତିହୁଏ । ମୁକ୍ତିର ରାଜ୍ୟ କେଉଁଠି ଯଦିଓ ମଣିଷକୁ ଅଦ୍ୟାବଧି ଅବିଦିତ; ତଥାପି ମଣିଷ ମନର ବିଶ୍ୱାସ—ମରିଗଲା ଲୋକକୁ ତାରିବାକୁ ହେଲେ ତା’ ପାଇଁ ଶୁଦ୍ଧ ଚିତ୍ତରେ ଶୁଦ୍ଧାଦିକ୍ରିୟା କରିବାକୁ ହେବ ।

 

ବାୟା କରିଛି । ବିଧିପୂର୍ବକ ସେ ସବୁ କରିଛି । ତା ବୋଉର ମୁକ୍ତିପାଇଁ ସେ ଖୁବ୍‌ ନିଷ୍ଠାର ସହିତ ବାରଦିନ କାଳ କଷ୍ଟସହି କ୍ରିୟାଧରି ପ୍ରେତକର୍ମ ସୁଚାରୁ ରୂପେ କରିଛି ।

 

ମିଶ୍ରେ ନିର୍ଦ୍ଦେଶ ଦେଇଛନ୍ତି । ତାଙ୍କ ସ୍ତ୍ରୀଙ୍କ କାମ ଯେପରି ସୁରୁଖୁରୁରେ ହୋଇଯାଏ ।

 

ବାୟା ଜୀବନର ଏ ଏକ ନୂତନ ଅନୁଭୂତି । ମୃତ ଲୋକର ମୁକ୍ତିପାଇଁ କେତେ ଯେ କଷ୍ଟ ସ୍ୱୀକାର କରିବାକୁ ହୁଏ, ତାହା ସେ ବୁଝିପାରିଛି । ତାର ସାମାନ୍ୟ ତ୍ୟାଗରେ ଯଦି ତାର ବୋଉ ସ୍ୱର୍ଗକୁ ଗଲା ତାହେଲେ ତାର ଆନନ୍ଦ ।

 

ଯେଉଁଦିନ ସେ ଶ୍ମଶାନରେ ତା ବୋଉ ଯେଉଁଠି ପୋଡ଼ି ପାଉଁଶ ହୋଇଥିଲା ସେଇ ପାଉଁଶକୁ ଦରାଣ୍ଡି ଦରାଣ୍ଡି ତା ଭିତରୁ ପୋଡ଼ି ଭସ୍ମ ହୋଇନଥିବା ଖଣ୍ଡେ ଦିଖଣ୍ଡି ଅସ୍ଥି ବାହାର କରି ତାକୁ ହାତରେ ଧରି, ଏକମୁହାଁ ହୋଇ ଅସି କାହା ସହିତ କଥାବାର୍ତ୍ତା ନକରି ନିଜ ବାଡ଼ିଆଡ଼ ନଡ଼ିଆଗଛ ମୂଳେ ଛୋଟ ଗୋଟିଏ ଘଡ଼ି ଭିତରେ ଚଷୁଗୋଳେଇ ତା ଉପରେ ଘୋଡ଼ଣୀ ଦେଇ ଯତ୍ନରେ ପୋତି ରଖିଲା, ସେଦିନ ସେ ଅନୁଭବ କଲା ମଣିଷର ମୁକ୍ତିପାଇଁ ଧର୍ମର କି ପରିକଳ୍ପନା । ଏ ଅସ୍ଥି କେତେ ଖଣ୍ଡ ଭିତରେ ମୃତବ୍ୟକ୍ତିର ମୁକ୍ତିପାଇଁ ବର୍ତ୍ତମାନ ପୁରୁଷର ଯେ ପ୍ରଗାଢ଼ କର୍ତ୍ତବ୍ୟ ସାଇତା ହେଲା ତାହା ସତରେ କେତେ ମହତ୍ତ୍ୱପୂର୍ଣ୍ଣ ! ଶ୍ମଶାନରେ ପହଞ୍ଚି ମୃତବ୍ୟକ୍ତିର ଭସ୍ମାବଶେଷରେ ପାଣି ପକେଇ ତାକୁ ଶୀତଳେଇ ଦେଲେ ମନେ କରାହୁଏ ଯେମିତି ମୃତ ମଣିଷର ପ୍ରାଣ ଶୀତଳତା ପ୍ରାପ୍ତ ହେଲା । ପାର୍ଥିବ ଶରୀରର ଭଗ୍ନାବଶେଷ ଭସ୍ମଗଦାର ଯେ କେତେ ଖଣ୍ଡି ଅବଶିଷ୍ଟ ଅସ୍ଥି ବାହାରେ ତାକୁଇ ସାଇତି ରଖି ଗଙ୍ଗା ଯମୁନା ସରସ୍ୱତୀର ସଙ୍ଗମ ସ୍ଥଳରେ ବିସର୍ଜନ କଲେ ମୃତପ୍ରାଣର ମୁକ୍ତିହୁଏ—ଏ ଆମ ହିନ୍ଦୁ ଶାସ୍ତ୍ରର ପରିକଳ୍ପନା । ଯଥାର୍ଥରେ ଦେଖିବାକୁ ଗଲେ ଏସବୁ ଭିତରେ ନିହିତ ଅଛି—ଯେ ଚାଲିଗଲା ତା ସ୍ମୃତିକି କିଛିଦିନ ଆପଣା ପାଖରେ ସାଇତି ରଖିବା, ତା କଥା ସ୍ମରଣ କରିବା, ଗୁଣି ହେବା । ଭାବିବା । ତା ହେଲେ ଯାଇ ତାର ଅନ୍ତରାତ୍ମା ତୃପ୍ତି ପାଇବ । ମୁକ୍ତ ହେବ । ପରମାତ୍ମା ସହ ମିଶିଯିବ ।

 

ଧର୍ମସମ୍ମତ ମତେ ବାୟା ବୋଉପାଇଁ ସବୁ ଟିକିନିଖି ବିଧି ବିଧାନରେ କରିଛି । ମିଶ୍ରେ ତାକୁ ଗୋଟି ଗୋଟି ବତେଇ ଦେଇଛନ୍ତି । ଆଉ କହିଛନ୍ତି, ବାୟାରେ, ମୋର ଆଉ ବେଶୀଦିନ ନୁହେଁ । ମୋପାଇଁ ସବୁ ଏମିତି କରିବୁ । ଘରେ ତାଳପତ୍ର ଖେଦା ରଖିଯାଇଛି । ତୋତେ ସବୁ ବତେଇ ଦେଲି । ମୋବେଳକୁ ମୋ ଲେଖା ତାଳପତ୍ର ଖେଦା ‘‘ପ୍ରେତକର୍ମ ପଦ୍ଧତି’’ ମତେ ସବୁ ବିଧିରେ କରିବୁ ।

 

ମିଶ୍ରେ ତାଳପତ୍ର ପୋଥି ଲେଖାରେ ନିପୁଣ । ଲିଖନ ମୁନରେ ଖୁବ୍‌ ସୁନ୍ଦର ସୁନ୍ଦର ଅକ୍ଷର ଲେଖନ୍ତି । ବହୁତ କାବ୍ୟଶାସ୍ତ୍ର କର୍ମକର୍ମାଣି ପଦ୍ଧତି ତାଳପତ୍ର ଖେଦାରେ ଲେଖି ସେ ସାଇତି ରଖିଛନ୍ତି । ଯେତେ ଲେଖା ଲେଖିଛନ୍ତି, ଊଣା ଅଧିକେ ସବୁ ସେ ବାୟାକୁ ପଢ଼େଇ ବୁଝେଇ ଦେଇଛନ୍ତି ।

 

ନିଜ ହାତରେ ପ୍ରେତକର୍ମ ପଦ୍ଧତିର ଶୁଦ୍ଧ ସଂସ୍କରଣ କରି ଖେଦାଟିଏ ଲେଖିଛନ୍ତି ସେ । ମଣିଷ ମରିଗଲେ ମୃତ୍ୟୁର ପ୍ରଥମ ଦିବସଠାରୁ ଦଶମ ଦିବସ ଯାଏ ସେ ଅଦୃଶ୍ୟ ପ୍ରେତ ରୂପରେ ରହେ । ତାକୁ ସନ୍ତୁଷ୍ଟ କରିବାପାଇଁ ନାନା ବିଧିବିଧାନ । ଦଶଦିନ ଯାଏ କ୍ରିୟାଧାରା । ପୋଖରୀ ହୁଡ଼ାରେ ନତୁବା ନଈ କୂଳରେ ଅଣତୋଠିଆ ଥାନରେ ତା ପାଇଁ ରନ୍ଧା ହୁଏ, ପୂଜା ହୁଏ । ଦଶ ଦିନ ଜ୍ଞାତି କୁଟୁମ୍ୱ ସହ ପରିବାର ବର୍ଗ ଦଶା ଖଟନ୍ତି । ନୂଆଲୁଗା ପିନ୍ଧନ୍ତି । ଏକାଦଶଦିନ ଶ୍ରାଦ୍ଧ ହୁଏ । ଜ୍ଞାତି କୁଟୁମ୍ୱ ପରିବାର ବର୍ଗ ଶୁଦ୍ଧ ହୁଅନ୍ତି । ତାପରେ ପ୍ରେତ ଯମାଳୟକୁ ଚାଲିଯାଏ । ସେଠାରେ ତାର ବିଚାର ହୁଏ । ତା’ରି ମୁକ୍ତି ପାଇଁ, ତା’ରି ଜୀବଦ୍ଦଶାରେ କୃତ ପାପ ପାଇଁ ଉତ୍ତରାଧିକାରୀମାନଙ୍କୁ ଦାନଧର୍ମ କରିବାକୁ ହୁଏ, ଗଙ୍ଗାରେ ଅସ୍ଥି ବିସର୍ଜନ କରିବାକୁ ହୁଏ । ଏସବୁ କଲେ ମୃତ ବ୍ୟକ୍ତିର ଆତ୍ମା ମୁକ୍ତିଲାଭ କରେ ।

 

ମିଶ୍ରେ ବାୟାକୁ ଏସବୁ ଟିକିନିଖି ବତେଇ ଦେଇଛନ୍ତି । ବାୟା ମଧ୍ୟ ବିଧିମତେ ବୋଉର ଶୁଦ୍ଧିକ୍ରିୟା କରିଛି ।

 

ହାରାବୋଉର ଅନ୍ତ୍ୟେଷ୍ଟିକ୍ରିୟା ଶେଷ ହୋଇଯାଇଛି ।

 

ମହାମାରୀର ଉତ୍‌ପାତ କମି ଗଲାଣି ।

 

ଏ ମଝିରେ ମାସେକାଳ ଗଡ଼ିଗଲାଣି ।

 

ଗାଁରୁ ଗାଁକୁ ଲୋକେ ଯିବା ଆସିବା କଲେଣି ।

 

ଆଉ ଆଗର କୋକୁଆ ଭୟ ନାହିଁ ।

 

ହରିଜନ ବସ୍ତିର ଭାଙ୍ଗି ଯାଇଥିବା କେତେଜଣ ପିଲାକବିଲା ଧରି ଫେରିଲେଣି ।

 

ଧୀରେ ଧୀରେ ରଥପୁରର ହଜିଲା ଶିରୀ ଫେରି ଆସିଲାଣି ।

 

ମାତ୍ର ଫେରି ଆସିଲେନି ସେମାନେ, ଯେଉଁମାନେ ରଥୁପରର ମାୟା ମମତା ପଛକୁ ପକେଇ ମହାମାରୀରେ ଚାଲିଗଲେ ।

 

ଫେରି ଆସିଲାନି ଆଉ ହାରାବୋଉ ।

 

ଏକୁଟିଆ ବସିଲେ ହାରା କେତେ ଭାବେ ।

 

ଏଡ଼େବଡ଼ ଘରେ ସେ ଜଣେ ମାତ୍ର ଚଳନ୍ତି ମାଈପି ।

 

ବାୟା ବେଶୀ ସମୟର ଘରେ ରହୁନାହିଁ । ତାର ଆଜି ଏଠି ହୋମ ତା କାଲି ଆଉ କେଉଁଠି ବିଭା ପୁଆଣି । ଯଇ ଯେଜମାନ ହୋଇ ଦୁଇଶ ଘର । ନନା ଆଉ ପାରୁନାହାନ୍ତି । ସବୁ କାମ ବାୟା ମୁଣ୍ଡରେ । କଣ ହୋଇଛି କେଜାଣି, ବାସନ୍ତୀ ଚାଲିଯିବା ଦିନଠୁ ବାୟା ମନରେ ଆଉ ହରଷ ନାହିଁ ।

 

ବାସନ୍ତୀ !

 

ହଁ—ଆର ସାଇ ବିଦ୍ୟାଧର ରଥଙ୍କ ପ୍ରଥମ ପକ୍ଷ ସ୍ତ୍ରୀର ଝିଅ । ବାୟାଠୁ ବୟସରେ ଦି ବରଷ ସାନ । ଶ୍ୟାମଳ ବର୍ଣ୍ଣ । ଅସୁନ୍ଦରୀ ନୁହେଁ । ଖୁବ୍‌ ସରଳିଆ ଉଦାସିଆ ଝିଅଟିଏ ।

 

ବିଚାରୀ ମରିଗଲା ତରିଗଲା, ତରିଗଲା ।

 

କି କଷ୍ଟ ସେ ନ ପାଉଥିଲା ସତେ !

 

ବିଦ୍ୟାଧର ରଥେ ସାଧାସିଧା ମଣିଷ । ନଉଛନ୍ଦିଆ ନୁହଁନ୍ତି । ମାତ୍ର ତାଙ୍କ କପାଳଟା ପୋଡ଼ା । ପ୍ରଥମ ପକ୍ଷ ସ୍ତ୍ରୀର ଗୋଟିଏ ଝିଅ । ବାସନ୍ତୀ । ଗେଲ ବସରରେ ଡାକନ୍ତି ବାସ । ଝିଅଟିକୁ ପାଞ୍ଚ ବର୍ଷହେବା ଦିନୁ ମାଆ ମରିଗଲା । ରଥେ ବର୍ଷେ ଦିବର୍ଷ ଅପେକ୍ଷା କଲେ । ତା ପରେ ଆଉ ଜଣକୁ ହାତ ଧରି ଘରକୁ ଆଣିଲେ ।

 

ଏ ଆଉଜଣକ ଗୋଟାପଣେ ଖଣ୍ଡା ଖାଇ ମଣ୍ଡାଗିଳି । ଗାଁ ସାରା ସମସ୍ତଙ୍କର ତା ପାଟିକି ଡର । ତୁଣ୍ଡ ଖଣ୍ଡ ତ ପାଇଚି । ଡାକ ଗାଡ଼ିର ଶବ୍ଦଠୁ ବଳି ପଡ଼ିବ । ନାଁ ଟି କେତକୀ । କେତକୀପତର ପରି ପାଟିଟି ଦାଢ଼ୁଆ । ଭଗବାନଙ୍କ କୃପାରୁ ତା ଆଡ଼ୁ ମିଶ୍ରଙ୍କର ପିଲାଛୁଆ ହୋଇ ନାହାଁନ୍ତି । ବାଞ୍ଝ ।

 

କେତକୀ ବାସନ୍ତୀର ସାବତ ମାଆ । ସାବତ ମାଆ ନୁହେଁ ଯେ କଞ୍ଚାଖାଇ ଡାହାଣୀ ।

 

ଛି, ଛି,—ଏଡ଼େ ହେଲାଣ ବାସ ! ତାକୁ ଯୋଉ ମାଡ଼ । ପିଲାଟା ସକାଳୁ ସଞ୍ଜଯାଏ ଘରକାମ କରିବ । କେତକୀ ମାଉସୀ ପାନଖିଲେ ଗାଲରେ ଠେଲି ଆ ଘର ତା ଘର ଟହଲ ମାରିବ ଖାଲି ରୋଷେଇ ମୁଠାକ କରି ଦେଲେ ତା କାମ ସରିଲା । ବାକି ଗୁହାଳ ଗୋଟା, ବାସନମଜା, ପାଣିବୁହା, ଘର ଓଳିଆ ଡିବିରି ପୋଛାଠୁ ଆରମ୍ଭ କରି ଘର ଗୋଟାକ ଯାକର କାମ କରିବ ବାସନ୍ତୀ । ତଥାପି ତାର ମୁକ୍ତି ନାହିଁ କି ଶାନ୍ତି ନାହିଁ । କେଉଁଠି ଟିକିଏ ତ୍ରୁଟି ଦେଖିଲେ କେତକୀ ମାଉସୀର କାଠ ଫାଳିଆ ମାଡ଼ । ବିଚାରୀ କି କଷ୍ଟ ନ ପାଉଥିଲା ?

 

ସାବତ ମାଆ, ଡାହାଣୀ ଗୋସାଣୀଠାରୁ ବଳି ବି ଭୟାନକ ।

 

ବିଦ୍ୟାଧର ମଉସା ଯେତେବେଳେ ଦ୍ୱିତୀୟ ପକ୍ଷରେ ହାତଧରି ଆଣିଛନ୍ତି, କେତକୀ ମାଉସୀଙ୍କୁ ତାଙ୍କର ପ୍ରାଣପଣେ ଭୟ । ବାସନ୍ତୀକୁ ମାଡ଼ ହେଲେ ସେ ସହିପାରନ୍ତି ନାହିଁ । ମାତ୍ର କେତକୀ ମାଉସୀକି ତିଆରି କରି ପଦେ କହିବା କ୍ଷମତା ଯେମିତି ସେ ହରେଇଛନ୍ତି । ଯଦି କେବେ କେମିତି ପଦେ ରାଗିକରି କହିଦେବେ, ମାଉସୀ ଏମିତି ଝିଙ୍ଗାସିବ ଯେ ଲାଗିବ ମହାଭାରତ ପାଲା-। ଗାଁ ଗୋଟାକଯାକ ଲୋକ ଘରେ ରୁଣ୍ଡହେବେ । ମଉସା ଶେଷକୁ ଗୋଡ଼ତଳେ ପଡ଼ିଲାପରି ହେବାଯାଏଁ ଯିବ ।

 

ଏତେ କଥାଯାଏଁ ନ ଯାଇ ସହିଗଲେ ମଙ୍ଗଳ । ଲୋକହସାରୁ ନିସ୍ତାର ମିଳିବ । ବିଦ୍ୟାଧର ମଉସା କେତକୀ ମାଉସୀର ଉଦଣ୍ଡୀ ପଣିଆ ସହିଯାଆନ୍ତି ।

 

ସହିପାରେ ନାହିଁ ମାତ୍ର ବାସନ୍ତୀ । ଗୋବର ଟୋକେଇ ବୋହି ବୋହି ଅଣ୍ଟା ନଇଁ ଗଲାଣି, ସେ କଳାକାଠ ପଡ଼ିଗଲାଣି । ଏତେ ଅଳ୍ପ ବୟସରେ ଏତେ କାମ ସେ କରିପାରେ ନାହିଁ । କରି ନ ପାରିଲେ ଯେଉଁ ଗଞ୍ଜଣା, ତାହା ସେ ସହି ପାରେ ନାହିଁ ।

 

ତାର ଅତୃପ୍ତ ମନର ଛପିଲା ଦୁଃଖ ଉପଶମ କରିବାର ଏକମାତ୍ର ଆଶ୍ରୟସ୍ଥଳୀ ହାରାନାନୀ ଘର ।

 

ହାରାବୋଉକୁ ସେ ମାଉସୀ ବୋଲି ଡାକେ ।

 

ହାରାବୋଉ ଥିବା ଦିନୁ ତାଙ୍କ ଘରକୁ ତାର ଆତଯାତ ।

 

ହାରାନାନୀକି ସେ ଖୁବ୍‌ ମାନେ । ତାରି ପାଖେ ବସେ । ତାକେଇ ନିଜର ଦୁଃଖ କହି ଅବୋଧ ଶିଶୁପରି କାନ୍ଦିପକାଏ । କହେ—ନାନୀ ଲୋ, ବୋଉ ସାଙ୍ଗରେ ମୁଁ ମରିଯାଇଥିଲେ ଭଲ ହୋଇଥାନ୍ତା । କେତେ କାମ କଲେ ଯାଇ ମନ ସନ୍ତୁଷ୍ଟ ହେବ କେଜାଣି ! ଦିଅଁଙ୍କର ତୁଳସୀ ବେଲପତ୍ର ବନ୍ଦ ହେବ ସିନା, ସାନ ବୋଉର ମୋ ପିଠିରେ ମାଡ଼ ବନ୍ଦ ହେବନାହିଁ । ମାଡ଼ ଖାଇ ଖାଇ ମନଟା ମରିଗଲାଣି ।

 

ହାରା ତାକୁ ବହୁତ ବୁଝାଏ । କେତେ ଉଦାହରଣ ଦେଇ ଶାସ୍ତ୍ର ପୁରାଣର ନୀତିବାକ୍ୟ ଶୁଣାଏ ।

 

ସେ ଶୁଣେ । ତାର ସ୍ନେହକାଙ୍ଗାଳ ବୁକୁର ଅନ୍ଧାରି କନ୍ଦିରେ ଆଲୁଅର ଝଲକ ଦିଶେ । ତାର ହଜିଲା ସ୍ମୃତିର ପ୍ରତିଟି କଥା ଆଖିରେ ଉଙ୍କିମାରେ । ସେ ହାରାନାନୀ ପାଖରେ ଓଲଟିପଡ଼େ ସେ ହାରାନାନୀ କୋଳରେ ଆଉଜିପଡ଼େ ।

 

ଦି ପହର ବେଳେ ଯେତେବେଳେ ତାକୁ ସମୟ ମିଳେ, ସେ ଦଉଡ଼ିଆସେ ହାରାନାନୀ ପାଖକୁ ।

 

ତାର ଅଯତ୍ନ ଅସଜଡ଼ା ବେଶକୁ ଦେଖିଲେ ହାରା ଦୁଃଖିତ ହୁଏ । ତାକୁ ପାଖରେ ବସେଇ ସେ ତା ମୁଣ୍ଡରୁ ଉକୁଣି ବାଛେ । ନିଖ ମାରେ । ତାର ଫୁରୁ ଫୁରୁ ଫୁଙ୍ଗୁଳା ବାଳଗୁଡ଼ାକରେ ତେଲମାରି ପାନିଆ ମାରି ଦିଏ । ବେଣୀ ବାନ୍ଧେ ।

 

କେଡ଼େ ସୁନ୍ଦର ଦିଶେ ବାସନ୍ତୀ !

 

ବାସନ୍ତୀକି ପାଖରେ ବସେଇ ବେଶ ଭୂଷା କରି ସଜେଇ ଦେବାକୁ ତାକୁ ଭଲଲାଗେ ।

 

ବାସନ୍ତୀ ଆସେ । ସରିତ ସାଗର ସହିତ ମିଶିଗଲା ପରି ସେ ହାରାନାନୀ ସହିତ ମିଶିଯାଏ ।

 

ସାନବୋଉଠାରୁ ଗାଳିମାଡ଼ ଖାଇ ମନଭିତରଟା ଯେତେବେଳେ ଜଳିପୋଡ଼ି ଯାଏ, ସେଇ ପୋଡ଼ାମନକୁ ଶୀତଳ କରିବାପାଇଁ ସେ ଦୌଡ଼ିଆସେ ହାରାନାନୀ ପାଖକୁ । ବୟସରେ ସାତ ଆଠବର୍ଷ ବଡ଼ ହେଲେ ହେଁ ହାରାନାନୀ ଯେମିତି ତା ସାଙ୍ଗ । ସେ ଯେମିତି ଏଇ ନିତିଦିନିଆ ସଂସାରରେ ତାର ଏକମାତ୍ର ଆପଣାର । ସେ ଆଉ କାହାରିଠୁ ସ୍ନେହ ପାଇନାହିଁ । କେହି ତାକୁ ଭଲ ପାଇ ନାହାଁନ୍ତି । କାହାରିଠାରୁ ସେ ଭଲ କଥା ପଦେ ଶୁଣି ନାହିଁ । ଏକ ରୁଦ୍ଧ ପରିବେଶ ଭିତରେ ସାବତ ମାଆ ତାକୁ ଚିଡ଼ିଆଖାନାର ସ୍ୱାତନ୍ତ୍ର୍ୟହୀନ ଜୀବ କରିଦେଇଛି । ତା ପ୍ରାଣର ଭାଷା ମରିଯାଇଛି । ତା କଣ୍ଠର ମଧୁରତା ଶୁଖିଯାଇଛି । ତା ପ୍ରତି କାହାରି ଲୋଭ ନାହିଁ, ମୋହ ନାହିଁ । ଆକର୍ଷଣ ନାହିଁ । ସେ ନିଃସଙ୍ଗୀ, ସେ ଏକାକିନୀ ।

 

ଏକମାତ୍ର ହାରାନାନୀ ତାର ଆତ୍ମୀୟା । ଏକାନ୍ତ ଆପଣାର ।

 

ତା ନିଜ ନନାଙ୍କପ୍ରତି ସେ ବିଦ୍ରୋହୀ ହୋଇଉଠିଛି । ତା ନିଜ ସାନବୋଉକୁ ସେ ଘୃଣା କରିବା ଆରମ୍ଭ କରିଛି । ସେ ମନେ କରିଛି—ସତ କହି ଯଦି ସେ ଗାଳିମାଡ଼ ଖାଇଲା, ତା ହେଲେ ମିଥ୍ୟାର ଆଶ୍ରୟ ନେବା ଭଲ । ସ୍ନେହ ଖୋଜି ଖୋଜି ଯଦି ସ୍ନେହ ନ ମିଳିଲା, ତାହାହେଲେ ଘୃଣା କରିବା ଶ୍ରେୟସ୍କର । ଏତେ ନିଷ୍ଠାରେ କାମଦାମ କରି ଯଦି ସାନବୋଉ ସନ୍ତୁଷ୍ଟ ନ ହେଲା, ତା ହେଲେ ତାଠାରୁ ଦୂରେଇ ରହିବା ମଙ୍ଗଳକର ।

 

ତା ପାଖରେ ହାରାନାନୀ ସବୁଠୁବଳି ନିଜର । ତା ପାଖରେ ହାରାନାନୀ ଆନନ୍ଦ ଆଗ୍ରହ ସ୍ନେହ ଅନୁରାଗର ମନ୍ଦାକିନୀ ।

 

ପାଖରେ ବସେଇ ହାରାନାନୀ ଯେତେବେଳେ ତାର ଉକୁଣି ବାଛୁଥାଏ, ସେ ଆବେଗରେ ତା ମନଖୋଲି କେତେ କଥା କହି କାନ୍ଦେ—ନାନୀ ଲୋ, ତୋତେ ତ ସବୁ ଜଣା । ଆଉ କଣ କହିବି ! କେତେ ଦିନ ଆଉ ଏ ଦୁଃଖ ସହିବି କହିଲୁ ? ନନା ସବୁ ଜାଣୁଛନ୍ତି ।

 

ଏକୁଟିଆ ବେଳେ, ସାନବୋଉ ଯେତେବେଳେ ଶୋଇଥିବ କି କାହା ଘରକୁ ବୁଲିଯାଇଥିବ, ମୋତେ ପାଖକୁ ଡାକି କେତେ ଗଲେ କରିବେ । କେତେ ବୁଝେଇବେ । ଯେମିତି ସାନବୋଉ ଆସିଯିବ ସାଙ୍ଗେ ସାଙ୍ଗେ ନନାଙ୍କ ମୁହଁର ରଙ୍ଗ ବଦଳିଯିବ—ସେଇ ମୁହୂର୍ତ୍ତର ଗେଲ, ସ୍ନେହ ଆଦର କୁଆଡ଼େ ଉଭେଇଯିବ । ଖାଲି ଚିଡ଼ି ଚିଡ଼ ହେବେ । ଟାଣଟାଣ କଥା କହିବେ । ସାନବୋଉ କି ମନ୍ତ୍ର କରିଛି କେଜାଣି, ଗଦ ସୁଙ୍ଘିଲେ ବିଷଧର ଯେମିତି ହୁଅନ୍ତି, ସାନବୋଉର ଛାଇକି ଦେଖିଲେ ନନାଙ୍କର ସେଇ ଅବସ୍ଥା । ଏଡ଼େ ଧୀର ସ୍ଥିର ଜାଣିବାର ଲୋକ, ଏମିତି କାହିଁକି ହୁଅନ୍ତି କେଜାଣି ? କହୁକହୁ ହାରା କାନ୍ଦିପକାଏ ।

 

ହାରାନାନୀ ଉକୁଣି ବାଛୁ ବାଛୁ କହେ—ତୁ କାନ୍ଦନା ଲୋ ବାସ । ମଣିଷ ପ୍ରକୃତି ମଲେ ତୁଟେ । କେତକୀ ମାଉସୀର କଣ ପ୍ରକୃତି ତୁଟିବ ? ଦେଖୁନୁ, ଗୋଠେ ଗାଈ ରଖିଛି । ତାଙ୍କୁ ଗୋଠକୁ ଛାଡ଼ିବନି । ଉଦାଖିଆ ଓଲେଇଙ୍କ ପରି ଗାଈ ଗୁଡ଼ାକ ବୁଲିବେ । ୟା ବାଡ଼ିରେ, ତା ବାଡ଼ିରେ ପଶି ଶାଗମୁଗ ପନିପରିବା ଲୁଣ୍ଡା ବୁଲେଇବେ । କିଏ ଯଦି ପଦେ କହିଲା, ଅଣ୍ଟାରେ କାନିଭିଡ଼ି ଷଣ୍ଢପରି କଳିକି ବାହାରି ପଡ଼ିବ । କିଲୋ ମା, ଗାଈରଖି ଯଦି କ୍ଷୀର ଖାଇବାକୁ ମନ, ଗାଈଙ୍କି ଗୋଠକୁ ଛାଡ଼ୁନୁ । ଗୋଠକୁ ଛାଡ଼ିଲେ ଗଉଡ଼କୁ ପାଳି ଦେବାକୁ ପଡ଼ିବ । କେତକୀ ମାଉସୀ ତା ଦାତାପଣକୁ କୁବେର ।

 

ହଁଲୋ ବାସ, ତୁ ସବ ସହିଯା । ସହିବାଠୁ ବଳ ବଡ଼ପଣ ଦୁନିଆରେ ଆଉ କିଛି ନାହିଁ । ଆଉ କେତେଦିନ କଥା କି ? ତୁ ତୋର ହାତକୁ ଦିହାତ ହୋଇ ଯିବୁନି ।

 

ଶେଷପଦକ କହିଲା ବେଳେ ହାରା ଦୀର୍ଘନିଶ୍ୱାସ ପକାଇ ତା ମୁକୁଳା ବାଳ ଗୁଡ଼ାକରେ ହାତ ଆଉଁଷି ଆଣେ । ତା ମନ ଭିତରଟା କେଉଁ ଏକ ଅଜଣା ପୁଲକରେ ନାଚିଉଠେ ।

 

ସତେ କଣ ଗୋପୀନାଥେ ତା କଥା ଶୁଣିବେ !

 

ତା ମନକଥା ସେ ଥରେ ଅଧେ ବୋଉକୁ କହିଛି । ତା କଥା ଶୁଣି ବୋଉ ଖୁସି ହୋଇଛି-। ସତରେ, ବାସନ୍ତୀକି ବାୟା ସହିତ ବାହା କରେଇ ଦେଲେ କେଡ଼େ ଭଲ ହୁଅନ୍ତା । କାମିକା ଝିଅଟିଏ । ସରଳା । ପିଲାଦିନୁ ସୁଖ କଣ ଜାଣିଲା ନାହିଁ । ସାବତମାଆର ଗଞ୍ଜଣା ସହିସହି ବିଚାରୀ ଦେହର ହାଡ଼ ଗଣି ହୋଇଗଲାଣି ।

 

ତଥାପି ତା ଭିତରେ ଏକ ମହାପ୍ରାଣର ବୀଣା ଝଙ୍କାର ସଙ୍ଗୀତ ତୋଳୁଛି । ସେ ଅମୃତମୟ ଝଙ୍କାରର ସ୍ୱର ଲହରୀ ହାରା କାନରେ ପଶିଛି । ସେ ଲହରୀରେ ମଣିଷ ପ୍ରାଣର ଅନାବିଳ ଅନୁରାଗର ପବିତ୍ରତା ଲୁଚକାଳି ଖେଳିଛି । ସତରେ ବାସନ୍ତୀପରି ଝିଅଟିଏ ମିଳିବ ନାହିଁ । ତା ମନଟା ଯେ କେତେ ମୁକ୍ତ, ପବିତ୍ର ଆଉ ଉଦାର ଗମ୍ଭୀର ତାହା ହାରା ବେଶ୍‌ ଜାଣିଛି ।

 

ବାସନ୍ତୀଠାରୁ ତା ସାନବୋଉ କଥା ଶୁଣିଶୁଣି ହାରାର କେତକୀ ମାଉସୀପ୍ରତି ପ୍ରଚଣ୍ଡ ଘୃଣା ଜାତ ହୋଇଛି । ସାବତମାଆ—କଞ୍ଚାଖାଇ ଡାହାଣୀଟାଏ ତ । ମୁହଁରେ କେତେ ଚାତରରେ କଥା କହିବ—ପେଟ ଭିତରେ ସହସ୍ର ବିଷଦାନ୍ତ ।

 

ମନେପଡ଼ିଲା ସେ ଦିନର ଦି ପହର ଘଡ଼ିଟା, କି ବିକଳ ହୋଇ ବାସନ୍ତୀ ଦୌଡ଼ି ଆସିଥିଲା ତା ପାଖକୁ । ପିଠିରେ ସୋରା ସୋରା ନୋଳା ବସି ରକ୍ତ ବହୁଥିଲା, କାନ୍ଦିବାକୁ ବଳ ନଥିଲା ଯେମିତି ତା ଦିହରେ । ଦୌଡ଼ିଆସି ସେ ତା କୋଳରେ ଲଥ୍‌କିନି ପଡ଼ିଗଲା । ବିଚାରୀର ଦୋଷ ବା କଣ ! ଘର କାମ ସାରି ସାଙ୍ଗ ମେଳରେ ଯାଇ ବଡ଼ ପୋଖରୀରେ ଗାଧୋଉଥିଲା । ଗାଧୋଉ ଗାଧୋଉ ଡେରି ହୋଇଗଲା । ଘରକୁ ଫେରେ ତ କେତକୀମାଉସୀ ଆରମ୍ଭ କରିଦେଲା କାଠ ଫାଳିଆ ମାଡ଼ । ସେଇ ଓଦା ସରସର ଦେହରେ ଦୌଡ଼ିଆସି ତାରି କୋଳରେ ଆଶ୍ରୟ ନେଇଥିଲା ବାସନ୍ତୀ । କାନ୍ଦିପାରୁ ନଥିଲା ସେ । ପିଠିରୁ ରକ୍ତ ବୋହି ଓଦାଲୁଗା ନାଲିହୋଇ ଯାଇଥିଲା । ସେ ତାରି କୋଳରେ ମୁହଁ ଗୁଞ୍ଜି ଶିଶୁପରି କଇଁକଇଁ ହେଉଥିଲା ।

 

ସେ ସେଦିନ ତା ପାଇଁ ଆଖିରୁ ଲୁହ ଝରେଇ ଦେଇଥିଲା ହାରା । ତା ପିଠିରୁ ରକ୍ତପୋଛି ତୈଳଘଷି ଦେଇଥିଲା । ନିଜ ଶାଢ଼ୀରୁ ଖଣ୍ଡେ ଦେଇଥିଲା ପିନ୍ଧିବାକୁ । ତାଙ୍କରି ଘରେ ସେ ଦିନ ତମାମ କଟେଇ ଦେଇଥିଲା । ଯେତେ ବୁଝେଇଲେ ଘରକୁ ଫେରିବାକୁ ସେ ମଙ୍ଗି ନଥିଲା-

 

ନଯାଉ । ସେ ନ ଯିବା ହିଁ ଭଲ । ଏମିତି ଗୋରୁ ଗାଈଙ୍କପରି ମାଡ଼ ଖାଇ ଖାଇ ଜୀବନ୍ତରେ ପଶୁ ପାଲଟିଯିବା ଅପେକ୍ଷା ଏ ଘରେ ରହିଗଲେ ସେ ଖୁସି ହେବ; ହେଲେ କେତକୀ ମାଉସୀକି ହାଡ଼େ ଡର । ସେ କଣ ତାକୁ ରଖିବ ! କେତେ ଆଡ଼ୁ କେତେ କଥା ଲଗେଇ ଯୁଟେଇ ଗାଆଁ କମ୍ପେଇବ । ତା ନାଁରେ ଡିଣ୍ଡିମ ପିଟିବ । ତାକୁ ପ୍ରାଣର ଡର ।

 

ଜୀଅନ୍ତାରେ ଖାଇଯିବ କେତକୀ ମାଉସୀ ।

 

ରାଗିଗଲେ ତାର ଯେଉଁ ରୂପ ନାଁ ଦେଖିଲେ ମଣିଷ ଭେଟଣା ହେବ । ଦାନ୍ତ କଡ଼କଡ଼ କରି ସେ ଯେତେବେଳେ ହଇଲୋ ରାଣ୍ଡ, ଛତରଖାଇ କହି ମାଡ଼ି ଆସିବ ନାଁ ଯେଡ଼େ ଦମ୍ଭିଲା ମାଈପି ହେଲେ ମଧ୍ୟ ତା କଲିଜା ପାଣି ଫାଟିଯିବ ।

 

କଳିକି ବାନା ବାନ୍ଧିଛି କେତକୀ ମାଉସୀ ।

 

ଏକ ଦିଗରେ କେତକୀ ମାଉସୀର ଭୟଙ୍କରୀ ବିକଟାଳରୂପ ଓ ବୀଭତ୍ସ ଅଶ୍ଳୀଳ ଗାଲିଗୁଲଜକୁ ଭୟ, ଅପର ଦିଗରେ ବାସନ୍ତୀ ପ୍ରତି ଅନନ୍ତ ମମତାର ଅସରନ୍ତି ଆକର୍ଷଣ, ତା ପ୍ରତି ଅଗାଧ ଦରଦ ତ ଅମାପ ଆଗ୍ରହ—ତାକୁ ନିଜର କରିବାର ବଳବତ୍ତର ପ୍ରୟାସ । ହାରା କିଛି ସ୍ଥିର କରି ନପାରି କହିଲା—ବାସ ଲୋ, ତୁ ଫେରିଯା ଭାଗ୍ୟ ଫଳ ତ ଭୋଗ କରିବାକୁ ପଡ଼ିବ । ଏ ପିଣ୍ଡ ନ ସହିଲେ ଆଉ କିଏ ସହିବ !

 

ବାସନ୍ତୀର କିନ୍ତୁ ଏକା ଯିଦ୍‌—ତୁମକୁ ଛାଡ଼ି ମୁଁ ଯିବିନାହିଁ, ନାନୀ, ଯଦି ଯିବି, ଯିବି କେଉଁ କୂଅ ପୋଖରୀ ପେଟକୁ, ନୋହିଲେ ଆମ୍ୱ ତୋଟାରେ ଦଉଡ଼ି ଦେଇ ଝୁଲିବାକୁ ।

 

ହାରା ତା କଥାରେ ଡରିଗଲା—ନାଇଁ ଲୋ ବାୟାଣି, ଏମିତି କଥା ତୁଣ୍ଡରେ ଧରନ୍ତି ! ହଉ ଥାଆ ଯେ, ନନା ଡାକିଆସିଲେ ଯିବୁ ।

 

ସେ ଦିନର ଏ ମର୍ମନ୍ତୁଦ ବ୍ୟଥାର କାହାଣୀଟି ବାୟା ଦେଖିଥିଲା । ତାର ଶିରା ପ୍ରଶିରାରେ ନିଆଁ ଲାଗି ଯାଇଥିଲା । ତାର ମନେ ହେଉଥିଲା ସେ ଏଇ ମୁହୂର୍ତ୍ତରେ ଟାଙ୍ଗିଆ ଧରି କେତକୀ ମାଉସୀର ମୁଣ୍ଡଟାକୁ ଦିଫାଳ କରିଦେବ । ତା ଦେହଟାକୁ ଟିକି ଟିକି କରି କାଟି ପକେଇବ-। ଏଡ଼େ ନିଷ୍ଠୁର ସେ କେତକୀ ମାଉସୀଟା ? ପିଲାଟାକୁ ବାଡ଼େଇ ବାଡ଼େଇ ରକତ ବାହାର କରିଦେଇଛି । ସେ ଭଲା ଏମିତି କି ଦୋଷ କରି ପକେଇଥିଲା । ଗାଧୋଇବାକୁ ଯାଇଥିଲା-। ଟିକିଏ ଡେରି ହୋଇଗଲା । ଏଥିପାଇଁ କ’ଣ ଏମିତି ଦଣ୍ଡ ? ସେ କ’ଣ ଆଉ ପିଲା ହୋଇକରି ଅଛି-?

 

ତା ମନ ଭିତରେ ଏକ ଅନାହୂତ ଆଗ୍ରହ ଓ ଆନନ୍ଦ ସଂଚରି ଯାଇଥିଲା ବାସନ୍ତୀ ପ୍ରତି । ସେ ମନେ କରିଥିଲା ବାସନ୍ତୀ ଯେମିତି ତାର । ତା ନିଜର । ତା ପ୍ରତି ତାର ମାୟା ଅଛି, ମମତା ଅଛି, ସ୍ନେହ ଅନୁରାଗ ଅଛି ।

 

ବାୟା ସେଦିନ ଏମିତି ରାଗି ଯାଇଥିଲା ଯେ ଯଦି ତାକୁ ହାରା ବାରଣ କରି ନଥାନ୍ତା, ତା ହେଲେ ସେ କେତକୀ ମାଉସୀ ସହିତ ଏକ ପ୍ରଳୟ ସୃଷ୍ଟି କରି ଥାଆନ୍ତା ।

 

ସାବତ ମାଆ ଏମିତି ରାକ୍ଷସୀ ହୋଇ ପାରନ୍ତି, ତାହା ସେଦିନ ସେ ଅଙ୍ଗେ ନିଭେଇ ଥିଲା ।

 

ସେ ଦିନଠାରୁ ବାସନ୍ତୀ ପ୍ରତି ତାର ଯେମିତି ଏକ ଅଗାଧ ମାୟା । ତା ପ୍ରତି ତା ହୃଦୟରେ ମମତାର ଲୁଚକାଳି । ତାକୁ ପାଇବାର ପ୍ରବଳ ଈପ୍‌ସା । ତା ପ୍ରତି ଏକ ନିବିଡ଼ ବନ୍ଧନର ଆକର୍ଷଣ । ଏକ ସ୍ୱପ୍ନର ଅଳକା ପୁରୀ ।

 

ସେ ଦିନ ଠାରୁ ବାସନ୍ତୀ ସହିତ ତାର ଆଳାପ ମିଳାମିଶା ଦିଆନିଆ ହସ କଉତୁକ ।

 

ସେ ସବୁଦିନ ଆସେ । ହାରା ତା ମୁଣ୍ଡ ବାନ୍ଧିଦିଏ । ଦିନେ ଦିନେ ଦୁହେଁ ବସି କାଞ୍ଜିଗାତ ଖେଳନ୍ତି । ବାୟା ଲାଳେଇ ପାଳେଇ ହୋଇ ପାଖରେ ବସେ । ଗପ କରେ । ଆନନ୍ଦ ପାଏ ।

 

ବାସନ୍ତୀ ତାଙ୍କ ଘରକୁ ଆସିବାକୁ ଭଲପାଏ । ଭଲପାଏ ସେ ବାୟା ସହିତ ବସି ଦି ଚାରି ପଦ କଥା ହେବାକୁ ! ସେ ମନେକରେ ସେମାନେ ତାର ସାହା ଭରସା । ତାଙ୍କ ଘରେ ସବୁଦିନ ରହିଯିବାକୁ ତା ମନର ଛପିଲା ବାସନା । ପୁଣି ଛାତିରେ ଭୟ ପଶେ, ସେ ଡରିଯାଏ । ସାନବୋଉ ଯଦି ଏ କଥା ଜାଣିବ ନା ତା କପାଳ ଫାଟିଲା । କଞ୍ଚା ଖାଇଯିବ ସେ ।

ତଥାପି ତା ମନ ମାନେ ନାହିଁ । ଏଡ଼େ ବଡ଼ ଗାଁରେ ମା-ଛେଉଣ୍ଡ ବୋଲି ସମସ୍ତେ ଯେତେବେଳେ ତାକୁ ଛି ଛାକର କରି ନାକ ଟେକନ୍ତି, ସେମାନେ ତା ଦୁଃଖ ବୁଝି ତାକୁ ପାଖରେ ପୂରେଇଛନ୍ତି । ସ୍ନେହ ମମତା ଢାଳି ଦେଇଛନ୍ତି, ତାକୁ ନିଜ କୋଳରେ ପୂରେଇଛନ୍ତି । ଦି ପଦ ମିଠାକଥା କହି ତା ପୋଡ଼ିଲା ପ୍ରାଣକୁ ଶୀତଳ କରେଇଛନ୍ତି ।

ଆଉ ବାୟା—ତାକୁ କେତେ ଭଲପାଏ । ତା ପାଇଁ ଭଲ ଭଲ ଜିନିଷ କିଣି ଆଣେ । ତା ପାଖରେ ବସି କେତେ ଯୁଗର ଶାସ୍ତ୍ର ପୁରାଣରୁ ଆଖ୍ୟାୟିକା ଶୁଣାଏ ।

ତା ପାଇଁ ସେ କେଡ଼େ ଦୁଃଖ ପ୍ରକାଶ ନ କରେ ! ସମବେଦନା ନ ଜଣାଏ ! ତା ପାଇଁ ସେ ତା ସାବତ ମାଆକୁ ଧିକ୍‌କାର କରେ । ତାକୁ ସେ ନିଜର ପରି ମଣେ ।

ସତରେ ସେ ତାକୁ ଭଲପାଏ ।

ବାସନ୍ତୀ ପ୍ରତି ତାର ମମତା ଜାଗିଛି । ବାସନ୍ତୀକୁ ପାଇବା ପାଇଁ ତା ମନ ହାଇଁ ପାଇଁ ହୋଇଉଠିଛି । ତାକୁ ଘରେ ଦିନେ ନ ଦେଖିଲେ ସେ ଯେମିତି ପାଗଳ ହୋଇଯିବ । ସେ ସବୁ ଜାଣିଛି । ସେ ଖୁବ୍‌ ଖୁସି ହୋଇଛି । ବାସନ୍ତୀକି ସେ ଘରକୁ ବୋହୂ କରି ଆଣିବ । ବୋଉ ରାଜି ହୋଇଛି । ନନା ରାଜି ହୋଇଛି । ବାସନ୍ତୀର ମନ ଅଛି । ମାତ୍ର ବିଦ୍ୟାଧର ମଉସାଙ୍କୁ କୁହା ହୋଇନାହିଁ । ବେଳ ଆସିନି । ଆସିଲେ ପ୍ରସଙ୍ଗ ପଡ଼ିବ ।

ହାରା ଆଖିରୁ ଲୁହ ପୋଛିଲା ।

ଏଡ଼େ ବଡ଼ ଘରଟାରେ ସେ ଏକା ମଣିଷ ।

ବାସନ୍ତୀଟା ଆସୁଥିଲା ଯେ, ଗହଳିଆ ଲାଗୁଥିଲା । ତା ସହିତ ଗପକରି ତାର ସମୟ ବିତି ଯାଉଥିଲା । ଗପିବାକୁ ବାସନ୍ତୀ କେତେ ଭଲ ନପାଏ !

ସେଥରକ କଥାଟି ମନରେ ଉଙ୍କି ମାରିଲା । ବାସନ୍ତୀ କେଡ଼େ ଖୁସିରେ କହୁଥିଲା—ଜାଣିଲୁ ନାନୀ, ହଠାତ୍‌ ବାୟା ଭାଇନା ସହିତ ପଞ୍ଚୁଦୋଳ ମେଳଣ ପଡ଼ିଆରେ ଦେଖା ହୋଇଗଲା-। ମୋତେ ଦେଖି ସେ ଭାରି ଆଗ୍ରହରେ ଡାକିନେଲେ । ଦୁହେଁ ମିଶି ବହୁତ ବୁଲିଲୁ ।

ସେ ମୋ ପାଇଁ କେତେ ଜିନିଷ କିଣେଇ ଦେଲେ । ବଳେଇ ବଳେଇ ହୋଟଲରେ ବସେଇ କେତେ କଣ ଖାଇବାକୁ ଦେଲେ । ଭିଡ଼ ଭିତରେ ଠେଲିପେଲି ମୋ ହାତଧରି ପଞ୍ଚୁଦୋଳ ପଡ଼ିଆ ଗୋଟାକଯାକ କେତେଥର ଯେ ବୁଲେଇଲେ ହିସାବ ନାହିଁ । ବୁଲି ବୁଲି ଥକ୍‌କା ହୋଇଗଲୁ-

ହାରା ହସିଲା ।

ଭାବିଲା ।

ପଞ୍ଚୁଦୋଳ—

ରଥପୁର ଅଞ୍ଚଳର ବଡ଼ ମେଲଣ । ଫଗୁଣ ପୁନିଅଁ ପରେ ପଞ୍ଚମୀ ତିଥିରେ ଯାତରା । ବହୁତ ପସରା ବସେ । ହୋଟେଲ ବଜାର ବସେ । ଆଖପାଖ ଗାଁର ସେବା ସମିତିମାନଙ୍କ ତରଫରୁ ଜଳ ବିତରଣ କେନ୍ଦ୍ରମାନ ଖୋଲେ । ଛୋଟ ବଡ଼ ବହୁତ ଦୋକାନ ମେଲେ । କୋଡ଼ିଏ କୋଶରୁ ଲୋକ ଆସନ୍ତି । ଭିଡ଼ ଜମେ । ଦୁଇଦିନ କାଳ ଘମା ଘୋଟିଆ ଗହଳି ରହେ । ପାଖ ପାଖ ଗାଁମାନଙ୍କରୁ ଠାକୁରମାନେ ବିମାନରେ ବସି ଆସନ୍ତି । ଯେ ଯାହା ଗାଁର ଠାକୁରମାନଙ୍କୁ ଖୁବ୍‌ ଆଡ଼ମ୍ୱର ସହକାରେ ପଟୁଆରରେ ଆଣନ୍ତି ।

ଚତୁର୍ଥୀ ଦିନ ରାତିଅଧରୁ ଠାକୁରମାନେ ରୁଣ୍ଡହୁଅନ୍ତି । ଘଣ୍ଟ, ମର୍ଦ୍ଦଳ, କାହାଳୀ ବାଦ୍ୟରେ ପଞ୍ଚୁଦୋଳ ପଡ଼ିଆ ମୁଖରିତ ହୋଇଉଠେ । ଆକାଶର ଅନ୍ଧାର ଭେଦି ବାଣ ଫୁଟେ ଚକ୍ର, ହାବେଳୀ, କୁମ୍ପି, ଏମିତି କେତେ କଣ ।

 

ଦୁଇଦିନ ଆଗରୁ ପଞ୍ଚୁ ଦୋଳ ପଡ଼ିଆରେ ଦୋକାନ ବଜାର ଜମିଉଠେ । ଗଢ଼ିଉଠେ କେତେ କିସମର ମିଠେଇ ଦୋକାନ, କଂସାବାସନ ଦୋକାନ, ମନୋହରୀ ଦୋକାନ, ଲୁଗାପଟା ଦୋକାନ, ଦୂର ଦୂରାନ୍ତରୁ ସର୍କସ ଦଳ ଆସନ୍ତି । ଯାତ୍ରାଦଳ ଆସନ୍ତି । ପଞ୍ଚୁଦୋଳ ପଡ଼ିଆରେ ହାତେ ହେଲେ ଥାନ ଫାଙ୍କା ରହେନା । ଭଳିକି ଭଳି ପସରା ମେଲେ ।

 

ଠାକୁରମାନେ ବିମାନରେ ଆସି ପୂର୍ବ ନିର୍ଦ୍ଧାରିତ ମତେ ଯେ ଯାହାର ଆସ୍ଥାନରେ ବସନ୍ତି-। ପଞ୍ଚମୀଦିନସାରା ପ୍ରବଳ ଗହଳି ହୁଏ । ଆଖପାଖ ଗାଁର ବୁଢ଼ାପିଲା, ଝିଅବୋହୂ, ଭେଣ୍ଡା ଭୁଆସୁଣୀ ନାନା ବର୍ଣ୍ଣର ରଙ୍ଗବେରଙ୍ଗ ପୋଷାକ ପିନ୍ଧି ପିମ୍ପୁଡ଼ିପଲପରି ମେଲଣ ପଡ଼ିଆକୁ ଧାଡ଼ି ବାନ୍ଧନ୍ତି । ବିଚିତ୍ର ବର୍ଣ୍ଣର ରୂପ ସମ୍ଭାରରେ ମେଲଣ ପଡ଼ିଆ ପ୍ରାଣବନ୍ତ ହୋଇଉଠେ । ଏତେ ମଣିଷ ଜମନ୍ତି ଯେ, ସୋରିଷ ପକେଇବାକୁ ଥାନ ମିଳେନି ।

 

ଦିନ ତମାମ ଠାକୁରମାନେ ଭୋଗ ଖାଆନ୍ତି । ଲୋକମାନେ ଯାତ୍ରାଦେଖା ସହିତ ଠାକୁରମାନଙ୍କୁ ଦର୍ଶନ କରନ୍ତି । ମେଳଣ ପଡ଼ିଆରେ ବୁଲାବୁଲି କଲେ ସେମାନେ ଅପୂର୍ବ ଆନନ୍ଦ ପାଆନ୍ତି ।

 

ସହଜେ ତ ଫାଲ୍‌ଗୁନ ଯାଇ ଚୈତ୍ର ପଶନ୍ତି ପାଞ୍ଚଦିନରେ ମେଳଣ ପଡ଼େ । ସେତେବେଳକୁ ଚାଷୀର ଚାଷବାସ କାମ ଶେଷ ହୋଇଥାଏ । ଫସଲ ଅମଳ ସମୟ । ହାତରେ ପଇସା ଥାଏ । ମନରେ ଥାଏ ନିର୍ମଳ ପ୍ରସନ୍ନତା । ତେଣୁ ଆଖ ପାଖର ଗାଁମାନଙ୍କରୁ ଚାଷୀମାନେ ଏ ମେଳଣକୁ ବହୁ ସଂଖ୍ୟାରେ ଆସନ୍ତି ।

 

ଚାଷୀମାନଙ୍କର ଆସିବାର ପ୍ରଧାନ କାରଣ ବର୍ଷପାଇଁ ଘରସାର ଜିନିଷ କିଣିବା । କିଏ ଜଣେ ଲୁଗାପଟା ତ କିଏ କିଣେ କଂସା ବାସନ । କିଏ ଅବା ଖଟପଲଙ୍କ । କାରବାର ଭଲ ରକମର ହୁଏ । ଦୂରଜାଗାରୁ ବ୍ୟବସାୟୀ ମାନେ ବ୍ୟବସାୟ ପାଇଁ ଏଠାକୁ ଆସନ୍ତି ।

 

ବିଶେଷ ଭାବରେ ଏଠାରେ କାରବାର ହୁଏ, ଲଙ୍ଗଳ, ଶଗଡ଼ ଆଉ ବଳଦ । ଅଞ୍ଚଳଟିର ବହୁତ ଚାଷୀ ଗାଁ । ଚାଷ ଲୋକମାନଙ୍କର ପ୍ରଧାନ ଜୀବିକା । ତେଣୁ ବର୍ଷକ ପାଇଁ ଚାଷ ଉପଯୋଗୀ ଜିନିଷମାନ କିଣାବିକା କରିବାପାଇଁ ବହୁଲୋକ ଏଠି ରୁଣ୍ଡହୁଅନ୍ତି । କିଏ ନୂଆ ଶଗଡ଼ କିଣେ—କିଏ ଚକ ବଦଳାଏ । କିଏ ଲଙ୍ଗଳ କିଣେ—କିଏ ବା ବଳଦ ଦେଖେ ।

 

ମେଳଣରେ ଭିଡ଼ ଜମେ । କାରବାର ଚାଲେ । କିଏ କିଣେ, କିଏ ବୁଲେ, କିଏ ଦେଖେ–କିଏ ଦିଅଁଙ୍କୁ ପ୍ରାଣର ଗୁହାରି ଜଣାଏ ।

 

ପଞ୍ଚମୀଦିନ ବେଳବୁଡ଼କୁ ଯେ ଯାହା ଗାଆଁର ବିମାନମାନ କାନ୍ଧେଇ ପଞ୍ଚୁଦୋଳ ପଡ଼ିଆର ମଝିରେ ଅବସ୍ଥିତ ଦୋଳବେଦୀ ପାଖକୁ ଆସନ୍ତି । ବିମାନ ଗୁଡ଼ିକ ଧାଡ଼ିହୋଇ ଦୋଳବେଦୀ ଚାରିପାଖେ ସାତ ଘେରା ବୁଲନ୍ତି । ତାପରେ ଏକମୁହାଁ ଯେ ଯାହା ଗାଆଁକୁ ଫେରନ୍ତି-

 

ଠାକୁରମାନଙ୍କ ଏକତ୍ର ସମାବେଶ ଦେଖିବାକୁ ଲୋକମାନେ ଭିଡ଼ ଜମାନ୍ତି । ଏଇ ଘଡ଼ିଟା ପଞ୍ଚୁଦୋଳ ପଡ଼ିଆ ହରିବୋଲ ହୁଳହୁଳି ଧ୍ୱନିରେ ପ୍ରକମ୍ପିତ ହୋଇଉଠେ । ସରଳପ୍ରାଣ ମଣିଷମାନଙ୍କ ନିର୍ମଳପ୍ରାଣର ହରିବୋଲ ଧ୍ୱନି ଆକାଶ ଫଟାଏ । ତା’ପରେ ଲୋକ ଭାଙ୍ଗନ୍ତି, ଆସ୍ତେ ଆସ୍ତେ ଗହଳି କମେ ।

 

ମେଳଣ ମଳିନ ପଡ଼େ ।

 

ଅବଶ୍ୟ ଦୋକାନ ବଜାର ରହେ । ପଞ୍ଚମୀ ପରେ ମଧ୍ୟ ଆଠଦଶ ଦିନ ଯାଏ କାରବାର ଚାଲେ । ଲୋକେ କିଣନ୍ତି ।

 

ୟାକୋଇ କହନ୍ତି ପଞ୍ଚୁଦୋଳ । ଏ ଅଞ୍ଚଳର ପ୍ରସିଦ୍ଧ ମେଳଣ । ମେଳଣପଡ଼ିଆ ରଥପୁରରୁ ଡାକେ ବାଟ ।

 

ସେ ଶୁଣେ । ମେଳଣ ବୁଲାକଥା ବାସନ୍ତୀ କହେ—ଜାଣିଲୁ ନାନୀ, ବୁଲି ବୁଲି ଥକ୍‌କା ହୋଇଯିବାରୁ ଦୁହେଁ ମିଶି ସର୍କସ ଦେଖିଲୁ । ଯୋଉ ବଢ଼ିଆ ସର୍କସ ! ଗଣ୍ଡେ ବାଘ, ଯୋଡ଼ା ହାତୀ, ଗୋଟେ ଭାଲୁ—ପଲେ ମାଙ୍କଡ଼—ପଶୁଗୁଡ଼ାଙ୍କର ଯେଉଁ ବୁଦ୍ଧି ନା, ମଣିଷର ବି ନଥିବ । କେତେ ରକମର ଖେଳ ଦେଖେଇଲେ । ତା ସାଙ୍ଗକୁ ପୁଣି ଭୁଆସୁଣୀ ଟୋକି ଗୁଡ଼ାକ, ଖଣ୍ଡେ ଖଣ୍ଡେ ଜଙ୍ଗିଆ ପିନ୍ଧି ଆଉ ଦେହରେ ଖଣ୍ଡେ ଖଣ୍ଡେ ହାତଚିପା ଗଞ୍ଜିପିନ୍ଧି ଯେଉଁ ଦୋଳିଖେଳ ଦେଖେଇଲେ ନାଁ ମନରୁ ଭୁଲି ହେଉନି । ପେଟପାଇଁ ତ ସବୁ । ନହେଲେ କଣ ସେମାନେ ଏମିତି ସର୍କସରେ ଖେଳୁଥାନ୍ତେ ।

 

ହାରା ମନେ ମନେ ହସିଉଠିଲା—ବାସନ୍ତୀଠାରୁ ମେଳଣ କଥା ଶୁଣିଲେ ଆନନ୍ଦ ଲାଗେ । କେତେବର୍ଷ ହେଲା ସେ ମେଳଣ ପଡ଼ିଆ ମୁହଁ ଚାହିଁନି । ଆଉ ହୁଏତ ଜୀବନରେ ନଯାଇ ପାରେ । ଯାଇ ବା ଲାଭ କଣ ? ଜୀବନରେ ଆଉ କି ଶରୀ ସୋହାଗ ଅଛି ଯେ, ମନ ଫୂର୍ତ୍ତିରେ ଯାଇ ମେଳଣ ଦେଖିବ ! ଗାଁର ସଭିଏ ଯାଆନ୍ତି । ସେ କିନ୍ତୁ ଯାଏନାହିଁ । ଖାଲି ବାସନ୍ତୀଠାରୁ ମେଳଣ କଥା ଶୁଣିଲେ ମନଟା ଉଚ୍ଚାଟିଆ ହୋଇଉଠେ ।

 

ବାସନ୍ତୀ ବେଶ୍‌ ବନେଇ ଚୁନେଇ କହିଜାଣେ । ଏମିତି କଥାକୁ ଲମ୍ୱେଇ ଲମ୍ୱେଇ କହିବ ଯେ, ନ ଦେଖିଲା ଲୋକ ଦେଖିଲାପରି ବୋଧକରିବ । ତାରିଠାରୁ ମେଳଣ କଥା ଶୁଣି ସେ ଠାକୁରଙ୍କୁ ଡାକେ । ପ୍ରାର୍ଥନା କରେ—ବାସନ୍ତୀକି ଘରକୁ ବୋହୂକରି ଆଣିବାପାଇଁ ଗୁହାରି ଜଣାଏ ।

 

ହାରାଠାରୁ ବାସନ୍ତୀ ତା ମନର ସୁରାକ ପାଇଛି । ତା ଅଭିଳାଷର ଗନ୍ଧ ବାରିପାରିଛି । ତେଣ ସେ ବାୟାକୁ ଗାଁ ଲେଖାରେ ଭାଇନା ବୋଲି ଡାକିଲେ ମଧ୍ୟ ହୃଦୟରେ ତାକୁ ଏକାନ୍ତ ନିଜର ମଣିଷପରି ଥାନ ଦେଇଛି ।

 

ପିଲାଦିନୁ ସେ ସ୍ନେହ ଆଦର ଯତ୍ନ ପାଇନାହିଁ । ଅନାଦର ଓ ଅନାଗ୍ରହ ଭିତରେ ସେ ବଢ଼ିଛି । ଗାଳି ମାଡ଼ ଖାଇ ଖାଇ ତାର ପିଠି ପଥର ପାଲଟି ଯାଇଛି । ଜନ୍ମିତ ପିତାଙ୍କଠାରୁ ମଧ୍ୟ ସ୍ନେହ କଣିକାଏ ପାଇବାବେଳେ ସାନବୋଉ ବାଧା ଦେଇଛି । ଘୃଣା, ଈର୍ଷା, ତିରସ୍କାର ତାର ଅଙ୍ଗଭୂଷଣ ହୋଇଛି । ତେଣୁ ସେ ସାନ ବୋଉକୁ ଘୃଣା କରି ଶିଖିଛି । ତା ମନରେ ବିଦ୍ରୋହର ନିଆଁ ଜଳିଛି । କାହାରିଠାରୁ ସେ ସ୍ନେହ ପାଇନାହିଁ । ତେଣୁ ସେ ସ୍ନେହ-କାଙ୍ଗାଳ ହୋଇଉଠିଛି । କେହି ତାକୁ ଆପଣାର କରିବାକୁ ଚାହିଁ ନାହାନ୍ତି; ତେଣୁ ସେ ସମସ୍ତଙ୍କଠାରୁ ନିଜକୁ ଦୂରେଇ ରଖିବାକୁ ଚାହିଁଛି ।

 

ଏଭଳି ଏକ ପରିସ୍ଥିତିରେ ସେ ତା ପାଖକୁ ଆସିଛି । ଏଭଳି ଏକ ପରିବେଶ ଭିତରେ ବଢ଼ି ଉଠିବାବେଳେ ସେ ବାୟାର ସାନ୍ନିଧ୍ୟ ପାଇଛି । ସେ ସ୍ନେହ ପାଇଛି । ଆଗ୍ରହ ପାଇଛି । ତେଣୁ କୋଳେଇ ଯାଇଛି । ଆଉଜି ପଡ଼ିଛି । ନିଜକୁ ଭୁଲିଛି ।

 

ତା ପାଖରେ ସେ ତାର ହୃଦୟର କାହାଣୀ ଖୋଲି ଦେଇଛି—ସେ ଏଇଠି ରହିଲେ ଶାନ୍ତି ପାଇବ । ସେ ଏଇ ଘର ମାଟି ମୁଠାକ ପାଇଲେ ପ୍ରାଣ ପାଇବ । ଜୀଇ ଉଠିବ ।

 

ସେ ତାକୁ ବୁଝେଇଛି । ଆଶ୍ୱାସନା ଦେଇଛି । ସତ୍ୟ କରିଛି । ତାକୁ ସେ ବୋହୂ କରି ଆଣିବ । ବାୟାର ମନ ଅଛି । ବୋଉର ମନ ଅଛି । ତେବେ ସମୟ ଆସିନାହିଁ ।

 

ହାରା ଦୀର୍ଘନିଃଶ୍ୱାସ ପକାଇ ବାଡ଼ି ଦୁଆର ମୁହଁକୁ ଚାହିଁଲା ।

 

ଆକାଶଟା ଶୂନ୍ୟ ଶୂନ୍ୟ ବୋଧ ହେଉଛି ।

 

ବାସନ୍ତୀ ଚାଲିଗଲା ।

 

ଚାଲିଗଲା ସେ ସବୁରିଙ୍କ ମେଳରେ ସେ ପାରିକୁ ।

 

ଆହା, ତା ମନର କଳ୍ପନାର ଦୁର୍ଗ କେଡ଼େ ବେଗି ଭୁଷୁଡ଼ିପଡ଼ିଲା । ତାକେଇ ଘରକୁ ଆଣିଥିଲେ ଅନ୍ତତଃ ତା ସହିତ ଜୀବନଟା ବିତି ଯାଇଥାନ୍ତା । ସେ ତାଠାରୁ ବୟସରେ ସାନ ହେଲେହେଁ ତା ମନ ତ ବୁଝିଥିଲା !

 

ହାରାର ମନ ବାହୁନି ଉଠିଲା ।

 

ଏଡ଼େ ସଅଳ ଏତେ ପରିବର୍ତ୍ତନ ଘଟିଗଲା ।

 

ତା’ରି ଲାଗି ବାୟାଟା ଘରେ ପଶୁନି । ଦିନଯାକର କାମସାରି ଘରକୁ ଫେରିଲେ କଣ ଦିଟା ଖାଇଦେଇ ଯାଇ ଗୋପୀନାଥଙ୍କ ଦେଉଳ ଚାନ୍ଦିନୀରେ ହାଜର । ଅଧରାତିକି ଘରକୁ ଫେରି ଶୋଇବ ।

 

ହାରାର ପେଟ ଭିତରଟା ଚହଲିଗଲା ।

 

କେତେ ଦୁଃଖରେ ସଢ଼ି ସଢ଼ି ବାସନ୍ତୀ କେଡ଼େ ବେଗି ଚାଲିଗଲା । ଆହା, କେତକୀ ମାଉସୀ ତା ଉପରେ କି ଅତ୍ୟାଚାର ନ କରିଛି । ସାବତ ମା । ସାକ୍ଷାତ ଡାହାଣୀ, ଖାଇଗଲା ।

 

ସବୁ ସହି ସହି ସଂସାରକୁ ଅଭିମାନ କରି ବାସନ୍ତୀ ଚାଲିଗଲା । ସ୍ନେହକାଙ୍ଗାଳ ବୁକୁତଳେ କେତେ ଚାପିଲା ଅଭିମାନ ଧରି, ଅଲୋଡ଼ା ଅଖୋଜା ଜୀବନର କେତେ ସ୍ମୃତିକି ଛାତିରେ ଚପେଇ ସେ ତାର ବିଦାୟ ନେଲା ।

 

ହଁ, ତା କାଳ ପୂରିଗଲା ।

 

କାଳ ପୂରିଗଲେ କିଏ କାହାକୁ ରଖିବ ?

 

ହାରା ଆଖିରେ ଲୁହ ଲୁଗା କାନିରେ ପୋଛିଲା ।

 

ନିଜକୁ ଅପରାଧୀ ପରି ମନେ କଲା ସେ ।

 

ମନ ଭିତରେ କେତେ କଥା ଉଙ୍କିମାରି କେଉଁଆଡ଼େ ଉଭେଇଗଲା କେଡ଼େ ବେଗି ।

 

ସେ ଚାହିଁଲା ଆକାଶକୁ ।

 

ସେବେଇତ ସାହିର ଚାଳ ଉପରୁ ଧୂଆଁ ଉଠିଲାଣି ।

 

ବାଡ଼ିଆଡ଼େ ଦେବଦାରୁ ଗଛ ଡାଳରେ ବସାବାହୁଡ଼ା କୁଆ ଦଳ ଦଳ ହୋଇ ଚହଳ ପକେଇଲେଣି ।

 

ସଞ୍ଜ ହୋଇ ଆସୁଛି ।

 

ବଳିତା ବଳାହେଲେ ସଞ୍ଜବତୀ ଲଗା ହେବ ।

 

ହାରା ଉଦାସ ଚିତ୍ତରେ ଘରେ ପଶିଲା ।

 

ନିଛାଟିଆ ଘର ।

 

ନିଛାଟିଆ ଜୀବନ ।

 

ନନା ଆଉ ପାରୁନାହାନ୍ତି । ତାଙ୍କୁ ବୁଢ଼ା କାଳକୁ ବାତ ଧରିଛି ଯେ ସେ ଉଠି ବସି ପାରୁନାହାନ୍ତି । ତାଙ୍କର ସେ ଆଗର ଦିହ କୁଆଡ଼େ ଗଲାଣି । ମୁଣ୍ଡବାଳ ଧଳା ହୋଇଗଲାଣି । ଏଣିକି ତାଙ୍କର ସେବାଯତ୍ନ ଦରକାର । ତାଙ୍କ ସାଥୀର ଲୋକମାନେ ଜଣ ଜଣ ହୋଇ ଚାଲିଗଲେଣି । ତାଙ୍କ ମନ ସେ ପୁରର ରାହା ଧରିଲାଣି ଯେମିତି । ତାଙ୍କର ଆଉ ଆହାରରେ ରୁଚି ନାହିଁ । ବେଶି ଖାଉନାହାନ୍ତି । ଦେହ ଝଡ଼ି ଦୁର୍ବଳ ହେଲାଣି ।

 

ବର୍ଷ କେତେଟାରେ କଣ ଥିଲେ ନନା, କଣ ହେଲେଣି !

 

ହାରା ବୁଝିପାରୁ ନାହିଁ ।

 

ସମୟର ଗତି ସହିତ ତା ଜୀବନରେ ଘଟଣା ପ୍ରବାହ ଘଟିଯାଉଛି । କେତେ କେତେ ଭଲମନ୍ଦ ଘଟଣା ସେ ଅଙ୍ଗେ ନିଭେଇଲାଣି । କେତେ ହଜିଲା ସ୍ମୃତି ତାକୁ ରାହୁ ପରି ଗ୍ରାସ କରୁଛି ।

 

ତା ଶାଶୁଘରର ଯେଉଁ ପୂର୍ବ ଗୌରବ ତାହା କ୍ରମଶଃ ଲୋପ ପାଇଲାଣି । ବେଳେ ବେଳେ ଖବର ପାଉଛି । ନିଜ ଛାତିର ଗନ୍ତାଘରେ ସବୁକଥା ସେ ଛପେଇ ରଖୁଛି ।

 

ବେଳେ ବେଳେ ସେ ଗନ୍ତାଘରର ଚାବି ଖୋଲିଲେ କେତେ କାହାଣୀର ଝଲକ ସୃଷ୍ଟି ହୁଏ ଆଖି ଆଗରେ । ସେ ବୁଝିପାରେ ନାହିଁ । ମନ ଘାଣ୍ଟିଚକଟି ହୁଏ । ନିଜକୁ ବୁଝେଇବାକୁ ଚେଷ୍ଟାକରି ସେ ପରାଜିତ ହୁଏ ।

 

ଦିଅର ନଟବରର ବାପ ଅମଳର ସେ ବିଭବ ଆଉ ନାହିଁ କି ସେ ଗୌରବ ନାହିଁ । ପିତୃଅର୍ଜିତ ସମ୍ପତ୍ତିରୁ ଅଧାଅଧି ବିକାଭଙ୍ଗା ସରିଲାଣି । ନିଜ କୁକର୍ମରୁ ସବୁ ଥାନରେ ସେ ଅପମାନିତ ଓ ଲାଞ୍ଛିତ ହେଉଛି । ଦକ୍ଷିଣେଶ୍ୱରୀଙ୍କ ସେବା ପୂଜା ଆଉ ବିଧିମତେ ସେ କରେଇ ପାରୁନାହିଁ । ଏଣିକି ଗାଁବାଲା ମିଶି କୋଠ ସମ୍ପତ୍ତିରେ ଠାକୁରାଣୀଙ୍କ ଯାନିଯାତ୍ରା କରୋଉଛନ୍ତି ।

 

ଅପମାନରେ ମଥା ତଳକୁ ନୋଇଁ ଯାଉଛି ଏକଥା ଶୁଣିଲେ ।

 

ନଟବର ସତରେ ଶଶ୍ୱୁରଙ୍କ ମାନ ମହତ ମାଟିରେ ମିଶେଇଦେଲା ।

 

ନିଛାଟିଆ ଘରଟା ଭିତରେ ଦଣ୍ଡେ ଏକୁଟିଆ ବସିଲେ ମନ ଭିତରେ ଏମିତି ଭାବନା ଢୁକୁଛି ।

 

ଏକୁଟିଆ ବସିବାକୁ ଭଲ ଲାଗୁନାହିଁ ।

 

କାମରେ ନିଜକୁ ଡୁବେଇ ଦେଲେ ଏଇ ଅଲରା ବଲରା କଥାଗୁଡ଼ାକ ଆଉ ମୁଣ୍ଡରେ ଢୁକିବନି ।

 

ଘର ଗୋଟାକ ଯାକର କାମ ସେ କରୁଛି । ବାସି ପାଇଟିଠୁ ଆରମ୍ଭ କରି ରୋଷେଇ ବାସ । ଘର କାମରେ ସେ ଆନନ୍ଦ ପାଉଛି ।

 

ତଥାପି ସମୟେ ସମୟେ କାମ ତାକୁ ମାଡ଼ି ଗୋଡ଼ୋଉଛି । କେତେଦିନ ସେ ଆଉ ଏମିତି ଖାଟେଣି ଖଟିବ !

 

ବୟାଟା ଭଲା ମଙ୍ଗନ୍ତା ! ବୟସ ଆସି ଚବିଶ ପୂରି ପଚିଶ ଚାଲିଲା । ଏଣିକି ସେ ସଂସାର କରନ୍ତା ସିନା ! ଯେତେ କରି ବୁଝେଇଲେ ବୁଝୁନାହିଁ । ନନାଙ୍କର ଅନ୍ତିମ ଆଶା—ବୋହୂଟିଏ ଘରକୁ ଆସିଲେ ସେ ଦେଖନ୍ତେ । ତାଙ୍କ ଅନ୍ତରାତ୍ମା ତୃପ୍ତ ହୁଅନ୍ତା ।

 

ସେ ପାରିରୁ ବୋଉ କେତେ ଖୁସି ନ ହୁଅନ୍ତା !

 

ଯେତେ କହିଲେ କଣ ସେ ବୁଝିବା ଲୋକ ! ଯାହା ବୁଝିଥିବ ସେଇୟା । ହଁ ତ ହଁ, ନାହିଁ ତ ନାହିଁ । ନାହିଁ ପଦରେ ଜିଦ୍‌ ଧରିଛି । ବେଶୀ ବାଧ୍ୟ କଲେ ବିରକ୍ତି ପ୍ରକାଶ କରୁଛି । କହୁଛି—ନାଇଁ ଲୋ ନାନୀ, ତୁ କାହିଁକି ଏତେ ଜବରଦସ୍ତି କରୁଛୁ କହିଲୁ ? ଏଇଲେ ଗୋଟେ କି ସଂସାର କରିବି ? ଆଉ କେତେ ବର୍ଷ ଯାଉ । ମୁଁ କଣ ବୁଢ଼ା ହୋଇ ଯାଉଛି କି ?

 

ବୁଝେଇଲେ ବୁଝେ ନାହିଁ । ମନରୁ ସେ ବାସନ୍ତୀକୁ ପୋଛି ପାରିନାହିଁ । ସେଇ ଅଲିଭା ସ୍ମୃତିଟି ତା ମାନସିକ ସ୍ତରରେ ଜୀଇ ରହିଛି । ଜୀଇ ରହିଛି ତା ପ୍ରତିଟି ଢଙ୍ଗଢ଼ାଙ୍ଗର ଅବଲୀଳା ।

 

ବାସନ୍ତୀ ଚାଲିଯାଇଛି । ଛାଡ଼ି ଯାଇଛି ତା ମନରେ ଏକ ଅଲିଭା ଦାଗ । ତାକେଇ ହୃଦୟରେ ସାଇତି ରଖି ସେ ଛଟପଟେଇ ହେଉଛି । ତାକେଇ ପୋଛି ପାରୁନାହିଁ ମରମ ଗହନରୁ ।

 

ସିଏ କଣ ପୋଛି ହବାର !

 

ଛଟପଟେଇ ଉଠୁଛି ନିଜ ଦେହ ଭିତରଟା ।

 

ସେ କଣ ନିଜେ ପୋଛି ପାରୁଛି !

 

ଦେଢ଼ଯୁଗ ଉପରେ ରହିଲାଣି ପଛକୁ । କେତେ ପରିବର୍ତ୍ତନ ଘଟିଲାଣି ସଚଳା ପୃଥିବୀର । କେତେ ପରିବର୍ତ୍ତନ ଘଟିଲାଣି ରଥପୁର ଶାସନର । ତଥାପି ସେ ପାଶୋରି ପାରୁନାହିଁ । ଆଖିରେ ଦେଖିନାହିଁ ତାଙ୍କ ରୂପ । କାନରେ ଶୁଣି ନାହିଁ ତାଙ୍କର ଭାଷା । ଖାଲି ବାହା ବେଦୀରେ ହାତଗଣ୍ଠି ଭିତରେ ହାତରେ ହାତମିଶା ପରଶ ଟିକିଏ ମାତ୍ର ପାଇଥିଲା ସେ । ତାକୁ ସେ ଭୁଲି ପାରିନାହିଁ । ସେ ହାତଗଣ୍ଠି କୁଶଦୁବ ଘାସର ହେଲେ ହେଁ ମନ୍ଦର ମେରୁଠାରୁ ଶକ୍ତ । ଜଳଧିଠାରୁ ଗଭୀର । ବ୍ୟୋମଠାରୁ ବ୍ୟାପକ । ସୂର୍ଯ୍ୟପରି ସତ୍ୟ । ଚନ୍ଦ୍ରପରି ଶାନ୍ତ କୋମଳ । ପୃଥିବୀପରି ସବୁଜାୟିତ । ସୁନ୍ଦର । ପବିତ୍ର । ସୁରଧୂନୀପରି ସଜଳ । କଳକଳ ଛଳଛଳ । ସେ ହାତଗଣ୍ଠି ଥରେ ପଡ଼ିଲେ ପଡ଼ିଗଲା ଏଜନ୍ମ, ଆରଜନ୍ମ, ତା ପରଜନ୍ମ ଏମିତି କେତେ ଜନ୍ମ ଜନ୍ମାନ୍ତର ଯାଏ । ତାକୁ ଛିଣ୍ଡାଇବା ଶକ୍ତି କାହିଁ କାହାର !

 

ଆଖି ଢଳଢ଼ଳ ହୁଏ ଲୁହ ଜଳରେ ।

 

ସତରେ ସେ ଭୁଲି ପାରିନାହିଁ ।

 

ସେଇଦିନର ସେଇ ମୁହୂର୍ତ୍ତର ସେଇ ଟିକକ ହାତର ପବିତ୍ର ସ୍ପର୍ଶକୁ ଛାତିରେ ସାଇତି ରଖି, ତାକେଇ ଜୀବନର ସମ୍ୱଳ କରି ସେ ବାପଘର ମାଟିରେ ପଡ଼ିରହିଛି । ତାଙ୍କରି ଆତ୍ମାର ଶାନ୍ତିପାଇଁ, ତୃପ୍ତିପାଇଁ କେତେ ଭବିଷ୍ୟତର ସ୍ୱପ୍ନ ସେ ଦେଖିଛି । ଜୀବନର ପ୍ରତିଟି ରକ୍ତବିନ୍ଦୁ ତାଙ୍କରି ଉଦ୍ଦେଶ୍ୟରେ କାମରେ ଲଗେଇଛି ସେ । ଜୀବନର ପ୍ରତିଟି କାମରେ ସେ ନିରୀକ୍ଷଣ କରିଛି ତାଙ୍କରି ରୂପ । ସେ ସପନ ଦେଖିଛି । ତାଙ୍କରି ଭାବନାର ସୁଅରେ ଭାସିଯାଇ ସେ ପହଞ୍ଚିଯାଇଛି ତାଙ୍କପାଖେ । ସେ ତାର ସବୁକାଳର ସବୁଦିନର ହୋଇ ରହିବେ ।

 

ଏ ଜନ୍ମରେ ନ ହେଲା ଆର ଜନ୍ମରେ ତ ଭେଟ ହେବ ।

 

ମନ ବାହୁନିଉଠିଲା ।

 

ମନେ ପଡ଼ିଲା ସବିତା କଥା ।

 

ତା ମକର ।

 

ବର ସହିତ କେଡ଼େ ଖୁସିରେ ଅଛି ମକର । ନୂଆବେଳେ ଶାଶୁଘରେ ସିନା ଶାଣୁନଣନ୍ଦ ଗଞ୍ଜଣା ସହୁଥିଲା ! ଏବେ ଆଉ ସେ ନୂଆ ବେଳର କଥା ନାଇଁ । ସେ ଖଣ୍ଡାଖାଈ ମଣ୍ଡାଗିଳି ଡଗଡ଼ଗୀ ନଣନ୍ଦଟା ବାହା ହୋଇ ତା ଶାଶୁ ଘରକୁ ଗଲାଣି । ନଣନ୍ଦ ଗଲାନି ଯେ ତାର ଗୋଟେ ଗ୍ରହ ଗଲା ।

ମକରର ନଣନ୍ଦ ଉପରେ ଭାରି ରାଗ । ଆଉ ଶାଶୁ—ପ୍ରଥମେ ପ୍ରଥମେ ସିନା ରାଉଁରାଉଁ ଖାଉଁଖାଉଁ ହେଉଥିଲେ, ଏବେ ତ ବୁଢ଼ୀ ହେଲେଣି । ଭାବ ବଦଳିଲାଣି । ଏଣିକିବ ବୋହୂ ଉପରେ ଭାରି ସନ୍ତୁଷ୍ଟ । ବୟସ ଥିଲା ବେଳେ ସମସ୍ତେ ସେମିତି ବହପ ଦେଖେଇ ହୁଅନ୍ତି । ବୟସ ଖସିଲେ ବହପ ଖସେ । ନୂଆନୂଆ ବେଳେ ବୋହୂ ଉପରେ ଶାଶୁ ପଣିଆ ଜାହିର । ପୁରୁଣା ହେଲେ ବୋହୂ ଘରର ମାଲିକାଣୀ । ବର ଯଦି ହାତ ମୁଠାରେ, ଶାଶୁ ଶଶ୍ୱୁରଙ୍କ କଥା ଶୁଣୁଛି କିଏ ।

ଏଥର ଦଶହରାକୁ ମକର ଆସିଥିଲା ଯେ ଫବେଇ ହୋଇ ତା ବରକଥା ବଖାଣୁଥିଲା । କହୁଥିଲା—ଜାଣିଲୁ ମକର, ମୋପରି ଆଲୁରୀ କପାଳକୁ ସିନା ସିଏ ଯୁଟିଗଲେ ବୋଲି, ନୋହିଲେ ଶାଶୁ ନଣନ୍ଦ ପହିଲେ ପହିଲେ ଯେମିତି ହେଉ ଥିଲେ ନା ମୋ ପ୍ରାଣ ରହି ନ ଥାନ୍ତା । ସତର ମକର, ଠାକୁରଙ୍କ କୃପାରୁ ମୋ କପାଳର ଏମିତି ବର ଯୁଟିଲା । କେଉଁ କଥାରେ ଆଙ୍ଗ ନାହିଁ । ଯାହା ବାଢ଼ି ଦେବ ତା ଖାଇବେ । ଗରମ ହେଉ ପଖାଳ ହେଉ । ବାସି ହେଉ ସଜ ହେଉ । ଆପତ୍ତି ନାହିଁ । ଲୁଣି ହେଲେ କହିବେନି କି ଅଲଣା ହେଲେ କହିବେନି । ସବୁକଥାରେ ମୁରୁକେଇ ହସିଦେବେ । ଯେତେବେଳେ ଯାହା ବରାଦ କରିଦେବ, ନାହିଁ ପଦ ବାହାରିବନି । ଯୋଉଠୁ ହେଲେ ଯୋଗାଡ଼ କରି ଆଣିଦେବେ । ଏଣିକି ଯେତେ ପୁରୁଣା ହେଉଛି ସେତେ ସେତେ ନୂଆପରି ଲାଗୁଛି ଜୀବନ । ତିନିଟା ପିଲାର ବାପା ହେଲେଣି ଯେ, ତାଙ୍କର କଣ ସେଇ ନୂଆ ବେଳର ବେହିଆ ରସିକପଣ ଗଲାଣି ! ଦିନେ ଦିନେ ଯେଉଁ ହଇରାଣ କରିବେ ନାଁ, ରଖେଇ ଦେବେନି ପରା । ପିଲାପଛେ ଯେମିତି ଯୋଉଠି ଶୋଉଛନ୍ତି ଶୁଅନ୍ତୁ, ମୋତେ ଟାଣିଧରି ପାଖରେ ନ ଶୁଆଇଲେ ନିଦ ହବନି ତାଙ୍କୁ ।

ମକର କଥାଟା କହି ଛପିଲା ହସ ହସିଦିଏ ।

ନିଜର ସ୍ୱାଭିମାନକୁ ସାବ୍ୟସ୍ତ କରିବା ପାଇଁ ମକର ଅବାଧରେ ଏକଥା ସବୁ ତା ଆଗରେ ଗପିଯାଏ ।

ସେ ଶୁଣେ ।

ପ୍ରତିବାଦ କରେନାହିଁ ।

ଭାବେ ।

ଚେତନା ଜଗତରୁ ଉପରକୁ ଉଠେ ।

ଅବଚେତନ ମନରେ ତାର ଆନ୍ଦୋଳନ ସୃଷ୍ଟି ହୁଏ ।

ସେ ଘୃଣାକରେ ନା ।

ସେ ଈର୍ଷାକରେ ନା ।

ଆନନ୍ଦ ପାଏନା ।

ଦୁଃଖ ବି କରେନା ।

ଏ ଗୁଡ଼ାକ ତାର ଶୁଣିବାକୁ ଇଚ୍ଛା ହେଉ ନ ଥିଲେ ମଧ୍ୟ ସେ ନାହିଁ କରେ ନାହିଁ ।

ମକର କହିଯାଏ ।

ତିନିଟା ପିଲାର ମା ହୋଇ ମଧ୍ୟ ସେ ନୂଆ ବାହା ହେଲା ପରି ମନେକରେ । ତା ମନର ଅକୁହା କଥା ଗୁଡ଼ାକ ତା’ରି ପାଖରେ ଅଲାଜୁକୀ ଭାବରେ ସେ କହିଯାଏ ।

ସେ ବା କାହିଁକି ପ୍ରତିବାଦ କରିବ । ତାର କଣ ଯାଏ ଆସେ । ଏକାନ୍ତ ଆଦିମ, ଏକାନ୍ତ ଅଶ୍ଳୀଳ କଥାଗୁଡ଼ାକ ମକର ତା ପାଖରେ ବେଶ୍‌ ରସାକ୍ତ କରି କହିଯାଏ ।

ସେ ଶୁଣେ ।

ହେଇ, ସେଥର କୁମାର ପୂର୍ଣ୍ଣମୀ ରାତିରେ—

ଗାଁ ଉଚ୍ଛୁଳି ପଡ଼ୁଛି ଗହଳି ଚହଳିରେ ।

ଗୋପୀନାଥଙ୍କ ଦେଉଳ ସାମନାରେ କିଶୋର କିଶୋରୀଙ୍କ କୋଳାହଳ । ନୂଆ ନୂଆ ପୋଷାକ ପିନ୍ଧି ସେମାନେ ଖେଳରେ ମାତିଛନ୍ତି ।

ଅନୂଢ଼ା କିଶୋରୀଏ ଜହ୍ନିଫୁଲ ଓଷା ଉଜେଇଁବାରେ ବ୍ୟସ୍ତ ।

ଜହ୍ନିଫୁଲ ଗୀତରେ ଗାଁସାରା ଫାଟିପଡ଼ୁଛି ।

ପୂର୍ବପଟେ, ନଡ଼ିଆ ବାହୁଙ୍ଗା ଆଢ଼ୁଆଳରେ ପୂନେଇଁ ଚାନ୍ଦ ହସିଲା ମୁହଁରେ ଉଜଳି ଉଠିଲାଣି ।

ଆକାଶ ଛାତିରେ ଜୋଛନା ମାତିଛି, ମାତିଛନ୍ତି ଯେମିତି ନୂଆ ପୋଷାକ ପିନ୍ଧି ଖେଳରେ କିଶୋର କିଶୋରୀଏ ।

ଶାରଦ ଆକାଶ ଅପୂର୍ବ ବେଶ ଧରିଛି ।

ଗାଁ ସାରା ବୁଣି ହୋଇଯାଇଛି ଏକ ଅଭିନବ ଉଲ୍ଲାସରେ ଆଞ୍ଜୁଳା ଆଞ୍ଜୁଳା ବାସ କୁସୁମ-

ଗୋପୀନାଥଙ୍କ ବେଢ଼ା ଭିତରେ ଶେଷ ଶରତର କୁସୁମମାନ ବାସନାରେ ଚହଟଉଛନ୍ତି ଦିଗବିଦିଗ ।

କୁମାର ପୂର୍ଣ୍ଣମୀ ।

ଗାଁ ଠାକୁରେ ନବବସ୍ତ୍ର ଧାରଣ କରିବେ ।

ଦେଉଳରେ ଘଣ୍ଟା କାହାଳୀ ମୃଦଙ୍ଗ ଶୁଭିଲାଣି ।

କଇଁ ଫୁଲିଆ ଜହ୍ନଟା ହସି ହସି ଉଠି ଆସିଲାଣି ଉପରକୁ ।

ଅଗଣାରେ, ଗଙ୍ଗାଶିଉଳୀ ଗଛମୂଳେ ସେ ବସିଛି ତା ମକର ସହିତ । ଉନ୍ମୁକ୍ତ ଆକାଶରେ ଜ୍ୟୋତ୍ସ୍ନାର ଅବଲୀଳା । ସାମନାରେ ଗଙ୍ଗଶିଉଳୀର ବାସଭରା ମହକ । ମନ ଗହନରେ ଆନନ୍ଦର ଢେଉ ମେଲିଛି । ଭାବନାର ଢେଉ ପ୍ରସରି ଯାଉଛି ବହୁ ଦୂରକୁ । ମନରେ ଉଜାଣି ଉଠୁଛି କେତେ କଥା ।

ସବିତା ସତେ ଯେମିତି ଆଜି ଉନ୍ମତ୍ତ ହୋଇଯାଇଛି । ତାର ଦେହ ଭିତରେ କେଜାଣି କାହିଁକି ଆଦିମ ପୁଲକରେ ଶୀହରଣ ଖେଳୁଛି ।

କେଡ଼େ ଅଲାଜୁକୀ ଭାବରେ ସେ କହିଯାଉଛି ତା ଆଗରେ ତା ବର ସହିତ ତା ରତି ସମ୍ପର୍କ କଥା । ତା ବରପାଖେ ସେ କେମିତି ବସେ, କେମିତି ହସେ, କେମିତି ରସେ—କେମିତି ନିବିଡ଼ ବାହୁ ବନ୍ଧନରେ ଶୁଏ—ସବୁ ସେ ଆଜି ତା ପାଖରେ ଗୋଟି ଗୋଟି କରି ବଖାଣି ଯାଉଛି । ବଖାଣି ଯାଉଛି, କେତେ ପୁରୁଣା ବାସର ରାତିର ସମ୍ଭୋଗ କଥା ।

ତିନୋଟି ପିଲାର ମାଆ ହୋଇ ଏ ଯାଏଁ ବାସର ରାତିଟି ମକର ଭୁଲିନାହିଁ ।

ବାସର ରାତି—

ନାରୀ ଜୀବନର ଏକ ସାର୍ଥକ ନିଶୀଥର କେତୋଟି ସ୍ମୃତି ଚକିତ ଅଭୁଲା ମୁହୂର୍ତ୍ତ । ସେ ମୁହୂର୍ତ୍ତ ଜୀବନରେ ଥରେ ଆସେ । ସେ ମୁହୂର୍ତ୍ତର ସ୍ପନ୍ଦନ ରାତିକ ପାଇଁ ଦେହରେ ଜାଗେ । ସେ ରସସ୍ନିଗ୍‌ଧ ରାତିରେ ଜୀବନ ସହିତ ନୂଆ ଜୀବନର ମିଳନ ଘଟେ । ଦେହରେ ଦେହ ମିଶା ପରଶ ଜାଗେ ।

ମକର ମନରେ ତିଳେ ହେଲେ ଦ୍ୱିଧା ନାହିଁ ଏ କଥା ଗୁଡ଼ାକ ତ ଆାଗରେ ବଖାଣିବାରେ-

ସେ କହିଚାଲିଛି—ମକର ଲୋ ! କଣ ସେ କଥା କହିବି । ତାକୁ କଣ ଜୀବନ ଥିଲାଯାଏ ଭୁଲିହୁଏ । ବାପଘରୁ ପ୍ରଥମକରି ଯାଇଥାଏ ଯେ କାନ୍ଦି କାନ୍ଦି ଆଖି ଦୁଇଟା ନାଲି ଟହ ଟହ ମନ୍ଦାର ପରି ଦିଶୁଥାଏ । ମଥାରେ ହାତେ ଲମ୍ୱର ଓଢ଼ଣା, ପାଦରେ ପାଉଁଜି, ମୁଣ୍ଡରେ ସିନ୍ଥି । ବେକରେ ହରଡ଼ଫାଳିଆ ମାଳ । ଦିପହର ଯାକ ଚଉଠି ହୋମନିଆଁ ପାଖରେ ବସି ଦେହ ହାତ ଅବଶ ହୋଇ ଯାଇଥାଏ । ସହଜେ ତ ବଇଶାଖ ମାସ । ଝାଞ୍ଝି ଯେ ନ କହ । ଶଶ୍ୱୁରଘର ତଳସାଲା ଘରେ ସଜା ହୋଇଥାଏ ଆମପାଇଁ ବାସର ରାତିର ଉପକରଣ ।

ସଞ୍ଜ ପହରୁ ଖିଆପିଆ ଦିଆନିଆ ସରିଲା । ରାତି ପହରକୁ ଯେ ଯାହାର ଶୋଇବାକୁ ଗଲେ । ନଣନ୍ଦ ମୋ ହାତ ଧରିନେଇ ମୋତେ ଛାଡ଼ିଦେଇ ଆସିଲେ ଶୋଇବାଘରେ । ତା ପରେ ବାହାରୁ କବାଟଟା ଧଡ଼କିନା କିଳି ଦେଲେ । ମୋ ଛାତି ଭିତରଟା ଥରୁଥାଏ । ସିଏ ଆସି ମୋ ମଥାର ଓଢ଼ଣାଟି ଧୀରେ ଧୀରେ ଖସେଇ ଦେଲେ । ମୋ ଦେହରେ ସ୍ପନ୍ଦନ ସୃଷ୍ଟି ହୋଇଗଲା । କୋଠରୀ ଭିତରେ ଆମେ ଦି ଜଣ । ପାଖରେ ଆମ ଘରୁ ଆସିଥିବା ନୂଆ ଖଟ ଉପରେ ଶେଯ ତକିଆ । ଘରେ ଧୂପର ବାସ । ପାଖକେ ପ୍ରଦୀପ । ତା ତଳେ ଚଉଠି ହୋମର ପୋଡ଼ା ନଡ଼ିଆ ।

ସେ ମୋ ହାତ ଧରିଲେ । ଦେହ ଭିତରେ ମୋର ବିଜୁଳି ଖେଳିଗଲା । ପ୍ରଦୀପ ଶିଖାର ସ୍ନିଗ୍‌ଧ ଆଲୁଅ ତଳେ ଆମେ ଦୁହେଁ ଇଷ୍ଟ ଦେବତାଙ୍କୁ ପ୍ରଣାମ କଲୁ । ସେ ମୋତେ ହୋମ ନଡ଼ିଆ ଖଣ୍ଡ ଖୁଆଇ ଦେଲେ । ମୋ ହାତରେ ଖଣ୍ଡେ ଧରାଇ ତାଙ୍କ ପାଟିରେ ପୂରେଇ ଦେଲେ ।

ତା ପରେ ମୋତେ ଡାକି ନେଲେ ଖଟ ଉପରକୁ ।

 

ଦୁହେଁ ବସିଲୁ । ସେ ମୋତେ କେତେକଥା କହିଲେ । କେତେ ବରଷ ତଳର କଥା । ଆଉ କଣ ମନେ ଅଛି କିଲୋ ମକର ! ହେଲ ପୁରୁଷପିଲା ପ୍ରଥମ ଦେଖାରେ ଯେ ଏତେ ବେହିଆ ହୋଇଯାଆନ୍ତି, ତାହା ମୋର ବେଶ୍‌ ମନେଅଛି ।

 

ସେ ଏତେ ବେହିଆ । ପ୍ରଥମ ଦେଖାରେ ଘଡ଼ିଏ କଥାବାର୍ତ୍ତାପରେ ସେ ପୂରାପୂରି ଲାଜ ସରମ ଛାଡ଼ି ମୋତେ ତାଙ୍କ ଦେହକୁ ଭିଡ଼ିନେଲେ ଅସଂଯତ ଭାବରେ । ମୋ ଛାତିରୁ ଶାଢ଼ୀ ଖସେଇ ଦେଲେ । ମୁହଁରେ ମୁହଁ ଲଗେଇଲେ । ଚୁମା ଦେଲେ । ତା ପରେ ଜୋରରେ ଜାକି ଧରିଲେ । ଦୀପଶିଖାର ମିଞ୍ଜିମିଞ୍ଜି ଆଲୁଅ ଭିତରେ ଆମେ ଏକାକାର ହେଲୁ । ଛାତିରେ ଲାଗିଲା ଛାତିର ମାଂସଳ ପରଶ । ଦେହ ଉଷୁମିଲା । ନିଃଶ୍ୱାସ ଉତ୍ତପ୍ତ ହେଲା । ସେ ମୋତେ ଏତେ ଜୋରରେ ଜାକି ଧରିଲେ ଯେ, ତାଙ୍କ ବାହୁ ବନ୍ଧନରୁ ଖସିବାକୁ ମୋର ଆୟତ୍ତ ରହିଲା ନାହିଁ । ତା ପରେ ଦୁହେଁ ଅବଶ ହେଲୁ । ଶୋଇ ପଡ଼ିଲୁ ।

 

ମକର କହିଗଲା । ଏକା ନିଃଶ୍ୱାସକେ ସେ ଏଇ ଅଶ୍ଲୀଳ କଥାଗୁଡ଼ାକୁ ତା ଆଗରେ ବଖାଣିଲା । ତାକୁ ଲାଜ ମାଡ଼ିଲା ନାହିଁ । ତା ଦେହ ଶୀହରିଲ ନାହିଁ । ତିନିଟା ଛୁଆର ମାଆ ହେଲାଣି । ଆଉ କଣ ତା ଦେହର ତାତିର ଉନ୍ମାଦନା ଅଛି ! ଜହ୍ନଟା ଚାଳ ଉପରକୁ ଉଠିଗଲାଣି । ପବନ ଗୁଡ଼େଇ ତୁଡ଼େଇ ହେଉଛି ଗଙ୍ଗଶିଉଳୀ ଦେହରେ ।

 

ନଡ଼ିଆ ବାହୁଙ୍ଗା ସବୁ ଜୋଛନାରେ ପହଁରୁଛନ୍ତି ।

 

ଗାଁ ମୁଣ୍ଡ ଗୋପୀନାଥଙ୍କ ଦେଉଳରେ ଗହଳି ଭାଜିନାହିଁ ।

 

ଚାନ୍ଦିନୀ ଉପରେ ତାସ ଓ ପଶାଖେଳ ଜମିଛି ବୋଧହୁଏ ।

 

ପାଖରେ ତାର ମାତିଛି ଆଜି ମକର । ଖୋଲାଖୋଲି ଭାବରେ ସେ କହିଗଲା ତା ବାସର ରାତିର ଅଙ୍ଗେ ନିଭାଇବା କାହାଣୀ ।

 

ହାରାର ମନ ଚହଲିଗଲା ।

 

ଶୀତଳ ଜହ୍ନ ଆଲୁଅ ଆଜି ଯେମିତି ତା ଦେହରେ ଗଳିଗଲା ।

 

ମନ ଜଳି ଉଠିଲା, ମନ ବାହୁନି ଉଠିଲା ।

 

ଜୀବନଟା ସତେ ଏତେ ଅଶ୍ଳୀଳ, ଅସଂଯତ, ଆଦିମ କାମନା ଜର୍ଜରିତ ! ତାହା ସେ ସ୍ୱପ୍ନରେ ସୁଦ୍ଧା ଜାଣିନାହିଁ । ଆଦିମ କାମନାରେ ଦୈହିକ ଭୋଗଲିପ୍‌ସା, ସଂଭୋଗର ଦୁର୍ବଳତା ତା ମନକୁ କେବେହେଲେ ଦୋହଲାଇ ନାହିଁ । ତା ମନରେ କେବେହେଲେ ଭରିନାହିଁ ତପ୍ତ ଉନ୍ମାଦନା ।

 

ତଥାପି ସେ ନାରୀ ।

 

ନାରୀତ୍ୱ ତାର ଚିତ୍‌କାର କରିଉଠିଲା ।

 

ନାରୀତ୍ୱ ତାର ଦମ୍ଭ ହରେଇ ବସିଲା ।

 

ନାରୀତ୍ୱ ତାର ବୋବାଳି ଛାଡ଼ିଲା ।

 

ମକର ତା ଆଗରେ ବାସର ରାତିର ଦେହରେ ଦେହମିଶା ରସର ଅଙ୍ଗେ ନିଭେଇଲା କଥା ପ୍ରାଞ୍ଜଳ ଭାବରେ କହିଗଲା, ଅଥଚ ତା ମନ ଦୋହଲିଲା ନାହିଁ । ତା ନିଜ ଲୋମ ଟାଙ୍କୁରିଲା ନାହିଁ । କେଡ଼େ ସରଳ ଭାବରେ ସେ ବଖାଣିଗଲା ଜୀବନର ଗୋଟିଏ ନିଗୂଢ଼ ତଥ୍ୟର ସତ୍ୟ କାହାଣୀ ।

 

କିନ୍ତୁ ସେ ସହିପାରିଲା ନାହିଁ ।

 

ତା ଦେହରେ ଆଦିମ କମ୍ପନ ସୃଷ୍ଟି ହେଲା ।

 

ତାର ହୃଦୟରେ ସପନର ଉତ୍ତେଜନା ଭରିଗଲା ।

 

ତାର ଚେତନା ମଥିତ ହେଲା ।

 

ଲୋମ ଟାଙ୍କୁରି ଉଠିଲା ।

 

ସେ ଚାହିଁଲା ।

 

ପାଖରେ ଗଙ୍ଗଶିଉଳୀର ସ୍ନିଗ୍‌ଧ ସରସ ଢଳଢ଼ଳ ଆଖି ଗୁଡ଼ିଏ, ଆକାଶରେ ବହଳ ଜହ୍ନ ଆଲୁଅ ଓ ବ୍ୟାପକ ଶୂନ୍ୟତା ।

 

ସତେ ଯେମିତି ତାର ଦମ୍ଭ ଟଳିଯାଉଛି ।

 

ସତେ ଯେମିତି ସେ ହଜିଯାଉଛି ।

 

ସେ ହୃଦୟର ଶୋଣିତ କମ୍ପନକୁ ଚାପି ଧରିବାକୁ ଚେଷ୍ଟାକଲା ।

 

ତା ଓଠରେ ଆଦିମ ହସର ଢେଉ ଖେଳିଲା ।

 

ସେ ମକରକୁ ତା ଦେହ ଉପରକୁ ଆଉଜେଇ ଆଣିଲା । ମକର ଲୋ—ତୋର ସିନା ଭାଗ୍ୟ ! ମୋର କଣ ଅଛି କହିଲୁ ? ମୋ ଜୀବନର ବାସର ରାତି ହୁଏତ ମରଣ ପରେ ଆସିବ । ଯେତେ ଦିନ ଥିବି ତାଙ୍କର କଥା ସୁମରୁଥିବି । ମରଣ ପରେ କ’ଣ ଘଟିବ କିଏ ଜାଣେ ?

 

ସେ ନିଜକୁ ସମ୍ଭାଳିନେଲା ।

 

ମକର ଦେହରୁ ଦେହ ଓହ୍ଲାଇଲା ।

 

ଆକାଶରେ ପୁନିଅଁ ଜହ୍ନ ତାକୁ ଚାହିଁ ରହିଛି ।

 

ରାତି ପାଇଲେ ତାର ହବିଷ ।

ଏଇଲାଗର ଭାବନା ପାହାନ୍ତାକୁ ନଥିବ ।

 

କାଲିଠାରୁ ମାସେ କାଳ ବକ୍ତେ ଖାଇ ଦିନ କଟାଇବାକୁ ହେବ । କେତେ ନିୟମ, ନିଷ୍ଠା-

 

ମନଟା ଚିହିଁକି ଉଠିଲା ।

 

ମକର ତା ଶାଶୁ ଘରେ ସୁଖରେ ଅଛି ।

 

ବାସନ୍ତୀ ସେ ପାରିକି ଚାଲିଯାଇଛି ।

 

ଯେତେ ବୁଝୋଇଲେ ବାୟା ବୁଝୁ ନାହିଁ ।

 

ସେ ଭୁଲିପାରୁ ନାହିଁ ବାସନ୍ତୀର ସରଳ ମଧୁର ମୁହଁଟିକୁ ।

 

ହଁ—ସେତ ନିଜେ ଭୁଲିପାରୁ ନାହିଁ । ଯେଉଁଠି ନିବିଡ଼ତା ଅଛି ଭୁଲିବା କଣ ଏଡ଼େ ସହଜ ? ଭୁଲିଲେ ମରଣ । ଭୁଲିଲେ ସେପାରି ।

 

ନିଛାଟିଆ ଘରଟାରେ ଦଣ୍ଡେ ବସିଲେ ଏମିତି ଭାବନା ମୁଣ୍ଡକୁ ଉକୁଣି ପରି ଚୋବାଉଛ-

 

ନନାଙ୍କୁ ବାତ ଧରିଛି ଯେ, ସେ ବେଶି ବୁଲାବୁଲି କରିପାରୁନାହାଁନ୍ତି । ତାଙ୍କ ମନ ବୁଝି ସେବା କରିବାକୁ ହେବ ।

 

ଘରେ ପଲେ ବିରାଡ଼ି । ନନାଙ୍କର ଆଦରର ପଶୁ ଗୁଡ଼ିଏ । ନନାଙ୍କ ପାଖେ ବସି ମୁଠେଲେଖାଁ ନଖାଇଲେ ତାଙ୍କ ମନ ବୁଝେ ନାହିଁ । ନନା ଯେତେବେଳେ ଖାଇବସିବେ, ବିରାଡ଼ି ଗୁଡ଼ିକ ଧାଡ଼ିହୋଇ ତାଙ୍କ ସାମନାରେ ବସିଯିବେ । ଆଗରେ ବସିବ ଚମ୍ପା । ସବୁଯାକର ମାଆ । ଏତେ ଶାନ୍ତଶିଷ୍ଟ ଯେ ନନା ଚଳୁକରି ନଖାଇବା ପର୍ଯ୍ୟନ୍ତ ଧୀର ହୋଇ ବସିଥିବେ । ତାପରେ ନନା ଖାଇବାକୁ ଦେବେ । ସମସ୍ତେ ଖାଇବେ । ଘରର ଆତଯାତ ଚଳନ୍ତି ଜୀବ ବୋଇଲେ ଏଇ ପଲକ । ବହୁତ ଦିନରୁ ରହି ଆସିଛନ୍ତି । ନନାଙ୍କର ଆଦରର । କାହାଦୁଆରକୁ ଉଠିବେ ନାହିଁ । କାହା ଘରେ ମୁହଁ ମାରିବେ ନାହିଁ । ନିଜ ଘର ବାରିଆଡ଼ୁ ଦାଣ୍ଡଦୁଆରଯାଏ ଗୁରୁଡ଼ୁ ଗୁରୁଡ଼ୁ ହୋଇ ବୁଲୁଥିବେ ।

 

ରାତିକି ଅଖାଖଣ୍ଡେ ପକେଇ ଦେଲେ ତା ଉପରେ କୋଳିଆକୋଳି ହୋଇ ଶୋଇ ପଡ଼ିବେ ।

 

ନନାଙ୍କ ସହିତ ଏ ଗୁଡ଼ାକର ଯତ୍ନ ନେବାକୁ ହେବ । ନହେଲେ ନନା ବିରକ୍ତ ହେବେ । ନକହିଲେ ମଧ୍ୟ ମୁହଁରୁ ଜଣାପଡ଼ିବ । ବିରାଡ଼ି ଗୁଡ଼ାକ ସେ ଭାରି ଭଲପାଆନ୍ତି ।

 

ମନ ଘାଣ୍ଟି ଚକଟି ହେଉଛି ।

 

ନନାଙ୍କର ଆଉ କେତେ ଦିନ !

 

ଏଇ ତ ଯିବା ଆସିବା ସଜଡ଼ା ଅସଜଡ଼ା ସଂସାର ।

 

ସବୁକଥା ଦିହରେ ମାରିଦେଲେ ହେଲା ।

 

ହାରା ମନରେ କେତେ ଭାବନା ।

 

ନିଛାଟିଆ ନିଛାଟିଆ ଜୀବନଟା ।

 

ନିଛାଟିଆରେ ବସି ମୁଣ୍ଡଭିତରେ ଏଣୁତେଣୁ ଆଜେ ବାଜେ ଭାବନା ପୂରେଇବା ଅପେକ୍ଷା ମନକୁ କାମ ଧରେଇଲେ ହେଲା ।

 

ହାରା ଆଉ ଏକୁଟିଆ ବସି ଗଲାକଥା ଭାବିବାକୁ ଭଲ ପାଉନାହିଁ । ଘର କାମ ଶେଷ ହେଲେ ଦିପହର ଘଡ଼ିରେ କନ୍ଥା ସିଲେଇ କରି ବସୁଛି । ଯେତେ ଯାହା ଚିରା ଫଟା କନାକବଟା ଅଛି ତାକୁ ସଜଡ଼ା ସଜଡ଼ି କରି କି ସୁନ୍ଦର କନ୍ଥା ସିଲେଇ କରୁଛି ସିଏ । ନିଜର କରୁଛି । ସାଇପଡ଼ିଶାରେ ଯିଏ ବରାଦ ଦେଲା ତାପାଇଁ କରି ଦେଉଛି ।

 

ଦିପହର ଘଡ଼ିଟା କନ୍ଥା ସିଲେଇରେ ବିତିଯାଉଛି ।

 

ବସିବା ଅପେକ୍ଷା କାଶିବା ଭଲ ।

 

କଣପାଇଁ ବସି ବସି ସେ ବୃଥାଭାବନା ଗୁଡ଼ାଏ ମୁଣ୍ଡରେ ପୂରେଇବ !

 

ଯିଏ ଯାଇଛି ସିଏ ଯାଇଛି ।

 

ତା କପାଳରେ ସୁଖ ନାହିଁ । ତା କପାଳ ପୋଡ଼ା କପାଳ ।

 

ସେଇ ପୁରୁଣା କଥାକୁ ଗୋଳେଇ ପୋଳେଇ ଭାବି ଭାବି ଜୀବନର କେତେ ଯେ ସମୟ ବିତିଗଲାଣି, ବୁଝିହେଉ ନାହିଁ ।

 

ତିରିଶ ବରଷ ପଛକୁ ପଡ଼ିଲାଣି ।

 

ତିରିଶିଟି ଶୀତ କାକର ସେ ଦେହରେ ଦେହରେ କଟେଇ ଦେଲାଣି ।

 

ବହିଗଲାଣି ଜୀବନରେ ତିରିଶିଟି ବସନ୍ତର ମଧୁ ଜୁଆର ।

 

ଏଇ ତିରିଶିଟି ବରଷ ଭିତରେ ରଥପୁର ଗାଁ ଦାଣ୍ଡରେ କେତେଥର ଯେ ବଂଶବତୀର ବଢ଼ିପାଣି ପଶି ବନ୍ୟାସୃଷ୍ଟି କରିଛି, ତାର ହିସାବ ନାହିଁ ।

 

ମନେ ଅଛି—

 

ବର୍ଷାଦିନେ ଯେତେବେଳେ ବଂଶବତୀର ଦୁଇକୂଳ ଜଳପ୍ଲାବିତ ହୁଏ, ସେତେବେଳେ ନଈ ସେପାରି ବ୍ରାହ୍ମଣଗଡ଼ି କି ଲାଗି ବରଡ଼ି ଗାଁ, ଆଉ ଏପାଖେ ରଥପୁର, ଦୁଇ ଗାଁ ମଝିରେ ଜଳର ଜଳଧିଟିଏ ସୃଷ୍ଟି ହୁଏ ରଥପୁର ଗାଁ ଦାଣ୍ଡରେ ବଢ଼ିପାଣୀ ଆସେ । ବଢ଼ି ପାଣିରେ ଥରେ ଥରେ ବଡ଼ ବଡ଼ ସାପ ଭାସି ଆସନ୍ତି । ଲୋକେ ଭୟ କରନ୍ତି । ବଢ଼ି କି ଡରନ୍ତି ।

 

ବଢ଼ି ହେଲେ ରଥପୁର ସବୁଆଡ଼ୁ ବିଚ୍ଛିନ୍ନ ହୋଇପଡ଼େ ।

 

ବଢ଼ି ଛାଡ଼େ ।

 

ବର୍ଷା ଯାଏ ।

 

ଶରତ ଆସେ ।

 

ଗାଁ ନାନାଜାତିର ଫୁଲ ମହକରେ ଫୁଲିଉଠେ ।

 

ଟଗର ତରାଟ ମନ୍ଦାର କନିଅର ଗଙ୍ଗଶିଉଳୀ କେତେ କଣ ।

 

ଆକାଶ ମେଘମୁକ୍ତ ନିର୍ମଳ ହୁଏ ।

 

ଗାଁ ଦାଣ୍ଡରେ ଉଲ୍ଲାସର ଲହରୀ ଦୋଳେ ।

 

ବର୍ଷ ପରେ ବର୍ଷ—

 

ଏମିତି ଏମିତି ଜୀବନର ତିରିଶିଟି ବର୍ଷ ଗଲାଣି ।

 

ୟା ଭିତରେ ତାର ଚହଲାମନ ଦୃଢ଼ ହେଲାଣି ।

 

ପଛକୁ ଅନେଇଁବା ପାଇଁ ଆଉ ମନ ହେଉନାହିଁ ।

 

ସମୟ ମିଳିଲେ ସେ ଅକାରଣ ଭାବନା ନ କରି କାମରେ ମନ ଦେଉଛି ।

 

କାମ ନ ଥିଲେ ଚାଲିଯାଉଛି ବରଡ଼ି ।

 

ସେ ଗାଁରେ ତାଙ୍କ ରଇତ ପହିଲି ପଧାନ ଘର ।

 

ପହିଲି ଭାରି ଭଲ ମଣିଷ । ।

 

ମୂଲିଆ ମୁରୁଖ ହେଲେ କଣ ହେଲା, ସଚ୍ଚୋଟ ଲୋକ ।

 

ମନ ପଙ୍କିଳ ନୁହେଁ ସରଳ ସାଧାସିଧା ମାଟିର ମଣିଷ ପହଲି ।

 

ସମୟ ହେଲେ ସେ ପହିଲିଘର ଗାଁକୁ ଯାଏ ।

 

ଗାଁ ଛାଡ଼ି ଯାଏ ବୋଲି ତାର ମନରେ ଭାବନା ନଥାଏ ।

 

ଯେତେହେଲେ ତା ବାପଘର ଗାଁ । ଡର କାହାକୁ ?

 

ସେ ବରଡ଼ି ଯାଏ ।

 

ବରଡ଼ିରେ ତାକୁ ଖୁବ୍‌ ଜଣାଶୁଣା ।

 

ବରଡ଼ି—ନିପଟ ମଫସଲ ଗାଁ । ଚାଷୀ ମୂଲିଆ ଗରିବ ଗୁରୁବାଙ୍କ ଭିଟାମାଟି । ଗାଁରେ ଅଧିକାଂଶ ରଇତ ଶ୍ରେଣୀର ଲୋକ । ନିଜର ଜମିବାଡ଼ି କମ୍‌ । ଆଖପାଖ ଗାଁମାନଙ୍କର ଜମିସବୁ ଭାଗଚାଷରେ ଧରି ମେହନତ୍‌ କରି ଚଳନ୍ତି । ସେମାନେ ମୁଣ୍ଡଝାଳ ତୁଣ୍ଡରେ ମାରି ପରିଶ୍ରମ କରି ଫସଲ ଉତାରନ୍ତି । ଜମି ମାଲିକକୁ ଅଧେ ଦିଅନ୍ତି । ଅଧେ ନିଜେ ରଖନ୍ତି । ସେଇଥିରେ ବର୍ଷକ ଚଳନ୍ତି । ଅଭାବ ପଡ଼ିଲେ ଅଭାବ ବୋଲି ଭାବନ୍ତି ନାହିଁ । ଗୁଜୁରାଣ ମେଣ୍ଟାଇ ନିଅନ୍ତି ।

ପାହାଡ଼ ତଳି ଗାଁ ବରଡ଼ି ।

ଡାକେ ବାଟରେ ଶୋଲରୀ ।

ଗାଁ ଚାରିପାଖେ ତେନ୍ତୁଳି ଆଉ କଇଁଥ ତୋଟା ।

ଗାଁ ମୁଣ୍ଡେ ଗାଡ଼ିଆ ।

ଗାଡ଼ିଆରେ ବର୍ଷସାରା ପାଣିରୁହେ ।

ଖରାଦିନେ ଜଳାଭାବ ପଡ଼େ ନାହିଁ ।

ଗାଁଟିରେ ଆତଯାତ ହୁଅନ୍ତି ସରଳ ମୁକ୍ତପ୍ରାଣ ନିରାଡ଼ମ୍ୱର ମଣିଷ ଗୁଡ଼ିଏ—ପ୍ରକୃତିର ସନ୍ତାନ—ଅମୃତର ସନ୍ତାନ ।

ସେଇ ମାଟି-ମଣିଷର ଗାଁଟି ବରଡ଼ି, ତାର ଅତି ପରିଚିତ ।

ସେ ଗାଁକୁ ବୁଲିଯିବାକୁ ତାକୁ ଭଲଲାଗେ ।

ରଥପୁର ଆଉ ବରଡ଼ି—ମଝିରେ ବଂଶବତୀ ନଈ । ଅଧଘଣ୍ଟାକର ହିଡ଼ଚଲା ରାସ୍ତା ।

ବରଡ଼ି ମହାନ୍ତି ଘର ଥିଲାବାଲା । ଗାଁର ମହଜନ । ତିନିପୁରୁଷରୁ ତାଙ୍କର ନାଁ ଅଛି । ପଦର ପଡ଼ିଆ ପଙ୍କାଳ ମିଶି ଜମି ଚାରି ପାଞ୍ଚ ବାଟିରୁ ଊଣା ନୁହେଁ । ମଫସଲିଆ ମେରଦାଘର ଦାଣ୍ଡିଏ ଗାଁ ମୁଣ୍ଡକୁ । ହଳିଆ ମୂଲିଆ ହୋଇ ଦଶ ବାର । ହଳ ଲଙ୍ଗଳ ଦି ଦି ସାଜ । ବଳଦ ଚାରିହଳ । ଗାଈ, ଗୁହାଳରେ ଗୁହାଳେ । ଶଗଡ଼ ଦୁଇଟା । ଗୋଟେ ଖତ ବୁହାଠୁ ଆରମ୍ଭ କରି କଳେଇ ବୁହା ପର୍ଯ୍ୟନ୍ତ ବିଲବାଡ଼ି କାମରେ ଲାଗେ । ଆଉ ଗୋଟାକରେ ମାହାନ୍ତିଏ କୁଆଡ଼େ କିମିତି ଗାଁ ବାହାରକୁ ଗଲେ ଯାଆନ୍ତି ।

ଯେଉଁ ଶଗଡ଼ରେ ମାହାନ୍ତିଏ ଯାଆନ୍ତି, ସେ ଶଗଡ଼ରେ ଯୋଖା ହୁଅନ୍ତି ଧୋବ ଫର ଫର ଛାତିଏ ଉଚ୍ଚାର ବଳଦ ହଳକ । ବେକରେ ଘଣ୍ଟି ଘାଗୁଡ଼ି । ଚିକଣିଆ ଦେହ । ଦେଖିଲେ ମନ ଲାଖିରହିବ । ମାହାନ୍ତିଘର ଶଗଡ଼ଚାଲିଛି ବୋଇଲେ କୋଶେ ବାଟରୁ ବଳଦର ଘଣ୍ଟି ଶବ୍ଦ ଶୁଭିବ । ମାହାନ୍ତିଏ ସେ ଗାଆଁର ମୁଖିଆ, ମହାଜନ, ମାମଲତକାର ।

ଗାଁ ମଝିରେ କୋଠାଘର । ସେଇଠି ଭାଗବତ ପୀଠ । ନିୟମିତ ଭାଗବତ ପଢ଼ାହୁଏ ।

ଗାଁକୁ ଟିକିଏ ଛାଡ଼ି, ଉତ୍ତର ସାଇର ବାରି ପଟକୁ ଲାଗି ମୁଣ୍ଡିଆ । ମୁଣ୍ଡିଆ ଉପରେ ଠାକୁରାଣୀଙ୍କ ଦେଉଳ । ବରଡ଼ିର ଅଧିଷ୍ଠାତ୍ରୀ ଦେବୀ । ଦିନ ବେଳା ରଥପୁରରୁ ଯାଇ ମାଳିଯାଇ ଠାକୁରାଣୀଙ୍କ ପାଖେ ଭୋଗ ବସେଇ ଆସେ । ସଞ୍ଜବେଳେ ଗାଁ ମାଇପେ ସଞ୍ଜ ବସାନ୍ତି । ବରଡ଼ିର ହାରିଗୁହାରି ବିପଦ ଆପଦ ବାଡ଼ି ବସନ୍ତର ସାହା ଭରସା ଠାକୁରାଣୀ ।

କେଡ଼େ ସୁନ୍ଦର ପ୍ରାଣପୂରନ୍ତା ଗାଁଟିଏ ବରଡ଼ି ।

ତାର ଚିହ୍ନା ଜଣା ।

ବରଡ଼ିକି ଯିବାକୁ ତାକୁ ଭଲଲାଗେ ।

ଦଣ୍ଡେ ଘଡ଼ିଏ ମାହାନ୍ତିଘରେ ମାହାନ୍ତିଆଣୀଙ୍କ ସହିତ ଗପ କରି ଆସିଲେ ମୁଣ୍ଡରୁ କେତେ ଚିନ୍ତାର ବୋଝ ଓହ୍ଲାଏ ।

ବରଡ଼ିରେ ସମସ୍ତେ ତାକୁ ‘ନାନୀ’ ବୋଲି ଡାକନ୍ତି । ଗାଁରେ ସେ ସମସ୍ତଙ୍କର ନାନୀ । ପିଲାଏ ଡାକନ୍ତି ନାନୀ, ଭେଣ୍ଡାଏ ଡାକନ୍ତି ନାନୀ, ବୁଢ଼ାଏ ଡାକନ୍ତି ନାନୀ । ଭୁଆସୁଣୀଏ ଡାକନ୍ତି ନାନୀ, କୁଳବୋହୂମାନେ ମଧ୍ୟ ଡାକନ୍ତି ନାନୀ ।

ନାନୀର ସେ ଗାଁରେ ଭାରି ଆଦର ।

ନାନୀକି ଆଦର କରିବାର କାରଣ ଅନେକ ।

ନାନୀ ଲୁଣମନ୍ତୁରା, ପେଟଝଡ଼ା, ଅଇଣ୍ଡିଆ ଔଷଧ, ଡଉଁରିଆ ଦିଆ ଶିଖିଛି । ମଫସଲ ଗାଁମାନଙ୍କରେ ଏ ସବୁର କାଟ୍‌ତି ବେଶି ।

କାହାର ତରଳ ଝାଡ଼ା ହେଲା ତ ଲୁଣଟିକିଏ ତା ହାତରେ ଛୁଆଁଇଦେଇ ନାନୀ ପାଖରେ ପହଞ୍ଚେଇ ଦେଲେ ନାନୀ ଲୁଣକୁ ମନ୍ତୁରିଦେଇ ପଠେଇଦେବ । ମନ୍ତୁରା ଲୁଣକୁ ଟିକେ ଚୁଲିରେ ପକେଇ ବାକିତକ ଖାଇଦେଲେ ଦୃଷ୍ଟି ଝାଡ଼ା ତତ୍‌କ୍ଷଣାତ୍‌ ବନ୍ଦ । ସେମିତି ପେଟଝଡ଼ା, ପେଟମରା । ନାନୀ ପେଟ ଝାଡ଼ି ଦେବ ଯେ ପେଟମରା ସଙ୍ଗେ ସଙ୍ଗେ ଭଲ ।

ହେଇ—ସେ କୁସୁନିଆର ସାନ ପୁଅଟାକୁ ଅଇଣ୍ଡିଆ ହୋଇଥିଲା ଯେ ପେଟଟିଏ ଆଉ ମୁଣ୍ଡଟିଏ ହୋଇ ଦେହରୁ ହାଡ଼ ଗଣି ହୋଇଯାଉଥିଲା । ଚାହିଁଲେ ଦିହରେ ହାଡ଼ଦିଖଣ୍ଡ, ତା ଉପରେ ମୁଣ୍ଡଟା ଖୋସା ହେଲା ପରି ଜଣା ପଡ଼ୁଥିଲା । ଏଣେ ପୁଅକୁ ସାତମାସ ବେଳକୁ କୁସୁନିଆ ଭାରିଯା ଜେମାର ପେଟରେ ଦୁଇମାସ । ପିଲାଟାକୁ ଚବିଶଘଣ୍ଟା କ୍ଷୀର ଖାଇବାକୁ ଦେଲା ସ୍ତନରୁ । ଅଇଣ୍ଡିଆ ନ ହୋଇଯିବ କୁଆଡ଼େ । ସମସ୍ତେ ଆଶା ଛାଡ଼ି ଦେଇଥିଲେ । କେତେ ଆଡ଼ୁ କେତେ ଜଡ଼ିବୁଟି ଓଷଦ ମୋଷଧି କରି କିଛି ଫଳ ହେବ ନାହିଁ । ଶେଷରେ ଚାରଣା ପଇସା, ଗୋଟେ ପଇଡ଼ ପୁଅହାତରେ ଛୁଆଁଇ କୁସୁନିଆ ଯାଇ ନାନୀକି ଦେଇ ଆସିଲା । ନାନୀ ତା ଆରଦିନ ସକାଳୁ ଡେଉଁରିଆଟିଏ କରି ଦେଇ ଆସିଲା । ଡେଉଁରିଆ ପିନ୍ଧିବା ଦିନଠୁ ପିଲଟା ଭଲ ହେଲା ।

ନାନୀର ଅଇଣ୍ଡିଆ ଔଷଧ ଅମୋଘ ଅସ୍ତ୍ରପରି କାମ କରେ । ପିଲାଙ୍କର ଏଇ ଘୋରା ଫୁଙ୍କା ମନ୍ତୁରାମନ୍ତୁରି ପାଇଁ ବରଡ଼ିରେ ନାନୀର ଖୁବ୍‌ ଆଦର ।

ତହିଁକି ପୁଣି ପଧାନଘର ତାଙ୍କର ରଇତ । ବରଡ଼ି ଗାଁରେ ତାଙ୍କର ଯେତେକ ଜମି ଅଛି ସବୁ ପହିଲି ପଧାନ ଭାଗଚାଷ ଧରିଛି । ପହିଲି ଜମି ଧରିଛି ବୋଲି ବର୍ଷକୁ ଚଳିବାପରି ଜାଳେଣୀ କାଠ ଯୋଗାଇବ । ଘର ଛପରକୁ ନଡ଼ା ଦେବ । ନିଜେ ଆସି ଘର ଛପର କରିଯିବ । ତା ଛଡ଼ା ଭିଡ଼ଭାଡ଼ କାମ ପଡ଼ିଲେ ଯାଇ କାମ ତୁଲେଇ ଆସିବ ।

ଏ ସବୁ ସୂତ୍ରରେ ବରଡ଼ି ପ୍ରତି ହାରାର ମମତା ଏକା ହାରାର ଏକତରଫା ମମତା ନୁହେଁ, ବରଡ଼ିର ମଧ୍ୟ ତା ପ୍ରତି ଅଗାଧ ମମତା ।

ଘରେ ବସି ଦିପହର ବେଳାଟାରେ ସାଇ ମାଈପିଙ୍କ ଚୁଗୁଲିଚମ୍ପଟ ଶୁଣିବା ଅପେକ୍ଷା ଏଇ ଛୋଟ ଗାଁଟିକୁ ବୁଲି ଚାଲିଗଲେ ତାକୁ ଆନନ୍ଦ ମିଳେ । ସେ ଚାଲିଯାଏ ।

ଛୋଟ ମୁଣ୍ଡିଆଟିର ପାଦଦେଶରେ ଅବସ୍ଥିତ ମମତା ମଧୁର ଏଇ ପଲ୍ଲୀଟିରେ ନାନୀକି ସମସ୍ତେ ଚିହ୍ନନ୍ତି । ଭକ୍ତି କରନ୍ତି । ଏ ଗାଁର ଝିଅ ବୋହୂ ଭେଣ୍ଡା ଭୁଆସୁଣୀ ସମସ୍ତଙ୍କ ସହିତ ସେ ମିଶିପାରେ । ସମସ୍ତଙ୍କ ସହିତ ସେ ଆଳାପ କରେ । ସମସ୍ତଙ୍କ ପାଇଁ ସେ ଉପକାର କରେ ।

ସମୟ ପାଇଲେ ଏ ଗାଁର ମମତା-ବିଧୂର ଡାକ ତା ପାଦକୁ ଟାଣିନିଏ । ସେ ଚାଲିଯାଏ-

ମହାନ୍ତିଙ୍କ ସ୍ତ୍ରୀ ପଦ୍ମାବତୀ ତାର ଖୁବ୍‌ ସାଙ୍ଗ । ତାଙ୍କ ସହିତ ଦଣ୍ଡେ ବସି ଗପ କଲେ ମନରୁ କେତେ ଯୁଗର ଅଛିଣ୍ଡା କଥାସବୁ କୁଆଡ଼େ ଉଭେଇଯାଏ । ମହାନ୍ତିଆଣୀ ଶ୍ରୀମନ୍ତୀ । ଲକ୍ଷ୍ମୀବନ୍ତୀ । ଘରେ ହଳିଆ ମୂଲିଆ ହୋଇ ଦଳେ ଅଛନ୍ତି । ବାହାର କାମ ସେମାନେ ତୁଲାନ୍ତି ।

ମାହାନ୍ତିଏ ସକାଳୁ ଉଠିଲେ ଦାନ୍ତପତ୍ର ଘଷି ବିଲଆଡ଼େ ଘେରାଟେ ବୁଲି ଆସନ୍ତି । ତାପରେ ଦାଣ୍ଡ ପିଣ୍ଡାରେ ଚଉକୀ ଖଣ୍ଡେ ପକେଇ ପହରେ ବସନ୍ତି । ଚୁଡ଼ାଭଜା ନୋହିଲେ ମୁଢ଼ି ଚାଙ୍ଗୁଡ଼ିଏ ଧରି ମୁଠେ ମୁଠେ ପାଟିରେ ପକେଇ ପକେଇ ସେ ତାଙ୍କ ପାଖରେ ବସିଥିବା ଲୋକମାନଙ୍କ ସହିତ କେତେଆଡ଼ୁ କେତେ କଥା ହୁଅନ୍ତି । ହଳିଆ ମୁଲିଆ ପହଞ୍ଚିଗଲେ ତାଙ୍କୁସବୁ ଜମିବାଡ଼ି ବିଷୟରେ ଦିଚାରିକଥା ଉପଦେଶ ଦିଅନ୍ତି । ପାଖଆଖ ଗାଁରୁ ଅଭାବୀ ଲୋକ ଧାରଉଧାର ପାଇଁ ଆସିଥିଲେ ତାଙ୍କ ଦୁଃଖ ବୁଝି ତାଙ୍କୁ ସାହାଯ୍ୟ କରନ୍ତି ।

ଏତକ ହେଉ ହେଉ ପହରେ ବେଳ । ତା’ପରେ ସେ ଯାଆନ୍ତି ଗାଁମୁଣ୍ଡ ଗାଡ଼ିଆକୁ ଗାଧୋଇ । ଗାଧୋଇସାରି ସିଧା ଆସିପଶନ୍ତି ଭାଗବତ ଘରେ । ସେଇଠି ଚିତାତିଲ କରି ମାଳା ଗଡ଼ୋଉ ଗଡ଼ୋଉ ଦିପହର । ତା’ପରେ ସିଧା ଚାଲନ୍ତି ଭୋଜନକୁ ।

ପଦ୍ମାବତୀଙ୍କର ତ ବିଶେଷ କାମ ନଥାଏ । ଖାଲି ଗଣ୍ଡେ ରୋଷେଇ କରିଦେଲେ ହେଲେ । ବାସନମଜା, ଘରଓଳିଆ, ପାଣିଅଣା, ଚାଉଳବଛା, ପରିବାକଟା ଓ ଏମିତି ଆଉସବୁ କାମକୁ ଅନ୍ୟଲୋକ ଅଛନ୍ତି । ଭଲକରି ମୁଠେ ରୋଷେଇ କରି ମହାନ୍ତିଙ୍କୁ ଖାଇବାକୁ ଦେଲେ ତାଙ୍କର ତୃପ୍ତି । ମହାନ୍ତିଏ ଖାଇସାରିଲେ ଯାଇ ସିଏ ଖାଆନ୍ତି । ତା’ପରେ ଦିପହରେ ବିଶ୍ରାମ ।

ପିଲା ଜଞ୍ଜାଳ ତ ନାହିଁ ।

ଭଗବାନ କେମିତି କେଜାଣି ! କାହାରିକୁ ସବୁ ସୁଖ ଏକାଧାରାରେ ଦେବେ ନାହିଁ । କେଉଁଠି ହେଲେ ଟିକିଏ କେଁ ରଖି ଦେଇଥିବେ । ଦେଇ ଦେଲେ ସୃଷ୍ଟିର ନିୟମରେ ବ୍ୟତିକ୍ରମ ହୋଇଯିବ ଯେମିତି । ଯେଉଁଠି ପୂରା ଦେଇଛନ୍ତି ବୋଲି ବାହାରକୁ ଜଣାଯାଏ ସେଇଠି କେମିତି ହେଲେ ଟିକିଏ ଊଣା କରି ଦେଇଥିବେ । ଏଇ ଅସମାନିଆ, ଅପୂରନ୍ତା କରି ଦିଅନ୍ତି ବୋଲି ମନଟା ତାଙ୍କ ପଛରେ ଧାଏଁ । ତାଙ୍କରି ଦୟା, ଅନୁକମ୍ପା, କୃପା କଣିକାଏ ପାଇଁ ମଣିଷ ପୂଜା ପ୍ରାର୍ଥନା କରେ-। ଦାନଧ୍ୟାନ କରେ, ମୁଣ୍ଡିଆ ମାରେ, ମାଳିଗଡ଼ାଏ, ଜପକରେ, ଫୁଲଚନ୍ଦନ ଧୂପ ଦୀନ ନୈବେଦ୍ୟ ଦିଏ ।

ସତରେ ତାଙ୍କର ସୃଷ୍ଟି ବିଚିତ୍ର । ସେ ଗହନ ବୈଚିତ୍ର୍ୟରେ ମୁଣ୍ଡ ଖେଳେଇ ଥଳକୂଳ ପାଇବା ଦୁଃସାଧ୍ୟ । ଏଇ ଦୁଃସାଧ୍ୟ ବ୍ୟାପାରକୁ ଭେଦକରି ତାଙ୍କରି ଦୁର୍ଲଭ ସତ୍ତା ଉପଲବ୍‌ଧି ପାଇଁ ଭଜନ, କୀର୍ତ୍ତନ, ମନନ, ଚିନ୍ତନ, ଧ୍ୟାନ, ଧାରଣା, ତପସ୍ୟା, ଯାଗ ଯୋଗର ଉତ୍ପତ୍ତି । ଇଚ୍ଛାମତେ ମଣିଷ ସବୁକିଛି ପାଉଥିଲେ ଈଶ୍ୱର ସତ୍ତା ସେ ଉପଲବ୍‌ଧି କରନ୍ତା ନାହିଁ । ଯଦି ସେ ଯାହା ଚାହାଁନ୍ତା ତାହା ପାଆନ୍ତା, କାହିଁକି ଆଉ ସେ ସେଇ ଅଚିନ୍ତ୍ୟ, ଅନାଦି ପୁରୁଷଙ୍କ ପାଦଯୁଗଳରେ ମନୋନିବେଶ କରନ୍ତା । ସେ ନିଜେ ହିଁ ହୁଅନ୍ତା ଇଚ୍ଛାମୟ । ଇଚ୍ଛାମୟ ତା ନିକଟରେ ପ୍ରହେଳିକା ବା ମିଥ୍ୟାର କ୍ରୀଡ଼ନକ ହୋଉଇଠନ୍ତେ । ମାତ୍ର ମଣିଷ ଇଚ୍ଛାମୟ ନୁହେଁ । ତେଣୁ ସେ ଇଚ୍ଛାମୟଙ୍କର ଅସ୍ତିତ୍ୱ ସ୍ୱୀକାର କରେ, ତାଙ୍କୁ ଭକ୍ତିକରେ, ଭୟକରେ ।

 

ସେଇ ହେତୁ ମଣିଷ ଈଶ୍ୱରଙ୍କ ପାଖରେ ଭିକାରୀ । ସେ ସୃଷ୍ଟିକର୍ତ୍ତାଙ୍କ ଦୟା ଅନୁକମ୍ପାର ଜୀବ । ସେ ଯେତିକି ଦେବେ, ସେ ସେତିକି ଭୁଞ୍ଜିବ । ଧାନେ ଏପାଖ ସେପାଖ ହେବା ସହଜ ନୁହେଁ ।

 

ରାଧାମାଧବ ମାହାନ୍ତିଙ୍କୁ ଈଶ୍ୱର ସବୁଥିରେ ପୂର୍ଣ୍ଣ କରିଛନ୍ତି । ଜମିବାଡ଼ି, ଗାଈଗୋରୁ, ଘରଡ଼ିହ, ବାଡ଼ି ବଗାଏତ, ଧନସମ୍ପତ୍ତି ସବୁ ଅଛି, ତା ସାଙ୍ଗକୁ ସୁଲକ୍ଷଣୀ ସ୍ତ୍ରୀ ପଦ୍ମାବତୀ । କିନ୍ତୁ ଗୋଟିଏ କଥାରେ ତାଙ୍କର ମନ ପକାଇଲା । ପନ୍ଦରଷୋଳ ବର୍ଷ ହେଲା ସେ ସଂସାର କଲେଣି । ପଦ୍ମାବତୀଙ୍କ କୋଳକୁ ଛୁଆ ବକଟେ ଭଗବାନ ଦେଇନାହାଁନ୍ତି । ସେଇଥିପାଇଁ ତାଙ୍କ ମନଟା ସବୁବେଳେ ଛଟପଟ ହୁଏ ।

 

ଆଳା ଆମଦାନୀ ଅଛି । ହଳିଆ ମୂଲିଆର ଅଭାବ ନାହିଁ । ଗାଈ ଗୁହାଳରେ ଗୁହାଳେ । କ୍ଷୀର, ଘିଅ, ଦହି, ଲହୁଣୀ ଢେର ହୁଏ । ବାଡ଼ି ବଗିଚାରୁ ଫଳମୂଳ ଶାକସବଜି ପ୍ରଚୁର ଆସେ । ଖାଆନ୍ତି । ଲୋକଙ୍କୁ ବାଣ୍ଟନ୍ତି । ବାଡ଼ିଆଡ଼େ ପୋଖରୀ । ପୋଖରୀରେ ରୋହି ଭାକୁର ଖୁନ୍ଦାଖୁନ୍ଦି । କୋଉ କଥାରେ ଅଭାବ ନାହିଁ । କିନ୍ତୁ ଖାଇବାକୁ ଦୁଇପ୍ରାଣୀ, ସେ ଓ ପଦ୍ମାବତୀ ।

 

ପିଲାଟିଏର ଅଭାବରେ ସ୍ତ୍ରୀପୁରୁଷ ଦୁହିଁଙ୍କ ମନ ସବୁବେଳେ ବିକଳହୁଏ । ଦେଖୁ ଦେଖୁ ଷୋଳବର୍ଷ ବିତିଗଲାଣି । ଦିଅଁ ଦେବତା ଦାନଧର୍ମ କଲେଣି । ଔଷଧ ମଧ୍ୟ ଖାଇଛନ୍ତି । କେଉଁଥିରେ କିଛିନାହିଁ । ଆଉ କଣ କପାଳରେ ଅଛି ଯେ ପାଇବେ ! ବୟସ ଖସିଆସୁଛି । ଆଉ ସେ ଆଶା ନାହିଁ ।

 

ପଦ୍ମାବତୀଙ୍କ ମନଟା ଆଉ କାହାର ପିଲାଛୁଆ ଦେଖିଲେ ଲାଳେଇ ପାଳେଇ ହୁଏ । ହଲିଆ ମୂଲିଆଙ୍କ ପିଲାଛୁଆ ତାଙ୍କ ଘରକୁ ନିତି ଆସନ୍ତି । ସେମାନଙ୍କୁ ସେ ଗେଲକରନ୍ତି । ଚୁଡ଼ାମୁଢ଼ି, ଉଖୁଡ଼ା, ଆମ୍ୱଦିନେ ଆମ୍ୱ, ପଣସ ଦିନେ ପାଚିଲାପଣସ ଖାଇବାକୁ ଦିଅନ୍ତି । ଖାଇବା ଆଶା ଥିବାରୁ ପିଲାଗୁଡ଼ାକ ତାଙ୍କ ପାଖରେ ଗୋଳେଇ ପୋଳେଇ ହୁଅନ୍ତି । ପିଲାମାନଙ୍କ ଗହଳି ହେଲେ ସେ ଆନନ୍ଦ ପାଆନ୍ତି ।

 

ମାତ୍ର ତାଙ୍କ ହୃଦୟରେ ଅଜଣା କୋଣରେ ନିଜ ସନ୍ତାନ ପାଇଁ ଯେଉଁ ବାତ୍ସଲ୍ୟ ମମତା ଟିକକ ଅଛି, ତାର ସ୍ଥାନ କେହି ପୂର୍ଣ୍ଣ କରିପାରନ୍ତି ନାହିଁ । ମନରେ ତାଙ୍କର ସେଇ ଟିକକ ଅଭିମାନ ।

 

ଯେତେ ହେଲେ ସେ ମାହାନ୍ତି ଘରର ବୋହୂ । ଏଇ ପିଲାମାନେ ତାଙ୍କର ନିଜର ତ ନୁହଁନ୍ତି । ହଳିଆ ମୂଲିଆଙ୍କ ପିଲାଛୁଆ । ତାଙ୍କୁ ସେ ନିଜ ସନ୍ତାନର ସ୍ଥାନ ଦେବେ କେମିତି ! ବ୍ୟବଧାନ ରହିବ ହିଁ ରହିବ ।

 

ବେଳେ ବେଳେ ଭାବନ୍ତି; ମାତ୍ର କେବେ ହେଲେ ବ୍ୟକ୍ତ କରନ୍ତିନାହିଁ ।

 

ନିଜସନ୍ତାନ ଓ ପରସନ୍ତାନ ଭିତରେ ବାହ୍ୟ ସ୍ତରରେ ବ୍ୟବଧାନ ରହିଲେ ମଧ୍ୟ ମନ ଗହନରେ ବାତ୍ସଲ୍ୟ ମମତାର ଯେଉଁ ଉଜାଣି ଉଠେ, ସେଠି ଆଉ ହଳିଆ ମୂଲିଆ, ଚାକର ଚାକରାଣୀର ଭେଦାଭେଦ ରହେନାହିଁ । ହୃଦୟ ରାଜ୍ୟରେ ସବୁରିଙ୍କ ପାଇଁ ମମତା ଏକାପରି । ସେଠି ଧନୀଦରିଦ୍ର, ରାଜାପ୍ରଜା, ସାଉକାର ଖାତକର ପାର୍ଥକ୍ୟ ନାହିଁ । ସ୍ନେହ ମମତା, ବାତ୍ସଲ୍ୟରସ ସବୁରି ହୃଦୟରେ ସମାନ ।

 

ସେ ହଳିଆ ମୁଲିଆଙ୍କ ପିଲାଙ୍କୁ ଗେଲ କରନ୍ତି । କୋଳାନ୍ତି । ଆଦର ଆଗ୍ରହ ଦିଅନ୍ତି । ନିଜର କଲାପରି କରନ୍ତି । ମାତ୍ର ଭାବନ୍ତି, ଭଗବାନ ନଦେଲେ ତ ନାହିଁ । ନିଜ ଭଉଣୀର ପୁଅଝିଅ ହୋଇ ଛଅଟି । ସେଥିରୁ ଜଣକୁ ନେଇ ଆସିଲେ କଣ କୁଳ ରହିବନି ! ଏବେ ତ ସେ ମରିହଜି ଯାଉନାହାଁନ୍ତି । ଯାଉ ଆଉ କେତେ ବରଷ । ପିଲାଛୁଆ ଜଞ୍ଜାଳରୁ ମୁକ୍ତି ମିଳିଛି । କିଛି ନ ହେଲେ ଭଗବାନଙ୍କୁ ଧୀରସ୍ଥିର ଚିତ୍ତରେ ଘଡ଼ିଟିଏ ବସି ଦୁଃଖ ଜଣେଇବାକୁ ତ ସମୟ ମିଳୁଛି ।

 

ପଦ୍ମାବତୀଙ୍କର ପିଲାଛୁଆ ଜଞ୍ଜାଳ ନାହିଁ । ସ୍ୱାମୀଙ୍କ ପାଇଁ ଭଲକରି ନାନା ପ୍ରକାରର ରୋଷେଇ କରିଦେଲେ କାମ ସରିଲା ।

 

ନାନୀ ଆସନ୍ତି । ତାଙ୍କ ସହିତ ବସି ନାନୀଆଡ଼ୁ ନାନା କଥା ପକେଇ, ପୁରାଣଶାସ୍ତ୍ରର କାହାଣୀ ଆଲୋଚନା କରି ସମୟ କଟେଇବାକୁ ଭଲଲାଗେ ।

 

ଭଗବାନ ତ ଆଉ କେଉଁଥିରେ ଅଭାବ କରିନାହାଁନ୍ତି ! ହାରା ଯାଏ । ପଦ୍ମାବତୀଙ୍କ ପାଖେ ବସି ପୁରାଣଶାସ୍ତ୍ରରୁ କାହାଣୀ କହେ । ବେଳେ ବେଳେ ଦୁହେଁ ନିଜ ନିଜର ଦୁଃଖ ସୁଖ ହୁଅନ୍ତି । ଆନନ୍ଦ ପାଆନ୍ତି ।

 

ଯେତେବେଳେ ସମୟ ସୁବିଧା ମିଳେ, ହାରା ଚାଲିଯାଏ ବରଡ଼ି ।

 

ବରଡ଼ିରୁ ଫେରିବାବେଳେ ସେ କେବେହେଲେ ଖାଲି ହାତରେ ଫେରେ ନାହିଁ । ଯାହା ବାଡ଼ିରେ ଯାହା ଫଳିଥିବ, ଶାଗଟିଏ ହେଉ, ମୁଗଟିଏ ହେଉ, ସେ ବାନ୍ଧି ଦେଇଥିବ ତା କାନିରେ । ପଣସ ଦିନେ ପଣସ, ଆମ୍ୱ ବେଳେ ଆମ୍ୱ, ତେନ୍ତୁଳି ଦିନେ ତେନ୍ତୁଳି, କଇଠ ଦିନେ କଇଠ, ପନିପରିବା ଦିନେ ପନିପରିବା ।

 

ହାରା ନାହିଁ ନାହିଁ କରୁଥିଲେ ମଧ୍ୟ ଦୁଇ ତିନି ମାଈପି ଆସି ବଂଶବତୀ ପାରକରି ଦେଇଯିବେ । ତାଙ୍କର ଜବରଦସ୍ତି । ଗପକରି କରି ଆସିବେ, ସୁଖ ଦୁଃଖ ହେବେ ।

 

ସେମାନଙ୍କ ସରଳ ପ୍ରାଣରେ ଅନାବିଳ ମମତାର ବନ୍ଧନ ଥାଏ । ହାରା ବାନ୍ଧି ହୋଇଯାଏ । ବଂଶବତୀ କୁଳରେ ଠିଆହୋଇ ଘଡ଼ିଏ ଗପ କରିବେ । ତା ପରେ ଫେରିବେ ।

 

ସେ କୂଳରୁ ମାଈପିଏ ହିଡ଼େ ହିଡ଼େ ଫେରି ଯାଆନ୍ତି ଗାଁକୁ ।

 

ସେ ଏ କୂଳ ପାର ହୋଇ ଆସେ ।

 

ବାଡ଼ି ଗାଡ଼ିଆ ମୁଣ୍ଡେ ପଦ୍ମାବତୀ ତା ବାଟକୁ ଚାହିଁ ରହନ୍ତି ।

 

ଏ କୂଳ ଗହୀର ମାଳରେ ସେ ଆସ୍ତେ ଆସ୍ତେ ଅଦୃଶ୍ୟ ହୁଏ ।

 

ସେ ଏଣିକି ଏଣିକି ବେଶି ବେଶି ବରଡ଼ି ଯାଏ । ଦିନେ ଯାଇ ବୁଲି ନ ଆସିଲେ ମନଟା ପିତା ପିତା ଲାଗେ ।

 

ସେ ସେ ଗାଁରୁ ଶାଗମୁଗ ପନି ପରିବା ପାଇବା ଆଶାରେ ଯାଏ ନାହିଁ, ଯାଏ ନାହିଁ ଧାନ ଚାଉଳ ବିରି ମୁଗ ଆଣିବା ବାହାନାରେ ।

 

ସେ ଯାଏ କେବଳ ସେ ଗାଁର ଲୋକମାନଙ୍କ ସହିତ ନିଜକୁ ମିଶେଇ ଦେବାକୁ । ସେମାନଙ୍କ ଅଯାଚିତ ଆଦର ଆଗ୍ରହ ମାୟା ମମତାରେ ନିଜକୁ ଡୁବେଇ ଦେବାକୁ ।

 

ସତରେ ସେମାନେ କେତେ ସରଳ ! କେତେ ନିରୀହ ନିଷ୍କପଟ ! କାହାପାଇଁ ଟିକିଏ ଲୁଣ ମନ୍ତୁରି ଦେଲେ, କାହା ପିଲାପାଇଁ ଡଉଁରିଆଟିଏ କରିଦେଲେ ସେମାନେ କେତେ କୃତକୃତ୍ୟ ନ ହୁଅନ୍ତି !

 

ମୁଣ୍ଡରେ ମୁଣ୍ଡାନ୍ତି ସେମାନେ । ଭକ୍ତିରେ ଓଳଗି ହୋଇ ପାଦଧୂଳି ମୁଣ୍ଡରେ ମାରନ୍ତି ସେମାନେ ।

 

ଗାଁରେ ପହଞ୍ଚିଗଲେ ପିମ୍ପୁଡ଼ିପରି ବେଡ଼ିଯିବେ ମାଈପିଏ । କେତେ ଦୁଃଖ ସୁଖ, ମନଖୋଲା ଆଳାପ ଆଲୋଚନା, ହସ କଉତୁ । ନ ହେଲେ ନ ଛାଡ଼ନ୍ତି ସେମାନେ ।

 

ଆଉ ସେଇ ଯେଉଁ ଉତୁପାତିଆ ମହାଙ୍କୁଡ଼ ଟୋକାଟା ନାଁ—ନ କହ ତା କଥା । ତା ପାଖରେ ସେ ତା ମନ ଖୋଲି ନ ଦେଲା ଯାଏଁ ନଛାଡ଼େ । ମାହାଙ୍କୁଡ଼—ବରଡ଼ି ଗାଁର ଗାଈଆଳ ପିଲା ।

 

ଦକ୍ଷିଣରୁ ମାହାନ୍ତିଏ ତାକୁ ପାଞ୍ଚବର୍ଷ ହେଲା ଆଣିଛନ୍ତି ଗାଈ ଜଗିବାକୁ । ଆଗ ଆଗ ମହାନ୍ତିଙ୍କ ଗାଈ ଗୋଠକୁ ନେଉଥିଲା । ଏବେ ଏବେ ଗାଁର ସେ ଗାଈଆଳ । ସବୁରିଙ୍କ ଗାଈ ଗୋଠକୁ ନିଏ ।

 

ବୟସ କୋଡ଼ିଏ । ମୁଣ୍ଡରେ ମାଈପିଙ୍କ ଲେଖେଁ ବାଳ । କାନମୁଣ୍ଡା ଉପରକୁ ଦିଆଙ୍ଗୁଳି ଓସାରରେ ଗୋଲେଇ କରି ବାଳଯାକ ଚଞ୍ଚା । ବାକି ଖପୁରି ଉପରେ ହାତେ ଲମ୍ୱର ବାଳ । ତାକୁ ସିଏ ଟାଣକରି ଗଣ୍ଠିଟିଏ ପକାଏ । କାନରେ ଦି ହଳ ନୋଳି । ଖଣ୍ଡେ ଗାମୁଛା ପିନ୍ଧେ । ଆଉଖଣ୍ଡେ ଠେକାଭିଡ଼େ । ହାତକେ ଠେଙ୍ଗା । ଆଉ ହାତକେ ତାଳପତ୍ର ଛତା ।

 

ମଇଳା, ଅସନା, କଳା ମଚ ମଚ ମାହାଙ୍କୁଡ଼ ।

 

ବୟସ ଆସି କୋଡ଼ିଏ ହେଲାଣି । ପନ୍ଦର ବର୍ଷ ଦିନେ ଏ ଗାଁକୁ ଆସିଥିଲା ।

 

ବରଷେ ଦିବରଷରେ ଥରେ ଲେଖାଁ ଗାଁକୁ ଯାଏ । ଗାଁରେ ତାର ବୁଢ଼ୀମା ଆଉ ବାପା । ତା ଗାଁ ପ୍ରତି ତାର ବିଶେଷ ମାୟା ନାହିଁ ।

 

ଏ ଗାଁରେ ସେ ବେଶ୍‌ ଚଳିଗଲାଣି । ଏ ଗାଁର ପାଣି ପବନ ତା ଦେହରେ ଚଳିଗଲାଣି । ଏ ଗାଁ ପ୍ରତି ତାର ମମତା ଉପୁଜିଲାଣି ।

 

ତା ପାଇଁ ଏଠି ନିର୍ଦ୍ଦିଷ୍ଟ ଘର ନାହିଁ । ସବୁରିଙ୍କ ଘର ତା’ରି ଘର । ଯେଉଁଠି ଇଚ୍ଛା ପାଇଲା ସେଇଠି ରହିଲା । ଆଜି ୟା ବାରଣ୍ଡା ତ କାଲି ତା ବାରଣ୍ଡା । ରାତି ବିତେଇଲେ ହେଲା । ଜଣେ ବୋଲି ମଣିଷ । ଗୋଟେ ପେଟ । ଖାଇବା ପାଇଁ ଗାଁଟେ ପଡ଼ିଛି ! ଯାହା ଘରେ ଯେଉଁଦିନ ଇଚ୍ଛା ହେଲା ତା ଘରେ ଖାଇଲା ।

 

ଖାଇବାରେ ତାର ଖୋଜା ନାହିଁ । ଗରମ ତାର ବିଷ । ପଖାଳ ତାର ପ୍ରାଣ । ସକାଳୁ ସକାଳୁ କାହାଘରେ ହେଲେ ତେନ୍ତୁଳି ଲଗେଇ, ନତୁବା ପୋଡ଼ାଟେ ହେଲା କି, ଶାଗଭଜା ଲଖୁଟେ ହେଲା, ବଡ଼ ହେଲେ ଶୁଖୁଆଭଜା ଖଣ୍ଡେ ସାଥିରେ ପଖାଳ କଂସାଟିଏ ଖାଇ ସେ ଘରଘର ବୁଲି ଗୁହାଳ ଫିଟେଇ ଗାଈ ନିଏ ଗୋଠକୁ । ସାଥିରେ ବାନ୍ଧିଥିବ ଆଉ କାହାଘରୁ ପଖାଳ କଂସାଟେ । ଚାରିହାତ ଲମ୍ୱ ବାଉଁଶ ଠେଙ୍ଗା ଓ ଖଣ୍ଡେ ତାଳ ପତ୍ରଛତା ତାର ସମ୍ୱଳ । ବାଁ ହାତରେ ଛତାଟେକି, ଡାହାଣ ହାତରେ ଠେଙ୍ଗା ଧରି ସେ ଗାଈ ଗୋଠ ଓଡ଼େଇ ନିଏ ।

 

ଗାଈଗୋଠ ତାର ସାଙ୍ଗ ସହଚର ଆନନ୍ଦ ଆମୋଦର ଆଧାର । ସେମାନଙ୍କ ସହିତ ମିଶି ସେମାନଙ୍କ ପାଦରୁ ଉଡ଼ି ଆସୁଥିବା ଧୂଳିରେ ନିଜକୁ ଧୂଳି ଧୂସରିତ କରି ସେ ଆତ୍ମସନ୍ତୋଷ ପାଏ ।

 

ବିରାମ ନାହିଁ । ବିରକ୍ତି ନାହିଁ । ବିତୃଷ୍ଣା ନାହିଁ । ରୋଗବାଗ ବି ନାହିଁ । ସେ ବେଶ୍‌ ସୁଖୀ-। ବେଶ୍‌ ପ୍ରଫୁଲ୍ଲ ।

 

ସକାଳୁ ସକାଳୁ, ନୀଳ ଚିଲିକାର ପେଟ ଭିତରୁ ଶ୍ୟାମ ଶୋଲରୀର ଶିଖର ଦେଶରୁ ସୂର୍ଯ୍ୟ ଉଇଁଲେ ସେ ତାର ଗାଈଗୋଠ ଧରି ଗାଁ ପାର ହୁଏ । ଗାଁ ପାରହେଲେ ଗହୀରମାଳ । ପାଖକେ ଲଣ୍ଡାମୁଣ୍ଡିଆ, ଲଣ୍ଡାମୁଣ୍ଡିଆ ଆରପଟେ ଶୋଲରୀ, ଶୋଲରୀ ସେପାରିରେ ଚିଲିକା ।

 

ଆଗେ ଆଗେ ଚାଲନ୍ତି ଗାଈଗୋଠ । କେତେ ରଙ୍ଗର, କେତେ ବର୍ଣ୍ଣର, କେତେ ଜାତିର–ମାରଣା ସୁଧାର, ବାଡ଼ଡ଼ିଆଁ, ଅବାଟିଆ, ଓଲେଇ, ଖଲେଇ—ଗାଈ, ବାଛୁରୀ, ଛଡ଼ା, ବଳଦ–ଧଳା, କଳା, କଷରା, କହରିଆ, ଛଉଛଉକା, କାଞ୍ଚିଆ, ଲମ୍ବଶିଙ୍ଗା—ଏମିତି କେତେ ପ୍ରକାରର । ଗୋଠ ସାଥୀରେ ଝୁଲି ଝୁଲି ଚାଲେ ପୁରୁଷେ ଉଚ୍ଚର ଷଣ୍ଢ ।

 

ସେମାନେ ଶାନ୍ତ ଶିଶୁପରି ଚାଲନ୍ତି ଆଗେ ଆଗେ । ପଛେ ପଛେ ଚାଲେ ମହାଙ୍କୁଡ଼ ।

 

ଗହୀର ମାଳ ସରିଯାଏ ।

 

ସେମାନେ ଶୋଲରୀ ପେଟରେ ପଶନ୍ତି ।

 

ପତ୍ର ଚୋବାନ୍ତି । ପାଗୋଳାନ୍ତି । ଚରନ୍ତି । ହାଲିଆ ହେଲେ ବଡ଼ ଗଛଛାଇ ଦେଖି ଶୋଇପଡ଼ନ୍ତି ।

 

ଗାଈଗୋଠ ଶୋଲରୀର ପଶିଗଲେ ମାହାଙ୍କୁଡ଼ ସେମାନଙ୍କ ସାଥୀରେ ମିଶି ଅଧା ଶୋଲରୀକି ଉଠେ । ଅଧାରେ ବଡ଼ ଏକ ପଥର ଚଟାଣ । ପାଖକେ ଝଙ୍କାଳିଆ ଗଛ ଛାଇ । ମାହାଙ୍କୁଡ଼ ଏଇଠି ଛତାଟାକୁ ରଖିଦେଇ, ହାତରେ ଠେଙ୍ଗା ଖଣ୍ଡିକ ଧରି ଛାଇତଳେ ବସିରହେ । ଏଇଠି ବସିଲେ ପାହାଡ଼ ଉପରତଳ ସବୁ ଦିଶେ । ଗାଈ ଗୋଠ ଉପରେ ଦୃଷ୍ଟି ପଡ଼େ ।

 

ଛାଇ ତଳେ ବସି ବସି ଦିପହର ହୁଏ । ଭୋକ ଲାଗିଲେ ସାଙ୍ଗରେ ଆଣିଥିବା ପଖାଳ କଂସାକ ସେ ଏଇ ପଥର ଚଟାଣ ଉପରେ ବସି ଖାଏ । ତୋରାଣି ପିଏ । ଟିକିଏ ଦୂରରେ ବହିଯାଇଛି ନାଳ । ନାଳରେ ଟାଲ ଟାଲ ପାଣି । ସେ ତଳକୁ ଓହ୍ଲାଇ ନାଳ କୂଳକୁ ଯାଏ । ମୁହଁହାତ ଧୁଏ । କଂସା ମାଜେ । ତା’ପରେ ଫେରିଆସି ଛାଇ ତଳେ ଗାମୁଛା ପରି ଶୋଇପଡ଼େ ।

ଗାଈପଲ ଶୋଲରୀ ଭିତରେ ସ୍ୱାଧୀନ ଭାବରେ ବିଚରଣ କରନ୍ତି । ଖରା ବାଧିଲେ ଗଛ ଛାଇ ଦେଖି ଶୋଇପଡ଼ନ୍ତି । ଶୋଷ ହେଲେ ତଳକୁ ଗଡ଼ି ନାଳ କୂଳରୁ ପାଣି ପିଅନ୍ତି । ଚରନ୍ତି । ବୁଲନ୍ତି । ବିଶ୍ରାମ କରନ୍ତି ।

ବେଳ ଗଡ଼େ ।

ମହାଙ୍କୁଡ଼ର ନିଦ ଭାଜେ ।

ସେ ଉଠେ ।

ଚାହେଁ ।

ଗୋଠର ଗାଈ ଆଖିକି ଦିଶନ୍ତି ।

କିଏ ପାଣି ପିଉଛି ତ, କିଏ ଗଛମୂଳେ ଘୁମେଇଛି । କିଏ ପାଗୋଳି କରୁଛି । କେଉଁଠି ମାଆ ପଛେ ପଛେ ବାଛୁରୀ ଚରୁଛି । କେଉଁଠି ବଳଦ ଦୁଇଟା ଶିଙ୍ଘକୁ ଶିଙ୍ଘ ଲଢ଼େଇ ଲଢ଼େଇ କରୁଛନ୍ତି । କେଉଁଠି ପୁରୁଷେ ଉଚ୍ଚର କାଞ୍ଚିଆ ଷଣ୍ଢ ପଧାନଘର ଛଡ଼ାଟା ଉପରେ ଚଢ଼ି ଯାଉଛି ।

ଗାଈଗୋଠ ଦିଶୁଛି ।

ମୁଣ୍ଡ ଉପରେ ଶୋଲରୀ ଶିଖ । ଆକାଶକୁ ଲାଗିଯାଉଛି । ସତେ ଯେମିତି ଚାହିଁ ରହିଛି-। ଚଉଦିଗକୁ । ଗଛ ବୃକ୍ଷ ଦ୍ରୁମଲତା ବାଉଁଶ ବୁଦା ଖୁନ୍ଦି ହୋଇଛି ଦେହ ଭିତରେ-

ତଳକୁ ଚାହିଁଲେ ଗହୀରମାଳ ।

କିଛିଦୂର ପାର ହେଲେ ସୂତାଖିଏ ପରି ଦିଶେ ବଂଶବତୀ ଆରପଟେ ପୁଣି ଗହୀର ।

ତା ପରେ ଆମ୍ୱତୋଟା ।

ଆମ୍ୱତୋଟା ସନ୍ଧିରେ ନଡ଼ିଆ ଗଛର ଆକାଶଛୁଆଁ ମଥା ନଡ଼ିଆଗଛ ଗହଳି । ଭିତରେ ରଥପୁର । ବ୍ରାହ୍ମଣ ଶାସନ । ପାଖକେ ଚିଲିକାର ନୀଳ ବପୁ ।

ଏପାଖେ ପଶ୍ଚିମ ପଟେ ତେନ୍ତୁଳି ଗଛଗହଳି ଭିତରେ ବରଡ଼ି ଗାଁର ଚାଳ ଦିଶେ । ଗାଁ ବାଡ଼ିତଳେ ଲଣ୍ଡାମୁଣ୍ଡିଆ ।

ଆଖିକି ଦିଶେ ବାଗୁଲ ବୁଦା ଓ କଇଁଥ ଗଛ ।

ସେ ଚାହେଁ ।

ଧୀରେ ଧୀରେ ବେଳ ବୁଡ଼ିଆସେ ।

ପଶ୍ଚିମ ଆକାଶରେ ତପନ ନଇଁ ଆସନ୍ତି ।

ଆକାଶର ଛାତିଟା ନାଲି ଟହଟହ ହୋଇଉଠେ ।

ଶିରିଶିରି ପବନ ବହେ ।

ସେ ଆ-ଆ-ଲୋ କାଳିକା—ଆ-ଆ-ଲୋ ବଉଳା—ଆ-ଆ-ଲୋ କାଞ୍ଚିଆ କହି କୁହାଟ ଛାଡ଼େ ।

ମନ୍ତ୍ରମୁଗ୍ଧ ପରି ତା ପାଟି ଶୁଣିଲେ ଯିଏ ଯେଉଁଠି ଚରୁଥାନ୍ତି ଓହ୍ଲେଇ ଆସନ୍ତି ।

ଗୋଠ ବାହୁଡ଼େ ।

ଗୋଠ ପଛେ ପଛେ ସେ ଆସେ ।

ଗୋଠ ବାହୁଡ଼ା ଧେନୁପଲର ଧୂଳିରେ ଆକାଶ ଧୂମାୟିତ ହୁଏ ।

ସେ ଫେରେ ।

ମହାଙ୍କୁଡ଼—

ବରଡ଼ି ଗାଁର ଗାଈଆଳ ପିଲା ।

ଗାଈ ଜାଗେ ।

ଦିନ ଯାକ ଗାଈ ଗୋଠ ସାଙ୍ଗରେ ବିତେ ।

ରାତିକି ୟା ବାରଣ୍ଡା ତା ବାରଣ୍ଡାରେ ଶୋଇପଡ଼େ ।

ୟା ଘରୁ ତା ଘରୁ ପଖାଳ ଖାଇ ପ୍ରାଣ ବଞ୍ଚାଏ ।

ତଥାପି ସେ ଖୁବ ଆନନ୍ଦରେ ଥାଏ ।

ଗାଈ ଗୋଠହିଁ ତାର ଜୀବନ ।

ଏ ସଂସାରର ମାୟା ବନ୍ଧନ ଶୋକ ଦୁଃଖ ତାକୁ ତିଳେ ହେଲେ ସ୍ପର୍ଶ କରେନାହିଁ ।

ତା ଗାଈ ଗୋଠ ଭଲ ତ ତା ପୃଥିବୀ ଭଲ ।

ଯେଉଁଦିନ କେଉଁଠି ଗାଈ ହଜିଗଲା କି ରହିଗଲା, କି କେଉଁ ଆଚାନକ ଦୁର୍ଘଟଣା ଘଟିଲା ସେ ଦିନ ତା ମନଟା ମଉଳି ଯାଏ । ମୁହଁ ସୁଖେ । ଆଖିରେ ଲୁହ ଦିଶେ । ବାକି ସବୁଦିନେ ସେ ହସହସ । ମନ ଫୁଲାଣିଆ ।

କେବେ ଯଦି ତା ଚିହ୍ନା ଜଣା ଗାଈ ବଳଦ ବାଛୁରୀ ଭିତରୁ ଗୋଟେ ମରିଗଲା ତା ହେଲେ ସେ ଦିନ ଅନ୍ନ ଛୁଇଁବ ନାହିଁ । କାହା ସହିତ କଥାବାର୍ତ୍ତା କରିବ ନାହିଁ । ଗୁମ ମାରି ରହିବ । ସତେ ଯେମିତି ଗାଈ ଗୋଠହିଁ ତା ନିତି ଦିନର ଚଳନ୍ତି ସଂସାର । ସେମାନଙ୍କ ସହ ଆଳାପ କରେ । ହସେ । ରସେ । ସେମାନେ ତାର ବନ୍ଧୁ ବାନ୍ଧବ, ଜ୍ଞାତିକୁଟୁମ୍ୱ । ସେମାନେ ତାର ସବୁ କିଛି ।

ସେମାନଙ୍କ ଆନନ୍ଦ ତାର ଆନନ୍ଦ ।

 

ହେଇ ସେଦିନ ସେ କେଡ଼େ ବିକଳ ହେଉ ନଥିଲା । ନାହାକ ଘର ଦୁଧିଆଳି ଗାଈଟାକୁ ଚିତାବାଘ ତଣ୍ଟିଚିପି ମାରିଦେଲା ବୋଲି ତାର ସାତ ଦିନ ଉପାସ ।

 

ଭାଦ୍ରବ ମାସ ସମୟ । ଗହୀରମାଳ ସବୁଜିମାରେ ଭରପୂର । ଆଣ୍ଠୁଏ ଉଚ୍ଚର ଧାନଗଛ ସବୁ କିଆରୀ କିଆରୀ ଭରି ହୋଇଛି । ନଈନାଳ ଜଳ କଲ୍ଲୋଳରେ ଲୀଳାୟିତ ।

 

ଚଉଦିଗରେ ରୂପ ବିସ୍ତାର କରିଛି ସବୁଜ ସମ୍ଭାର ।

 

ଆକାଶ ନିର୍ମଳ ।

 

ଶୋଲରୀର ଶ୍ୟାମ ଗାତ୍ରରେ ଅଭିତବ ଜୀବନ ସଞ୍ଚାର ହୋଇଛି ।

 

ବୃକ୍ଷଲତା ଦ୍ରୁମଗୁଳ୍ମ ପଲ୍ଲବିତ ।

ଶୋଲରୀ ଶିଖରୁ ଚାହିଁଲେ ମନେହୁଏ ସତେ ଯେମିତି ଶୋଲରୀର ପାଦ ଦେଶକୁ ଲାଗି କାହିଁ କେତେଦୂର ଦିଗ୍‌ ବଳୟ ଯାଏଁ—ଯେଉଁଠି ଆକାଶ ସହିତ ପୃଥିବୀ ମିଶିଛି—ସବୁଜ ବର୍ଣ୍ଣର ମସୃଣ ଗାଲିଚାଟିଏ ବିଛେଇ ହୋଇ ପଡ଼ିଛି ।

କେଡ଼େ ସୁନ୍ଦର ଦିଶୁଛି ଶ୍ୟାମାୟମାନା ଧରିତ୍ରୀ ।

ଶୋଲରୀ ଶିଖରୁ ଟିକିଏ କଣେଇ କରି ଅନେଇଁଲେ ପୂରୁବ ପାଖରେ ଦିଶୁଛି ସମୀର ଗୁଞ୍ଜରିତ ଚିଲିକାର ନୀଳ ବାରିରାଶି । ତା ବକ୍ଷରେ ଲୀଳାୟିତ ତଲେଇଟେକା ନଉକାସବୁ ।

ଏ ସମୟରେ ଗହୀର ମାଳରେ ଗହଳି ରହେ । ଚଷା ପୁଅ କାମରେ ଲାଗିଥାଏ । ଖେତ କିଆରୀର ଯତ୍ନନେବାକୁ ହେବ । କେଉଁଠି କତି ହଣା । କେଉଁଠି ମୁହାଣ ମୁଦା—କେଉଁଠି ବଛା । ଖେଳୁଆ । ରୁଆ । ଗହୀରସାରା ମଣିଷ ଆତଯାତ । ଗହୀର ସାରା ଗହଳି ।

ଏ ଋତୁରେ ଗାଈ ଗୋରୁ ଓଦାଛାଡ଼ିବା ମନା । ଓଦା ଛାଡ଼ିଲେ ଗାଈଗୋରୁ ଖେତ ଉଜୁଡ଼େଇ ଦେବେ । ତେଣୁ ଗାଈ ଗୋଠକୁ ସାବଧାନତାର ସହ ଜଗିବାକୁ ପଡ଼େ ।

ମହାଙ୍କୁଡ଼କୁ ଏଇ ସମୟଟା ଖୁବ୍‌ ପରିଶ୍ରମ ପଡ଼େ ।

ଗାଁଟା ଯାକର ଗାଈଗୋରୁଙ୍କୁ ହିଡ଼େ ହିଡ଼େ ଓଡ଼େଇ ଓଡ଼େଇ ନେଇ ପାହାଡ଼ ପାଦଦେଶରେ ପହଞ୍ଚେଇ ଦେଲେ ନିସ୍ତାର । ଗଲାବେଳେ ଧାନ କିଆରୀରେ ଯେମିତି ମୁହଁ ନ ମାରନ୍ତି ସେଥିପାଇଁ ହୁସିଆର ହେବାକୁ ହୁଏ । ତଥାପି ଓଲେଇ ଗାଈଙ୍କି ସଳଖ କରିବା କଷ୍ଟହୁଏ ।

ପାହାଡ଼ ପାଦତଳ ପଡ଼ିଆରେ ହାଜର ହୋଇଗଲେ ମୁଣ୍ଡରୁ ବୋଝ ଓହ୍ଲାଏ । ତା ପରେ ସେମାନେ ନିଜେ ନିଜେ ପାହାଡ଼ ଉପରକୁ ଚଢ଼ିଯିବେ । ଚରିବେ । ସବୁଜ ଘାସ ପତର ଖାଇବେ । ପେଟ ପୂରେଇବେ । ବିଶ୍ରାମ କରିବେ । ବେଳ ନୋଇଁଲେ ବଳେ ବଳେ ତଳକୁ ଖସି ଆସିବେ । ହିଡ଼େ ହିଡ଼େ ରାହା ଧରିବେ ଗାଁକୁ । ଗାଈଗୋଠକୁ ହିଡ଼େ ହିଡ଼େ ଦାଣ୍ଡେଇ ନେବା ଯାହା ଟିକିଏ କଷ୍ଟ ।

ମହାଙ୍କୁଡ଼ ଏ କାମକୁ ବେଶ୍‌ ପାରେ । କି ମନ୍ତ୍ର ସେ ଜାଣେ କେଜାଣି ତା ଡାକ ଶୁଣିଲେ ଗାଈପଲ ବାଧ୍ୟ ଶିଶୁପରି ହିଡ଼େ ହିଡ଼େ ସିଧା ସିଧା ଚାଲିଯାଆନ୍ତି । ପୂରନ୍ତା ଧାନ କିଆରିରେ ମୁହଁ ମାରନ୍ତି ନାହିଁ ।

ଏଥର ସେ ସବୁଦିନ ପରି ଗାଈ ଗୋଠ ଚରେଇ ନେଇ ଯାଇଥାଏ ଶୋଲରୀ ଭିତରକୁ-। ଗୋଠକଯାକ ଗାଈଗୋରୁ ଶୋଲରୀ ଭିତର ଅନ୍ଦିକନ୍ଦିରେ ପଶି ତରିବାରେ ଲାଗିଥାନ୍ତି-

ସେ ତାର ନିତିଦିନିଆ ସାଥି ପରିଚିତ ପଥର ଚଟାଣଉପରେ ଗଛ ଛାଇତଳେ ତାଳପତ୍ର ଛତା ଥୋଇଦେଇ ବସି ରହିଥାଏ । ନିଦ ଆସୁ ନ ଥାଏ ଆଖିକି ।

ଏଇଠି ବସି ତଳକୁ ଅନେଇଲେ କେଡ଼େ ସୁନ୍ଦରଦିଶେ ମା ଧରିତ୍ରୀ ।

ଚଉଦିଗରେ ପ୍ରସାନ୍ତ ସବୁଜିମାର ପ୍ରଲେପ ।

ଗହୀରମାଳରେ କର୍ମରତ ମାଟିର ମଣିଷ ଏଇ ସବୁଜ ଗାଲିଚା ଦେହରେ କଳାକଳା ବିନ୍ଦୁ ପରି ଦିଶନ୍ତି ।

ଗହୀର ମଝିରେ ଅଙ୍କାବଙ୍କା ହିଡ଼ ମାଳ ।

ବିଲରେ କିଆରୀ କିଆରୀ ପାଣି ।

କଅଁଳ ଛନ ଛନ ଧାନଗଛ ।

ଥିରି ଥିରି ପବନ ଧାନ ଗଛ ଦେହରେ ଘଷି ହୋଇ ଅବୋଧ୍ୟ ସଙ୍ଗୀତର ସ୍ୱର ସୃଷ୍ଟି କରେ ।

ମନ ଭରି ଯାଏ ।

ଗହୀର ପାର ହେଲେ ବଂଶବତୀ । ଏ ପାଖେ ଗହୀର । ସେ ପାଖେ ଗହୀର । ମଝିରେ ବହିଯାଇଛି ବଂଶବତୀ ।

ଏ ଦୃଶ୍ୟରେ ମନ ଲାଖିଯାଏ ।

ଆଖି ଯୋଖି ହୋଇଯାଏ ।

ମହାଙ୍କୁଡ଼ ନୀରବରେ ବସି ଚାହିଁଥାଏ ଗହୀର ମାଳର ଶୋକ ପାଶୋରା ସବୁଜିମାକୁ ।

ଗୋଠର ଗାଈସବୁ ସ୍ୱାଧୀନଭାବରେ ଶୋଲରୀ ଛାତିରେ ଚଲାବୁଲା କରୁଥାନ୍ତି ।

ଦି ପହରିଆ ବେଳ ହୋଇ ଯାଇଥାଏ ।

ପଖାଳ ତୋରାଣୀ ମନ୍ଦାକ ପେଟରେ ପଡ଼ିଯିବାରୁ ଆଖି ଢୁଳେଇ ଆସୁଥାଏ । ମାତ୍ର ଶୋଇବାକୁ ଇଚ୍ଛା ହେଉ ନଥାଏ ।

ସେ ଶୋଲରୀକୁ ଚାହିଁଲା ।

ଗାଈଗୁଡ଼ାକ ଅଧେ ଦିଶୁଛନ୍ତି । ଅଧେ ହୁଏତ ବୁଦାଲଟା ତଳେ ପଶି ଯାଇଛନ୍ତି । ଦିଶୁ ନାହାନ୍ତି । ଯେତେକ ପାହାଡ଼ର ମଥାନ ଉପରକୁ ଚଢ଼ି ଯାଇଛନ୍ତି ଚାହିଁଲେ ଦିଶୁଛନ୍ତି ବିନ୍ଦୁପରି ।

ଟିକିଏ ଦୂରରେ—

ଝଙ୍କାଳିଆ ବାଉଁଶ ବୁଦାମୂଳେ ନାହାକଘର ଦୁଧିଆଳ ଗାଈଟା ଚରୁଛି । ଚିକ୍‌କଣ କଳା ମଚ୍‌ ମଚ୍‌ ଦେହ । ଖରା ପଡ଼ିଲେ ଚିକ୍‌ ଚିକ୍‌ ଦିଶୁଛି ।

ଚରୁଥାଉ ।

ପାଖରେ ଶୋଲରୀ । ପାଦତଳେ ବ୍ରାହ୍ମଣଗଡ଼ିର ଧାନ କିଆରୀ ଲମ୍ୱିଯାଇଛି ।

ଦି ପହର ହେଲାଣି ।

ଟାଣ ଖରା ଦିହରେ ମୁଣ୍ଡରେ ଗଳିଯାଉଛି ।

ସକାଳଓଳି କାମ ସାରି ଚଷା ପୁଅମାନେ ଖାଇବାକୁ ଘରକୁ ବାହାରିଲେଣି ।

ନିଜନିଆ ନିଜନିଆ ଲାଗୁଛି ଗହୀରମାଳ ।

କେତେ ନାଁ ନଜଣା ପକ୍ଷୀସବୁ ଉଡ଼ିଉଡ଼ି ଆସି ହିଡ଼ ଉପରେ ବସୁଛନ୍ତି । ପୁଣି ଉଡ଼ିଯାଉଛନ୍ତି ଗଛଡ଼ାଳକୁ ।

ବ୍ରାହ୍ମଣଗଡ଼ି ମଝିରେ କେତେ ପୁରୁଣା କାଳର ନିମ୍ୱ ଗଛଟିଏ । ନିମ୍ୱଗଛରେ ଚଢ଼େଇଙ୍କର ମେଳଣ ଲାଗିଛି ।

ଆଖିକି ନିଦ ମାଡ଼ି ଆସୁଛି ।

ନିଛାଟିଆ ନିଛାଟିଆ ପାହାଡ଼ ମାଡ଼ି ଗୋଡ଼ୋଉଛି ଯେମିତି ।

ସେ ଆଉ ସମ୍ଭାଳି ପାରିଲା ନାହିଁ । ପଥର ଚଟାଣ ଉପରେ ଛାଇତଳେ ସବୁଦିନପରି ଗାମୁଛା ପରି ଶୋଇ ପଡ଼ିଲା ।

ହଠାତ୍‌ ତାର ନିଦଟା ଭାଜିଗଲା ।

ଏକ କରୁଣ ଚିତ୍‌କାରରେ ତାର ଦେହ ଥରି ଉଠିଲା ।

ଏକ ବିକଟାଳ ଗର୍ଜନରେ ତାର କାନରୁ ଅତଡ଼ା ଖସିଲା ।

ସେ ଚାହିଁଲା ।

ଟିକିଏ ଦୂରରେ ଯେଉଁ ବାଉଁଶ ବୁଦାମୂଳେ ନାହାକଘର ଦୁଧିଆଳି ଗାଈଟା ଚରୁଥିଲା ସେଇଟା ସେଇଠି ପଡ଼ି ଗଁ ଗଁ ହୋଇ ଗୋଡ଼ ବାଡ଼େଇ ଛଟପଟ ହେଉଛି । ଆଉ ତା ବେକକୁ ପୁଳା ପୁଳା ଝୁଣି ରାମ୍ପୁଡ଼ି କାମୁଡ଼ି ପକୋଉଛି ଭୟଙ୍କର ଚିତାବାଘଟା । ବିକଟାଳ ମୂର୍ତ୍ତି । ଆଖିରେ ଅଗ୍ନିଜଳୁଛି । ଦୁର୍ଦ୍ଧର୍ଷ ଦୁର୍ମଦଭାବରେ ଚିପି ପକୋଉଛି ଗାଈର ତଣ୍ଟିଟା । ବୁଦାମୂଳ ରକ୍ତ ସଲବଲ । ପ୍ରାଣ ବିକଳରେ ଛଟପଟ ହେଉଛି ନାହାକଘର ଗାଈଟା । ତାର ସମସ୍ତ ଶକ୍ତି ଠୁଳକରି ସେ ସଂଘର୍ଷ କରୁଛି ଯେମିତି ତା କବଳରୁ ମୁକ୍ତି ପାଇବାକୁ । ବାଘଟା କିନ୍ତୁ ଛାଡ଼ୁ ନାହିଁ । ପୁଳାପୁଳା ଝୁଣି ପକୋଉଛି । ମାଡ଼ି ବସିଛି ।

ସେ ଡରିଗଲା ।

ସେ ଥରିଗଲା ।

କାଳେ ନୁହେଁ, ବେଳେ ନୁହଁ । କୁଆଡ଼ୁ ଅଇଲା ଏ କାଳ ରାକ୍ଷସ !

ତା ଛାତିରେ ଛାନିଆ ପଶିଲା ।

ତା ଦେହ ହାତ ବରଡ଼ା ପତର ପରି ଥରି ଉଠିଲା ।

ତା ଦେହରୁ ଗମ୍‌ ଗମ୍‌ ଝାଳ ବୋହିଲା ।

ସେ କେବଳ ନିର୍ବାକ ହୋଇ ଚାହିଁ ରହିଲା ।

ପାଦେ ଏପାଖ ସେ ପାଖ ହେବାର କ୍ଷମତା ହଜେଇ ବସିଲା ସେ ଯେମିତି । ଟିକିଏ ଖଡ଼୍‌ ଖାଡ଼୍‌ ହେଲେ ବାଘଟା ଯଦି ତା ଆଡ଼େ ଲମ୍ଫ ମାରିବ ନାଁ—ତା ନିଜ ପ୍ରାଣ ଯିବ ।

ସେ ଡରି ଡରି ପଥର ଚଟାଣ ପାଖ କୋଚିଲା ଗଛ ତଳେ ଲୁଚିଗଲା । ସେଇଠୁ ଲୁଚିକରି ଚାହିଁଲା ।

ଦେଖିଲା—ବାଘଟା ନିର୍ଭୟରେ ଗାଈ ବେକରେ ମୁହଁ ଲଗେଇ ରକ୍ତ ପିଉଛି । ମୁହଁ ଯାକ ବାଘର ରକ୍ତ ସାଲୁବାଲୁ । ଗାଈଟା ଛାଟିପିଟି ହୋଇ ହୋଇ, ବଞ୍ଚିବାକୁ ସଂଘର୍ଷ କରି କରି ଶେଷରେ ନିଥର ନିସ୍ତେଜ ହୋଇ ଜୀବନ ଛାଡ଼ିଲା । ଆଇ ହଲ ନାଇଁ କି ଚଲ ନାଇଁ । ତା ଦେହରୁ ପ୍ରାଣ ବାୟୁ ଉଡ଼ିଗଲା । ବାଘ ତାକୁ ଝୁଣିଲା । ଝୁଣି ଝୁଣି ମଡ଼ାଟାକୁ ନୟାନ୍ତ କଲା । ତା ଉପରେ କୁଦାମାରି ବସିଲା । ଲାଙ୍ଗୁଳ ବାଡ଼େଇଲା । ଚାରିଆଡ଼କୁ ଚାହିଁଲା । ମୁହଁଯାକ ରକତ । ଡୋଳା ଦୁଇଟା ସତେ ଯେମିତି ଜଳୁଛି । ତା ପରେ ଲମ୍ପମାରି ଆଖି ପିଛୁଳାକେ । ଶୋଲରୀର ବୁଦାଲଟା ଭିତରେ କୁଆଡ଼େ ଉଭାନ ହୋଇଗଲା ।

କୁଆଡ଼େ ଲୁଚିଗଲା ସେ ଠଉରେଇ ପାରିଲା ନାହିଁ ।

Unknown

ସେ ନିଶ୍ୱାସ ମାରିଲା ।

ପ୍ରାଣଟା ତାର ରହିଗଲା ।

ସେ ଚାହିଁଲା—ଗାଈଟାର ବେକରୁ ଖଣ୍ଡେ ନାହିଁ । କେଡ଼େ ସୁନ୍ଦର କାଳି ଗାଈଟା କଣ ଦେଖାଯାଉଛି । ତୁମ୍ଭେ କ୍ଷୀର ଦେଉଥିଲା ଦିନକୁ । କିଏ ଜାଣିଥିଲା ଆଜି ସରିକି ଏ ରାକ୍ଷସଟା ଆସି ପ୍ରାଣ ନେବ ବୋଲି । କାଳେ ନାହିଁ । ବେଳେ ନାହିଁ ।

ମନ ବ୍ୟାକୁଳ ହେଲା ।

ମନ ଛଟପଟ ହେଲା ।

ଦିପହର ବେଳ ଗଡ଼ି ଗଲାଣି ।

ଗହୀରମାଳରେ ଗହଳି ଜମିଲାଣି ।

ଓପରଓଳିଆ କାମକୁ ଆସିଗଲେଣି ଚଷାପୁଅ ।

ମଲା ଗାଈଟା ପାଖକୁ ଯିବା ଡର ଲାଗୁଛି । ଦି ବର୍ଷ ତଳେ ଥରେ ଶୋଲରୀର ବାଘ ମାତିଥିଲା ଯେ ଏମିତି ଉତ୍ପାତ କରିଥିଲା । କେତେ ଗାଈଗୋରୁ ଖାଇଲା । ମାଇଲା । ଶେଷରେ ମହାନ୍ତିଏ ତାକୁ ଲାଛିଥିଲେ । ଦି ବର୍ଷ ହେଲା ଆଉ ଏ ବିପଦ ଦେଖା ନଥିଲା । ଆଜି ପୁଣିଥରେ ଆରମ୍ଭ ହେଲାଣି ଯେ, କଣ ନାଇଁ କଣ ହେବ ଠିକଣା ନାହିଁ ।

ଭୟ ଲାଗିଲା ଦେହକୁ ।

ଗାଈ ପାଖକୁ ଯିବାକୁ ଆଶଙ୍କା ଲାଗୁଛି ମନରେ । କାଳେ ପାଖରେ କେଉଁଠି ବୁଦା ତଳେ ବାଘଟା ଲୁଚିଥିବ !

ଗାଈ ଗୋଠର ଅନ୍ୟ ଗାଈଗୋରୁ ଚିହିଁକି ଉଠି ତଳକୁ ଖସି ଆସୁଛନ୍ତି । ସେ ଆଉ ଉପାୟ ନପାଇ ଚିତ୍‌କାର କରି ଉଠିଲା—ଧାଇଁ ଆସ ହୋ—ବାଘ ନେଇଗଲା—ଧାଇଁ ଆସ ହୋ–ବାଘ ନେଇଗଲା ।

ତାର ଏଇ ଚିତ୍କାର ଶୋଲରୀର ପ୍ରତିଧ୍ୱନିତ ହେଲା । ବ୍ରାହ୍ମଣ ଗଡ଼ି ଚହଲି ଉଠିଲା । ଚଷାଚାଷୀଏ କାମଛାଡ଼ି ଦୌଡ଼ି ଆସିଲେ । ତା ପାଖରେ ପହଞ୍ଚିଲେ ।

ସେ ଦେହରୁ ଝାଳ ପୋଛିଲା ।

ଲଥ୍‌କିନି ତଳେ ବସି ପଡ଼ିଲା ।

ଲୋକେ ଦେଖିଲେ—ଗାଈଟା ମରିପଡ଼ିଛି । ବେକରୁ ଖଣ୍ଡେ ନାହିଁ ।

ବିଭତ୍ସ ଭାବରେ ତଣ୍ଟି ଚିପି ମାରିପକେଇଛି ବାଘଟା ।

ଲୋକେ ହୋ ହା କଲେ । ଠେଙ୍ଗା ବାଡ଼ି କାତି ଶାବଳ ଧରି ମଡ଼ା ପାଖକୁ ଗଲେ । ଦେଖିଲେ, ବାଘର ପାଦଚିହ୍ନ ପଡ଼ିଛି । ପାଖାପାଖି ବୁଦାଲଟା ବାଡ଼ିଆ ବାଡ଼ି କଲେ । କୁହାକୁହି ହେଲେ—ଆଉ କଣ ବାଘଥିବ । ସେ ତାର କୁଆଡ଼େ ପାହାଡ଼ ଉପରକୁ ଉଠି ଛପି ଯିବଣି ।

ଲୋକଙ୍କୁ ଦେଖି ତାର ମନରେ ଦମ୍ଭ ଆସିଲା ।

ସେ ଗାଈ ଗୋଠକୁ ଠୁଳ କରି ଗୋଟି ଗୋଟି କରି ଦେଖିଗଲା—

ଆଉସବୁ ଗାଈ ଅଛନ୍ତି । ଖାଲି ନାହାକ ଧରି ଘର ଦୁଧିଆଳ ଗାଈଟା ଗଲା ।

ତା ମନ ବିକଳ ହେଲା ।

ତା ମନରେ ବେଦନାର ଢେଉ ଉଠିଲା ।

ସେ କାନ୍ଦି ଉଠିଲା—କେଡ଼େ ସୁନ୍ଦର କାଳି ଗାଈଟା । ଆଖିରେ ଝଲକି ଗଲା ତା କାଳ ଏଡ଼େ ଶୀଘ୍ର ପୂରିଗଲା ।

ସେ ଆଉ ଡେରି ନ କରି ଗୋଠ ବାହୁଡ଼େଇ ଆଣିଲା ।

ଲୋକମାନେ ଯେ ଯାହାର ବିଲକୁ ଫେରିଲେ ।

ବେଳ ଦୁଇ ଘଡ଼ି ଥାଉ ଥାଉ ସେ ଗୋଠ ଧରି ଗାଁରେ ପହଞ୍ଚିଲା ।

ଗାଈଗୁଡ଼ାକ ଥରିଲା ଥରିଲା ପରି ଜଣାପଡ଼ୁଥିଲେ । ଆଖି କାନ ବୁଜି ଯେ ଯାହାର ଗୁହାଳରେ ପଶିଗଲେ । ମାହାଙ୍କୁଡ଼ ନାହାକ ଘରେ ଖବର ଦେଲା । କେତେ ମନଦୁଃଖ କଲା । କାନ୍ଦିଲା । ବାହୁନିଲା । ସତେ ଅବା ତାର ଏକାନ୍ତ ନିଜର ଆତ୍ମୀୟ କେହି ଜଣେ ମରିଯାଇଛି । ତାର ଗାଈଗୁଡ଼ାକ ପ୍ରତି ଏତେ ମମତା । ଏତେ ଶ୍ରଦ୍ଧା ।

ସତରେ ସେ ଗାଈ ଗୋଠକୁ ଖୁବ୍‌ ଭଲ ପାଏ । ସେମାନେ ତାର ସାଥୀ ସଙ୍ଗାତ, ବଉଳ, ମିତ । ସେମାନେ ତାର ନିଜର । ଆପଣାର । ସେମାନଙ୍କୁ ସେ ମଣିଷଙ୍କ ପରି କେତେ ନାଁ ଧରି ଡାକେ । ଗେଲ କରେ । ପିଠି ଆଉଁସେ । ବିରକ୍ତ କଲେ ବକେ । ଅଶ୍ଲୀଳ ଢଗଢ଼ମାଳି କୁହେ । ସେମାନଙ୍କୁ ଦିନେ ନ ଦେଖିଲେ ସେ ପାଗଳ ହୋଇଯିବ । ଖାଲି ଖରାମାସ ଦିଇଟା ସେମାନେ ଓଦା ଚରନ୍ତି । ସେତିକିବେଳେ ସେ ଗା ଛାଡ଼ି କୁଆଡ଼େ ହେଲେ ଯାଏ । ବାକି ବର୍ଷର ଦଶମାସ ସେ ସେମାନଙ୍କ ସାଥିରେ । ସେମାନଙ୍କୁ ଚରେଇ ଆଣିଲେ ତାର ମନ ଫୁଲି ଉଠେ । ଗୋଠରୁ ଫେରି ଗାଈଗୁଡ଼ିକ ଯେ ଯାହା ଘର ଗୁହାଳରେ ପଶନ୍ତି । ସେ ତାର ଗାଁ ମୁଣ୍ଡ ଗାଡ଼ିଆରେ ଗାଧୋଇ ପାଧୋଇ ଆସି ସଫାସୁତୁରା ହୁଏ । ତାପରେ ସଞ୍ଜ ହେଲେ ସମସ୍ତଙ୍କ ଗୁହାଳବୁଲି ଗାଈ ଗୁଡ଼ାକର ଭଲମନ୍ଦ ଦେଖି ଆସେ । କାହାକୁ କୁଣ୍ଡା ତୋରାଣୀ ଦିଆ ହୋଇ ନାହିଁ ତ ନିଜେ ଦିଏ । କାହାକୁ କୁଟା ମୁହାଁ ହୋଇନାହିଁତ ନିଜେ ପାଳ ଗଦାରୁ ଗୋଛାଏ କୁଟା ଆଣି ଗୁହାଳ ଘରେ ପକେଇ ଆସେ-। କିଏ ଛେରିଲେ, କାର ପେଟ ଫମ୍ପେଇଲେ, କାହା ଗୋଡ଼ ଫାଟୁଆ ହେଲେ—ନିଜେ ଓଷଦ ଦିଏ । ଏତକ କାମ କରି ସାରିଲେ ଯାଇ ତାର ଆନନ୍ଦ ।

ସେମାନେ ତାର ପରିବାର । ସେମାନେ ତାର ଏକାନ୍ତ ଆପଣାର ।

ଦିନ ତମାମ ସେମାନଙ୍କ ସହ ଚଳପ୍ରଚଳ । କେବଳ ରାତିଟା ଯାହାର ତାର ବାରଣ୍ଡାରେ ଶୋଇଗଲେ ହେଲା ।

ସେ ଦିନ ସେ ନାହାକ ଘରେ ଖବରା ଦେଲା । ଗାଁବାଲା ଠେଙ୍ଗା ବାଡ଼ି ଧରି ଯେଉଁଠି ଗାଈକି ବାଘ ଧରିଥିଲା ସେ ପାଖାଆଖ ଅଞ୍ଚଳ ଚହଲେଇଲେ । ମାହାନ୍ତିଏ କାନ୍ଧରେ ବନ୍ଧୁକ ପକେଇ ଶୋଲରୀର ପେଟ ଭିତରେ କେତେ ରାସ୍ତା ବୁଲି ଆସିଲେ । ହେଲେ ଫଳ କିଛି ହେଲା ନାହିଁ । ବୁଦାଲଟା ଅନ୍ଦିକନ୍ଦି ଖୋଜାଖୋଜି କଲେ ସିନା ବାଘଟାର ଆଉ ଖୋଜ ଖବର ମିଳିଲା ନାହିଁ । ମଡ଼ାଟାକୁ ବିଲୁଆ ଶାଗୁଣା ସାଫ କରିଦେଲେ ।

ଗାଈଟା ମରିବା ଦିନଠାରୁ ସାତଦିନ ଯାଏ ତାକୁ ଭାତ ରୁଚି ନାହିଁ । ମନ ଦୁଃଖରେ ଦିନେ ଦୁଇଦିନ ସେ ଗୋଠ ବନ୍ଦ କଲା । ତାପରେ ସେଇ ପୁରୁଣା ନିତି ଦିନିଆ ଅଭ୍ୟାସ । ଗୋଠନିଆ ।

ସେ ଗୋଠନିଏ ।

ସେଇ ପଥର ଚଟାଣ ପାଖ କୋଚିଲା ଗଛ ଛାଇତଳେ ବସେ ।

ପଖାଳ କଂସା ଖୋଲେ ।

ପାଟିକି ଗୁଣ୍ଡା ଯାଏନି ।

ବାଉଁଶ ବୁଦା ଆଡ଼ିକି ଚାହେଁ ।

ଆଖିକି ଦିଶେ—

ନାହାକ ଘଣ କାଳି ଗାଈର ଅସ୍ଥିପିଞ୍ଜରା ହାଡ଼ ।

ଡରମାଡ଼େ ।

ସେ ଦିନର ସେଇ ଭୟାନକ ପରିବେଶଟା ମନ ଭିତରେ ଛନ୍ଦିହୁଏ ।

ସେଇ ବାଘର ବିକଟାଳ ରୂପ, ହିଂସ୍ର ଚାହାଣୀ ତାର ଦେହ ଥରାଏ ।

ସେ ଥରି ଉଠେ ।

ସେ ଡରି ଯାଏ ।

କାଳି ଗାଈର ନରମମାଂସଳବପୁ ଆଖି ଆଗରେ ଦୋଳିଯାଏ ।

କାନରେ ପଶେ ତାର ବିକଳ ଚିତ୍‌କାର ।

ପଖାଳଗୁଣ୍ଡା ପାଟିରୁ ଖସେ ।

ସେ ପଖାଳ କଂସାଟି ଅଜାଡ଼ିଦିଏ ।

ଗାଈଗୁଡ଼ାକ ପ୍ରତି ତାର ଏତେ ମମତା ! ଏତେ ଆକର୍ଷଣ ! ସେମାନଙ୍କ ପ୍ରତି ଏଦେ ଆଦର; ଏତେ ଯତ୍ନ, ଏତେ ବେଦନା । ସ୍ନେହ-ଅନୁରାଗ ।

ସେମାନେ ତାର ସର୍ବସ୍ୱ ।

ସେମାନେ ତାର ଜୀବନ ।

ମାହାଙ୍କୁଡ଼—

ବରଡ଼ି ଗାଁଆର ଗାଈଆଳ ପିଲା । କଳା ମଚ ମଚ ଶରୀର । ମୁଣ୍ଡରେ ଗଣ୍ଠି, କାନରେ ନୋଳି, ବୟସ କୋଡ଼ିଏ ହେବ ।

ନାନୀକି ତାର ଖୁବୁ ଭକ୍ତି । ଖୁବ୍‌ ସମ୍ମାନ । ଦେଖିଲେ ଦଣ୍ଡବତ ପକାଇବ । ଏଣୁ ତେଣୁ ଗପ କରିବ । ଗାଇଗୋଠ କଥା କହିବ । ଜଙ୍ଗଲରୁ ବଇଁଚ କୋଳି ଆଣିଥିଲେ ବଢ଼େଇ ଦେବ । କହିବ—ତୁମ ବ୍ରାହ୍ମଣଘର କାଞ୍ଜିଖାଇବାକୁ ଦେ’ବା—

ବଡ଼ ଉତୁପାତିଆ ମାହାଙ୍କୁଡ଼ ଟୋକାଟା !

ବରଡ଼ିକି ଗଲେ ଯେଉଁଦିନ ମହାଙ୍କୁଡ଼ ହାବୁଡ଼େ ପଡ଼ିବ ସେଦିନ ତା’ରି ପାଖରେ ଦି ଘଡ଼ି ଡେରି । ଆଉ ଯେଉଁଦିନ କାମଦାମ ସାରି ରାତି ଘଡ଼ିକି ସେ ରଥପୁର ଆସିଥିବ ସେଦିନ ତାଙ୍କ ଘରଠି ରାତି ଅଧରାତି ।

ଗପିବ, ଗପିବ । ତା ପାଖରେ ମନ ଖୋଲି କେତେ କଥା କହିବ । ବରଡ଼ି ଗାଆଁର ସବୁରିଙ୍କ ସୁଖଦୁଃଖ ହାନିଲାଭ କଥା ତା ପାଖରେ ବଖାଣିବ । ସତେ ଯେମିତି ସେ ବରଡ଼ି ଗାଁର ଚଳନ୍ତି ଇତିହାସ ପୋଥି । ସବୁରିଙ୍କ କଥା ଜାଣେ । ସବୁରିଙ୍କ ଭଲମନ୍ଦର ହିସାବ ରଖେ ।

ମାଈପିଙ୍କ ମେଳରେ ତାର ବେଶ୍‌ ଚଳ ପ୍ରଚଳ । ତେଣୁ ସେ ସବୁରିଙ୍କ ଭିତିରିକଥା ଜାଣେ । ଜାଣେ ମାହାନ୍ତିଘର କଥା—ପରିଡ଼ା ଘର କଥା—ପ୍ରଧାନ ଘର କଥା—ପଲେଇ ଘର କଥା—ଆଉ ସବୁରିଙ୍କ କଥା । ସମସ୍ତିଙ୍କ କଥା କହିବ ମାତ୍ର କାହା ନାଁର ଲଗେଇ ଜୁଟେଇ ମିଛ ସତ ଖଞ୍ଜି କହିବ ନାହିଁ । ଯାହା କହିବ ସତ ସତ କଥା । ତା ଦେଖିବା କଥା । ତା ଜାଣିବା କଥା । କାହାଘରେ କେମିତି ଚଳଣି, କାହାଘରେ ଖିଆପିଆ କିମିତି, ସବୁ ସେ ଜାଣେ । ପାଞ୍ଚ ବର୍ଷରୁ ବେଶିଦିନ ହେଲା ଚଳିଲାଣି ସେ, ସେ ଗାଁରେ । ନିବିଡ଼ ଭାବରେ ମିଶିଲାଣି ସେ ସମସ୍ତିଙ୍କ ସାଥିରେ-। ସମସ୍ତିଙ୍କ ସୁଖଦୁଃଖ ଭଲ ମନ୍ଦ ହାନିଲାଭ ରୋଗ ବଇରାଗ କଥା ତାକୁ ଜଣା । ବରଡ଼ି ଗାଁର ଭଲ ମନ୍ଦ ଓ ଗାଈଗୋଠ କଥା ଛାଡ଼ିଦେଲେ ଆଉ ସେ ପୃଥିବୀର କିଛି ଜାଣେ ନାହିଁ । ଜାଣିବା ତାର ଦରକାର ହୁଏ ନାହିଁ ।

 

ତାରି ପାଖରେ ବସି ଅଧରାତିଯାଏ ସେ ଗପେ । ମନଖୋଲି ବଖାଣି ଯାଏ ।

 

ତାଙ୍କରି ରଇତ ପହିଲି ପଧାନ ଘର କଥା—କେଡ଼େ ଭଲ ମଣିଷ ପହଲି । ବୟସ ଆସି ଚାଳିଶି ପାଖେଇଲାଣି । ଛୁଆପିଲା ହୋଇ ତିନି । ଅଣ ଓସାରିଆ ଦି ବଖରା ଘର । ଚାଳ ଛପର । ଘରକୁ ଲାଗି ବାଡ଼ି । ପହିଲି ଭାରିଯାଟା ସବୁବେଳେ ବାଡ଼ି ବଗିଚାରେ ଲାଗିଥିବ । ଶାଗୁଟେ ମରିଚଟେ ଲଗେଇଲେ ହେଲେ ଓଳିଏ ଚଳିବ । କାହା ନଉଛନ୍ଦରେ ପଶି ଲାଭ କଣ ? ହାତରେ ଦି ମୁଠା ପାଣି କାଚ । ବେକରେ କଳାସୂତା ଦି ସୋରା । କାନରେ ସାନ ସାନ କାନ ଫୁଲ ଦିଓଟି । ଦେହଟି କଳା, ଗଢ଼ଣ ସୁନ୍ଦର । ଗାଈ ଯୋଡ଼େ ରଖିଛି । କ୍ଷୀର ପାଏ । ଗୋବର ଯାକ ଘସି ପକାଏ । ବେଳେ ବେଳେ ଖତଗଦାକୁ ଯାଏ ।

 

ପହଲି କାମିକା । ଜମି ବୋଲି ଦି’ ପା’ । ତଥାପି ଦଶ ବାରମାଣ ତାର ଚାଷ । ବାକି ଜମିଯାକ ଭାଗ ଚାଷକୁ ଧରିଛି । ଖଟେ । ଜମି ଉତୁରାଏ । ଫସଲ ଅମଳ କରେ । ଅଧେ ଦିଏ । ଅଧେ ନିଏ । ଲାଗିଥିବ । ସବୁବେଳେ କାମରେ ଲାଗିଥିବ । ଚାଷବାସ ବେଳ ନଥିଲେ, ଜମିରେ ମାଟି ତାଡ଼ୁଥିବ, ହିଡ଼ ଧରୁଥିବ । ଚାଷଦିନେ ସକାଳୁ ସଞ୍ଜଯାଏ ଚାଷ କାମ । ସମୟ ପାଇଲେ ଶୋଲରୀରେ ପଶିଲେ କାଠ ଗୋଛାଟେ ଆଣିବ । ତୁଛାଟାରେ ବସିବ କାହିଁକି ? ଭଗବାନ ତାକୁ ଚଳେଇ ନେଉଛନ୍ତି । ତା ସଚ୍ଚୋଟ ପଣିଆ ଯୋଗୁଁ ଭଗବାନ ତାକୁ ସାହା । ନୋହିଲେ ଦି’ ପା’ ଜମିରେ ସେ ପାଞ୍ଚପ୍ରାଣୀ କୁଟୁମ୍ୱ ଚଳାନ୍ତା କିପରି ?

 

ଆଉ ସେଇ ଯେଉଁ ପଲେଇଘର ରାଣ୍ଡବୁଢ଼ୀଟା ଅଛି—ଚାରିଦଉଡ଼ି କଟା । କାହାକୁ ଡର ନାହିଁ । କାହାକୁ ଖାତିର ନାହିଁ । ମାହାନ୍ତିଙ୍କ ସହିତେ ତାର ଖାତିର ନାହିଁ । କଳିକି ବାନା ବାନ୍ଧିଛି ବୋଲି ଜାଣ । ଦିନଯାକ ଦେଖେଇ ହେବ ଆଖିକି ଜାଲୁଜାଲୁଆ ଦିଶୁଛି ବୋଲି । ରାତିହେଲେ ୟା ତା’ ବାଡ଼ିରେ ପଶି ଲୁଚେଇ କରି ଲୁଣ୍ଡିବୁଲେଇବ । କଳିକି ବସା ବସେଇଛି ବୁଢ଼ୀଟା ।

 

ଆଉ ନାହାକଘର କଥା । ଚଳନ୍ତି ପକ୍ଷ । ମରଦ ଗୁଡ଼ାକ ଟିକିଏ ଟାଉଁ ଟାଉଁଆ ଖାଉଁ ଖାଉଁଆ ସିନା, ମାଈପି ଗୁଡ଼ାକ ଖୁବ୍‌ ଭଲ । ପେଟ ଚିହ୍ନିବେ । ଖାଇବାକୁ ଡାକି କରି ଦେବେ । ଦିଠା ଚାରିଠା କରିଥିବେ । ସାତ ସନ୍ଧିରେ ଲୁଚେଇ କରି ରଖିଥିଲେ ହେଲେ ଆମ୍ୱୁଲ ଟିକିଏ, ଆଚାର ଟିକିଏ କାଢ଼ିବେ । ଲକ୍ଷ୍ମୀବନ୍ତୀ ମାଈପିଗୁଡ଼ାକ । ଭଲରେ ଚଳନ୍ତି । ଅଭାବ ନାହିଁ ।

 

ଆଉ ରାଧାମାଧବ ମାହାନ୍ତିଏ । ସାକ୍ଷାତେ ଲକ୍ଷ୍ମୀବନ୍ତ ପୁରୁଷ । ଧନ ଯେମିତି ମନଟା ସେମିତି । ଠାକୁରେ ସିନା ପିଲା ବକଟେ ଦେଇ ନାହାନ୍ତି କୋଳକୁ, ନହିଲେ ତାଙ୍କପରି ମରଦ ଜଣେ ଏ ଚଉଦ କୋଶରେ ମିଳିବ ନାହିଁ । ତହିଁକି ସାଆନ୍ତାଣୀ ମାହାନ୍ତିଆଣିଏ ଲକ୍ଷ୍ମୀ ପ୍ରତିମା । ପେଟ ଚିହ୍ନିବେ । ଦୁଃଖିରଙ୍କୀଙ୍କ ହାରି ଗୁହାରି ବୁଝିବେ । ବ୍ରାହ୍ମଣ ବୈଷ୍ଣବ ବୋଇଲେ ତାଙ୍କର ପାଦ ତଳେ ନଲାଗେ । ଯାହା ମାଗିବ ଦେଇଦେବେ । ଆଳା ଅଛି । ଆମଦାନୀ ଅଛି । ତହିଁକି ଚାହିଁ ଖର୍ଚ୍ଚ ବି ଅଛି । କେବଳ ସିନା ପିଲା ବକଟେ କୋଳକୁ ଦେଇ ନାହାନ୍ତି ଭଗବାନ । ଆଉ କେଉଁଥିରେ ଅଭାବ ନାହିଁ । ତଳସାଲା ଓପର ସାଲା ହୋଇ ଦିଦାଣ୍ଡି ମେରଦା ଘର । କଣ ବା ଅଭାବ ଅଛି ?

 

ମାହାଙ୍କୁଡ଼ ଗପେ ।

 

ଗପି ଗପି ଅଧରାତି ହେଲେ ଗାଁକୁ ଫେରେ ।

 

ଡାଆଣୀ ଚିରୁଗୁଣୀ ଭୂତ ପ୍ରେତକୁ ତାର ଭୟ ନଥାଏ ।

 

ଠେଙ୍ଗା ଖଣ୍ଡେ ତା ହାତରେ ଥିଲେ ତାର କାହାରିକୁ ଡରନାହିଁ ।

 

ରଥପୁର ଗା ଠାକୁରାଣୀ ବୁଢ଼ୀମାଙ୍କ ପଛପାଖ ଶଗଡ଼ ଦଣ୍ଡା ପାର ହେଲେ ଅନ୍ଧାରୁଆ ଆମ୍ୱତୋଟା । ତାପରେ ବଂଶବତୀ ନଈ । ବଂଶବତୀକି ଲାଗି ଜଙ୍ଗଲିଆ ବୁଦା ଲଟା ଗୁଳ୍ମ ।

 

ତାପରେ ବ୍ରାହ୍ମଣ ଗଡ଼ି ଗହୀର ।

 

ତାପରେ ତେନ୍ତୁଳି ଗଛ ସନ୍ଧିରେ ବରଡ଼ି ।

 

ଡଗ ଡଗ ହୋଇ ଚାଲିଗଲେ ତାକୁ ଘଡ଼ିଏ ଲାଗେ । ଯେତେ ରାତି ହେଲେ ବି ସେ ଡରେ ନାହିଁ କି ଭୟ କରେ ନାହିଁ ।

 

ଯେବେ ସମୟ ପାଏ ସେ ତା ପାଖକୁ ଦୌଡ଼ିଆସେ ।

 

ତାଙ୍କ ଘରେ ପଖାଳ କଂସାଏ, କାଞ୍ଜି ଗିନାଏ ଖାଇଲେ ତାକୁ ତୃପ୍ତି ମିଳେ । ନାନୀଘର କାଞ୍ଜି ତାର ଅମୃତ ।

 

ବାୟା ତାର କର୍ମକର୍ମାଣି ଜଇ ଯଜମାନରେ ବ୍ୟସ୍ତ । ପୁରୋହିତ କରି ସେ ଯାହା ଆଣେ ସେଥିରେ ତାଙ୍କର ବର୍ଷକରୁ ଛମାସ ଚଳିଯାଏ । ବାକି ଛମାସ ଜମି ଆମଦାନୀରୁ ଚଳି ବଳକା ରୁହେ ସିନା ନଅଣ୍ଟ ପଡ଼େ ନାହିଁ ।

 

ବାୟା ସକାଳୁ ସକାଳୁ ତା ନିତ୍ୟ କର୍ମ ସାରି ଯେଜମାନ ଗାଁକୁ ଗଲେ ସେ ଘରେ ଏକା । ଘର ବୋଇଲେ ସେମାନେ ଦୁଇଜଣ, ସେ ଓ ବାୟା ।

 

କାଲିପରି ବରଷଟିଏ ବିତିଗଲାଣି । ବାତରେ ସଢ଼ି ସଢ଼ି ନନା ତାକୁ ଏକାଛାଡ଼ି ଚାଲି ଯାଇଛନ୍ତି । ତାରି ଚିନ୍ତାରେ ତାଙ୍କୁ ବାତ ଧରିଥିଲା । ପ୍ରାଣ ଛାଡ଼ିଲା ବେଳେ ମଧ୍ୟ ତାଙ୍କ ତୁଣ୍ଡରେ ତା’ରି ଚିନ୍ତା । କଣ ସେ ଭାବିଥିଲେ କଣ ହେଲା ତାଙ୍କ ସଂସାର । ସବୁ ତାଙ୍କରି ଲୀଳା । ସବୁ ତାଙ୍କରି ମାୟା ।

 

ମନ ବୁଝେ ନାହିଁ । ବାୟା ଚାଲିଗଲେ ସେ ଘରେ ଏକା ହୋଇ ବସିଲେ ନନାଙ୍କ କଥା ମନେ ପଡ଼େ । ବୋଉ କଥା ମନେ ପଡ଼େ । ଆଖିରୁ ପାଣି ଝରେ ।

 

ସଂସାରଟା ଏଇୟା । କର୍ମକର୍ଷଣ ଦେହ ସହେ, ଅରଣ୍ୟେ ଅଜଗର ପ୍ରାଏ । କେତେଦିନ ଆଉ ଏମିତି ଏକା ଚଳିବି ! ବାୟାକୁ ବୁଝେଇ ବୁଝେଇ ନୟାନ୍ତ ହେଲାଣି । ଟିକିଏ ଭଲା ସେ ତାକଥା ଶୁଣନ୍ତା । ସମୟ ଗଡ଼ି ଯାଉଛି । ବାୟାକୁ ଆସି ତିରିଶି । ବ୍ରାହ୍ମଣ ଘର ପିଲା । ଏତେ ଡେରିରେ ଝିଅ ଦେବାକୁ କିଏ ମଙ୍ଗିବ । ଆଉ ଡେରି କଲେ କଥାଟା ଅସୁନ୍ଦର । ଲୋକେ ତାକୁ ନିନ୍ଦିବେ । ପଚିଶ ଟପିଲେ ବୁଢ଼ା । ଏଥର ତାକୁ ରାଣ ନିୟମ ପକେଇ ମଙ୍ଗେଇବାକୁ ପଡ଼ିବ ।

 

ହାରାର କେବଳ ଏଇ ଗୋଟିକ ବଡ଼ ଚିନ୍ତା । ଫସଲ ଅମଳ ପରେ ସେ କୌଣସି ମତେ ହାତ ଗଣ୍ଠି ପକେଇଲେ ଯାଇ ସେ ନିଶ୍ୱାସ ମାରିବ ।

 

ପୌଷମାସ ସମୟ ।

 

ବ୍ରାହ୍ମଣ ଗଡ଼ିରେ ଧାନ କଟାକଟି ଚାଲିଛି ।

 

ତାଙ୍କ ବିଲରେ ଧାନ କଟା ଅଧାଅଧି ହୋଇଛି । ଆଉ ଦି ତିନି ଦିନଠି ଶେଷ ହେବ ।

 

ପ୍ରତିଦିନ ବାୟାକୁ ସାଙ୍ଗରେ ନେଇ ସେ ବିଲକୁ ଯାଉଛି । ଧାନ କଟା ଦେଖାଚାହାଁ କରୁଛି । ଅବଶ୍ୟ ପହିଲି ପଧାନ ଠେଇଁ ତାର ଅବିଶ୍ୱାସ ନାହିଁ । କେରାଏ ହେଲେ ଧାନ ସେ ଲୁଚେଇ ଛପେଇ ନେବ ନାହିଁ । ମାତ୍ର ନିଜର ଯେତେବେଳେ ଖେତ କିଆରୀ, ଧାନ କଟାକଟି ବେଳେ ହିଡ଼ମୁଣ୍ଡେ ନ ବସିଲେ ମନ ବୁଝେନାହିଁ ।

 

ନିଜ ଜମି ପ୍ରତି ଯେତେହେଲେ ତ ମମତା ଅଛି ।

 

ଦୁହେଁ ଯାଆନ୍ତି ।

 

ହିଡ଼ ମୁଣ୍ଡେ ବସନ୍ତି ।

 

ଧାନ କଟା ହୁଏ ।

 

ପହଲି ପଧାନ ଧାନ କାଟେ ।

 

ଏକୁଟିଆ ପାରେନାହିଁ ବୋଲି ଅଧିକ ମୂଲିଆ ଲଗାଏ । ଶୀଘ୍ର ଶୀଘ୍ର ଧାନକଟା ସରିଗଲେ ନାନୀ ଆଉ ହଇରାଣ ହେବନି ।

 

ତାକୁ ହିଡ଼ମୁଣ୍ଡେ ବସି ଧାନକଟା ଦେଖିବାକୁ ଭଲ ଲାଗେ ।

 

ସେ ଖାଲି ବସି ରହି ପାରେ ନାହିଁ ।

 

କେଉଁଠି ଧାନ ସୀସାଟିଏ ପଡ଼ିଗଲା ତ ତାକୁ ଗୋଟେଇ ରଖେ ।

 

ନିଜ ଧାନ କିଆରୀକି ଚାହେଁ ।

 

ଆଖ ପାଖ କିଆରୀକି ଦେଖେ ।

 

କିଆରୀ କିଆରୀ ପାଚିଲା ଧାନ ପବନରେ ମଥା ଦୋହଲଉଛନ୍ତି । କିଏ ଦିଶୁଛି ଧଳା, କିଏ ମାଟିଆ, କିଏ ଧୂସର, କିଏ କଷରା, କିଏ ନାଲି,—ରତନଚୁଡ଼ୀ, ପଦ୍ମକେଶରୀ, ଚମ୍ପା, ବାଙ୍କୋଇ, ବାରମାଣିଆ—ଏମିତି କେତେ ପ୍ରକାରର ।

 

ଗହୀର ସାରା ପାଚିଲା ଧାନର ମହକରେ ମହକି ଉଠୁଛି ।

 

ଠାଏ ଠାଏ ଧାନ କଟା ସରିଲାଣି ।

 

ଠାଏ ଠାଏ ଧାନ କଟା ଚାଲିଛି ।

 

ହେଇ, ତାଙ୍କ ବିଲ ତଳକୁ ଲାଗି ବାଞ୍ଛାନିଧି ଦଦେଇଙ୍କ ପୁଅ ରଘୁର ଜମି । ବିଚାରା ନିଜେ ଲାଗିଛି । ମୂଲିଆ ଲଗେଇଛି । ଧାନ କାଟୁଛି ।

 

ଆଖିରେ ପଡ଼ୁଛି କଳେଇ ଶଗଡ଼ ।

 

ଯାହାର ଆଗୁଆ କଟା ହୋଇଥିଲା ତାର କଳେଇ ବନ୍ଧା ହୋଇ ଶଗଡ଼ରେ ବୁହା ଚାଲିଛି ।

 

ଗଡ଼ି ସାରା ସୁନା ଫସଲର ରୂପ ସମ୍ଭାର । ଦେଖିଦେଲେ ପେଟ ପୂରିଯାଏ । ଚଷାପୁଅର ବର୍ଷଯାକ ତପସ୍ୟାର ଫଳ ଫଳିଛି । ମା ଧରିତ୍ରୀ ସୁନା ଫସଲକୁ କୋଳରେ ଧରି ଗର୍ବିତା ହୋଇଛି ଯେମିତି ।

 

ଗହୀର ସାରା କୋଳାହଳ ମୁଖରିତ ।

 

ଯେ ଯାହାର ଜମିରେ କାର୍ଯ୍ୟଲିପ୍ତ ।

 

ବିରାମ ବିହୀନ ଭାବରେ କାମରେ ଲାଗିଛି ଚଷାପୁଅ ।

 

କିଏ ବାଉଁଶ ଦେଉଛି ଧାନ ଉପରେ—ଏକ ପାଖିଆ ହୋଇ ଶୋଇଗଲେ କାଟିବାକୁ ସୁବିଧା ହେବ ।

 

ସେ ଦେଖୁଛି ।

 

ଗହୀର ମାଳା ଫୁଲି ଉଠିଛି ।

 

ରଘୁ ଧାନ କାଟୁଛି । ଲୋକ ଲଗେଇ କଟୋଉଛି ।

 

ତାଙ୍କ ଉପର ମୁଣ୍ଡ ବିଲରେ ବରଡ଼ି ନାହାକ ଘର ଚିରାଟେ ।

 

ତା ବାଁ ପଟକୁ ତାଙ୍କ ଗାଁ ଦାସ ଘର ବାଟିଏ ଜମି ।

 

ଡାହାଣ ପାଖ ଚିରାଟା ନନ୍ଦ ଘର ।

 

ସବୁ କିଆରୀରେ ଫସଲର ମଧୁଗନ୍ଧ ଭରିଛି ।

 

ସବୁ କିଆରୀରେ ଫସଲର ମନ ମତାଣିଆ ବାସନା ।

 

ଫସଲ ଫଳିଛି ।

 

ଫଳିଛି ଚଷା ପୁଅର ବର୍ଷକର କର୍ମଫଳ ।

 

ତାକୋଇ ଅମଳ କଲେ ଏ ମଣିଷ ଜାତିଟା ବଞ୍ଚିବ । ନଚେତ୍‌ ମଣିଷ ଜାତିଟାର ମୃତ୍ୟୁ ।

 

ପୌଷ ମାସରେ ଗହୀର ମାଳର ଏ ଦୃଶ୍ୟ ଦେଖିଲେ ମନ ଆନନ୍ଦରେ ପୂରି ଉଠୁଛି ।

 

ଅଦୂରରେ ଶୋଲରୀ ।

 

ତା ତଳେ ପାଖାପାଖି ଦୁଇଟି ତାଳଗଛ । ସତେଅବା ଦୁଇଜଣ ଜାଗ୍ରତ ପ୍ରହରୀ ।

 

ଶୋଲରୀ ଦେହରେ ଜୀବନ ଜାଗିଛି ।

 

ତା ଦେହରେ ପୌଷର କୋମଳ ପରଶ ଲାଗିଛି ।

 

ସେ ଚାହିଁ ରହିଛି ସୁନା ଫସଲର ମଥାଲହରା ହସ ହସ ରଙ୍ଗିନ ମୁହଁଟିକୁ । କେଡ଼େ ସୁନ୍ଦର ଦିଶୁଛି ସତେ କିଆରୀ କିଆରୀ ପାଚିଲା ଧାନର ଚାହାଣୀ, ଆଉ ତା ଭିତରେ କର୍ମରତ ମଣିଷମାନଙ୍କ ବଳିଷ୍ଠ ଦେହର ରୂପ ଯୌବନ ।

 

ପେଟ ପୂରି ଯାଉଛି ।

 

ମନ ତୋଷି ହୋଇ ଯାଉଛି ।

 

ଆକାଶରେ କେତେ ରଙ୍ଗର ଚଢ଼େଇ ଚକ୍‌କର କାଟୁଛନ୍ତି । ସେମାନେ ଘୂରି ବୁଲୁଛନ୍ତି । ଗହୀର ମଝିରେ ଯେଉଁ ଲିମ୍ୱଗଛ ତା’ରି ଉପରେ ମେଳା ଜମୋଉଛନ୍ତି । ଉଡ଼ୁଛନ୍ତି । ବୁଲୁଛନ୍ତି । ଚେଁ ଚାଁ ରାବରେ ମୁଖରିତ କରୁଛନ୍ତି ଗହୀରମାଳ ।

 

ଛୋଟ ଛୋଟ ନାଁ-ନଜଣା ଚଢ଼େଇ ଗୁଡ଼ାକ ଧାନ ସୀସା ଥଣ୍ଟରେ ନେଇ ଉଡ଼ି ଯାଉଛନ୍ତି-। ଡର ନାହିଁ । ଭୟ ନାହିଁ । ବାଧା ନାହିଁ । ବିପଦ ନାହିଁ । ସେମାନେ ବେଶ୍‌ ମୁକ୍ତ । ବେଶ୍‌ ସ୍ୱାଧୀନ-

 

ସେ ଦେଖୁଛି ।

 

ବାୟା କିଆରୀ ଭିତରେ କଟା ଧାନ ସବୁ ସଜାଡ଼ି ରଖୁଛି ।

 

ଧାନ କଟା ଲାଗିଛି ।

 

ଚଷା ପୁଅ ଗୀତ ଗାଇ ଗାଇ ଧାନ କାଟୁଛି ।

 

ବେଳ ଲେଉଟି ଆସୁଛି ।

 

ଆକାଶରେ ବଗପକ୍ଷୀ ଧଳା ଧଳା ପକ୍ଷ ମେଲେଇ ଉଡ଼ିଯାଉଛନ୍ତି ପୂର୍ବ ଦିଗକୁ । ମନେ ହେଉଛି ସତେଅବା ଧବଳ ମଲ୍ଲୀମାଳାଟିଏ ବ୍ରାହ୍ମଣଗଡ଼ି ବେକରେ ଲମ୍ୱି ଯାଇଛି ।

 

ବେଳ ବୁଡ଼ି ବୁଡ଼ି ଯାଉଛି ।

 

ବେଳ ବୁଡ଼ ଯାଏ କାମ । ତାପରେ ସେ ବାୟା ସହିତ ଫେରିବ ।

 

ଆଜି ଧାନ କଟା ଯେତିକି ହେଲା ସେତିକି । ବିଲ ଜଗିବାକୁ ପହଲି ଅଛି ।

 

ତାର ସେ ବିଷୟରେ ଚିନ୍ତା କରିବାର ଦରକାର ନାହିଁ ।

 

ସୂର୍ଯ ନଇଁ ଗଲାଣି ।

 

ଆକାଶରୁ ଆଲୁଅ ଲିଭିନାହିଁ ।

 

ଗୋଧୂଳୀ ପାଦ ଦେଇଛି ଆକାଶ ବୁକୁରେ ।

 

ମୁଣ୍ଡ ଉପର ଦେଇ ଦୁଇଟି ଭଦଭଦଳିଆ ଚଢ଼େଇ ଉଡ଼ି ଉଡ଼ି ଯାଉଛନ୍ତି ।

 

ଗୋଧୂଳୀର ଏଇ ଧ୍ୟାନ ଗମ୍ଭୀର ବେଳାଟିରେ, ଯେତେବେଳେ ଆକାଶରେ ସୂର୍ଯ ନାଇଁ, ଆଲୁଅ ଅଛି—ପଶ୍ଚିମ ଦିଗନ୍ତରେ ରଙ୍ଗର ଜୁଆର ଉଠିଛି, ଏଇ ଦୁଇଟି ଉଡ଼ନ୍ତା ଭଦଭଦଳିଆର ଡେଣାରେ ଲେସି ହୋଇଥିବା ଫିକା ନୀଳବର୍ଣ୍ଣକୁ ଚାହିଁଲେ ମନରେ ସୃଷ୍ଟି ବୀଣାର ସନାତନ ସତ୍ୟର ସ୍ପର୍ଶ ଲାଗୁଛି । ମନେ ହେଉଛି ସୃଜନର ବୈଚିତ୍ର୍ୟ ହିଁ ଚିରନ୍ତନ ସତ୍ୟ ।

 

ସେମାନେ ମୁଣ୍ଡ ଉପର ଦେଇ ଉଲ୍ଲାସରେ ଉଡ଼ି ଯାଉଛନ୍ତି ।

 

ସେ ବାୟା ସହିତ ହିଡ଼େ ହିଡ଼େ ଫେରୁଛି ଗାଁକୁ ।

 

ଗୋଧୂଳୀ ଆଲୋକ ଧୀରେ ଧୀରେ ଆକାଶରୁ ଅପସରି ଯାଉଛି ।

 

ଆଗେ ଆସେ ସେ, ପଛେ ପଛେ ବାୟା, ଚାଲିଛନ୍ତି ।

 

ପଛକୁ ପଛକୁ ରହି ଯାଉଛି ବ୍ରାହ୍ମଣ ଗଡ଼ି ।

 

ଗହୀର ମୁଣ୍ଡ ବାଟ ହିଡ଼ ଭାଙ୍ଗି ଦୁହେଁ ତଳକୁ ଖସିଲେ । ବୁଦୁବୁଦୁକିଆ ଗହଳିଆ ବୁଦାଲତା ଗୁଳ୍ମ । ଅନାବନା । ତା’ରି ଭିତରେ ଶଗଡ଼ ଡାହି ।

 

ଯାଉ ଯାଉ ସେ ପଚାରିଲା—ହଇରେ ବାୟା, ପାଟ ଦେଈ ପୁର ତିଆଡ଼ିଘର ଖବର ଦେଇଥିଲେ । ଚାରିପାଞ୍ଚଥର ଖବର ଦେଲେଣି । କଣ ଉତ୍ତର ଦେବି କହିଲୁ ? ଆଉ ଡେରିକଲେ କଥା ସୁନ୍ଦର ହେବନି । ଏଥର ତ ତୋର ସଂସାର ଦରକାର ।

 

ବାୟା କିଛି ଉତ୍ତର ଦେଲା ନାହିଁ । ତୁନି ହୋଇ ପଛେ ପଛେ ଚାଲିଲା ।

 

ସେ ପୁଣି ଥରେ ପଚାରିଲା—ତୁ ଯଦି ମଙ୍ଗିବୁ ତା ହେଲେ ମୁଁ ଯାଇ ତାଙ୍କ ଘରେ କନ୍ୟା ଦେଖି ଆସିବି । ଆସନ୍ତା ଫଗୁଣ ଚୈତ୍ରକୁ କାମ ତୁଲେଇ ଦେବା । କୁଳ ତ ପୁଣି ରହିବ । ନନା କଣ ଅଛନ୍ତି ଯେ ସବୁ କରିବେ । ମୁଁ ଆଉ ଏକୁଟିଆ କେତେଦିନ ଖଟିବି କହିଲୁ ?

 

ବାୟା ଶୁଣୁଥିଲା, କହିଲା—ତୋର ଯଦି ମନ ପାଉଛି କର । ଆଉ ଆମର କିଏ ମୁରବୀ ଅଛନ୍ତି ଯେ କରିବ !

 

ବାୟା କଥାରେ ସେ ଖୁବ୍‌ ଖୁସି ହୋଇଗଲା । କେତେଦିନକେ ବାୟା ମଙ୍ଗିଛି । ତାର ବାହାଘର ହେବ । ସେ ଅଣ୍ଟାଭିଡ଼ି ନିଜେ ସବୁ କରିବ । ମାଈପି ହେଲେ କଣହେଲା ତାକୁ ସବୁ କାମ ଜଣା ।

 

ସେ ବାୟାର ବାହାଘର ନିଜେ ଯୋଗାଡ଼ କରିବ । କଣ ପାରିବ ନାହିଁ ?

 

ତା ମନରେ ଅସରନ୍ତି ଆନନ୍ଦର ବିଜୁଳି ମାରିଲା ।

 

ସେ ଆକାଶକୁ ଚାହିଁଲା ।

 

ଭଦଭଦଳିଆ ଚଢ଼େଇ ଯୋଡ଼ିକ କୁଆଡ଼େ ଅଦୃଶ୍ୟ ହେଲେଣି ।

 

ଗୋଧୂଳି ଆଲୁଅ ମଳିନ ପଡ଼ି ଆସିଲାଣି ।

 

ପାଞ୍ଚ ପାହୁଣ୍ଡ ଆଗରେ ବଂଶବତୀ ନଈ ।

 

ବଂଶବତୀ ନଈରେ ଆଣ୍ଠୁଏ ପାଣି କଳକଳ ହୋଇ ବହି ଯାଉଛି ।

 

ଦୁହେଁ ନଈ ପାଣିରେ ପଶିଲେ ।

 

କେଡ଼େ ଶୀତଳ ଲାଗୁଛି ପାଦକୁ ।

 

ଦୁହେଁ ମୁହଁ ହାତ ଧୋଇଲେ ।

 

ପୋଛା ପୋଛି ହେଲେ ।

 

ଦେହକୁ ଶୀତଳ ଲାଗିଲା ।

 

ଦିନଯାକର କ୍ଳାନ୍ତି ଦୂର ହେଲା ।

 

ନଈଟା ବହି ଯାଉଛି । ବହି ଯାଉଛି ସେ ଅସ୍ପଷ୍ଟ ଛନ୍ଦ ରଚନା କରି । ସେ କାହାରିକି ଅପେକ୍ଷା କରୁ ନାହିଁ । ସେ କାହାରିକି ଖାତିରି କରୁନାହିଁ । ଉନ୍ମନାହୋଇ ତଳକୁ ବହିଯାଉଛି । ମିଶିଯିବ ଚିଲିକାର ଅନ୍ତରାତ୍ମାରେ ।

 

ଏକାକୀ ସେ ବହିଯାଉଛି ।

 

ବହୁଥାଉ ।

 

ନଈପାଣିରେ ଧୁଆଧୋଇ ହୋଇ ଦୁହେଁ ଆରପାଖ କୂଳକୁ ଉଠିଲେ ।

 

ଶଗଡ଼ ଦଣ୍ଡା ଲମ୍ୱିଛି ।

 

ଦି ପାଖେ ଗହୀର ।

 

ମଝିରେ ଦୁଇଟି ଶଗଡ଼ ପାର ହେଲାପରି ଦଣ୍ଡା ।

 

ଦଣ୍ଡା ଦି ପାଖେ ଆମ୍ୱଗଛ, ବରଗଛ, ତାଳଗଛ, ଡିମିରିଗଛ ଓ ଖଜୁରିଗଛ । ନଈ ଉପରୁ କିଛି ଦୂର ଗଲେ ଦଣ୍ଡା ।

 

ଦଣ୍ଡା ଯେଉଁଠୁ ଆରମ୍ଭ ହୋଇଛି ସେଇଠି ଏକ ପାଖିଆ ହୋଇ ଛୋଟ ଗୋଟିଏ ଗାଡ଼ିଆ । ରଥପୁର ହେଲା କାଳରୁ ଗାଡ଼ିଆ ଅଛି । ଲୋକେ କହନ୍ତି ବାହାର ଗାଡ଼ିଆ ।

 

ବାହାର ଗାଡ଼ିଆ ପାଖରୁ ଆରମ୍ଭ ହୋଇଛି ଶଗଡ଼ ଦଣ୍ଡା । ଆରପାଖେ ଲମ୍ୱିଛି ଗହୀରମାଳା । ଏ ଗହୀରମାଳା କିଛିବାଟଯାଇ ମିଶିଛି ରଥଗହୀର ସାଥିରେ ।

 

ବାହାର ଗାଡ଼ିଆ ଉପରେ ଠିଆ ହୋଇ ଚାହିଁଲେ ପାଖକେ ଦିଶେ ରଥ ଗହୀର । ତା ପରେ ମଶାଣିଦଣ୍ଡାର କିଆଗୋହିରୀ—ଆଉଦିଶେ ଦୂରରୁ ରେଲଲାଇନ । ଆର ପାଖେ ଚିଲିକା । ଆଉ ପାଖକେ ଦିଶେ ନଡ଼ିଆ ଗଛ ଗହଳି ସନ୍ଧିରେ ରଥପୁର ଶାସନ । ପଛକୁ ଅନେଇଁଲେ ବଂଶବତୀ । ତାପରେ ବ୍ରାହ୍ମଣ ଗଡ଼ି । ତାପରେ ଶୋଲରୀ । କଣେଇ କରି ଦିଶେ ତେନ୍ତୁଳି କଇଠ ଗଛ ସନ୍ଧିରେ ବରଡ଼ି ।

 

ବାହାର ଗାଡ଼ିଆରେ ବର୍ଷସାରା ପାଣି ରହେ । ମାଘ ଫଗୁଣକୁ ପାଣି ଶୁଖି ଆସିଲେ ରଥପୁର ଗାଁ ବାଲା ଗାଡ଼ିଆ ଗୋଳି କରନ୍ତି । ଏ ଗାଡ଼ିଆରେ ପୁରୁଷାନୁକ୍ରମେ ରଥପୁର ଗାଁ ବାଲାଙ୍କର ଅଧିକାର । ଗାଡ଼ିଆରେ ଜାଲ ପକେଇ ଦେବାକୁ ଆଉ କେଉଁ ଗାଁ ବାଲାଙ୍କର ଅଧିକାର ନାହିଁ । ଗୋଳି ହେଲେ କେତେ ଯେ ମାଛ ମରନ୍ତି ହିସାବ ନାହିଁ ।

 

ବାହାର ଗାଡ଼ିଆ ମାଛ ଭଣ୍ଡାର ।

 

ବାହାର ଗାଡ଼ିଆ ଚାରିପାଖେ ପୁରୁଷେ ଉଚ୍ଚର ହୁଡ଼ା ।

 

ଦୁହେଁ ଚାଲି ଚାଲି ହୁଡ଼ା ଉପରକୁ ଉଠିଲେ ।

 

ଏଇଠୁ ଦିଶୁଛି ଝାପସା ଝାପସା ମଶାଣି ଦଣ୍ଡା । ବଡ଼ ପୋଖରୀ ସେ ମୁଣ୍ଡୁ କିଆ ଗୋହିରୀ ପାଖକୁ ଲାଗି ମଶାଣି ଦଣ୍ଡା । ଦିଶି ଯାଉଛି ମଶାଣି ଦଣ୍ଡା ଉପରେ ଠିଆ ହୋଇଥିବା ବର ଓସ୍ତ ଗଛ ଦିଓଟି । ଗଛ ଦିଓଟିକୁ ଚାହିଁ ଦେଲେ ମନରେ ଭରିଯାଉଛି କେତେ ପୁରୁଣା ସ୍ମୃତି ।

 

ଗଛ ଦିଓଟି ଉପରେ ସତେ ଯେମିତି ରଥପୁର ଗାଁର ସେମାନେ—ଯେଉଁମାନେ ବେଳ ଅବେଳ, ବାଡ଼ି ବସନ୍ତରେ ଚାଲି ଯାଉଛନ୍ତି—ଲୁଚକାଳି ଖେଳୁଛନ୍ତି ।

 

ଗୋଧୂଳୀ ନଇଁ ଆସିଲେ, ମୁହଁ ସଞ୍ଜବେଳେ ହେଲେ ସେମାନେ ସେଇଠି ଜୀଇ ଉଠନ୍ତି-। ସେଇ ଗଛ ଡାଳରେ ବସି ସେମାନେ ଚାହାଁନ୍ତି ଚଉଦିଗକୁ । ଗହୀରମାଳା ଦିଶେ । ବାହାର ଗାଡ଼ିଆ ଦିଶେ । ବଂଶବତୀ ନଈର କ୍ଷୀଣ ଜଳଧାରା ଦିଶେ । ଦିଶେ ବଡ଼ ପୋଖରୀ କୂଳରେ ମହାଦେବଙ୍କ ଦେଉଳ । ତାପରେ ଆମ୍ୱଗଛ ଗହଳି । ତାପରେ ରଥପୁର ଶାସନରେ ଇଷ୍ଟ ଦେବତା, ଗୋପୀନାଥଙ୍କ ଦେଉଳ । ଦେଉଳର ଘଣ୍ଟା କାହାଳୀ ସେମାନେ ଶୁଣନ୍ତି । ସଞ୍ଜଦୀପ ଶିଖାରେ ନିଜକୁ ଦେଖନ୍ତି । ତାପରେ ରାତି ହୁଏ । ଚଉଦିଗରେ ଛାଇଯାଏ ବିରାଟ ଶୂନ୍ୟତା । ସେମାନେ ଗଛଡ଼ାଳରେ ବସି ଚାହାନ୍ତି । ଭାବନ୍ତି । ସତରେ କେତେ ପରିବର୍ତ୍ତନ ହେଲାଣି ରଥପୁରର । ତାଙ୍କରି ପିଲା କବିଲା ଯେଉଁମାନଙ୍କୁ ସେମାନେ ନିଃସହାୟ ଅବସ୍ଥାରେ କାନ୍ଦଣାରେ ଭସେଇ ଛାଡ଼ି ଦେଇ ଯାଇଥିଲେ ସେମାନେ କେଡ଼ୁଟିଏମାନ ହେଲେଣି । ସଂସାର କଲେଣି । କେହି କେହି ବୁଢ଼ା ହେଲେଣି । ସେମାନଙ୍କ ପାଖକୁ ଯିବାର ବେଳ ଆସିଲାଣି ।

 

ଦିଶିଯାଉଛି ମଶାଣି ଦଣ୍ଡାର ବରଓସ୍ତ ଦିଓଟି ଝାପ୍‌ସା ଆଲୁଅରେ । ତାଭିତରେ ଉଜଳି ଉଠୁଛି ନନା ବୋଉଙ୍କର ପ୍ରଶାନ୍ତ ପାବନ ମୁହଁ ଦୁଇଟି । ସେମାନେ ସେଇ ଗଛ ଡାଳରେ ବସି ତାଙ୍କ କଥା ଭାବୁଥିବେ । ତାଙ୍କୋଇ ଚାହୁଁଥିବେ । ମନ ବୁଝୁ ନଥିବ । ବାୟା ସଂସାର କରି ନାହିଁ । ତା ସାଥିର ପିଲେ ଛୁଆ କାଖେଇଲେଣି ।

 

ମଶାଣି ଦଣ୍ଡାର କିଆ ଗୋହିରୀକି ଚାହିଁଲେ ମନ ବିକଳ ହେଉଛି ।

 

କେତେ ପୁରୁଣା ସ୍ମୃତି ମନ ଭିତରେ ଗୁମୁରି ଉଠୁଛି ।

 

ମୁହଁ ସଞ୍ଜ ବେଳ ହେଲାଣି ।

 

ଆଉ ଭାବିବାକୁ ତରନାହିଁ ।

 

ସେ ବାହାର ଗାଡ଼ିଆ ତଳକୁ ଖସିଲା ।

 

ପଛେ ପଛେ ବାୟା ।

 

ଆଗେ ଆଗେ ଶଗଡ଼ ଦଣ୍ଡା । ଲମ୍ୱି ଯାଇଛି ଗାଁ ଠାକୁରାଣୀ ବୁଢ଼ୀମା’ଙ୍କ ଦେଉଳ ପଛଯାଏଁ ।

 

ଆଗେ ଆଗେ ସେ ଗୋଡ଼ ବଢ଼େଇ ଚାଲିଛି ।

 

ଅଳ୍ପ ଦୂରରେ ବାଁ କଡ଼େ କଡ଼େ ବିଲୁଆ ଦୁଇଟା ଦୌଡ଼ିଛନ୍ତି ।

 

ମନରେ ଅହେତୁକ ଆନନ୍ଦର ଢେଉ ।

 

କେତେ କାଳକେ ବାୟା ରାଜି ହୋଇଛି । ବାହାହେବ । ତା ପାଇଁ ସେ ବୋହୂ ବାଛିବ । ବାହାଘର କରେଇବ । ଭୋଜିଭାତ କରେଇବ । ଗୋପୀନାଥଙ୍କଠି ଯନ୍ତାଳ କରେଇ ଗାଁ ବାଲାଙ୍କୁ ଖାଇବାକୁ ଦେବ ।

 

ମନ ନାଚି ଉଠୁଛି ।

 

ଗୋଡ଼ ତଳେ ପଡ଼ୁନି ।

 

ସେ ଦଣ୍ଡାରେ ଦଣ୍ଡାରେ ଦାଣ୍ଡେଇଛି ।

 

ଆଲୁଅ ପୂରାପୂରି ଲିଭି ଗଲାଣି ।

 

ଅନ୍ଧାର ମାଡ଼ି ଆସୁଛି ।

 

ଠାକୁରାଣୀଙ୍କ ଦେଉଳ ପାଖରେ କାହାଳିଆର କାହାଳୀ ଶବ୍ଦ ଶୁଭିଲାଣି ।

 

ସେ ମନେ ମନେ ଭାବିଲା—ବୋଉଲୋ, ବାୟା ବାହାଘର ଏଇ ଫଗୁଣ ଚୈତ୍ରରେ କରେଇ ଦେବି । ତୁ ଆଉ ମୋ ଉପରେ ରାଗିବୁ ନାହିଁ । ନନାଙ୍କୁ କହିବୁ ସେପାରିରୁ ଆଶୀର୍ବାଦ କରିବେ । ପାଟଦେଈପୁର ତ୍ରିପାଠୀ ଘରେ କରିବି ଲୋ ବୋଉ । ଭଲ ବୋହୂଟିଏ ଘରକୁ ଆଣିବି ।

 

ସେ ଆଖି ପୋଛିଲା ।

 

ଗାଁ ମୁଣ୍ଡ ଠାକୁରାଣୀଙ୍କ ଦେଉଳ ହେଲାଣି ।

 

ସେ ଗାଁରେ ପଶିଲା ।

 

ଧାନ ଅମଳ ସରିଛି ।

 

ଏ ବର୍ଷ ସଅଳ ସଅଳ ଧାନ ଅମଳ କରିଦେଇଛି ସେ ।

 

ଧାନ କୋଟା ଦେଇ ଚାଉଳ କରି ଆଣିଛି ।

 

ଘରଦ୍ୱାର ଲିପା ପୋଛା କରି ନିର୍ମଳ କରିଛି ।

 

ନଡ଼ିଆ ଗଛରୁ ଝଡ଼ାଝଡ଼ି କରି ନଡ଼ିଆ ଦିପଶ ହେବ ବାହାର କରିଛି । ବାହାଘର କାମରେ ଲାଗିବ ।

 

କେତେଆଡ଼ୁ କେତେ ପନିପରିବା ଯୋଗାଡ଼ କରିଛି ସେ । ସାତ ମରଦଠୁ ବଳିବ ।

 

ଫଗୁଣ ଶେଷ ଦଶମୀରେ ବାହାଘର ।

 

ସବୁ ଆଗରୁ ଠିକଣା ସରିଛି ।

 

କନ୍ୟାଟି ଦେଖିବାକୁ ସୁନ୍ଦର । ବାୟାକୁ ମାନିବ । ଘରକାମକୁ ପାରିବ ।

 

ପାଟଦେଈପୁର ତ୍ରିପାଠୀଙ୍କ ଘର ଝିଅ । କୁଳ ଅଛି । ସେ ନିଜେ ଦେଖି ହାତରେ ମୁଦି ପିନ୍ଧେଇ ଆସିଛି ।

 

ଗୋଡ଼ ତାର ଭୂଇଁରେ ଲାଗୁନି । ବାୟା ବାହା ହେବ । ସେ ସଂସାର କରିବ । ନିଛାଟିଆ ଜୀବନଟାର ଶୂନ୍ୟତା ଦୂର ହେବ । ଆଉ ତା ଜୀବନର ଯେଉଁ ସ୍ୱପ୍ନ ତାକୁ ସେ ରୂପ ଦେବ । ସେ ତାର କୁଳ ଉଦ୍ଧାର କରିବ । ସେ ମହାପାତ୍ର ବଂଶରେ ଗଛଟିଏ ଉତୁରେଇବ ।

 

କେଡ଼େ ଖୁସି ନ ହେବ ସେ ମତେ ।

 

ସ୍ୱର୍ଗରୁ ସେ ଆଶୀର୍ବାଦ କରିବେ । ସ୍ୱର୍ଗରେ ଥାଇ ସେ ଆନନ୍ଦିତ ହେବେ । ତାଙ୍କରି ପାଇଁ ତାର ଏ ତପସ୍ୟା । ତାଙ୍କରି ପାଇଁ ତାର ଏକନିଷ୍ଠ ସାଧନା ।

 

ତାର ସ୍ୱପ୍ନକୁ ରୂପ ଦେବାପାଇଁ ସେ କେତେ କଷ୍ଟ ନ ସହିଛି । ଯିଏ ଯାହା କହୁପଛେ ତାର ଖାତିର ନାହିଁ । ସେ କାହାରିକୁ ଡରି ନାହିଁ । କାହା ଉପରେ ଭରସା କରିନାହିଁ । ନିଜ ଉପରେ ତାର ନିଜର ଭରସା । ସେ ନିଜକୁ ନିଜେ ଚଳେଇ ଶିଖିଛି । ତା ନିଜ କାମ ଉପରେ ତାର ଅଧିକାର-

 

ଜୀବନରେ କେତେ ଅନୁଭୂତି ଅଙ୍ଗେ ନିଭେଇଲାଣି ସେ ।

 

ସେ ପଦାକୁ ଗୋଡ଼ କାଢ଼ିଛି ବୋଲି କିଏ କେତେ ପ୍ରକାରେ ଚୁଗୁଲି କରନ୍ତି । ତା କାନରେ ପଡ଼େ । ସେ ସେଥିରେ ଚହଲି ଯାଏ ନାହିଁ । ମନରେ ଦମ୍ଭ ବାନ୍ଧେ । ମନରେ ସାହସ ଠୁଳ କରେ । ତା କାମ ତାକୁ ହିଁ କରିଯିବାକୁ ହେବ । ତାହେଲେ ଯାଇ ତା ଜୀବନର ସ୍ୱପ୍ନ ସାର୍ଥକ । ତା ହେଲେ ତା ବଞ୍ଚିରହିବାର ମହତ୍ତ୍ୱ ଫୁଟିବ ।

 

ବାୟାର ବାହାଘର ଆୟୋଜନରେ ସେ ମାତିଛି ।

 

ଉତ୍ସାହ ଆଗ୍ରହ ଆନନ୍ଦରେ କୂଳ ଲଙ୍ଘିଛି ସେ ।

 

ଆଉ ଦିନ ଚାରିଟାରେ ବାହାଘର ।

 

ଖୋଜି ଲୋଡ଼ି ବନ୍ଧୁବାନ୍ଧବ ଜ୍ଞାତି କୁଟୁମ୍ୱ ସାଙ୍ଗସୁଖ ସମସ୍ତିଙ୍କି ସେ ଡାକିଛି ।

 

ଗୋପୀନାଥଙ୍କଠାରେ ରନ୍ଧା ଭୋଜନ କରେଇ ଗାଁ ବାଲାଙ୍କୁ ଖାଇବାକୁ ଦେଇଛି ।

 

ବରଡ଼ିଆଙ୍କୁ ଡାକିଛି । ସେବା ସେବେଇତଙ୍କୁ ଡାକିଛି । କୌଣସିଟିରେ ଅବହେଳା କରିନାହିଁ ।

 

ସୁରୁଖୁରୁରେ ସବୁକାମ ହୋଇ ଯାଉଛି । ସମସ୍ତିଙ୍କ ସାହାଯ୍ୟ ସହାନୁଭୂତି ମିଳିଛି । କେତେ ଖୁସି ନ ହେଉଛି ସେ ସତେ !

 

ବାହାଘର ଶେଷ ହୋଇଛି ।

 

ବରଯାତ୍ରୀ ଯଥାମାନ୍ୟ ପାଇ ଆନନ୍ଦରେ ଫେରିଛନ୍ତି ।

 

କନ୍ୟା ଦେଖି ସମସ୍ତେ ଖୁସି ।

 

ସବୁକାମ ନିର୍ବିଘ୍ନରେ ହୋଇ ଯାଇଛି ।

 

ତେଣୁ ତା ମନର ଅନ୍ଧାର ସନ୍ଧିରେ ଆଲୁଅ ଜଳିଛି । ସେ ମନେ କରିଛି ତା ଜୀବନରୁ ସତେ ଯେମିତି ଗୋଟିଏ ବିରାଟ ବୋଝ ଓହ୍ଲେଇଲା ।

 

ବାୟାର ବାହାଘର ସରିଲା । ଆଉ ତା ସହିତ ତା ସ୍ୱପ୍ନର ପ୍ରଥମ ସୋପାନ ରୂପନେଲା-

 

ଏଣିକି ବାୟା ସଂସାର କରିବ । ଘରକଥା ବୁଝିବ । ଲୁଣ ତେଲର ସଂସାର ଚଳେଇବ । ତାକୁ ଟିକିଏ ଶାନ୍ତିରେ ନିଶ୍ୱାସ ମାରିବାକୁ ସମୟ ମିଳିବ ।

 

ଶାନ୍ତିରେ ବସି ସେ ତାଙ୍କରି କଥା ଚିନ୍ତା କରିବ । ତାଙ୍କରି କଥା ଭାବିବ । କହିବ—ତୁମେ ଚାଲିଗଲ ସିନା । ଦେଖିବ ତୁମରି ମୁକ୍ତି ପାଇଁ ମୁଁ କିପରି ଏଇଠି ଦୁର୍ଗଟିଏ ତିଆରି କରିଛି । ତୁମପାଇଁ ପାଣି ପାତ୍ରିଏର ସବୁ ଠିକଣା କରୁଛି । ଖାଲି ତୁମଲାଗି ଏ ପୋଡ଼ା ପ୍ରାଣଟାକୁ ସାଇତି ରଖିଛି ସିନା । ଆଉ କେତେଟା ବର୍ଷ ଅପେକ୍ଷା କର । ଅମୃତ ଦୃଷ୍ଟିରେ ଚାହିଁଥାଅ । ଦେଖିବ ମହାପାତ୍ର ବଂଶର ଟେକପାଇଁ ମୁଁ କଣ ସବୁ କରି ଯାଉଛି । ଏ ଗାଁର ଯୋଉଁମାନେ ସେ ପୁରରେ ତୁମକୁ ଭେଟିବେ ତାଙ୍କୁ ପଚାରି ବୁଝିବ । ତାଙ୍କରିଠାରୁ ଶୁଣିବ ତୁମ ସାନଭାଇ ନଟବର କଥା । କଣ ଥିଲା କଣ କଲା ସେ । ମହାପାତ୍ର ବଂଶର ଗୁଣଗାରିମା, ସର୍ବସ୍ୱ ଧୂଳିସାତ୍‌ କରିଦେଲା ଚଣ୍ଡାଳ । ସେ ଘର ଗଲା । ସେ ମାନ ମହତ୍ତ୍ୱ ଗଲା । ହେଉ, ତା କର୍ମଫଳ ସେ ଭୋଗ କରୁଛି । ଦେଖୁନ, ମୁଁ କେମିତି ଏଇଠି ମୋ କର୍ମଫଳ ଭୋଗ କରୁଛି । ଦିନଟିଏ ମୋର ଯୁଗଟିଏ । ମୋତେ ହେଲେ ସାଥିରେ ନେଇଯାଇଥାନ୍ତ ! ତୁମେ ସେପୁରରେ ଶାନ୍ତିରେ ରୁହ । ମୁଁ ଏଇଠି ତୁମପାଇଁ ଜୀବନ ବିତାଏ ।

 

ତାର ମନରେ ଅଜଣା ସ୍ମୃତି ।

 

ଏଥର ତାକୁ ନିରୋଳାରେ ବସି ଭାବିବାକୁ ସମୟ ମିଳିବ ।

 

ବାହାଘର ସରି ଯାଇଛି ।

 

ଆଶ୍ୱସ୍ତିର ନିଶ୍ୱାସ ମାରିଛି ସିଏ ।

 

ବରଷଟିଏ କାଲିପରି ବହିଯିବ ।

 

ତା’ ପରେ ବୋହୂଘରକୁ ଆସିଲେ ତା ଦାୟିତ୍ୱ ସରିଲା ।

 

ବୋହୂଘର କାମ ଦେଖିବ । ଘର ଜଞ୍ଜାଳ ତୁଲେଇବ । ତାର ବା କି କାମ । ତେଣିକି ସେ ଗୋପୀନାଥଙ୍କ ସେବା କରିବ । ତାଙ୍କରି ପାଦରେ ଧ୍ୟାନ ଦେବ । ତାଙ୍କୁ ତୁଳସୀ ଚଢ଼େଇବ । ତା ହେଲେ ତା ଆତ୍ମା ଶାନ୍ତି ପାଇବ ।

 

ମନେ ପଡ଼ିଲା ଅଜାଙ୍କ କଥା । ମଲାବେଳେ ଅଜା କହିଥିଲେ—ହାରା ଲୋ, ତୋ ପାଇଁ ଗୋପୀନାଥେ ସାହା । ସେ ଏ ଗାଁର ଇଷ୍ଟ । ଜନମ ମରଣର ସାଥି । ତାଙ୍କୋଇ ସେବା କରିବୁ । ତାଙ୍କରି ପାଦତଳେ ଧ୍ୟାନ ଦେବୁ । ସେ ତୋତେ ଜୀବନର ପଥ ଦେଖାଇବେ । ଅନ୍ଧାରରେ ଆଲୁଅ ଦେବେ । ଅସତ୍ୟରୁ ସତ୍ୟ ପଥକୁ ନେବେ । ମୃତ୍ୟୁର ଅମରତ୍ୱକୁ ବାଟ ଦେଖାଇବେ ।

 

ଅଜା ଠିକ୍‌ କଥା କହିଥିଲେ ।

 

ଘରକାମ ନ ଥିଲେ ତୁଛାଟାରେ ବସି ପୁରୁଣା କଥା ସ୍ମରଣ କରି ଲୁହ ଗଡ଼ାଇବା ଅପେକ୍ଷା ଗୋପୀନାଥଙ୍କ ଆଶ୍ରା ନେଲେ ଭଲ ।

ଆର ସାଇରେ ଅଜାଙ୍କ ଘର । ସବୁ ମରିହଜି ଯାଇଛନ୍ତି । ଅଜାଘର କହିଲେ ଖାଲି ଘର ଖଣ୍ଡିକ । ବାଡ଼ିପାଖ ଘର କାନ୍ଥ ପଡ଼ିଯାଇଛି । ଦାଣ୍ଡ ଦି ବଖରା ଅଛି । ଘର ଚାବି ତା ହାତରେ-। ସେ ବାଡ଼ିରେ ଶାଗ ଲଗେଇଛି । କେତେ ପ୍ରକାରର ଫୁଲ ଗଛ ଲଗେଇଛି । ବର୍ଷକୁ ବର୍ଷ ଘର ଛପରକରି ହେପାଜତରେ ରଖିଛି ଘରକୁ । ବୋହୂ ଆସିଗଲେ ସେ ଅଜାଙ୍କ ଘରକୁ ଚାଲିଯିବ । ସେଇଠି ରାତିରେ ଶୋଇବ । ନୂଆ ବୋହୂଟିଏ ଆସିବ ଘରକୁ । ତା ସ୍ୱାମୀ ସହିତ ସେ ହସଖୁସିରେ ଚଳିବ । ସେ କାହିଁକି ତାଙ୍କ ଦିହିଁଙ୍କ ପାଖରେ ଲୁଙ୍ଗୁରୁ ପୁଙ୍ଗୁରୁ ହେବ । ହୁଏତ ତା ଉପସ୍ଥିତିରେ ଦୁହେଁ ମଜା କରିପାରିବେ ନାହିଁ । ଖୁସିରେ ଆଳାପ କରି ପାରିବେ ନାହିଁ ।

ସେ ଅଜାଙ୍କ ଘରକୁ ଚାଲିଯିବ । ଘରର ତ ଅଭାବ ନାହିଁ । ସେମାନେ ଖୁସି ହେଲେ ତାର ଆନନ୍ଦ । ସେ କାହିଁକି ତାଙ୍କ ଖୁସିରେ ବାଧା ଦେବ ।

ନୂଆ କରି ସଂସାର କରିବ ବାୟା । ପ୍ରଥମରୁ ସିନା ଖୁସି ଆନନ୍ଦରେ ବୋହୂ ସହିତ ଚଳିଲେ ଜୀବନଟା ସାରା ଭଲ ବୁଝାମଣା ରହିବ । ତା ଛଡ଼ା ବୋହୂ ସହିତ ନିଜକୁ ଭଲ ଭାବରେ ମିଶେଇ ଦେଲେ ଯାଇ ସେ ଭୁଲିଯିବ ବାସନ୍ତୀକି । ଯାହାପାଇଁ ଆଜିଯାଏଁ ତାର ବାହାଘର ହୋଇ ପାରୁ ନଥିଲା ।

ମନକୁ କେତେ ଅସରନ୍ତି ଭାବନା ଛୁଇଁଛି ତାର ।

ହୃଦୟଟା ତୃପ୍ତି ଆନନ୍ଦରେ ନାଚି ଉଠୁଛି ।

ସୁରୁଖୁରୁରେ ସରିଯାଇଛି ବାହାଘର ।

କାଲିପରି ବରଷଟିଏ କଟିଯିବ ।

ବୋହୂ ଆସିବ ।

ଚାହୁଁ ଚାହୁଁ ବର୍ଷଟିଏ ବିତିଗଲା ।

ପାଟଦେଈ ପୁରରୁ ଖବର ଆସିଲା—ବୋହୂ ଗୃହଯୋଗ୍ୟା ହୋଇଗଲାଣି । ସେମାନେ ଭାର ଥୁର ସଜ କରି ସାରିଛନ୍ତି । ଡାକରା ହକରା ଗଲେ ବୋହୂ ଛାଡ଼ି ଦେବେ । ପାଟଦେଈପୁର ତ୍ରିପାଠୀ ଘର । ଥିଲା ବାଲା । ସାତ ପୁଅରେ ଗୋଟିଏ ଝିଅ । ସେବତୀ । ଅଲିଅଳରେ ବଢ଼େଇଛନ୍ତି । ଉଚ୍ଚକୂଳ ଦେଖି ରଥପୁର ମିଶ୍ରଙ୍କ ଘରେ ବନ୍ଧୁ ବାନ୍ଧିଛନ୍ତି । ବାହାଘର ଦିନଠୁ ଆଜିଯାଏ କୌଣସି କଥାରେ ବରକୁ ନାକରା କରି ନାହାନ୍ତି ।

ଖବର ପଠେଇଛନ୍ତି ତ୍ରିପାଠୀଏ । ବୋହୂ ଡକରା ଗଲେ ବୋହୂ ପଠେଇବେ ।

ଶୁଭତୀଥି ଦେଖି ସେ ଡାକରା ପଠେଇଲା ।

ଡାକିବାକୁ ଗଲା ପିଉସୀ ପୁଅ ଭାଇ ନବଘନ । ବାୟାର ସ୍ତ୍ରୀ ଯେଉଁଦିନ ପ୍ରଥମକରି ଶାଶୁଘରକୁ ଆସିଲା ସେ ଦିନ ରଥପୁର ଗାଁ ଦାଣ୍ଡରେ ଭାରଥୁର ଭରା ସାତଖଣ୍ଡ ଶଗଡ଼ର ପଟୁଆର-। ରଥପୁର ଆଉ ପାଟଦେଈପୁର, ମଝିରେ ବାଟ ପାଞ୍ଚକୋଶ । ସକାଳୁ ସକାଳୁ ଶଗଡ଼ ଛାଡ଼ିଦେଲେ ବେଳ ପାଞ୍ଚଘଡ଼ିଠି ରଥପୁରରେ ହାଜର ।

ବୋହୂ ଆସିବା ଦିନ ରଥପୁରରେ ଗହଳି । ତା ପଛକୁ ତା ପଛ ଶଗଡ଼ ଲାଗିଛି ।

 

ଆଗେ ଆଗେ ମହୁରୀଆ ମହୁରୀ ଫୁଙ୍କି ଫୁଙ୍କ ଚାଲିଛି ।

 

ତା ପଛେ ଖଣ୍ଡେ ଗୁଡ଼ୁ ଶଗଡ଼ରେ ବୋହୂ ।

 

ଶଗଡ଼ ପଛେ ପଛେ ତମ୍ୱା ଖାଡ଼ି ପରି ଦୁଇଟି ଗଜା ଟୋକା ବୋହୂଙ୍କ ଭାଇ ।

 

ବୋହୂଙ୍କ ଶଗଡ଼ ଛାଡ଼ିଦେଲେ ପଛେ ପଛେ ଆଉ ଛଅ ଖଣ୍ଡ ଶଗଡ଼ ।

 

ଭାରଥୁର ଯୌତୁକ ସାମାନ ଭରପୁର ।

 

ଖଣ୍ଡେ ଶଗଡ଼ରେ କେଡ଼େ ବଡ଼ କାଠ ସିନ୍ଧୁକ । ତା ପାଖରେ କାଠ ଆଲମାରୀ ଆଉ ଖଣ୍ଡକରେ ଶାଗୁଆନ କାଠର ଯୋଡ଼ି ପଲଙ୍କ । ଆଲଣା ଟେବୁଲ୍‌ ଚୌକୀ ।

 

ଖଣ୍ଡକରେ ଦି ପୁଞ୍ଜା ହେବ ଟ୍ରଙ୍କ ବାକ୍‌ସ । ବାକିଟାରେ ବୋହୂଙ୍କର ଶାଢ଼ୀ ଖୁନ୍ଦା ।

 

ଖଣ୍ଡକରେ କଂସା ବାସନ, ପିତଳ, ଲୁହା ସରଞ୍ଜାମ ।

 

ଆଉ ଖଣ୍ଡକରେ ଘୋରଣା, ପେଷଣା, ପନିକି, କୋରଣା ଏମିତି କେତେ ଘର ସଂସାର ସରଞ୍ଜାମ ।

 

ଶେଷ ଖଣ୍ଡକରେ ବଡ଼ି, ମୁଗ, ଚାଉଳ, ନଡ଼ିଆ, ପନିପରିବା ଆଉ ସବୁ କେତେ ରକମର ଜିନିଷ ପତ୍ର ।

 

ପଛକୁ ପଛକୁ ଚାଲିଛି ଶଗଡ଼ ସବୁ ।

 

ବୋହୂଙ୍କ ଶଗଡ଼ରେ ଘଣ୍ଟି ଘାଗୁଡ଼ି ପିନ୍ଧା ଧଳା ଧଳା ବଳଦ ହଳେ ।

 

ଶଗଡ଼ ଯେତେବେଳେ ରଥପୁର ସେବେଇତ ସାଇ ଗାଁ ମୁଣ୍ଡେ ପହଞ୍ଚିଲା ବଳଦଙ୍କ ଘଣ୍ଟି ଘାଗୁଡ଼ି ଶବ୍ଦରେ ସାଇର ମାଇପେ ମରଦମାନେ ଭାରଥୁର ଦେଖିବାକୁ ଘରୁ ବାହାରି ଆସିଲେ ।

 

ବୋହୂ ଗୁଡ଼ୁଶଗଡ଼ ଭିତରେ । ତାଙ୍କୁ ତ ଦେଖି ହେବ ନାହିଁ । ଦେଖି ହେଉଛି ଶଗଡ଼ରେ ଲଦା ହୋଇଥିବା ଯୌତୁକ ସମ୍ଭାର ।

 

ମାଈପିଏ ଦେଖି କଥାବାର୍ତ୍ତା ହେଲେ—ମିଶ୍ରଙ୍କର ଘର ବୋହୂ । କେତେ କଣ ନ ଆଣିଛି ସତେ ! ହାରାନାନୀକି ଧନ୍ୟ । ବିଧବା ମାଈପିଟିଏ ହେଲେ କଣ ହେଲା ବାଛି ବାଛି ଭଲ ଘରେ ବୋହୂଟିଏ କରିଛି । ବାୟା ଭାଇନା କପାଳ । ଦେଖୁନୁ କେତେ ଭାରଥୁର ବୋହୂ ଆଣିଛି । ସେବେଇତ ସାହି ମୁଣ୍ଡକୁ ଲାଗି ଗୋପୀନାଥଙ୍କ ଦେଉଳ ପାଚେରୀ । ପାଚେରୀ କଡ଼େ କଡ଼େ ଆସିଲେ ଦେଉଳ । ତା ପରେ ପୂରବକୁ ମୁହଁ ବୁଲେଇଲେ ଗାଁ ଦାଣ୍ଡ ।

 

ମହୁରୀଆ ମୋଡ଼ ବୁଲି ଆସିଲା ।

 

ମହୁରୀ ଶବ୍ଦରେ ଗାଁ ଉଚ୍ଛୁଳି ପଡ଼ିଲା ।

 

ଗାଁ ଦାଣ୍ଡର ଗହଳି ଜମିଲା ।

 

ଛୋଟ ପିଲାଏ ନୂଆ ବୋହୂକୁ ଦେଖିବାକୁ ଶଗଡ଼ ପାଖେ ରୁଣ୍ଡ ହେଲେ ।

 

ଆରସାହି ମାଈପିଏ ଦାଣ୍ଡ ଦୁଆରେ ଠିଆ ହୋଇ ଚାହିଁଲେ ।

 

ତାଙ୍କ ସାଇ ମାଈପିଏ ତା ଘରେ ରୁଣ୍ଡ । ସାତ ସଧବା ମାଈପି ହେଲେ ବୋହୂକୁ ବନ୍ଦେଇ ଆଣିବେ ଘରକୁ । ସେ ବିଧବା । ତା ମୁହଁ ବୋହୂ ପ୍ରଥମକରି ଦେଖିବେ ନାହିଁ । ଦେଖିଲେ ଅମଙ୍ଗଳ । ସେ ସାତ ସଧବା ସ୍ତ୍ରୀଙ୍କୁ ଆଗରୁ ଯୋଗାଡ଼ କରିଛି ।

 

ଖଣ୍ଡ ଖଣ୍ଡ ହୋଇ ସାତ ଖଣ୍ଡ ଶଗଡ଼ ତାଙ୍କ ଦୁଆରେ ଫିଟିଲା । ଶଙ୍ଖୁଆ ଶଙ୍ଖ ଫୁଙ୍କିଲା ।

 

ମହୁରୀଆ ମହୁରୀ ବଜେଇଲା ।

 

ସାତ ସଧବା ମାଈପିଏ ବନ୍ଦାପନା ଥାଳୀ ଧରି ବୋହୂକୁ ବନ୍ଦେଇ ଆଣିଲେ ଘରକୁ । ତାଙ୍କୁ ଆଜି କେଡ଼େ ଖୁସି ଲାଗୁଛି ।

 

ସେ ବିଧବା ବୋଲି ସିନା ବୋହୂକୁ ବନ୍ଦାପନା କଲା ନାହିଁ, ନୋହିଲେ ତ ସେ ସବୁ କରିଛି ।

 

ଘରେ ଗହଳି ଚହଳି । ଭୋଜି ଭାତ ।

 

ସାଇଟା ଯାକ ମାଈପିଙ୍କି ସେ ଖାଇବାକୁ ଡାକିଛି ।

 

ବରଡ଼ିର ମାହାନ୍ତି ମାହାଙ୍କୁଡ଼, ପହିଲି ପ୍ରଧାନ, ଆଉ କେତେ ଜଣଙ୍କୁ ମଧ୍ୟ ଡାକିଛି ।

 

ରାତିକି ଭୋଜି ।

 

ସମସ୍ତେ ଖାଇବେ ।

 

ଶଗଡ଼ିଆଏ ଶଗଡ଼ ତୁଛେଇଲେ ।

 

ଦାଣ୍ଡ ଘରେ ଖଟ, ସିନ୍ଦୁକ, ଆଲମାରୀ, କଂସାବାସନ, ଲୁଗାପଟା ଆଉ କେତେ କଣ ଯୌତୁକ ଜିନିଷ ଖୁନ୍ଦା ।

 

ଗାଁ ବାଲା ଦେଖି ଯାଉଛନ୍ତି ।

 

ଧନ୍ୟ ଧନ୍ୟ କରୁଛନ୍ତି ଲୋକେ ପାଟଦେଈପୁର ତ୍ରିପାଠୀଙ୍କୁ । କୁହାକୋହି ହେଉଛନ୍ତି—ତ୍ରିପାଠୀଏ ଖୋଲା ମନରେ ଭାର ସମ୍ଭାର ପଠେଇଛନ୍ତି—ଆହେ ଧନ ଥିଲେ କଣ ହେବ, ଖୋଜାଲୋଡ଼ା କରି ସଜାଡ଼ି ଦେଲେ ହେବ ନା, ଦେଖୁନ, କେତେ ଜିନିଷ ନ ଦେଇଛନ୍ତି । ଏ ଗାଁରେ ଆଉ କିଏ କେବେ ଏତେ ଜିନିଷ ଆଣିଥିଲା ! ଛାଡ଼, ମିଶ୍ରେ ତ ନାହାନ୍ତି । ଥିଲେ ଆଜି ତାଙ୍କୁ ଦେଖିଥାନ୍ତ । ଗୋଡ଼ ତଳେ ଲାଗୁ ନଥାନ୍ତା ।

 

ବୋହୂଟିକି ସାଇ ମାଈପିଏ ଦେଖିଲେ । ପସନ୍ଦ କଲେ । ବୋହୂ ବେକରେ ହାର । ଆଙ୍ଗୁଠିରେ ସୁନା ମୁଦି । ହାତରେ ସୁନା ଚୁଡ଼ି । କାନକୁ କାନଫୁଲ । ସୀମନ୍ତରେ ସିନ୍ଥି । ନାକରେ ନାକଫୁଲ । ବେଣୀରେ ସୁନାର ଗଡ଼ି । ବର୍ଣ୍ଣ ଗୋରା । ନାକଟି ଠେଙ୍ଗା । ଦେହ ପତଳା । ଦେଖିବାକୁ ସୁନ୍ଦରୀ ।

 

ଘରେ ଗହଳି ଚହଳି ।

 

ଦିନ ବେଳା ହୋମ ।

 

ଓପର ଓଳି ଭୋଜି ।

 

ଲୋକେ ଖାଇଲେ । ସନ୍ତୋଷରେ ଫେରିଲେ ।

 

ଶଗଡ଼ିଆ ମର୍ଯ୍ୟାଦା ନେଇ ପାଟଦେଈପୁର ଫେରିଲେ ।

 

ସେ ବୋହୂର ଭାଇ ଦି ଜଣକୁ ଛାଡ଼ିଲା ନାହିଁ । ବଳେଇ କରି ରଖିଲା । ନୂଆବୋହୂ ଘରକୁ ଆସିଛି । ପ୍ରଥମେ ପ୍ରଥମେ ତା ପାଖରେ ଲାଜ କରିବ । ଭାଇମାନେ ଥିଲେ ତା କଥା ବୁଝିବେ । ଦି ଚାରି ଦିନ ଚଳେଇ ଦେଇ ଯିବେ । ସେ ସବୁକଥା ତୁଲେଇ ଦେଲା ।

 

ତା ମନରେ ଅମାପ ଆନନ୍ଦର ଝରଣା ଝରିଗଲା ।

 

ବୋହୂ ଆସିବା ଦିନଠୁ ବାୟାର ମନ ଘର ଧରିଲାଣି । ଆଗପରି ସେ ଆଉ ବେଶି ରାତିଯାଏ ମଣ୍ଡପରେ ବସି ରହୁନାହିଁ । ଯଜମାନ ଗାଁକୁ ଗଲେ ବେଳ ନ ବୁଡ଼ୁଣୁ କାମସାରି ଫେରି ଆସୁଛି । ଘର ପ୍ରତି ଆଗରୁ ଯେଉଁ ଛାରଡ଼ା ଛାରଡ଼ା ଭାବ ଥିଲା ତାହା ଆସ୍ତେ ଆସ୍ତେ କମି ଗଲାଣି-

 

ଘର କରଣା ମନୋବୃତ୍ତି ଛୁଇଁଲାଣି ମନକୁ ।

 

ଆଗରୁ ଯେମିତି ଫିଙ୍ଗା ଫୋପଡ଼ା ଖାମ ଖିଆଲ ଭାବଥିଲା ତାହା କମି ଗଲାଣି । ଏଣିକି ଘର ପ୍ରତି ପୂରା ନଜର ।

 

ଜିନିଷଟିଏ ହଜିଗଲେ କି ଭାଜିଗଲେ ତାର ଦୁଃଖ ହେଉଛି । କେତେ କଷ୍ଟରେ ଜିନିଷ ହୋଇଛି । ସାଇତି ରଖିଲେ ସିନା ରହିବ । ଅଯତ୍ନରେ ଜିନିଷଟିଏ ପଡ଼ିଥିଲେ ସେ ସାଇତି ରଖୁଛି ।

 

ସେଦିନ ସକାଳୁ ସକାଳୁ ସେବତୀ ବାସନ ମାଜୁ ମାଜୁ ପାଣିକୁଣ୍ଡ ପାଖ ପଥର ଉପରେ କଂସାଟା ହାତରୁ ଖସି ପଡ଼ିଗଲା ଯେ ମଝିରୁ ଦି ଫାଳ । ବାୟା ଆଖିରେ ଏ କଥାଟା ପଡ଼ିଗଲା । ସେ ମୁହଁ ତେଢ଼େଇ ଟାଣକରି ଦିପଦ କହିଦେଲା—ମଣିଷ ପରି ସିନା ମାଜିଲେ ହେବ, ଇଆଡ଼େ ସିଆଡ଼େ ମନଦେଇ କାମକଲେ ହାତରୁ ଖସି ଯିବନି ଆଉ କଣ ହେବ ?

 

ଏତିକିରେ ସେବତୀର ରାଗ ଯେ ରାଗ । ଗର ଗର ହୋଇ ରୋଷେଇ ବାସ ସାରି ଯାଇ ଶୋଇବା ଘରେ ଖଟ ଉପରେ ମୁହଁମାଡ଼ି ଶୋଇଲା । କାନ୍ଦି କାନ୍ଦି ତକିଆ ଭିଜେଇଲା । ବାୟା ଯାଇ କେତେ ବୁଝେଇଲା । ସେଥିରେ ସେ ନ ଟଳେ ।

 

ଶେଷକୁ ସେ ନିଜେ ଯାଇ କେତେ କରି ବୁଝେଇ ଶୁଝେଇ କହିବାରୁ ଯାଇ ତା ମନ ବୁଝିଲା ।

 

ସତରେ ବାୟାର ଘରପ୍ରତି ମମତା ଉପୁଜିଲାଣି ।

 

ମମତା ଉପୁଜିଲାଣି ସେବତୀ ପ୍ରତି ।

 

ଆଉ ସେବତୀ—କେତେ ଅଲିଅଳରେ ବଢ଼ିଥିଲା ବାପ ଘରେ । ନୂଆ ନୂଆ ବୋହୂ ହୋଇ ଆସିଛି । କାମ କଣ ଜାଣି ନଥିଲା । କୁଟାଖଣ୍ଡି ଦିଖଣ୍ଡ କରୁନଥିଲା ବାପ ଘରେ । ଏଠି କେତେ କାମ କରୁଛି । ଯେତେହେଲେ ଘରୋଇ ଘରର ଝିଅ । ଚାଟ ଘର ପୁଅ ଚାଟ । ଭାଟ ଘର ପୁଅ ଭାଟ । କାମ ନ ଶିଖି ଥିଲେ କଣ ହେଲା, ତାଠାରୁ ଦେଖି ଦେଖି ସବୁ ଶିଖି ଗଲାଣି । ଆଉ ଟିକିଏ ପୁରୁଣା ହୋଇଗଲେ ସବୁ ଶିଖି ଯିବ ଯେ ।

 

ସେବତୀ ଯେତେ ପାରେ ଲାଗି ପଡ଼ି କରେ । ସେ ତା ସହିତ ମିଶି ସବୁକାମ ଚଳେଇନିଏ । ତାକୁ ଶିଖାଏ । ରୋଷେଇ ବତାଏ । ସେ ଦିନ ଭାତ ଗାଳୁ ଗାଳୁ ଢାଙ୍କୁଣିଟା ହାତରୁ ଖସି ହାତରେ ଗରମ ପେଜ ପଡ଼ିଗଲା ଯେ ହାତ ଫୁଲି ଫୋଟକା । ସାତଦିନ କାଳ କଷ୍ଟ ପାଇଲା-। ବାପ ଘରକୁ ଖବର ଗଲା । ଭାଇମାନେ ଆସି ଦେଖିଗଲେ । ଔଷଧ ଲଗାଇବାରୁ ଯାଇ ଶୁଖି ଚୋପା ଛାଡ଼ିଲା ।

 

ସେବତୀର ବାପଘର ପ୍ରତି ମମତା ଯଥେଷ୍ଟ ।

 

ସାତ ଭାଇରେ ଗୋଟିଏ ବୋଲି ଅଲିଅଳି ଭଉଣୀ, ରାଜଜେମା । ପିଲାଦିନୁ କେତେ ଗେଲ ବସରରେ ବଢ଼ିଛି । ପଦେ ଟାଣ କରି କହିଲେ ତା ଆଖିରୁ ଲୁହ ଗଡ଼ି ପଡ଼ିବ । ଗୋଟିଏ ବୋଲି ଝିଅ । ତ୍ରିପାଠୀଏ ତାକୁ ଜୀବନଠୁ ବଡ଼କରି ପାଳି ଥିଲେ ।

 

ସେବତୀ ତା ବାପଘର କଥା କହି ଗର୍ବ କରେ । ଅଭିମାନ କରେ । ବାପଘର କଥା ପଡ଼ିଲେ ତା ଛାତିଟା କୁଣ୍ଢେ ମୋଟ ହୋଇଯାଏ ।

 

ସେବତୀକି ଦେଖିଲେ ହାରାର ତା ପିଲାଦିନ କଥା ମନେ ପଡ଼େ । ସେ ବି ତା ନନା ବୋଉଙ୍କର ଗୋଟିଏ ବୋଲି ଝିଅ ଥିଲା । କେତେ ହେପାଜତରେ ନନା ତାକୁ ପାଳି ନଥିଲେ ! କିନ୍ତୁ କଣ ହେଲା ? ଜୀବନଟା ହା ହୁତାଶରେ ଜଳିଗଲା । ନନା ସିନା ଜନ୍ମ ଦେଇଥିଲେ, ପାଳିଥିଲେ, କର୍ମ ତ ଦେଇ ନଥିଲେ । ତା କର୍ମଫଳ ତାକୋଇ ଭୋଗିବାକୁ ପଡ଼ିଲା ।

 

ସେବତୀକି ଦେଖିଲେ ତାର ନିଜ କଥା ମନେ ପଡ଼େ ବୋଲି ସେ ତାକୁ ଟାଣ କରି କିଛି କହେ ନାହିଁ । ସହଜେ ସେ ନଣନ୍ଦ । ତାକୁ ତିଆରି କରି ଦିପଦ କହିବାର ଅଧିକାର ତାର ଅଛି । ତଥାପି ସେ ତା ଉପରେ ନଣନ୍ଦତ୍ୱ ଜାହିର କରେ ନାହିଁ । ତା ମନରେ ଆଘାତ ଦେଲାପରି ପଦେ ହେଲେ କହେ ନାହିଁ । ଓଲଟି ତା ସହିତ ମିଳିମିଶି ଘରକାମ କରେ । ଭୁଲଟେ କରିଦେଲେ ତାକୁ ଏମିତି ଭାବରେ ସୁଧାରି ନିଏ ଯେ ସେ ନିଜେ ଜାଣି ପାରେନା । ତା ଭୁଲ ସେ ବାୟା ଆଗରେ ବଖାଣେ ନାହିଁ । ତାକୁ କହେ—ଆଲୋ ଆଲୁରୀ, ଅଜଣାରେ କଣଟିଏ ଭୁଲ କରିଦେଲୁ ତ ତାକୁ ବାୟା ଆଗରେ ବଖାଣି ହେଉ କାହିଁକି ? ସୁବିଧା ଦେଖି ସିନା କହିବୁ । ମରଦ ପୁଅ, ତାଙ୍କର କେଉଁ କଥାକୁ ଲଗା । ବାହାରେ ବୁଲିବେ । ରୋଜଗାର କରିବେ । ଘର ଧନ୍ଦା ଚଳେଇବେ । ମୁଠେ ଭଲକରି ଖାଇବେ । ଶୋଇବେ । ଭୋକବେଳ ଦେଖି ଯଦି ଭୁଲଟି କହିବୁ ସେ ନରାଗି ଛାଡ଼ିବେ ? ଯେତେହେଲେ କଷ୍ଟସହି ରୋଜଗାର କରୁଛନ୍ତିଟିକି । ନଷ୍ଟ ହେଲେ କି ଭାଜିଗଲେ ସହିବେ କେମିତି-? ତାଙ୍କ କାନରେ ନ ପକେଇଳେ ହେଲା । ତୁ ଭଲ ସେ ଭଲ । ଯଦି ପକେଇବୁ ଯେତେବେଳେ ମନ ଥିର ଥିବ, ମଥା ଗରମ ନଥିବ, ପେଟ ପୂରିଥିବ, ମୁହଁରେ ହସ ଥିବ, ସେତିକି ବେଳେ କହିଲେ ସେ ପରୁଆ କରିବେ ନାହିଁ ।

 

ସେବତୀ ତା କଥା ମାନେ । ତା କଥା ଘେନେ ।

 

ସେ ଆସ୍ତେ ଆସ୍ତେ ସବୁ କାମ ଶିଖଗଲାଣି ।

 

ଏଣିକି ଏଣିକି ତାକୁ ସେ କୌଣସି କାମରେ ହାତ ଲଗାଇ ଦିଏ ନାହିଁ ।

 

କହେ—ତମେ ଆଉ କାହିଁକି କାମ କରିବମ ନାନୀ । ମୁଁ ତ ସବୁ ଶିଖି ଗଲିଣି । ତୁମେ ଏଣିକି ବସ । ମୁଁ ସବୁକାମ କରି ନେବି ଯେ ।

 

ସେବ କଥାରେ ତା ପେଟ ପୂରିଯାଏ । ସେ ଅନ୍ତର ଭିତରେ ଖୁସି ହୁଏ । ବୁଝାଏ—ଆଲୋ ସେବ, କାମରେ ହାତ ନ ଦେଲେ ମନ ବୁଝେ ନାହିଁ । ତୁ ପିଲାଟା, ଏତେ କାମକୁ ପାରିବୁ ନାହିଁ । ଦେଖୁନୁ, କାମ କରି କରି ତୋ ନରମ ହାତ ପାପୁଲି ଦୁଇଟା ଟାଣ ହେଲାଣି । ତୁ ବିଶ୍ରାମ କରେ । ମରିପଡ଼ି ଖ’ଟେ ନାହିଁ । ମୋ ହାତଗୋଡ଼ ଚଳିଲାଯାକେ ବସି ଖାଇବାକୁ ମୋତେ କଣ ଭଲ ଲାଗିବ ?

 

ସେବତୀ ଯେତେ ମନା କଲେ ମଧ୍ୟ ସେ ତା ସହିତ ମିଶି କାମ କରେ । ସକାଳୁ ଉଠି ବାସନା ମଜା ଓ ଘର ଓଳିଆ କାମ ସେବତୀ କରେ । ବାହାର କାମ ତାର । ପାଣିବୁହା ତାର । ଗୋପୀନାଥଙ୍କ ଦେଉଳ ପାଖେ ଦାଣ୍ଡ କୂଅରୁ ପାଣି ଆଠ ଦଶ ଗରା ବୋହିଦେଲେ ଯଥେଷ୍ଟ । ବୋହୂଟା ଯାଇ କଣ ବାହାରୁ ପାଣି ଆଣିବ ? ତା ସେ ସହି ପାରିବ ନାହିଁ । ପାଣି ବୋହିବା ଭାର ତା ଉପରେ ।

 

ଦିନ ଯାକ ସେ ସେବତୀ ସହିତ ମିଶି ଚଳେ ।

 

ରାତି ହେଲେ ସିଏ ଆଉ ଏପଟ ଘରେ ଶୁଏ ନାହିଁ । ସେବତୀ ଆସିବା ପରଠୁ ସେ ଶୋଇବାକୁ ଚାଲିଯାଏ ଆର ସାଇ ଅଜା ଘରକୁ । ସେ ଘରଟା ଏଣିକି ତାର । ସେ ଘରେ ତା ଲୁଗାପଟା । ସେ ଘରେ ତା ଚଳଣୀ ଜିନିଷ ପତ୍ର । ସେଇଟା ଏଣିକି ତା ଘର ।

 

ସକାଳୁ ସକାଳୁ ଉଠି ସେ ଆଗ ଦାଣ୍ଡ କୂଅରୁ ପାଣି ବୋହି ଆଣେ । ଅଗଣାରେ ଥିବା କୁଣ୍ଡ ଭିତରେ ଚାରି ହଳ ପାଣି ପୂରେଇ ଦେଲେ କୁଣ୍ଡ ଭର୍ତ୍ତି । ମୁହଁ ଅନ୍ଧାରୁ ସେବତୀ ଉଠି ଅଇଁଠା ବାସନ ମଜାମଜି କରେ । ତା ପରେ ଦାଣ୍ଡ ଘରୁ ବାଡ଼ି ଘର ଯାଏଁ ଛାଞ୍ଚୁଣୀରେ ଓଳେଇ ଆଣେ । ବାଡ଼ି ଦୁଆର ମୁହଁରେ ଗୋବର ପାଣି ଛିଞ୍ଚେ । ଦାଣ୍ଡ ଦୁଆର ଏରୁଣ୍ଡି ବନ୍ଧ ପାଖରେ ଠିଆ ହୋଇ ଲଇଁ କରି ଗୋବର ପାଣି ଫିଙ୍ଗିଦିଏ ଦାଣ୍ଡ ଦୁଆର ବେଦୀ ଉପରକୁ । ତାପରେ ନିତ୍ୟକର୍ମ ସାରି ଅଗଣା କୁଣ୍ଡ ମୂଳେ ଗାଧୋଇ ପକାଏ ।

 

ବାହାର କୁଣ୍ଡରେ ପାଣି ପୂରେଇ ଦେଇ ସେ ଯାଏ ବଡ଼ ପୋଖରୀକି ଗାଧୋଇ । ସଅଳ ସଅଳ ଗାଧୁଆ ସାରି ନୀଳକଣ୍ଠେଶ୍ୱରଙ୍କ ମଣ୍ଡପ ପାଖରେ ମୁଣ୍ଡିଆଟିଏ ମାରି ସେ ଘରକୁ ଫେରେ । ଘରେ ମଠାଟା ବଦଳେଇ ଦାଣ୍ଡକୂଅରୁ ଆଉ ଦିହଳ ପାଣି ଆଣି ରୋଷେଇଘର କୁଣ୍ଡରେ ଭର୍ତ୍ତି କରେ । ଏତିକି କରିଦେଲେ ତା କାମ ସରିଲା । ରୋଷେଇବାସ ସେବତୀ କରେ । ତାକୁ ସେ ଚୁଲିପାଖରେ ପଶେଇ ଦିଏ ନା ! କହେ—ନାନୀ ମ, ତମେ ତ ଏତେଦିନ କଷ୍ଟ ସହିଲ । ଏଣିକି ଆଉ ଏ ଗରମ ମୁହଁରେ ପଶନାହିଁ । ତିନି ଜଣଙ୍କ ରୋଷେଇ । କିବା କଷ୍ଟ କାମ । ମୁଁ କଣ ଏକା ପାରିବିନି ? ହାରା ବୁଝେ । ତଥାପି ତା ପାଖରେ ବସି ପରିବା କାଟି ନଦେଲେ ତା ମନ ବୁଝେ ନାହିଁ ।

 

ସେ ଆଉ ରୋଷେଇ କରେ ନାହିଁ । ତେବେ ପୁଣ୍ୟ ପର୍ବ ଦିନମାନଙ୍କରେ ସେବତୀ ସହିତ ମିଶି କାମରେ ହାତ ଲଗେଇ ଦେଲେ ସଅଳ ସଅଳ କାମ ହୋଇଯାଏ । ବିଶେଷ କରି ମାଣବସା ଗୁରୁବାରକୁ ସେ ରାତି ସାରା ଉଜାଗର ରହେ । ତାଙ୍କର ପୌଷମାସର ପ୍ରଥମ ଗୁରୁବାରେ ଗୁରୁବାର ଉଜୁଆଁ ହୁଏ । ବର୍ଷକର ଗୋଟେ ବଡ଼ ପର୍ବ । ବରଡ଼ି ମାହାନ୍ତିଆଣୀଙ୍କି ପିଠା ଦିଆହେବ । ସେବର ବାପ ଘରକୁ ପଠାହେବ । ପହଲି ନେବ । ମାହାଙ୍କୁଡ଼ ଖାଇବ । ପଡ଼ିଶା ଆଡ଼ିଶାରେ ବଣ୍ଟାହେବ । ଗାଁରେ ସେବା ସେବଇତ ନେବେ । ଧୋବା ଭଣ୍ଡାରୀ ନେବେ । ହରିଜନ ସାହିର ପିଲା କବିଲା ସମସ୍ତେ ମାଗି ଆସିବେ । ଯଜମାନ ଗାଁରୁ କିଏ କିମିତି ଆସି ପହଞ୍ଚିଗଲେ ଖାଇବେ । ସେବ କଣ ଏକା ଏତେ ପିଠା ତିଆରିକି ପାରିବ ?

 

ବୁଧବାର ବେଳ ବୁଡ଼ୁ ବୁଡ଼ୁ ଖିଆପିଆ ତୁଟେଇ ସେ ବସି ଖଳି ତିଆରି କରିବ । ଗୁଡ଼ ଘିଅର ତ ଅଭାବ ନାହିଁ । ଯେତିକି ଦରକାର ତାଠାରୁ ବାୟା ଅଧିକ ଆଣିଥିବ ସିନା ଊଣା ନୁହେଁ । ଚୁଲି ମୁହଁରେ ବସି ସେ ଖଳି ତିଆରିକରି ସେବକୁ ଦେବ ଚକଟିବାକୁ । ବାୟା ମଧ୍ୟ ତା ପାଖରେ ବସି ଖଳି ଚକଟିବ । ତାପରେ ତାକୁ ବତେଇ ଦେଲେ ସେ ଦୁହେଁ ପିଠା ଗଢ଼ିବେ । ସେ ଘିଅ କରେଇ ପାଖରେ ବସି ପିଠା ଛାଣିବ । ଆରିଷା, କାକରା, ନାନମାନ, ବିରିଲଡ଼ୁ, ମଣ୍ଡା, ପୁଳି, ଗଜା, ଲବଙ୍ଗଲତା ଏମିତି କେତେ କିସମର ।

 

ପିଠା କରୁ କରୁ କୁଆଁତାରା ଉଠିବ । କୁଆ ରାବିବ । ସକାଳ ହେବ । ସକାଳୁ ସକାଳୁ ପାଣି ବୋହି ଆଣି କୁଣ୍ଡରେ ପୂରେଇଲେ ସେବ ଗାଧୋଇବ । ଗୁରୁବାର ପେଡ଼ି ଖୋଲିବ । ମାଣ ବସେଇବ । ପୂଜା କରିବ । ପୁଣ୍ୟ ପର୍ବମାନଙ୍କରେ ସେ ସେବତୀ ସହିତ ମିଶି ସବୁ କାମ କରେ । ଖାଲି ଦିନମାନଙ୍କରେ ପାଣି ବୋହି ଦେଲେ ତା କାମ ସରିଲା । ତାପରେ ସେବତୀ ବାଢ଼ିଦେବ ତାପାଇଁ କଂସାଏ ପଖାଳ । ତା ସାଥିକି ବାଇଗଣ ପୋଡ଼ା ନତୁବା ବଡ଼ିଫୁଲାରୁ ଗିନାଏ । ସେ ଖାଇ ଦେଇ ଆର ଘରକୁ ଯିବ । ସେ ଘର ଅଗଣାରେ ଫୁଲ ଗଛଟିଏ ରୋଇବ । ଶାଗ ହୋଇଥିଲେ ଶାଗ କେରାଏ କାଟିଆଣି ସେବକୁ ଦେଇଯବ । କିଛି କାମ ନଥିଲେ ମାଡ଼ିଯିବ ବରଡ଼ି ।

 

ବରଡ଼ିକି ଗଲେ ୟା ଘର ତା ଘର ହେଇ ଆସୁ ଆସୁ ଦି ପହର ଗଡ଼ିବ । ଦିନେ ଦିନେ ଗପୁଗପୁ ଡେରି ହୋଇଗଲେ ଖରା ମଳିନ ପଡ଼ିଲେ ଫେରିବ । ଦି’ପହରେ ଫେରିବ ନାହିଁ । ବିଶେଷ କରି ଯେଉଁଦିନ ପଦ୍ମାବତୀଙ୍କ ସାଙ୍ଗରେ ବସିଗଲା ସେ ଦିନ ଆଉ ଆସିବା ସହଜ ନୁହେଁ । ତାଙ୍କର ଅବା କି କାମ ? ଦୁହେଁ ବସି ଏଣୁ ତେଣୁ ଗପ କରନ୍ତି । ଗପୁ ଗପୁ ଦିପହର ହୋଇଗଲେ ଗହୀରବାଟେ ଏକୁଟିଆ ଫେରିବାକୁ ତାକୁ ଭଲ ଲାଗେ ନାହିଁ । ଭୋକତ ନଥାଏ ପେଟକୁ । ସକାଳୁ ସେବତୀ ବଳେଇ କରି ଯେଉଁ ପଖାଳ କଂସାକ ଖୁଆଇଥାଏ, ସେଥିରେ ତାର ଦିନ ଯାକ ଚାଲିଯିବ-। କଣ ବା ସେ କରିବ ଘରକୁ ଯାଇ ! ଘରେ ବାୟାଥିବ । ପାଣି ଆସିବାର ନାହିଁ । ସେବ ବାୟା ସହିତ ହସଖୁସିରେ ଦିପହର ବିତାଉ ଥିବ । ସେ ଯାଇ ତାଙ୍କୁ ହଇରାଣ କରିବ କାହିଁକି ?

 

ଦିପହର ହୋଇଗଲେ ମାହାନ୍ତିଆଣୀଏ ଘୋଳ ଦହି ଗିଲାସଟିଏ ଦେବେ ପିଇବାକୁ । ଲୁଣ ଟିକିଏ ମିଶେଇ ଘୋଳ ଦହିତକ ପିଇଦେଲେ ପେଟକୁ ଆରାମ ଲାଗେ । ଆଉ ଦିପହରଟାରେ ଘରକୁ ଫେରିବାକୁ ଇଚ୍ଛା ହୁଏ ନାହିଁ ।

 

ମାହାନ୍ତିଏ ଖାଇପିଇ ଶୁଅନ୍ତି ।

 

ସେ ପଦ୍ମାବତୀଙ୍କ ସହିତ ବସି ବାରଆଡ଼ୁ ବାରକଥା ପକେଇ ଦି ପହର ବିତାଏ । ଖରା କମିଲେ ଫେରେ ।

 

ସେବତୀ ଜାଣି ଗଲାଣି ।

 

ଆଗେ ଆଗେ ନାନୀଙ୍କର ଡେରି ହେଲେ ସେ ଚାହିଁ ବସିଥାଏ । ଖାଏ ନାହିଁ । ଦାଣ୍ଡ ଦୁଆରକୁ ବାଡ଼ି ଦୁଆର ହେଉଥାଏ । ମନ ଗୋଳେଇ ଘାଣ୍ଟି ହୁଏ—କୁଆଡ଼େ ଗଲେ, ଡେରି ହେଲାଣି । କହି ଯାଇଥିଲେ ଖାଇବାବେଳକୁ ଫେରିଆସିବେ ବୋଲି, ଆସିଲେ ନାହିଁ । କାହାକୁ ପଠେଇବି ?—

 

ଭାବେ । ଛଟପଟ ହୁଏ ।

 

ନାନୀ ଫେରି ଆସିଲେ ମନ ଉଶ୍ୱାସ ହୁଏ । ତାଙ୍କୁ ଖାଇବାକୁ ବାଢ଼ିଦେଇ ତାଙ୍କ ପାଖେ ବସି ଖାଏ ।

 

ଏବେ ଏବେ ସେ ଜାଣିଗଲାଣି । ନାନୀ ବି ତାକୁ କହିଛନ୍ତି—ସେବ ଲୋ, ମୁଁ ଯେଉଁଦିନ ବରଡ଼ି ଯାଇଥିବି ଡେରିହେଲେ ମୋ ପାଇଁ ବ୍ୟସ୍ତ ହେଉ ନଥିବୁ । ଡେରି ହେଲେ ଖରାକୁ ଡରି ମୁଁ ଫେରିପାରେ ନାହିଁ । ଖରା ତାତି ଆଉ ସହି ହେଉ ନାହିଁଲୋ ସେବ । ଅଧା ବୟସ ପରା ଟପିଲା ! ଏଣିକି ଏଣିକି ବୟସ ଆସିବ ସିନା । ତୁ ବାୟାକୁ ଖାଇବାକୁ ଦେଇ ଖାଇ ପକୋଉଥିବୁ । ମତେ ଅପେକ୍ଷା କଲେ ଅକାରଣେ ତୋ ପେଟ ଗରମ ହେବ । ମାହାନ୍ତିଆଣୀଙ୍କ ଘରେ ବସିଗଲେ ଆଉ ଉଠିହୁଏ ନାହିଁମ । ଯାଉଛି ବୋଲି ଉଠିଲେ କହିବେ—ବସ ମ ନାନୀ । କେତେ ଦିନକେ ଆସିଛ । ଏଇଲେ ଘରେ ଯାଇ କ’ଣ କରିବ ? ଘରେ ତ ବୋହୂ ଅଛନ୍ତି । ତୁମର ଏମିତି କି କାମ ଅଛି ଯେ । ମୋ କଥା ତ ଜାଣ । ବସି ବସି ଦିନ ସରୁ ନାହିଁ ମ ନାନୀ । ତୁମେ ଆସିଛ ବୋଲି କେଡ଼େ ଖୁସି ଲାଗୁଛି ।

 

ତାଙ୍କ କଥା ଭାଙ୍ଗି ହୁଏ ନାହିଁ । ତାଙ୍କ କଥା ଶୁଣିବାକୁ ଏତେ ଭଲ ଲାଗେ ଯେ ତାଙ୍କ ପାଖରୁ ଆଉ ଉଠି ହୁଏନାହିଁ । ତା ଛଡ଼ା ତାଙ୍କର ସତରେ କାମ ନଥାଏ । ଆଳା ଆମଦାନୀ ଅଛି । ଚାକରବାକର ଅଛନ୍ତି । ହେଲେ ଘର ଗହଳିକି କୋଳକୁ ପସରାଟିଏ ଦେଇ ନାହାନ୍ତି ଭଗବାନ । ଏକା ବସି ବସି ବିରକ୍ତ ହୁଅନ୍ତି ବୋଲି ମୋତେ ଦେଖିଲେ ଗପ କରିବାକୁ ବସି ପଡ଼ନ୍ତି । ମୋ ସାଙ୍ଗରେ ବସି ଆକାଶର କଇଆଁକୁ ଚିଲିକାର ମାଛ ଯୋଡ଼ି ଗପକଲେ ଯାଇ ତାଙ୍କ ମନ ବୁଝେ । ଗପୁ ଗପୁ ଦି ପହର ହେଲେ ନିଜେ ଉଠିଯାଇ ଘୋଳ ଦହି ଗିଲାସଟିଏ ଆଣି ଦେବେ । ପାଖରେ ବସି ସେତେକ ଜବରଦସ୍ତି ପିଆଇବେ । ପିଇଦେଲେ ଆସ୍‍କତିଆ ଲାଗେ । ଆଉ ଫେରି ହୁଏ ନାହିଁ । ଖରା ଟିକିଏ ମଳିନ ପଡ଼ିଲେ, ତୋ ପାଇଁ ପାଣି ଆଣି ଦେବିବୋଲି କହିଲେ ଯାଇଁ ମତେ ଛାଡ଼ିବେ । ଛାଡ଼ିବେ ଯେ ଗପି ଗପି ତାଙ୍କ ବାଡ଼ିଆଡ଼ ଗାଡ଼ିଆଯାଏଁ ଆସିବେ । ନାଇଁ ଯଦି ସାଙ୍ଗରେ ଜଣେ ଦି ଜଣ ମାଈପି ଜୁଟିଲେ ତାଙ୍କ ସହିତ ବଳେଇ ବଳେଇ ଆସିବେ ବଂଶବତୀ ନଈ କୁଳଯାଏ-। ସେଇଠି ଠିଆହେବେ । ମୁଁ ନଈ ପାର ହୋଇ ଏପାଖ ହୁଡ଼ାଡ଼େଇଁ ହିଡ଼ ଧରିବି । ସେ ସେ ପାଖେ ଘରକୁ ଫେରିବେ । ଏଇଥିପାଇଁ କୁହେ ମୁଁ ବରଡ଼ି ଗଲେ ମୋ ପାଇଁ ତୁ ଚାହିଁ ବସିବୁ ନାହିଁ । ଖାଇ ପକୋଉ ଥିବୁ । ମୋର ସକାଳୁ ପଖାଳ ଗଣ୍ଡାକ ହୋଇଗଲେ ଦିନଯାକ ଚଳିଲା-

 

ସେବତୀ ଜାଣେ ।

 

ନାନୀ ବରଡ଼ି ଗଲେ ସେ ଆଉ ଖାଇବାକୁ ତାଙ୍କୁ ଅପେକ୍ଷା କରି ବସେନାହିଁ । ବାୟା ମଧ୍ୟ ଜାଣେ । ନାନୀ ବରଡ଼ି ଗଲେ ରାତି ହେଲେ ମଧ୍ୟ ପରୁଆ ନାହିଁ । ପହଲି ଅଛି । ନଈ ପାରକରି ଆଣି ଗାଁରେ ଛାଡ଼ି ଦେଇଯିବ ।

 

ତଥାପି ନାନୀ ପ୍ରତି ଦୁହିଁଙ୍କର ଏତେ ମମତା ଯେ ଯେଉଁଦିନ ଫେରୁ ଫେରୁ ରାତି ହୋଇଗଲା ସେଦିନ ସେ ନ ଫେରିବାଯାଏଁ ଦୁହେଁ ଦାଣ୍ଡଦୁଆର ମୁହଁରେ ଡିବିରି ଜାଳି ଚାହିଁ ବସିଥିବେ । ଦିନେ ଦିନେ ଦୁଇଘଡ଼ି ରାତିରୁ ବେଶିହେଲେ ବାୟା ଲଣ୍ଠନ ଖଣ୍ଡି ଲଗେଇ, ହାତରେ ଠେଙ୍ଗାଧରି ବୁଢ଼ୀମାଁଙ୍କ ଦେଉଳ ପଛପାଖ ଶଗଡ଼ ଦଣ୍ଡାରେ କିଛି ବାଟ ମାଡ଼ିଯାଏ ।

 

ତା ମନ ବୁଝେ ନାହିଁ ।

 

ନାନୀର ଡେରି ହେଲେ ସେ ଆଦୌ ସହିପାରେ ନାହିଁ ।

 

ସେ ଖଣ୍ଡେ ଦୂର ଯାଏ ।

 

ଦେଖେ । ଆଗେ ଆଗେ ନାନୀ, ପଛେ ପଛେ ପହଲି ପଧାନ ଅନ୍ଧାରୁଆ ରାସ୍ତାରେ ଧପଡ଼ି ଆସୁଛନ୍ତି । ନାନୀର ତରତର ଚାଲି । ଅନ୍ଧାରୁଆ ଗଛ ସନ୍ଧିରେ ଦଣ୍ଡାରେ ଦଣ୍ଡାରେ ଦୁହେଁ ମାଡ଼ି ଆସୁଥିବେ । ଡର ନାହିଁ । ଭୟ ନାହିଁ ।

 

ଲୋକେ କହନ୍ତି—ବାହାର ଗାଡ଼ିଆ ମୋଡ଼ ବୁଲି ଦଣ୍ଡା ଧଇଲେ ପହିଲେ ଯେଉଁ କେନ୍ଦୁଗଛ ପଡ଼େ ସେଇଠି କୁଆଡ଼େ ଗୋଟେ ଚଣ୍ଡୀ ବହୁକାଳୁ ବସା ବାନ୍ଧିଛି । ଅନ୍ଧାରୁଆ ରାତି ହେଲେ ସେ ତାର କାୟା ଦେଖାଏ । କେତେ ରୂପରେ, କେତେ ଭଙ୍ଗୀରେ, କେତେ ଢଙ୍ଗରେ ସେ ମଣିଷଙ୍କୁ ଡରାଏ । ଭେଟଣ କରେ । ଦୁର୍ବଳମନା ମଣିଷ ଭେଟଣ ହେଲେ ଝାଡ଼ାବାନ୍ତିରେ ମରେ । ତାର ଯେଉଁ ବିକୃତରୂପ ନାଁ—ଗଛରୁ ପତ୍ର ମଡ଼ମଡ଼ କରି ବାଲି ଫୋପାଡ଼ିବ, ପୁଣି ସେଇଲେ ଷଣ୍ଢ ରୂପରେ ମଣିଷ ଆଗେ ଆଗେ ହଲି ହଲି ଚାଲିବ, ପୁଣି ସଙ୍ଗେ ସଙ୍ଗେ କଅଁଳା ବାଛୁରୀ ହୋଇଯିବ, ପୁଣି ଚାହୁଁ ଚାହୁଁ ମାଙ୍କଡ଼ ହୋଇ ଏଗଛ ଡାଳରୁ ସେ ଗଛ ଡାଳକୁ ଡେଇଁବ—ପୁଣି ତତ୍‌କ୍ଷଣାତ୍‌ ସ୍ତ୍ରୀଟିଏ ହୋଇ ଗଛମୂଳେ ବସି ରୋଦନ କରିବ—ଏମିତି ରୂପ ଦେଖିଲେ ଯେଡ଼େ ଦମ୍ଭିଲା ମରଦପୁଅ ହେଉ ନାଁ କାହିଁକି ଡରିବହିଁ ଡରିବ । ସେଥର ପରା ବରଡ଼ି ଗାଆଁ ଠାକୁରାଣୀଙ୍କ ମଙ୍ଗଳବାର ପୂଜା ସାରି ବୁଢ଼ାମାଳି ମହନା ଭୋଜଥାଲି ହାତରେ ଧରି ଏଇବାଟରେ ଫେରୁଥିଲା ଯେ ତାକୁ ଯେଉଁ ହରକତ କଲା ନାଁ—ସେ ସେମିତି ଦମ୍ଭିଲା ମଣିଷ ବୋଲି ତା ମୁହଁରୁ ବର୍ତ୍ତି ଆସିଲା । ଆଉ ଯଦି କିଏ ହୋଇଥାନ୍ତା ନାଁ ଠୋ କିନା ପ୍ରାଣ ବାହାରି ଯାଇଥାନ୍ତା ।

 

ବାୟା ଏମିତି କଥା ସବୁ ବୁଢ଼ାବୁଢ଼ୀଙ୍କ ମୁହଁରୁ ଶୁଣିଛି । ମହନା ମାଳିଠାରୁ ନିଜେ ତା ଅଙ୍ଗେ ନିଭେଇଥିବା କଥା ଶୁଣିଛି । ତେଣୁ ନାନୀର ଡେରି ହେଲେ ସେ ଅସ୍ଥିର ହୁଏ । ଲଣ୍ଠନ ଲଗେଇ ଠେଙ୍ଗାଧରି ଯାଏ । ଯାଉ ଯାଉ ଦଣ୍ଡା ପାଖରେ ନାନୀକି ଆସୁଥିବାର ଦେଖିଲେ ତା ମନଟା ଏକ ଅଜଣା ପୁଲକରେ ପୁଲିକିତ ହୋଇଉଠେ । ନାନୀ—ତା ନିଜ ଜୀବନଠାରୁ ଅତି ପ୍ରିୟ-। ପିଲାଟିଦିନୁ ତା’ରି ପାଖରେ ସେ ମଣିଷ ହୋଇଛି । ବୋଉ ନନାଙ୍କ ଅନ୍ତେ ସେ ତାକୁ କେତେ ଯତନରେ ପାଳିଛି । ତାପାଇଁ କେତେ ତ୍ୟାଗ କରିଛି । କେତେ ଦୁଃଖ ସହିଛି । ତା ପାଇଁ କେତେ ତ୍ୟାଗ କରିଛି । କେତେ ଦୁଃଖ ସହିଛି । ତା ପାଇଁ ସେ ପଦାକୁ ଗୋଡ଼ କାଢ଼ିଛି । ତାର ପୋଡ଼ିଲା ମନଟାରେ ସାନ୍ତ୍ୱନା ଭରିଛି । ତା ପାଇଁ ସେବତୀକି ଆଣିଛି—ତାର ଆନନ୍ଦ ପାଇଁ ସେ ନିଜ ଘର ଛାଡ଼ି ଅଜା ଘରେ ରାତି କଟାଇଛି ।

 

ନାନୀ ତା ପାଖରେ ଦେଉଳର ଦେବତା ।

 

ନାନୀ ତା ପାଖରେ ଏକ ଅମୃତ ଆନନ୍ଦର ଉତ୍ସ ।

 

ବାୟାର ମନ ଚହଲି ଉଠେ ।

 

ନାନୀକି ଦେଖିଦେଲେ ତା ମୁଣ୍ଡର ଭାରା କମେ ।

 

ସେ ତା ସହିତ ଘରକୁ ଫେରେ ।

 

ଦୁଇବର୍ଷ ଭିତରେ ବାୟା ସଂସାର ଭତତରେ ବେଶ୍‌ ଡୁବି ଗଲାଣି ।

 

ଦୁଇବର୍ଷ ଖଟିଲାଣି ସେବତୀ ।

 

ଏଇ ଦୁଇବର୍ଷର ସଂସାର ଭିତରେ କେତେ ଅନୁଭୂତି ଆସି ଗଲାଣି ତାର । ଦିନ ଯେତିକି ଯେତିକି ଗଡ଼ି ଯାଉଛି ଅନୁଭୂତି ସେତିକି ବଢ଼ିଯାଉଛି ଜୀବନରେ ।

 

କଥାରେ ଅଛି ନିଜେ ନ ମଲେ ସରଗ ଦେଖିବ ନାହିଁ ।

 

ଅନୁଭୂତିରୁ ସବୁ ଶିଖିଗଲାଣି ସେବତୀ । ଘର ଜଞ୍ଜାଳ ଆଉ ତାକୁ ବାଧୁନାହିଁ । ନିଜେ ସେ ସବୁ କରିଗଲାଣି । ନୂଆକରି ଆସିବାବେଳେ ସାମାନ୍ୟ ଭୁଲ୍‌ ହେଲେ ବାୟା ଯେମିତି ଗର ଗର ଫର୍‌ ଫର୍‌ ହେଉଥିଲା ଆଉ ସେମିତି ହେଉନାହିଁ ।

 

ଦେହଘଷିଆ ହୋଇ ଗଲାଣି । ଏ ନିତି ଦିନିଆ ସଂସାରର ଜଞ୍ଜାଳ । ସେଇ ସକାଳୁ ଉଠା, ବାସିପାଇଟି କରା, ଗାଧୁଆପାଧୁଆ, ରୋଷେଇବାସ, ଖିଆପିଆ; ଶୁଆ ବସା, ଭିତରେ କଟିଯାଉଛି ଜୀବନ । ଅମାନିଆ ଦିନଗୁଡ଼ାକ କାହାରିକୁ ଖାତିର ନକରି ବହିଯାଉଛନ୍ତି କେଉଁ ଆଡ଼ିକି କାହାରିକୁ ଜଣା ନାହିଁ । ତାରି ସାଙ୍ଗରେ ବହି ଯାଉଛି ଜୀବନ । ନୂଆ ହେଉଛି ପୁରୁଣା । ପୁରୁଣା ବିଦାୟ ନେଉଛି । ପୁଣି ସୃଷ୍ଟି ହେଉଛି ନୂଆ । ପରିବର୍ତ୍ତନଶୀଳ ଏ ସଂସାରର ଗତି । ଆସୁଛି । ଯାଉଛି । ପୁଣି ଆସୁଛି । ପୁଣି ଯାଉଛି । କେଉଁଠୁ ଆସୁଛି, କେଉଁଠିକି ଯାଉଛି, ଏ ଯାଏଁ କାହାରିକୁ ଜଣା ନାହିଁ । କେହି ଜାଣନ୍ତି ନାହିଁ । କେହି ବି ଜାଣି ପାରିବେ ନାହିଁ । ଏ ଅଜଣା ।

 

ବାୟା ବେଶ୍‌ ସଂସାରୀ ହୋଇଛି । ନାନୀଠାରୁ ସେ ବହୁକଥା ଶିଖିଛି । ନିଜପାଇଁ ନିଜେ ନ କଲେ ସାଇ ପଡ଼ିଶା କରିବେ ନାହିଁ । ସମସ୍ତେ ସୁକୁଟ ଦେଖିବେ । ଛିଗୁଲେଇବେ । ଉସୁକେଇବେ । ଟାହୁଲି ଟାପରା କରିବେ । କାମବେଳକୁ ଯେ ଯାହାର ଚିତା କଟିବେ । ନିଜ ପାଇଁ ନିଜେ କରିବାକୁ ହେବ । ମଣିଷର କର୍ମରେ ଅଧିକାର । କର୍ମ ତା ନିଜର । କର୍ମ ନକଲେ ନିଜେ କଷ୍ଟ ଭୋଗିବ । ଦୁଃଖ ପାଇବ ।

 

ନିଜକୁ ସେ ନିମଗ୍ନ କରି ଦେଇଛି ତା ଛୋଟ ସଂସାର ଭିତରେ । ମୁହୂର୍ତ୍ତଟିଏ ସମୟ ସେ ବୃଥାରେ କଟେଇ ଦେଉ ନାହିଁ । ଯେଉଁଦିନ ଯଜମାନ କାମ ସେଦିନ ସକାଳୁ ସକାଳୁ କାମ ତୁଟେଇ ଯଜମାନ ଗାଁକୁ ଯାଏ । ଯେଉଁଦିନ ଯଜମାନ କାମ ନାହିଁ, ସେଦିନ ସେ ଘରେ ଯାହା କାମଥାଏ କରେ । କାଠହଣା ହୋଇ ନଥିଲେ କାଠହାଣେ । ନଡ଼ିଆ ବାହୁଙ୍ଗା ଫଡ଼ାକରି ଶୁଖାଏ । ନଡ଼ିଆ କତା ବାଡ଼ାଇ ଶୁଖାଏ । ଶୁଖିଗଲେ ପହଲି ନେଇ ଦଉଡ଼ି ବଳି ଦେବ ।

 

ଯେଉଁଦିନ ଏସବୁ କାମ ନଥାଏ ସେଦିନ ସେ ଦାଣ୍ଡଘର ସିନ୍ଦୁକ ଫିଟାଏ । ତା ଭିତରେ ସାଇତା ହୋଇଥିବା ନନାଙ୍କ ହାତଲେଖା ତାଳପତ୍ର ଖେଦା ଖୋଲେ । ପଢ଼େ, ନୂଆ ନୂଆ ଶୋକ ମୁଖସ୍ଥ କରେ । ଘଡ଼ିଟିଏ ବୃଥାରେ କଟିଗଲେ ତାକୁ ଅଖଞ୍ଜିଆ ଅଖଞ୍ଜିଆ ବୋଧହୁଏ ।

 

ସେ କାମକରେ ।

 

ସେ ତା ସଂସାର ଭିତରେ ନିଜକୁ ଡୁବେଇ ଦେଇ ଆନନ୍ଦ ପାଏ ।

 

ଘର ସଂସାର କରିବାର ତିନି ପୂରି ଚାରିବର୍ଷ ହେଲାଣି । ସେବତୀର ଏବେ ମାସ ଗଡ଼ିଛି । ଖବରଟା ଜାଣି ବାୟାର ମନରେ ଅପାର ଆନନ୍ଦ । ବାୟାଠାରୁ ବେଶୀ ଆନନ୍ଦିତ ହେଉଛି ହାରା । ତା ପାଇଁ ସେ କେତେ ଦିଅଁ ଦେବତାଙ୍କୁ ଡାକିଛି । ଗୋପୀନାଥଙ୍କୁ ତୁଳସୀ ଦେଇଛି । ନୀଳକଣ୍ଠେଶ୍ୱରଙ୍କ ପାଖରେ ବେଲପତ୍ର ଚଢ଼େଇଛି ।

 

ସେବତୀର ସନ୍ତାନ ସନ୍ତତି ହେବ । ସେ ମାଆ ହେବ । ତାକୁ ଏବେ ଅରୁଚି ଧରିଛି । ଯାହା ଖାଇଲେ ତାହା ବାନ୍ତିରେ ବାହାରୁଛି । ରାଣ ନିୟମ ପକେଇ ଯାହା ଖୁଆଇଲେ ତା ପେଟରେ ରହୁନାହିଁ । ଅରୁଚି ଛଡ଼େଇବା ପାଇଁ କେତେ କଣ ଖୁଆଉଛି ତାକୁ ସେ । ନମିଳିବା ଜିନିଷ ଖୋଜି ଆଣୁଛି ତା ପାଇଁ । ନଖାଇଲେ ଦେହ ଦୁର୍ବଳ ହୋଇଯିବ । ରକତ ଶୁଖିଯିବ । ଛୁଆଟା ପେଟରେ ବଢ଼ିବନି । ତେଣୁ ସେ ତାକୁ କିଛି ନାଁ କିଛି ଖୁଆଉଛି । ବାନ୍ତି ପଛକେ ହେଉ ପେଟରେ କିଛି ପଡ଼ୁ ।

 

ସେବତୀର ବାପ ଘରକୁ ସେ ଖବର ପଠାଇଛି । ତ୍ରିପାଠୀଏ ଖବର ପାଇ କେତେ କ’ଣ ସାଥିରେ ଧରି ଦେଖି ଯାଇଛନ୍ତି ଝିଅକୁ । ତାଙ୍କର ଏଇ ଗୋଟିଏ ବୋଲି ଝିଅ । ତାର ପିଲାଛୁଆ ହେବ । ତ୍ରିପାଠୀଙ୍କ ଆନନ୍ଦ କହିଲେ ନ ସରେ । ତାଙ୍କର ଇଚ୍ଛା ଥିଲା ଝିଅକୁ ସେ ନିଜଘରକୁ ନେଇ ଯାଇଥାନ୍ତେ ପ୍ରସବ ପାଇଁ । ମାତ୍ର ହାରା ମନା କଲା । ତାଙ୍କ ଘରେ ବୋହୂ ପ୍ରସବ ପାଇଁ ବାପ ଘରକୁ ଯିବା ମନା । ତା ପ୍ରସବ ତାଙ୍କରି ଘରେ ହେବ । ତା ପାଇଁ ସେ ସବୁ ସୁବିଧା କରିଦେବ । କିଛି ଅସୁବିଧା ହେବ ନାହିଁ ।

 

ଏଥିରେ ତ୍ରିପାଠୀଙ୍କର ଆପତ୍ତି ରହିଲା ନାହିଁ । ଯେଉଁଠି ହେଲେ ସୁବିଧାରେ ପ୍ରସବ ହୋଇଗଲେ ହେଲା । ମଝିରେ ମଝିରେ ତ୍ରିପାଠୀଏ ଆସି ଦେଖି ଯାଇଛନ୍ତି । ପୁଅ ମାନଙ୍କୁ ପଠେଇ ଖବର ବୁଝିଛନ୍ତି । ଚାହୁଁ ଚାହୁଁ ଦିନ ଗଡ଼ି ଯାଇଛି ।

 

ଆଷାଢ଼ ମେଷ ।

 

ବରଷା ଯେ ବରଷା ନକହ ।

 

ଚଉଦିଗ ଘେରି ବରଷା କାଚୁଛି ।

 

ଦି ଦିନ ହେଲା ଲଗାଣ ବରଷା । ଛାଡ଼ିବାକୁ ନାହିଁ ।

 

ସୂର୍ଯ୍ୟଙ୍କର ରୂପ ଦିଶୁନାହିଁ ଆକାଶରେ ।

 

ଯେଉଁ ମାଈପିମାନେ ପ୍ରତ୍ୟହ ସୂର୍ଯ୍ୟ ଦର୍ଶନ କରି ଅନ୍ନସ୍ପର୍ଶ କରନ୍ତି । ସେମାନେ ଦି ଦିନ ହେଲା ଖାଡ଼େ ଖାଡ଼େ ଉପବାସ । କଳାହାଣ୍ଡିଆ ମେଘ ଆକାଶରେ ତା ପଛକୁ ତା ପଛକୁ ପକ୍ଷ ମେଲେଇଛି । ମୂଷଳ ଧାରାରେ ଅନର୍ଗଳ ଝରି ପଡ଼ୁଛି ବାରିଧାର ଆକାଶରୁ । ଆକାଶ ଦିଶୁଛି ଘନ ମେଘାଚ୍ଛନ୍ନ ।

 

ଦି ଦିନ ହେଲା ଚଷା ପୁଅର ବିଲ ବାଡ଼ିକି ଯିବା ବନ୍ଦ ।

 

ଶୋଲରୀ ଶିଖରରେ ଚିର୍‌ କରି ବିଜୁଳି ମାରୁଛି । ଦେଖିଲେ ଆଶଙ୍କା ଉପୁଜୁଛି ମନରେ-

 

ବିଜୁଳି ପଛେ ପଛେ ଘନ ଘନ ଘଡ଼ଘଡ଼ିର ଶବ୍ଦ । ସତେ ଅବା ସଂଗ୍ରାମ ଚାଲିଛି ଆକାଶରେ ।

 

ବର୍ଷା ସାଥିକି ପବନ । ଦେହ ଦୋହଲି ଯାଉଛି ।

 

କୁଆ କୋଇଲି ବାହାରୁ ନାହାନ୍ତି ଗଛଉହାଡ଼ରୁ ।

 

ଗାଁ ଦାଣ୍ଡ ନଡ଼ିଆ ଗଛ ଗୁଡ଼ାକ ବର୍ଷାମାଡ଼ ଖାଇ ଶ୍ୱେତା ପଡ଼ି ଗଲେଣି । ଦୁଇଦିନ ଧରି ପୃଥିବୀ ଥରି ଗଲାଣି ।

 

ରାତି ଆସି ଅଧାକୁ ଟପିଲାଣି ।

 

ଦାଣ୍ଡ ପାଖ ଶୋଇବା ଘରେ କଷ୍ଟ ପାଉଛି ସେବତୀ ।

 

ଦିନେ କାଳ ଶୂଳ ଖାଇଲାଣି ସେ । ଏ ଯାଏଁ କିଛି ହେଲା ନାହିଁ । ମନଟା ଉଦ୍‌ବିଗ୍ନ ହୋଇ ଉଠୁଛି । ଦାଣ୍ଡ ଘରେ ବସିଛି ବାୟା । ଲଣ୍ଠନ ଜଳୁଛି । ଶୋଇଲା ଘରେ, ପାଖେ ପାଖେ ହାରା । ସେବତୀର କଷ୍ଟ ସେ ସହି ପାରୁ ନାହିଁ । ତା ଆଖିରୁ ଲୁହ ବୋହି ଯାଉଛି । ମନେ ମନେ କେତେ ଦିଅଁ ଦେବତାଙ୍କୁ ମନାସିଲାଣି ସେ ।

 

ବାହାରେ ବର୍ଷା ପବନ ପାଣି ।

 

ଝର ଝର ହୋଇ ଜଳଧାରା ଖସି ପଡ଼ୁଛି ଚାଳ ଉପରୁ ତଳକୁ । ଓଳିତଳେ ପାଣି ସୁଅ ଛୁଟିଛି ଅଗଣାରେ ।

 

ମେଘ ଅନ୍ଧାର ରାତି ।

 

ଦାଣ୍ଡ କବାଟ ଅଧା ମେଲା କରି ବାହାରକୁ ଚାହିଁଲେ ମୁହଁକୁ ମୁହଁ ଦିଶୁନାହିଁ ।

 

ପାଣି ଛିଞ୍ଚଡ଼ା ପଡ଼ି ଦାଣ୍ଡ ଦୁଆର ଓଦା । ବିଜୁଳି ଆଲୁଅରେ ଗାଁ ଦାଣ୍ଡର ଆଣ୍ଠୁଆଣି ପାଣି ସୁଅ ଆଖିକି ଦିଶୁଛି ।

 

ନିସ୍ତବ୍‌ଧ ନିର୍ଜନତା ରାଜୁତି କରିଛି ଗାଁ ସାରା ।

 

ସମସ୍ତେ ଶୋଇଛନ୍ତି ।

 

ଏ ବର୍ଷା ପବନ ରାତିରେ କିଏ ବା କାହିଁକି ଚେଇଁବ !

 

ରାତି ବଳି ବଳି ଆସୁଛି ।

 

ସେବତୀ କଷ୍ଟରେ ଛଟପଟ ହେଉଛି ଶୋଇବା ଘରେ ।

 

ତା ମନରେ ସାହସ ପଶୁନାହିଁ ।

 

ସେ ବାୟାକୁ କହିଲା—ବାୟାରେ, ଗଲୁ କେଳିବୋଉ ନାନୀକି ଡାକି ଆଣିବୁ ।

 

ତାଙ୍କ ସାଇରେ ସାତ ଆଠଘର ଡେଇଁଲେ କେଳି ବୋଉ ନାନୀ ଘର । ବାରଣ୍ଡାରେ ବାରଣ୍ଡାରେ ଯାଇହେବ ।

 

ବାୟା ଆଉ ଡେରି କଲାନାହିଁ । ସଙ୍ଗେ ସଙ୍ଗେ ଯାଇ କେଳି ବୋଉ ନାନୀ ଦାଣ୍ଡ ଦୁଆରେ କବାଟ ପିଟିଲା । ତାକୁ ଉଠେଇଲା । ସାଥିରେ ଧରି ଆସିଲା ।

 

ପ୍ରସବ କରେଇବାରେ କେଳିବୋଉ ନାନୀକି କେହି ପାରିବେନି । କଣ ତାକୁ ଜଣା କେଜାଣି, ଏମିତି ଶୂଳ ଧରିବ ଯେ ଦଣ୍ଡକରେ ଛୁଆଟା ଜନ୍ମ ହୋଇଯିବ । ଜନ୍ମ ହୋଇଗଲେ ପିଲାକୁ ପୋଛା ପୋଛି କରି ନାହି କାଟି ଦେଇ ସେ ଯିବ । ସାତଟା ଲେଡି ଡାକ୍ତରାଣୀ ବି କେଳି ବୋଉ ନାନୀକି ପ୍ରସବ କରେଇବାରେ ପାରିବେନି ।

 

କେଳି ବୋଉ ନାନୀ ବାରଣ୍ଡାରେ ବାରଣ୍ଡାରେ ଆସି ପହଞ୍ଚି ଯିବାରୁ ତା ମନରେ ସାହସ ଆସିଲା । ସେ ସେବତୀକି ଦେଖିଲା । ପେଟ ଚିପା ଚିପି କଲା । ତାପରେ ଏମିତି ଶୂଳ ଧରିଲା ଯେ ସଙ୍ଗେ ସଙ୍ଗେ ଛୁଆ ଜନମ ହୋଇ ମୁହଁମାଡ଼ି ଭୂଇଁରେ ପଡ଼ିଲା ।

 

ପୁଅଟିଏ ।

 

ପାହାନ୍ତିଆ ପହର ।

 

ବାହାରେ ପାଣି ପବନ ବର୍ଷା ।

 

ଅନ୍ଧାର ଲେସି ହୋଇ ଯାଇଛି ଚଉଦିଗରେ ।

 

ସେଇ ବର୍ଷା ପବନ ବିଜୁଳି ଘଡ଼ଘଡ଼ି ଭିତରେ ସେଇ ନବଜାତ ଶିଶୁ ସନ୍ତାନଟି କୁଆଁ କୁଆଁ ଶବ୍ଦ କରି ଅନ୍ଧାରର ମୌନତା ଭଙ୍ଗକଲା ଯେପରି ।

 

କେଳି ବୋଉ ନାନୀ ମଇଳ ରକତ ପୋଛା ପୋଛି କରି ଛୁଆଟାକୁ ସଫା ସୁତୁରା କଲା-। ନାହି କାଟିଲା । ଏନ୍ତୁଡ଼ି ଲଗେଇ ପିଲାଟିକୁ ସେକାସେକି କଲା । ତାପରେ ନିଜେ ବାହାରିଲା ଇଆଡ଼ୁ ଇଆଡ଼ୁ ଯିବ ବଡ଼ ପୋଖରୀକୁ ଗାଧୋଇ ।

 

ପୁଅଟିଏ ହେଲା ଜାଣି ବାୟା ଆନନ୍ଦରେ ଅଧୀର ହୋଇଗଲା । ତାଠାରୁ ଶତେଗୁଣ ଅଧିର ହୋଇ ଉଠିଲା ହାରା । ସେ କି ଭାଷାରେ କେଳି ବୋଉ ନାନୀକି କୃତଜ୍ଞତା ଜଣେଇବ ଭାବି ପାରିଲା ନାହିଁ । ଭାବନା ଆନନ୍ଦର ସୀମା ଲଙ୍ଘିଲା । ତା ଆଖି ଦୁଇଟିରେ ଆନନ୍ଦର ଲୁହ ଢଳ ଢଳ ହେଲା । ସେ କହିଲା—ନାନୀ ଲୋ, ତୋ ଋଣ ଏ ଜନ୍ମରେ ଶୁଝି ହେବନି ।

 

ପାହାନ୍ତିଆ ହୋଇ ଆସିଲା ।

 

କେଳି ବୋଉ ନାନୀ ଚାଲିଗଲା ଗାଧୋଇ ।

 

ତାର ତ କେତେ କାମ ବାକି ଅଛି ।

 

ସବୁ କାମ ଛିଣ୍ଡେଇଲେ ଯାଇ ସେ ଯିବ ଗାଧୋଇ ।

 

ବରଷା ଟିକିଏ କମିଛି । ପୂରାପୂରି ଛାଡ଼ି ନାହିଁ ।

 

ଝିପି ଝିପି ଧରୁଛି ।

 

ହାରାର ଗୋଡ଼ ଆଉ ଭୂଇଁରେ ଲାଗୁନି ।

 

ସକାଳୁ ସକାଳୁ ଭଣ୍ଡାରୀ ହାତରେ ସେ ଖବର ପଠେଇ ଦେଇଛି ପାଟଦେଈ ପୁର ତ୍ରିପାଠୀଙ୍କ ପାଖକୁ ।

 

ତ୍ରିପାଠୀଙ୍କର ନାତିଟିଏ ହୋଇଛି । ଶୁଣିଲେ ସେ କେତେ ଘୁସି ନହେବେ ।

 

କଣ ପାଇଁ କେଜାଣି ବର୍ଷାରେ ବର୍ଷାରେ ସକାଳୁ ସକାଳୁ ମାହାଙ୍କୁଡ଼ ଆସି ହାଜର । ବର୍ଷା ଯୋଗୁଁ ଗୋଠ ବନ୍ଦ । ମନ ହେଲାତ ବରଷା ହେଉ ପଛକେ ନାନୀ ଘରଆଡ଼େ ମାଡ଼ି ଆସିଲା-। ନାନୀ ଘରଠି ଶୁଭ ଖବରଟିଏ ପାଇ ଖୁସି ହେଲା । ତା ସହିତ ବସି ଗପ କରିବାକୁ ଆଜି ବେଳ ନାହିଁ । ତା ହାତରେ ସେ ମାହାନ୍ତିଆଣୀଙ୍କ ପାଖକୁ ଖବର ପଠେଇ ଦେଲା । ପଦ୍ମାବତୀ କେତେ କରି କହିଥିଲେ—ପୁଅଟିଏ କି ଝିଅଟିଏ ହେଲେ ମତେ ଖବର ଦବ ମ ନାନୀ । ସେବତୀ ପାଇଁ କେତେ ଆଡ଼ୁ ଖୋଜି ଲୋଡ଼ି କେତେ ଖାଇବା ଜିନିଷ ପଠେଇ ଥିଲେ ସେ । ଖବରଟି ପାଇଲେ ତାଙ୍କ ମନ ପୂରି ଉଠିବ ।

 

ସେ ଆଜି ଏତେ ଖୁସି ହୋଇଯାଇଛି ଯେ ସୂର୍ଯ୍ୟଚନ୍ଦ୍ର ବାରିପାରୁ ନାହିଁ ।

 

ସକାଳୁ ଅସରାଏ ଟାଣ କରି କାଚି ଦେବା ପରେ ବର୍ଷା ଛାଡ଼ିଛି । ତଥାପି ମେଘୁଆ ରହିଛି ଆକାଶ ।

 

ଦିନ ଚାରି ଘଡ଼ି ହେଲାଣି ।

 

ଘର ତୋଟାକ ଯାକର କାମ ସେ କରିଛି । ରାତି ସାରା ଅନିଦ୍ରା ଥିଲେ ମଧ୍ୟ ତା ଆଖିକି ନିଦ ମାଡ଼ୁ ନାହିଁ । କ୍ଳାନ୍ତି ନାହିଁ । ବିଷାଦ ନାହିଁ । ମନଟା ଆନନ୍ଦରେ ଉଦବେଳି ଉଠୁଛି । ବାୟାକୁ ସେ କିଛି କାମ କରେଇ ଦେଉ ନାହିଁ—ତୁ ବସ୍‌ । ଏ ବର୍ଷା ପାଗରେ ପଦାକୁ ବାହାରେନା । ଥଣ୍ଡା ଧରି ଶର୍ଦ୍ଦିକାଶ ହେବ । ମୋତେ କଣ କାମ ବଳେଇ ପକାଉଛି ।

 

ସେ ଏନ୍ତୁଡ଼ି ଶାଳକୁ ଯାଇ ନବଜାତ ଶିଶୁଟିକୁ ଦେଖି ଆସୁଛି ।

 

ପୋଖତିପରେ ସେବତୀ କେଡ଼େ ଶୁଖିଲା ଦିଶୁଛି ସତେ ।

 

ତା ମନରେ ଆନନ୍ଦର ବନ୍ଧ ଭାଙ୍ଗିଛି ।

 

କେତେ ଦିନର ଅକୁହା ସପନ ରୂପ ନେଇଛି ତାର ।

 

ଦିଅଁ ତାର ଗୁହାରି ଶୁଣିଛନ୍ତି ।

 

ଦିଅଁ ତାର ଡାକ ଶୁଣିଛନ୍ତି ।

 

ଭାଇର ପୁଅ ପୁତୁରା । ତା ପାଇଁ ତା ମନରେ କି ଅନନ୍ତ ଆନନ୍ଦ ଓ ଆଗ୍ରହ ।

 

ବରଷାକୁ ସେ ଖାତିର କରୁ ନାହିଁ । ପବନକୁ ତାର ପରୁଆ ନାହିଁ । ଶର୍ଦ୍ଦିକାଶ ଜରକୁ ତାର ଡର ନାହିଁ । ଘର ଯାକର କାମ କି ଫୂର୍ତ୍ତିରେ ସେ କରି ଯାଉଛି ।

 

ତା ମନରେ ସ୍ନେହ ମମତାର ଫୁଲ ଫୁଟିଛି ।

 

ତା ମନର ସପନ ଫଳିଛି ।

 

ସୁରୁଖୁରୁରେ ନବଜାତ ସନ୍ତାନଟିର ଏକୋଇଶିଆ ଶେଷ ହୋଇଛି ।

 

ତ୍ରିପାଠୀଏ ନିଜେ ଆସି ମୁରବୀ ହୋଇ ସବୁ କାମ ବିଧିମତେ ତୁଲେଇ ଯାଇଛନ୍ତି ।

 

ସତ୍ୟନାରାୟଣ ପାଲା ହୋଇଛି ।

 

ପଚାଶ ଶହେ ଲୋକ ଖାଇଛନ୍ତି ।

 

ଗାଁର ଇଷ୍ଟଦେବ ଗୋପୀନାଥେ ଓ ଇଷ୍ଟଦେବୀ ବୁଢ଼ୀମାଙ୍କ ପାଖରେ ପୂଜା ହୋଇଛି ।

 

ନିର୍ମଳ ମନରେ ପଇସା ଖର୍ଚ୍ଚ କରିଛି ବାୟା । ତ୍ରିପାଠୀଏ ମଧ୍ୟ ଖର୍ଚ୍ଚ କରିଛନ୍ତି ।

 

ସମସ୍ତେ ମଙ୍ଗଳ କାମନା କରିଛନ୍ତି ପୁତ୍ରଟିର ।

 

ପୁଅର ଜଞ୍ଜାଳରେ ଦିନ ଗୁଡ଼ାକ କୁଆଡ଼େ ପାଣି ପରି ବୋହି ଯାଉଛି । ଜାଣି ହେଉନାହିଁ-। ପୁଅ ଜନ୍ମ ହେଲା ଦିନଠୁ କାମ ବଢ଼ି ଯାଇଛି । ପିଲାଟିଏ ପାଳିବା ସହଜ କାମ ନୁହେଁ-। ବାର ଦିନେ ତେର କାମ । ଦି ଜଣ ମିଶି ଯିବାରୁ କାମ ବାଧୁ ନାହିଁ । ପିଲାର ଅଧେକାମ ହାରା ଏକା ଚଳେଇ ନେଉଛି । ଛୁଆ ଜନମ କରି ନାହିଁ ସିନା ପାଳିବା ତାକୁ ଜଣା ।

 

ପିଲାଟିର ଅଧେ କାମ ସେ ତୁଲେଇ ନେବାରୁ ସେବତୀକି ଛୁଆ କାମ ଜଣା ପଡ଼ୁନାହିଁ ।

 

ଦୁହେଁ ମିଶି ସବୁକାମ ଚଳେଇ ନେଉଛନ୍ତି ।

 

ସମୟ ବହି ଯାଉଛି ।

 

ବାରି ହେଉ ନାହିଁ ସମୟର ଗତି ।

 

ସମୟର ମୁହଁରେ ସବୁ ବଦଳୁଛି ।

 

ବରଷ ବରଷ ହୋଇ ଦଶ ବରଷ ପଛକୁ ରହିଲାଣି ।

 

ସେବତୀ କୋଳକୁ ଗୋଟି ଗୋଟି କରି ତିନୋଟି ପୁଅ ଦେଲେଣି ଦୟାମୟ ।

 

ତାକୁ ଆସି ଚାଳିଶ ଚାରି ଟପିଲାଣି ।

 

ପିଲା ଗୁଡ଼ାକର ଜଞ୍ଜାଳରେ ଡୁବି ରହି ସମୟର ପରିବର୍ତ୍ତନ ସେ ଜାଣି ପାରୁନାହିଁ । ପରିବର୍ତ୍ତନ ଘଟୁଛି । ସମୟର ସୁଅ ମୁହଁରେ ଘଟଣା ପ୍ରବାହ ଗଡ଼ିଚାଲିଛି ।

 

କେତେ ହଜି ଯାଉଛି । କେତେ ସ୍ମୃତି କୋଷରେ ସାଇତା ହେଉଛି ।

 

ପରିବର୍ତ୍ତନ ଘଟେଇ ଘଟେଇ ସମୟ ପ୍ରସରି ଯାଉଛି ।

 

ତାକୁ ଆସି ଚାଳିଶ ଚାରି ଟପିଲାଣି । ତା ସାଙ୍ଗ ସାଥିଏ ତା ବୟସରେ ଉପନୀତ ହେଲେଣି । ଝିଅ ଜୋଇଁ ପୁଅ ବୋହୂ ଦେଖିଲେଣି । ମୁଣ୍ଡରୁ କଳାବାଳ ଧଳା ଧରିଲାଣି । ବୁଢ଼ୀ ହୋଇ ଆସୁଛନ୍ତି ସେମାନେ ସତେତ !

 

ତା ମକର ସବିତା ଏଥର ଆସିଥିଲା ଯେ ତାକୁ ଆଉ ଚାହିଁ ହେଲା ନାହିଁ । କଣ ଦିଶୁଥିଲା ଭୁଆସୁଣୀ ବେଳେ, କଣ ଦିଶିଲାଣି ଏବେ ! ଛୁଆ ପିଲା ନେଇ ସଂସାର କରିଛି । ବର ସ୍କୁଲ ଶିକ୍ଷକ । ଚଳନ୍ତି ପକ୍ଷ । ତଥାପି ତା ଚେହେରାରେ ଘୋର ପରିବର୍ତ୍ତନ ଘଟିଛି । ପିଲାଜଞ୍ଜାଳ ତାକୁ ବଳେଇ ପକେଇଛି । ବଡ଼ ଝିଅଟିକୁ ଗଲାବର୍ଷ ବାହା ଦେଇଥିଲା । ଆରବର୍ଷକୁ ଆଉ ଜଣକୁ ବାହା ଦେବ । କେତେ ଆଣିବ କୁଆଡ଼ୁ ? ଆହା, ସେ କିମିତି ଦିଶୁଥିଲା ସେଦିନ ! ପାନ ଖାଇ ଦାନ୍ତ ନାଲି । ଫୁଲୁକା ଫୁଲୁକା ଗାଲ ଦୁଇଟି କୁଆଡ଼େ ପଶି ଯାଇଛି । ମୁଣ୍ଡ ବାଳ ଅଧାଅଧି ଧଳା । ଦେହର ବର୍ଣ୍ଣ ମଳିନ ପଡ଼ିଛି । ବୟସ ବେଳର ରୂପ ଆଉ ନାହିଁ ମକରର । ସତରେ ସେ ବୟସ ଆଉ ଏ ବୟସ ଭିତରେ କେତେ ତଫାତ୍‌ ! ସେ ସେଦିନ ମକର ପାଖେ ବସି ତା ପିଠି ଆଉଁସି କହିଥିଲା—ହଇଲୋ ମକର, ତୁ କଣ ଏମିତି ଦିଶୁଲୁଣି ଲୋ !

 

ମକର ଲୁଖୁରା ହସଟାଏ ହସି ଉତ୍ତର ଦେଇଥିଲା—ବୟସ ତ ଖସିଲା । ଏଣିକି ପିଲାଛୁଆଙ୍କ ସୁଖ ଦେଖିବା କଥା । ନିଜ ସୁଖ ଦେଖିବାକୁ ବେଳ ମିଳୁଛି କୁଆଡ଼ୁ । ଆଉ ସଉକରେ ମନ ନାହିଁ ଲୋ ମକର । କେମିତି କେମିତି ପିଲାଙ୍କ କାମ ତୁଟେଇ ଦେଲେ କାମ ସରିଲା ।

 

ସତରେ ମକରର ବୟସ ଖସିଛି । ତା ସହିତ ତାର ମଧ୍ୟ ବୟସ ଖସିଛି ।

 

ସେ ଭାବିଲା—ହଁ କେତେ ପରିବର୍ତ୍ତନ ହେଲାଣି ସବୁଠେଇଁ ।

 

ହେଇ ଦେଖୁନ, ବାଞ୍ଛାନିଧି ଦଦେଇ ପୁଅ ରଘୁ । କିଏ ଜାଣିଥିଲା ବାପ ଅନ୍ତେ ବାପଗୁଣଯାକ ଏକଦମ୍‌ ନକଲ କରି ଆଣିବ ବୋଲି । ବାଞ୍ଛାନିଧି ଦଦେଇ ପୁରାଣ ପାଠରେ ଯେମିତି ନାଁ କମେଇ ଥିଲେ ରଘୁ ଠିକ୍‌ ସେତିକି ନାଁ କମେଇଲାଣି । ତାକୁ ଗାଁରେ ରହିବାକୁ ଦଣ୍ଡେ ହେଲେ ଫୁରୁସତ୍‌ ନାହିଁ । ମାସେ ଏ ଗାଁରେ ତ ମାସେ ଅନ୍ୟ କେଉଁ ଗାଁରେ ପୁରାଣ ପାଠ । ରାମାୟଣ ମହାଭାରତ ଆଦି ଅଷ୍ଟାଦଶ ପୁରାଣ ପାଠରେ ପାରଦର୍ଶିତା ହାସଲ କରିଛି ସେ । ବର୍ଷସାରା ତାର ରୋଜଗାର । ଏବର୍ଷ ମାଙ୍କଡ଼ସା ପଥର ବସେଇ ଦାଣ୍ଡପାଖ ଘର ତୋଳିଛି । ମେରଦା କରିଛି । ଆରବର୍ଷକୁ ବାଡ଼ିପାଖ ତୋଳିବ । ବାଞ୍ଛାନିଧି ଦଦେଇଙ୍କର ନାଁ ରଖିଲା ରଘୁ ।

 

ଆଉ କେତକୀ ମାଉସୀ ? ବାସନ୍ତୀର ସାବତ ମା—କୁଆଡ଼େ ଗଲା ତାର ଯୌବନ ବେଳର ଦମ୍ଭ । ବିଧବା ହେବା ଦିନଠୁ ତାର ସବୁ ଦମ୍ଭଦର୍ପ ଟାଣପଣ ଉଭେଇ ଯାଇଛି । ଏବେ ଖାଲି ନିଇତି ଝୁରି ହେଉଛି ବାସନ୍ତୀକି । ତା ପ୍ରତି ଯେଉଁ ଅନ୍ୟାୟ କରିଥିଲା ତାର ପ୍ରାୟଶ୍ଚିତ କରୁଛି କେତକୀ ମାଉସୀ ।

 

କୁଆଡ଼େ ଗଲା ତାର କଜିଆଖୋର ମନୋବୃତ୍ତି । କଣ୍ଟାବାଡ଼ରେ କାନି ଲଗେଇ କଳି କରିବାର ଅହଙ୍କାର ? କେଡ଼େ ଭଲ ହୋଇ ଯାଇଛି କେତକୀ ମାଉସୀ ସତେ !

 

ସେଦିନ ବାୟାର ସାନ ପୁଅକୁ ଦେଖିବାକୁ ଆସିଥିଲା ଯେ ତା ପାଖେ ବସି ଅସରାଏ କାନ୍ଦିଲା—ବାସନ୍ତୀ ଥିଲେ ଏ ଘରେ ତାର କେତେ ଅଧିକାର ଥାନ୍ତା !

 

ବାସନ୍ତୀକି ମନେ ପକେଇ କେତକୀ ମାଉସୀ କାନ୍ଦେ ।

 

ସତରେ ତାର କେତେ ପରିବର୍ତ୍ତନ ଘଟିଛି ! ନ ହେଲେ, କେତକୀ ମାଉସୀ, ମୁହଁଟା ଯାହାର ଖଣ୍ଡାଧାରଠୁ ବଳି ଧାରୁଆ, ସେ ପୁଣି ସଉତୁଣୀର ଝିଅ ବାସନ୍ତୀକି ମନେ ପକେଇ କାନ୍ଦନ୍ତା-!

 

ଠାକୁରେ ତାକୁ ସଦ୍‌ବୁଦ୍ଧି ଦେଇଛନ୍ତି । ଠାକୁରେ ତାର ମନଟାର ପରିବର୍ତ୍ତନ ଘଟେଇଛନ୍ତି-

 

ପରିବର୍ତ୍ତନ ଘଟିଛି ଗାଁଟି ଯାକରେ କେତେ ଲୋକଙ୍କର । ମନ୍ଦ ଭଲ ହୋଇଛି । ଗରୀବ ଧନୀ ହୋଇଛି । ଦୁଃଖୀ ସୁଖୀ ହୋଇଛି । କେଉଁଠି ଅବା ଭଲ ମନ୍ଦ ହେଲାଣି । ଧନୀ ଦରିଦ୍ର ହେଲାଣି । ସୁଖୀ ଦୁଃଖୀ ହେଲାଣି ।

 

ପରିବର୍ତ୍ତନ ଅନିବାର୍ଯ୍ୟ ।

 

ପରିବର୍ତ୍ତନ ହବ ହିଁ ହବ ।

 

ତା ଦିହକରେ ସେ ଏ ଗାଁର କେତେ ପରିବର୍ତ୍ତନ ଦେଖିଲାଣି । ଦେଖୁନ, ଏ ଆଖ ପାଖ ଚଉପାଶରେ ଡାକ୍ତରଖାନାଟିଏ ନଥିଲା । ଏବେ ଗାଁକୁ ଦେଢ଼ ମାଇଲ ଦୂରରେ ଡାକ୍ତରଖାନାଟିଏ ବସିଲାଣି । ଡାକ୍ତରଖାନାଟିଏ ବସିଲା ବୋଲି ଆଖ ପାଖ ଅଞ୍ଚଳରେ କେତେ ସୁବିଧା ହେଲା । ଆଗରୁ ହନୁମାନ ବୈଦ୍ୟଙ୍କ ପୁଅ ଅଗାଧୁର ଗୋଡ଼ ଧରି ଧରି ଦିନ ଯାଉଥିଲା । ହନୁମାନ ନନ୍ଦଙ୍କଠାରୁ ଅଗାଧୁ ବୈଦ୍ୟବିଦ୍ୟାଟି ଶିଖିଥିଲା ବୋଲି ବେଶ୍‌ ଚାରି ପଇସା ରୋଜଗାର କରି ସୁଖରେ ଅଛି । ଏବେ ତାର ଆଉ ବେଶି କାଟୂତି ନାହିଁ । ଲୋକେତ ଦିହ ପା କଣ ହେଲେ ଧାଇଁ ଯାଉଛନ୍ତି ଡାକ୍ତର ଖାନାକୁ ।

 

ଡାକ୍ତରଖାନାକୁ ନୂଆ ହୋଇ ଆସିଛନ୍ତି ଯେଉଁ ଡାକ୍ତର ବାବୁ ନା—ଗୋରା ମଚ ମଚ ଚେହେରା, କୁଞ୍ଚି କୁଞ୍ଚିଆ କହରା ବାଳ—ଠେଙ୍ଗା ନାକତଳେ ପ୍ରଜାପତିଆ କଳା କଳା ନିଶ—ଆଖିରେ ଚଷମା—ଭାରି ଭଲ ମଣିଷ । ରୋଗୀଟିଏ ପହଞ୍ଚିଗଲେ ସଙ୍ଗେ ସଙ୍ଗେ ଦେଖିବେ । ଔଷଧ ଦେବେ । ପଥି ବତେଇ ଦେବେ । ପୁଣି ଆସି ପଚାରି ଯିବାକୁ କହିବେ । ତାଙ୍କ ପାଖକୁ ରୋଗୀଙ୍କ ଧାଉଡ଼ି । ଡାକ୍ତରୀ ଔଷଧ ପାନୁଟେ ଆଣିଲେ ଚଟ୍‌କିନି ରୋଗ ଛାଡ଼ିଯାଉଛି । ଆଉ ଏ ଗାଁ ବଇଦ ଅଗାଧୁ ପାଖକୁ ଧାଉଁଛି କିଏ ? ଡାକ୍ତରଖାନା ହେଲାରୁ ପାଖ ଆଖ ଲୋକଙ୍କର କେଡ଼େ ସୁବିଧା ।

 

ତା ନିଜ ଅନୁଭୂତିରୁ ସିଏ ଜାଣିଛି । ସେଥର ବାୟାର ମଝିଆଁ ପୁଅଟାର ଝାଡ଼ା ଫିଟିଲା ଯେ ଯେତେ ଘୋରା ଘୋରି ଔଷଧ ଦେଲେ ଆଦୌ ଧରିଲା ନାହିଁ । ଝଡ଼ା ଫୁଙ୍କା କିଛି କାଟୁ କଲା ନାହିଁ । ଅଗାଧୁ କେତେ ପାନ ଔଷଧ ଦେଲା । ସେ ବି ଫେଲ ମାରିଲା । ଶେଷରେ ପିଲାଟାକୁ କୋଳରେ ଧରି ସେ ଚାଲି ଯାଇଥିଲା ଡାକ୍ତର ବାବୁଙ୍କ ପାଖକୁ । ସେ ମାଈପି ମଣିଷ ବୋଲି ଡାକ୍ତର ବାବୁଙ୍କର ତା ପାଇଁ କେଡ଼େ ସମ୍ମାନ । ଆଉ ସବୁ ରୋଗୀଙ୍କୁ ପଛେଇ ଦେଇ ତା କଥା ଆଗ ବୁଝିଲେ । ପିଲାଟି ପାଇଁ ଆଗ ଔଷଧ ଦେଲେ । ତାଙ୍କ ହାତ ବାଜିବାରୁ ପିଲାଟାର ଝାଡ଼ା ଦିନଟାକରେ ବନ୍ଦ ହେଲା ।

 

ଡାକ୍ତରଖାନାଟିଏ ହେଲାରୁ ସିନା ଏତେ ସୁବିଧା ।

 

ଗାଁଠାରୁ ଦେଢ଼ମାଇଲ ଦୂରରେ ଡାକ୍ତରଖାନା ଗଢ଼ି ଉଠିଛି । ଆଖ ପାଖ ଅଞ୍ଚଳରେ ଲୋକେ ରୋଗ ହେଲେ ଦୌଡ଼ି ଆସୁଛନ୍ତି ଡାକ୍ତର ବାବୁଙ୍କ ପାଖକୁ ।

 

ଖାଲି ସେତିକି ନୁହେଁ । ଗାଁ ମୁଣ୍ଡରୁ ଡାକେ ବାଟରେ ନୂଆକରି ତୋଳା ହୋଇଛି ଚାରି ବଖରା ଚାଳଛପର ଘର । ଗାଁ ସ୍କୁଲ । ସେଇଠି ଗାଁ ପିଲାଏ ପାଠ ପଢ଼ିବେ । ଦୁଇଜଣ ଶିକ୍ଷକ ନିଯୁକ୍ତି ପାଇଛନ୍ତି ସ୍କୁଲରେ । ପିଲାଏ ନାଁ ଲେଖେଇଛନ୍ତି । ପାଠ ପଢ଼ିଲେ ଶିକ୍ଷିତ ହେବେ । ମଣିଷ ହେବେ । ଦେଶ ସେବା କରିବେ ।

 

ଗାଁ ସ୍କୁଲ ତୋଳା ହେବା ସଙ୍ଗେ ସଙ୍ଗେ ଗାଁ ପଶ୍ଚିମ ପାଖେ, ଯେଉଁଠି ପ୍ରତିବର୍ଷ ଏ ଅଞ୍ଚଳରେ ପଞ୍ଚଦୋଳ ମେଲଣ ହୁଏ, ତା ପାଖକୁ ଲାଗି ତୋଳା ହୋଇଛି ଦି ବଖରା ପକାଘର । ତହସିଲ ଅଫିସ । ଏ ଅଞ୍ଚଳରେ ଜମିଜମା ଘରବାଡ଼ି ସଂକ୍ରାନ୍ତୀୟ କାଗଜ ପତ୍ର ଏଇଠି ହେବ । ଲୋକେ ଆଉ ହଇରାଣ ହରକତ ହୋଇ ଦୂର ଜାଗାକୁ ଯିବେ ନାହିଁ କାଗଜପତ୍ର କରିବା ପାଇଁ ।

 

ଲୋକମାନଙ୍କ ସୁବିଧା ପାଇଁ, ଜନ କଲ୍ୟାଣ ପାଇଁ, ସରକାରଙ୍କର କେତେ ବ୍ୟବସ୍ଥା ।

ପରିବର୍ତ୍ତନ ଘଟିଛି ଆଖପାଖ ସବୁ ଗାଁର ।

ସେ ତା ନିଜ ଦିହକରେ ଦେଖିଲାଣି କେତେ ପରିବର୍ତ୍ତନ ।

ସଭ୍ୟତାର ନୂଆ ପରଶ ଲାଗିଲାଣି ସବୁରିଙ୍କଠେଇଁ ।

ପରିବର୍ତ୍ତନ ଘଟିଲାଣି ସତେ ଯେମିତି ହାରା ଜୀବନର । ବାୟାର ମଝିଆଁ ପୁଅଟାକୁ ସେ ତା ନିଜ ଅଂଶର ରଖିବ ବୋଲି ମନସ୍ଥ କରିସାରିଲାଣି । ସେଥିପାଇଁ ଖା ପିଆ ସାରି ରାତିକି ଆରପଟ ଘରେ ଶୋଇବାକୁ ଗଲାବେଳେ ତାକୋଇ ସେ ସାଥିରେ ନେଇଯାଏ । ସେବତୀକି କହେ—ଆଲୋସେବ, ତିନିତିନିଟା ପିଲାଙ୍କୁ ନେଇ କେମିତି ଶୋଇବୁ । ଏଇଟାକୁ ମୁଁ ନେଇ ଯାଉଛି ।

ସେବତୀ ପ୍ରତିବାଦ କରେ ନାହିଁ ।

ସେ ମଝିଆଁଟାକୁ ନେଇ ଆର ସାଇ ଅଜାଘରେ ଶୁଏ । ଆର ସାଇ ଅଜା ଘରଟା ତାର ହୋଇଗଲାଣି । ଜୀବନରେ ଆଉ ଯେତୋଟି ବର୍ଷ ବାକି ଅଛି ତାହା ତାର ଏଇଠି କଟିଯିବ । ଏଇଘରେ ତା ଅଜାଙ୍କର ପ୍ରାଣ ଯାଇଛି । ଏଇ ଘରେ ତା ଜୀବନ ଯିବ । ତେଣ ଏ ଘର ପ୍ରତି ତାର ଆକର୍ଷଣ ବଢ଼ିବାରେ ଲାଗିଛି । ଏଘରର ପ୍ରତିଟି ମାଟି କଣିକାରେ ତା ହୃଦୟର ନିଶ୍ୱାସ ପ୍ରଶ୍ୱାସ ଖୁନ୍ଦି ହୋଇ ରହି ଗଲାଣି ।

ଏ ଘରେ ବାୟାର ମଝିଆଁ ପୁଅଟାକୁ କୋଳେଇ ଧରି ଶୋଇଲେ ସେ ପରମ ଆନନ୍ଦ ପାଏ ।

ମାଘ ମାସ ରାତିରେ, ଶୀତ କାକର କୁହୁଡ଼ିରେ ଦେହର ହାଡ଼ ଯେତେବେଳେ ବରଫ ପାଲଟି ଗଲାପରି ବୋଧହୁଏ, ସେତେବେଳେ ସେ ତାର ଭାଇର ପୁଅ ପୁତୁରାକୁ କୋଳରେ ଟାଣ ଧରି ଉଷୁମ ପାଏ । ମନେ ମନେ ଗୋପୀନାଥଙ୍କୁ କେତେ ଗୁହାରି କରେ । ପ୍ରାର୍ଥନା ଜଣାଏ । ବାହାରର ଉତ୍ତରା ପବନ ଦେହ କୋହଲାଏ । ତଥାପି ତା ମନର ଉଷ୍ଣତା ଭରିଯାଏ ପିଲାଟିର ସାନିଧ୍ୟ ହେତୁ ।

ତା ପାଇଁ ତା ମନରେ ଜନନୀର ମାୟା ମମତା ଜମାଟ ବାନ୍ଧେ ।

ରାତି ବଢ଼ି ବଢ଼ି ଯାଏ ।

ଘରର ପ୍ରତିଟି କୋଣରୁ ତା କାନରେ ବାଜେ ତା ଅଜାଙ୍କ ବାଣୀ—ଗୋପୀନାଥେ ଏ ଗାଁର ଇଷ୍ଟ । ତାଙ୍କୋଇ ସେବା କରିବୁ । ସେ ତୋତେ ପଥ ଦେଖେଇବେ । ସେ ତୋତେ ଆନନ୍ଦ ଦେବେ ।

ସତରେ ସେ ତାକୁ ବାଟ ଦେଖେଇଛନ୍ତି । ସତରେ ସେ ତାର କାକୁତି ମିନତି ଗୁହାରି ଶୁଣିଛନ୍ତି । ତା କାତର ପ୍ରାଣର ବେଦନା କାନରେ ପୂରେଇଛନ୍ତି । ତା କୋଳକୁ ପଠେଇ ଦେଇଛନ୍ତି ପିଲାଖଣ୍ଡିଏ । ସେଇ ଦିହଥରା ରାତିର ଅନ୍ଧାର ଭିତରେ ସେ ତାଙ୍କ ଉଦ୍ଦେଶ୍ୟରେ ମୁଣ୍ଡିଆ ମାରେ ।

ସେ ହିଁ ତାର ସାହା ଭରସା ।

ମାଘମାସର ହେମାଳ ପବନ ତା ଦେହରେ ବାଜେ ।

ସେ ତାକୁ କୋଳରେ ଜାକିଧରି ଶୁଏ ।

ପିଲାଟିର ବୟସ ବଢ଼ିଗଲାଣି ।

ସେ ଗାଁ ସ୍କୁଲରେ ପାଠ ପଢ଼ିଲାଣି । ଭଲ ପଢ଼ୁଛି ବୋଲି ଶିକ୍ଷକଙ୍କର ତା ପ୍ରତି ସ୍ନେହ । ପିଲାଟା ପ୍ରତି ସ୍ନେହ ଥାଏ ସିନା ଉପରେ ଉପରେ ଖୁବ୍‌ କଡ଼ା ନଜର । ସେଦିନ ମିଶାଣଟାଏ ଭୁଲ୍‌ କରି ଦେଇଥିଲା ବୋଲି କାନଟାକୁ ଏମିତି ରଗଡ଼ି ଦେଇଥିଲେ ଯେ କାନ ତଳୁ ଛିଣ୍ଡି ଯାଇଥିଲା । ସ୍କୁଲରୁ ଫେରି ସେ କାନ୍ଦି କାନ୍ଦି ତାକୁ କହିଲା । ତାକୁ ସେ ପିଲାଦିନୁ ଆଦରି ଯାଇଛି । ତେଣୁ ଭଲ ମନ୍ଦ ସବୁ ତାକୁ କହେ । ତା ନିଜର ନନା ବୋଉକୁ କହେ ନାହିଁ । ସେ ତାକୁ ବୋଉ ବୋଲି ଡାକେ । ପିଲାଦିନରୁ ବୋଉ ବୋଉ ଡାକି ଅଭ୍ୟାସ ପଡ଼ି ଯାଇଛି । ତାକୁ ଆଉ ସେ ବଦଳେଇ ପାରୁ ନାହିଁ । ତା ଜନମ କଲା ମାଆକୁ ସେ ଖୁଡ଼ୀ ବୋଲି ଡାକେ ।

ସେଦିନ ସ୍କୁଲରୁ ଫେରି ବହି ବସ୍ତାନି ଫୋପାଡ଼ି ଦେଇ ତା ଆଗରେ ବୁହେ ମାଷ୍ଟରଙ୍କର ସାତ ପୁରୁଷଙ୍କୁ ଗାଳି ଦେଇଗଲା । ତାପରେ କାନ୍ଦି କାନ୍ଦି ବୋଉକୁ କାନ ଦେଖେଇ କହିଲା—ଦେଖିଲୁଣି ବୋଉ, ଦେଖେ । ଏମିତିକା ମାଷ୍ଟର ପାଖରେ ପାଠ ପଢ଼ନ୍ତି ? ମୁଁ ଆଉ ସେ ମାଷ୍ଟ୍ରଙ୍କ ପାଖରେ ପଢ଼ିବି ନାହିଁ । ମିଶାଣଟାଏ ଭୁଲ ହୋଇଗଲା ବୋଲି କାନଟାକୁ ଏକାଥରକେ ମୋଡ଼ି ମୋଡ଼ି ଛିଣ୍ଡେଇ ଦେବେ ?

ସେ ତା କାନ ଦେଖିଲା । ତା ମନରେ ରୋଷ ଆସିଲା । ରୋଷକୁ ଚାପିରଖି ସେ ତାକୁ ବୁଝେଇ କହିଲା—ପୁଅରେ, ଶିକ୍ଷକ ହେଉଛନ୍ତି ଗୁରୁ । ସେ ପିତୃତୁଲ୍ୟ । ସେ ଯାହା ଦଣ୍ଡ ଦେବେ ତାହା ତୋର ମଙ୍ଗଳ ପାଇଁ । ତୋତେ ପାଠ ଆସିଲା ନାହିଁ, ସେ ଦଣ୍ଡ ଦେଲେ ଏଥିରେ ରାଗିବାର କିଛିନାହିଁ । ତୁ ଭଲ ପଢ଼ିଲେ ସେ ତୋତେ ଖୁବ୍‌ ଭଲ ପାଇବେ ।

ସେ ବୁଝିଗଲା । ଆରଘରକୁ ଯାଇ ଖାଇ ଦେଇ ସେ ତାର ସାଙ୍ଗମାନଙ୍କ ସାଥିରେ ଗଲା ଖେଳିବାକୁ । କିନ୍ତୁ ତା ମନ ବୁଝିଲା ନାହିଁ । ପିଲାଟା ମିଶାଣ ଭୁଲ କରିଦଲା ବୋଲି ତାକୁ କଣ ଏମିତି ଦଣ୍ଡ ଦିଆଯାଏ ? ମାଷ୍ଟରଙ୍କର କଣ ପିଲାଛୁଆ ନାହାନ୍ତି ? ଦଣ୍ଡଦେବେ ବୋଲି କଣ କାନଟାକୁ ଛିଣ୍ଡେଇ ଦେବେ ? ମାଷ୍ଟ୍ରଙ୍କୁ ଦିପଦ କହି ନଆସିଲେ ମନ ଶାନ୍ତ ହେବନାହିଁ ।

ସଞ୍ଜ ହେଲାରୁ ସେ ସ୍କୁଲ ଘରଠିକି ଗଲା । ସ୍କୁଲଘର ପଛ ପାଖେ ବଖରାଏ ଘର । ସେଇଠି ମାଷ୍ଟ୍ରେ ରହନ୍ତି । ସ୍କୁଲଠାରୁ ତାଙ୍କ ଘର ଆଠ ଦଶକୋଶ ବାଟ । ପ୍ରତିଦିନ ଯିବା ଆସିବା କରିବା ସହଜ ନୁହେଁ । ଶନିବାର ଓଳିକିଆ ସ୍କୁଲ । ସକାଳ ଓଳି ସ୍କୁଲ ଶେଷ କରି ଓପର ଓଳି ସେ ଗାଁକୁ ଯାଆନ୍ତି । ରବିବାର ଦିନଟା ଘରେ ରହି ଘରକାମ ବୁଝନ୍ତି । ପୁଣି ସୋମବାର ସକାଳୁ ଆସି ସ୍କୁଲରେ ହାଜର ହୁଅନ୍ତି ।

ମାଷ୍ଟ୍ରେ ବୟସ୍କ ଲୋକ । ମାଷ୍ଟ୍ର ହିସାବରେ ତାଙ୍କର ଖୁବ୍‌ ନାଁ । ଖୁବ୍‌ ମିଳାପୀ, ମିଷ୍ଟଭାଷୀ-। ମାତ୍ର ସାମାନ୍ୟ ବଦରାଗୀ । ରାଗିଗଲେ ମାଡ଼ଟିଏ ଆଉ ତଳେ ପଡ଼ିବନି । ପିଠି, ମୁଣ୍ଡ, କାନ, ନାକ, ହାତ, ଗୋଡ଼, ଯେଉଁଠିକି ପଡ଼ିଲା ସେଠିକି ପିଟିଦେଇ ଯିବେ ।

ସଞ୍ଜବେଳିଆ ସମୟ ମାଷ୍ଟ୍ରେ ବସି ରୋଷେଇ ଆୟୋଜନ କରୁଛନ୍ତି । ଚୁଲିରେ ଭାତ ପାଣି ବସିଛି । ମାଷ୍ଟ୍ରେ ଚାଉଳ ଧୋଉଛନ୍ତି । ଚୁଲିରେ କାଠ ଖଣ୍ଡେ ଲେଖାଁ ମୁହାଁଉଛନ୍ତି । ଏତିକିବେଳେ ସେ ଯାଇ ତାଙ୍କ ପାଖେ ହାଜର ।

 

ଆଗରୁ ନାନୀ ସହିତ ମାଷ୍ଟ୍ରଙ୍କର ଚିହ୍ନାଜଣା । ବେଳେ ବେଳେ ସେ ତାଙ୍କ ଘର ଆଡ଼େ ବୁଲିଆସନ୍ତି । ନାନୀ ସହିତ ସୁଖ ଦୁଃଖ ହୁଅନ୍ତି । ପୁରୁଣା ଆମ୍ୱୁଲ ନତୁବା ଆଚାର ଥିଲେ ନାନୀ ତାଙ୍କୁ ଦିଏ । ନଡ଼ିଆଟିଏ ଥିଲେ ନାନୀ ତାଙ୍କ ବ୍ୟାଗରେ ପକେଇଦିଏ । କିଛି ନହେଲେ ମୁଗ ପୁଞ୍ଜିଏ କି ପରିବା ଦିଖଣ୍ଡି ତାଙ୍କ ବ୍ୟାଗରେ ପକେଇ ଦେଇ କହିବ—ମାଷ୍ଟ୍ରେ, ପିଲାଟିକୁ ଟିକିଏ ଦେଖୁଥିବେ-। ଏ ଖଣ୍ଡିକ ପରା କୂଳରେ ଲଗେଇବି । ଏଇଟାକୁ ଟିକିଏ ନଜର ଦେଉଥିବେ । ତୁମ ଆଶୀର୍ବାଦ ଧୂଳି ନପଡ଼ିଲେ କଣ ସିଏ ମଣିଷ ହେବ !

 

ନାନୀ ପାଖରେ ପହଞ୍ଚି ଯିବାରୁ ମାଷ୍ଟ୍ରେ ନାନୀକି ଚାହିଁଲେ । ନାନୀର ମୁହଁଟା ଗମ୍ଭୀର । ଅଦିନ ମେଘ ଖଣ୍ଡିଏ ମୁହଁ ଉପରେ ଯେମିତି ଦୋଳିଯାଇଛି ।

 

ମାଷ୍ଟ୍ରେ ହସି ହସି ପଚାରିଲେ—କ’ଣ ହୋଇଛି କି ନାନୀ ? ଆଜି କାହିଁକି ମୁହଁଟା କେମିତି ରାଗିଲା ରାଗିଲା ଜଣା ପଡ଼ୁଛି ?

 

ସେ ସଙ୍ଗେ ସଙ୍ଗେ କହି ପକେଇଲା—ହଇହେ ମାଷ୍ଟ୍ରେ, ତୁମର ଛୁଆପିଲା ଅଛନ୍ତିଟିକି ? ପିଲାଟାର କାନଟାକୁ ଏମିତି ମୋଡ଼ି ଦେଇଛ ଯେ ସେ ଆଉ ପାଠପଢ଼ି ଆସିବାକୁ ରାଜି ନୁହେଁ ।

 

ମାଷ୍ଟ୍ରେ ହସଟାଏ ହସି କହିଲେ—ହଇଏ ନାନୀ, କାନ ନ ମୋଡ଼ି ଥିଲେ ତୁମେ ଏଠିକି ଆସି ଥାଆନ୍ତଟିକି ? ଆହେ ତାକୁ ନ ମାରିବିତ ଆଉ ମାରିବି କାହାକୁ ? ତାକୁ ସବୁଠାରୁ ବେଶୀ ସ୍ନେହ କରେ ବୋଲି ତାର ଭୁଲ୍‌ ଦେଖିଲେ ମୁଁ ସହିପାରେ ନାହିଁ । ମାରେ ଶାସନ କରେ, ଆସନ୍ତା ବୃତ୍ତି ପରୀକ୍ଷାକୁ ପରା ସେ ଯିବ । କହିଲ ଦେଖି ବୃତ୍ତି ପରୀକ୍ଷାରେ ଯଦି ସେ ବୃତ୍ତିଟିଏ ପାଇଲା ତାହେଲେ ତା ମାଇନର ପଢ଼ାଟା କେଡ଼େ ସୁରୁଖୁରୁରେ ହୋଇଯିବ । କ୍ଲାସରେ ସବୁଠାରୁ ସିଏ ଭଲ ପଢ଼େ ବୋଲି ତା ଉପରେ ମୋର ସବୁଠାରୁ ବେଶୀ ସ୍ନେହ । ଦେଖିବ ନାନୀ, ବଡ଼ ଦିନକୁ ସେ ଖୁବ୍‌ ମଣିଷଟିଏ ହେବ ।

 

ମାଷ୍ଟ୍ରଙ୍କଠାରୁ ଏତକ ଶୁଣିବା ପରେ ଖରାଦିନିଆ ବରଷା ପରି ତା ରାଗ ତତ୍‌କ୍ଷଣାତ୍‌ କେଉଁଆଡ଼େ ଉଭେଇଗଲା । ମାଷ୍ଟ୍ରଙ୍କୁ ଆଉ କିଛି କହିବାର ସାହସ ନଥିଲା ତାର । ସତରେ ମାଷ୍ଟ୍ରେ ପିଲାଟାକୁ କେତେ ଭଲ ନପାଆନ୍ତି !

 

ନିଜ ପାପ ନିଜକୁ ଛୁଇଁଲା ପରି ବୋଧ କଲା ସେ । ମାଷ୍ଟ୍ରଙ୍କୁ ରାଗିକରି ଦିପଦ କହିବ ତାର ଉଚିତ ହୋଇନାହିଁ । ସେ କହିଲା—କିଛି ମନରେ ଧରିବ ନାହିଁ ମାଷ୍ଟ୍ରେ । ମୁଁ ଜାଣେ ପିଲାଟି ପ୍ରତି ତୁମର ଯଥେଷ୍ଟ ସ୍ନେହ । ଆମ ଘର ଆଡ଼େ ବୁଲି ଆସିବ । ପିଲାଟା ମୋ ପାଖରେ କଇଁ କଇଁ ହୋଇ କାନ୍ଦିଲା ବୋଲି ତା କାନ୍ଦ ସହି ନପାରି ତୁମ ପାଖକୁ ପଳେଇ ଆସିଥିଲି ସିନା । ତୁମେ ତାକୁ ଶାସନ ନକଲେ ଆଉ କିଏ ତାକୁ ଶାସନ କରିବ ? ତୁମ ବେତ ନ ବାଜିଲେ କଣ ମଣିଷ ହେବ ସେ ।

 

ସେ— ?

 

ସେ ସେ ନିଜେ ।

 

ସେ ଶିବ ପ୍ରସାଦ ।

 

ଅଗନା ଅଗନି ବନସ୍ତ ଭିତରେ ଚଳନ୍ତା ବସ୍‌ର ଏକ ନିଃସଙ୍ଗ ଯାତ୍ରୀ ।

 

ବସ୍‌ର ଘର୍ଘର ଶବ୍ଦରେ ତାଙ୍କର ଭାବନାର ପାହାଡ଼ ଭୁଷୁଡ଼ି ପଡ଼ିଲା ।

 

ସେ ଚାହିଁଲେ ।

 

ଦୁଇପାଖେ ପାହାଡ଼ ।

 

କେତେ ଜାତିର ଗଛ ପତର ।

 

ବୈଶାଖ ଝାଞ୍ଝିରେ ଦେହ ସାରା ଜଳିଯାଉଛି ।

 

ସେ ନିଜକୁ ଚାହିଁଲେ ।

 

ରୁମାଲ ଖୋଲି ଦେହରୁ ଧୂଳି ଝାଡ଼ିଲେ ।

 

ହାତ ମୁହଁ ପୋଛିଲେ ।

 

ସାମନାରେ ଉଠି ପଡ଼ି ଲମ୍ୱିଯାଇଛି ଧୂଳି ଧୂସରିତ ରାସ୍ତା । ପିଚୁ ନାହିଁ । ନାଲି ମାଟିର ପାହାଡ଼ି ସଡ଼କ ।

 

ବସରେ ଯାତ୍ରୀ ସଂଖ୍ୟା କମ୍‌ ।

 

କେତେ ଯାତ୍ରୀ ଓହ୍ଲେଇ ଗଲେଣି ।

 

ମନରେ ସପନର ଜୁଆର ଉଠିଛି ।

 

ଅମାନିଆ ମନରେ କେତେ କଣ ଭାବନା ପଶୁଛି ।

 

କେଡ଼ୁଟିଏ ହୋଇଗଲେଣି ସିଏ ।

 

ମନ ଚିହିଁକି ଉଠୁଛି ।

 

କାଲି ପରି ଲାଗୁଛି ସବୁ ।

 

ବୋଉ କଥା ସବୁ ଗୋଟି ଗୋଟି ହୋଇ ମନେ ପଡ଼ୁଛି ।

 

କେତେ ଆଶାରେ ବୋଉ ତାଙ୍କୁ ମଣିଷ କରିଛି ।

 

ଆଖିରେ ନାଚି ଉଠୁଛି ସେଇଘର, ସେଇ ଅଗଣା, ସେଇ ଇଟଅଁଳା ଗଛ, ଲଙ୍କା ମରିଚ, ଶାଗ ପଟାଳି, କେତେ କଣ ।

 

ତାର ସେଇ ଗୋଟିକ ଅନୁରୋଧ—ବୋହୂଟିଏ ଆସିବ ଘରକୁ । ସେ ଦେଖିବ । ସେ ଶାନ୍ତିରେ ନିଶ୍ୱାସ ମାରିବ ।

 

ଆଖିପତା ଲସେଇ ଆସିଲା ।

 

ସେ ହଜିଗଲେ ସେଇ କେତୋଟି ଅଭୁଲା ଅତୀତର ସ୍ମୃତି ଭିତରେ ।

 

ନିଶୂନ ନିଥର ରାତିରେ ବୋଉ ତାଙ୍କୁ କୋଳରେ ବସେଇ କେତେ କାହାଣୀ ଶୁଣାଏ । ତା ଜୀବନର ସମସ୍ତ ଘଟଣା ସେ ଗୋଟି ଗୋଟି କରି ବଖାଣିଯାଏ । ବଖାଣିଯାଏ ତା ଶାଶୁଘର କଥା । କଣ ଥିଲା କଣ ହେଲା ସେ ଘର । ଦିଅର ବୋଲି ଯେଉଁ ଜଣଙ୍କ ଥିଲା ତା କଥା ତୁଣ୍ଡରେ ଧଇଲେ ପାପ । ସେଇଟା ଶେଷକୁ ବାବନାଭୂତ ହେଲା । ଏତେ ଘର, ଏତେ ଜମିବାଡ଼ି, ତୋଟା ବଗାଏତ୍‌ କେତେ ବରଷରେ କୁଆଡ଼େ ଉଭେଇ ଗଲା । ଆଉ ସେ କଥାରେ ବୋଉର ଭାଳେଣୀ ନାହିଁ । ତାର ଏକମାତ୍ର ଆଶା ଭରସାର ଆଧାର ସେ । ସେ ପାଠପଢ଼ି ମଣିଷ ହେଲେ ତା ଜୀବନର ସ୍ୱପ୍ନ ସାର୍ଥକ ହେବ । ସେ ଆଖିରୁ ଲୁହ ପୋଛିବ ।

 

ପାଠପଢ଼ି ମଣିଷ ହୋଇଛନ୍ତି ସେ ।

 

ମନେ ପଡ଼ିଗଲା ସ୍କୁଲ ଜୀବନର ସେଇ ଅଶ୍ରୁଳ କାହାଣୀ ଗୋଟିକ ।

 

ଅଶିଣ ମାସ । ସକାଳୁ ସକାଳୁ ଜୋରରେ ଅସରାଏ ବରଷା ହୋଇ ଛାଡ଼ିଯାଇ ଥାଏ । ଗହୀରମାଳରେ ଅଣ୍ଟେ ଉଚ୍ଚ ଧାନ ଗଛ । ବଂଶବତୀର ଉପରମୁଣ୍ଡୁ ଗୋଳିଆ ପାଣି ବହି ଆସିଥାଏ-। ନଈରେ ଅଣ୍ଟେ ପାଣି, ଠାଏ ଠାଏ ଛାତିଏ ହେବ ।

 

ବରଡ଼ି ମହାନ୍ତିଙ୍କ ଘରେ ମେଳା । ଖବର ପଠେଇଥାନ୍ତି । ନଗଲେ ପଦ୍ମାବତୀଙ୍କର ମନ କଷ୍ଟ ହେବ । କାମ ଥିଲା ବୋଲି ସପ୍ତାହେ ହେଲା ବୋଉ ଯାଇପାରି ନଥିଲା । କାଲିଠାରୁ ମହାଙ୍କୁଡ଼ ହାତରେ ଖବର ଦେଇଛନ୍ତି ପଦ୍ମାବତୀ । ନଗଲେ ନଚଳେ । ତାଙ୍କ କଥା ଭାଙ୍ଗି ହେବ ନାହିଁ ।

 

ଓପର ବେଳା ଦେଖି ବୋଉ ବାହାରିଲା ବରଡ଼ି । ସାଥିରେ ନେଇଗଲା ତାଙ୍କୁ । ଫେରୁ ଫେରୁ ରାତି ହେବ ।

 

ବୋଉକୁ ଦେଖି ମାହାନ୍ତିଆଣୀଏ ଖୁବ୍‌ ଖୁସି ହେଲେ । କହିଲେ—ନାନୀ ମ, ନ ଆସିଥିଲେ ମନ ଦୁଃଖ ହୋଇଥାନ୍ତା ।

 

ପାଞ୍ଚମେଳା ଯାଚିଥିଲି ଯେ ଆଜି ଉଜେଁଇବି ।

 

ପଦ୍ମାବତୀଙ୍କର ବୋଉକୁ ଓ ତାଙ୍କୁ ଆଦରର ସୀମା ନାହିଁ ।

 

ସଞ୍ଜବେଳେ ତ୍ରିନାଥ ମେଳା ଆରମ୍ଭ ହୋଥଇ ରାତି ତିନିଘଡ଼ିକି ଶେଷ ହେଲା । ମାହାନ୍ତିଙ୍କ ପୁରୋହିତେ ଆସି ମେଳା ପୂଜା କଲେ । ପୂଜା ପରେ ପ୍ରସାଦ ସେବନ । ତାଙ୍କ ଗାଁ ବାଲା ପ୍ରସାଦ ପାଇଲେ । ସେ ତାଙ୍କ ପୁରୋହିତଙ୍କ ସହ ଅଲଗା ବସି ପ୍ରସାଦ ସେବନ କଲେ । ବୋଉ ପ୍ରସାଦ ଖାଇଲା ନାହିଁ । ତା ଉପସ୍ଥିତି ହିଁ ପଦ୍ମାବତୀଙ୍କର ଯଥେଷ୍ଟ ।

 

ରାତି ମାଡ଼ି ମାଡ଼ି ଆସୁଥାଏ ।

 

ସବୁକାମ ଶେଷ ହେବା ପରେ ସେ ଫେରିଲେ ।

 

ପଦ୍ମାବତୀ ପହିଲି ହାତରେ ଲଣ୍ଠନ ଦେଇ ସାଥିରେ ପଠେଇଲେ ।

 

ମହାଙ୍କୁଡ଼ ଆସିଲା ସାଥେ ସାଥେ ।

 

ମାହାନ୍ତିଏ ପହଲିକି ସୁବିଧାରେ ଛାଡ଼ିଦେଇ ଆସିବାକୁ ହୁକୁମ ଦେଇଥାନ୍ତି ।

 

ଆଗେ ଆଗେ ମହାଙ୍କୁଡ଼ ।

 

ତା ପଛେ ସେ ।

 

ତାଙ୍କ ପଛେ ବୋଉ ଓ ସମସ୍ତଙ୍କ ପଛରେ ପହଲି ।

 

ମହାଙ୍କୁଡ଼ ହାତରେ ପୁରୁଷେ ଉଚ୍ଚର ଠେଙ୍ଗା ।

 

ପହଲି ହାତକେ ଲଣ୍ଠନ ଆଉ ହାତକେ ଠେଙ୍ଗା ।

 

ଅନ୍ଧାର ରାତି ।

 

ମୁହଁକୁ ମୁହଁ ଦିଶୁନାହିଁ ।

 

ହିଡ଼େ ହିଡ଼େ ଚାଲିଛନ୍ତି ଚାରିଜଣ ।

 

ଠାଏ ଠାଏ ମୁହାଣ ଭାଙ୍ଗି ପାଣି ବୋହୂଛି ।

 

ଠାଏ ଠାଏ ମୁହାଣ ମୁହଁରେ ମାଛ ଧରିବାକୁ ମୁଗୁରା ବସେଇଛନ୍ତି କିଏ କେମିତି ।

 

କାନରେ ପଶୁଛି ବେଙ୍ଗ ବୋବାଳି ।

 

ଝିପି ଝିପି ହୋଇ ପୂରାଟେ ପଡ଼ି ଯାଇଛି ଯେ ହିଡ଼ରେ ସଡ଼୍‌ ସଡ଼୍‌ ଗୋଡ଼ ଖସୁଛି ।

 

ହିଡ଼ ଦି ପାଖେ ଅଣ୍ଟେ ଉଚ୍ଚର ସବୁଜ ଧାନ ପତର ଦେହରେ ଘଷି ହୋଇ ଯାଉଛି ।

 

ଚାରିଆଡ଼ ଶୂନ୍‌ ଶାନ୍‌ ।

 

ପଛକୁ ରହି ଗଲାଣି ବରଡ଼ି ।

 

ତା ପଛକୁ ଶୋଲରୀ । ଅନ୍ଧାରରେ ଦିଶୁନାହିଁ ।

 

କାନରେ ବାଜୁଛି ବଂଶବତୀର ଜଳ ସଙ୍ଗୀତ ।

 

ବଂଶବତୀ ପାଖେଇ ଗଲାଣି ।

 

ସେମାନେ ଗୋଡ଼ ଚିପି ଚିପି ଚାଲିଛନ୍ତି ।

 

ବଂଶବତୀ ନଈବନ୍ଧ ତଳକୁ ଓହ୍ଲାଇବା ରାସ୍ତା ପହଞ୍ଚିଲାଣି ।

 

ତା ପରେ ନଈ ପାର ହେଲେ ଆରପଟ ହୁଡ଼ା । ତା ଆରପାଖେ ରାସ୍ତା । ନଈବନ୍ଧ ତଳକୁ ଖସିବାବେଳେ ପହଲି କହିଲା ନାନୀଲୋ, ସାବଧାନରେ ଓହ୍ଲାଇବୁ । ଖସଡ଼ିଆ ଧରିଛି ମାଟିଟା । ଅସାବଧାନ ହେଲେ ଗୋଡ଼ ଖସିଯିବ ।

 

ପହିଲି ପାଟିରୁ କଥା ନ ସରୁଣୁ ଲଥକିନି ଖସିଗଲା ବୋଉ । ଖସି ଖସି ଯାଇ ପଡ଼ିଲା ପାଣି ଭିତରେ । ନଈରେ ପାଣି ବେଶୀ ନ ଥିଲେ କଣ ହେଲା ନଈରେ ସୁଅ ପ୍ରଖର । ସାପମୁଣ୍ଡ ଦିଖଣ୍ଡ କରିଦେବ । ସୁଅ ମୁହଁରେ ପଡ଼ି ଖଣ୍ଡେ ଦୂର ଭାସିଗଲା ବୋଉ । ଥରେ ଦି ଥର ପାଣିରେ ବୁଡ଼ିଗଲାଣି ସେ ଆଖି ପିଛୁଳାକେ । ପହିଲି ଲଣ୍ଠନ ଆଉ ଠେଙ୍ଗା ତାଙ୍କ ହାତକୁ ବଢ଼େଇ ଦେଇ ଦୁମ୍‌କିନା ପାଣିକି ଡେଇଁ ପଡ଼ିଲା । ସଙ୍ଗେ ସଙ୍ଗେ ସୁଅ ମୁହଁରେ ଯାଇ ବୋଉକୁ ଧରି ଆର ପାଖ ହୁଡ଼ାକୁ ଆଣିଲା । ସେତେବେଳକୁ ସେ ଢୋକେ ଦିଢ଼ୋକ ପାଣି ପିଇସାରି ଥାଏ । ସେ ଓ ମହାଙ୍କୁଡ଼ ନଈପାର ହୋଇ ଆରପାଖକୁ ଗଲେ । ବୋଉର ପାଟିରୁ କଥା ବାହାରୁ ନଥାଏ । ତା ପେଟ ଚିପିଦେବାରୁ ଭକ୍‌ ଭକ୍ କରି ପାଣିଗୁଡ଼ାକୁ ସେ ବାନ୍ତି କରି ପକେଇଲା । ତା ପରେ ଟିକିଏ ଦମ୍ଭ ଆସିଲା । ସେ ତାଙ୍କୁ କୋଳକୁ ନେଇ ଆଉଁଷି ପକେଇଲା । ତା ପରେ କହିଲା—ପହଲିରେ ତୋ ଯୋଗୁଁ ମୋ ପ୍ରାଣ ରହିଲା । ନହିଲେ ଯେମିତି ଅଖଞ୍ଜିଆରେ ଖସିଥିଲି ଆଉ ବଞ୍ଚି ନଥାନ୍ତି ।

 

ସମସ୍ତେ ହୁଡ଼ାରେ ବସିଲେ ।

 

ମହାଙ୍କୁଡ଼ ବୋଉର ଗୋଡ଼ହାତ ଚିପି ଦେଲା ।

 

ସାମନାରେ ବହିଯାଉ ଥାଏ ବଂଶବତୀ । ନଈଟା ପ୍ରତି ରାଗ ଆସିଲା ତାଙ୍କର । ରାକ୍ଷସଙ୍କ ପରି ସେ କେମିତି ଏଇଲେ ଖାଇ ଯାଉଥିଲା ବୋଉକୁ । ମାହାଙ୍କୁଡ଼ ହାତର ଠେଙ୍ଗାଟାକୁ ନେଇ ସେ ଚଳନ୍ତା ସୁଅକୁ ଦି ପାହାର ପକେଇଲେ ।

 

ହୁଡ଼ାରେ ସେ, ତାଙ୍କ ବୋଉ, ରଇତ ପହଲି ଓ ମାହାଙ୍କୁଡ଼ । ମନେ ମନେ ଭାବିଲେ—କେଡ଼େ ଦୁର୍ଘଟଣାରୁ ବୋଉ ରକ୍ଷା ନ ପାଇଲା ! କେତେ ଅକାରଣ ପାପ ଛୁଇଁଲା ମନକୁ । ମନକୁ ମନ ବୁଝେଇଲେ—ନାଁ ବୋଉର କିଛି ହେବନାହିଁ । ସେ ବଡ଼ ହେବ । ସେ ତାର ସେବା କରିବେ । ତା ଶୁଖିଲା ମୁହଁରେ ହସ ଫୁଟେଇବେ ।

 

ରାତି ବଢ଼ି ଆସିଲା ।

 

ବୋଉର ଦେହରେ ଦମ୍ଭ ଆସିଲା ।

 

ସେ ବୋଉର ହାତ ଧରିଲେ ।

 

ପହଲି ଲଣ୍ଠନ ଦେଖାଇ ଆଗେ ଆଗେ ଚାଲିଲା ।

 

ମାହାଙ୍କୁଡ଼ ପଛେ ପଛେ ।

 

ସେମାନେ ଆସିଲେ ।

 

ବାହାର ଗାଡ଼ିର ପାଖ ଶଗଡ଼ଦଣ୍ଡା ପାର ହୋଇ ଗାଁ ମୁଣ୍ଡେ ପଶିଲେ ।

 

କେତେ ବ୍ୟସ୍ତ ହୋଇ ନଥିଲେ ସେଦିନ ସେ । ନନା ଏଘଟଣା ଶୁଣି ବୋଉ ଉପର ଖପା—ତୋତେ କେତେଥର ମନାକରିଛି ରାତିକି ବରଡ଼ିରେ ରହିବୁନି ବୋଲି । ତୁ ତ ମୋ କଥା ମାନୁନାହୁଁ । ଆଜି କଣ ହୋଇଥାନ୍ତା କହିଲୁ ? ଗୋପୀନାଥେ ରଖିଲେ ବୋଲି ସିନା !

 

ଖୁଡ଼ୀ ଶୁଣିଲା । ବହୁତ ଦୁଃଖ କଲା । ଖାଇ ବସିବାବେଳେ ବୋଉକୁ ବୁଝେଇ କରି କହିଲା—ନାନୀ ମ, ତୁମକୁ ମୋ ରାଣ, ଆଉ ଏଣିକି ରାତିହେଲେ ସେ ଗାଁରେ ରହୁ ନଥିବ । ହିଡ଼ଗଡ଼ି ରାସ୍ତା । ତୁମେ ଏକୁଟିଆ ମାଈପି । କାଳ ଅଛି । ବେଳ ଅଛି । ରହିଲେ ସିନା ହଇରାଣ । ଭଗବାନ ତ ମୁଠେ ଖାଇବାକୁ ଅଭାବ କରି ନାହାନ୍ତି । ଏଣିକି ଯେବେ ଯାଉଥିବ ଦିନ ଥାଉଁ ଥାଉଁ ଫେରି ଆସୁଥିବ । ବୋଉ ଶୁଣିଲା । ଖୁଡ଼ିକଥାରେ ହଁ ଭରିଲା । କହିଲା—କଅଣ କରିବି ଲୋ ସେବ । ଆସିବି ଆସିବି ବୋଲି ଉଠି ଠିଆ ହେଲେ ମଧ୍ୟ ପଦ୍ମାବତୀ କାନିଟାଣି ବସେଇବେ । ତୁ ବୁଝେଇଲୁ । ବାୟା ବୁଝେଇଲା । ହେଲେ ରାଣନିୟମ ପକାନା । ମୋର ତ ମନେ ରହିବ ନାହିଁ । ପୁଣି ଯୋଉ କଥାକୁ ସେଇକଥା ହେବ । ଗଲେ କଣ ସହଜରେ ଫେରି ପାରୁଛି । ସେ ଯେଉଁ ଭୁଆସୁଣୀ ଟୋକୀ ଗୁଡ଼ାକ ସେଇମାନେତ ଚିଲପରି ଘେରିଯାଇ ଏଣୁ ତେଣୁ ଗପିବେ ଯେ ସେଇଠୁ ଉଠୁ ଉଠୁ ବେଳ ବୁଡ଼ । ତେବେ ଏଣିକି ତୋ କଥା ରଖିବି । ପହଲି ଯଦି ନଥାନ୍ତା ଆଜି ଆଉ କଣ ତୁ ମୋତେ ଦେଖିଥାନ୍ତୁ । ତାର କି ସାହାସ । ଆଖି ପିଛୁଳାକେ ପାଣିକି ଡେଇଁପଡ଼ି ମୋତେ ଟେକି ଆଣି କୂଳରେ ହାଜର । ଭଗବାନ ତାକୁ ପରମାୟୁ ଦେଇଥାନ୍ତୁ । ରଇତ ପରି ରଇତଟାଏ ତ ।

 

ମନ ବିବ୍ରତ ହୋଇ ପଡ଼ିଲା ।

 

ତାଙ୍କ ସ୍କୁଲ ଜୀବନର ଘଟଣା ।

 

ସେତେବେଳେ ସେ ହାଇସ୍କୁଲର ଛାତ୍ର ।

 

ସେ ଦିନର ସେ ଦୃଶ୍ୟଟି ଆଖିରେ ନାଚିଲେ ଦେହର ରକ୍ତ ପାଣିଫାଟିଯାଏ । ସେ ଡରି ଯାଆନ୍ତି ।

 

ଏତେ ସତ୍ୱେ ବୋଉର ବରଡ଼ି ପ୍ରତି ମମତା ତୁଟିନାହିଁ । ଆଉ ଏଣିକି ବଳ ବୟସ ପାଉ ନାହିଁ । ସେ ଯାଇ ପାରୁ ନାହିଁ । ନ ଗଲେ କଣ ହେଲା ବରଡ଼ିର ଯିଏ ଆସିବ ତାକୁ ଡାକି ବରଡ଼ିର ଭଲମନ୍ଦ କଥା ବୁଝିବ । ପଦ୍ମାବତୀଙ୍କ କଥା ପଚାରିବ, ନାହାକ ଘର ଖବର ନେବ ।

 

ବରଡ଼ି ପ୍ରତି ଅସରନ୍ତି ଆଗ୍ରହ ।

 

ସେ ବିବ୍ରତ ହୋଇ ଉଠିଲା ।

 

ଅଗଣାରେ ବସି ବୋଉ ତା ଜୀବନର ସମସ୍ତ କାହାଣୀ ତାଙ୍କୁ ଶୁଣେଇଛି । କେତେ ତ୍ୟାଗ ସ୍ୱୀକାର କରିଛି ସେ ତାଙ୍କରି ପାଇଁ । ସେ ମଣିଷ ହେଲେ ତାର ଦୁଃଖ ଯିବ । ସେ ଶାନ୍ତି ପାଇବ । ତା ଜୀବନରେ ସେ ଅନେକ କଥା ଅଙ୍ଗେ ନିଭେଇଛି । କେତେ ଘଟଣା ପ୍ରବାହ ଘଟିଯାଇଛି ତା ସଂଘର୍ଷମୟ ଜୀବନ କାଳ ଭିତରେ ।

 

କଣ ଥିଲେ କଣ ହୋଇଚନ୍ତି ସେ ଆଜି !

 

ବସ୍‌ର ଘର୍ଘର ଧ୍ୱନି ସହିତ ମିଶି ମନର ଭାବନା କୁଆଡ଼େ ଆସି କୁଆଡ଼େ ଉଭେଇ ଯାଉଛି ଜାଣି ହେଉନାହିଁ ।

 

ହୃଦୟର ଅନ୍ଦିକନ୍ଦିରେ ଖେଳି ବୁଲୁଛି ତା’ରି ଭାବନା ।

 

କଣ ସେ କରିଛନ୍ତି ତା ପାଇଁ ?

 

ଜୀବନର ସମସ୍ତ ଦୁଃଖ କଷ୍ଟ, ସମସ୍ତ ତ୍ୟାଗ ସେ ତାଙ୍କରି ପାଇଁ ବରଣ କରି ନେଇଛି । ସେ ତାଙ୍କଠାରୁ ପ୍ରତିଦାନ ଚାହିଁନାହିଁ । ତାର ସେଇ ଗୋଟିଏ ଅନୁରୋଧ କୁଳ ରଖିବୁରେ ଶିବୁ । ପାଣି ପାତ୍ରିଏ ଦେବୁ । ଆଉ ବା ମୋ ପାଇଁ ତୁ କଣ କରିବୁ ?

 

ସତରେ ସେ ତା ପାଇଁ କଣ କରି ପାରିବେ !

 

ଜୀବନର ଶେଷ ସୋପାନରେ ପହଞ୍ଚିଲାଣି ବୋଉ । କେତେବେଳେ ଜଳିଲା ଧୂପକାଠି ପରି ସେ ଯେ ଜଳିଯିବ ତାହା ଜାଣି ହେବ ନାହିଁ । ଜୀବନ ସାରା ସେ ଜଳିଛି । ଜଳିଛି ଗୋଟିଏ ସୁବାସିତ ଧୂପକାଠି ପରି । ଜଳି ଜଳି ସେ ତା ଜୀବନଟାକୁ ପାଉଁଶ କରି ଦେଇଛି । ଜଳି ଜଳି ସେ ସମସ୍ତଙ୍କୁ ସୁଗନ୍ଧ ବିତରଣ କରିଛି । ନିଜେ କିନ୍ତୁ ହୋଇଯାଇଛି ଭସ୍ମରାଶି ।

 

କଅଣ ନ କରିଛି ସେ ତାଙ୍କ ପାଇଁ ?

 

କଅଣ ନ କରିଛି ସେ ନନା ଓ ଖୁଡ଼ୀପାଇଁ । ଖୁଡ଼ିପ୍ରତି ତାର ଅମାପ ଦରଦ । ନନା ଯଦି ରାଗକରି କେବେ କେମିତି ଖୁଡ଼ୀକି ଦିପଦ କହିଦେବେ ବୋଉ ନିରୋଳା ଦେଖି ଖୁଡ଼ୀକି ବୁଝେଇବ–ସେବ ଲୋ, ପୂର୍ବ ଜନ୍ମରେ କେତେ ପାପ କରିଥିଲେ ଏ ଜନ୍ମରେ ମାଈପି ଜନ୍ମ ପାଆନ୍ତି-। ମାଈପି ଜନମ ତ ଦୁଃଖ ସହିବା ପାଇଁ ଲୋ—ବାୟା କଥାରେ ଛଳ କରିବୁ ନାହିଁ । ସହିବା ହେଲା ବଡ଼ କଥା । ତୁ ସହିଗଲେ ବଳେ ବଳେ ସେ ବୁଝି ଯିବନି ।

 

ଖୁଡ଼ୀକି ବୋଉ ଖୁବ୍‌ ଭଲ ପାଏ । ଖୁଡ଼ୀ ସହିତ ମିଶି ଘରକାମ କରେ । କେବେ ହେଲେ ତା ମନରେ କ୍ଳାନ୍ତି ନାହିଁକି ଗ୍ଳାନି ନାହିଁ । ଆଉ ନନା ସତେ ଯେମିତି ତା ପ୍ରାଣ । ଭାଇ ବୋଲି ତା ଗୋଡ଼ ତଳେ ଲାଗେନି । ନନାଙ୍କର ଶର୍ଦ୍ଦି ଟିକିଏ କି କାଶ ଟିକିଏ ହେଲେ ସେ ରାତି ରାତି ତାଙ୍କ ପାଖେ ବସିଥିବ ।

 

ସତରେ ତାଙ୍କର ଘର ପ୍ରତି ତାର ଅଗାଧ ମମତା ।

 

ଆଉସବୁ ଠାରୁ ବେଶୀ ମମତା ବୋଉର ତାଙ୍କ ପ୍ରତି । ତାଙ୍କୁ ଦିନେ ନଦେଖିଲେ ସେ ପାଗଳ ହୋଇଯିବ ।

 

Unknown

ବୋଉ ମମତାର ଅମାପ ଭଣ୍ଡାର ।

 

ବୋଉ କରୁଣାର ଅଗାଧ ଜଳଧି ।

 

ବୋଉ ତ୍ୟାଗର ଜ୍ୱଳନ୍ତ ତପନ ।

 

ସେଥର ଗ୍ରୀଷ୍ମଛୁଟି କଥା ମନେ ପଡ଼ିଲା ।

 

ବ୍ରାହ୍ମଣଗଡ଼ିରେ ଦି ମାଣ ଜମି କିଣିଥିଲେ ନନା ।

 

ତାଙ୍କର ଗ୍ରୀଷ୍ମଛୁଟି ସମୟ । ପଢ଼ାପଢ଼ି ନଥାଏ । ନୂଆକରି ନନା ଜମି କିଣିଛନ୍ତି । ଜମିଖଣ୍ଡିକ ଦେଖି ଆସିବାକୁ ବୋଉର ଭାରିଇଚ୍ଛା, ତା ଆନନ୍ଦର ସୀମା ନଥାଏ । କେତେ ପରିଶ୍ରମ କରି ଦି ପଇସା ସଞ୍ଚୟ କରିବାରୁ ନନା ଜମି କିଣିଛନ୍ତି ।

 

ସକାଳୁ ସକାଳୁ ବୋଉ କହିଲା—ଶିବୁରେ, ସଅଳ ବାହାରି ପଡ଼ ଯେ ଜମି ଦେଖି ଖରା ଟାଣ ନ ହେଉଣୁ ଫେରି ଆସିବା ।

 

ଖରାଦିନ ସମୟ । ବେଳ ଉପରକୁ ଝାଞ୍ଝି ପିଟିବ ଯେ ତାତିରେ ତାଳୁ ଫାଟି ପଡ଼ିବ । ସଅଳ ନ ହେଲେ ଯାଇ ହେବ ନାହିଁ ।

 

ସକାଳୁ ସକାଳୁ ପଖାଳ ଖାଇ ସେ ବୋଉ ସହିତ ବାହାରି ପଡ଼ିଲେ ।

 

ଦୁହେଁ ଚାଲି ଚାଲି ବାହାର ଗାଡ଼ିଆ ପାର ହୋଇ ବଂଶବତୀର ନଈ ହୁଡ଼ାକୁ ଉଠିବା ବେଳକୁ ବେଳ ଦି ଘଡ଼ି ।

 

ଖରାଦିନ ତପନ ଯେତିକି ଯେତିକି ଉପରକୁ ଉଠିବେ ସେତିକି ସେତିକି ତାତି ମାଡ଼ି ଆସିବ ।

 

ବଂଶବତୀ ନଈ ଶୁଖିଲା ପରି ।

 

ନଈ ମଝିରେ କ୍ଷୀଣ ଜଳଧାରାଟିଏ । ଧୂସର ବାଲି ଦେହରେ ପଇତା ଖିଏ ପରି । ଜଳଧାରାର ଦୁଇ ପାଖରେ ବାଲି ଗରଡ଼ା ମିଶା ବାଲୁକା ଆସ୍ତରଣ । ଶବ୍ଦହୀନ ଛନ୍ଦହୀନ ମୁର୍ମୂଷୁ ପ୍ରାୟ ଗତି କରୁଛି ଜଳଧାରା ।

 

ନଈ ଭିତରେ ଦଳେ ସ୍ତ୍ରୀ ପୁରୁଷ । ତାଙ୍କ ଗାଁ କୁମ୍ଭାର ସାଇରେ ।

 

ସେମାନଙ୍କ ହାତରେ କାତି ଓ ରସି ।

 

ନଈରେ ମୁହଁ ହାତ ଧୋଇ ଚୋଳ ଚୋଳ କରି ପାଣି ପିଉଛନ୍ତି ସେମାନେ

 

ମାଈପିଏ ଆଞ୍ଜୁଳା ଆଞ୍ଜୁଳା ପାଣି ମୁହଁରେ ଛାଟି ପଣତ କାନିରେ ମୁହଁ ପୋଛୁଛନ୍ତି ।

 

ସେମାନେ ସମସ୍ତେ କାଠ ହାଣି ଆଣିବାକୁ ବାହାରିଛନ୍ତି ଶୋଲରୀକି ।

 

କାଠ ଗୋଛାଟିଏ ଲେଖାଁ ଆଣିଲେ ତାଙ୍କ ବୃତ୍ତି ଚଳିବ ।

 

କଞ୍ଚା ହାଣ୍ଡି ମାଠିଆ ପୋଡ଼ିବାକୁ କାଠ ଦରକାର । ଶୋଲରୀରୁ କାଠ କାଟି ଆଣିଲେ ହାଣ୍ଡି ମାଠିଆ ପୋଡ଼ିବେ । ବିକିବେ । ପେଟ ପୋଷିବେ ।

 

ସେମାନଙ୍କ ସହ ମିଶିଛନ୍ତି ହାଟୁଆ ସାଇର କେତେଜଣ ।

 

ସେମାନେ ପ୍ରାୟ ଗରୀବ ଶ୍ରେଣୀର । ମୂଲ ଲାଗିଲେ ପେଟ ପୋଷିବେ । ଖରାଦିନ । ବିଲବାଡ଼ି କାମ ନାହିଁ । କାମ ମିଳୁ ନାହିଁ । ଶୋଲରୀରୁ କାଠ ଗୋଛାଟିଏ ଲେଖାଁ ଆଣିଲେ ଆଠଣା ବାରଣାରେ ବିକିବେ । ସେଇ ପଇସାରେ ଚାଉଳ କିଣିଲେ ପେଟ ପୋଷିବେ ।

 

ସେମାନେ ନଈ ଭିତରେ ମୁହଁ ହାତ ଧୋଉଛନ୍ତି ।

 

ଆରପଟ ହୁଡ଼ାକୁ ଉଠିଲେଣି କେତେଜଣ ।

 

ସେମାନେ ତାଙ୍କର ଗାଁର ଚିହ୍ନା ଜଣା ଲୋକ ।

 

ହେଇ, କୁମ୍ଭାର ସାଇର ଲାବଣ୍ୟ ମା ହାତରେ କାତି ଆଉ କତାରସି ପୁଳାଏ ଧରି କେଡ଼େ ଜୋରରେ ପାଦ ପକେଇ ଚାଲିଛି ।

 

ବୟସ ଷାଠିଏ ଉପରେ ହେଲାଣି । ତଥାପି ତାର ଅଣ୍ଟା କାଉଁରିଆ କାଠିପରି ଠେଙ୍ଗା । ମୁହଁ ହାତର ଚମଡ଼ାରେ ବହଳିଆ ଭାଙ୍ଗ ଦେଖାଗଲେ ମଧ୍ୟ ତାର ମନରେ ଅଦମ୍ୟ ଦମ୍ଭ ଓ ସାହସ-। ତା ହାଡ଼ୁଆ ଗୋଡ଼ରେ ଅକଳନ ଶକ୍ତି ।

 

ତାଙ୍କ ସାଇର ଯୁଆନ ଭୁଆସୁଣୀଗୁଡ଼ାଙ୍କୁ ଛିଗୁଲେଇ କରି କହୁଛି—ହଇଲୋ ହେ ମାଟିଆ ବୋଉ, ଆଲୋ ଏମିତି ପାଦ ଗଣି ଚାଲିଲେ କାଠହାଣି ଫେରି ପାରିବୁଟି ? ଡଗ ଡଗ ହୋଇ ଗୋଡ଼ କାଢ଼ିଲେ ସିନା ହେବ । କଣ ଯାତରା ଦେଖି ଯାଇଛୁ କି ଯେ ଏମିତି ଥିରି ଥିରି ଚାଲୁଥିବୁ । ଚାଲିବାକୁ ତ ବଳ ନାହିଁ । କାତି ଧରି କାଠପାଇଁ ବାହାରି ପଡ଼ିଛୁ କାହିଁକି ବା ? ଗେରସ୍ତକୁ କହୁନୁ ଆସିବ ।

 

ତା କଥାରେ ମାଟିଆ ବୋଉ ଜୋର ଜୋର ପାଦ ପକେଇ ଚାଲୁଛି ।

 

ତା ପଛେ ପଛେ ଏକାଦଶିଆ ବାପା ।

 

ତା ପଛକୁ ଢେର ଚଉଦ ବର୍ଷର ଝିଅଟିଏ ।

 

ସେମାନେ ସମସ୍ତେ ଚାଲିଛନ୍ତି ଶୋଲରୀକି । ଶୋଲରୀ ସେମାନଙ୍କୁ ଅନ୍ନ ଦେବ । ଶୋଲରୀ ପେଟ ପୋଷିବାର ସାହା ଭରସା ।

 

ନଈ ମଝିରେ ହାଟୁଆ ସାଇର ଗୋବରା ମାଆ ଚୋଳ ଚୋଳ କରି ପାଣି ପିଇ ଯାଉଛି-। ପିଲାଦିନୁ ସେ ଦେଖି ଆସିଛନ୍ତି ଗୋବରା ମାଆକୁ । ସେ ଯେମିତି କି ସେମିତି । ଯେତିକି ମୋଟା, ଯେତିକି ଉଚ୍ଚା ଏବେ ମଧ୍ୟ ଠିକ୍‌ ସେତିକି । ଆଗେ ଆଗେ ଅଣ୍ଟା ଖାଡ଼ିପରି ସଳଖ ଥିଲା-। ଏବେ ଟିକିଏ ନଇଁଲାଣି ।

 

ଗୋବରା ମାଆର ସଂସାର ବୋଇଲେ ସେ ନିଜେ । କେତେ କାଳରୁ ଗେରସ୍ତ ଟଙ୍କା କମେଇବ ବୋଲି କଲିକତା ଯାଇଛି ଯେ ଯାଇଛି । ଆଉ ତାର ଖବର ଅନ୍ତର ନାହିଁ । ତା ସାଥିରେ ଯେଉଁମାନେ କଲିକତା ଯାଇଥିଲେ ସେମାନେ ଫେରି ଯାହା କିଛି ଗୋବରା ମାଆକୁ ଖବର ଦେଇଛନ୍ତି—ଗୋବରା ବାପା କଲିକତାରେ କୋଉ ବଙ୍ଗାଳୁଣୀକି ଧରି ରହିଛି । ତା ଆଡ଼ୁ ତାର ପିଲାଛୁଆ ହେଲାଣି । ସେ ଆଉ ନ ଫେରେ ।

 

ଗୋବରା ମାଆ ଏ ଖବର ଶୁଣିବା ଦିନଠୁ ସଂସାରକୁ ଅଭିମାନ କରି ଚଳୁଛି । କାହା ପ୍ରତି ତାର ଆଉ ବିଶ୍ୱାସ ନାହିଁ । ଆଜିଯାଏ ହାତରୁ ଶଙ୍ଖା ଉତାରିନି ସିଏ । କପାଳରୁ ନିଭେଇନି ସିନ୍ଦୂର । ନିଜ ଗୋଡ଼ରେ ନିଜେ ଠିଆହୋଇ ଚଳିଯାଉଛି ଗୋବରା ମାଆ । ବିଲବାଡ଼ି କାମ ଲାଗିଲା ଦିନେ ସେ ବିଲ ବାଡ଼ିରେ ମୂଲଲାଗି ଚଳେ । ବାକି ଦିନତକ ଶୋଲରୀ ତାର ଆଶ୍ରା । ଗୋଟେ ବୋଲି ପେଟ । ଗୋବରାଟା ରୋଗରେ ଘାଣ୍ଟି ହୋଇ କେବେଠୁ ମରିଛି ସେ । ସଂସାରରେ ସେ ଏକା । କାଠ ଗୋଛାଟେ ମୁଣ୍ଡରେ ମୁଣ୍ଡେଇ ଆଣିଲେ ପେଟ ପୋଷିବ । ଗୋବରା ମାଆ ବୁଢ଼ୀ ହେଇ ଗଲାଣି ।

 

ଆଗପରି ଆଉ ପାହୁଣ୍ଡ ମେଲାଇ ଚାଲି ପାରୁ ନାହିଁ ।

 

ଧୀରେ ଧୀରେ ପାଦ ଗଣି ଗଣି ଯିବ । କାଠ ଗୋଛା ମୁଣ୍ଡେଇ ଗାଁକୁ ଫେରୁ ଫେରୁ ବେଳ ବୁଡ଼ିବାକୁ ଆଉ ଘଡ଼ିଏ ଦିଘଡ଼ି ଥିବ ।

 

ଗୋବରା ମାଆକୁ ଚାହିଁଲେ ମନ ଭିତରଟା ସମବେଦନାରେ ଚହଲି ଉଠୁଛି । ସତରେ କେତେ ଗୋବରା ମାଆ ଏ ଦେଶରେ ନାହାନ୍ତି ! ତାଙ୍କ ପାଇଁ ସାହା ଭରସା କେହି ନାହିଁ ।

 

ଗୋବରା ମାଆ ନଇଁପଡ଼ି ଚୋଳ ଚୋଳ କରି ପାଣି ପିଉଛି ।

 

କେଡ଼େ ମଇଳା କୋତରା ସାତ ସିଆଁ ଲୁଗାଖଣ୍ଡେ ପିନ୍ଧିଛି ସେ । ପଛପାଖରୁ ଦି ଜାଗାରେ ବେଶ୍‌ କରି ଫାଟିଛି ଯେ ଧଳା ଲୁଗାରେ ନେଳିଆ କନାର ତାଳିପଡ଼ି ସିଆଁ ହୋଇଛି ।

 

ଗୋବରା ମାଆର ଶୀର୍ଣ୍ଣ ଶରୀର ଆଉ ତାର କାତର ଚାହାଣୀକି ଦେଖିଲେ ବିକଳ ଲାଗୁଛି ।

 

ପେଟ ପୋଷିବାକୁ ତାର କେତେ ହାଡ଼ ଭଙ୍ଗା ଉଦ୍ୟମ ।

 

ତାଙ୍କ ପାଇଁ ପରମେଶ୍ୱରଙ୍କ ଛଡ଼ା ଆଉ ଯେମିତି କେହି ନାହିଁ ।

 

ଗୋବରା ମାଆ ପେଟେ ପାଣିପିଇ ଆରପଟ ହୁଡ଼ା ଉପରକୁ ଉଠୁଛି । କେତେ ଚିହ୍ନା ଅଚିହ୍ନା ସ୍ତ୍ରୀ ପୁରୁଷ ଝିଅ ଭୁଆସୁଣୀ ଧାଡ଼ିବାନ୍ଧି ଚାଲିଛନ୍ତି ଶୋଲରୀକି ।

 

ଦୂରରୁ ଦିଶୁଛି ଶୋଲରୀ । ଥୁଣ୍ଟା ଥୁଣ୍ଟା ଦିଶୁଛନ୍ତି ପତ୍ରଝଡ଼ା ଗଛଲତା । ନୁଖୁରା ନୁଖୁରା ଦିଶୁଛି ବ୍ରାହ୍ମଣ ଗଡ଼ି । ଏଇ ନୁଖୁରା ମାଟିରେ ଧୂଳି ଉଡ଼େଇ ଚାଲିଛନ୍ତି ସେମାନେ ।

 

କାଠ କାଟି ମୁଣ୍ଡେଇ ଆଣିଲେ ପେଟ ପୋଷିବେ ।

 

ସେ ବୋଉ ସହିତ ଚାଲିଛନ୍ତି ।

 

ଦୂରରୁ ଶୋଲରୀର ଖରାଦିନିଆ ରୂପ ମାଡ଼ିମାଡ଼ି ପଡ଼ିଲା ପରି ଲାଗୁଛି । ଚାରିପାଖ ଶୁଖିଲା । ନଈ ଶୁଖିଲା । ବିଲମାଳ ଶୁଖିଲା । ଗଛ ପତର ଶୁଖିଲା । ଶୋଲରୀ ଶୁଖିଲା । ସୂର୍ଯ୍ୟ ତାପରେ ସମସ୍ତ ପୃଥିବୀ ଶୁଖିଲା ଜଣାଯାଉଛି । ବଂଶବତୀ ପାରହେଲେ ଆଉ ପାଣି ଟୋପେ ମିଳିବାର ସ୍ଥାନ ନାହିଁ । ବଂଶବତୀର କ୍ଷୀଣ ଜଳ ଧାରାହିଁ ସମ୍ୱଳ ।

 

ସେ ବୋଉ ସହିତ ଚାଲି ଚାଲି ନନା କିଣିଥିବା ବିଲ ପାଖରେ ପହଞ୍ଚିଲେ । ପାହାଡ଼ ତଳକୁ ଲାଗି ଚାରି ଚିରା ଛାଡ଼ିଦେଲେ ତାଙ୍କ ଜମି ।

 

ନୂଆ କରି କିଣିଛନ୍ତି ନନା ।

 

ସେ ଚାହିଁଲେ ।

 

ଏଇ ମାଟି ଖଣ୍ଡିକ ହିଁ ଜୀବନର ସମ୍ୱଳ । ଏ ଖଣ୍ଡକ ନଥିଲେ ସୃଷ୍ଟି ରହନ୍ତା ନାହିଁ । ମାଟିହିଁ ସତ୍ୟ । ତାକୋଇ ଚଷିଲେ, ଫସଲେଇଲେ ସଭ୍ୟତା । ସିଏ ନଫଳିଲେ ସଭ୍ୟତା ଗଲା ।

 

ସେ ଜମିର ହିଡ଼ ଚାରିପାଖେ ବୁଲିଆସିଲେ । ମାଟିରୁ ଆଞ୍ଜୁଳାଏ ଧରି ପବନରେ ଉଡ଼େଇଲେ ।

 

ଏ ମାଟିକି ଚାହିଁଲେ ସତରେ କେତେ ଆନନ୍ଦ । ମାଟି ଯୋଗୁଁ ମଣିଷ ।

 

ସୂର୍ଯ୍ୟ ଉପରକୁ ଉଠି ଆସୁଛନ୍ତି ।

 

ଖରା ଟାଣ ହୋଇ ଆସିଲାଣି ।

 

ପାଖକୁ ଦିଶୁଛି ଲଗାଲଗି ହୋଇ ଦୁଇଟି ତାଳଗଛ । ଅଳ୍ପ ଦୂରରେ ଲଗାଲଗି ହୋଇ ଯେଉଁ ଦିଓଟି ଦ୍ରୁମ ତା ତଳେ ବ୍ରାହ୍ମଣଦେଈ ଠାକୁରାଣୀ । ତାଙ୍କ ପାଖକୁ ମାଟି ଘୋଡ଼ା ଦିଓଟି—ପାଖକୁ ବୁଦାଲଟା । ତା ପରେ କଦମ୍ୱଗଛ—ତା ପରେ କୃଷ୍ଣଚୂଡ଼ା କେତୋଟି—ଉପରକୁ ଶୋଲରୀ ଛାତିରେ ଶୁଖିଲା ବୁଦାଲଟା, ପତ୍ରଝଡ଼ା ବାଉଁଶବୁଦା—ବାଗୁଲୁକଣ୍ଟା—ଆଉ ନାଁ-ନଜଣା କେତେ ଜାତିର ଶୁଖିଲା ଗଛ ପତର ।

 

ଶୋଲରୀ ଛାତିରେ ଶୁଖିଲା ବୁଦାମୂଳ ମାନଙ୍କରେ ଦିଶିଯାଉଛନ୍ତି ତାଙ୍କ ଗାଁର ଲୋକମାନେ । ସେମାନେ କାଠ ହାଣୁଛନ୍ତି ।

 

ଖରା ମାଡ଼ି ଆସୁଛି ।

 

ସେ ବୋଉ ସହିତ ଚାଲି ଚାଲି ବ୍ରାହ୍ମଣଦେଈଙ୍କ ପାଖରେ ପହଞ୍ଚିଲା । ଦୁହେଁ ଠାକୁରାଣୀଙ୍କୁ ମୁଣ୍ଡିଆ ମାରିଲେ । ଚାଲି ଚାଲି ହାଲିଆ ଲାଗୁଥିଲା । ବ୍ରାହ୍ମଣଦେଈଙ୍କ ପାଖ ବୁଦାତଳ ଛାଇରେ ବସି ପଡ଼ିଲେ ।

 

ଥକା ହୋଇ ବସିଗଲେ ଆଉ ଉଠିବାପାଇଁ ମନ ହେଉନାହିଁ । ବୁଦାତଳ ଛାଇ ବେଶ୍‌ ଆରାମ ଲାଗୁଛି । ଗହୀର ମାଳର ପବନ ବାଜୁଛି ଦେହରେ । ପାଖରେ କଦମ୍ବ ଗଛର ଡାଳ ଦୋହଲୁଛି । କୃଷ୍ଣଚୂଡ଼ା ଚାହିଁ ରହିଛି ଶୋଲରୀକୁ ।

 

ବୋଉ କାନି ପକେଇ ଛାଇତଳେ ଭୂଇଁରେ ଲୋଟି ପଡ଼ିଛି ।

 

ଚାଲି ଚାଲି ହାଲିଆ ହୋଇ ଯାଇଛନ୍ତି ସେ ।

 

ଗହୀର ସାରା ରାଜୁତି କରୁଛି ନିର୍ଜନତା । କେହି ବୋଇଲେ କେହି ନାହିଁ ଗହୀର ମାଳରେ । ଖରାଦିନର ନିସ୍ତବ୍ଧ ଧୂଧୂର ବିସ୍ତାର ।

 

ଶୋଲରୀ ଭିତରୁ ଗୋଛା ଗୋଛା କାଠ ମୁଣ୍ଡରେ ମୁଣ୍ଡେଇ ତଳକୁ ଖସି ଆସୁଛନ୍ତି ଲୋକମାନେ । ସେମାନେ ଦଳ ଦଳ ହୋଇ କଦମ୍ୱଗଛ ମୂଳକୁ ଆସି ମୁଣ୍ଡରୁ ଗୋଛା ଓହ୍ଲାଉଛନ୍ତି । କ୍ଲାନ୍ତି ଦୂର କରିବା ପାଇଁ କାଠ ଗୋଛା ତଳେ ଥୋଇ ବସି ପଡ଼ୁଛନ୍ତି କଦମ୍ୱ ମୂଳରେ । ଗମ୍‌ ଗମ୍‌ ହୋଇ ବସି ଆସୁଥିବା ଦେହର ଝାଳ ପୋଛୁଛନ୍ତି ସେମାନେ ।

 

ସେମାନେ ବସୁଛନ୍ତି । ଗପସପ କରୁଛନ୍ତି । ପାଣି ମନ୍ଦେ ପାଇଁ ହାଇଁପାଇଁ ହେଉଛନ୍ତି ସେମାନେ । ସେମାନେ ନିଜ ନିଜ ଭିତରେ କୁହାକୁହି ହେଉଛନ୍ତି—ଏ ଖରା ବେଳର ବାଧା ମାରିବାକୁ ପାଣିମନ୍ଦେ ଯଦି ମିଳନ୍ତା ତା ହେଲେ ଆଉ କାଠବୁହା ବାଧନ୍ତା ନାହିଁ । ଉପର ମୁଣ୍ଡର ନାଳ ଖରାଦିନେ ଶୁଖି ଠୋ ହୋଇ ଯାଉଛି । ପାଖ ଆଖରେ ପାଣିମନ୍ଦେ ନାହିଁ । କାହା କଣ୍ଠରେ ଭଲା ବ୍ରାହ୍ମଣଦେଈ ବିଜେ କରନ୍ତେ ଏଇଠି ଗୋଟେ କୂଅ ଖୋଳି ଦିଅନ୍ତା । ବିଚାରା ବହୁତ ଧର୍ମକାର୍ଯ୍ୟ କରନ୍ତା । ଠାକୁରାଣୀ ପାଣି ମୁନ୍ଦେ ପାଆନ୍ତେ । ଏ ମଣିଷର କାଠ ବୋହି ବୋହି ପ୍ରାଣ ବାହାରି ଯାଉଛି ପାଣି ମନ୍ଦ୍ରେ ପାଆନ୍ତା ।

 

ସେମାନେ ଆଉ ଏମିତି କେତେ କଥା କୁହାକୋହି ହୋଇ ଉଠିଲେ । କାଠ ଗୋଛା ମୁଣ୍ଡେଇଲେ । ତା ପଛକୁ ଧାଡ଼ିବାନ୍ଧି ହିଡ଼ ରାସ୍ତା ଧଇଲେ ।

 

ବୋଉ ଛାଇ ତଳେ ଗଡ଼ି ଗଡ଼ି ସବୁ ଶୁଣିଥିଲା । କହିଲା ଶିବୁରେ, ବ୍ରାହ୍ମଣ ଦେଈଙ୍କ ପାଖରେ କୂଅଟିଏ ଖୋଳିଲେ କେମିତି ହୁଅନ୍ତା ? ଶହେ ଛ କୋଡ଼ି ଟଙ୍କାରେ ନନ୍ଦବସା କୂଅଟିଏ ହୋଇ ଯାଆନ୍ତା । ପଇସା ତ ଅଛି । ଧର୍ମକାର୍ଯ୍ୟ ହୁଅନ୍ତା । ଲୋକେ ପାଣି ପିଅନ୍ତେ । ନାଁ ରହନ୍ତା । ଶୁଣିଲୁ ନାଁ—ସେମାନେ ପାଣି ମନ୍ଦେ ପାଇଁ କେମିତି ବିକଳରେ କଥାବାର୍ତ୍ତା ହେଉଥିଲେ । ଏ ଖରାବେଳେ, ତାତିରେ ତାଳୁ ଫାଟି ଯାଉଛି, ସେଥିରେ ସେମାନେ କାଠଗୋଛା ମୁଣ୍ଡେଇ ପେଟପାଇଁ ପ୍ରାଣ ବିକଳରେ ଧାଇଁଛନ୍ତି । ଗହୀର ମାଳରେ ସାହା ଭରସା କେହି ନାହିଁ । ପାଣି ଟୋପେ ପାଇଁ ପ୍ରାଣ ଗଲେ ରଖିବାକୁ କେହି ନାହିଁ । ବାୟାକୁ କହିବି । ଏଇ ପନ୍ଦର କୋଡ଼ିଏ ଦିନ ଭିତରେ କୁଆଟିଏ ଖୋଳେଇ ଦେବ । କାଠୁରିଆଙ୍କ ପାଇଁ ସମବେଦନାରେ ବୋଉର ହୃଦୟ ତରଳି ଗଲା । ଏ ଯେଉଁ ମାଟିର ମଣିଷମାନେ ମୁଣ୍ଡରେ କାଠ ଗୋଛା ଲଦି ଏଇ ଉତ୍ତପ୍ତ ଦି ପହରେ ନିର୍ଜନ ଗହୀରମାଳରେ ଧାଡ଼ିବାନ୍ଧି ଚାଲିଛନ୍ତି । ସେମାନଙ୍କର ବଞ୍ଚି ରହିବାର ସଂଘର୍ଷକୁ ଦେଖି ବୋଉ ଅନ୍ତରରୁ କରୁଣାର ଧାରା ବୋହି ଆସିଲା । ସେଇ କଦମ୍ୱ ମୂଳରେ ଯେଉଁଠି ଗୋଛାଥୋଇ ସେମାନେ ବାଧା ମାରନ୍ତି, ସେଇଠି କୂଅ ଖୋଳାଇବାପାଇଁ ବୋଉ ମନରେ ପ୍ରବଳ ଆଗ୍ରହ ଜାତ ହେଲା । ପନ୍ଦର ଦିନ ଭିତରେ କୂଅ ଖୋଳେଇ, ଚାନ୍ଦିନୀଟିଏ କରେଇ ଦେବାର ସ୍ୱପ୍ନ ଦେଖିଲା ସେ-। ସେମାନଙ୍କ ଦୁଃଖରେ ସେ ଏତେ ବିଚଳିତ ହୋଇ ପଡ଼ିଲା ଯେ ଆଉ ଛାଇତଳେ କ୍ଳାନ୍ତି ଦୂର କରିବା ପାଇଁ ଇଚ୍ଛା ହେଲା ନାହିଁ ।

ସେ କହିଲା—ଶିବୁରେ, ଆଉ ଏଠି ବସିବା ନାହିଁ । କାଠୁରିଆମାନେ ଚାଲି ଯାଉଛନ୍ତି । ନିଛାଟିଆ ନିଛାଟିଆ ଲାଗୁଛି ଶୋଲରୀଟା । ଖରା ଟାଣ ହେଲାଣି । ପାଖରେ ବରଡ଼ି । ଚାଲେ ଚାଲିଯିବା ବରଡ଼ି । ମାହାନ୍ତିଆଣୀଙ୍କ ପାଖରେ ଦିପହର ବିତେଇ ଦେବା । ବେଳ ବୁଡ଼ିଲେ ଫେରିବା ଘରକୁ । ଭୋକ ହେଲାଣି । ତାଙ୍କରି ଘରେ ଘୋଳ ଦହି ପିଇବା ।

ବୋଉ ଉଠିଲା ।

ସେ ଉଠିଲେ ।

ଚାରି ଆଡ଼କୁ ନିରେଖିଲେ ।

ଶୋଲରୀ ଛାତିରୁ କାଠ ଗୋଛା ମୁଣ୍ଡେଇ ତାଙ୍କ ଗାଁ ଲୋକମାନେ ତଳକୁ ଗଡ଼ୁଛନ୍ତି । ଆଗ ଆଗ ହୋଇ ଯେଉଁମାନେ ଆସିଥିଲେ ସେମାନେ କଦମ୍ୱମୂଳେ ବାଧାମାରି ଗହୀର ସେମୁଣ୍ଡେ ପାଖେଇଲେଣି ।

ଗହୀର ଭିତରେ କେବଳ ସେଇମାନେ ହିଁ ଆତଯାତ ।

ଖରା ତାତିରେ ମୁଣ୍ଡ ଫାଟି ଯାଉଛି ।

ଆକାଶରେ ନିଆଁ ପରି ଜଳୁଛି ତପନ ।

ସେମାନେ ପେଟ ପୋଷିବା ପାଇଁ କାଠ ଗୋଛା ମୁଣ୍ଡେଇ ଏଇ ରୌଦ୍ରଦଗ୍ଧ ପୃଥିବୀ ଉପରେ ଚାଲିଛନ୍ତି ।

ଜୀବନ ପାଇଁ ସଂଘର୍ଷ ।

ବଞ୍ଚିବା ପାଇଁ ସଂଘର୍ଷ ।

ବଞ୍ଚିବା ଲାଗି ପ୍ରାଣମୂର୍ଚ୍ଛା ପ୍ରଚେଷ୍ଟା ।

ପେଟ ଚାଖଣ୍ଡକ ପାଇଁ ଲହୁ ବୁହା ପରିଶ୍ରମ ।

ଆଖିରେ ନାଚି ଯାଉଛି ଗୋବରା ମାଆର ଚେହେରାଟା । କେଡ଼େ ବୁଢ଼ୀ ହେଲାଣି ସେ ସତେ ! ତଥାପି ସେ କାହା ଦୁଆରେ ମାଗେ ନାହିଁ । ଲାଗିଖାଏ । ପଚାରିଲେ କହେ—ନିଆଁଲଗା ଗେରସ୍ତଟା ଯାଇଛି ଯେ ଯାଇଛି । ତାକୁ କଣ ମୋର ଆଶା ଅଛି । ମୋର ଶୋଲରୀ ଅଛି ତ ମୁଁ ଅଛି । ଯେଉଁଦିନ ହାତଗୋଡ଼ ପଡ଼ିଯିବ ସେ ଦିନ ଯାହା କପାଳରେ ଥିବ ତା ହେବ ।

ସତରେ ଅଣ୍ଟା ନଇଁ ଆସିଲାଣି ଗୋବରା ମାଆର । ତଥାପି ସେ ଯେଉଁ କାଠ ଗୋଛାଟା ମୁଣ୍ଡରେ ମୁଣ୍ଡାଏ ତାକୁ ଭେଣ୍ଡା ହେଲେ ଟେକିବା କଷ୍ଟ । ଅଭ୍ୟାସ ହୋଇ ଯାଇଛି ତାର କାଠଗୋଛା ମୁଣ୍ଡରେ ବୋହି ବୋହି ।

କାଠ ବୋହି ବୋହି ବୁଢ଼ୀ ହେଲାଣି ଗୋବରା ମାଆ ।

ଆଖିରେ ପଡ଼ୁଛନ୍ତି ଗହୀର ମାଳରେ ସେଇମାନେ ।

ସେ ବୋଉ ପଛେ ପଛେ ଚାଲିଛନ୍ତି ।

କେଡ଼େ କେଡ଼େ ଶୋଲରୀର ଶୁଷ୍କ ଧୂସର ବପୁ । ଲାବଣ୍ୟ ନାହିଁ ।

ବରଡ଼ିରେ ପହଞ୍ଚିଲା ବେଳକୁ ଖରାରେ ତାଳୁ ଫାଟି ଯାଉଛି । ଗାଁ ଭିତରେ ଯେ ଯାହାର ଦୁଆର କିଳି ଶୋଇଛନ୍ତି ।

ଗାଁ ଦାଣ୍ଡ ଶୂନ୍‌ଶାନ୍‌ । ଏ ଦିପହର ଖରା ତାତିରେ କିଏ ବା କାହିଁକି ଦାଣ୍ଡକୁ ବାହାରିବ ।

ପଧାନଘର ଦାଣ୍ଡ ଦୁଆରେ ଗାମୁଛା ଖଣ୍ଡେ ପକାଇ ତା ଉପରେ ଗଡ଼ୁଥିଲା ମାହାଙ୍କୁଡ଼ । ଗାଁ ଦାଣ୍ଡରେ ସେ ଦୁହିଁଙ୍କି ଦେଖି ସେ ଉଠିଆସି କହିଲା—ନାନୀଲୋ, ଏ ଦି ପହର ବେଳେ ବାବୁଙ୍କୁ ସାଥିରେ ଧରି କିମିତି ଆସିଲୁ କହିଲୁ ? କଣ ଏମିତି ଜରୁରୀ କାମ ପଡ଼ିଲା ଯେ ମାଡ଼ି ଆସିଲୁ ? ଖବର ଦେଇଥିଲେ ତ ମୁଁ ଯାଇ ବୁଝି ଆସିଥାନ୍ତି । ହଉ ହଉ ଆଗ ପିଣ୍ଡାକୁ ଉଠି ଆସିଲୁ ।

ପଧାନ ଘର ପିଣ୍ଡାକୁ ସେ ଓ ବୋଉ ଉଠିଗଲେ । ମାହାଙ୍କୁଡ଼ ପଧାନ ଘରେ ପଶି ପାଣି ଢାଳୁଟେ ଆଣିଲା ।

ଦୁହେଁ ଗୋଡ଼ ଧୋଇଲେ । ମୁହଁରେ ପାଣି ମାରିଲେ ।

ପଧାନଘର ପିଣ୍ଡାରେ ବସି ମାହାଙ୍କୁଡ଼ ବୋଉ ଗୋଡ଼ ମୋଡ଼ିଲା । ଗୋଡ଼ ମୋଡ଼ୁ ମୋଡ଼ୁ କହିଲା—ନାନୀଲୋ, ପଲେଇ ଘର ବୋହୂକୁ ତୋ ଟଙ୍କା କଥା କହିଥିଲି ଯେ ସେ କଣ କରିବ କହିଲୁ । ତା ହାତରେ ପଇସା ହେଉ ନାହିଁ । ହେଲେ ଦେଇ ଦିଅନ୍ତା । ଖାଲି ସୁଧତକ ଦବ ବୋଲି କହିଛି । ମୂଳ ଆରସାଲେ ଧାନ ଅମଳ ବେଳେ ଦବ । ଦେଇ ଦବମ ନାନୀ ! ତା ଠେଇଁ ପଇସା ବୁଡ଼ିବନି । ପଲେଇ ଘର ବୋହୂଟା ଭଲମ ନାନୀ ।

ବୋଉ ତା କଥାରେ ସମ୍ମତି ଜଣାଇ କହିଲା—ଯେବେ ଦଉଛି ଦଉ ଯେ, ଖାଲି ମନେ ରଖିଥିଲେ ହେଲା ।

ପଲେଇ ଘର ବୋହୂ ଭୁଲି ଯିବନି ମ ନାନୀ । ତୁ ଯେଉଁ ଅସମୟରେ ଦେଇଥିଲୁ ତାକୁ କଣ ମଣିଷ ହେଲେ ଭୁଲିଯିବି ! ଦେଇ ଦେବ, ଯେ ଖାଲି ଟିକିଏ ଅଭାବ ପକ୍ଷ ବୋଲି ଡେରି କରିବ । ପୋଖତି ପରେ ପରେ ସେ ଯେମିତି ଦିଶୁଥିଲା ନାଁ ତୋଠୁ ଟଙ୍କା ଆଣି ଡାକ୍ତର ଔଷଧ ନ ଖାଇଥିଲେ ଆଉ ପଲେଇ ଘର ବୋହୂ ନଥାନ୍ତା ।

ସେ ଶୁଣିଲେ

ବୋଉ ବରଡ଼ି ଗାଁ ମାଈପିଙ୍କି ଧାର ଉଧାର ଦିଏ । ଅସମୟରେ ସାହାଯ୍ୟ କରେ । ସିଏ ଯେତେବେଳେ ଫେରେଇଲେ ତାର ଆପତ୍ତି ନାହିଁ । ଅଜାଣତରେ ମନଟା ତା ପାଦତଳେ ନଇଁ ଆସିଲା । ବୋଉ ସତେ କରୁଣାର ଅବତାର ।

ମାହାଙ୍କୁଡ଼ ପାଖେ ଆଉ ଗପ ନକରି ବୋଉ ତାଙ୍କ ସହ ପଶି ଆସିଲା ପହଲି ଘରକୁ । ବରଡ଼ିକି ଆସି ପହଲି ଘରେ ମୁହଁ ନ ଦେଖେଇଲେ ଗିରସ୍ତ ଭାରିଜା ଦି ଜଣ ଯାକ ଅଭିମାନ କରିବେ । ପହଲି ତାଙ୍କର ରଇତ । ପୁଣି ମରୁ ମରୁ ବଞ୍ଚେଇଚି ସେ ପାଣି ଭିତରୁ । ତା ଘରକୁ ଗଲେ ଜୋରକରି ତା ଭାରିଜା ଘଡ଼ିଟେ ବସେଇବ । ବାଡ଼ିଆଡ଼ୁ ଲେଉଟିଆ ଶାଗ ମୁଠେ କାଟିଆଣି କାନିରେ ବାନ୍ଧିଦେବ । ନହେଲେ ଭେଣ୍ଡି ପୁଞ୍ଜାଏ । କିଛି ନହେଲେ ବାରିଆଡ଼ୁ ବାରିଆଡ଼ ବେଲ ଗଛରୁ ବେଲ ଦୁଇଟା ତୋଳି ଆଣି ଦେବ । ତା ଘରୁ ତୁଚ୍ଛା ହାତରେ ଫେରିଲେ ସେ ମନ ଊଣା କରିବ ।

ପହଲି ଘରେ ମୁହଁ ଦେଖେଇ ବୋଉ ଆସିଲା ପଦ୍ମାବତୀଙ୍କ ପାଖକୁ । ପଦ୍ମାବତୀ ଶୋଇ ନ ଥିଲେ । ବୋଉକୁ ଦେଖି ଧଡ଼ପଡ଼ ହୋଇ ସପ ପକେଇ ଦେଲେ । ବୋଉ ବସିଲା । ସେ ବସିଲେ ।

ସେ ବୋଉ ସାଙ୍ଗରେ ଯାଇଛନ୍ତି ବୋଲି ପଦ୍ମାବୀଙ୍କର ଆଦରର ସୀମା ନାହିଁ । ସଙ୍ଗେ ସଙ୍ଗେ ଦିଗ୍ଲାସ୍‌ ଚହ୍ଲା ଆଣି ପିଇବାକୁ ଦେଲେ । ସେତେକ ପିଇବାରୁ ପେଟ ଥଣ୍ଡା ହେଲା । ଭୋକ ମଲା ।

ପଦ୍ମାବତୀ ବୋଉ ପାଖରେ ବସି କେତେ କଥା ଗପିଲେ । କେତେ ଆଡ଼ କେତେ ଅଲରା ବଲରା କଥା, ଆଗ ନାହିଁ କି ପଛ ନାହିଁ ।

କଥା ହଉ ହଉ ବେଳ ଗଡ଼ିଲା ।

ବୋଉ ଉଠିଲା ।

ସେ ଉଠିଲେ ।

ପଦ୍ମାବତୀ ବାଧ୍ୟ କଲାରୁ ପୁଣି ଘଡ଼ିଏ ଡେରି । ତାଙ୍କ ବାପଘରୁ ପାଚିଲା ଆମ୍ୱ ଆସିଥିଲା ଯେ ସେଥିରୁ ଚାରଣ୍ଡା ହେବ କନା ମୁଣିଟିରେ ଭର୍ତ୍ତିକରି ଆଣି ତାଙ୍କ ହାତରେ ଦେଲେ—ନାନୀ ମ ଆଉ ତ କିଛି ନାହିଁ । ଆମ୍ୱ ପୁଞ୍ଜାକୁ ନେଇ ଥାଅ ଯେ ପିଲା ଖାଇବେ ।

ସେ ଆମ୍ୱ ମୁଣିକି ଧଇଲେ ।

ତା ଭିତରେ ପହଲି ସ୍ତ୍ରୀ ଦେଇଥିଲା ପାଚିଲା ବେଲ ଦିଇଟା ପକେଇଲେ ।

ତା ପରେ ଦୁହେଁ ବାହାରିଲେ ।

କଥା ହେଉ ହେଉ ବେଳ ବୁଡ଼ିଗଲା ।

ପଦ୍ମାବତୀ ଚାଲ ଚାଲ ହୋଇ ବାରିଆଡ଼ ଗାଡ଼ିଆ ଯାଏଁ ସାଥିରେ ଆସିଲେ । ସେଇଠି ସେ ଠିଆ ହୋଇ ରହିଲେ ।

ବୋଉ ଆଗେ ଆଗେ ଓ ସେ ତା ପଛେ ପଛେ ହିଡ଼େ ହିଡ଼େ ଦାଣ୍ଡେଇଲେ ।

ଆସ୍ତେ ଆସ୍ତେ ପଦ୍ମାବତୀ ପଛକୁ ରହିଲେ ।

ପଛକୁ ଚାହିଁଲେ ଦୂରରେ ଦିଶୁଛି ଶୋଲରୀ । ଶୋଲରୀ ଦେହରେ ନିଆଁ ଲାଗିଛି । ମନେହେଉଛି ବେକରେ ମନ୍ଦାର ମାଳାଟିଏ ପକେଇ ଶୋଲରୀ ବୀରବିକ୍ରମରେ ଚାହିଁରହିଛି ଯେମିତି ପୃଥିବୀକି ।

ଜଳନ୍ତା ଶୋଲରୀ ଛାତି ଉପରେ ନାଲି ରକ୍ତର ସୁଅ ଛୁଟିଛି । ସତେ ଯେମିତି ଶୋଲରୀ ଜଳୁଛି ।

ଦୂରରୁ ଦିଶୁଛି ରୁଦ୍ର ସୁନ୍ଦର ।

ଆଗପଛ ହୋଇ ଚାଲିଛନ୍ତି ସେ ଓ ବୋଉ ।

ବୋଉ କଥାରେ ମମତାର ଜୁଆର ମେଲିଛି ।

କରୁଣାର ବନ୍ଧ ଭାଙ୍ଗିଛି ତା ବୁକୁରେ ।

ସେ କହି ଚାଲିଛି—ଶିବୁରେ, କାଠୁରିଆଙ୍କ ଦୁଃଖ ଦେଖିଲେ ମନଟା ଭାଙ୍ଗି ପଡ଼ୁଛି । ପେଟ ପୋଷିବା ପାଇଁ କେତେ କଷ୍ଟ ସହୁ ନାହାନ୍ତି ସେମାନେ ! ପାଣି ମୁନ୍ଦେ ପାଇଁ ତାଙ୍କ ବିକଳ ଶୁଣିଲେ ମନଟା ଗୋଳେଇ ଘାଣ୍ଟି ହେଉଛି । ତାଙ୍କ ପାଇଁ କେହି ନାହିଁ ରେ ଶିବୁ । ତାଙ୍କପାଇଁ ଭଗବାନ । ଆମେ ସିନା ଦେଉଳ ତୋଳେଇ ପାରିବା ନାହିଁ ? କୂଅଟିଏ କ’ଣ ଖୋଳେଇ ପାରିବା ନାହିଁ । ଟଙ୍କା ଶହେ ଛ କୋଡ଼ି କଥା । ମୋ ହାତରେ ହେବ । ଘରକୁ ଗଲେ ବାୟାକୁ କହିବି । କୂଅ ଖୋଳିଲେ, ଧର୍ମ ହେବ । ଲୋକେ ପାଣି ମନ୍ଦେ ପିଇବେ ।

ସେ ପଛେ ପଛେ ମନ୍ତ୍ର ମୁଗ୍ଧ ପରି ବୋଉ କଥା ଶୁଣି ଶୁଣି ଚାଲିଥିଲେ ।

ବାଟ ସରି ଆସୁଥିଲା ।

ସେଦିନ ସଞ୍ଜ ବେଳେ ବୋଉ ନନାଙ୍କୁ ତା ମନକଥା କହିଲା । ନନା ତା କଥା ଭାଙ୍ଗିଲେ ନାହିଁ । ରାଜିହେଲେ । କୂଅ ଖୋଳାର ଆୟୋଜନ ଚାଲିଲା ।

ବୋଉ ତା କାଠବାକ୍ସ ଖୋଲି କନା ପୁଡ଼ିଆରେ ବାନ୍ଧି ରଖିଥିବା ଅଧଲା ପାହୁଲା ଆଣି ଦିଅଣି ସୁଉକୀ, ଅଧୁଲୀ ଟଙ୍କା ମିଶେଇ ଦେଢ଼ଶହ ଟଙ୍କା ବାହାର କଲା । ନନାଙ୍କ ହାତକୁ ବଢ଼େଇ ଦେଲା ।

ବ୍ରାହ୍ମଣଦେଈଙ୍କ ପାଖ କଦମ୍ୱଗଛ ମୂଳରେ ଶୁଭତିଥି ଦେଖି କୂଅଖୋଳା ଆରମ୍ଭ ହେଲା-। ପାହାଡ଼ ତଳି ଜାଗା ବୋଲି ଖୋଳାଳୀ ଭାବୁଥିଲେ ବହୁତ ଗଭୀର ହେଲେ ଯାଇ ପାଣି ପଡ଼ିବ । ମାତ୍ର ଭାଗ୍ୟକୁ ପନ୍ଦର ହାତରେ ଏମିତି ଝର ପଡ଼ିଲା ଯେ ଖୋଳାଳୀ କହିଲେ—ଆଉ ଖୋଳିବା ଦରକାର ନାହିଁ । ନାହିଁନଥିବା ଝର ଫିଟିଛି । ଯେତେବଡ଼ ଖରା ହେଲେ ମଧ୍ୟ କୂଅରେ ପାଞ୍ଚ ହାତରୁ ପାଣି କମିବ ନାହିଁ ।

ପନ୍ଦର ଦିନ ଭିତରେ କୂଅ ଖୋଳା ନନ୍ଦବସା କାମ ସମାପ୍ତ ହେଲା ।

ବୋଉକୁ ଓ ନନାଙ୍କୁ ପନ୍ଦର ଦିନ ହେଲା ତରନାହିଁ ।

କୂଅ ଖୋଳା ସାଙ୍ଗକୁ କଦମ୍ୱଗଛ ମୂଳରେ ସିମେଟ ଚଉତରାଟିଏ ତିଆରି ହେଲା । କୂଅ ଖୋଳା ଆରମ୍ଭ ହେବାଠୁ ଶେଷ ଯାଏଁ ବୋଉର ହବିଷ । ତା ଭାଗ୍ୟକୁ କୂଅ ଖୋଳା ଓ ନନ୍ଦବସା ସୁରୁଖୁରୁରେ ହୋଇଗଲା । ତହିଁକି ପୁଣି ଠିକ୍‌ ସମୟରେ ସିମେଣ୍ଟ ଚଉତରା ତୋଳା ହୋଇଗଲା ।

ଏ ସବୁ ଶେଷ ହେବା ପରେ ଶୁଭଦିନ ଦେଖି କୂଅ ପ୍ରତିଷ୍ଠା ହେଲା । ହୋମ ହେଲା । ବ୍ରାହ୍ମଣଦେଈ ମାଜଣା ହେଲେ । ଭୋଗରାଗ ହେଲା । କେତେ ଲୋକ ଖାଇଲେ ।

କୂଅଟିଏ ଖୋଳା ହେଲାରୁ କାଠୁରିଆଙ୍କ ଆନନ୍ଦ କହିଲେ ନସରେ । ସେମାନେ ବୋଉକୁ ଧନ୍ୟ ଧନ୍ୟ କଲେ ।

ବ୍ରାହ୍ମଣଦେଈଙ୍କ ପାଖରେ କୂଅଟିଏ ହେବାରୁ ବରଡ଼ିଆର ସୁବିଧା ହେଲା । ସେମାନେ ଆଗରୁ ଠାକୁରାଣୀଙ୍କ ପାଖରେ ଯନ୍ତାଳ କଲେ ତାଙ୍କ ଗାଁରୁ ପାଣି ଭାର ଭାର କରି ବୋହି ଅସୁବିଧା ଭୋଗୁଥିଲେ । ଏଣିକି ସେ କଷ୍ଟ ଗଲା ।

ଯେଉଁଦିନ କୂଅ ପ୍ରତିଷ୍ଠା ହେଲା ସେଦିନ ବରଡ଼ିଆ ଚାଲି ଆସିଥିଲେ ଠାକୁରାଣୀଙ୍କ ପାଟକୁ ଖୋଳ କରତାଳ ଧରି ।

ଠାକୁରାଣୀଙ୍କ ଆଗରେ ସେମାନେ ସଂକୀର୍ତ୍ତନ କରି ଶୋଲରୀ କମ୍ପେଇଲେ ।

ସୁରୁଖୁରୁରେ ସବୁ କାମ ଶେଷ ହୋଇଗଲା ।

ବୋଉ ମନର ଆଶା ମେଣ୍ଟିଲା ।

କେଡ଼େ ବେଗି ସମୟ ଧାଇଁ ଯାଉଛି ।

କାଲି ପରି ଲାଗୁଛି ସବୁ । ବୋଉର ଘଟଣାବହୁଳ ଜୀବନର କେତେ ଅଭୁଲା କାହାଣୀ ସ୍ମୃତି କୋଷରେ ଅଡ଼ୁଆ ତଡ଼ୁଆ ହୋଇ ଗୁଡ଼େଇ ହେଉଛି ।

କାଠୁରିଆଙ୍କ ଦୁଃଖ ଦିନୁଟିଏ ତା ଆଖିରେ ପଡ଼ିଥିଲା ବୋଲି ତା ସଞ୍ଚିତ ସମ୍ୱଳ ଖର୍ଚ୍ଚକରି ସେ ସେମାନଙ୍କ ପାଇଁ ପାହାଡ଼ ତଳେ କୂଅଟିଏ ଖୋଳେଇଥିଲା । ତାଙ୍କ ଅଞ୍ଚଳରେ କେତେ ଧନୀ ମାନି ଅଛନ୍ତି ମାତ୍ର ଆଉ କାହାରି ପ୍ରାଣରେ ତ ସେ ଗରୀବ ଲୋକମାନଙ୍କ ପାଇଁ ଦୟା ଟିକିଏ ହେଲା ନାହିଁ ?

ବୋଉ ଦୟା ଅନୁକମ୍ପାର ଅବତାର । ସେବାହିଁ ତା ଜୀବନ । ସେବାରେ ତାର ଧର୍ମ ।

ଏବେ କେତେ ବର୍ଷ ହେଲା ଗୋପୀନାଥଙ୍କ ସେବାରେ ସେ ମନ ଦେଇଛି । ପ୍ରତିଦିନ ଠାକୁରଙ୍କୁ ସେ ତୁଳସୀ ଦେଉଛି । ଖରା ହେଉ, ବର୍ଷା ହେଉ, ଶୀତ ହେଉ, କୁହୁଡ଼ିହେଉ ସେ ଯେଉଁଠୁ ହେଲେ ଖୋଜି ଲୋଡ଼ି ତୁଳସୀ ସଂଗ୍ରହକରିବ । ଖରାଦିନେ ତୁଳସୀଗଛ ଶୁଖି ମରିଯାଏ ବୋଲି ନୀଳକଣ୍ଠେଶ୍ୱରଙ୍କ ହୁଡ଼ାରେ ଥିବା ତୁଳସୀ ବଗିଚାରେ ନିତି ନିତି ସେ ଗରା ଗରା ପାଣି ଅଜାଡ଼ି ଗଛ ବଞ୍ଚେଇବ ।

ପ୍ରତିଦିନ ସକାଳୁ ଗୋପୀନାଥଙ୍କ ଚରଣରେ ତୁଳସୀ ଲାଗି ନ ହେଲେ ସେ ଜଳ ସ୍ପର୍ଶ କରିବ ନାହିଁ । ଯେତେ ଅସୁବିଧା ହେଉ ପଛେ ଠାକୁରଙ୍କ ତୁଳସୀ ବନ୍ଦ ହେବ ନାହିଁ ।

ସେଥର ସେ ପାଞ୍ଚଦିନ କାଳ ଜରରେ ପଡ଼ିଥିଲା ଯେ ଦିଅଁକୁ ତୁଳସୀ ଦେଇ ପାରିଲା ନାହିଁ ବୋଲି ତାର ଯେଉଁ ବିକଳ । ମାଳିଘରୁ ତୁଳସୀ କିଣା ହୋଇ ଦିଆ ହେଲାରୁ ଯାଇ ତାର ମନ ବୁଝିଲା ।

ସବୁବେଳେ ତାର ଦିଅଁଙ୍କ ଭାବନା—ତାଙ୍କ ସେବା ବିନା ମଣିଷର ମୁକ୍ତି କାହିଁ ? ଗୋପୀନାଥଙ୍କ ପାଖରେ ତାର ପ୍ରଗାଢ଼ ଭକ୍ତି । ସେ କହେ—ସେ ଯଦି ଚାହିଁବେ ଜୀବନର ଭେକ ବଦଳିବ । ସେ ଯଦି କୃପା ନ କରିବେ ଜୀବନଟା ଜଳି ପୋଡ଼ି ପାଉଁଶ ହେବ । ସେ ସର୍ବ ଶକ୍ତିମାନ-। ସର୍ବଜ୍ଞାତା । ସର୍ବ ତ୍ରାତା । ସେ ସର୍ବମୟ । ସେ ହିଁ କର୍ତ୍ତା । ମଣିଷ ତାଙ୍କର ଦାସ । ମଣିଷ ତାଙ୍କର ଅନୁଚର । ତାଙ୍କ ନିର୍ଦ୍ଦେଶ ମତେ ସୃଷ୍ଟି ଚାଲେ । ତାଙ୍କ ନିର୍ଦ୍ଦେଶମତେ ଗ୍ରହ, ନକ୍ଷତ୍ର, ସୂର୍ଯ୍ୟ, ଚନ୍ଦ୍ର ଆତଯାତ ହୁଅନ୍ତି ।

 

ତାଙ୍କରି ସେବାହିଁ ଜୀବନର ଧେୟ ଓ ଶ୍ରେୟ ।

 

ତୁଳସୀ ଦେବା ଓ ଠାକୁରଙ୍କ ସେବା କରିବା ଏବେ କେତେ ବର୍ଷ ହେଲା ବୋଉର ସବୁଠାରୁ ବଡ଼ କାମ ହୋଇଛି ।

 

ବୟସ ଖସି ଆସିଲାଣି ।

 

ଆଉ ବିଶେଷ କାମଦାମକୁ ପାରୁ ନାହିଁ ।

 

ତୁଳସୀ ତୋଳିବା ହେଉଛି ତାର ଏକମାତ୍ର କାମ ।

 

ସେଥିରେ ସେ ଆନନ୍ଦ ପାଉଛି ।

 

ସେଥିରେ ସେ ଶାନ୍ତି ପାଉଛି ।

 

ଛଟ ପଟେଇ ଉଠୁଛି ମନଟା ।

 

ବୋଉକୁ ଦେଖିବାକୁ ମନରେ ପ୍ରବଳ ଆଗ୍ରହ ସୃଷ୍ଟି ହେଲାଣି ।

 

ମନେ ହେଉଛି ଯଦି ତାଙ୍କର ବିହଙ୍ଗ ପକ୍ଷ ଥାଆନ୍ତା ସେ ଉଡ଼ି ଉଡ଼ି ଚାଲି ଯାଆନ୍ତେ ବୋଉ ପାଖକୁ ।

 

ହେଇ, ରାସ୍ତାକଡ଼ ଗଛ ଉପରୁ କେତେ ଚଢ଼େଇ ଚେ ଚାଁ କରି ଉଡ଼ି ଯାଉଛନ୍ତି ।

 

ବସ୍‌ ଚାଲିଛି ।

 

ତା ସହିତ ଚାଲିଛି ତାଙ୍କ ଭାବନାର ସୁଅ ।

 

ଭାବନାର ଶେଷ ନାହିଁ ।

 

ଭାବନାର କୂଳ କିନାରା କିଛି ନାହିଁ ।

 

ଭାବନା ହିଁ ଭାବନା ।

 

ଭାବନା ଭାବନାରେ ମିଶିଯାଏ । ଭାବନାରୁ ଭାବନା ସୃଷ୍ଟି ହୁଏ । ଭାବନା ଦିହ ଭିତର ଥରାଏ । ଭାବନା ଦେହରେ ନିଆଁ ଲଗାଏ । ଭାବନା ଆନନ୍ଦରେ ମତୁଆଲା କରେ । ଭାବନା ଆଖିରୁ ଲୁହ ଝରାଏ ।

 

ଭାବନା ସରେ ନାହିଁ ।

 

ଯେତେ ଭାବୁଥିଲେ ସେତେ ଗୁଡ଼େଇ ତୁଡ଼େଇ ହୋଇ ଚେତନାରେ ପଶେ । ମନ ଗହନରେ କେତେ ଅଭୁଲା କଥାର ଖିଏ ମେଲାଏ । ବୁଢ଼ୀଆଣୀ ଜାଲ ବିଛାଏ ।

 

କେଡ଼ୁଟିଏ ହେଲେଣି ସେ ।

 

ବଡ଼ ହୋଇ ବଡ଼ ଭାଇ ରାମ ପ୍ରସାଦ କଟକରେ ଚାକିରି କଲେଣି । ସଂସାର କଲେଣି ସେ ।

 

ସାନ ଭାଇ ଦେବୀ ପ୍ରସାଦ କଲେଜରେ ପଢ଼ୁଛି । ସେତେ ଭଲ ପଢ଼େ ନାହିଁ ବୋଲି ନନା ତା ଉପରେ ବିରକ୍ତ ହୁଅନ୍ତି । ତେଣୁ ସେ ଭୟରେ ବେଶୀ ସମୟ ଗାଁକୁ ଆସେ ନାହିଁ । ହଷ୍ଟେଲରେ ରହିବାକୁ ତାକୁ ଭଲ ଲାଗେ । ଫୁଲା ଫାଙ୍କିଆ ଟୋକାଟେ ବେପରୁଆ ଭାବେ ଚଳେ । ଅଭାବ ନାହିଁ । ଯେତେବେଳେ ଯାହା ଦରକାର ଭାଇନା ପଠେଇ ଦିଅନ୍ତି । ତାଙ୍କ ପାଖକୁ ଲେଖିଲେ ସେ ମଧ୍ୟ ପଠାନ୍ତି ।

 

ସେ ଆସିଥିବ । ଭାଇନା ଆସିଥିବେ । ବାହାଘର ସଜ ବାଜରେ ଲାଗିଥିବେ ସମସ୍ତେ । ତାଙ୍କର ବାହାଘର ହେବ । ବୋଉର ଶେଷ ଅନୁରୋଧଟି ରୂପ ପାଇବ । ତା ସଂଘର୍ଷମୟ ଜୀବନର ଆଶା ଆକାଂକ୍ଷା ପରିପୂର୍ଣ୍ଣ ହେବ ।

 

ବୋଉ ତାଙ୍କର ବାହାଘର ଦେଖିଲେ ଶାନ୍ତି ପାଇବ ।

 

ନୂଆ ଜୀବନର ପରଶ ଲାଗିବ ଦେହରେ ତାଙ୍କର ।

 

ମନ ଭାସି ଯାଉଛି । ଭାସି ଯାଉଛି କେତେ ଅତୀତକୁ । ଭାସି ଯାଉଛି ତାଙ୍କ ଜନମ ମାଟି ରଥ ପୁରକୁ ।

 

ସେଇ ଗାଁ ଦାଣ୍ଡ, ସେଇ ସମାନ୍ତରାଳ ଧାଡ଼ି ଧାଡ଼ି ନଡ଼ିଆ ଗଛ । ଗାଁ ପଶ୍ଚିମ ମୁଣ୍ଡେ ଗୋପୀନାଥଙ୍କ ଦେଉଳ । ବେଢ଼ା ପାଖ ଦାଣ୍ଡ କୂଅ, ତା ପାଖକୁ ଲାଗି ଆକାଶ ଛୁଆଁ ଚମ୍ପା ଗଛର ଚମ୍ପାର ମହକ—ସବୁ ଜଳ ଜଳ ହୋଇ ଦିଶି ଯାଉଛି ଆଖିକି । ତା ସାଥିକି ଦିଶି ଯାଉଛି ଗାଁ ଦାଣ୍ଡରେ ନୂଆ କରି ପୋତା ହୋଇଥିବା ବିଜୁଳି ଖୁଣ୍ଟରେ ବିଜୁଳି ଆଲୁଅ ।

 

ହଁ—ଗାଁକୁ ବିଜୁଳି ଆଲୁଅ ଆସିଲାଣି । ଗାଁରେ କେତେ ପରିବର୍ତ୍ତନ ହେଲାଣି । ବୋଉ ଦେଖିଲାବେଳର ରଥପୁର ଓ ଏବର ରଥପୁରରେ କେତେ ତଫାତ୍‌ । ଗାଁରେ ଆଜିକାଲି ଆଉ ବାଡ଼ି ବସନ୍ତର ଭୟ ନାହିଁ । ଘର ଘର ବୁଲି ଟିକାଦିଆ ଟୀକା ଦେଇ ଯାଉଛି । ହଇଜା ପ୍ରତିଶେଧକ ଇଞ୍ଜେକ୍‌ସନ୍‌ ଦେଇ ଯାଉଛନ୍ତି ଡାକ୍ତର ବାବୁ ।

 

ସୁଖ ସମୃଦ୍ଧିର ଆଲୋକ ରେଖା ମାଡ଼ି ଆସିଛି ଗାଁ ଗାଁକୁ ।

 

ପ୍ରଗତିର ସୁଅ ଛୁଟିଛି ସବୁ ଗାଁରେ ।

 

ମନେ ପଡ଼ିଲା ସ୍କୁଲ ଜୀବନରେ ସେଇ ସ୍ମରଣୀୟ ଦିବସଟି । ଊଣେଇଶି ଶହ ସତଚାଳିଶି ମସିହା ଅଗଷ୍ଟ ପନ୍ଦର ତାରିଖ । ସେଦିନ ଦୀର୍ଘ ତିନିଶହ ବର୍ଷର ଇଂରେଜୀ ଶାସନର ଭାରତ ସ୍ୱାଧୀନ ହେଲା । ସେଦିନ ଭାରତ ଆକାଶରେ ଉଦୟ ହୋଇଥିଲା ସ୍ୱାଧୀନତାର ନୂତନ ଅରୁଣ । ସେଦିନ ଭୋରୁ ଭୋରୁ ଗାଁ ସ୍କୁଲ ପଡ଼ିଆରେ ଶିକ୍ଷକ ମହାଶୟ ଖଦଡ଼ ପଞ୍ଜାବୀ ଆଉ ଖଦଡ଼ ଧୋତି ପିନ୍ଧି ଭାରତୀୟ ଜାତୀୟ ପତାକା ଉତ୍ତୋଳନ କରି ଯେଉଁ ଗର୍ବିତ ଭାଷଣ ଦେଇଥିଲେ ତାହା ଜୀବନରେ ଭୁଲିବାର ନୁହେଁ । ଛାତ୍ରମାନଙ୍କୁ ଉଦବୋଧନ ଦେଇ ସେ କହିଥିଲେ–ଛାତ୍ରଗଣ, ଦୀର୍ଘ ତିନିଶହ ବର୍ଷ ପରେ ଭାରତରୁ ପରାଧୀନତାର ତମସା ଦୂର ହୋଇଛି-। ମହାମାନବ ମହାତ୍ମାଗାନ୍ଧୀଙ୍କର ଅହିଂସା ଅସହଯୋଗ ଆନ୍ଦୋଳନ ଫଳରେ ଭାରତରେ ସ୍ୱାଧୀନତାର ନୂତନ ସୂର୍ଯ୍ୟ ଉଦୟ ହୋଇଛି । ଭାରତର ଇତିହାସରେ ଏହି ଦିବସଟି ଚିର ଭାସ୍ୱର ହୋଇ ରହିବ ।

ଆମେ ଆଜି ଦାସତ୍ୱ ଶୃଙ୍ଖଳରୁ ମୁକ୍ତ । ଆମେ ଆଜି ସ୍ୱାଧୀନ ଭାରତର ସ୍ୱାଧୀନ ନାଗରିକ । ଯେଉଁ ମହାମନୀଷୀଗଣ କାରାବରଣ କରି, ପ୍ରାଣବଳି ଦେଇ, କଠୋର ନିର୍ଯ୍ୟାତନାର ଶୀକାର ହୋଇ ପରିଶେଷରେ ଏ ଦେଶକୁ ସ୍ୱାଧୀନତାର ରଶ୍ମି ରାଗରେ ରଞ୍ଜିତ କରି ଦେଇ ଗଲେ ସେମାନେ ଯୁଗେ ଯୁଗେ ଏ ଜାତିର ନମସ୍ୟ ହୋଇ ରହିବେ । ବର୍ତ୍ତମାନ ଭାରତର ଭବିଷ୍ୟତ ଆମମାନଙ୍କ ହାତରେ । ଆମେମାନେ ଜାତି ଧର୍ମ-ନିର୍ବିଶେଷରେ କଠୋର ତ୍ୟାଗ ଓ ଏକାନ୍ତ କର୍ତ୍ତବ୍ୟ ନିଷ୍ଠା ବଳରେ ଭାରତର ପ୍ରଗତି ପାଇଁ କାମ କରିଯିବା । ଜୀବନର ପ୍ରତିଟି ରକ୍ତ ବିନ୍ଦୁ ଦେଇ ଦେଶ ମାତୃକାର ଗୌରବ ଓ ସ୍ୱାଧୀନତା ରକ୍ଷାକରିବା ଆମମାନଙ୍କର ପରମ କର୍ତ୍ତବ୍ୟ ହେବା ଉଚିତ । ଏ ଦେଶ ଆମର । ଏ ମାଟି ଆମର । ଏ ଅଗଣିତ ନରନାରୀ ଆମମାନଙ୍କର ଭାଇ ଭଉଣୀ । ଦେଶର, ଜାତିର, ସମାଜର ଓ ବ୍ୟକ୍ତିର ପ୍ରଗତି ଦେଖିବା ପ୍ରତ୍ୟେକ ଦେଶ ବାସୀଙ୍କର କର୍ତ୍ତବ୍ୟ । ଆମେମାନେ ଭେଦଭାବ ଭୁଲିଯିବା । ସାନ ବଡ଼ ଭୁଲିଯିବା । ଏକ ସ୍ୱରରେ କହିବା ଆମେ ସମସ୍ତେ ଭାରତବାସୀ । ଭାରତ ଆମର ଦେଶ ।

ଶିକ୍ଷକ ମହାଶୟ ସେଦିନ ତାଙ୍କର ଦୀର୍ଘ ଭାଷଣରେ ଛାତଛାତ୍ରୀ ତଥା ଗ୍ରାମବାସୀଙ୍କୁ ଉଦବୋଧନ ଦେଇଥିଲେ । କହିଥିଲେ ଏଣିକି ପ୍ରଗତି ଦ୍ୱାରାହିଁ ଦେଶର ସମୃଦ୍ଧି ଦରକାର ।

ସତରେ ପ୍ରଗତିର ସୁଅ ମାଡ଼ି ଯାଇଛି ଦେଶସାରା ।

ତାଙ୍କର ଦେଶାନ୍ତରେ ସେ ଦେଖିଲେଣି ପ୍ରଗତିର ଭିନ୍ନ ଭିନ୍ନ ରୂପ ।

ଚାରିଆଡ଼େ ଶିକ୍ଷାର ପ୍ରସାର ପାଇଁ ଯୋଜନା ହେଉଛି । ସ୍କୁଲ କଲେଜ ଖୋଲୁଛି । ଅନୁନ୍ନତ ଶ୍ରେଣୀର ଲୋକଙ୍କ ପାଇଁ ସରକାରୀ ସାହାଯ୍ୟ ମିଳୁଛି । ଶିକ୍ଷିତ ସଂଖ୍ୟା ବଢ଼ିବାକୁ ଲାଗିଛି-। ଲୋକେ ଉଚ୍ଚ ଶିକ୍ଷା ପାଇଁ ଦେଶ ବିଦେଶକୁ ଯାଉଛନ୍ତି-। ସୁନାମ ଅର୍ଜନ କରୁଛନ୍ତି । ଅଦଳବଦଳରେ ଦେଶ ବିଦେଶରୁ ବଡ଼ ବଡ଼ ଶିକ୍ଷାବିତ୍‌ ଏ ଦେଶକୁ ଆସୁଛନ୍ତି । ଶିକ୍ଷାର ପ୍ରସାର ପାଇଁ ଉପଦେଶ ଦେଇ ଯାଉଛନ୍ତି ।

ଶିକ୍ଷାର ପ୍ରସାର ଲାଗିଛି ।

କଳକାରଖାନା ବସୁଛି । ଉତ୍ପାଦନ ବଢ଼ୁଛି । କେତେ କେତେ ନୂଆ ନୂଆ ସୂକ୍ଷ୍ମଠାରୁ ଆରମ୍ଭ କରି ଭାରି ଯନ୍ତ୍ରପାତି ତିଆରି ହେଉଛି ଆମ ଦେଶରେ । ତିଆରି କରୁଛନ୍ତି ଆମଦେଶର ବୈଜ୍ଞାନିକ ଓ ଇଞ୍ଜିନିୟରମାନେ ।

ଆମ ଦେଶର ବୈଜ୍ଞାନିକମାନେ ନାଁ’ କରିଛନ୍ତି ଦେଶ ବିଦେଶରେ ।

ବିଜ୍ଞାନର ପ୍ରଗତି ହେଉଛି ।

ପ୍ରଗତି ହେଉଛି ନାନାବିଧ ଶିଳ୍ପର ।

ପ୍ରଗତି ହେଉଛି କୃଷି ବିଦ୍ୟାର ।

ଦେଶର ଚାରିଆଡ଼େ କେନାଲମାନ ଖୋଲା ଚାଲିଛି । ଜଳ ସେଚନର ସୁବିଧା କରା ହେଉଛି ଦେଶସାରା । ନଦୀବନ୍ଧ ଯୋଜନାମାନ କାର୍ଯ୍ୟକାରୀ ହେଉଛି । ବଡ଼ ବଡ଼ ନଦୀମାନଙ୍କରେ ବନ୍ଧ କରାଯାଇ ଜଳବିଦ୍ୟୁତ୍‌ ଉତ୍ପାଦନର କରାହେଉଛି । ନୂଆ ନୂଆ ଯୋଜନା ଗଢ଼ି ଉଠୁଛି । କାମ ହେଉଛି । କେତେ କାମ ହେବାକୁ ପରିକଳ୍ପନା କରାହେଉଛି ।

ଶସ୍ୟ ଉତ୍ପାଦନ ବଢ଼ାଇବା ପାଇଁ ନାନା ପ୍ରକାର ଉଦ୍ୟୋଗ ଖୋଲା ଯାଉଛି । ଗବେଷଣା ପ୍ରସୂତ—ନାନା ପ୍ରକାରର ଉନ୍ନତ ବିହନ ଚାଷୀଙ୍କୁ ସୁଲଭ ମୂଲ୍ୟରେ ଯୋଗେଇ ଦିଆ ଯାଉଛି । ଚାରିଆଡ଼େ ସାରକାରଖାନା ବସାଯାଉଛି ।

ଗାଁ ମାନଙ୍କରେ ରୋଗନିରାକରଣ ପାଇଁ ଡାକ୍ତରଖାନାମାନ ଖୋଲା ଯାଉଛି । ଔଷଧ ବିତରଣ କରାଯାଉଛି ଲୋକମାନଙ୍କୁ । ନାନାବିଧ ସଂକ୍ରାମକ ରୋଗର ପ୍ରତିଷେଧକ ଔଷଧ ଇଂଜେକ୍‌ସନ୍‌ ଦିଆଯାଇ ରୋଗକୁ ଆୟତ୍ତ କରାହେଉଛି । ଲୋକମାନଙ୍କର ସୁଖ ସମୃଦ୍ଧି ପାଇଁ କେତେ କେତେ ପରିକଳ୍ପନାମାନ ଚାଲିଛି ।

ଗାଁ ଗାଁକୁ ବିଜୁଳି ଆଲୁଅ ଯୋଗେଇ ଦେବାର ତତ୍ପରତା ବୃଦ୍ଧି ପାଇଛି ଦେଶରେ । ଲୋକେ ଆଉ ଡିବିରି ଲଣ୍ଠନ ଯୁଗରେ ନାହାନ୍ତି ।

ସ୍ୱାଧୀନତା ପରଠାରୁ ଧୀରେ ଧୀରେ ଦେଶ ପ୍ରଗତି ପଥରେ ଆଗେଇ ଚାଲିଛି ।

ଦେଶ ବିଦେଶରୁ ଜିନିଷପତ୍ର ଆମଦାନୀ ପାଇଁ ବଡ଼ ବଡ଼ ବନ୍ଦରମାନ ଖୋଳା ଚାଲିଛି ଦେଶରେ । ଆମ ଦେଶର ଜିନିଷସବୁ ବିଦେଶକୁ ପଠାଯାଉଛି । ବିଦେଶରୁ ଦରକାରୀ ଜିନିଷ ସବୁ ଆମ ଦେଶକୁ ଆସୁଛି ।

ପ୍ରଗତିର ସୁଅ ଛୁଟିଛି ଦେଶସାରା ।

ପ୍ରଗତିର ସୁଅ ମାଡ଼ି ଆସିଛି ଗାଆଁ ଗାଆଁକୁ ।

ନିପଟ ମଫସଲ ଗାଁକୁ ସଡ଼କ ପଡ଼ୁଛି । ରାସ୍ତାଘାଟର ସୁବିଧା କରାହେଉଛି । ଯିବା ଆସିବା ପାଇଁ ଗାଡ଼ିମଟରର ବ୍ୟବସ୍ଥା ହେଉଛି । ଗ୍ରାମ ଉନ୍ନୟନ ଯୋଜନାମାନ କାର୍ଯ୍ୟକାରୀ ହେଉଛି । ଗୋଟିଏ ଅଞ୍ଚଳରେ ଗାଁ ମାନଙ୍କୁ ମିଶେଇ ବ୍ଲକ ସବୁ ମୁଣ୍ଡ ଟେକୁଛି । ବ୍ଲକ ଜରିଆରେ ଆଞ୍ଚଳିକ ଉନ୍ନତି ସାଧିତ ହେଉଛି । ସଡ଼କ ନିର୍ମାଣ କୂପ ଖନନ, ଜୀର୍ଣ୍ଣ ପୁଷ୍କରିଣୀରେ ପଙ୍କୋଦ୍ଧାର ଇତ୍ୟାଦି ବିକାଶ ମୂଳକ କାର୍ଯ୍ୟ ଚାଲିଛି ଦେଶସରା ।

ଲୋକେ ପ୍ରଗତିର ଆଲୋକ ପାଇଲେଣି ଜୀବନରେ !

 

ବଢ଼ି ମରୁଡ଼ିର ଭୟ କମି ଆସିଲାଣି । ବଢ଼ି ମରୁଡ଼ିରେ ଲୋକଙ୍କୁ ସାହାଯ୍ୟ କରିବା ପାଇଁ ସରକାର ଆଗେଇ ଆସୁଛନ୍ତି ।

 

ପ୍ରଗତିର ସ୍ୱର ଶୁଭିଛି ସବୁ ଗାଁରେ ।

 

ପ୍ରଗତି ପାଦ ପକେଇଛି ତାଙ୍କ ଗାଁରେ ।

 

ଗାଁ ଶେଷ ମୁଣ୍ଡୁ ଯେଉଁ କଚ୍ଚା ସଡ଼କଟି ଆଗରୁ ଡାକ୍ତରଖାନାଯାଏଁ ଲମ୍ୱିଥିଲା ସେ ଖଣ୍ଡି ବର୍ତ୍ତମାନ ପକ୍‌କା ହୋଇଗଲାଣି ।

 

ଗାଁ ପାଖ ତହସିଲ ଅଫିସ୍‌ ନିକଟରେ ବ୍ଲକ ଅଫିସ ତୋଳା ହୋଇଛି । ବ୍ଲକ ଅଫିସର ବାବୁ ଗାଁର ସୁଖ ଦୁଃଖ ଦେଖି ଆସୁଛନ୍ତି । ବିପଦ ବେଳେ ପାଖରେ ଠିଆ ହୋଇ ସାହାଯ୍ୟ କରୁଛନ୍ତି-

 

ମନେ ପଡ଼ିଲା ସେ ବର୍ଷର ବନ୍ୟା । ବେଶୀ ବର୍ଷ ତଳର ନୁହେଁ । ସେ ସେତେବେଳେ କଲେଜରେ ପାଠ ପଢ଼ୁଥାନ୍ତି ।

 

ସେଥର ଲଗାଣ ବର୍ଷା ତୋଫାନ ହେତୁ ସମୁଦ୍ରରେ ପ୍ରବଳ ଜୁଆର ଉଠିଲା । ସମୁଦ୍ର ଫୁଲି ଉଠିଲା । ସମୁଦ୍ରକୁ ଲାଗି ଚିଲିକା । ସମୁଦ୍ର ଫୁଲେଇବାରୁ ଚିଲିକା ଫୁଲି ଉଠିଲା । ଚିଲିକା ପାଣି କୂଳ ଲଙ୍ଘି ଉପରକୁ ମାଡ଼ିଆସିଲା । କୂଳର ଗାଆଁଗଣ୍ଡା ସବୁ ପାଣି ଘେରରେ ରହିଗଲେ ।

 

ଚିଲିକା ଫୁଲିବାରୁ ତା ଭିତରେ ମିଶିଥିବା ଛୋଟ ବଡ଼ ନଈସବୁ ଫୁଲି ଉଠିଲେ । ସ୍ରୋତ ବିପରୀତ ମୁଖି ହେଲା । ବଂଶବତୀ ଦୁଇକୂଳ ଖାଇ ଫୁଲି ଉଠିଲା । ଏଣେ ଉପର ମୁଣ୍ଡରେ ଲଗାଣ ବର୍ଷା । ତା ସହିତ ସାଇଁ ସାଇଁ ପବନ ଗର୍ଜନ । ଲୋକେ ଭୟଭୀତ ହୋଇ ଉଠିଲେ ।

 

ବଂଶବତୀ ହୁଡ଼ା ଡେଇଁ ଦୁଇପାଖ ଗହୀର ଟପିଲା । ଆସ୍ତେ ଆସ୍ତେ ଗହୀର ଟପି ପାଣି ମାଡ଼ି ଆସିଲା ବୁଢ଼ୀମାଙ୍କ ପଛପାଖ ଶଗଡ଼ ଦଣ୍ଡାକୁ । ଚାହୁଁ ଚାହୁଁ ଗାଁ ଦାଣ୍ଡରେ ପାଣି ପଶି ସୁଅ ଛୁଟିଲା ।

 

ବର୍ଷା, ପବନ, ପାଣି । ଚତୁର୍ଦ୍ଦିଗକୁ ଜଳମୟ । ବହୁତ ଗାଁ ଗଣ୍ଡା ପାଣି ଘେରରେ ରହିଗଲେ । ବାହାରକୁ ବାହାରିବା ଉପାୟ ନାହିଁ ।

 

ଗାଁର ବୁଢ଼ା ବୁଢ଼ାମାନେ ଏ ବିପତ୍ତି ଦେଖି କୁହା କୋହି ହେଲେ ସେମାନଙ୍କ ଦିହକରେ ସେମାନେ ଏମିତି ବଢ଼ି କେବେ ଦେଖି ନଥିଲେ । ଏବକୁ ଯୁଗ ବଦଳିଲା । ନ ଦେଖିଲା କଥା ଦେଖିବାକୁ ହେଲା । ଘୋର କଳି କାଳ ମାଡ଼ି ଆସିଲା । ନହେଲେ କି ରଥପୁର ଗାଁ ଦାଣ୍ଡରେ ପାଣି ପଶନ୍ତା । କାଳେ ବେଳେ ନହବା କଥା । ରଥପୁର ଗାଁ ଏତେ ଉଚ୍ଚରେ ଯେ ପାଖ ଆଖ ସବୁ ଗାଁ ପାଣି ଘେରରେ ବୁଡ଼ିଗଲେ ଯାଇ ରଥପୁର ଗାଁ ଦାଣ୍ଡରେ ପାଣି ପଶିବ । ରଥପୁର ଗାଁ ଦାଣ୍ଡରେ ପାଣି ପଶିଛି ଅର୍ଥ ଆଖପାଖ ଗାଁ କେତେ ଖଣ୍ଡି ପାଣି ଭିତରେ ବୁଡ଼ି ଯାଇଥିବ ।

 

ସତକୁ ସତ ସେଇଆ ହୋଇଛି । ଚିଲିକା କୂଳିଆ ଗାଁ ମାନଙ୍କର କାନ୍ଥ ବାଡ଼ ଭାଙ୍ଗି ରୁଜି ଯାଇଛି । କେତେ ଗାଁର ଚାଳ ଭାସି ଯାଇଛି । ଲୋକମାନେ ପ୍ରାଣ ବିକଳରେ ଗଛ ଉପରେ ଚଢ଼ି ଆଶ୍ରା ନେଇଛନ୍ତି । କେହି କେହି ଚାଳରେ ବସି ଜୀବନ ବଞ୍ଚେଇଛନ୍ତି । ଜୀବନଟା ରହିଗଲେ ହେଲା-। ଘରଦ୍ୱାର ସବୁ ପଛେ ଯାଉ ।

 

ପଲ ପଲ ଗାଈ ଗୋରୁ ଭାସି ଯାଉଛନ୍ତି । ନିଜ ରକ୍ଷଣେ ଅସମ୍ଭବ । ଗାଈ ଗୋରୁଙ୍କୁ ପଚାରେ କିଏ । ପିଲାଛୁଆ ଧରି ଲୋକମାନେ ଗଛ ଉପରେ ଆଶ୍ରା ନେଇଛନ୍ତି ।

 

ବାହ୍ୟ ଜଗତରୁ ଅଞ୍ଚଳଟି ପୂରାପୂରି ବିଚ୍ଛିନ୍ନ ହୋଇଯାଇଛି । ବଢ଼ିପାଣି ସାଥିକି ପୁଣି ବର୍ଷା ତୋଫାନ । ଗଛରେ ଚଢ଼ି ଜୀବନ ବଞ୍ଚେଇବା ଲୋକଙ୍କର ଭାଳେଣୀ । ତୋଫାନ ସମ୍ଭାଳି ନପାରି କେହି କେହି ଗଛରୁ ଖସି ପାଣିରେ ଭାସି ଯାଉଛନ୍ତି ।

 

ଚାରିଆଡ଼େ ବିକଳ ଆର୍ତ୍ତନାଦ । ଜୀବନମୂର୍ଚ୍ଛା ଚିତ୍‌କାର । ହରିବୋଲ ଡାକ ।

 

ମତୁଆଲା ହୋଇ ପବନ ଗର୍ଜୁଛି । ବର୍ଷା କାଛୁଛି । ସତେ ଅବା ପ୍ରଳୟ ମାଡ଼ି ଆସିଛି । ସୁଉ ସୁଉ ଗର୍ଜନରେ କାନରୁ ଅତଡ଼ା ଖସୁଛି ।

 

ଲୋକେ ଡରି ଯାଉଛନ୍ତି ।

 

ଯୁଆଡ଼େ ଚାହିଁବ ଖାଲି ପାଣି-ପାଣି-ପାଣି ।

 

ଗାଁଟେ ପାର ହୋଇ ଗାଁଟେ ଯିବାର ଉପାୟ ନାହିଁ ।

 

ଯେ ଯାହା ଗାଆଁରେ ପାଣି ଘେରରେ ଆବଦ୍ଧ ।

 

ଜୀବନର ଆଶଙ୍କା ପ୍ରତି ମୁହୂର୍ତ୍ତରେ ।

 

ବଢ଼ିରେ ବଂଶବତୀ ମାତିଛି । ଦୁଇ କୂଳ ଲଙ୍ଘି ପାଣି ପଶି ଆସିଛି ଗାଁ ଦାଣ୍ଡକୁ ।

 

ଦାଣ୍ଡଦୁଆର ମାନଙ୍କରେ ବୁଢ଼ାବୁଢ଼ୀମାନେ ଯାକିଯୁକି ହୋଇ ବସି କୁହାକୋହି ହେଉଛନ୍ତି—ଧ୍ୱଂସ ଆସିଗଲା ଧ୍ୱଂସ । ୟାକୋଇ କହନ୍ତି ପ୍ରଳୟ । ୟେ କଣ ସହଜେ ଛାଡ଼ୁଛି । ସଂହାରକାଳ ପାଖେଇ ଗଲା ବୋଲି ପାଞ୍ଜି ଲେଖିଥିଲା । ମାଳିକା କହିଥିଲା । ଏଇତ ଆସିଗଲା ପ୍ରଳୟ । ହଇହେ, ଆମ ଦିହକ ପାଇଗଲା ଆମେ ଜାଣି ନଥିଲୁ । ବର୍ଷା ହୁଏ । ତୋଫାନ ହୁଏ । ଦୁଇ କୂଳ ଖାଇ ବଂଶବତୀ ବଢ଼େ । ଦିପାଖ ଗହୀର ପାଣିରେ ଡୁବେ । ଦିନେ ଓଳିଏ, ପାଣି ଛାଡ଼ିଯାଏ । ଫସଲ ବିଶେଷ ନଷ୍ଟ ହୁଏ ନାହିଁ । ଆଉ ଥରେ ବିଲରେ ରୋଇ ନେଲେ ଫସଲ ଫଳେ । କାନଉଠିଲା ଦିନୁ ଶୁଣାନଥିଲା ଏମିତିକିଆ ସୁଉ ସୁଉ ସମୁଦ୍ର ଗର୍ଜନ ଭଳି ପବନର ଗର୍ଜନ-। ତା ସାଥିକି ଲଗାଣ ବର୍ଷା ତୋଫାନ । ହଇହେ, ଆଉକଣ ଜାତି ବର୍ଣ୍ଣ କ୍ରିୟା କଳାପ ରହିଲା ? ଦେଖୁନ, ଗାଁ ସ୍କୁଲର ସେ ମାଷ୍ଟର ଖଣ୍ଡ କେଡ଼େ ଭଲ ଥିଲା । ଏବେ ଏମିତି କଣ ଗୋଟେ ହୋଇଗଲା ଯେ ହରିଜନ ବସ୍ତିର ପିଲାଗୁଡ଼ାକୁ ସବୁରିଙ୍କ ପାଖରେ ବସେଇ ପାଠ ପଢ଼ୋଉଚି । କାଳେ ନ ଥିଲା, ବେଳେ ନଥିଲା ହରିଜନ ପିଲାଗୁଡ଼ାକ ବ୍ରାହ୍ମଣ ପିଲାଙ୍କ ସହିତ ମିଶି ପାଠ ପଢ଼ିଲେ-। କ୍ରିୟା ଭ୍ରଷ୍ଟ ହେଲା । କ୍ରିୟା ଭ୍ରଷ୍ଟ ହେଲା । ଦେଖୁନ, ହରିଜନ ବସ୍ତିର ସେଇ ଗଉରାପୁଅ ଅପର୍ତ୍ତିଆଟାକୁ । ଆମ ଶିବୁ ସହିତ ପାଠ ପଢ଼ୁଛି । ହରିଜନ ପିଲା ବୋଲି ମାସକୁ ମାସ ସରକାରଙ୍କଠାରୁ ବୃତ୍ତି ପାଉଛି ।

 

କି କାଳ ହେଲା ? ଛୁଆଁ ଅଛୁଆଁ ବାରଣ ରହିଲା ନାହିଁ । କ୍ରିୟା ଭ୍ରଷ୍ଟ କଲେ କି ଆଉ ଧର୍ମ ରହେ ? ହଇହେ ଯେତେ କଲେ ମଧ୍ୟ ସେ ଟୋକାଗୁଡ଼ାକ କଣ ଆମ ପିଲାଙ୍କପରି ହୋଇଯିବେ ? ସଂସ୍କାର ନାହିଁ । ଆତ୍ମଶୁଦ୍ଧି ନାହିଁ । କୌଳିକତା ନାହିଁ । ଖାଲି ସରକାରୀ ବୃତ୍ତି ପାଇଗଲେ କଣ ହୋଇଯିବ !

 

ସବୁ ଗୋଳିଆମିଶା ହେଲାରୁ ଧର୍ମ ଗଲା । ଧର୍ମରୁ ସିନା ଧରିତ୍ରୀ ଅଛି । ଅଧର୍ମ ହେଲେ ଆଉ ରହିବ ? ସେଇଥିପାଇଁ ଏ ଦଶା । ଏମିତି ବଢ଼ି ମରୁଡ଼ି ହେବ । ପୋକମାଛି ପରି ଲୋକ ମରିବେ । କିଏ ପିଠିରେ ପଡ଼ିବ ? ଦୈବୀ ଦୁର୍ବିପାକକୁ ହାତ କାହାର ? ହଇହେ ଚିଲିକା ଫୁଲି ଉଠିବ । ନଈରେ ପାଣି ଉଜାଣି ଉଠିବ, ଗାଁ ଗଣ୍ଡା ଭାସିଯିବ, ଏ ସବୁ ନୋହିଲା କଥା ।

 

ବୁଢ଼ାବୁଢ଼ାମାନେ ଏଭଳି କଥାବାର୍ତ୍ତା ହୋଇ ଯୁଗକୁ ନିନ୍ଦିଲେ କଣ ବର୍ଷା ଛାଡ଼ିଯିବ ?

 

ବ୍ରାହ୍ମଣ ପିଲାଙ୍କ ସହିତ ମିଶି ସ୍କୁଲରେ ଗଡ଼ରାପୁଅ ଅପର୍ତ୍ତି ପାଠ ପଢ଼ିଲାତ ସେଥିର ବର୍ଷାର କି ସମ୍ପର୍କ ରହିଲା ? ହରିଜନ ବୋଲି ଅପର୍ତ୍ତି ମଣିଷ ନୁହେଁ । ତା ଦେହରେ କଣ ମଣିଷ ରକତ ପ୍ରବାହିତ ହୁଏ ନାହିଁ । ଅପର୍ତ୍ତି ତାଙ୍କର ଗାଁ ସ୍କୁଲର ସାଙ୍ଗ ।

 

ପୁରୁଣା କାଳିଆ ବୁଢ଼ାମାନେ, ତୁମେ ଶୁଣ ବା ନ ଶୁଣ, ଏମିତି କଥା କହୁଥିବେ । ସେମାନଙ୍କର ଅନ୍ଧ ବିଶ୍ୱାସ ଓ କୁସଂସ୍କାର ଦୂର କରିବା ସହଜ ନୁହେଁ ।

 

ବର୍ଷା ଛାଡ଼ିଲା ନାହିଁ । ଯେ ଯାହାଘରେ ଖାଇବା ଜିନିଷ ସାଇତି ରଖିଥିଲେ ସେତେକ ଶେଷ ହେବା ପରେ ବିକଳ ହୋଇ ଉଠିଲେ ।

 

ଠିକ୍‌ ସପ୍ତାହେ ପରେ ବର୍ଷା ଛାଡ଼ିଲା । ବର୍ଷା ଛାଡ଼ିଲା ସିନା ପବନ କମି ନଥିଲା ।

 

ବର୍ଷା ଛାଡ଼ିଯିବା ପରେ ସରକାରଙ୍କ ତରଫରୁ ଉଡ଼ାଜାହାଜ ଯୋଗେ ଆକାଶ ମାର୍ଗରୁ ଗାଁମାନଙ୍କରେ ଚୂଡ଼ା ଚାଉଳ ପୁଡ଼ିଆମାନ ପକେଇ ଦିଆଗଲା । ଲୋକମାନେ ପାଇଲେ । ବିପନ୍ନ ଲୋକଙ୍କୁ ସାହାଯ୍ୟ କରିବା ପାଇଁ ସ୍ୱେଚ୍ଛାସେବକ ଦଳ ବାହାରି ଆସିଲେ । କଲେଜମାନଙ୍କରୁ ଏନ୍‌.ସି.ସି. କ୍ୟାଡେଟ୍‌ମାନେ ଏ ଅଞ୍ଚଳକୁ ସାହାଯ୍ୟ ପାଇଁ ବାହାରି ଆସିଲେ । କେତେ ସଂଘ ସେବା ସମିତିର ସେବକମାନେ ଲୋକମାନଙ୍କୁ ସାହାଯ୍ୟ ପାଇଁ ଆଗଭର ହୋଇ ଆସିଲେ । ଦୁର୍ଗତ ଲୋକଙ୍କ ସାହାଯ୍ୟାର୍ଥେ କେତେ ପାଣ୍ଠି ଖୋଲା ହୋଇଗଲା ।

 

ସେଥର ସେ ନିଜେ କଲେଜ ସ୍ୱେଚ୍ଛାସେବକ ବାହିନୀରେ ବୁଲିଥିଲେ ଏ ଅଞ୍ଚଳରେ । ଏ ଅଞ୍ଚଳର ଦୁର୍ଗତ ଗାଆଁମାନଙ୍କରେ ବୁଲି ନିଜେ ସେ ଦେଖିଥିଲେ ଲୋକମାନଙ୍କର ଦୁର୍ଗତି ।

 

ସେ କରୁଣ ଦୃଶ୍ୟ ମନରୁ ହଜିବାର ନୁହେଁ ।

 

ମନେଅଛି ତାଙ୍କର ନିଜ ସାଙ୍ଗମାନଙ୍କ ସହ ଗାଁ ଗାଁରୁ ଗୋରୁଗାଈମାନଙ୍କର ମଢ଼ ଉଠେଇ ଥିଲେ ସେ ନିଜ ହାତରେ । ଗାଁ ଗାଁରେ ବ୍ଲିଚିଙ୍ଗ ପାଉଡ଼ର ପକେଇଥିଲେ ସେମାନେ । ଡାକ୍ତରଙ୍କ ସହ ଘର ଘର ବୁଲି ଲୋକମାନଙ୍କୁ ହଇଜା ପ୍ରତିଷେଧକ ଇନଜେକ୍‌ସନ୍‌ ନବାକୁ ଅନୁରୋଧ କରିଥିଲେ । କୂଅ ପୋଖରୀ ମାନଙ୍କର ବ୍ଲିଚିଙ୍ଗ ପାଉଡ଼ର ପକେଇଥିଲେ । ଆବର୍ଜନା ପୂର୍ଣ୍ଣ ସ୍ଥାନମାନଙ୍କର ଫିନାଇଲ ଅଜାଡ଼ି ଥିଲେ ।

 

ଦୁର୍ଦ୍ଦଶାଗ୍ରସ୍ଥ ଲୋକମାନଙ୍କୁ ସାହାଯ୍ୟ କରିବାକୁ ଆଗେଇ ଆସିଥିଲେ ସେମାନେ ।

 

ସାହାଯ୍ୟ ଦେବାକୁ ଆଗଭର ହୋଇ ଉଠିଥିଲେ କେତେ ସେବାସଂସ୍ଥା, କେତେ ସ୍କୁଲ କଲେଜ ଛାତ୍ରଛାତ୍ରୀ କେତେ ସରକାରୀ ବେସରକାରୀ ଦାତବ୍ୟ ଅନୁଷ୍ଠାନ ।

 

ଦୁର୍ଗତ ଅଞ୍ଚଳଟି ପ୍ରତି ସମସ୍ତଙ୍କର ସମବେଦନା ବହି ଆସିଥିଲା ।

 

ସମ୍ୱାଦ ପତ୍ରର ସାମ୍ବାଦିକମାନେ ଏ ଅଞ୍ଚଳକୁ ବୁଲିଆସି ବନ୍ୟାକ୍ଳିଷ୍ଟ ଲୋକମାନଙ୍କର ଫଟୋ ଉଠେଇ ସମ୍ୱାଦପତ୍ରମାନଙ୍କରେ ଛାପିଥିଲେ । ସମ୍ୱାଦପତ୍ର ଜରିଆରେ ବାତ୍ୟାବିପନ୍ନ ଜନତା ପାଇଁ ସାହାଯ୍ୟଭିକ୍ଷା କରିଥିଲେ ଅନ୍ୟ ଅଞ୍ଚଳରୁ ।

 

ନେତାମାନେ ଆସିଥିଲେ ଲୋକଙ୍କ ଦୁଃଖ ଶୁଣିବାକୁ । ରିଲିଫ୍‌ବଣ୍ଟନ ପାଇଁ ଆସିଥିଲେ ସରକାରୀ କର୍ମଚାରୀ ।

 

ନାନାଆଡ଼ୁ ନନାପ୍ରକାରର ସାହାଯ୍ୟ ଆସି ପହଞ୍ଚିଥିଲା ।

 

ଦେଶର କେଉଁ ନଗଣ୍ୟ କଣରେ ଅବସ୍ଥିତ ଏଇ ଛୋଟ ଅଞ୍ଚଳଟି ପାଇଁ ସମଗ୍ର ଦେଶ ଯେମିତି କାନ୍ଦି ଉଠିଥିଲା ସେଥର ।

 

ଦେଶର ଏକତା ପ୍ରତି ଭରସା ଆସିଥିଲା ସମସ୍ତଙ୍କ ପ୍ରାଣରେ ।

 

ଏ କ୍ଷୁଦ୍ର ଅଞ୍ଚଳର ଲୋକମାନେ ଯଦି ବିନା ସାହାଯ୍ୟରେ ପ୍ରାଣ ହରାଇବେ ତା ହେଲେ ଦେଶରେ ଏକତା ଅଛି ବୋଲି ଜାଣିବା କିପରି ? ସମସ୍ତେ ଏକ ଦେଶର । ଏକ ଜାତିର । ଏକ ମାଟିର । ଜଣକ ଦୁଃଖ ବେଦନା ବିପତ୍ତିରେ ଆଉ ଜଣଙ୍କର ହୃଦୟ ତରଳି ନଗଲେ ଦେଶର ମମତା ରହିବ କେଉଁଠି ? ଗୋଟିଏ ଅଞ୍ଚଳର ଲୋକଙ୍କ ଦୁର୍ଗତି ବେଳେ ଅନ୍ୟ ଅଞ୍ଚଳର ଲୋକେ ଯଥା ସାଧ୍ୟ ସାହାଯ୍ୟ ନକଲେ ଦେଶପ୍ରେମ ଜାଗ୍ରତ ହେବ ନାହିଁ ଜନତାର ପ୍ରାଣରେ । ଆମେ ସମସ୍ତେ ଭାରତୀୟ । ଆମେ ଏକ ସାର୍ବଭୌମ ସ୍ୱାଧୀନ ରାଷ୍ଟ୍ରର ସ୍ୱାଧୀନ ନାଗରିକ । ଜଣକ ପାଇଁ ଆଉ ଜଣକର ହୃଦୟ ନ କାନ୍ଦିଲେ, ଜଣକ କାନ୍ଧରେ ଆଉଜଣେ କାନ୍ଧ ନଦେଲେ ଦେଶ ଆଗେଇବ କିପରି ?

 

ତଳେ ପଡ଼ିଯାଇଥିବା ଲୋକକୁ ଆଗ ଠିଆ କରେଇବାକୁ ପଡ଼ିବ । ତା ହେଲେ ଯାଇ ସମସ୍ତେ ଚାଲିବେ । ତା ହେଲେ ଦେଶ ଆଗେଇବ ଦେଶ ସମୃଦ୍ଧ ହେବ ।

 

ଲୋକଙ୍କ ମନରେ ଦେଶ ପ୍ରେମ ଜାଗ୍ରତ ହୋଇଥିଲା ସେଥର । ଚୂଡ଼ା, ଚାଉଳ, ଲୁଗା, କମଳ, ଶିଶୁଖାଦ୍ୟ, ଏମିତି କେତେ ନିତ୍ୟ ବ୍ୟବହାର୍ଯ୍ୟ ଜିନିଷ ସାହାଯ୍ୟ ଆକାରରେ ବୋହି ଆସିଥିଲା ଏ ଅଞ୍ଚଳକୁ ।

 

କ୍ଷତିଗ୍ରସ୍ଥ ଲୋକମାନେ ସାହାଯ୍ୟ ପାଇଲେ ।

 

ବର୍ଷା ପବନ ପାଣି କ୍ରମେ କ୍ରମେ ଅପସରି ଗଲା ।

 

ଲୋକମାନେ ପୁଣିଥରେ କର୍ମତତ୍ପର ହୋଇ ଉଠିଲେ ।

 

ସରକାରଙ୍କଠାରୁ ନାନାଭାବରେ ସାହାଯ୍ୟ ପାଇଲେ । ଭାଙ୍ଗିବା ଘର ତୋଳିଲେ । ନଷ୍ଟ ହୋଇଥିବା ଫସଲ କିଆରୀମାନଙ୍କରେ ପୁଣିଥରେ ତଳି ରୋଇଲେ । ମନରେ ଦମ୍ଭ ସାହସ ବାନ୍ଧି ଦୁଃଖ ପାଶୋରିଲେ ।

 

ସେଥର ବାତ୍ୟାଟି ସିଏ ନିଜେ ଅଙ୍ଗେ ନିଭେଇଛନ୍ତି ।

 

ଭୁଲି ହେଉ ନାହିଁ ବନ୍ୟା ବାତ୍ୟାର ସେ କରାଳ ଦୃଶ୍ୟଟିକୁ ।

 

ସେଥର ଯେଉଁ ଭାବରେ ଲୋକଙ୍କ ପାଖରେ ସାହାଯ୍ୟ ଆସି ପହଞ୍ଚିଲା ସେଥିରୁ ମନେ ହେଲା ଦେଶରେ ଏକତା ଆସିଛି । ଦେଶର ପ୍ରଗତିର ପଥ ଖୋଲିଛି ।

 

ପ୍ରଗତି ହେତୁ ପରିବର୍ତ୍ତନ ଘଟୁଛି ସବୁଠେଇଁ ।

 

ପ୍ରଗତି ଘଟିଛି ରଥପୁର ଗାଁରେ ।

 

ବୋଉ ଦେଖାନ୍ତରେ ରଥପୁର ଗାଁର ରୂପ ବଦଳିଗଲାଣି । ଗାଁକୁ ସଡ଼କ ନଥିଲା ପକ୍‌କା ସଡ଼କ ପଡ଼ିଲାଣି । ଆଖ ପାଖରେ ଡାକ୍ତରଖାନା ନଥିଲା । ଡାକ୍ତରଖାନା ଗଢ଼ି ଉଠିଲାଣି । ବ୍ଲକ ଅଫିସ ତୋଳାହେଲାଣି । ବ୍ଲକ ତରଫରୁ ଏବେ ସେବେଇତ ସାଇରେ କୂଅଟିଏ ଖୋଳା ହୋଇଛି । ଗ୍ରାମସେବିକାମାନେ ଗାଁକୁ ଆସି ଘର ଘର ବୁଲି ନାନା ବିଷୟରେ ସ୍ତ୍ରୀମାନଙ୍କୁ ତାଲିମ ଦେଇଛନ୍ତି ।

 

ନୂଆ ନୂଆ ସାଇ ସବୁ ତୋଳା ହେଉଛି ଗାଁରେ । ଆଗରୁ ଲୋକ ସଂଖ୍ୟା ସେପରି ନଥିଲା । ଲୋକସଂଖ୍ୟା ଏବେ କେତେ ବଢ଼ି ଗଲାଣି ।

 

ଦୋକାନ ବଜାର ବସିଲାଣି ଗାଁର କେନ୍ଦ୍ରସ୍ଥଳରେ ।

 

ଗାଁ ସ୍କୁଲର ଭେକ ବଦଳି ଗଲାଣି । ନୂଆ କରି ଇଟା ସିମେଣ୍ଟରେ ତୋଳା ହୋଇଛି ସ୍କୁଲ ଘର । ଛାତ୍ରସଂଖ୍ୟା ଦିଗୁଣ ହେଲାଣି ।

 

ଆଗ କାଳରେ ଭୋଟ କଣ ଜାଣି ନଥିଲେ ଲୋକମାନେ । ଗାଆଁ ଭିତରେ କାହା କାହା ଭିତରେ କଳି ତକରାଳ ହେଲେ ପାଞ୍ଚଜଣ ମୁରବୀ ବସି କଥାଟାର ସମାଧାନ କରି ଦେଉଥିଲେ । ଏବେ ଏବେ ଭୋଟ ଜରିଆରେ ମୁରବୀ ବଛା ଯାଉଛନ୍ତି । ଯେ ଭୋଟରେ ଜିତିଲା ସେ ହେଲା ମୁଖିଆ । ଲୋକମାନେ ଭୋଟ ଦିଆ ଶିଖିଲେଣି । ଥରେ ଦିଥର ଭୋଟ ଦେବାକୁ ତହସିଲ ଅଫିସକୁ ଗଲେଣି । ସ୍ତ୍ରୀ ଲୋକମାନେ ମଧ୍ୟ ଭୋଟ ଦେବାକୁ ଆଗ୍ରହୀ ହେଲେଣି ।

 

ଭୋଟ ବେଳେ ଗାଁରେ ଯେଉଁ ଗହଳ ଚହଳ ନ କହ ।

 

ସେଥର ଭୋଟ ବେଳର ଘଟଣାଟି ମନେ ପଡ଼ିଲା ।

 

ଭୋଟ ପାଇଁ ପ୍ରଚାର ଚାଲିଥାଏ । ଗାଁ ଭିତରେ ଦି ଦିଇଟା ପ୍ରଚାର କେନ୍ଦ୍ର ଖୋଲା ଯାଇଥାଏ । ଦୁଇଟି ଦଳ ତରଫରୁ ଦୁଇଜଣ ପ୍ରାର୍ଥୀଙ୍କ ପ୍ରଚାର ଚାଲିଥାଏ । ଯେ ଯାହାର ଓର ଉଣ୍ଡି ଘର ଘର ବୁଲି ନିଜ ନିଜ ପ୍ରାର୍ଥୀଙ୍କ ସପକ୍ଷରେ ଲୋକମାନଙ୍କୁ ମିଶେଇ ଆସୁଥାନ୍ତି । ଗାଁରେ ଆଉ ରାତି ଦିନ ବାରି ହେଉନଥାଏ । ଯେଉଁଠି ଶୁଣିବ ଖାଲି ଭୋଟ ଚର୍ଚ୍ଚା ବୁଢ଼ାଠୁଁ ଆରମ୍ଭ କରି ପିଲା ପର୍ଯ୍ୟନ୍ତ ସମସ୍ତଙ୍କ ମୁହଁରେ ଭୋଟ ବିଷୟରେ ଆଲୋଚନା । ନାନା ପ୍ରକାରର ଢଙ୍ଗର ନିଜ ନିଜ ପ୍ରାର୍ଥୀଙ୍କ ସପକ୍ଷରେ ଲେଖା ପ୍ରଚାରପତ୍ରମାନ ବଣ୍ଟାଯାଉଥାଏ । ଡାକବାଜି ଯନ୍ତ୍ରରେ ଗୀତ ମାଧ୍ୟମରେ ଭୋଟ ପ୍ରଚାର ଚାଲିଥାଏ । ଏ ପ୍ରାର୍ଥୀଙ୍କୁ ଭୋଟ ଦିଅ, ଅମୁକ ଚିହ୍ନରେ ମୋହର ମାରି ପ୍ରାର୍ଥୀଙ୍କୁ ଜୟଯୁକ୍ତ କର—ଏ ପ୍ରାର୍ଥୀ ଦକ୍ଷ ସେ ପ୍ରାର୍ଥୀ ସୁଦକ୍ଷ । ଏ ପ୍ରାର୍ଥୀ ତୁମମାନଙ୍କ ପାଇଁ ବହୁତ ସୁବିଧା କରେଇ ଦେବ, ଗାଁକୁ ବିଜୁଳି ଆଲୁଅ ଅଣେଇ ଦେବେ । ଗାଁ ସଡ଼କରେ ପିଚୁ ଢଳେଇଦେବେ—ଗାଁ ଲାଇବ୍ରେରୀର ଉନ୍ନତି କରେଇ ଦେବେ—ଇତ୍ୟାଦି ନାନା ପ୍ରକାର ଆଶାବାଣୀ ଲୋକଙ୍କୁ ଶୁଣେଇ ଦିଆ ଯାଉଥାଏ ।

 

ଦୁଇଟି ରାଜନୈତିକ ଦଳର ଦୁଇଜଣ ପ୍ରାର୍ଥୀ ପ୍ରତିଦ୍ୱନ୍ଦିତା କରୁଥାନ୍ତି । ଉଦ୍ଦେଶ୍ୟ ହେଉଛି ଲୋକ ପ୍ରତିନିଧି ହେଲେ ଜନତା ଜନାର୍ଦ୍ଦନର ସେବା କରିବେ । ଏ ଅଞ୍ଚଳର ନାନାବିଧ ବିକାଶ ମୂଳକ କାର୍ଯ୍ୟ କରେଇ ଆଞ୍ଚଳିକ ସମୃଦ୍ଧି କରେଇବେ । ଜନତାର ସୁଖ ଦୁଃଖ ହାରି ଗୁହାରି ବୁଝିବେ-। ଲୋକଙ୍କ ପ୍ରତି ଅନ୍ୟାୟ ଅବିଚାର ହେଲେ ତାର ବିରୋଧ କରିବେ ।

 

ଏଇ କାର୍ଯ୍ୟ ପାଇଁ ପ୍ରତିଦ୍ୱନ୍ଦିତା, ନିର୍ବାଚନ । ନିଜ ନିଜ ପ୍ରାର୍ଥୀଙ୍କ ତରଫରୁ ପ୍ରଚାରକମାନେ ପ୍ରଚାରପତ୍ର ବାଣ୍ଟି ଡାକବାଜି ଯନ୍ତ୍ର ସାହାଯ୍ୟରେ ପ୍ରାର୍ଥୀଙ୍କ ସପକ୍ଷରେ ଗର୍ଜନ କରି, ଘର ଘର ବୁଲି ପ୍ରାର୍ଥୀମାନଙ୍କ ଗୁଣକୀର୍ତ୍ତନ କରୁଥାନ୍ତି ।

 

ଗାଁ ଦାଣ୍ଡରେ ଯେତେକ ନଡ଼ିଆଗଛ ସେଥିରେ ଖାଲି ପ୍ରଚାରପତ୍ରମାନ ଛାପା ହୋଇଥାଏ । ଏ ନଡ଼ିଆ ଗଛରୁ ସେ ସାଇ ନଡ଼ିଆ ଗଛ ପର୍ଯ୍ୟନ୍ତ ପ୍ରଚାର ପତ୍ର ମାଳାମାନ ଓହଳା ଯାଇଥାଏ । ଦିଦଳ ଯାକର ସ୍ତାବକମାନେ ପ୍ରାର୍ଥୀଙ୍କର ବିଭିନ୍ନ ଭଙ୍ଗୀର ଫଟୋ ବାଣ୍ଟୁ ଥାଆନ୍ତି ।

 

ନିର୍ବାଚନ ପ୍ରଚାର ଜୋର ସୋର ଚାଲିଥାଏ ।

 

ନିର୍ବାଚନ ପ୍ରଚାର ଉତ୍ତେଜନା ସୃଷ୍ଟି କରିଥାଏ ଗାଁ ସାରା ।

 

ସେବେଇତ ସାଇ ଆଉ ହାଟୁଆ ସାଈର ମିଳନ ସ୍ଥଳରେ ହରି ସାହୁର ପାନ ଦୋକାନ । ତା ପାଖକୁ ଲାଗି ହାଡ଼ୁ ବେହେରାର ତେଲ ଲୁଣ ଦୋକାନ । ସଞ୍ଜ ହେଲେ ଦୋକାନ ଦୁଇଟାରେ ଭିଡ଼ ଜମେ । ଗାଁ ଲୋକେ ପାନ ଗୁଆଗୁଣ୍ଡି ପାଇଁ ନରିସାହୁ ଦୋକାନରେ ଭିଡ଼ ଜମାନ୍ତି । ବୁଢ଼ାମାନେ ଅଫିମ ଟିକିଏ ପାଇଁ ତାପାଖେ ଲୁଙ୍ଗ ପୁଙ୍ଗୁ ହେଉଥାନ୍ତି । ନରିସାହୁ ଚାଲାକ ବେପାରୀ । ଛୋଟ କରାଟରେ ଅଫିମ ପୂରେଇ ରଖିଥାଏ । ବେଶୀ ଅଫିମ ରଖିବା ବେଆଇନ । ତେଣୁ ଅଫିମ ସେ ଲୁଚା ଚୋରାରେ କାରବାର କରେ । ଯେଉଁମାନେ ଅଫିମ ଭକ୍ତ ସେମାନେ ଅଫିମ ନାଁ ନଧରି, ସାହୁଏ ଓଷଦ ଅଣାକର ଦେଲ ବୋଲି ମାଗନ୍ତି । ଓଷଦ କହିଲେ ନରିସାହୁ ବୁଝିଯାଏ । ଛପେଇ କରି କରାଟ ଖୋଲି କେହି ନଜାଣିଲା ପରି ଚଟ୍‌କିନି ବଢ଼େଇ ଦିଏ ହାତକୁ ।

 

ସଞ୍ଜବେଳେ ନରିସାହୁ ଦୋକାନ ଗହଳି ହୁଏ । ଗହଳି ହୁଏ ହାଡ଼ୁ ବେହେରାର ଛୋଟ ତେଲ ଲୁଣ ଡାଲି ଚାଉଳ ଦୋକାନ ।

 

ଦିନଯାକର କାମ କରି ସାରିବା ପରେ ଲୋକମାନେ ସଞ୍ଜ ପହରରେ ଏଇଠି ଏକତ୍ର ହୁଅନ୍ତି । ଦିନଯାକ କ୍ଳାନ୍ତିର ହିସାବ ନିକାଶ କରନ୍ତି । ଗହଳି ଚହଳି ଜମେ । ଦିନେ ଦିନେ ଚିଲିକାରୁ ବନିଶିରେ ମାଛ ଧରି ଆଣି ପାଖ ଗାଁର ପଠାଣ ଟୋକା ହମିଦ ମିଆଁ ସେଇଠି ବିକେ । ଚିଲିକା କୁଳିଆ ଗାଁ ମାନଙ୍କରୁ କେଉଟୁଣୀମାନେ ଟୋକେଇରେ ଚିଙ୍ଗୁଡ଼ି ଆଣି ନରିସାହୁ ଦୋକାନ ସାମନାରେ ବିକନ୍ତି । ବେଳେ ବେଳେ ପରିବା ଦୋକାନ ଏଇଠି ବସେ । ଲୋକମାନେ କିଣାବିକା ପାଇଁ ଆସନ୍ତି । ସଞ୍ଜ ପହରଟା ନରିସାହୁ ଦୋକାନ ଛକରେ ବେଶ୍‌ ଗହଳି ଜମେ ।

 

ଏଠି ଗହଳି ଜମେ ବୋଲି ଭୋଟ ପ୍ରଚାର ପାଇଁ ଦୁଇ ଦଳଙ୍କ ତରଫରୁ ଭିନ୍ନ ଭିନ୍ନ ଦୁଇଟି ସାମୟିକ କ୍ୟାମ୍ପ ଖୋଲିଛି । ଗୋଟିଏ କ୍ୟାମ୍ପରେ ଗୋଟିଏ ଦଳର ସମର୍ଥକଙ୍କ ସମାବେଶ ତ ଅନ୍ୟଟିରେ ଅନ୍ୟ ଦଳର । ଦୁଇ କ୍ୟାମ୍ପରେ ସଞ୍ଜ ହେଲେ ଦୁଇଟି ହାରକିନ୍‌ ଲାଇଟ ଜଳେ । ନରିସାହୁ ଦୋକାନ ସାମନାଟା ବେଶ୍‌ ଆଲୋକିତ ହୋଇ ଉଠେ । ଦୁଇପାଖେ ଦୁଇଟି ଡାକବାଜି ଯନ୍ତ୍ର ଅବିରତ ବାଜିବାରୁ ଗାଁସାରା ଶବ୍ଦାୟିତ ହେଉଥାଏ ।

 

ନିର୍ବାଚନର କୋଳାହଳ ମୁଖର ପରିବେଶରେ ସମଗ୍ର ରଥପୁର କମ୍ପି ଉଠୁଥାଏ ଯେମିତି-

 

ପ୍ରତିଦିନ ଏ ଛକ ମୁଣ୍ଡରେ ସଭାସମିତିର ଆୟୋଜନ । ଆଜି ଜଣେ ପ୍ରାର୍ଥୀ ଆସି ତାଙ୍କ ଭାଷଣ ଦେଇଗଲେଣିତ କାଲି ଆସି ଅନ୍ୟପ୍ରାର୍ଥୀ ତାଙ୍କ ଭାଷଣ ଦେଇଗଲେ । ଜଣେ ଆଜି କିଛି କହିଗଲେ ଅନ୍ୟଜଣେ ତାଙ୍କ କଥାକୁ ଖଣ୍ଡନ କରି ନିଜ ତରଫ କଥା କହି ଗଲେଣି ।

 

ଏମିତି ଚାଲିଥାଏ ଦୁଇ ଦଳର ନିର୍ବାଚନ ପ୍ରଚାର ।

 

ଏ ପ୍ରଚାର ବେଳେ ବେଳେ ଅଶାନ୍ତି ଉପୁଯାଇ ଥାଏ । ବେଳେ ବେଳେ ଦୁଇ ଦଳର ସ୍ତାବକଙ୍କ ମଧ୍ୟରେ ଯୁକ୍ତ ତର୍କ ହେଉ ହେଉ ହାତା ହାତି ହୋଇଯାଏ ।

 

ସେଦିନ ସାମାନ୍ୟ ତର୍କରେ ସେବେଇତ ସାହିର ମାଳି ଟୋକା ନାରଣ ସହିତ ବ୍ରାହ୍ମଣ ଶାସନର କାଶୀନାଥର ବଚସା ହୋଇ ହାତା ହାତି ପର୍ଯ୍ୟନ୍ତ ଗଲା । ନାରଣ ପାଠୁଆ ବୋଲି ତା ମନରେ ଅହଙ୍କାର । ନୂଆକରି କଲେଜରେ ନାଁ ଲେଖେଇଥାଏ । କଲେଜରେ ଗୋଡ଼ ଦେଉ ଦେଉ ସେ ମିଶିଥାଏ ଏକ ରାଜନୈତିକ ଦଳରେ । ସେ ଦଳର ପ୍ରାର୍ଥୀ ପ୍ରତିଦ୍ୱନ୍ଦିତା କରୁଥାନ୍ତି । ତେଣୁ ସେ ପାଠପଢ଼ା ପଛରେ ପକେଇ ଆସିଥାଏ ନିର୍ବାଚନ ପ୍ରଚାରକୁ । କଲେଜରେ ନାଁ ଲେଖେଇ ସାରିଛି ବୋଲି ସେ ଭାବେ ତାଙ୍କୁ ସବୁ ପ୍ରକାର ରାଜନୀତି ଜଣା । ଏ ମଫସଲ ଗାଁରେ ତା ନିର୍ବାଚନ କୌଶଳ କାଟୁ କରିବ ବୋଲି ତାର ଥାଏ ବଦ୍ଧମୂଳ ଧାରଣା । ତାଙ୍କ ଦଳର ପ୍ରଚାର ପାଇଁ ସେ ନାନା ଯୁକ୍ତି ବାଢ଼େ । ଲୋକଙ୍କୁ ଭୁଲେଇବାକୁ ଚେଷ୍ଟା କରେ । ସଞ୍ଜ ହେଉ ହେଉ ନରିସାହୁ ଦୋକାନ ପାଖରେ ସେ ଉପସ୍ଥିତ ହୋଇଯାଏ । ଦଳେ ସରଳ ଗାଉଁଲୀ ଲୋକଙ୍କୁ ଜମେଇ ସେ ତାର କ୍ଷୁଦ୍ର ବକ୍ତୃତା ଆରମ୍ଭ କରିଦିଏ । ଦେଶ ବିଦେଶରୁ ଉଦାହରଣ ଦେଇ ଲୋକମାନଙ୍କୁ ଭୁଲେଇବାକୁ ଚେଷ୍ଟାକରେ । ତାଙ୍କ ଦଳର ପ୍ରାର୍ଥୀଙ୍କୁ ଟେକା ଟେକି କରି ବହୁତ କଥା କହେ । ଶେଷରେ ତାଙ୍କଦଳର ପ୍ରାର୍ଥୀଙ୍କ ନିର୍ବାଚନ ସଂକେତରେ ମୋହର ମାରି ଜୟଯୁକ୍ତ କରିବାକୁ ଅନୁରୋଧ ଜଣାଏ ।

 

ଆଉ କାଶୀନାଥ—

 

ବହୁତ କଷ୍ଟରେ ଭିଡ଼ା ଓଟରା ହୋଇ ନବମ ଶ୍ରେଣୀ ଯାଏଁ ଯାଇ ଆଉ ସେଇଠୁ ଉପରକୁ ଉଠିବା ନୋହିଲା । ଯେତେ ଚେଷ୍ଟା କଲେ ପାଠ ତାଦ୍ୱାରା ହେଲା ନାହିଁ । ବହି ବସ୍ତାନି ନବମ ଶ୍ରେଣୀରୁ ବାନ୍ଧି ବୁନ୍ଧି ଦେଇ ଅଭିମାନରେ ସେ ଘରଛାଡ଼ି ଚାଲିଗଲା କଲିକତା । କଲିକତାରେ ଏଣେ ତେଣେ ପାଞ୍ଚ ବର୍ଷ କାମ କରି ଶେଷରେ ହୋମିଓ ପାଥିକ ପଢ଼ା ଆରମ୍ଭ କଲା-। ଭଗବାନଙ୍କ କୃପାରୁ ହେଉ କି ତା କର୍ମଫଳରୁ ହେଉ ହୋମିଓ ପାଥିକ ସାର୍ଟିଫିକେଟ ନେଇ ଦଶବର୍ଷପରେ ଗାଁକୁ ଫେରିଲା । ଗାଁରେ ଆସି ବୁଢ଼ୀମାଙ୍କ ପାଚେରି ପାଖ ପଡ଼ିଆରେ ଖଣ୍ଡିଏ ଚାଳିଆ ଘର କରି ସେଇଠି ହୋମିଓ ପାଥିକ ଦୋକାନଟିଏ ଖୋଲିଛି । ଦୁଆର ମୁହଁରେ ଡା. କାଶୀନାଥ ମହାପାତ୍ର ଏଚ. ଏମ୍‌. ବି. ବୋଲି ସାଇନ୍‌ ବୋର୍ଡ଼ଟିଏ ଝୁଲେଇଛି । ହୋମିଓ ପାଥିକ ଚିକିତ୍ସା କରି ସେ ଚଳେ । ଗାଁଠାରୁ ଅଳ୍ପ ଦୂରରେ ସରକାରୀ ଡାକ୍ତରଖାନା ଥିଲେ ମଧ୍ୟ ଗାଁ ଲୋକମାନେ ତାପାଖକୁ ଆସନ୍ତି । ବିଶେଷ ଛୋଟ ଶିଶୁମାନଙ୍କ ପାଇଁ ତା ଔଷଧ କାଟୁ କରେ । ତାଛଡ଼ା ରାତି ବିକାଳି ଦେହ ପା ହେଲେ ତା ପାଖକୁ ଧାଇଁଗଲେ ସେ ଆସେ । ଔଷଧ ଦିଏ । ତେଣୁ ତାର ଗାଁରେ ଖୁବ୍‌ ଆଦର ।

 

ଭାରି ମିଳାପୀ ମିଷ୍ଟଭାଷୀ ମଣିଷ କାଶୀନାଥ । ଚିହ୍ନା ଅଚିହ୍ନା ସବୁରିଙ୍କ ସହ ଆଳାପ କରି ମିଶିଯିବ । ବେଶ୍‌ ଜାଣିଲା ପରି କଥାବାର୍ତ୍ତା କରି ପରକୁ ତତ୍‌କ୍ଷଣାତ୍‌ ଆପଣାର କରିଦେବ । ଗାଁରେ କାହାର କାମ ଦାମ ପଡ଼ିଲେ ଅଣ୍ଟାଭିଡ଼ି ଆଗତୁରା ବାହାରି ପଡ଼ିବ । ସବୁରିଙ୍କି ସାହାଯ୍ୟ କରିବା ମନୋବୃତ୍ତି ତାର । ମାତ୍ର ଏସବୁ ଗୁଣ ସାଙ୍ଗକୁ ତାର ଗୋଟିଏ ମାତ୍ର ଦୁର୍ଗୁଣ । ବିଚାରା ଟିକିଏ ଟାଉଟରିଆ ଧରଣର ଲୋକ । ବେଶୀ ପାଠ ଶାଠ ପଢ଼ି ନାହିଁ । କିନ୍ତୁ ସାମାନ୍ୟ ଚତୁର । ତେଣୁ ବେଳେ ବେଳେ ମାମଲତକାରିଆ ହୋଇ ଟାଉଟରୀ କରିବାରେ ତାର ଦକ୍ଷତା ।

 

କିଛି ଦିନ ଚିକିତ୍ସା କରି ଅନୁଭୂତିର ସେ କେତେ କଥା ଶିଖି ଯାଇଛି । ତାଛଡ଼ା ତା ହାତଟା ଭଲ ହେତୁ ଯାହାକୁ ଯେଉଁ ପାନକ ଔଷଧ ଦିଏ ତାକୁ କାଟୁ କରେ । ତେଣ ଆଖପାଖ ଗାଁର ଲୋକମାନେ ତା ପାଖକୁ ଆସନ୍ତି । ତାକୁ ଜାଣନ୍ତି । କେତେ ଲୋକଙ୍କର ତାଠାରେ ବିଶ୍ୱାସ ।

 

ସବୁବେଳେ ସେ ଗାଁରେ ରହେ । ଗାଁ ଲୋକଙ୍କ ସହିତ ମିଶେ । ଗାଁଲୋକଙ୍କ ସୁଖ ଦୁଃଖ କଥା ଜାଣେ । ଗାଁରେ ସମସ୍ତେ ତାକୁ ନାଁ ଧରି ନଡାକି ଡାକ୍ତରବାବୁ ବୋଲି ଡାକନ୍ତି ।

 

ଗାଁରେ ସେ ଜଣେ ମାମଲତକାର ହୋଇ ଉଠିଛି । ବିଶେଷ କରି ଶାସନର ସବୁଯାକ ଭୋଟ ତା ହାତରେ କହିଲେ ଚଳେ । ତାଛଡ଼ା ଗାଁର ମହିଳା ମହଲରେ ତାର ବେଶୀ ଆଦର । କାରଣ ସେ ଆଜି କାଲି ପ୍ରସୂତି କାର୍ଯ୍ୟରେ ହାତ ଦେଇଛି । ଗରୀବପକ୍ଷ ଲୋକେ ଡାକ୍ତରଖାନାକୁ ନଯାଇ ତାକୁ ଡାକିନେଇ ପ୍ରସବ କାମ କରୋଉଛନ୍ତି । ସେ ବିଦ୍ୟାରେ ସେ ଦକ୍ଷତା ହାସଲ କରି ସାରିଲାଣି । ଏହି ହେତୁରୁ ମାଈପିଏ ତା କଥା ରଖିବେ ।

 

ଏହି ସବୁ କାରଣରୁ ଦୁଇଦଳର ପ୍ରାର୍ଥୀଙ୍କ ତରଫରୁ ତା ଉପରେ ଚାପ ପଡ଼ିଥାଏ । ଦୁଇ ଦଳ ଯାକ ତାକୁ ହାତ ମୁଠାକୁ ଆଣିବାକୁ ଚେଷ୍ଟା କରିଥାନ୍ତି । ମାତ୍ର ସେ ଚାଲାକ ହେତୁ ଦୁଇ ଦଳ ସହ ଭିତିରି ସମ୍ପର୍କ ରଖି ତା ମତକୁ ସୁହାଇଲା ପରି କାମ କରୁଥାଏ । ଦୁଇ ପାଖରୁ କିଛି କିଛି ପକାଇବାରେ ପଛୋଉ ନଥାଏ । ସାମାନ୍ୟ ଟାଉଟରିଆ ଧରଣ ତ । ପ୍ରକୃତି ଯାଏ କୁଆଡ଼େ ।

 

ତାର ଏହି ଦୋପାଖିଆ କାରବାରଟା କୌଶଳ କ୍ରମେ ନାରଣ ଜାଣିପାରିଲା । ସେ କଲେଜ ପଢ଼ୁଆ ହେତୁ ନିଜକୁ ସ୍ପଷ୍ଟବାଦୀ ମନେ କରେ । ତାକୁ ଏ କାରବାର ଭଲ ଲାଗେ ନାହିଁ । ସମର୍ଥନ କରିବ ତ କର ଗୋଟିଏ ମତବାଦକୁ । ନକରିବ ତ ନୀରପକ୍ଷ ରହିଯାଅ । ଦୋମୁହାଁ କାରବାର କରିବା ରାଜନୈତିକ ସାଧୁତା ନୁହେଁ । ସେଦିନ ସଞ୍ଜବେଳେ ଏଇ ସାମାନ୍ୟ ମତବାଦ ବିଷୟରେ ଆଲୋଚନା ହେଉ ହେଉ ତାହା ବ୍ୟକ୍ତିଗତ ଆଲୋଚନାକୁ ଯାଇ ଶେଷକୁ ବ୍ୟକ୍ତିଗତ ଚରିତ୍ର ସଂହାର ପର୍ଯ୍ୟନ୍ତ ଉଠିଲା । ଘଟଣା ଏପରି ହେଲା ଯେ ତାର ପରିଣତି ହାତହାତି ପର୍ଯ୍ୟନ୍ତ ଗଲା ।

 

ନରି ସାହୁ ଦୋକାନ ଦୁଆରଟାରେ ଦିଜଣ ଯାକ ଯେଉଁ ଷଣ୍ଢ ଲଢ଼େଇ କଲେ ନାଁ ଦେଖଣାହାରୀଏ ଆବାକ୍‌ ହୋଇ କୁହା କୋହି ହେଲେ—ଆରେ, ବାଃ ବାଃରେ, ଜଣେ ଡାକ୍ତର ଆଉଜଣେ କଲେଜ ପଢ଼ୁଆ ବାବୁଙ୍କୁ ଦେଖ । ହଇହୋ, ଯାହା ମନକୁ ଯାହା କଥା ପାଇଲା ସିଏ ତ ତା କଥା କରିବ, ତୁମେ ଦୁଇଟା ତୁଚ୍ଛାଟାରେ ଲଢ଼େଇ ଲଗେଇଛ କାହିଁକି ? ଆଜି ସିନା ଭୋଟ ବେଳ ପଡ଼ିଛି ବୋଲି ଏମିତି ଆଡ଼ା ଜମେଇ ମାଡ଼ ପିଟା ପିଟି ହେଉଚ, କାଲିକି ପୁଣି ଗାଆଁ ଭାଇ ହୋଇ ରହିବଟି ! ଭୋଟ ସରିଗଲେ ଆଉ ଗାକୁ ବାବୁମାନେ ଆସିବେଟି ? କୋଇଲିଲୋ ଗଲାପୁତ୍ର ବାହୁଡ଼ି ନଇଲା । ହଇହୋ, ଭୋଟ ପାଇବା ଲୋକ ଭୋଟ ପାଇବେ, ଗାଦିରେ ବସିବେ-। ଶାସନ ଚଳେଇବେ । ଗାଡ଼ି ମଟର ଚଢ଼ି କୋଠା ବାଡ଼ି ତୋଳି ସୁଖରେ ରହିବେ । ତୁମେ ଦିଇଟା ଲଢ଼େଇରୁ କଣ ପାଇବ ? ତୁମେ କଣ ଭୋଟ ପାଇବ ନାଁ ନେତା ହେବ ? ହଇହେ ନେତାଙ୍କ ଗୋଡ଼ାଣିଆ ହୋଇ ତୁମେ କାହିଁକି ଏମିତି ନାଚୁଛ ? ଖାଇବା ବେଳ ପଡ଼ିଛି । ଯାହା ଯେଉଁଠୁ ମିଳୁଛି ଖାଇଯାଅ । ଥରେ ହାତରୁ ଖସିଲେ ପାଞ୍ଚବର୍ଷ । ସେତେବେଳକୁ କାଳ କଣ ହେବ କିଏ ଜାଣେ ? ଏାକ ଗାଁର ଦୁଇ ଭାଇ । ଚାଳ ବାନ୍ଧି ରହୁଛ । ପରପାଇଁ ବୃଥାଟାରେ ମୁଣ୍ଡ ପିଟୁଛ ।

 

ହଉ, ହଉ, ଛାଡ଼, ଛାଡ଼ ।

 

ଲୋକେ ଦିଜଣ ଯାକକୁ ଛଡ଼େଇ ଦେଲେ । ଯଦି ଛଡ଼େଇ ନ ଥାନ୍ତେ ନାଁ ଘଟଣାଟା ଯେ କୁଆଡ଼ିକି ଯାଇଥାନ୍ତା ବୁଝି ହୋଇନଥାନ୍ତା ।

 

ଦିହେଁ ଛଡ଼ା ଛଡ଼ି ହୋଇ ରାଗରେ ଫେରିଲେ । ସେତିକିରେ କି କଥା ତୁଟେ ।

 

ଭିତରେ ଭିତରେ ଲାଗିଲା ତୁମୂଳ ଷଡ଼ଯନ୍ତ୍ର ।

 

ନାରଣ ତା ଦଳ ଗଢ଼ିବାରେ ଲାଗିଲା । କାଶୀନାଥ ତା ଦଳ ଗଠନରେ ଲାଗିଗଲା । ପ୍ରତ୍ୟକ୍ଷରେ ଯୁବକମାନଙ୍କ ମଧ୍ୟରେ ଦୁଇଦଳ ହୋଇଗଲା । ଦୁହେଁ ଖୋଲା ଖୋଲି ଭାବେ ଜଣେ ଜଣେ ପ୍ରାର୍ଥୀଙ୍କୁ ସମର୍ଥନ ଜଣେଇଲେ ।

 

ନିର୍ବାଚନ ପ୍ରଚାର ସରଗରମ ହୋଇ ଆସିଲା ।

 

ପାଖେଇ ଆସିଲା ନିର୍ବାଚନ ଦିବସ ।

 

କାଶୀନାଥ ବ୍ରାହ୍ମଣ ଶାସନର ଟୋକାଙ୍କୁ ମେଳିକରି ରାତିଅଧିଆ ଘର ଘର ବୁଲି ପ୍ରଚାର ଚଳେଇଲା ।

 

ଭୋଟ ହେବାକୁ ଆଉ ଦିଦିନ ବାକି ଅଛି, ତା ଦଳର ପ୍ରାର୍ଥୀ ଗାଁକୁ ଆସିଲେ । ଲୋକମାନଙ୍କ ଦ୍ୱାର ଦ୍ୱାର ବୁଲି ଭୋଟ ଦେବାକୁ ପ୍ରାର୍ଥନା କଲେ । ପ୍ରଚାରକମାନେ ତାଙ୍କ ତରଫରୁ ଲୋକଙ୍କୁ ମତେଇଲେ ଲୋକଙ୍କୁ ବତେଇଲେ ।

 

ନିର୍ବାଚନରେ ନିର୍ଦ୍ଦିଷ୍ଟ ଦିବସ ଉପସ୍ଥିତ ହେଲା ।

 

ସକାଳୁ ସକାଳୁ ଶାସନ ଗାଁର ସ୍ତ୍ରୀ ପୁରୁଷ ସମସ୍ତିଙ୍କି ଭୋଟର ତାଲିକାମତେ ହିସାବ କରି ପଠେଇ ଦେଲା ସେ ଭୋଟ କେନ୍ଦ୍ରକୁ ତାପରେ ସେ ଚାଲିଗଲା ହରିଜନ ବସ୍ତିକି । ହରିଜନ ବସ୍ତିରେ କାଶୀନାଥର ଖାତିର ଅଛି । କାରଣ ସେ ଭୋଟ ହେବାର ଅନେକ ଆଗରୁ ହରିଜନ ବସ୍ତିର ଶେଷ ମୁଣ୍ଡେ ବଖରେ ଘର ତୋଳି ଗୋଟିଏ ନୈଶ୍ୟ ବିଦ୍ୟାଳୟ ଆରମ୍ଭ କରିଥାଏ । ସେଠି ଜଣେ ଶିକ୍ଷକ ନିଯୁକ୍ତ କରି ହରିଜନ ସାଇର ଅଶିକ୍ଷିତ ଲୋକଙ୍କୁ ଶିକ୍ଷାଦାନର ବ୍ୟବସ୍ଥା କରିଥାଏ । ଅବଶ୍ୟ ଏ କାମ ପାଇଁ ସେ ତା ଦଳ ପ୍ରାର୍ଥୀଙ୍କଠାରୁ ଅଗ୍ରୀମ ବହୁତ ପଇସା ପାଇଥାଏ । ତଥାପି ହରିଜନ ସାଇ ଲୋକେ ଜାଣନ୍ତି ଡାକ୍ତର ବାବୁ ସ୍କୁଲ ବସେଇଛନ୍ତି । ତାଛଡ଼ା ହରିଜନ ସାଇରେ ମାଗଣ ଔଷଧ ବିତରଣର ବ୍ୟବସ୍ଥା ସେ କରିଥାଏ । ନୈଶ୍ୟବିଦ୍ୟାଳୟ ସୁଚାରୁ ଚାଲିଥିବାରୁ ହରିଜନ ସାଇର ଲୋକମାନେ ତାକୁ ଦେବତା ପରି ମାନନ୍ତି ।

 

ହରିଜନ ସାଇରେ ସ୍କୁଲ ବସେଇ ସେଠାକୁ ଅବାଧ ଯିବା ଆସିବା କରୁଥିବାରୁ ଶାସନ ଗାଁର ବୁଢ଼ା ବୁଢ଼ାମାନେ ଆଗ ଆଗ ତାକୁ ବହୁତ କଥା କହୁଥିଲେ । ଏପରିକି ପିଣ୍ଡା ଉଠେଇବାକୁ କେହି କେହି ନୈଷ୍ଠିକ ସାଆନ୍ତ ଘୃଣା କରୁଥିଲେ । କହୁଥିଲେ—କାଶୀଆଟା ହାଡ଼ି ସାଇରେ ପଶିଲା-। ଜାତି ହରେଇଲା । କ୍ରିୟା ନଷ୍ଟ କଲା । କାୟା ମାରା କଲା । ହଇହେ, ଡାକ୍ତର ହେଲା ବୋଲି କଣ ଇନ୍ଦ୍ର ଚନ୍ଦ୍ରକୁ ଖାତିର କରିବ ନାହିଁ । ଜାତି ଧର୍ମ ମାନିବ ନାହିଁ । ହରିଜନ ସାଇରେ ପଶିଲା । ତାଙ୍କ ସାଙ୍ଗରେ ବସା ଉଠା । ତାଙ୍କ ସାଇ ଭୁଆସୁଣୀ ଟୋକୀ ଗୁଡ଼ାକ ସହିତ ପୋଖରୀ କୂଳଟାରେ ଟୁପୁରୁ ଟାପର, ଫୁସୁରୁ ଫାସର । ଖିଲି ଖିଲି ହସ । ଛି-ଛି-ଛି ବ୍ରାହ୍ମଣ ପିଲା । ପାଠଶାଠ ହେଲା ନାହିଁ ବୋଲି କାହିଁ କୁଆଡ଼େ କରିକତା ବୁଲି ବୁଲି ଶେଷକୁ ହୋମିଓ ପାଥିକ ଧଇଲେ—ସେଥିରେ ପେଟ ପୋଷା ହେଲା ନାହିଁ ଯେ ଶେଷରେ ହରିଜନ ସାଇରେ ପଶିଲେ ।

 

ଆଗ ଆଗ କାଶୀନାଥଙ୍କୁ ସମସ୍ତେ ପରିହାସ କରୁଥିଲେ । ଲଗେଇ ଯୁଟେଇ ତା ନାଁରେ କେତେ କଥା ଗଢ଼ୁଥିଲେ । ହରିଜନ ସାଇର ଟୋକୀଙ୍କ ସହିତ ତାକୁ ଯୋଡ଼ି ଥଟା ତାମସା କରୁଥିଲେ । ମାତ୍ର ଯେତେବେଳେ ତା କାମ କରିବାର ମର୍ମଟା ବୁଝି ପାଇଲେ ସମସ୍ତେ ନୀରବ ରହିଲେ । ଏଣିକି ଏଣିକି ହରିଜନ ସାଇର ଉନ୍ନତି ପାଇଁ ଯାହା କଲେ ମଧ୍ୟ ତାକୁ ଆଉ କେହି ଘୃଣା କରନ୍ତି ନାହିଁ । ଭାବନ୍ତି—ଯୁଗ ବଦଳିବା ସଙ୍ଗେ ମଣିଷ ମନର ଏଇ ଯେଉଁ ଛୋଟ ବଡ଼ ବ୍ୟାଧି ତାହା ଦୂର ହେବା ଦରକାର । ସମସ୍ତେ ମଣିଷ । ସମସ୍ତଙ୍କର ଏକ ଜାତି । ଏକ ଧର୍ମ । ସେମାନେ ଅନୁନ୍ନତ । ସେମାନଙ୍କୁ ଉନ୍ନତ କରିବାକୁ ହେବ ।

 

ସେଇ ଅନୁନ୍ନତ ହରିଜନମାନଙ୍କୁ ସାହାଯ୍ୟ କରେ ବୋଲି କାଶୀନାଥ ପ୍ରତି ସେମାନଙ୍କର ଅମାପ ଭକ୍ତି । ତା କଥାକୁ କେହି ହେଲେ ଭାଙ୍ଗି ଦେବେ ନାହିଁ ।

 

ସକାଳୁ ସକାଳୁ ଶାସନ ଗାଁର ଭୋଟରମାନଙ୍କୁ ପଠେଇ ଦେଇ ସେ ଯାଇ ହରିଜନ ସାଇରେ ଭୋଟରମାନଙ୍କୁ ଜଣ ଜଣ କରି ବୁଝେଇ ଭୋଟ କେନ୍ଦ୍ରକୁ ପଠେଇବାର ବ୍ୟବସ୍ଥା କଲା । ତାପରେ ଅନ୍ୟ ସାଇର ମାଈପିମାନଙ୍କୁ ଚୁପ୍‌ ଚାପ୍‌ ବତେଇ ଦେଇ ଆସିଲା କେଉଁଠି ମୋହର ମାରିବେ ଓ କେମିତି ମୋହର ମାରିବେ ।

 

ନାରଣ ମଧ୍ୟ ତା ବଦଳ ଧରି ସକାଳୁ ସକାଳୁ ଲୋକଙ୍କୁ ବୁଝେଇବାରେ ଲାଗିଥାଏ । ଭୋଟ ଦିନଟା ବିତିଗଲା । ଭୋଟ ଦିଆ ଶେଷ ହେଲା । କାଶୀନାଥ ଟିକିଏ ନିଃଶ୍ୱାସ ମାରିଲା । ଭାବିଲା—ମାଳିପିଲା ନାରଣ, କଲେଜ ମାଡ଼ିଗଲା ବୋଲି ତାର ଏତେ ବହପ । ସେଦିନି ମୁହଁ ସାମନାଟାରେ କଣ ନାଇଁ କଣ ଗାଳି ଦେଇ ଗଲା । ଖାଲି ଲୋକ ଲଜ୍ଜାକୁ ସେ ଚୁପ୍‌ ହୋଇଗଲେ ସିନା । ହଉ ଦେଖିବା । ତାର ଅକଲ କେତେ । ରାଜନୀତି କଲେ ଏମିତି ତ କେତେ କଥା ସହିବାକୁ ପଡ଼େ । ଖାଲି ଏଥର ଯଦି ତାଙ୍କ ଦଳର ପ୍ରାର୍ଥୀ ଜିତି ଯାଆନ୍ତି ନାଁ, ଆର ଥରକୁ ସେ ସରପଞ୍ଚ ନିର୍ବାଚନରେ ନିଶ୍ଚୟ ଠିଆ ହେବେ । ସରପଞ୍ଚ ନିର୍ବାଚନ ଉପରେ ଆଖି ଅଛି ବୋଲି ମଣିଷ ପ୍ରାଣ ମୂର୍ଚ୍ଛା ଉଦ୍ୟମ କରି ଏଥର ନିର୍ବାଚନରେ କାମ କଲା ସିନା । ତାଛଡ଼ା ତାଙ୍କ ଦଳ ପ୍ରାର୍ଥୀ ଯଦି ଜିତିଗଲେ ତାଙ୍କ ଜରିଆରେ ସରପଞ୍ଚ ନିର୍ବାଚନକୁ ଆର୍ଥିକ ସାହାଯ୍ୟ ପାଇବାର ଆଶା ଉଜ୍ଜଳ ହୋଇ ଯିବ । ତାପରେ ସେ ମାଳି ଟୋକାର ଟାଣ ଭାଙ୍ଗିବାର ବ୍ୟବସ୍ଥା ହେବ । ଦେଖିବା ସେ କି ରାଜନୀତି କରିବ !

 

ତିନି ଚାରିଦିନ ଭିତରେ ନିର୍ବାଚନ ଫଳ ବାହାରିଗଲା । ଭାଗ୍ୟକୁ କାଶୀନାଥର ସମର୍ଥିକ ପ୍ରାର୍ଥୀ ଜିତିଗଲେ । ସେ ଜିଣିବାର ଜାଣି ରାତି ରାତି ନାରଣ ଗାଁ ଛାଡ଼ି କଲେଜ ଚାଲିଗଲା । ଲୋକ ଲଜ୍ଜାକୁ ତ ପୁଣି ଭୟ ଅଛି । ତା ଦଳର ଟୋକାମାନଙ୍କ ଆଉ ମୁହଁ ଦର୍ଶନ କରିବାକୁ ମିଳିଲା ନାହିଁ । ଯେ ଯୁଆଡ଼େ ଲାଜରେ ଲୁଚିଲେ କିଛି ଦିନ ।

 

ନିର୍ବାଚନ ଫଳ ବାହାରିବାର ମାସକ ପରେ—

 

ଜୟଯୁକ୍ତ ପ୍ରାର୍ଥୀ ମହାଶୟ ଆଡ଼ମ୍ୱର ସହକାରେ ଭୋଟରେ ଜୟଯୁକ୍ତ ହୋଇଥିବାରୁ ଗ୍ରାମବାସୀଙ୍କୁ କୃତଜ୍ଞତା ଜଣେଇବାକୁ ଆସିଗଲେ । ତାଙ୍କର କୃତଜ୍ଞତା ଜଣେଇବାର ଅଭିପ୍ରାୟ ଭିତରେ ପ୍ରଚ୍ଛନ୍ନ ଭାବରେ ଅବଶ୍ୟ ଏକ ଦାମ୍ଭୀକ ଅହଙ୍କାର ଆତ୍ମ ଗୋପନ କରିଥିଲା । ସେ ଅହଙ୍କାରଟି ହେଲା ଜୟଯୁକ୍ତ ହେବାପରେ ପାଞ୍ଚବର୍ଷ ପାଇଁ ସେ ଆଉ ସାଧାରଣ ଲୋକ ନୁହଁନ୍ତି । ସେ ଲୋକପ୍ରତିନିଧି । ଏ ଅଞ୍ଚଳର ନେତା । ତେଣୁ ଲୋକ ପ୍ରତିନିଧି ହିସାବରେ ଲୋକମାନଙ୍କ ଦ୍ୱାରା ସମ୍ମାନିତ ହେଲେ ଏକ ଗୌରବ ଅଛି ।

 

ପ୍ରତିନିଧି ମହାଶୟ ଆସିଲେ ।

 

ବାଜା ବାଜେଣା ବାଣ ପଟୁଆର ପାଇକ ଆଖେଡ଼ା ଓ ସଂକୀର୍ତ୍ତନର କୋଳାହଳ ମୁଖର ପରିବେଶ ମଧ୍ୟରେ ସ୍ତାବକ ପରିବେଷ୍ଟିତ ହୋଇ ବେକରେ ଫୁଲ ମାଳ ଗଳେଇ ବିଜୟୀ ଲୋକ ପ୍ରତିନିଧି ମହୋଦୟ ଏ ଗାଆଁକୁ ଆସି ସାଇ ସାଇ ବୁଲି ଯୋଡ଼ ହସ୍ତରେ ଲୋକମାନଙ୍କୁ କୃତଜ୍ଞତା ଜଣେଇଲେ । ରାତିକି ନରିସାହୁ ଦୋକାନ ପାଖ ଛକରେ ହାରିକିନ୍‌ ଆଲୁଅ ଲଗା ହେଲା । ସଭା ବସିଲା । ପ୍ରତିନିଧି କହିବା ପୂର୍ବରୁ କାଶୀନାଥ ଆଗ ତାଙ୍କର ପରିଚୟ ଦେଇ ଏ ଗାଆଁର ଅଭାବ ଅସୁବିଧା ସମ୍ୱନ୍ଧରେ ତାଙ୍କୁ ସୂଚେଇ ଦେଲା । ତା ପରେ ପ୍ରତିନିଧି ମହାଶୟ ଉଠିଲେ । ଲୋକମାନେ ତାଙ୍କୁ ନିର୍ବାଚନରେ ଜୟଯୁକ୍ତ କରିଥିବାରୁ ନିଜର ହାର୍ଦ୍ଦିକ କୃତଜ୍ଞତା ଜଣେଇଲେ । ଗାଆଁର ଅଭାବ ଅସୁବିଧା ଦୂରୀକରଣ ବିଷୟରେ କହିଯାଇ ଗାଆଁରେ ଯଥାଶୀଘ୍ର ବିଜୁଳି ଆଲୁଅର ବ୍ୟବସ୍ଥା କରିଦେବେ ବୋଲି ପ୍ରତିଶ୍ରୁତି ଦେଲେ । ତା ଛଡ଼ା ନୀଳକଣ୍ଠେଶ୍ୱରଙ୍କ ସାମନା ବଡ଼ ପୋଖରୀରୁ ପଙ୍କୋଦ୍ଧାର, ଗାଆଁରେ ଏକ ପାଠାଗାର, ଗାଁ ସଡ଼କର ପିଚୁ କରଣ ଇତ୍ୟାଦି ବିଷୟ ପ୍ରତି ସେ ଧ୍ୟାନ ଦେବେ ବୋଲି ଜଣାଇଲେ । ଲୋକଙ୍କୁ ସନ୍ତୁଷ୍ଟ କରିବା ପାଇଁ ସେ ସଭା ସ୍ଥଳରେ ପାଠାଗାର ନିମିତ୍ତ ନଗଦ ଏକ ହଜାର ଟଙ୍କା କାଶୀନାଥ ହାତରେ ଦେଲେ ।

 

ଲୋକମାନେ କରତାଳି ଦେଇ ତାଙ୍କୁ ସମ୍ୱର୍ଦ୍ଧନା ଜଣାଇଲେ । ତାପରେ ଧନ୍ୟବାଦ ଅର୍ପଣ ହୋଇ ସଭା ଭଙ୍ଗ ହେଲା ।

 

ଫେରିବା ବେଳେ ଲୋକେ କୁହା କୁହି ହେଲେ—ଯାହାହେଉ ଡାକ୍ତର ବାବୁଙ୍କ ଯୋଗୁଁ ଗାଆଁର ହେଲେ କିଛି ମଙ୍ଗଳ କାମ ହୋଇ ଯାଉ ।

 

ସତକୁ ସତ ରୂପ ବଦଳି ଗଲା ରଥପୁର ଗାଆଁର । କାଶୀନାଥର ଉଦ୍ୟମରୁ ଓ ପ୍ରତିନିଧି ମହାଶୟଙ୍କର ପ୍ରଚେଷ୍ଟା ବଳରେ ଗାଆଁକୁ ବିଜୁଳି କରଣ କରିବାର ସମସ୍ତ ଆୟୋଜନ ହୋଇଗଲା-। ବିଜୁଲି ଖୁଣ୍ଟମାନ ପୋତା ହୋଇଗଲା । ତାର ବନ୍ଧା ହୋଇଗଲା । ଗାଁ ଶେଷ ମୁଣ୍ଡ ସ୍କୁଲ ପାଖରେ ଦୂରେଇ କରି ଟ୍ରାନ୍‌ସଫର୍‌ମର୍‌ ବସା ହେଲା । ଶୁଭଦିନ ଦେଖି ପ୍ରତିନିଧି ମହାଶୟ ଆସି ସୁଇଚ୍‌ ଟିପି ଆଲୋକ ଜଳାଇଲେ ।

 

ଯେଉଁ ଦିନ ଗାଆଁରେ ପ୍ରଥମ କରି ବିଜୁଳିବତୀ ଖୁଣ୍ଟ ମାନଙ୍କରେ ଆଲୋକ ଉଦ୍‌ଭାସିତ ହୋଇ ଉଠିଲା ସେଦିନ ରଥପୁରର ନବଜନ୍ମ ହେଲା ସତେ ଯେମିତି ।

 

ସେଦିନର ସନ୍ଧ୍ୟା ବେଳାଟି ତାଙ୍କର ବେଶ୍‌ ମନେ ଅଛି । ସେ ଦିନ ସେ ଗାଁରେ ଉପସ୍ଥିତ ଥିଲେ । ଗାଁକୁ ବିଜୁଳି ଆଲୁଅ ଆସୁଛି ବୋଲି କାଶୀନାଥ ଖବର ଦେଇଥିଲା । ମନରେ ଏକ ନୂତନ ଯୁଗର ଆଗ୍ରହ ଓ ଆକାଂକ୍ଷା ଭରି ସେ ଗାଁକୁ ଯାଇଥିଲେ ସେଥର । ଗାଁକୁ ବିଜୁଳି ଆଲୁଅ ଆସିବ । ଗାଁରେ ତମସାର ଯୁଗ ବଦଳିବ । ବାଜିବ ଏକ ନୂତନ ଆଲୋକ ଯୁଗର ଶୁଭ ଶଙ୍ଖ । ସୌଭାଗ୍ୟର ଅରୁଣ ଉଠିବେ ତାଙ୍କ ଗାଆଁରେ । ପ୍ରଗତିର ଏକ ଅଭିନବ ସୂଚନା ଜଣେଇ ବିଜୁଳି ଆଲୁଅ ଜଳି ଉଠିବ ତାଙ୍କ ଗାଆଁରେ ।

 

ସେ ଯାଇଥିଲେ । ଆଖିରେ ଦେଖିଥିଲେ ।

 

ବୈଦିକ ରୀତିରେ ଟ୍ରାନ୍‌ସଫର୍‌ମର୍‌ ପାଖରେ ପୂଜା ସରିବା ପରେ ପ୍ରତିନିଧି ମହାଶୟ ଯେତେବେଳେ ସୁଇଚ୍‌ ଟିପିଦେଲେ ସେତେବେଳେ ସମଗ୍ର ରଥପୁରରେ ଆଲୋକ ପ୍ଲାବିତ ହୋଇଉଠିଲା । ରଥପୁରର ଲକ୍ଷ୍ମୀ ହସି ଉଠିଲେ । ମନେ ହେଲା ବହୁ ଯୁଗର କେତେ ପୁରୁଣା ମନଗଢ଼ା ଭୟଭୀତିର କାହାଣୀ ସବୁ ଏଇ ନୂତନ ଆଲୋକ ଭିତରେ କୁଆଡ଼େ ଡୁବିଗଲା ।

 

ରଥପୁର ଏମୁଣ୍ଡ ସେମୁଣ୍ଡ ଯାଏଁ ଆଲୋକରେ ଅବଗାହନ କରି ସତେଜ ଦେଖାଗଲା ଯେମିତି ।

 

ଆଧୁନିକ ଯୁଗର ନୂଆ ଜୁଆର ବହିଗଲା ଏ ଗାଆଁ ଉପର ଦେଇ ।

 

ପୁରୁଣା କାଳିଆ ଲଣ୍ଠନ ଡିବିରି ଯୁଗର ବୁଢ଼ା ବୁଢ଼ାମାନଙ୍କୁ ବିଜୁଳି ଆଲୁଅ ସପନ ପରି ମନେ ହେଲା । ସେମାନେ ଏକ ନୂତନ ଜୀବନର ସନ୍ଧାନ ପାଇଲେ ସତେ ଯେପରି ।

 

ନଦେଖିବା ଲୋକେ ବିଜୁଳି ଆଲୁଅ ଦେଖିବାକୁ ବତୀଖୁଣ୍ଟ ତଳେ ରୁଣ୍ଡ ହେଲେ । ବତୀଖୁଣ୍ଟକୁ ଚାହିଁଲେ । ଜଳିଲା ବଲ୍‌ବ ଦେଖି ଆଶ୍ଚର୍ଯ୍ୟ ହେଲେ । ମନେ ମନେ ଭାବିଲେ—ବିଜ୍ଞାନ କଣ ନ କଲାରେ । ଅନ୍ଧାର ରାତିରେ ଗାଆଁ ଦାଣ୍ଡରେ ଗଲାବେଳେ ମଣିଷ ଦରାଣ୍ଡି ହେଉଥିଲା । ଏବେତ ଆଉ ଦିନ ରାତିର ଫରକ ନାହିଁ । ସତରେ ଦେଶଟା ଆଗୋଉଛି ।

 

ବିଜୁଳି ଆଲୁଅ ଆସିବା ଦିନରୁ ଲୋକଙ୍କର ବହୁତ ସୁବିଧା ହେଲା ।

 

ନରିସାହୁ ଆଉ ଏବେ ତା ଦୋକାନ ଆଗରେ ଲଣ୍ଠନ ଝୁଲୋଉ ନାହିଁ । ବିଜୁଳିବତୀ ଲଗେଇଲାଣି ଦୋକାନ ଭିତରେ । ତା ପାଖ ହାଡ଼ୁ ବେହେରା ଦୋକାନରେ ମଧ୍ୟ ବିଜୁଳି ଆଲୁଅ ଜଳିଲାଣି । ସେଇ ଛକ ମୁଣ୍ଡରେ ବତୀ ଖୁଣ୍ଟରେ ଆଲୁଅ ଜଳୁଛି । ଆଲୁଅ ଜଳିବାରୁ ସବୁ ପରିଷ୍କାର ଦିଶୁଛି । ଖଣ୍ଡେ ଦୂରରୁ ଆସିବା ଲୋକକୁ ଚିହ୍ନି ହେଉଛି ।
 

 

କେତେ ସୁବିଧା ହେଲା ଆଲୁଅ ଆସିବାରୁ ଗାଁକୁ । ଥିବାବାଲାମାନେ ନିଜନିଜ ଘରକୁ ଆଲୁଅ ନେଇ ଗଲେଣି । ଆଉ ବିଶେଷ କିରୋସିନି ଦରକାର ପଡ଼ୁନାହିଁ । ବିଜୁଳି ଆଲୁଅ ଲଣ୍ଠନର ଶତ୍ରୁ ରୂପେ ଠିଆ ହେଲାଣି ।

 

ବିଦ୍ୟୁତ୍‌ ସୁବିଧା ହେବାରୁ ଛକ ପାଖରେ ଦାମ ମିଶ୍ରେ ଚାଉଳ କଳଟିଏ ବସେଇଛନ୍ତି । ଲୋକଙ୍କର ସୁବିଧା ହେଉଛି । ଢିଙ୍କି କୁଟା ଅଭ୍ୟାସ ମାଈପିଏ ଛାଡ଼ି ଦେଲେଣି । ଧାନ ଉସେଇଁ ଶୁଖେଇ କଳକୁ ନେଇଗଲେ ଅଳ୍ପ ପଇସା ଖର୍ଚ୍ଚରେ ଚାଉଳ ହୋଇଯାଉଛି । ଚାଉଳରେ ଖୁଦ ରହୁନାହିଁ କି ଧାନ ରହୁନାହିଁ । ଆଗେ ଆଗେ ପାହାନ୍ତା ପହରୁ ହାଟୁଆ ସାଇରେ ଢିଙ୍କି କୁଟାର ଯେଉଁ ଶବ୍ଦ ଶୁଭୁଥିଲା ତାହା ଏବେ ଆଉ ଶୁଣାଯାଉନାହିଁ । ଯାନ୍ତ୍ରିକ ସୁବିଧା ହେଲେ ଦୈହିକ ପରିଶ୍ରମ କରୁଛି କିଏ !

 

ବିଦ୍ୟୁତ୍‌ ସାହାଯ୍ୟରେ ଲୋକେ ରେଡ଼ିଓ ବଜୋଉଛନ୍ତି । ବିଦ୍ୟୁତ୍‌ ସାହାଯ୍ୟରେ ଲୁଗାପଟା ଇସ୍ତ୍ରୀ ମାରୁଛନ୍ତି ।

 

ସତରେ ବିଜୁଳି ଆଲୁଅ ପରିବର୍ତ୍ତନ ଆଣିଛି ରଥପୁରର ।

 

ବିଦ୍ୟୁତ୍‌ ଆଣିଦେଇଛି ନୂତନ ଯୁଗର ନୂଆ ପରଶ ।

 

ପ୍ରଗତିର ସୁଅ ମୁହଁରେ ପଡ଼ି ରଥପୁର ଭେକ ବଦଳିଛି ।

 

ସେକାଳ ଓ ଏକାଳ ଭିତରେ ସତରେ କେତେ ତଫାତ୍‌ !

 

ମନେ ପଡ଼ିଲା ଆଉ ଥରକ କଥା ।

 

ଦଶହରା ଛୁଟି ହୋଇଥାଏ ।

 

ସେ ଛୁଟିରେ ଗାଁକୁ ଆସିଥାନ୍ତି ।

 

ଗାଁରେ ଦଶହରା ପର୍ବ ଲାଗିଥାଏ ।

 

ଆଶ୍ୱିନ ମାସରେ ଦଶହରା ପର୍ବ ହୁଏ । ଦୁର୍ଗାଙ୍କ ପ୍ରତିମା ଦେଉଳରୁ ଦେଉଳ ବେଢ଼ା ଭିତରେ ଥିବା ପର୍ବ ଘରକୁ ଯାଆନ୍ତି ।

 

ଗୋପୀନାଥଙ୍କ ଦେଉଳ ବେଢ଼ା ଭିତରେ ଅଲଗା ବଖରାଏ ଘର । ସେ ଘରେ ସିଂହାସନ ଉପରେ ଦୁର୍ଗା ବସନ୍ତି । ସହସ୍ର କୁମ୍ଭ ବରଣ ଦିନଠାରୁ ଷୋଳଦିନ ପୂଜା ହୁଏ । ଅଖଣ୍ଡ ଦୀପ ଜଳେ । ଠାକୁରାଣୀ ଖଣ୍ଡା ଧାରଣ କରନ୍ତି । ସ୍ୱର୍ଣ୍ଣ ଅଳଙ୍କାର ପିନ୍ଧନ୍ତି । ବେଶ ଭୂଷା ହୁଅନ୍ତି । ପୂଜା ପାଆନ୍ତି । ଏ ଷୋଳଦିନ ଯାକ ଠାକୁରାଣୀଙ୍କର ଅଲଗା ଆମିଷ ଭୋଗହୁଏ । ପ୍ରତ୍ୟେହ ଚଣ୍ଡୀପାଠ ହୁଏ । ଫୁଲ ଧୂପ ଦୀପ କର୍ପୂର ବାସନାରେ ଗାଆଁ ମହକି ଉଠେ । ଏ ଗାଆଁ ଥାପନା ହେବା ଦିନଠୁ ଦୁର୍ଗାପୂଜା ଯଥାବିଧି ହୋଇ ଆସୁଛି ।

 

ଆଶ୍ୱିନ ଶୁକ୍ଳ ଷଷ୍ଠୀଠାରୁ ମହାନବମୀ ପର୍ଯ୍ୟନ୍ତ ଚାରିଦିନ ଧରି ଗାଁରେ ସନ୍ତାଳ ହୁଏ । ଷଷ୍ଠୀ ଦିନ ଗାଁର ଇଷ୍ଟଦେବୀ ବୁଢ଼ୀମାଙ୍କ ପାଖେ ଯନ୍ତାଳ ହୁଏ । ମହାସପ୍ତମୀ ଠାରୁ ମହାନବମୀ ପର୍ଯ୍ୟନ୍ତ ଦୁର୍ଗାଙ୍କ ପାଖରେ । ଗାଆଁର ଆବାଳବୃଦ୍ଧବନିତା ସମସ୍ତେ ପ୍ରସାଦ ଖାଆନ୍ତି । ସେବା ସେବେଇତ ଖାଆନ୍ତି ।

 

ଗାଁରେ ଯନ୍ତାଳ ଭଲ ହୁଏ ବୋଲି ଗାଁରେ ଘରେ ଘରେ କୁଣିଆ ଜମନ୍ତି । ବେଶ୍‌ ଆଡ଼ମ୍ୱର ସହକାରେ ଦୁର୍ଗୋତ୍ସବ ପାଳିତ ହୁଏ ।

 

ଏହି ଷୋଳଦିନ ଗାଆଁ ଭିତରେ ଏକ ଅବ୍ୟକ୍ତ ମହାଶକ୍ତିର ଚେତନା ଘୂରି ବୁଲିବା ପରି ମନେ ହୁଏ । ମନେ ହୁଏ ସତେ ଯେମିତି କୌଣସି ଦୈବୀ ଶକ୍ତିର ପ୍ରଭାବରେ ଗାଁରେ ଏକ ଅଭିନବ ଜୀବନର ମୂର୍ଚ୍ଛନା ଖେଳି ବୁଲୁଛି । ଗାଁ ସାରା ପୂରିଲା ପୂରିଲା ପରି ମନେହୁଏ । ଗାଆଁରେ ଆନନ୍ଦ ଉଲ୍ଲାସର ଫୁଆରା ଉଠେ ।

 

ବ୍ରାହ୍ମଣ ଶାସନ ହେତୁ ପ୍ରାୟ ପ୍ରତ୍ୟେକଙ୍କ ଘରେ ଘରେ ଏ ଷୋଳଦିନ ପୂଜାହୁଏ । କିଏ ବଡ଼ ଧରଣର କରେତ କିଏ ଚଳିବାପରି ନିଜ ନିଜର ସମ୍ୱଳକୁ ଚାହିଁ ଘରେ ପୂଜା କରନ୍ତି ।

 

ଗାଁ ଗୋପୀନାଥଙ୍କ ସମ୍ପତିରୁ ଦୁର୍ଗାଙ୍କ ପୂଜାକାମ ଚଳେ । ଯନ୍ତାଳ ମଧ୍ୟ ସେଇଥିରୁ ହୁଏ-। ମହାଜନଙ୍କ ଭିତରୁ କେତେ ଜଣ ମୁଖିଆ ହୋଇ ଠାକୁରଙ୍କ ସମ୍ପତ୍ତି ବୁଝାସୁଝା କରନ୍ତି । ଠାକୁରଙ୍କ ନାଁରେ ପୂର୍ବପୁରୁଷମାନେ ବାଟି ବାଟି କରି ବାରବାଟି ସମ୍ପତ୍ତି କରି ଯାଇଛନ୍ତି । ମହାଜନମାନେ ମାରଫତଦାର । ମହାଜନମାନଙ୍କ ଭିତରୁ କେତେଜଣ କାର୍ଜିଥାନ୍ତି । ସେମାନେ ରଇତଙ୍କଠାରୁ ସଞ୍ଜା ଆଦାୟ କରନ୍ତି । ଯାନିଯାତ ଚଳାନ୍ତି । ଆୟବ୍ୟୟର ହିସାବ ରଖନ୍ତି ।

 

ନନା କାର୍ଜିଥିବା ବେଳର କଥା ମନେ ପଡ଼ିଲା । ସେତେବେଳେ ବେଶ୍‌ ସୂଚାରୁ ରୂପେ ଠାକୁରଙ୍କ ନୀତିନିୟମ ଚଳୁଥିଲା । ଏବ ଏବକୁ ସବୁ ବଦଳି ଗଲାଣି । ଆଉ ଏଣିକି ଦିଅଁ ଦେଉଳ ଗାଁବାଲାଙ୍କ ହାତରେ ନାହିଁ । ଦେବୋତ୍ତର ବିଭାଗକୁ ଦେଉଳ ଯାଇଛି । ଗାଁର ମୁଖିଆ ମାନେ କାର୍ଜି ହୋଇ ଆଉ ଦେଉଳ ଚଳୋଉ ନାହାନ୍ତି । ଚଳୋଉଛନ୍ତି ଦେବୋତ୍ତର କମିଶନରଙ୍କ ନିଯୁକ୍ତି ପ୍ରାପ୍ତ ଟ୍ରଷ୍ଟିମାନେ । ବାରଜାତି ତେରଗୋଲା ମିଶି ଟ୍ରଷ୍ଟି । ସେମାନେ କାହୁଁ ଜାଣିବେ ଦିଅଁଙ୍କ ବିଧି ବିଧାନ-। ଯେ କୌଣସି ମତେ ଚଳେଇ ନେଉଛନ୍ତି । ବିଧିବିଧାନ ଚଳୁଛି, ମାତ୍ର ପୂର୍ବପରି ପ୍ରାଚୁର୍ଯ୍ୟ ଭିତରେ ନୁହେଁ । କାମ ଚଳା ଭୋଗରାଗ । ଆମ ପରି ଆଉ ଗାଁ ଲୋକଙ୍କ ମନରେ ଆନନ୍ଦ ନାହିଁକି ଆଗ୍ରହ ନାହିଁ । ପର୍ବ ହେଉଛି । ଗାଁ ବାଲା ଯେତିକି ଦରକାର ସେତିକି ସହଯୋଗ କରୁଛନ୍ତି, ମାତ୍ର ସେଥିରେ ପ୍ରାଣ ନାହିଁ । ଗାଆଁରେ ପୁରୁଷାନୁକ୍ରମେ ପାଳିତ ହୋଇ ଆସିଛି ପର୍ବ । ସହଯୋଗ ନ କଲେ ଦୁର୍ଗାଙ୍କ କାମରେ ବାଧା ଉପୁଯିବ । ତେଣୁ ସମସ୍ତେ ସହଯୋଗ କରନ୍ତି ।

ସେଥର ପର୍ବ ସମୟକୁ ସେ ଛୁଟିରେ ଗାଁକୁ ଯାଇଥିଲେ । ତାଙ୍କ ସାଥିରେ ତାଙ୍କର ଦୁଇଜଣ ସାଙ୍ଗ ମଧ୍ୟ ଯାଇଥାନ୍ତି । ତାଙ୍କ ନିଜଘରେ ଦୁର୍ଗା ପୂଜା ହେଉଥାଏ ।

ଗାଁରେ ମଧ୍ୟ ହେଉଥାଏ ଦୁର୍ଗା ପୂଜା ।

ଆଶିଣ ମାସ ।

ଗାଁ ସାରା ପୂରି ଯାଇଥାଏ ଅଶିଣର ଆନନ୍ଦ ଭରା ମାଦକତା ।

ଗାଁ ଚାରିପାଖେ ପଲ୍ଲବିତ ବୃକ୍ଷଲତାର ସତେଜ ମାଧୁରୀ ମନରେ ଅମୃତ ଢାଳି ଦେଇ ଯାଉଥାଏ ।

ଗହୀର ମାଳରେ ସବୁଜଧାନ କ୍ଷେତର ମନ ମତାଣିଆ ମହକ ।

ଅଶିଣର ହୃଦୟ ଚୋରା ମାଧୁରୀ ।

ଗାଁ ପରି ଉଠିଲା ପରି ଲାଗୁଥାଏ ।

ହୃଦୟରେ ଜାଗି ଉଠୁଥାଏ ଏକ ଅଭିନବ ଅବ୍ୟକ୍ତ ପୁଲକର ଝଙ୍କାର ।

ମହା ସପ୍ତମୀଠାରୁ ମହାନବମୀ ପର୍ଯ୍ୟନ୍ତ ତିନିଦିନ ଦୁର୍ଗା ଦେବୀ ସିଂହ ବିମାନରେ ଚଢ଼ି ଶାସନରେ ଭୋଗଖାଇ ବାହାରିବାର ପ୍ରଥା ଅଛି । ଦୁର୍ଗା ଦେବୀ ବିମାନରେ ବିଜେ କରନ୍ତି । କାନ୍ଧେଇବା ବାଲା ବିମାନ କାନ୍ଧାନ୍ତି । ଘଣ୍ଟ କାହାଳୀ ମୃଦଙ୍ଗ ବାଜେ । ଦୁର୍ଗାଙ୍କ ବିମାନ ଆଗେ ଆଗେ ବାରିକ ମଶାଲ ଜାଳେ । ଦେବୀଙ୍କ ବିମାନ ଗୋପୀନାଥଙ୍କ ଦେଉଳଠାରୁ ବାହାରି ବୁଢ଼ୀମାଙ୍କ ଦେଉଳଯାଏଁ ଯାଏ । ସେ ସମୟରେ ସେ ଯାହାର ଦାଣ୍ଡ ଦୁଆର ମୁହଁରେ ସଙ୍ଖୁଡ଼ି ଭୋଗ ପୂଜା କରନ୍ତି । ବୁଢ଼ୀମାଙ୍କଠାରେ ଦୁର୍ଗାଙ୍କ ବିମାନ ସାମନାରେ ଆରତୀ ହୁଏ । ତା ପରେ ବିମାନ ପର୍ବ ଘରକୁ ଫେରେ । ଏସବୁ ଶେଷ ହେଲେ ଦେବୀଙ୍କ ନୈଶ୍ୟ ପୂଜା ବଢ଼େ ।

ସେଦିନ ହୋଇଥାଏ ମହା ଅଷ୍ଟମୀ ।

ଆକାଶରେ ଅଷ୍ଟମୀର ଫାଳିକିଆ ଜହ୍ନ ହସି ଉଠୁଥାଏ ।

ଅଶିଣମାସର ନିର୍ମଳ ଆକାଶ ଛାତିରେ ଜହ୍ନଟା ପହଁରିଲା ପରି ବୋଧ ହେଉଥାଏ ।

ଉଚ୍ଚା ଉଚ୍ଚା ନଡ଼ିଆ ଗଛ ଉପରେ ଜହ୍ନ ଆଲୁଅ ପଡ଼ି ଏକ ଅପରୂପ ସୌନ୍ଦର୍ଯ୍ୟ ସୃଷ୍ଟି କରିଥାଏ ।

ଗାଁ ଦାଣ୍ଡରେ ବିଜୁଳି ଖୁଣ୍ଟମାନଙ୍କରେ ଜଳୁଥାଏ ବିଜୁଳି ଆଲୁଅ । ଜହ୍ନ ଆଲୁଅ ଓ ବିଜୁଳି ଆଲୁଅର ମିଶ୍ରଣରେ ଗାଁ ସାରା ଆଲୋକିତ ହୋଇଥାଏ ।

ଦୁର୍ଗାଦେବୀ ଭୋଗଖାଇ ଫେରି ସାରିଥାନ୍ତି ।

ଦେଉଳ ବେଢ଼ା ଭିତର ପର୍ବଘରୁ ଅଷ୍ଟମୀ ପୂଜାର ଘଣ୍ଟି ଶବ୍ଦ ଭାସି ଆସୁଥାଏ ।

ଗାଁ ଦାଣ୍ଡରେ ଗହଳି ଥାଏ । ପିଲାମାନେ ଖେଳୁଥାନ୍ତି ।

ବାରଣ୍ଡାରେ ବୁଢ଼ା ବୁଢ଼ାମାନେ ବସି ଗପ କରୁଥାନ୍ତି ।

ସେ ବୋଉ ସହିତ ବସିଥାନ୍ତି ଅଗଣା ପାଖ ବାରଣ୍ଡାରେ । ସାଙ୍ଗ ଦୁଇଜଣ ଯାଇଥାନ୍ତି ନନାଙ୍କ ପାଖକୁ ।

ଅଗଣାରେ ଭରି ରହିଥାଏ କେତେ ଜାତିର ଗଛ । କେତେ ଜାତିର ଫୁଲ । ନାକରେ ପଶୁଥାଏ ଫୁଲର ବାସନା । ସଜନା ଗଛଟା ଉଠିଥାଏ ଚାଳ ଉପରକୁ । ଇଟଅଁଳା ଫୁଲରେ ଝରି ପଡ଼ିଥାଏ ଜୋଚ୍ଛନା । ବୋଉ ବାରଣ୍ଡାରେ ଚାଞ୍ଚ ଉପରେ ଗଡ଼ୁ ଗଡ଼ୁ କହିଲା ଶିବୁରେ, ବୁଢ଼ୀତ ହେଲି-। ଆଉ କେତେକାଳ ବଞ୍ଚିବି ? ଏଥର ତୋ ଜଞ୍ଜାଳ ତୁଟେଇ ଦେଲେ ମୋ କାମ ତୁଟିବ । ମାଟି ବାରଣ୍ଡାରେ ଗଡ଼ି ଗଡ଼ି ମୋ ଜୀବନ ଗଲା । ହଉ, ଯଦି ଗୋପୀନାଥଙ୍କ କୃପା ଥିବ ତୁ ପାଠ ପଢ଼ି ଚାକିରି କଲେ ସିମେଣ୍ଟ ଘର ଦିବଖରା ତୋଳିବୁ ଯେ ସିମେଣ୍ଟ ବାରଣ୍ଡାରେ ଗଡ଼ିବି ।

ଗାଆଁକୁତ ବିଜୁଳି ଆଲୁଅ ଆସିଗଲାଣି । ଘର ତୋଳିଲେ ବିଜୁଳି ଆଲୁଅ ନେଇ ଆସିବୁ-

ବୋଉ ଗଡ଼ୁଥିଲା । ସେ ତା ଗୋଡ଼ରେ ହାତ ଆଉଁଷୁ ଆଉଁଷୁ କହିଲେ—ହଁ ଲୋ ବୋଉ ମୁଁ ପାଠପଢ଼ି ଚାକିରି କଲେ ଆଗ ଘର ତୋଳିବି । ତା ପରେ ଆଉ ଯାହା ।

ବୋଉ ଆଉ କିଛି କହିଲା ନାହିଁ ।

ଅଗଣାରେ ଜହ୍ନ ଆଲୁଅକୁ ଅନେଇଁଲା ।

କେରି କେରି ଜହ୍ନ ଆଲୁଅ ଅଜାଡ଼ି ହୋଇ ପଡ଼ିଛି ଅଗଣାରେ ।

ନିଶ୍ଚଳ ନିର୍ମଳ ଆକାଶରେ ଜହ୍ନଟା ସ୍ଥିର ହୋଇ ରହିଛି ସତେ ଅବା ।

ଦେଉଳରୁ ଘଣ୍ଟିଶବ୍ଦ ପବନରେ ଭାସି ଆସୁଛି ।

ସାମନାରେ ଡାଳିମ୍ୱ ଗଛର ଡାଳ ସବୁ ଦୋହଲୁଛି ।

ବୋଉର ଗୋଡ଼ରେ ହାତ ବୁଲେଇବା ବେଳେ ମନେ ଜାଗୁଛି କେତେ ସପନ—ସେ ବଡ଼ ହେବେ । ଚାକିରି କରିବେ । ରୋଜଗାର କରି ଆଗ ଇଟା ସିମେଣ୍ଟରେ ଘର ଦିବଖରା ତୋଳେଇବେ । ବୋଉ ମନର ଆଶା ମେଣ୍ଟିବ । ବୁଢ଼ୀ କାଳରେ ସେ ସିମେଣ୍ଟ ବାରଣ୍ଡାରେ ଶୋଇପଡ଼ିଲେ ଶାନ୍ତି ପାଇବ ।

ଆଖିରେ ନାଚିଲା ସେଇ ଘର । ଘର ଭିତରେ ବୋଉର ଉଦାର ଗମ୍ଭୀର ଶାନ୍ତ ସୌମ୍ୟ ମୂର୍ତ୍ତି ।

ଚାକିରି ଜୀବନ ଭିତରେ ବୋଉର ସେ ଛୋଟ ଅନୁରୋଧଟିକୁ ସେ ଭୁଲି ନାହାଁନ୍ତି ।

ଇଟା ସିମେଣ୍ଟର ଘର ତୋଳା ହୋଇଛି ।

ଚାକିରି ଜୀବନ ପ୍ରଥମ ତିନିବର୍ଷ ଭିତରେ ବାରିପାଖେ ଦି ବଖରା ପକା ଘର ସେ ତୋଳେଇଛନ୍ତି । ଉପରେ ଗୋଡ଼ି ସିମେଣ୍ଟର ଛାତ ପଡ଼ିଛି । ଦାଣ୍ଡ ପାଖ ଘର ତୋଳା ଚାଲିଥିଲା । ଏବେ ତୋଳା ଶେଷ ହୋଇଯିବଣି । ନନା ନିଜେ ଦେଖା ଚାହାଁ କରି ଜଲ୍‌ଦି ଜଲ୍‌ଦି ଘର ତୋଳେଇ ନେଉଛନ୍ତି । ସେ ଚାକିରିଆ । ଛୁଟି ଛଡ଼ା ଅନ୍ୟବେଳେ ସମୟ ମିଳେ ନାହିଁ ଯିବାକୁ । ଦୁଇମାସ ତଳେ ଘରକୁ ଯାଇଥିଲେ ସେ । ସେତେବେଳକୁ ଦାଣ୍ଡ ଘର ତୋଳା ଚାଲିଥିଲା । ବାରିପାଖ ଦିବଖରାରେ ରହୁଥିଲା ବୋଉ । ବର୍ଷେ ହେଲା ରୋଗଶୀର୍ଣ୍ଣ ହୋଇ ଯାଇଥିଲା ବୋଉ । ଅଣ୍ଟାକୁ ବାତଧରି ଉଠି ବସି ପାରୁ ନଥିଲା ସେ । କାଶୀନାଥଙ୍କଠାରୁ ପାନେ ପାନେ ହୋମିଓ ପାଥିକ ଔଷଧ ଖାଉଥିଲା । ଡାକ୍ତରୀ ଔଷଧ ତା ପେଟରେ ପଡ଼ିଲେ କାୟା ମାରା ହୋଇଯିବ ବୋଲି ତାର ବିଶ୍ୱାସ । ଜୀବନସାରା ସେ ଡାକ୍ତରୀ ଔଷଧ ଛୁଇଁନାହିଁ । ଅବଶ୍ୟ ୟା ତା ପାଇଁ ଡାକ୍ତରଖାନାକୁ ଯାଇ ଔଷଧ ଆଣି ଦେଇଛି ମାତ୍ର ଡାକ୍ତରୀ ଔଷଧ ପାନେ ହେଲେ ସେ ତୁଣ୍ଡରେ ଦେଇନାହିଁ । ଡାକ୍ତରୀ ଔଷଧ ଖାଇବାକୁ କହିଲେ କହେ—ଏ ଦିହକ ପାଇଗଲା ଡାକ୍ତରୀ ଔଷଧ ପେଟରେ ପଡ଼ିନାହିଁ । ଶେଷକାଳକୁ ସେ ଗୁଡ଼ାକ ଖାଇବ କିଏ ? କାଶୀଟା ପାନେ ପାନେ ମିଠା ପୁଡ଼ିଆ ଦେଉଛି । ଦେଉଥାଉ ।

କାଶୀନାଥ ବୋଉର ଚିକିତ୍ସା କରୁଥିଲା । ଔଷଧ ଦେଉଥିଲା । ବର୍ଷେ ହେଲା ହଠାତ୍‌ କାହିଁକି ବାତଧରି ବୋଉ ଆଉ ଉଠି ପାରୁ ନଥିଲା । କେଡ଼େ ଦୁର୍ବଳ ହୋଇ ଯାଇଥିଲା ସେ ।

ବାରିପାଖ ସିମେଣ୍ଟଘରେ ସେ କେବଳ ଚଳ ପ୍ରଚଳ ହେଉଥିଲା । ଆରଘରକୁ ଯାଇପାରୁ ନଥିଲା । ଖୁଡ଼ୀ ଆସି ତାର ସବୁ କାମ କରିଦେଇ ଯାଉଥିଲା । ନନା ରହୁଥିଲେ ତା ପାଖେ ପାଖେ । ବୋଉର ଦେହ ଖରାପ ହେବା ଦିନଠୁ ନନା ଆଉ ଗାଁଛାଡ଼ି ବିଶେଷ ବାହାରକୁ ଯାଆନ୍ତି ନାହିଁ । ସବୁବେଳେ ବୋଉ କଥା ବୁଝୁ ଥାଆନ୍ତି । ବୋଉ ଯୋଗୁଁ ନନାଙ୍କର କେତେ ଦମ୍ଭ ।

ନନା ଦାଣ୍ଡ ପାଖ ଘର ତୋଳାରେ ଲାଗିଥିବେ । ଶୀଘ୍ର ଶୀଘ୍ର ଘରତୋଳା ସରିଲେ ବାହାଘର ହେବ । ନନାଙ୍କ ପାଖରେ ବୋଉର ସେଇ ଗୋଟିଏ ମାତ୍ର ଅନୁରୋଧ—ବାୟାରେ ଶିବୁକୁ ବାହା କରେଇଦେବୁ । ତା ସଂସାର ଦେଖିଲେ ମୁଁ ଶାନ୍ତିରେ ନିଃଶ୍ୱାସ ଛାଡ଼ିବି । ମଲାବେଳକୁ ପାଣି ପାତ୍ରୀଏ ପାଇବି ତା ହାତରୁ ।

ମନ ଭିତରଟା ଚହଲି ଯାଉଛି ।

ଆଖି ଭିଜି ଆସୁଛି ।

ପକେଟରୁ ଲଫାଫାଟି କାଢ଼ିଲେ ସେ ।

ଲଫାଫା ଭିତରେ ନନାଙ୍କ ଚିଠି । ଚିଠି ସାଥିରେ ଫଟୋ ଖଣ୍ଡିଏ ।

ଫଟୋଟିକୁ କାଢ଼ି ନିରେଖି ଚାହିଁଲେ ସେ ।

ଏକାନ୍ତ ଅପରିଚିତ ଫଟୋ ଖଣ୍ଡିଏ ।

ତା ସହିତ ସେତିକି ପରିଚୟ ।

ନନା ଚିଠିରେ ଲେଖିଛନ୍ତି—ଝିଅଟି ସୁନ୍ଦରୀ । ଲକ୍ଷଣବନ୍ତୀ । ତା ସ୍କୁଲର ପଣ୍ଡିତ କହୁଥିଲେ ଏମିତି ଗୁଣବତୀ ଝିଅଟିଏ ଖୋଜିଲେ ମିଳିବ ନାହିଁ । ରୂପ ଯେମିତି ବ୍ୟବହାର ବି ସେମିତି ।

ଏଇ ଝିଅଟି ତାଙ୍କ ଜୀବନରେ ନିହାତି ଅଜଣା ଅଦେଖା ଭାବେ ଆସି ଏକାନ୍ତ ଆପଣାର ହେବ । ସେ ହେବ ତାଙ୍କ ଘରର କୁଳବଧୂ । ବୋଉ ମନକୁ ପାଇଛି । ସେ ଖୁସି ହେଲ ତାଙ୍କର ଖୁସି ।

ସଂଖୋଳା ଆସି ସାରିଛି । ବାହାଘର ଶୁକ୍ଳ ନବମୀ ତିଥିରେ ହେବ । ଆଉ ମାତ୍ର ଚଉଦଟି ଦିନ । ଆଜି ଆସି କୃଷ୍ଣ ଏକାଦଶୀ । ରାତିଟି ବାଟରେ ହୋଟେଲରେ ବିତେଇବାକୁ ହେବ-। ଆସନ୍ତା କାଲି ଏକାଦଶୀ । ଘରେ ପହଞ୍ଚିଲେ ବୋଉ ଦେଖି କେତେ ଆନନ୍ଦ ନ ହେବ-

ଝିଅଘର ଥିବାବାଲା । ଝିଅର ପିତା ଓକିଲ । କୋଠାବାଡ଼ି ଅଛି । ଅଲଗା ଆମଦାନୀ ଅମାପ । ଚାକର ନୌକର ଅଛନ୍ତି । ତାଙ୍କର ଏ ପ୍ରଥମ କନ୍ୟା । ତେଣୁ ବାହାଘର ଆୟୋଜନ ଆଡ଼ମ୍ୱର ସହକାରେ ହେବ ।

ଝିଅର ପିତା ଗୁଣଗ୍ରାହୀ ମଣିଷ । ଖୁବ୍‌ ସ୍ନେହୀ । ମିଷ୍ଟଭାଷୀ, ପଣ୍ଡିତ ମଧ୍ୟ । ଧନ ଜନ ଗୋପ ଲକ୍ଷ୍ମୀ କେଉଁଥିରେ ଅଭାବ ରଖି ନାହାନ୍ତି ଭଗବାନ । ମାତ୍ର ପରିପୂର୍ଣ୍ଣତା ଦେଇନାହାନ୍ତି ଜୀବନରେ । ତାଙ୍କର ଜୀବନରେ ଗୋଟିଏ ବଡ଼ ଦୁଃଖ । ତାଙ୍କର ଏକ ମାତ୍ର ପୁତ୍ର ଦଶବର୍ଷ ବୟସରେ ତାଙ୍କରି ନିଜ ପୋଖରୀରେ ବୁଡ଼ି ମରି ଯାଇଛି । ତାଙ୍କ ଜୀବନରେ ଦେଇ ଯାଇଛି ଏକ ଦାରୁଣ ଆଘାତ । ପୁତ୍ରଶୋକ ଜର୍ଜରିତ ପ୍ରାଣତାଙ୍କର ସବୁବେଳେ ପୁତ୍ର ସ୍ନେହରେ ବ୍ୟାକୁଳ । ସେଥିପାଇଁ ସେ ଝିଅର ଏଡ଼େ ଶୀଘ୍ର ବ୍ୟବସ୍ଥା କରିଛନ୍ତି ବାହାଘର ।

ଝିଅ ବାହା ହେବ । ଜୋଇଁଟିଏ ଆସିବ ଘରକୁ । ତାଙ୍କ ଘରକୁ ସେ ନିଜର ପରି ମନେ କରିବ । ସବୁବେଳେ ଯିବା ଆସିବା କରିବ । ଯାହା ଯେତେବେଳେ ଦରକାର ନେବ । ଅଭାବ ଦେଇ ନାହାନ୍ତି ଦୟାମୟ । ମାତ୍ର ତାଙ୍କୁ ସେ ଖାଲି ଟିକିଏ ସ୍ନେହ ଦେବ । ମମତା ଦେବ । ଆନନ୍ଦ ଦେବ । ତାଠାରୁ ସ୍ନେହ ଆନନ୍ଦ ପାଇଲେ ତାଙ୍କ ହୃଦୟ ଭିତରେ ଶୂନ୍ୟସ୍ଥାନ ପୂର୍ଣ୍ଣ ହେବ । ସେ ଶାନ୍ତି ପାଇବେ । ଭୁଲିଯିବେ ଅତୀତର ସେଇ ବେଦନାକ୍ଳିଷ୍ଟ ଘଟଣାଟିକୁ । ପ୍ରାଣଶୀତଳ ହେବ । ସେ ଫଟୋଟିକୁ ଭଲ କରି ଚାହିଁଲେ ।

ସରଳ ଛଳଛଳ ଆଖି ଦୁଇଟିରେ ଦିବ୍ୟ ଆନନ୍ଦର ଅମୃତ ଭରିଯାଇଛି ସତେ ଯେମିତି । ସିଏ ତାର ପୁରୀରେ ଖେଳୁଥିବ କି ବୁଲୁଥିବ । ହୁଏତ ବସି ବସି ସପନର ତାଜମହଲ ଗଢ଼ୁଥିବ ମନମନ୍ଦିରରେ ।

ଝିଅଟିର ଘର ପୁରୀ ସହର ।

 

ମନେ ପଡ଼ିଯାଇଛି ପୁରୀ କଥା ।

 

ଧାରାବାହିକ ଭାବରେ ଚାରିଟି ବର୍ଷ ବିତିଛି ତାଙ୍କର ପୁରୀ କଲେଜରେ । ସେଇଠି ସେ ବି.ଏ. ପଢ଼ିଛନ୍ତି । ପୁରୀପ୍ରତି ଦୀର୍ଘ ଚାରିବର୍ଷର ମମତା ।

 

ଭୁଲି ହେଉନାହିଁ ପୁରୀର ବଡ଼ ଦେଉଳ, ବଡ଼ଦାଣ୍ଡ ଓ ବେଳାଭୂମି ।

 

ବଡ଼ ଭଲଲାଗେ ସତରେ ତାଙ୍କୁ ପୁରୀ ସହର ।

 

ଆଉ ଭଲଲାଗେ ବଡ଼ ଦେଉଳରେ ବଡ଼ଠାକୁରଙ୍କ ଚକା ଚକା କଳାନୟନ ।

 

ଛାତ୍ର ଜୀବନରେ ସେ ବହୁବାର ଦେଉଳ ଭିତରକୁ ଯାଇଛନ୍ତି । ମନଦୁଃଖ, ବିଷାଦ, ଗ୍ଳାନିର ଭାର ଓହ୍ଲେଇ ଫେରିଛନ୍ତି । ମନ ମଧ୍ୟରେ ଯେତେବେଳେ କୌଣସି କାରଣରୁ ଅଜଣା ଆଘାତ ଲାଗେ, ହୃଦୟ ବ୍ୟସ୍ତ ବ୍ୟାକୁଳ ବିଚଳିତ ହୋଇଉଠେ, ସେତେବେଳେ ସେ ଚାଲି ଯାଉଥିଲେ ଦେଉଳ ବେଢ଼ାକୁ । ଦେଉଳ ବେଢ଼ାରେ ଯାତ୍ରୀଙ୍କ ଭିଡ଼ । ସେମାନଙ୍କ ଭକ୍ତି ଗଦ୍‌ ଗଦ୍‌ ଭାବ ବିହ୍ୱଳ ମୁହଁକୁ ଦେଖିଲେ ମନରେ ସ୍ୱତଃ ପୂରିଉଠିଥିଲା ଅନିର୍ବଚନୀୟ ଆନନ୍ଦ ମାଧୁରୀ । ଭୁଲି ହୋଇ ଯାଉଥିଲା ବ୍ୟଥା ବେଦନା ବିଷାଦର ଘନ କାଳିମା । ମନରେ ଭରି ଯାଉଥିଲା ଶାଶ୍ୱତ ଆନନ୍ଦର ମକରନ୍ଦ । ଦେଉଳ ଭିତରେ ଠିଆହୋଇ ସଞ୍ଜବେଳର ଆଳତି ଦର୍ଶନ କଲେ, ମଣିଷ ଜୀବନର ଯେତେ ପାପତାପ କୁଆଡ଼େ କ୍ଷଣକେ ଉଭେଇ ଯାଉଥିଲା । ହୃଦୟ ଭିତରେ ଏକ ନୂତନ ଶକ୍ତିର ସମ୍ଭାର ନେଇ ସେ ଫେରୁଥିଲେ କଲେଜକୁ । ପଢ଼ାରେ ମନ ଦେଉଥିଲେ । ଭଲ ପଢ଼ୁଥିଲେ-

 

ତାଙ୍କ ଥିବା ଭିତରେ ବୋଉ ଆସିଥିଲା ପୁରୀକି । ହାତରେ ବଳି ବଳି ସେ ଲକ୍ଷେ ବଳିତା ସାଇତିଥିଲା । ଲକ୍ଷେ ବଳିତା ଜଗନ୍ନାଥଙ୍କ ପାଖରେ ଜଳେଇଲେ ତାର ପୁଣ୍ୟ ହେବ । ବୋଉ ସାଥିରେ ଖୁଡ଼ୀ, ନାନୀ, ଭାଇନା ଓ ସାନଭାଇ ଦେବୀ ପ୍ରସାଦ ଆସିଥିଲେ । ତାଙ୍କ ସହିଆ ଆସିଥିଲେ ତାଙ୍କର ମାମୁଁମାନେ । ଭଡ଼ାଘର କରି ସେମାନେ ସମସ୍ତେ ସପ୍ତାହେ କାଳ ରହିଥିଲେ ପୁରୀରେ । ସମସ୍ତିଙ୍କି ସାଙ୍ଗରେ ନେଇ ସେ ସମୁଦ୍ରସ୍ନାନ କରେଇଥିଲେ । ଚକ୍ରତୀର୍ଥଠାରୁ ଆରମ୍ଭକରି ଲୋକନାଥଙ୍କ ଦେଉଳ ପର୍ଯ୍ୟନ୍ତ ଯେତେ ଦର୍ଶନୀୟ ସ୍ଥାନ ଅଛି ସବୁ ବୁଲେଇ ଦେଖେଇଥିଲା ।

 

ଶୁଭଦିନ ଦେଖି ବୋଉ ଲକ୍ଷେ ବଳିତା ଜଗନ୍ନାଥଙ୍କ ଦେଉଳରେ ବସେଇଲା । ବ୍ରାହ୍ମଣମାନଙ୍କୁ ଅଭଡ଼ା ଭୋଜନ ଦେଲା । ଦାନ ଧର୍ମ କଲା । କେତେ କାଙ୍ଗାଳ ମାଗତାମାନଙ୍କୁ ପଇସେ ଅଧଲେ ଦାନ ଦେଲା । ସାତ ଦିନ କାଳ ପୁରୀରେ କଟେଇ ସେମାନେ ଫେରିଲେ ।

 

ଲକ୍ଷେ ବଳିତା ବସେଇ ବୋଉ ମହାପୁଣ୍ୟ ଅର୍ଜନ କଲା ସତେ ଯେମିତି । ତା ମତରେ ସୌଭାଗ୍ୟ ନଥିଲେ ଳକ୍ଷେ ବଳିତା ଜଗନ୍ନାଥଙ୍କ ଦେଉଳରେ ଜାଳି ହୁଏ ନାହିଁ । ଲକ୍ଷେ ବଳିତା ଜାଳି ସେ ତାର ବହୁ ଦିନର ଇପ୍‌ସିତ କାମନା ପୂର୍ଣ୍ଣକଲା ।

 

ସତେକି ପୁରୀକି ପାଶୋରି ହେଉନାହିଁ ମନରୁ ।

 

ଦୀର୍ଘ ଚାରିବର୍ଷର ରହଣି ଭିତରେ ସାନବଡ଼ କେତେ ସ୍ମୃତି ଜଡ଼ିତ ରହିଛି ତା ସହିତ ।

 

ଭୁଲି ହେଉନାହିଁ ବଡ଼ଦାଣ୍ଡର ପବିତ୍ର ଧୂଳିକଣିକା ଆଉ ବେଳାଭୂମିର ପ୍ରସାରିତ ବାଲୁକା ଶଯ୍ୟାରେ ସନ୍ଧ୍ୟାକାଳୀନ ବନ୍ଧୁମିଳନ ।

 

ସବୁଠାରୁ ଅତି ଲୋଭନୀୟ ବେଳାଭୂମିଟି । ଛାତ୍ର ଜୀବନୀର ସଂଘର୍ଷ ଯେତେବେଳେ ମସ୍ତିଷ୍କକୁ ଭାରାକ୍ରାନ୍ତ କରୁଥିଲା ସେତେବେଳେ ସେ ଘୂରି ଯାଉଥିଲେ ବେଳାଭୂଇଁକୁ ।

 

ବେଶ୍‌ ପ୍ରସାରିତ ବେଳାଭୂମିଟି ।

 

ସକାଳେ ସଞ୍ଜେ ଗହଳି ଜମେ ।

 

ବେଳାରେ ଠିଆହେଲେ ଆଖିକି ଦିଶେ ଜନଗହଳି । କୋଳାହଳ । କିଏ ବୁଲେ । କିଏ ବସେ । କିଏ ଶୁଭ୍ର ବାଲୁକା ରାଶିରେ ଶୋଇଯାଏ ।

 

ଶୀତଳ ଲାଗେ ସମୁଦ୍ରକୂଳର ସମୀରଣ ।

 

ଚିନାବାଦାମ, ବାରମଜା, ଝାଲମୁଢ଼ିଠାରୁ ଆରମ୍ଭକରି ରସଗୋଲା ମଲାଇଚପ ପର୍ଯ୍ୟନ୍ତ ବିକ୍ରି ହୁଏ ସମୁଦ୍ର କୂଳରେ ।

 

ଲୋକେ କିଣନ୍ତି । ଖାଆନ୍ତି ।

 

ବେଳାଭୂମିରେ ବିଚରଣକରି ଆନନ୍ଦ ପାଆନ୍ତି ।

 

ବେଳାର ବାଲୁକା ଶଯ୍ୟା ପାର ହେଲେ ସମୁଦ୍ର ସହିତ ସମାନ୍ତରାଳଭାବେ କିଛିଦୂର ଲମ୍ୱିଯାଇଛି ପିଚୁଢଳା ରାଜପଥ । ରାଜପଥ ଆରପାଖେ ଧାଡ଼ି ଧାଡ଼ି ନାନା ବର୍ଣ୍ଣର ଅଟ୍ଟାଳିକା । ହୋଟେଲ ଶ୍ରେଣୀ ।

 

ଆନ୍ଦୋଳିତ ମନ ନେଇ କୂଳରେ ଠିଆହେଲେ ସମୁଦ୍ରର ଦିଗନ୍ତ ବିସ୍ତାରୀ ନୀଳସୁନ୍ଦର ବପୁରେ ଉର୍ମିମାଳାର ବିଳାସ । ଆନ୍ଦୋଳିତ ମନକୁ ପୁଲକିତ କରେ । ମନରେ ଭରିଯାଏ କେତେ ଅବ୍ୟକ୍ତ ଉତ୍ସାହର ଉଚ୍ଛଳ ଉତ୍ସ ।

 

କେଡ଼େ ଭଲଲାଗେ ବେଳବୁଡ଼େ ବେଳା ଭୂଇଁରେ ଠିଆ ହୋଇ ଚାହିଁ ରହିବାକୁ ନୀଳ ଢେଉକୁ ।

 

ଢେଉପରେ ଢେଉ ତା ପରେ ଢେଉ ଢେଉ ଢେଉକା ଜଳରାଶିର ବେଣୁତାନ । ସୃଜନର ଆବହ ସଙ୍ଗୀତ । ଅନନ୍ତର ବିଚିତ୍ର ବିଳାସ । ଅଶେଷର ରୂପମୟ ପ୍ରତୀକ ।

 

ଆଖିକି ଦିଶେ ଖାଲି ନୀଳବାରିରାଶି । ତା ପରେ, ସେପାରେ, କେତେଦୂରେ କେଜାଣି ନୀଳ ଜଳରାଶିର ପେଟ ଭିତରେ ନୀଳ ଆକାଶର ମଥାନ ମିଶେ । ଆକାଶ ଓ ସାଗର ସେଇଠି ଏକାକାର ହୁଅନ୍ତି । ମିଳନ ହୁଏ । ମିଳନ ହୁଏ, ସତେ ଅବା ଆତ୍ମା ସହିତ ପରମାତ୍ମାର । ସେହି ମହାମିଳନ ସ୍ଥଳୀରୁ ରୂପରତନର ସମ୍ଭାର ନେଇ ସୂର୍ଯ୍ୟ ଉଏଁ । ବର୍ଣ୍ଣର ବିଭବରେ ବର୍ଣ୍ଣାଢ଼୍ୟ ହୁଏ ଜଳଧିର ନୀଳ ଜଳ କଲ୍ଲୋଳ । ବର୍ଣ୍ଣିଳ ହୁଏ ବେଳା ଭୂମିର ଶୀରକସିକ୍ତ ସମୀର ଶିଞ୍ଚିତ ଝାଉଁବଣ ।

 

ପ୍ରାତଃକାଳର ସୂର୍ଯ୍ୟୋଦୟଟିକୁ ଦେଖିଲେ ମନରୁ ଦୁଃଖଶୋକ ଭୁଲି ହୋଇଯାଏ । କେତେ ନୂଆ ନୂଆ ଭାବନାର ଜୁଆର ଉଠେ ଅନ୍ତର ଭିତରେ ।

 

ଭୁଲି ହୋଇନାହିଁ ଏ ଯାଏ ପୁରୀକୁ ।

 

ଫଟୋଖଣ୍ଡିକୁ ଚାହିଁଲେ ପୁରୀକଥା ଆଖିରେ ଉଙ୍କିମାରୁଛି ।

 

ଚାରିବର୍ଷର ପାଠପଢ଼ା ବେଳେ ପୁରୀ ପ୍ରତି ଯେଉଁ ଦରଦ ରହିଯାଇଥିଲା ମନରେ ସେ କଣ ସବୁ ଦିନ ପାଇଁ ରହିଲା !

 

ଇଚ୍ଛାୟମଙ୍କର ଇଚ୍ଛା । ହୁଏତ ସେ ପୁରୀରେ ହିଁ ତାଙ୍କୁ ବାନ୍ଧି ରଖିବାକୁ ଚାହାନ୍ତି ।

 

ଫଟୋଟି ପକେଟରେ ରଖିଲେ ସେ ।

 

କେତେ ଅଙ୍କାବଙ୍କା ରାସ୍ତା ଦେଇ ଧୂଳି ଉଡ଼େଇ ବସ୍‌ ଚାଲିଛି । ବସ୍‌ର ଗତିରୁ ଆହୁରି କ୍ଷିପ୍ରତର ଗତିରେ ମନଟା ଧାଇଁ ଯାଉଛି ବୋଉ ପାଖକୁ ।

 

ବର୍ଷେ ହେଲା ରୋଗରେ ସଢ଼ି ସଢ଼ି କ୍ଷୀଣ ହୋଇ ଯାଉଛି ବୋଉ । ପିଲା ବେଳେ ବୋଉ ଦେହରେ ଯେଉଁ ଶକ୍ତି ସାହସ ଓ ଦମ୍ଭ ଥିଲା ତାହା ଆଉ ଏବେ ନାହିଁ । ବୟସ ବଢ଼ିବା ସଙ୍ଗେ ସଙ୍ଗେ ତାର ଦେହର ଶକ୍ତି କ୍ଷୀଣ ହୋଇ ଯାଇଛି । ବୋଉ ଏବେ ରୋଗଶୀର୍ଣ୍ଣ । କେତେବେଳେ ଝଡ଼ିପଡ଼ିବ ତାର ଠିକଣା ନାହିଁ । ବୋଉର ରୋଗପାଣ୍ଡୁର ମଳିନ ମୁଖଟି ଆଖିରେ ନାଚି ଉଠୁଛି ।

 

ସତରେ ବୋଉ କେତେ ବୁଢ଼ୀ ହୋଇ ଗଲାଣି !

 

ସେ ଆଖିକୋଣ ପୋଛିଲେ ।

 

ଚଳନ୍ତା ବସଭିତରେ ବସି ବସି ଅଣ୍ଟା ବଥେଇ ଗଲାଣି । ପାହାନ୍ତା ପହରୁ ବସରେ ଚଢ଼ିଥିଲେ ଯେ ଏବେ ଆସି ଖରା ଲେଉଟିଲାଣି । ଦିପହରେ ବାଲିଗୁଡ଼ାଠାରେ ହୋଟେଲରେ କଣଦିଟା ଖାଇଥିଲେ ଯେ, ସେ ପେଟରେ କୁଆଡ଼େ ହଜିଗଲାଣି । ଭୋକ ଲାଗିଲାଣି ପେଟକୁ ।

 

ଘର୍ଘର ଶବ୍ଦ କରି ବସ୍‌ଟା କଳିଙ୍ଗା ଘାଟୀ ଚଢ଼ୁଛି । ଏ ଘାଟୀଟା ବଡ଼ ବିପଦ ସଂକୁଳ । ପାଖକେ ଠିଆ ହୋଇଛି କେତେ ଉଚ୍ଚ ପାହାଡ଼ । ପାଖକେ, ଆଖି ପାଇବନି କାହିଁ କେତେ ତଳେ ଗଛର ମଥା ଦିଶୁଛି । ମଝିରେ ଅଣଓସାରିଆ ବୁଲାଣି ରାସ୍ତା । ଟିକିଏ ଅସାବଧାନ ହୋଇ ବସ ଚଳେଇଲେ ଜୀବନ ରହିବନି ।

 

ଘାଟୀ ଉପରୁ ଚାହିଁଲେ ଚାରିଆଡ଼େ ପର୍ବତମାଳା । ଆଖିରେ ସୀମାରେଖା ଯାଏଁ ଖାଲି ପର୍ବତ ଲମ୍ୱିଛି । ଆଖିକି ଦିଶୁଛି ରୁଦ୍ର ସୁନ୍ଦର ।

 

ବସ୍‍ଘାଟୀ ତଳକୁ ତଳକୁ କେତେ ଜୋରରେ ଖସି ଯାଉଛି । ବସ୍‌ଚାଳକ ଖୁବ୍‌ ଜୋରରେ ଧରିଛି ଷ୍ଟିଅରିଙ୍ଗ ।

 

ଯାତ୍ରୀବାହୀ ବସ୍‌ । ବସ୍‌ଟା ଯାକର ଲୋକଙ୍କ ଜୀବନ ତା ହାତରେ । ଅସାବଧାନ ହେଲେ ଦୁର୍ଘଟଣା ଏଡ଼େଇ ହେବନାହିଁ ।

 

ଘାଟୀ ପାର ହେଲେ ସମତଳ ଅଞ୍ଚଳ ।

 

ଠିକ୍ ବେଳ ବୁଡ଼କୁ ବସ୍‌ ପହଞ୍ଚିଯିବ ଭଞ୍ଜନଗରରେ ।

 

ବୋଉକୁ ଭେଟିବାକୁ ମନ ଚଞ୍ଚଳ ହେଲାଣି ।

 

କେଡ଼େ ବେଗରେ ମନ ଧାଇଁ ଯାଉଛି ବୋଉ ପାଖକୁ ।

 

ଆଖିରେ ନାଚୁଛି ବୋଉର ରୂପ ।

 

ବୋଉ—

 

ଜୀବନର ଜୀବନ । ମମତାର ଉତ୍ସ । ହସ କାନ୍ଦ ସୁଖଦୁଃଖର ସାଥି ତାର । ବିକଳ ବେଦନାବୋଳା କଥା କେଇପଦ ଛାତିରେ ପ୍ରତିଧ୍ୱନିତ ହୋଇ ଉଠୁଛି । ଗୁମୁରି ଉଠୁଛି ସ୍ମୃତି ବିଜଡ଼ିତ କେତେ ଘଟଣା । ତା ସଂଘର୍ଷମୟ ଜୀବନର କେତେ ଅପାଶୋରା ଅଶ୍ରୁଳ କାହାଣୀ ଆଜି କାହିଁକି ବାରମ୍ୱାର ହୃଦୟ ମଧ୍ୟର ଝଙ୍କାର ତୋଳୁଛି ।

 

ମନ ବୁଝୁ ନାହିଁ ।

 

ଦିମାସ ତଳେ ଘରକୁ ଗଲାବେଳେ ବୋଉର ଯେଉଁ ରୋଗାକ୍ରାନ୍ତ ଶରୀରଟି ସେ ଦେଖିଥିଲେ ତାହା ଆଖି ଆଗରେ ଉଦ୍‌ଭାସି ଉଠୁଛି ।

 

ବାତ ରୋଗରେ ଆକ୍ରାନ୍ତ ହୋଇ ବୋଉ କେତେ କଷ୍ଟ ପାଉ ନଥିବ ।

 

କାଶୀନାଥ ପାଖକୁ ସେ ଚିଠି ଦେଇଥିଲେ । ଅନୁରୋଧ କରିଥିଲେ । ଲେଖିଥିଲେ—ବୋଉକୁ ଦେଖିବୁ । ତାକୁ ନିୟମିତ ଔଷଧ ଦେବୁ । ତାକୁ ଯାଇ ଦେଖି ଆସୁଥିଲେ ତାର ମନରେ ଦମ୍ଭ ଆସିବ । ସେ ବ୍ୟସ୍ତ ହେବ ନାହିଁ ।

 

ସେ ଉତ୍ତର ଦେଇଥିଲା—ବୋଉ ଭଲ ଅଛି ।

 

ଏବେ ଟିକିଏ ଉଠି ବସି ପାରୁଛି । ଚଲାବୁଲା କରି ପାରୁଛି ।

 

ନନା ଚିଠି ଦେଇଥିଲେ । ଲେଖିଥିଲେ—ପୁରୀରୁ ସଙ୍ଖୋଳା ଆସିଥିଲା ଯେ ବୋଉର ଆନନ୍ଦ ନ କହ । ସଙ୍ଖୋଳା ଭାର ଦେଖି ବୋଉ ଯେମିତି ରୋଗମୁକ୍ତ ହୋଇଯାଇ ଥିଲା । ଭାରରେ ଯାହା ଯେମିତି ଆସିଥିଲା ତାକୁ ଗାଁ ସାରା ସମସ୍ତିଙ୍କି ବାଣ୍ଟିବାକୁ କହିଥିଲା । ବରଡ଼ିରେ ଯାଇ ଦେଇ ଆସିବାକୁ କହିଥିଲା । ସେ ଯାଇଥିଲେ ବରଡ଼ିରେ ଭାର ସାମଗ୍ରୀ ବାଣ୍ଟି ଆସିଥିଲେ ।

 

ଆଜିଯାଏଁ ଭୁଲି ପାରୁନାହିଁ ବରଡ଼ିକି ସେ । ବଳ ଭାଜିବାରୁ ବରଡ଼ିକି ଯାଇପାରେ ନାହିଁ ସିନା ସେ ଗାଁର ଯାହାକୁ ଦେଖେ ତାକୁ ପାଖକୁ ଡାକି ଦଣ୍ଡେ ଘଡ଼ିଏ ବସେଇ ଗପକରେ । ଗାଁର ଭଲ ମନ୍ଦ କଥା ପଚାରେ ସବୁରିଙ୍କ ଖବର ରଖେ । ଏ ଯାଏଁ ମାହାଙ୍କୁଡ଼ ଦିନେ ଛାଡ଼ି ଦିନେ ଆସି ତାକୁ ଦେଖିଯାଏ । ତା ପାଇଁ କେତେ କଥା ଧରିଆସେ । ପଦ୍ମାବତୀ ତା ହାତରେ ତା ପାଇଁ ଭଲ ଘିଅ ପଠାନ୍ତି ।

 

ତା ସହିତ ଗପିବାକୁ ତାକୁ ବେଶ୍‌ ଖୁସି ଲାଗେ । ସିମେଣ୍ଟ ବରଣ୍ଡାରେ ଲୁଗା ଖଣ୍ଡେ ପକେଇ ଦେଇ ତା ଉପରେ ସେ ଗଡ଼ିପଡ଼େ । ମାହାଙ୍କୁଡ଼ ତା ପାଦତଳେ ବସି ଗୋଡ଼ ମୋଡ଼ିଦିଏ । କେତେ କଣ ଏଣୁ ତେଣୁ ଗପେ । ରାତି ପହରକୁ ଘରେ ଯାହାଥାଏ ତାହା ଖାଇଦେଇ ଗାଁକୁ ଫେରେ ।

 

ମାହାଙ୍କୁଡ଼ !

 

ବରଡ଼ିର ଗାଈଆଳ ।

 

ପିଲାଦିନୁ ସେ ତାକୁ ଦେଖି ଆସିଛନ୍ତି ।

 

ଏବେ ଆସି ବୁଢ଼ା ହେଲାଣି ।

 

ମୁଣ୍ଡର ବାଳ ପୂରାପୂରି ଧଳା ହୋଇଗଲାଣି ।

 

ବୋଉର ସେ ଖୁବ୍‌ ଆପଣାର ।

 

ବରଡ଼ିର ସ୍ମୃତିସବୁ ବୋଉ ପାଶୋରି ପାରିନାହିଁ । ତା ଜୀବନର ଅର୍ଦ୍ଧାଧିକ ବୟସ ହେଲା ସେ ବରଡ଼ି ସହିତ ଚିହ୍ନା ଜଣା । ପରିଚିତ । ସେ ଗାଆଁର ଗାଈଗୋରୁ ପିଲାକବିଲା, ଗଛପତର ଧୂଳିମାଟି ସଭିଏଁ ତାର ଜଣାଶୁଣା । ସେମାନଙ୍କ ସହିତ ତାର କେତେ ଆଳାପ କେତେ ଆଲୋଚନା ।

 

ବୋଉ ସହଜରେ ଭୁଲି ପାରେନାହିଁ ବରଡ଼ିକି ।

 

ଆମ୍ୱଦିନେ ଆମ୍ୱ, ତେନ୍ତୁଳି ଦିନେ ତେନ୍ତୁଳି, କଇଥ ଦିନେ କଇଥ ପନିପରିବାଦିନେ ପନିପରିବା, କେତେ ନ ଆଣିଛି ସେ, ସେ ଗାଆଁରୁ । ପଦ୍ମାବତୀ ତାର ବଡ଼ ସାଙ୍ଗ । ଏଯାଏଁ ସେ ସରଧାର ଘିଅ, ଦହି ତା ପାଇଁ ପଠାନ୍ତି ।

 

ସତରେ ବୋଉର ବରଡ଼ି ପ୍ରତି ବଡ଼ ସରଧା । ଅଗାଧ ସ୍ନେହ ମମତା ।

 

ପାହାଡ଼ତଳି ସେଇ ଛୋଟ ଗାଆଁଟି ବୋଉ ଜୀବନ କାହାଣୀର ଏକ ଅସରନ୍ତି ଭଣ୍ଡାର ।

 

ଭାବିବାକୁ ଆଉ ଧୈର୍ଯ୍ୟ ରହୁନାହିଁ ।

 

ରାସ୍ତାର ଧୂଳିରେ ଦେହସାରା ଧୂସରିତ ହୋଇଗଲାଣି ।

 

ଆକାଶରେ ନୀଡ଼ ବାହୁଡ଼ା କୁଆ ଦଳକ କାଆ କାଆ ରାବ ଛାଡ଼ିଲେଣି ।

 

ହେଇ, ଦିଶିଲାଣି ଭଞ୍ଜନଗରର ମଝି ପାହାଡ଼ ଉପରେ ଧଳା କୋଠାଟିଏ ।

 

ଦିଶିଲାଣି ଧାଡ଼ି ଧାଡ଼ି ବିଜଳିଖୁଣ୍ଟ ।

 

ସହର ନିକଟେଇ ନିକଟେଇ ଆସୁଛି ।

 

ସାମନାରେ ସାଇକେଲ ଚଢ଼ି ଦୁଇଜଣ ଲୋକ ଘରକୁ ଫେରୁଛନ୍ତି ବୋଧହୁଏ ।

 

ବାଁ ପାଖେ ଦିଶିଲାଣି ଜଳ ଭଣ୍ଡାର ।

 

ଏଇ ଛୋଟ ସହରଟିରେ ରାତିଟି କଟେଇ ଦେଲେ ପୁଣି କାଲି ସକାଳୁ ବସ୍‌ ଧରିବାକୁ ହେବ ।

 

ମନ ପବନ ପରି ଉଡ଼ିଯାଉଛି ।

 

ବିରକ୍ତ ଲାଗିଲାଣି ଦିନସାରା ବସରେ ବସି ବସି ।

 

ଆକାଙ୍‌କ୍ଷା, ଉଦବେଗରେ ଭରିଯାଇଛି ଦେହ ମନ ।

 

ହେଇ, ହେଲା ବସ୍‍ଷ୍ଟାଣ୍ଡ୍‌ ।

 

କେତେଗୁଡ଼ିଏ ବସ୍‌ ଧାଡ଼ିବାନ୍ଧି ଠିଆ ହୋଇଛନ୍ତି ।

 

କୋଳାହଳ ଜମିଛି ।

 

କେତେ ଯାତ୍ରୀ କେ’କୁଆଡ଼େ ଯାଉଛନ୍ତି, ଆସୁଛନ୍ତି ।

 

ଏଇ ଯିବା ଆସିବା ଲାଗିଛି ଜୀବନ ସାରା ।

 

ତାଙ୍କ ବସ୍‌ ରହିଲା ।

 

ବସ୍‌ରୁ ଓହ୍ଲେଇ ରିକ୍‌ସା ଖଣ୍ଡିଏ ଧରି ସିଧାସଳଖ ଚାଲିଲେ ହୋଟଲକୁ ସେ ।

 

ଛୋଟ ହୋଟଲଟିଏ । ରାତିଟା କଟେଇଦେଲେ ହେଲା ।

 

ଖରାଦିନ ରାତି । କଡ଼ ଲେଉଟିଲା ବେଳକୁ ପାହି ଯାଇଥିବ ।

 

ହୋଟେଲର ଛୋଟ କୋଠରୀଟିରେ ଜିନିଷପତ୍ର ରଖି ସେ ଗାଧୋଇ ଆସିଲେ ।

 

ଗାଧୋଇ ପକେଇବାରୁ ଦେହଟା ଭଲ ଲାଗିଲା । ଦିନଯାକର ବସ୍‌ଯାତ୍ରାର କ୍ଳାନ୍ତି ଦୂର ହେଲା ।

 

ସେ ରାତି ଆଠଟାରେ ଖାଇ ନେଲେ । ତା’ପରେ ଶୋଇଗଲେ ନିଜ କୋଠରୀଟିରେ ।

 

କେଡ଼େ ବେଗି ପାହାନ୍ତିଆ ହେଲା ।

 

ସକାଳ ଛଅଟାରେ ଭଞ୍ଜନଗର-ପୁରୀ ବସରେ ଗଲେ ଦିନ ଏଗାରଟାରେ ଓହ୍ଲେଇବେ ବାଲୁଗାଁରେ । ନନାଙ୍କ ପାଖକୁ ଆଗରୁ ଚିଠି ଦେଇଛନ୍ତି । ନନା ଶଗଡ଼ ଧରି ଆସିଥିବେ ।

 

ବାହାଘର ହେବବୋଲି ସାଙ୍ଗରେ ଏଣୁ ତେଣୁ କେତେ ଜିନିଷ ସେ ନେଉଛନ୍ତି । ବୋଉକୁ ପାଳୁଅ ଭଲ ଲାଗେ ବୋଲି ସେ ଦିଟିଣ ପାଳୁଅ ଧରିଛନ୍ତି ସାଥିରେ । ତା’ଛଡ଼ା ସୋରିଷ, ଲଙ୍କା, ହଳଦୀ ସରୁ ଅରୁଆଚାଉଳ, ଗୁଆଘିଅ ଏମିତି କେତେ ଘରସାର ଜିନିଷ ।

 

ତା’ଛଡ଼ା ଶାଗୁଆନ କାଠର ପଲଙ୍କ ଖଣ୍ଡିଏ । ବୋଉପାଇଁ ନୂଆକରି ଗଢ଼େଇଛନ୍ତି ସେ । ବୋଉ ଦେଖିଲେ କେତେ ଆନନ୍ଦିତ ହେବ ।

 

ରାତିରୁ ହୋଟଲ ବାଳକକୁ କହିଥିଲେ ସେ ।

 

ସେ ପାଞ୍ଚଟାବେଳକୁ ତାଙ୍କୁ ଉଠେଇ ଦେଲା ।

 

ସେ ଉଠିପଡ଼ି ସକାଳର ନିତ୍ୟକର୍ମ ଶେଷ କଲେ ।

 

ତର ତର ହୋଇ ଜିନିଷପତ୍ର ରିକ୍‌ସାରେ ଲଦି ଆସିଲେ ବସ୍‍ଷ୍ଟାଣ୍ଡକୁ ।

 

ବସରେ ଜିନିଷ ଚଢ଼େଇ ଦେଲେ ।

 

ରିକ୍‌ସାବାଲାକୁ ଭଡ଼ା ବାଦେ ଅଧିକ ଆଠଣା ଦେଇ ବିଦାକଲେ ।

 

ବସରେ ଚଢ଼ିଲେ ।

 

ଠିକ୍‌ ସମୟରେ ବସ୍‌ ଛାଡ଼ିଲା ।

 

ବସ୍‌ ଚାଲିଲା ।

 

ପିଚୁ ରାସ୍ତାର ମୁକୁଳା ଛାତି ଉପରେ ଦର୍ପିତ ଚକା ଚଳାଇ ଧୂଳି ଉଡ଼େଇ ବସ୍‌ ଚାଲିଲା ।

 

କିଛି ସମୟ ପରେ ଆସିଲା ଆସିକା । ଛୋଟ ଟାଉନ୍‌ଟିଏ ।

 

ସେଇଠି ଯାତ୍ରୀମାନେ ଓହ୍ଲାଇ ଜଳଖିଆ ଖାଇଲେ ।

 

କେତେ ଯାତ୍ରୀ ଓହ୍ଲେଇଲେ । କେତେ ଚଢ଼ିଲେ ।

 

ତା’ପରେ ବସ୍‌ ଆଗେଇଲା ।

 

ବାଟରେ ଆସିଲା କେତେ ଜନପଦ, ନଈ, ନାଳ କୂଅ, ପୋଖରୀ, ତୋଟା ପାହାଡ଼ ।

 

ବସ୍‌ ଯେତିକି ଆଗକୁ ମାଡ଼ି ଚାଲିଲା ସେତିକି ସେତିକି ଉଦବେଗ ପୂରିଆସିଲା ମନ ମଧ୍ୟରେ ।

 

ମନ ଧାଇଁ ଧାଇଁ ଚାଲିଲା ନଡ଼ିଆଗଛ ଘେରା ଜନମମାଟି ରଥପୁରକୁ—ଆଉ ରଥପୁର ଶାସନ ମଝିରେ ନୂଆକରି ତୋଳା ହୋଇଥିବା ତାଙ୍କର ଘରଭିତରକୁ ।

 

ତାଙ୍କ ଘରଦେଉଳର ଦେବୀପ୍ରତିମା ବୋଉକୁ ଦେଖିବାପାଇଁ ମନ ବ୍ୟାକୁଳ ହୋଇ ଉଠିଲା ।

 

ଆଖିକି ଛୁଇଁଲା କେତେ ଭାବନାର ନୂଆ ସପନ ।

 

ଭାଇନା ଆସିଥିବେ । ଆସିଥିବେ ଦେବୀ ପ୍ରସାଦ ।

 

ବନ୍ଧୁବାନ୍ଧବ ଜମିଥିବେ । ସମସ୍ତେ ମାତିଥିବେ ବାହାଘର ଆୟୋଜନରେ ।

 

ଆଜି ବୈଶାଖ କୃଷ୍ଣ ଏକାଦଶୀ । ବୋଉର ଉପବାସ ।

 

ଆଉ ଚଉଦଟା ଦିନ ପରେ ବାହାଘର ।

 

ଦାଣ୍ଡଘର ତୋଳା ଶେଷ ପ୍ରାୟ ବୋଲି ନନା ଚିଠିରେ ଲେଖିଥିଲେ ।

 

ବାକି ଝରକା କବାଟ ଲଗା ହେବା କଥା ।

 

ବଢ଼େଇ, ଝରକା କବାଟ ଲଗେଇବା କାମ କରୁଥିବ ।

 

ତାଙ୍କର ବାହାଘର ହେବ । ନବବଧୂ ଆସିବ ଘରକୁ । ବୋଉ ଦେଖି କେତେ ଖୁସି ନହେବ ! ବୋହୂକୁ ଦେଖିଲେ ତା ରୋଗପାଣ୍ଡୁର ମୁଖରେ ନୂତନ ଜୀବନର ଜ୍ୟୋତି ଖେଳିଯିବ । ତା ତ୍ୟାଗପୂତ ଜୀବନର ସମସ୍ତ ଆଶା ଆକାଂକ୍ଷା ପୂର୍ଣ୍ଣ ହେବ ।

 

ତା ଜଳିଲା ମନ ତୃପ୍ତି ପାଇବ ।

 

ବାଟ ଚାହିଁ ବସିଥିବ ବୋଉ ।

 

ଗୋପୀନାଥଙ୍କ ପାଦତଳେ ତୁଳସୀ ଚଡ଼େଇ ଅନେଇଁ ବସିଥିବ ତାଙ୍କର ଫେରନ୍ତା ପଥକୁ ।

 

ତାଙ୍କୁ ଦେଖିଦେଲେ ତାର ରୋଗ ଛାଡ଼ିଯିବ ।

 

ଖୁସି ଆନନ୍ଦରେ ଫୁଲି ଉଠିବ ତାର ବୁକୁତଳ ।

 

ସେ ଘରେ ପହଞ୍ଚିବେ । ବୋଉକୁ ଭେଟିବେ । ତା ପାଦଧୂଳି ମୁଣ୍ଡରେ ଲଗାଇ ଜୀବନକୁ ପବିତ୍ର କରିବେ ।

 

ସଞ୍ଜ ହେବ ।

 

ଗୋପୀନାଥଙ୍କ ଦେଉଳରେ ଘଣ୍ଟା କାହାଳୀ ବାଜିବ ।

 

ଆଳତୀ ହେବ ।

 

ସେ ଆଳତୀବେଳେ ଠାକୁରଙ୍କୁ ପ୍ରଣାମ କରିବେ । ତାଙ୍କର ଆଶୀର୍ବାଦ ଭିକ୍ଷା କରିବେ ।

 

ନୂଆ ଜୀବନର ତରଣୀଟିକୁ ସଂସାର ଜଳଧିରେ ସୁଖ ଆନନ୍ଦରେ ଚଳେଇନେବାକୁ ଗୁହାରି କରିବେ ।

 

ମନରେ କେତେ ଭାବନା । କେତେ କଳପନା ।

 

ଛୋଟ ପାହାଡ଼ଟିର ପାଦ ତଳେ ବସ୍‌ ଗଡ଼ିଯାଉଛି ।

 

ଆଉ ଅଳ୍ପଦୂରରେ ପଡ଼ିବ ଚିଲିକା ।

 

ଦଶଟା ବାଜିଗଲାଣି ।

 

ଆଉ ଘଣ୍ଟାକ ପରେ ସେ ବାଲୁଗାଁରେ ପହଞ୍ଚିବେ ।

 

ନନା ଅପେକ୍ଷା କରିଥିବେ । ଶଗଡ଼ ଧରି ଆସିଥିବେ । ଶଗଡ଼ ସାଥିରେ ଆସିଥିବ ପହଲିପୁଅ ହାଡ଼ୁ ପଧାନ ।

 

ଏକାଦଶୀ ଉପବାସରେ ବାଡ଼ିଦୁଆରେ ପଥଚାହିଁ ବସିଥିବ ବୋଉ ।

 

ସମସ୍ତଙ୍କ ସହିତ ମିଳନ ହେବାର କି ମଧୁର ଆକର୍ଷଣ !

 

ଚାକିରି ଜୀବନ । ଘରଠାରୁ ସବୁବେଳେ ଦୂରରେ ରହିବାକୁ ହୁଏ । ଛୁଟି ହେଲେ ଘରକୁ ଆସିବାର ଯେଉଁ ଆବେଗ, ଉତ୍‌କଣ୍ଠା ତାହା ବ୍ୟକ୍ତ କରି ହୁଏନା ।

 

ସେ ଚାକିରିଆ ।

 

ସରକାରଙ୍କର ବିଶ୍ୱସ୍ତ ଗେଜେଟେଡ୍‍ ଅଫିସର ।

 

ବିଶ୍ୱ ବିଦ୍ୟାଳୟର ଉଚ୍ଚତର ଏମ.ଏ. ଉପାଧି ଭୂଷିତ ହୋଇ ସେ ସରକାରୀ ଚାକିରି କରିଛନ୍ତି । ମାସକୁ ସବୁ ମିଶି ଚାରିଶହ ଏକୋଇଶ ଟଙ୍କା ଦରମା । ପଇସାଏ ଅଧିକା ନୁହେଁ କି ଊଣାନୁହେଁ । ସେତିକିରେ ସେ ଦୂର ଜାଗାରେ ଏକୁଟିଆ ନିଜକୁ ପୋଷି ବାକି ଯାହା ବଳକା ରହେ ଘରକୁ ପଠାନ୍ତି । ସେଇ ବଳକା ପଇସାରେ ତିନି ବର୍ଷ ଭିତରେ ଘର ଖଣ୍ଡିକ ତୋଳା ହୋଇଛି । ବୋଉର କେତେ ଦିନର ପୁରୁଣା ଅନୁରୋଧଟିଏ ସେ ରଖି ପାରିଛନ୍ତି । ତାରି କଲ୍ୟାଣରୁ ବାରିପାଖ ଘର ପକ୍‌କା ତୋଳା ସରିଛି । ଦାଣ୍ଡପାଖ ତୋଳା ସରି ଦୁଆର ଝରକା ଲାଗୁଥିବ । ଏତିକି ବ୍ୟତୀତ ଆଉ ସେ ଅଧିକା କିଛି କରିପାରି ନାହାନ୍ତି ।

 

ତିନି ବର୍ଷ ଚାକିରି କାଳ ଭିତରେ ସାମାନ୍ୟ ଘର ଖଣ୍ଡିଏ ତୋଳି ପାରିଛନ୍ତି ବୋଲି ଗାଁରେ କେହି କେହି ତାଙ୍କୁ ଦେଖେଇ କରି କେତେ କଥା କହିବାର ସେ ଶୁଣିଛନ୍ତି ।

 

ହଇରେ, ଏତେ ପାଠ ପଢ଼ି ଶେଷରେ ଏଇ ଚାକିରି କଲୁ ! ଆଉ କଣ ଭଲ ଚାକିରି ତତେ ମିଳୁ ନଥିଲା । ଦେଖିଲୁ ତୋରି ସାଙ୍ଗ ନିଶାଚରକୁ । ବରଷକୁ ବରଷ ଜମି କିଣା । ଦି ଦାଣ୍ଡି ପକ୍କାଘର ବାଡ଼େଇଛି । ଘରେ ବିଜୁଳି ଆଲୁଅ । ତୁ ଆଉ କି ଚାକିରି କରୁଛୁ ବା ? ହଇରେ, ଚାକିରିରେ ଯଦି ଉପୁରି ନାହିଁ, ସେ କି ଚାକିରି ?

 

ସେ ବହୁଥର ଏଭଳି କଥା ଶୁଣିଛନ୍ତି ।

 

ସତରେ ନିଶାଚର ବହୁତ ପଇସା କମେଇଛି । ମଜଭୁତିଆ କୋଠା ଦିଦାଣ୍ଡି ବାଡ଼େଇଛି-। ବରଷକୁ ବରଷ ମାଣେ ଦିମାଣ ଜମି କିଣୁଛି ।

 

କପାଳ ପାଇଛି ନିଶାଚର ।

 

ନିଶାଚର—ତାଙ୍କ ସ୍କୁଲ ଜୀବନର ସହପାଠୀ । ତାଙ୍କରି ଗାଆଁର । ଘୋଷରା ଘୋଷରି ହୋଇ ଦି ଥରରେ ମାଟ୍ରିକଟା ତୃତୀୟ ଶ୍ରେଣୀରେ ପାଶ୍‌ କରି ସେ ବେକାର ହୋଇ ଚାରିବର୍ଷ କାଳ ଘରେ ବସିଲା । ତା ଭିଣୋଇ ଯୋଗାଣ ବିଭାଗରେ କାମ କରନ୍ତି । ତାଙ୍କ ଜରିଆରେ କୌଣସିମତେ ଧରାଧରି କରି କିରାଣୀ ଚାକିରି ଖଣ୍ଡେ ପାଇଛି । ମୁଣ୍ଡରେ ମସଲା ନଥିଲେ କଣ ହେଲା ତୁଣ୍ଡରେ ବାହାପିଆ ଢଙ୍ଗ ଅଛି । ବେଶ୍‌ ବନେଇ ଚୁନେଇ ସର ବସେଇ ସତମିଛ ଯୋଡ଼ି କଥା କହି ପାରେ । ସେଇଟା ତାର ଗୋଟିଏ କଳା । ଚାକିରି କରିବାର ବର୍ଷ କେଇଟାରେ ଢେର ପଇସା କମେଇଛି ।

 

ଦରମାଟା ମାସିକିଆ । ତାର ସୀମା ଅଛି । ହିସାବ ଅଛି । ମାତ୍ର ଦିନିକିଆ ଯେଉଁ ହାତଗୁଞ୍ଜା ମିଳେ ତାର କଣ ସୀମା ଅଛି ନାଁ ହିସାବ ଅଛି !

 

ନିଶାଚର ବେଶ୍‌ ପଇସା ଖାଏ । ବରଷକୁ ବରଷ ମାଣେ ଦିମାଣ ଜମି କିଣେ । ପକା ଘର କରିଛି । ଗାଁରେ ପାଞ୍ଚଶ ହଜାରେ ଧାର କରଜ ଲଗେଇଛି । ହାତରେ କିଛି ମୋଟା ପାଣ୍ଠି ରଖିଛି । ସ୍ତ୍ରୀ ପାଇଁ ଗହଣା ଗାଣ୍ଠି କରିଛି । ସୁଖରେ ରହିଛି ।

 

ଗାଁରେ ବେଳେ ବେଳେ ତା ବିଭବକୁ ଦେଖି କେହି କେହି ତାକୁ ତାଙ୍କ ସହିତ ତୁଳନା କରନ୍ତି । ପରିହାସ କରନ୍ତି । କହନ୍ତି ନିଶାଚର ଦିଥରରେ ମାଟ୍ରିକ ପାଶ୍‌ କରି କଣ ଊଣା ହେଲା—ତୁ ଏତେ ପାଠପଢ଼ି ଗେଜେଟେଡ୍‍ ଚାକିରି କରି କଣ ଭଲରେ ରହିଲୁ ? ଆରେ ଚାକିରି କରିବ ତ ଉପୁରି ଥିବା ଚାକିରି କରିବ ! ଆଜିକାଲି ଯୁଗରେ ଉପୁରି ନଥିବା ଚାକିରି କଣ ଚାକିରିକି ଲେଖା ? ହଇରେ, ଅଧ୍ୟାପକ ଚାକିରିରେ ବି ଉପୁରି ଥାଏ ? ସରଳ ନିରୀହ ମଫସଲ ଗାଁର ଲୋକମାନେ ବୁଝିପାରନ୍ତି ନାହି ଚାକିରିର ମର୍ଯ୍ୟାଦା ।

 

ନିଶାଚର ଲାଞ୍ଚ ନିଏ । ମିଛ କହେ । ବେଶ୍‌ ଦି ପଇସା ପାଇ ହାତ ଚିକ୍‌ଣ କରେ । ଏଣେ ଗାଁରେ ଜମି କିଣେ । ସୁଧ ଲଗାଏ । ଲୋକେ ତା ପଇସାକୁ ଦେଖି ବିଭୋଳ ହୁଅନ୍ତି । ପଇସାକୁ ସମ୍ମାନ ଦିଅନ୍ତି ।

 

ନିଶାଚର କିରାଣୀ ହେଲେ କଣ ହେଲା, ଗାଁରେ ଲୋକଦେଖାଣିଆ ଜମିବାଡ଼ି, କୋଠାବାଡ଼ି କରି ସୁଖରେ ରହିଛି ।

 

ରହୁ ।

 

ତା ପରି ହେବା ତାଙ୍କର ଦରକାର ନାହିଁ ।

 

ଲାଞ୍ଚନେଇ, ମିଛକହି ଦି ପଇସା ଅଧିକା ରୋଜଗାର କରିବା ଅପେକ୍ଷା ଯେତିକି ମିଳୁଛି ସେତିକିରେ ଚଳିବା ଶ୍ରେୟସ୍କର । ଲାଞ୍ଚନେବା ଏ ଜନ୍ମରେ ତାଙ୍କ ପକ୍ଷରେ ସମ୍ଭବ ନୁହେଁ । ସେ ସମାଜର ଉଚ୍ଚ ଶିକ୍ଷିତ ବ୍ୟକ୍ତି । ଏ ସବୁ କାର୍ଯ୍ୟ ତାଙ୍କ ପକ୍ଷରେ ଦେଶଦ୍ରୋହ ପରି ହେବ । ବୋଉ ବି ତାଙ୍କୁ ଶପଥ କରେଇଛି—ପୁଅରେ, ଚାକିରି କରିବୁ ଯେ, ପାହୁଲାଏ ହେଲେ କାହାଠାରୁ ଲାଞ୍ଚ ନେବୁ ନାହିଁ । ଦରମା ପାଇଲୁ ତ ତୋ କାମ କରିବା ପାଇଁ, ଆହୁରି ପୁଣି ଅଧିକା ପଇସା କଣପାଇଁ ନେବୁ ସେଇ କାମକୁ । ଲାଞ୍ଚନେଲେ ପାପ ହେବ । ଲାଞ୍ଚପଇସା କେବେ ହେଲେ ରହିବ ନାହିଁ । କେଉଁବାଟେ ହେଲେ ଗଳି ମେଲେଇ ଚାଲିଯିବ ।

 

ଯେତିକି ଦରମା ମିଳେ ସେତିକିରେ ସେ ଚଳନ୍ତି । ତା’ରି ଭିତରୁ ବଞ୍ଚେଇ କୋଠାଘର ଦିବଖରା ତୋଳିଛନ୍ତି । ଦାଣ୍ଡପାଖ ଘର ତୋଳାସରି ଦୁଆର ଝରକା ଲାଗୁଥିବ । ଘର ସମ୍ପୂର୍ଣ୍ଣ ହୋଇଗଲେ ବିଜୁଳି ଆଳୁଅ ସେ ନେଇ ଆସିବେ । ବୋଉ କହିଥିଲା ଘର ତୋଳିଲେ ବିଜୁଳି ଆଲୁଅ ନେଇ ଆସିବୁ ।

 

ଜୀବନସାରା ବୋଉର ଡିବିରି ଆଲୁଅରେ ବିତିଛି ।

 

ବିଜୁଳି ଆଲୁଅ ଘରକୁ ଆସିଲେ ତାର ମନ ସନ୍ତୋଷ ହେବ । ସେ ଗର୍ବରେ ଫୁଲିଉଠିବ-

 

ତା ପୁଅ ଏତେ ପାଠପଢ଼ି ଗେଜେଟେଡ୍‍ ଅଫିସର ହେଲା । ରୋଜଗାର କଲା । କୋଠାଘର ତୋଳି ବିଜୁଳି ଆଲୁଅ ଆଣିଲା ଘରକୁ । ଏଥିରେ ସେ ଗର୍ବ ନ କରିବ କାହିଁକି ?

 

କିଛି ନାହିଁ ଘରର ପିଲା ନିଶାଚର । ତା ବୋଉର ଗୋଡ଼ ଏବେ ଭୂଇଁରେ ଲାଗୁନାହିଁ । ନିଶାଚର କିରାଣୀ ହେଲେ କଣ ହେଲା ବହୁତ ପଇସା ଆଣୁଛି ବୋଲି ତାର ଅହଙ୍କାର । ସେଇଥିପାଇଁ ତାର ସମସ୍ତଙ୍କ ପ୍ରତି ତାତ୍ସଲ୍ୟଭାବ । ସମସ୍ତଙ୍କ ପ୍ରତି ହୀନ ନଜର । କେବେ ତ ଦେଖିନଥିଲା କିଛି । ବାପଘର ବୋଲି ଯାହା ତାହା ସୂର୍ଯ୍ୟ ଚନ୍ଦ୍ରଙ୍କୁ ଗୋଚର । ଦିବଖରା ବୋଲି ଘରରେ ତିନିବରଷରେ ଥରେ ଛପର ହେଉଥିଲା । ଏଡ଼େ ମାଗିଖିଆ ଘର ଝିଅ ନିଶାଚର ବୋଉ । ତାର ଏବେ ଫୁଲନ୍ତା ପଣିଆ ଯେ ରଥପୁର ଶାସନରେ ସେ ଆଉ ଭୂଇଁରେ ଚାଲେ ନାହିଁ । ଇନ୍ଦ୍ରଚନ୍ଦ୍ର ମାନେନାହିଁ । ଥରେ ଅଧେ ପୁଅ ସହିତ ଯାଇ ସହର ଜାଗାରେ କିଛିଦିନ ରହି ଆସିଛି । ଭାବୁଛି ସେ ପୂରାପୂରି ସହରିଆ । ମଫସଲଟା ତାକୁ ଗନ୍ଧୋଉଛି । କିଛି ନ ଦେଖିଲାଲୋକ ଟିକିଏ ଦେଖିଲେ ଯାହା ହୁଅନ୍ତି ତାର ସେଇୟା ହୋଇଛି ।

 

ନିଶାଚର ବୋଉଠୁ ତାଙ୍କ ବୋଉର ଆସନ କେତେ ଉଚ୍ଚରେ । ଗାଁରେ ତାର କେତେ ଖାତିରି । ବୁଢ଼ାବୁଢ଼ାମାନେ ମଧ୍ୟ ତାକୁ ମାନନ୍ତି । ତା ଆଦର୍ଶ ଅନୁପ୍ରାଣିତ କରିଛି କେତେ ଲୋକଙ୍କୁ । କୁଳଶୀଳ ମାନମହତ କୋଉଥିରେ ତାର ଅଭାବ ନାହିଁ । ସେ କାହିଁକି ତାଙ୍କପାଇଁ ଗର୍ବ ନକରିବ ?

 

ମନ ଗୁଡ଼େଇ ତୁଡ଼େଇ ହୋଇ ଯାଉଛି ଭାବନାର ଏଇ ବୁଢ଼ିଆଣୀ ଜାଲ ଭିତରେ ।

 

ବୋଉର ସେଇ ପ୍ରଶାନ୍ତ ପାବନ ମୁଖମଣ୍ଡଳଟି ନାଚି ଉଠୁଛି ଆଖି ଆଗରେ । ବସ୍‌ ଚାଲିଛି ।

 

ପିଚୁ ରାସ୍ତାର ଲଙ୍ଗଳା ଛାତି ଉପରେ ଦର୍ପିତ ଚକା ଚଳେଇ ବସ୍‌ ଚାଲିଛି ।

 

ସଡ଼କର ଦୁଇପାଖେ ଧାଡ଼ି ଧାଡ଼ି ବୃକ୍ଷଲତା । ଆମ୍ୱ, ନିମ୍ୱ, ବର, ଓସ୍ତ କେତେ କଣ ।

 

ଅଦୂରରେ ରାସ୍ତାସହିତ ସମାନ୍ତରାଳଭାବରେ ପ୍ରସରି ଯାଇଛି ଚିଲିକା ।

 

ବୈଶାଖମାସର ପବନ ବହୁଛି ।

 

ଖେଳିଯାଉଛି ଚିଲିକା ବୁକୁରେ ନୀଳ ଉର୍ମିମାଳା ।

 

ଚିଲିକା ଢେଉରେ ନାଉରିଆ ନାଆ ବାହୁଛି ।

 

ତେଲେଇ ଦିଶୁଛି ଆଖିକି ।

 

ଚିଲିକାର ନୀଳତନୁରେ ସୂର୍ଯ୍ୟ କିରଣ ଲୁଚକାଳି ଖେଳୁଛି ।

 

ଦୃଷ୍ଟିରେ ପଡ଼ୁଚି ଚିଲିକା ଭିତରେ ମାଆ କାଳିଜାଈଙ୍କ ମୁଣ୍ଡିଆ । ଆଗରେ ରାଜପଥକୁ ଅତିକ୍ରମ କରି ଭାଲେରୀ ପଶିଆସିଛି ଚିଲିକା ବକ୍ଷକୁ ।

 

ବଡ଼ ବିଚିତ୍ର ଦିଶୁଛି ଚିଲିକାର ନୀଳ ଜଳରାଶି ଉପରେ ତରଙ୍ଗାୟିତ ଉର୍ମିମାଳା । ବୈଶାଖୀ ପବନ ଚିଲିକାକୁ ଚୁମ୍ୱନ ଦେଇ ବହିଆସୁଛି । ସାଥିରେ ବହିଆଣୁଛି ଶାନ୍ତ ଶୀତଳ ଜଳକଣା ।

 

ଆକାଶରେ ଦଳେ ଧଳା ବଗପକ୍ଷୀ ପକ୍ଷବିସ୍ତାର କରି ଉଡ଼ି ଉଡ଼ି ଯାଉଛନ୍ତି ।

 

ରାଜପଥ ଉପରେ ବସ୍‌ଟି ଗତି କରୁଛି ।

 

ମନ ଉଚ୍ଛନ୍ନ ହେଲାଣି ।

 

ଆଉ ଅଳ୍ପ ବାଟ ଗଲେ ବାଲୁଗାଁ ।

 

ନନା ଆସି ଅପେକ୍ଷା କରିଥିବେ ।

 

ଭାବନାର ପାହାଡ଼ଟି ହଠାତ୍‌ ଭୁଷୁଡ଼ି ଗଲା ।

 

ବସ୍‌ ଆସି ଠିଆ ହେଲା ବାଲୁଗାଁ ବଜାର ଛକରେ ।

 

ସେ ତରବରରେ ବସ୍‌ରୁ ଓହ୍ଲେଇଲେ ।

 

ନନା ଆସି ବସ୍‌ରୁ ଓହ୍ଲାଇବା ଦୁଆର ମୁହଁରେ ଠିଆ ହୋଇଥିଲେ । ସେ ବସ୍‌ରୁ ଓହ୍ଲାଇ ନନାଙ୍କ ପାଦତଳେ ପଡ଼ିଲେ । ପାଦଧୂଳି ନେଇ ମୁଣ୍ଡରେ ମାରିଲେ । ନନାଙ୍କୁ ଦେଖି ସେ ଏତେ ଖୁସି ହୋଇଗଲେ ଯେ କିଛି କହିପାରିଲେ ନାହିଁ । କେବଳ ତାକୁ ଦେଖିବାରେ ପେଟ ପୂରିଗଲା ।

 

କ୍ଲିନର ଜିନିଷ ଓହ୍ଲାଇ ଦେଲା ।

 

ହାଡ଼ୁ ଗୋଟି ଗୋଟି କରି ନେଇ ଶଗଡ଼ରେ ଲଦିଲା ।

 

ସେ ଶଗଡ଼ରେ ବସିଲେ ।

 

ହାଡ଼ୁ ପଧାନ ବଳଦ ଯୋଚି ଶଗଡ଼ ଅଡ଼େଇଲା ।

 

ଶଗଡ଼ ପଛେ ପଛେ ନନା କନାଛତା ଖଣ୍ଡି ଟେକି ଚାଲିଲେ ।

 

ସୂର୍ଯ୍ୟ ଆସି ମୁଣ୍ଡ ଉପରକୁ ଉଠି ଗଲେଣି ।

 

ଖରା ମାଡ଼ି ମାଡ଼ି ଆସୁଛି ।

 

ବାଲୁଗାଁ ବଜାର ପଛକୁ ରହିଲାଣି ।

 

ମାମୁଁ ଭଣଜା ପର୍ବତ କଡ଼େ କଡ଼େ ଶଗଡ଼ ଡାହିରେ ଶଗଡ଼ ଚାଲିଛି ।

 

ବଳଦ ଯୋଡ଼ିକ ଖୁବ୍‌ ଜୋରରେ ଟାପୁଉଠେଇ ଧପଡ଼େଇଛନ୍ତି ।

 

ଗରମ ପବନ ବହୁଛି ।

 

ଗହୀର ମାଳରେ ଖଣ୍ଡିଆଭୂତ ଲାଗି ଧୂଳିର ଆବର୍ତ୍ତ ସୃଷ୍ଟି ହୋଇ ଯାଉଛି ।

 

ଶଗଡ଼ ଗୁଳାରୁ ଧୂଳିଉଡ଼ି ଦେହମୁଣ୍ଡରେ ପଡ଼ୁଛି ।

 

ନିଛାଟିଆ ନିଛାଟିଆ ଲାଗୁଛି ସାମନା ଗହୀର ।

 

ମାମୁ ଭଣଜା ପର୍ବତ ପାର ହୋଇ ଗଲାଣି ।

 

ପଛକୁ ଚାହିଁଲେ ରେଳରାସ୍ତା ଆଉ ଦିଶୁ ନାହିଁ ।

 

ବଳଦ ଦୁଇଟି ମାଡ଼ି ମାଡ଼ି ଚାଲିଛନ୍ତି ।

 

ଆଗରେ ରଥଗହୀର ଲମ୍ୱିଛି । ଯୁଆଡ଼େ ଚାହିଁବ ସିଆଡ଼େ ଖାଲି ଥୁଣ୍ଟା ଗହୀର । ବିଲମାଳ । ହିଡ଼ମାଳ । ସବୁ ଶୁଷ୍କ ନୀରସ ପ୍ରାଣହୀନ । ଠାଏ ଠାଏ ଶୂନ୍ୟତା ଭିତରେ ମୁଣ୍ଡ ଟେକିଛି ବରଗଛଟିଏ ନିମଗଛଟିଏ । ଖରା ତାତିରେ ତାଳୁ ଫାଟି ଯାଉଛି ।

 

ପଛେ ପଛେ ଚାଲିଛନ୍ତି ନନା । ଜନ୍ମଦାତା ।

 

ଦୂରରୁ ଦିଶୁଛି ଶୋଲରୀ ।

 

ନୀରବ ନିଶ୍ଚଳ ଭାବରେ ପୃଥିବୀକି ଅନେଇଁ ସେ ଠିଆ ହୋଇଛି ।

 

ତା ପାଖକୁ ଯେଉଁ ଛୋଟମୁଣ୍ଡିଆ ତାରି ପାଦତଳେ ଗଛ ଗହଳି ସନ୍ଧିରେ ବୋଉର ଅତି ଚିହ୍ନାଜଣା ଆପଣାର ବରଡ଼ି ଗାଆଁଟି ଆଖିକି ଦିଶୁନାହିଁ । ଛପିଯାଇଛି ଗଛ ସନ୍ଧିରେ ।

 

ଶଗଡ଼ ଡାହିରୁ ସିଧା ଚାହିଁଲେ ଦିଶୁଛି ମଶାଣି ଦଣ୍ଡା । ତା ପରେ କିଆ ଗୋହିରୀ । ତା ଆରପାଖେ ନୀଳକଣ୍ଠେଶ୍ୱରଙ୍କ ମନ୍ଦିର । ମନ୍ଦିର ସାମନାରେ ବଡ଼ ପୋଖରୀ । ହୁଡ଼ାତଳେ ହରିଜନ ସାଈର ସ୍କୁଲଘର ।

 

ନୀଳକଣ୍ଠେଶ୍ୱରଙ୍କ ମନ୍ଦିର ଉତ୍ତର ପାର୍ଶ୍ୱରେ ନଡ଼ିଆଗଛ ଗହଳିଭିତରେ ରଥପୁର । ତାଙ୍କ ଗାଁ । ତାଙ୍କ ଜନ୍ମମାଟି ।

 

ଆଖିକି ଦିଶିଲାଣି ନଡ଼ିଆ ଗଛ ଗହଳି ।

 

କେଡ଼େ କେଡ଼େ ଗଛମାନ ଆକାଶକୁ ମୁଣ୍ଡଟେକି ପବନରେ ବାହୁଙ୍ଗା ଦୋହଲାଉଛନ୍ତି । ଆକାଶର ନିର୍ଜନ ଶୂନ୍ୟତା ଭିତରେ ସେମାନଙ୍କର ନୀରବ ମନକଥା ମିଳେଇ ଯାଉଛି ଯେମିତି ।

 

ଶଗଡ଼ ଚାଲିଛି ।

 

ଶଗଡ଼ ପଛେ ପଛେ ନନା କହି କହି ଚାଲିଛନ୍ତି—ଶିବୁରେ, ଚାରିପାଞ୍ଚ ଦିନ ହେଲା ନାନୀର ଦେହ ଟିକିଏ ଖରାପ ଆଡ଼କୁ ଗତି କରିଛି । ଛାତିରେ ବହୁତ କଫ ଜମାଟ ବାନ୍ଧିଛି । କାଶୀର ବୁଦ୍ଧିବିଦ୍ୟା ପାଇଲା ନାହିଁ ବୋଲି ଡାକ୍ତରଙ୍କୁ ଡାକି ଆଣିଥିଲି । ଡାକ୍ତର ଆସି ଦେଖି ଯାଇଛନ୍ତି । ଔଷଧ ଦେଇଛନ୍ତି । କାହିଁକି କେଜାଣି ଔଷଧ ଧରୁନାହିଁ । ବଡ଼ ବ୍ୟସ୍ତ ଲାଗୁଛି ମନଟା ।

 

ରାମପ୍ରସାଦ ଆସିଛି । ତା ପିଲାମାନେ ଆସିଛନ୍ତି । ଦେବୀ ମଧ୍ୟ ଆସିଛି । ଦୁହେଁ ପାଖରେ ଅଛନ୍ତି । ଖଡ଼ିମଧ୍ୟ ପାଖେ ପାଖେ ଅଛି । ସକାଳୁ ସକାଳୁ ମୁଁ ଆସିବାବେଳେ ନାନୀକି କହି ଆସିଥିଲି—ନାନୀଲୋ, ଆଜି ଶିବୁ ଆସିବ । ମୁଁ ଶଗଡ଼ ନେଇ ଯାଉଛି ତାକୁ ଆଣି ଆସିବି ।

 

ତୁ ଆସିବୁ ଶୁଣି ସେ ହସିଲା । କାଶି କାଶି କହିଲା—ହଉ ଯାଆ ଯେ, ତାକୁ ସୁବିଧାରେ ଆଣିବୁ । ତୁତ ଖରା ତାତି ସହି ପାରିବୁ ନାହିଁ । କନା ଛତାଟାକୁ ନେଇଥା । ମୋ କଥା ପଚାରିଲେ ସବୁ ଭଲ ଅଛି ବୋଲି କହିବୁ । ଦେହ ଖରାପ କଥା କହିବୁ ନାହିଁ । ପିଲଟାର ମନ କଷ୍ଟ ହେବ ।

 

ତୋତେ ଦେଖିଲେ ତା ରୋଗ ଭଲ ହୋଇ ଯିବ ଯେ ।

 

ଘର କାମ ସରିଛି । ଦାଣ୍ଡ ଦୁଆର କବାଟଟା ଲଗା ହବାକୁ ବାକିଅଛି । ତ୍ରିନାଥ ମହାରଣା କବାଟ ତିଆରି କରୁଛି । ଦିନେ ଓଳିଏରେ ସେ କାମ ଶେଷ ହୋଇଯିବ । ଶାଗୁଆନ ପଟାରେ ଦାଣ୍ଡପଟ କବାଟଟି ତିଆରି କରେଇଛି ।

 

ନନା କହି କହି ଚାଲିଛନ୍ତି ।

 

ହାଡ଼ୁପଧାନ ଶଗଡ଼ ଅଡ଼େଇ ଅଡ଼େଇ ଚାଲିଛି ।

 

ଆକାଶରେ ଖରାର ପ୍ରକୋପ ପ୍ରବଳ ହେଲାଣି ।

 

ମୁଣ୍ଡ ଫାଟି ଯାଉଛି ।

 

ନିଶୂନ ନିଥର ଗହୀରମାଳ ।

 

ପାଖେଇ ଆସିଲାଣି ଭିଟାମାଟି ।

 

ହେଇ ଆଗରେ ଦିଶିଲାଣି କିଆ ଗୋହିରୀ । ଦିଶିଲାଣି ମଶାଣି ଦାଣ୍ଡରେ କେତେ ପୁରୁଣା ବରୀ ଓସ୍ତ ଗଛ ଦୁଇଟି । ମୁଣ୍ଡ ଉପରେ ଚକର କାଟି ଚାଲି ଯାଉଛି ମାଟିଆ ଚିଲଟା । ଆଗ ଆଡ଼ୁ ମାଡ଼ି ଆସୁଛି ମୁଣ୍ଡରେ ଗାମୁଛା ପକେଇ ମଣିଷ ଜଣେ । କିଏ ସେ ବାରି ହେଉ ନାହିଁ । ହିଡ଼େ ହିଡ଼େ ପାହୁଣ୍ଡ ପକେଇ ଦାଣ୍ଡେଇଛି ସେ ।

 

ପାଖକୁ ପାଖକୁ ମାଡ଼ି ଆସିଲାଣି ଯେ ।

 

ତାକୁ ଦେଖି ନନା ପଚାରିଲେ—କିରେ ତ୍ରିନାଥ, ଦି ପହର ଖରାଟାରେ କାହିଁକି ପଳେଇ ଆସିଲୁ ?

 

ତ୍ରିନାଥର ମୁହଁ ଶୁଖିଲା । ଆଖି ଛଳ ଛଳ ।

 

ମୁଣ୍ଡରୁ ଗାମୁଛାଟା ଟାଣି ସେ କହିଲା—ଭାଇନା, ଯୋଇଥି ପାଇଁ ଯାଉଛ ତା କାମ ସରିଗଲା । ତୁମେ ଯିବା ପରେ ପରେ ନାନୀ ସମସ୍ତଙ୍କୁ ଛାଡ଼ି ଚାଲିଗଲା । ହେଇଟି ତ ମଶାଣି ଦଣ୍ଡାରେ ଦାହ ହେଉଛି । ହଉ ଭାଇନା, ଯାହାକୁ ଯେତେବେଳେ ଯିବାକୁ ଯୋଗଥାଏ ସେ ଚାଲିଯାଏ । ତା କଥା ଭାବି ଆଉ ଲାଭ କଣ ! ହେଲେ ଭାଇନା, ପ୍ରାଣଗଲାବେଳେ ନାନୀ ବାବୁଙ୍କୁ ଟିକିଏ ଦେଖିବ ବୋଲି ବହୁତ ବିକଳ ହେଲା । ଛାଡ଼, ତା କପାଳରେ ନାହିଁ ।

 

ତ୍ରିନାଥ କହିଦେଇ ଗାମୁଛା କାନିରେ ଆଖି ପୋଛି ପୋଛି ହିଡ଼େ ହିଡ଼େ ମୁହାଁଇଲା ।

 

ନନା ପଥର ପରି ଗହୀର ମାଳରେ ବସି ପଡ଼ିଲେ ।

 

ଆଖି ଯୋଡ଼ିକି ତାଙ୍କର ଲୁହ ଜଳରେ ଭିଜିଗଲା ।

 

ସେ ତ୍ରିନାଥ କଥା ଶୁଣି ସତେ ଯେମିତି ଚଳତ୍‌ଶକ୍ତିହୀନ ହୋଇଗଲେ ।

 

ଶଗଡ଼ରୁ ଆଉ ତଳକୁ ଓହ୍ଲେଇବାର ଶକ୍ତି ନଥିଲା ତାଙ୍କର ।

 

ସମଗ୍ର ଆକାଶଟା ତାଙ୍କ ମୁଣ୍ଡ ଉପରେ ଛିଣ୍ଡି ପଡ଼ିଲା ଯେମିତି ।

 

ବିଶ୍ୱ ଜଗତ ତାଙ୍କୁ ଅନ୍ଧକାର ପରିପୂର୍ଣ୍ଣ ପରି ମନେ ହେଲା ।

 

ସେ ମନେ କଲେ ତାଙ୍କର ଶୀରା ଧମନୀରେ ଆଉ ରକ୍ତର ସ୍ପନ୍ଦନ ନାହିଁ ।

 

ଆଖିରୁ ଲୁହ ରୋଧ କରି ହେଲାନାହିଁ ।

 

ସେ ବହି ଚାଲିଲା ଯେମିତି ବହିଚାଲେ ଧାରା ଶ୍ରାବଣରେ କୂଳଲଙ୍ଘି ବଂଶବତୀର ଜଳଧାରା ।

 

ସେ ଲୁହଭିଜା ଆଖି ମେଲେଇ କିଆ ଗୋହିରୀକି ଚାହିଁଲେ ।

 

କିଆ ଗୋହିରୀ ପେଟ ଭିତରୁ ସେଇ ପୁରୁଣା ବର ଓସ୍ତ ଗଛ ପାଖରୁ କୁଣ୍ଡଳୀକ୍ୟୃତ ଧୂଆଁ ଆକାଶକୁ ଉଠୁଛି ।

 

ଆଖିକି ଦିଶି ଯାଉଛି ଲାଲ ଟହଟହ ଚିତାଗ୍ନି ଶିଖା ।

 

ସେଇ ଚିତାଗ୍ନିଶିଖାର ଆତ୍ମା ଭିତରୁ ଉଦ୍‌ଭାସି ଉଠୁଛି ବୋଉର ଦୁଃଖ ପାଶୋରା ମୁହଁଟି-

 

କେତେ ଯୁଗର ସନାତନ ଅମୃତ ବୋଳା ହୋଇଛି ବୋଉର ଏ ମୁହଁଟିରେ ।

 

ଚାହିଁ ହେଉ ନାହିଁ ।

Image